Unknown

 

 

 

 

 

 

 

 

 

 

ରୋହିତର ଡାଏରୀ

(ତ୍ରୟୋବିଂଶ ପର୍ବ)

ଚିତ୍ତରଞ୍ଜନ ଦାସ

 

–ସୁଷମା ଏବଂ ଅନନ୍ତ, –ମୋ’ପାଇଁ ଗୋଟିଏ ସମଗ୍ରର ନାଆଁ, –ଏକାବେଳେକେ ସେମାନେ ଆପଣାର ସଂସାରକୁ ଆରମ୍ଭ କରିଥିବା ସମୟରୁ । ଏବେ ମଧ୍ୟ ଜଣେ ଦିଶିଯିବାମାତ୍ରକେ ଦୁହେଁ ଦିଶି ଯାଆନ୍ତି । ଭାରି ଭଲ ଲାଗେ ।

 

ଶ୍ରୀମତୀ ସୁଷମା ଗିରି ଏବଂ ଡକ୍ଟର ଅନନ୍ତ କୁମାର ଗିରିଙ୍କୁ “ରୋହିତର ଡାଏରି”ର ଏହି ତ୍ରୟୋବିଂଶ ପର୍ବକୁ ଉତ୍ସର୍ଗ କରୁଛି ।

☆☆☆

 

୨୪ । ୪ । ୨୦୦୨

 

କେତେ କେତେ କିସମର ଭଲ ପାଇବା, କାରଣ କେତେ କେତେ କିସମର ମଣିଷ, କେତେ କେତେ କିସମର ଭଲ ପାଇବା, କାରଣ କେତେ କେତେ କିସମର ମତଲବ । ଭଲ ପାଇବାଟା ହୁଏତ ଏକ ମୁଖାର କାର୍ଯ୍ୟ କରୁଥାଏ, ଓ ସେହି ମୁଖାତଳେ ମତଲବଟି ଲୁଚି ରହିଥାଏ । ସେହି ମତଲବଟି ପ୍ରକୃତରେ କ’ଣ ବୋଲି ମଣିଷ ହୁଏତ ନିଜେ ମୋଟେ ଜାଣି ନଥାଏ ଏବଂ ଭଲ ପାଉଛି ବୋଲି ଭ୍ରମ କରିବାରେ ଲାଗିଥାଏ ।

 

ମୁଁ ନିଜଭିତରେ ଅନେକ ସମୟରେ ହୁଏତ ନିଜର ମାର୍କାଟିଏ ବହଳ କରୁଥିବା କୌଣସି ସନ୍ତ୍ରାସବାଦକୁ ଭଲ ପାଉଥାଏ ବୋଲି ଆଉଏକ ସନ୍ତ୍ରାସବାଦର ବିରୋଧରେ ଜିହାଦ ଘୋଷଣା କରି ବାହାରିଥାଏ । କୌଣସି ଅଧିକାର–ବିସ୍ତାରର ମତଲବରେ ମଧ୍ୟ ଅନେକେ ଭଲ ପାଉଥାନ୍ତି, ବାହାରକୁ କେଡ଼େ ଦୟାଳୁ ପରି ଦେଖା ଯାଉଥାନ୍ତି । ପ୍ରଜାମାନଙ୍କୁ ଭଲ ପାଉଥାନ୍ତି ବୋଲି କ’ଣ ରାଜାମାନେ ପ୍ରଜାବତ୍ସଳ ହୁଅନ୍ତି ଓ ପ୍ରଜାରଞ୍ଜନ କରନ୍ତି ? ବହୁ ପରିବାରରେ ବାବୁ ଏବଂ ବାବୁଆଣୀମାନେ ଅନେକ ସମୟରେ ସେମାନଙ୍କର ଭୃତ୍ୟପରିକରମାନଙ୍କୁ ମଧ୍ୟ ଭଲ ପାଆନ୍ତି । ଭଲ ପାଇବା ନାମକ ସତେଅବା ଏକ ମୁଖର ବ୍ୟାଦାନ କରି କେତେ କେତେ ମଣିଷ ସଂସାରଟାକୁ ଗିଳିବାପାଇଁବି ବାହାରି ଥାଆନ୍ତି । ସେମାନଙ୍କର ହୃଦୟଟା କୋଉଠି କେତେ ସନ୍ଧିରେ ଯାଇ ପୋତିହୋଇ ରହିଥାଏ ଏବଂ ତାହାର ସର୍ବଭକ୍ଷଣକାରୀ ଛାଇଟାହିଁ ଦଶଦିଗକୁ ମାଡ଼ିକରି ରହିଥାଏ-। ସେହି ହୃଦୟଗୁଡ଼ିକ ଭିତରେ ନଖମାନେ ଓ ଦାନ୍ତମାନେ ଥାଆନ୍ତି ସିନା, ମାତ୍ର ଦୁଆର ବୋଲି ହୁଏତ ମୋଟେ କିଛିହେଲେ ନଥାଏ । ଏମାନେ ଜ୍ଞାନୀବି ହୁଅନ୍ତି,–ଜ୍ଞାନକୁ ଶକ୍ତି ବୋଲି ମାନନ୍ତି ଏବଂ ସେହି ଶକ୍ତିକୁ ବୁଜୁଳା ପରି ମୁଣ୍ଡାଇ ବାଟ ଚାଲୁଥାଆନ୍ତି । ଅର୍ଥାତ୍, ବହୁତ ସାଧୁତା ତଥା ନିଷ୍ଠାର ସହିତ ଖାଲି ଗ୍ରାସ କରିବାରେ ଲାଗିଥାନ୍ତି । ବନ୍ଧୁ, ଓହ୍ଲାଇ ଆସି ପାରୁଥିଲେ ଯାଇ ତୁମେ ଭଲ ପାଇବାର ଯୋଗ୍ୟ ହୋଇ ପାରିବ । ଓହ୍ଲାଇ ଆସି ପାରୁଥିଲେ ଯାଇ ସୁହୃତ୍ ହୋଇ ପାରିବ । ଓହ୍ଲାଇ ଆସୁଥିବ, ଅଥଚ ଓହ୍ଲାଇ ଯାଉଛି ବୋଲି ଆଦୌ ଜାଣି ପାରୁ ନଥିବ । ଜାଣି ପାରୁଥିଲେ ବାବୁ ତୁମେ ଦୟାଳୁ ମନୁଷ୍ୟଟିଏ ସିନା ହେବ, କିନ୍ତୁ ସୁହୃତ୍ ହୋଇ ପାରିବନାହିଁ । କେତେ ସହଜପ୍ରେରିତ ଭାବରେ ନିଜଭିତରେ ଆରୋହଣ କରିପାରୁଥିଲେ ଯେ ଜଣେ ସ୍ଵାଭାବିକ ଭାବରେ ଓହ୍ଲାଇ ଆସିବି ପାରୁଥିବ, କେବଳ ଓହ୍ଲାଇ ଆସି ପାରୁଥିବା ମନୁଷ୍ୟମାନେହିଁ ସେକଥା କହି ପାରିବେ । ପୃଥିବୀର ଆଦର୍ଶବାଦୀମାନେ ନିଜର ସେହି ଆଦର୍ଶଗୁଡ଼ିକୁ ନେଇ ସମ୍ଭବତଃ ଏତେ ଉପରେ ଯାଇ ବିହରଣ କଲେ ଯେ ଆଉ ସେଠାରୁ ଓହ୍ଲାଇ ଆସି ପାରିଲେ ନାହିଁ । ସେମାନେ ଜ୍ଞାନୀ ହେଲେ, ବହୁ ଶକ୍ତିଦ୍ଵାରା ଶକ୍ତିମନ୍ତ ହେଲେ; ମାତ୍ର ସୁହୃତ୍ ହୋଇ ପାରିଲେନାହିଁ । ସେମାନେ ସୁହୃତ୍ ହେବାପାଇଁ ଡରିଲେ କି ?

 

୨୫ । ୪ । ୨୦୦୨

 

ଭଲ ପାଉଥିବା ମଣିଷ କଦାପି ବାବାଜି ହେବନାହିଁ । ବାବାଜି ହେବାକୁ କେବେହେଲେ ମନବି କରିବନାହିଁ । ଯିଏ ଭଲ ପାଏ, ଏହି ସବୁକିଛିକୁ ସିଏ ଛୁଇଁ କରି ରହିଥାଏ, ନିଜକୁ ସିଏ ସବୁଠାରେହିଁ ସ୍ଵୀକୃତ ହୋଇ ରହିଥିବା ପରି ଅନୁଭବ କରୁଥାଏ । ତେଣୁ, ହୁଏତ କୋଉଟା ପାଖକୁ ଯିବ ବୋଲି ଆଗ ଆଉ କୋଉଠାକୁ ପଳାଇଯିବ ବୋଲି ସିଏ କାହିଁକି ବା ମନ କରିବ ? କୋଉ ସଂସାରକୁ ଛାଡ଼ିବ ଏବଂ କୋଉ ସ୍ଵର୍ଗକୁ ମନ କରିବ ? ନିଜଭିତରେ ଅତ୍ୟନ୍ତ ନିଃଶଙ୍କ ଭାବରେ ଏବଂ ନିରୁପଦ୍ରବ ଭାବରେ କ’ଣଟିଏକୁ ଛୁଇଁକରି ରହିପାରିଲେ ଯେ ଏହି ସବୁକିଛିକୁ ଛୁଇଁକରି ରହିଥିବା ପରି ନିତ୍ୟଅନୁଭବ ହୋଇଥାଏ, ଜଣେ ଭଲ ପାଉଥିବା ମଣିଷକୁ ପଚାରିଲେ ତୁମେ ସେହି ପ୍ରଶ୍ନଟିର ଉତ୍ତରକୁ ଅବଶ୍ୟ ପାଇଯିବ । ନାଇଁ, ବରଂ ତା’ପାଖରେ ଯାଇ ଘଡ଼ିଏ ବସିଲେ ଅର୍ଥାତ୍ ଘଷିହୋଇ ପାରିଲେ ତୁମେ ଏପରି ବାସନାଟିଏ ପାଇଯିବ, ଯାହାଦ୍ଵାରା କି ତୁମେ ସତକୁସତ ଏକ ଉତ୍ତର ପାଇଗଲ ବୋଲି ନିଶ୍ଚୟ ଅନୁଭବ ହେବ ।

 

ଭଲପାଇପାରୁଥିବା ଏହି ମଣିଷଟି ଜ୍ଞାନକୁ ଡରିବନାହିଁ, ଶକ୍ତିକୁ ମଧ୍ୟ ଡରିବନାହିଁ । ଜ୍ଞାନ ଏବଂ ତଜ୍ଜନିତ ଶକ୍ତି ତା’ ହୃଦୟକୁ ଅର୍ଥାତ୍ ତା’ ପରିଚୟର ମୂଳ ଡୋରଗୁଡ଼ିକୁ ସର୍ବଦା ନୂଆ ନୂଆ ଡେଣା ଆଣି ଯୋଗାଇ ଦେବାରେ ଲାଗିଥିବେ । ଭଲ ପାଇ ପାରିଲେହିଁ ତୁମେ ଜ୍ଞାନପାଖରେବି ନିଜର ହୋଇ ପାରିବ ଏକ ଶକ୍ତିକୁ ସତକୁସତ ଗୋଟିଏ ନିମିତ୍ତ ଭଳି ବ୍ୟବହାର କରିପାରିବ । ତୁମେ ଉପରକୁ ଉଠିବା ସହିତ ଅଧିକ ଦେଖିବି ପାରୁଥିବ;–ବାନ୍ଧି ହୋଇ ରହିଯିବାର ଆଦୌ କୌଣସି ଭୟ ନଥିବ । ଯେଉଁମାନେ କାଳେ କାଳେ ପୃଥିବୀକୁ ଛାଡ଼ି ନିରୋଳାକୁ ପଳାଇ ଯାଇଛନ୍ତି ଏବଂ ନିରୋଳା ହୋଇ ରହିବାକୁହିଁ ମୁକ୍ତି ବୋଲି ବିଚାର କରିଛନ୍ତି, ସେହି ବାବାଜିମାନେ ସତେଅବା ଗେହ୍ଲା ହୋଇ ରହିବାକୁହିଁ ସଚରାଚର କୌଣସି ଏକ ବୃହତ୍ ଗଡ଼ଉପରେ ବିଜୟ ହାସଲ କରିବା ବୋଲି ଭାବିଛନ୍ତି । ସେମାନେ ସତେଅବା କେବଳ ଅଧିକରୁ ଅଧିକ ପାଇବେ ବୋଲି ଇଚ୍ଛା କରିଛନ୍ତି;–କିଛି ଦେବାପାଇଁ ରାଜୀ ହୋଇନାହାନ୍ତି । ଏବଂ, ଦେଇ ନପାରିଲେ ତୁମେ ଆଦୌ କିପରି ଭଲବି ପାଇପାରିବ ? ବାବାଜିମାନେ ବସ୍ତୁତଃ କେଉଁ ସୁଖ ଖୋଜିବାରେ ଲାଗିଥାନ୍ତି କେଜାଣି, ସେହି ସୁଖଟାରୁହିଁ ସାନ୍ନିଧ୍ୟ ପାଇଗଲେ ବୋଲି ଭ୍ରମ କରନ୍ତି । ଅସଲ ଆଶୀର୍ବାଦଟିକୁ ପାଇଲେ ଯେ ଏକଠି ନିଜଭିତରୁହିଁ କେତେ କେତେ ଶକ୍ତିର ପରିଚୟ ମିଳେ ଏବଂ ସେହି ଶକ୍ତିଦ୍ଵାରା ଏହି ପୃଥିବୀଟାକୁ ମାଡ଼ି ବସିଥିବା କେତେ କେତେ ଅପଶକ୍ତିକୁ ଯେ ହଟାଇ ଦେଇହୁଏ, ପୃଥିବୀର ସେହି ଅସଲ ଦୀକ୍ଷାମନ୍ତ୍ରଟିକୁ ସେମାନେ କାହିଁକି ଗ୍ରହଣ କରି ନଥାନ୍ତି କେଜାଣି ?

 

୨୬ । ୪ । ୨୦୦୨

 

ପୁଣି ନିଜ ଘରକୁ ଫେରିଯିବାର ବେଳ ଆସି ପହଞ୍ଚିଲା । ଭାରତବର୍ଷକୁ ଫେରିଯିବା,–ଅର୍ଥାତ୍ ନିଜର ଭୂଇଁକୁ ଫେରିଯିବା, ସ୍ଵଧର୍ମକୁ ଫେରିଯିବା । ସ୍ଵଭୂମି, ତେଣୁ ସ୍ଵଧର୍ମ ।

 

ମୋ’ର ସକଳ ଭାବନା ଏବଂ ବିବେଚନାର ଭୂମି ହେଉଛି ଭାରତବର୍ଷ । ଭାରତବର୍ଷ ନାମକ କେବଳ ଯେକୌଣସି ଦେଶ ପରି ଗୋଟିଏ ଦେଶ ନୁହେଁ, ଭାରତବର୍ଷ ନାମକ ମୋ’ର ଘର-। ସମଗ୍ର ପୃଥିବୀକୁ ବୁଝିବା ସକାଶେ ମୋ’ର ଗୃହଦର୍ପଣଟିହିଁ ଏହି ଭାରତବର୍ଷ । ମୋ’ର ଯାବତୀୟ ଚିହ୍ନିବାରେ ତଥା ସ୍ଵୀକାର କରିନେବାରେ ସର୍ବପ୍ରଥମ ପୁସ୍ତକ । ଭାରତବର୍ଷକୁ ଦର୍ପଣ କରିହିଁ ମୁଁ ନିଜକୁ ସବୁଠାରୁ ଅଧିକ ସଂଗତି ସହିତ ବୁଝି ପାରୁଥିବା ପରି ଅନୁଭବ କରିପାରେ । ପୃଥିବୀଯାକ କୁଆଡ଼େ କେତେ ବୁଲୁଥାଏ, କୁଆଡ଼ୁ କେତେକଅଣ ସଂଗ୍ରହ କରି ଆଣେ ଏବଂ ଏହି ସବୁକିଛିକୁ ନିଜର ଏହି ଘରଟି ନିମନ୍ତେହିଁ ସାଇତି ରଖୁଥାଏ । ସମଗ୍ର ପୃଥିବୀର ସମସ୍ୟା ତଥା ସ୍ଵପ୍ନଗୁଡ଼ିକୁ ମୁଁ ଭାରତବର୍ଷରେହିଁ ଶିକ୍ଷା କରିଥିବା ନିଜର ଭାଷା ଏବଂ ନିଜ ପରିମିତିଗୁଡ଼ିକର ମାଧ୍ୟମରେହିଁ ବୁଝିପାରେ । ଅଳପକୁ ମାଧ୍ୟମ କରି ବହୁତକୁ ବୁଝିବା ଓ ବହୁତକୁ ମାଧ୍ୟମ କରି ଅଳପକୁ ବୁଝିବା,–ଉଭୟ ମଧ୍ୟରେ ବସ୍ତୁତଃ ସେପରି ବେଶୀ କିଛି ଫରକ ନଥିବା ପରି ମୁଁ ସବୁବେଳେ ଅନୁଭବ କରି ଆସିଛି । ଏବଂ, ସବୁଠାରୁ ଅଧିକ ଭାଗ୍ୟର କଥା ହେଉଛି ଯେ, ଭାରତବର୍ଷକୁ ଫେରିଯିବା ପାଇଁହିଁ ମୁଁ ପୃଥିବୀଯାକ ଘୂରି ବୁଲିବାକୁ ଏତେ ଉତ୍ସାହ ପାଇଆସିଛି । ପୃଥିବୀର ଯାବତୀୟ ସମସ୍ୟା ନିମନ୍ତେହିଁ ଭାରତବର୍ଷରେହିଁ ସବାଆଗ ସମାଧାନଟିଏ ଖୋଜି ବୁଲିଛି । ଏଥିରେ ମୋହର ମୋଟେ କୌଣସି ଗନ୍ଧ ନାହିଁ । ଭୂମିଟିଏ ନଥିଲେ ଖାଲି ଅବାନ୍ତର ଆକାଶଗୁଡ଼ାକରେ ଉଡ଼ି ବୁଲିବାକୁ ମଧ୍ୟ ଆଦୌ ଏକ କମ୍ ବଡ଼ ମୋହ ବୋଲି କହି ହେବନାହିଁ । ନିଜର ଗୋଡ଼ତଳେ ସବୁବେଳେ ଅବଶ୍ୟ ରହିଛି ବୋଲି ମୁଁ ଅନୁଭବ କରି ପାରୁଥିବା ମାଟି,–ମୋ’ପାଇଁ ତାହାହିଁ ଭାରତବର୍ଷ, ତାହାହିଁ ଓଡ଼ିଶା-। ଓଡ଼ିଆ ଭାଷା କହିଲେ ମୁଁ ସବାଆଗ ସେହି ମାଟିକୁହିଁ ବୁଝିଥାଏ । ସେଠି କେତେ ନା କେତେ ବାଧା, କେତେ ବିଷମତା ଓ କେତେ କେତେ ବିଡ଼ମ୍ବନା । ମୁଁ ସେଗୁଡ଼ିକୁ ଏଡ଼ିଦେଇ କେବେହେଲେ ପୃଥିବୀର ଆଉ କେଉଁଠାକୁ ପଳାଇ ଯାଇ ଲୁଚି ରହି ପାରିବିନାହିଁ କି ନିଜ ସହିତ ଆଦୌ କୌଣସି ସୁସ୍ଥ ବୁଝାମଣାବି ସମ୍ଭବ କରି ପାରିବିନାହିଁ-। ଏହି ପୃଥିବୀ ଯେତେ ଯେଉଁଠି ଯେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଛି, ମୋତେ ସକଳ ସାଧୁତାର ସହିତ ଭାରତବର୍ଷ ତଥା ଓଡ଼ିଶାରେହିଁ ସେଗୁଡ଼ିକର ସମ୍ମୁଖୀନ ହେବାକୁ ପଡ଼ିବ-। ତେବେଯାଇ ମୁଁ ମଧ୍ୟ ଏହି ପୃଥିବୀରେ ରହିଛି ବୋଲି ସୁସ୍ଥ ଭାବରେ ଅନୁଭବ କରି ପାରିବି-। ତେଣୁ, ମୋ’ର ପୃଥିବୀ ବୁଲିବା ଓ ପୃଥିବୀଯାକରୁ ସାଉଁଟି ନେଇଆସିବା ପରି ମୋ’ର ଏହି ଘରକୁ ଫେରିଯିବା ମଧ୍ୟ ସକଳ ଅର୍ଥରେ ଏହିପରି ସାର୍ଥକହିଁ ହେଉଥାଉ-

 

୨୭ । ୪ । ୨୦୦୨

 

ଯୁଗେଯୁଗେ ଏହି ନେତାମାନେହିଁ ହାରି ଯାଇଛନ୍ତି, ରହି ଯାଇଛନ୍ତି; ମାତ୍ର ପୃଥ୍ଵୀମାନସର ଏହି ମାଟିଟାରୁ ନବସମ୍ଭାବନା ଏବଂ ନବ–ଉନ୍ମେଷଣାର ଶକ୍ତିଗୁଡ଼ିକ କେବେହେଲେ ନିଃଶେଷିତ ହୋଇ ଯାଇନାହାନ୍ତି । ଆହୁରି ନିକଟବର୍ତ୍ତୀ ହୋଇ କହିଲେ, ନେତାମାନେ ଅଟକି ଯିବାକୁ ଇଚ୍ଛା କରିଛନ୍ତି ଏବଂ ଅଟକି ମଧ୍ୟ ଯାଇଛନ୍ତି; କିନ୍ତୁ ଯୁଗର ଆସ୍ପୃହାମାନେ ସେମାନଙ୍କୁ ଅତିକ୍ରମ କରି ଆଗକୁ ଚାଲି ଯାଇଛନ୍ତି । ନେତାମାନେ ସେମାନଙ୍କର ହାତରପାଞ୍ଚ ହୋଇଥିବା କ୍ଷମତାଟାଦ୍ଵାରାହିଁ ଭାରି ଗୁରେଇତୁରେଇ ହୋଇ ବାନ୍ଧି ହୋଇ ଯାଇଛନ୍ତି । ସେମାନଙ୍କର ହାତକୁ କ୍ଷମତା ଆସିଲା, ତେଣୁ ସବୁ କାମ ସରିଗଲା ବୋଲି ଧରି ନେଇଛନ୍ତି । ସେହି କ୍ଷମତାକୁ ଯଥାସମ୍ଭବ ନିଜେ ଭୋଗ କରିବେ ବୋଲି ସେମାନେ ନାନା ବିନାଶକାରୀ ଭ୍ରମର ବଶବର୍ତ୍ତୀ ହୋଇ ପଡ଼ିଛନ୍ତି; ମୋଟେ ନିମିତ୍ତ ହୋଇ ପାରିନାହାନ୍ତି ।

 

ଯେଡ଼େ ଉଗ୍ର ହୋଇ ଯାହା ଇଚ୍ଛା କଲେ ମଧ୍ୟ ସେମାନେ ଆଖର ଆପେ କଳଙ୍କି ମାରି ଯାଇଛନ୍ତି ସିନା, କିନ୍ତୁ ଯୁଗଟାକୁ ମୋଟେ ଅଟକାଇ ରଖି ପାରିନାହାନ୍ତି । ମାଟିହିଁ ନୂତନ ନିମିତ୍ତମାନଙ୍କୁ ପ୍ରସ୍ତୁତ କରି ଆଣିଛି । ଆହ୍ଵାନମାନଙ୍କର ନବସଂସ୍କରଣ ହୋଇଛି ଏବଂ ଉଦ୍‌ବେଳନଗୁଡ଼ିକୁ ନୂତନ ଧାରା ତଥା ନୂତନ ତାତ୍କାଳିକତା ଆଣି ଯୋଗାଇବି ଦେଇଛି । ମଣିଷମାନେ ନୂଆ ସ୍ଵପ୍ନ ଦେଖିଛନ୍ତି । ଏବଂ, ସତକୁସତ ପୂର୍ଣ୍ଣ ଆନ୍ତରିକତା ସହିତ ନୂଆ ସ୍ଵପ୍ନଗୁଡ଼ିକୁ ସ୍ଵୀକାର କରି ନେଉଥିବା ସଙ୍ଗେ ସଙ୍ଗେ ନିଜଭିତରୁହିଁ ନୂଆ ଶକ୍ତିର ସ୍ପର୍ଶଗୁଡ଼ିକୁ ପାଇ ପାରିଛନ୍ତି । ସେହି ସ୍ପର୍ଶଗୁଡ଼ିକୁ ଏକତ୍ର କରି ଆଣି ନୂଆ ସଂଗ୍ରାମଟିଏ କ୍ରମଶଃ ସାକାର ହୋଇ ଆସିଛି । ନୂଆ ସଂଘମାନେ ତିଆରି ହୋଇଛନ୍ତି ଓ ନୂଆ ସୁହୃତ୍‌ମାନେ ପରସ୍ପରକୁ ଆବିଷ୍କାର କରି ପୃଥିବୀରେ ଏକ ଉଦ୍ୟମବେଗର ସୃଷ୍ଟି କରି ଆଣିଛନ୍ତି । ତେଣୁ, ଆମ ଇତିହାସର ସେହି ସ୍ଵଭାବଟିକୁ ବୁଝିବାକୁ ଆରମ୍ଭ କଲେ ତଥା ଏକ ଅନ୍ୟ ଭବିଷ୍ୟତର ଆକଳନ କରିବାକୁ ସାହସ କରିପାରିଲେ ପୂରା ପ୍ରତ୍ୟୟଟିଏ ହୋଇଯାଉଛି ଯେ, ନେତାମାନେ ଏହିପରି ଭାବରେ ପୁରୁଣାହିଁ ହୋଇ ଯାଉଥିବେ, ନେତୃତ୍ଵଗୁଡ଼ିକ ଖତରା ହୋଇ ଯାଉଥିବ ଓ ପୃଥିବୀରେ ବାରବାର ମନୁଷ୍ୟମାନଙ୍କର ମୋହଭଙ୍ଗ କରାଇ ଦେଉଥିବ । ଏବଂ ତେଣେ ପୃଥିବୀ ଆଗକୁ ଯିବାରେ ଲାଗିଥିବ, ନିୟତିଟା ମଧ୍ୟ ନୂଆଭାବରେ ଆବଶ୍ୟକ ଉଦ୍ୟମଗୁଡ଼ିକୁ ପ୍ରସ୍ତୁତ କରି ଆଣୁଥିବ । ତେଣୁ, ଯେଉଁମାନେ ନିମିତ୍ତ ହୋଇ ବାହାରିବାର ଆଦେଶଟିକୁ ସତକୁସତ ଶୁଣି ପାରିଛନ୍ତି, ସେମାନେ ସେହି ନିମିତ୍ତରୂପେ ତିଆରି ହେବାର ପ୍ରକ୍ରିୟାଟିର ମାଧ୍ୟମରେହିଁ ଆପଣାକୁ ନୂଆ ନୂଆ ସିଦ୍ଧିର ଅଧିକାରୀ କରାଇ ନେବାରେବି ସମର୍ଥ ହୋଇ ପାରୁଛନ୍ତି ।

 

୨୮ । ୪ । ୨୦୦୨

 

ସେହି ଅସଲ ନେତୃତ୍ଵଟିକୁ ନେବାର, ନିମିତ୍ତ ହେବାର ସେହି ସୌଭାଗ୍ୟଟି ପ୍ରକୃତରେ କାହାର ହୋଇ ପାରିବ ? କ’ଣ ଏକ ସ୍ଵୟଂବର ସଭା ବସିବ ଓ କେଉଁ ରାଜକନ୍ୟା ଆସି ତୁମ ଗଳାରେ ବରଣମାଳାଟିକୁ ପକାଇଦେବ ଓ ତା’ପରେ ତୁମେ ଜଣେ ନେତା ବନିଯିବ ? ଏବର ନେତାମାନେ ତ କେବଳ ଭୋଟ୍‌ରେ ଜିତାପଟ ହାସଲ କରି କ୍ଷମତାରେ ଲାଖି ରହିବାକୁହିଁ ନେତା ହେବା ବୋଲି ବୁଝୁଛନ୍ତି ଓ ଆମ କପାଳର ଦାଣ୍ଡଟିକୁ ନିତାନ୍ତ ଲୋକହସା କରି ରଖିଛନ୍ତି ! ବିଚରାମାନେ ଏହି ମାଟିକୁ ପୂରା ଭୁଲି ସାରିଲେଣି । ସେମାନେ ଏହି ପୃଥ୍ଵୀଭାଗ୍ୟର ବିଧାତାଙ୍କୁ ମଧ୍ୟ ସମ୍ଭବତଃ ଭୁଲି ସାରିଲେଣି ।

 

ସବାଆଗ ନିମିତ୍ତଟିଏ ହେବାକୁ ପଡ଼ିବ । ଏହି ସବୁଟି ସହିତ, ଏହି ବିଶ୍ଵଅଭିପ୍ରାୟଟି ସହିତ ନିଜର ଏକ ଡୋର ବନ୍ଧା ହୋଇଥିବା ପରି ଅତ୍ୟନ୍ତ ସଚଳ ଅଥଚ ଛଳନାଶୂନ୍ୟ ଭାବରେ ଅନୁଭବ କରିବ, ଏହି ପୃଥିବୀ, ପାଦତଳର ଏକାନ୍ତ ନିଦା ଏହି ପୃଥିବୀଟି ମାଆ ପରି ମନେ ହେଉଥିବ ଏବଂ ଚାରିପାଖର ମନୁଷ୍ୟମାନେ ସୁହୃତ୍ ଅର୍ଥାତ୍ ସହଚାରୀ ପରି ଲାଗୁଥିବେ । ସେମାନେ କ୍ରମେ ତୁମର ନିକଟବର୍ତ୍ତୀ ହୋଇ ଆସୁଥିବା ପରି ଲାଗୁଥିବ । ଏପରି ଲାଗୁଥିବ, କାରଣ ବସ୍ତୁତଃ ତୁମେ ନିଜେହିଁ ସେମାନଙ୍କର କ୍ରମେ ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସୁଥିବା ପରି ପୂର୍ଣ୍ଣ ପ୍ରତ୍ୟୟଟିଏ ମିଳି ପାଉଥିବ । ତା’ପରେ ତୁମେ ଯାହାକିଛି କର, ଯୋଉ ଦେଶରେବି ଥାଅ, ଯୋଉ ଭାଷାରେ କଥା କହ ଅଥବା ଯୋଉ ଠାକୁରଙ୍କର ପୂଜା କରୁଥାଅ ପଛକେ, ତୁମରି ଭିତରୁହିଁ ଏକ ନିମିତ୍ତ ଅବଶ୍ୟ ଜନ୍ମଲାଭ କରି ଆସିବାକୁ ଆରମ୍ଭ କରିବ । ହଁ, ତା’ପରେ ତୁମେ ରାଜନୀତି କର ବା ନକର, ସାହିତ୍ୟ, ସମାଜସେବା, ଅଧ୍ୟାପନା, କଲ୍ୟାଣ କାର୍ଯ୍ୟ ଯେଉଁଥିରେ ରହିଥାଅ ପଛକେ, ବିଧାତା ତୁମକୁ ସେହି କଥାଟିକୁ ପଚାରିବା ନିମନ୍ତେ ମୋଟେ ଆସିବେ ନାହିଁ । ତୁମେ ବଳେ ବଳେ ନିମିତ୍ତଟିଏ ହୋଇଯିବ ଏବଂ ଖୁସୀ ହୋଇହିଁ ତାଙ୍କ ପାଖରେ ଧରା ଦେବାରେ ଲାଗିଥିବେ । ନିଜର ଭିତରୁହିଁ ଯାବତୀୟ ଶକ୍ତି ପାଇ ଯାଉଥିବ । ଯେଉଁମାନେ ଶକ୍ତିଟିକୁ ଏହିପରି ନିଜ ଭିତରୁହିଁ ପାଉଥିବା ପରି ଅନୁଭବ କରନ୍ତି, ସେମାନେ ପରସ୍ପରଠାରୁ ମଧ୍ୟ ଅମିତ ଶକ୍ତି ଲାଭ କରିବାର ରହସ୍ୟଗୁଡ଼ିକୁ ଭାରି ସହଜରେ ଆବିଷ୍କାର କରିନେଇ ପାରନ୍ତି । ପରସ୍ପରକୁ ଆବିଷ୍କାର କରିନେଇ ପାରିଲେ ତା’ପରେ ବାଦ ଲାଗିବାର ଆଉ କୌଣସି ଅବକାଶହିଁ ନଥାଏ । ତେଣୁ, ତା’ପରେ ଯିଏ ଯାହା କରୁଥାଉ ପଛକେ, ସର୍ବଦା ପରସ୍ପରର ପରିପୂରକ ହୋଇ ବାଟ ଚାଲୁଥିବା ପରିହିଁ ମନେ ହେଉଥାଏ । ବନ୍ଧୁ, ଏହିଭଳି ବାଟଟିଏ ପାଇଁ ତୁମେ ନିଜ ପାଖରେ ସତକୁସତ ରାଜୀ ହୋଇଗଲେ ମାର୍ଗର ସହଚାରୀମାନେ ତୁମକୁ ସବାଆଗ କେବଳ ସୁହୃତ୍ ପରି ଦେଖାଯିବ,–ସମସ୍ତେ ସତେଅବା ସେହି ଗୋଟିଏ ସ୍ଵପ୍ନକୁହିଁ ପୂରଣ କରୁଥିବା ପରି ଲାଗୁଥିବ । ଏବଂ, ସେତେବେଳେ ବିଧାତା ମଧ୍ୟ ପ୍ରକୃତରେ କେଡ଼େ ଖୁସୀ ହୋଇ ଯାଉଥିବେ ।

 

୨୯ । ୪ । ୨୦୦୨

 

ସଭାରେ ଭାଷଣମାନଙ୍କରେ, ପିଲାଙ୍କ ନିମନ୍ତେ ପ୍ରସ୍ତୁତ କରାଯାଉଥିବା ପାଠ୍ୟପୁସ୍ତକଗୁଡ଼ିକରେ କିମ୍ବା ଆମର ପୋଲା ଅଭିମାନମାନଙ୍କୁ ଇନ୍ଧନ ଯୋଗାଇ ଦେବାପାଇଁ ପୃଥିବୀର ଏହି ଅଧ୍ୟାତ୍ମସତ୍ୟଗୁଡ଼ିକର ଆଦୌ ଉଚ୍ଚାରଣ ହୋଇ ନଥିଲା । ଯିଶୁ, ବୁଦ୍ଧ ଏବଂ ସେହିମାନଙ୍କ ଭଳି ଆହୁରି ଅନ୍ୟ ଅନେକେ ଆଗ କିଛି ପ୍ରତ୍ୟକ୍ଷ କରିଥିଲେ, କିଛି ଖୋଜିଥିଲେ, ଏହିପରି ସମ୍ପଦଟିଏ ପ୍ରକୃତରେ ରହିଛି ବୋଲି ଖୁବ୍ ସମ୍ଭବ ନିଜର ଭିତରୁ ମଧ୍ୟ ସମର୍ଥନକାରୀ ପ୍ରତ୍ୟୟ ସଙ୍କେତମାନ ପାଇ ପାରିଥିଲେ । ସେମାନେ ଆମ ସମସ୍ତଙ୍କୁ ମଧ୍ୟ ହୁଏତ ସାଙ୍ଗରେ ନେବାପାଇଁ ଇଚ୍ଛା କରିଥିଲେ ଏବଂ ସେହି କାରଣରୁହିଁ ଆପଣାର ଅତି ଅନ୍ତରଙ୍ଗ ସେହି ବାକ୍ୟଗୁଡ଼ିକୁ ଉଚ୍ଚାରଣ କରିଥିଲେ । ଜଣେ ମନୁଷ୍ୟ ପୃଥିବୀର ସବୁ ମନୁଷ୍ୟଙ୍କୁ କେତେ ନିବିଡ଼ ଭାବରେ ଜଣେ ଜଣେ ସୁହୃତ୍ ଭଳି ଦେଖିଲେ ଯାଇ ଯେ ଏଡ଼େ ନିଃସଙ୍କୋଚ ଭାବରେ ନିଜ ଘରୁ ଏହିଭଳି ସମ୍ପଦଗୁଡ଼ିକୁ କାଢ଼ି ସବୁ ମନୁଷ୍ୟଙ୍କର ଉଦ୍ଦେଶ୍ୟରେ ବିତରଣ କରି ଦେଇପାରେ ଆମ ଉପନିଷଦ–କାଳର ମୁନିଋଷିମାନଙ୍କୁ ସେକଥା ପଚାରିଲେ ସେମାନେ ତାହାର ଉଚିତ ଉତ୍ତରଗୁଡ଼ିକୁ ନିଶ୍ଚୟ ଦେଇ ପାରନ୍ତେ । ଭିତରେ ସେହି ମୁନିଋଷିମାନଙ୍କର ଆଶୀର୍ବାଦକୁ ଲାଭ କରିଥିଲେ ଯେ ଏହି ପୃଥିବୀରେ ମଧ୍ୟ ନିଜକୁ ଜଣେ ସୁହୃତ୍‍ରୂପେ ଗଣି ଆଣିବାପାଇଁ ବଳବି ମିଳେ, ବେଳେବେଳେ ମୁଁ ସେହି କଥାଟିକୁ ଭାବିଥାଏ, ସେଥିରୁ ବହୁତ ବଳ ମଧ୍ୟ ପାଏ । ଏବଂ, ସମାନ ପ୍ରତ୍ୟୟ ସହିତ ଏକଥାଟି ମଧ୍ୟ କୁହାଯାଇ ପାରନ୍ତା ଯେ, ସତେଅବା କାହାଦ୍ଵାରା ଆଦିଷ୍ଟ ହୋଇ ନିଜ ଜୀବନରେ ସତକୁସତ ସୁହୃତ୍‌ମାନଙ୍କୁ ଖୋଜି ବାହାରିଲେ ତଥା ଏହି ସମଗ୍ର ଜଗତଲାଗି ନିଜକୁ ତାଲିମ କରି ଆଣିବାକୁ ଆରମ୍ଭ କଲେ ମଧ୍ୟ ସର୍ବଦା ମୁନିଋଷିମାନଙ୍କର ଆଶୀର୍ବାଦ ଲାଭ କରିଥିବା ପରି ଅନୁଭବ ହୋଇଥାଏ ।

 

ସତ୍ୟଗୁଡ଼ିକର ସ୍ତର,–ସତ୍ୟଯୁଗ । ସଭା, ପୁସ୍ତକ ଏବଂ ଏହି ଯାବତୀୟ ଅଭିମାନର ସ୍ତର,–ପ୍ରାୟ ଏକ ସ୍ଖଳନର ସ୍ତର,–ତାହାହିଁ କ’ଣ କଳିଯୁଗ ? ସତ୍ୟଗୁଡ଼ିକର ସ୍ତର ହେଉଛି ବହୁ ବହୁ ସମ୍ଭାବନା ଆମ ସମସ୍ତଙ୍କ ନିମନ୍ତେ ଅପେକ୍ଷା କରି ରହିଥିବାର ଓ ସେଇଠୁ ଥାଇ ଆମ ସମସ୍ତଙ୍କୁ ଆମନ୍ତ୍ରଣ ଜଣାଉଥିବାର ସ୍ତର । ଏବଂ, ଆଗକୁ ଅନାଇ ପାରିଲେ ଯାହା ସତେଅବା କେଉଁ ପରମ ମୁକୁଟ ପରି ଝଲମଲ ହୋଇ ଦେଖାଯାଏ ଓ ଆକୃଷ୍ଟ କରି ନେଇଯାଏ, ଠିକ୍ ସେହି ସ୍ତରଟି । ଆମ ଆସ୍ପୃହାର ସ୍ତର, ଯାବତୀୟ ଦିବ୍ୟ ଉନ୍ମୀଳନର ସ୍ତର । ପୁନଶ୍ଚ, ଭିତରକୁ ଅନାଇ ଦେଖିଲେ ତାହାରି ପାଦଯୋଡ଼ିକ ମଧ୍ୟ ସେହିପରି ଝଲମଲ ହୋଇ ଦିଶି ଯାଉଥାଏ । କେତେ ପ୍ରତ୍ୟୟବି ଦେଇଯାଏ । ପାଦଦ୍ୱୟକୁ ଅନୁଭବ କରିପାରିଲେ ମୁକୁଟଟିକୁ ମଧ୍ୟ ଅଧିକ contemporary ଭାବରେ ଅନୁଭବ କରିହୁଏ ବୋଲି କହିଲେ ଆଦୌ ଅପରାଧ ହେବନାହିଁ ।

 

୩୦ । ୪ । ୨୦୦୨

 

ବ୍ରହ୍ମ ବା ପରମସତ୍ୟ ଏହି ଚରାଚର ସର୍ବତ୍ର ରହିଛନ୍ତି,–ସେହି ଘୋଷଣାଟି କ୍ରମେ ଭୂଇଁ ଛୁଇଁବାଲାଗି ମନ କରି ବ୍ରହ୍ମ ବା ପରମସତ୍ୟ ସବୁ ମଣିଷଙ୍କ ଭିତରେ ଅଛନ୍ତି,–ଏକଦା ଏହି ଦ୍ଵିତୀୟ ଘୋଷଣାଟି ପାଖରେ ଆସି ଅବଶ୍ୟ ପହଞ୍ଚିଥିବ । ସିଏ ମୋ’ ଭିତରେ, ତୁମ ଭିତରେ ଏବଂ ସମସ୍ତଙ୍କ ଭିତରେ ଅଛନ୍ତି,–ସେହି ଭାବନା ତଥା ଉପଲବ୍ଧିଟି ସେଇ ପ୍ରଥମ କାଳରେ ପୃଥିବୀଟାକୁ ଖୁବ୍ ଚହଲାଇ ମଧ୍ୟ ଦେଇଥିବ । ଏବଂ ଏବେ ମଧ୍ୟ, ତୁମେ ସାହସ କରିପାରିଲେ ଓ ପାଖକୁ ଆସିଲେ କ’ଣ ସିଏ ତୁମକୁ ସତକୁସତ କମ୍ ଚହଲାଇ ଦେଇ ପାରିବେ ? ଏହାପରେ ଯିଶୁଖ୍ରୀଷ୍ଟଙ୍କଦ୍ଵାରା ପ୍ରଚାରିତ “ଈଶ୍ଵର ମଣିଷମାତ୍ରକେ ଆମ ସମସ୍ତଙ୍କୁ ଭଲ ପାଆନ୍ତି”,–ମୋତେ, ତୁମକୁ ତାକୁ ପ୍ରତ୍ୟେକଙ୍କୁ ଭଲ ପାଆନ୍ତି,–ଏହି ବାକ୍ୟଟି ମଧ୍ୟ ତା’ ସମୟରେ ପୃଥିବୀଟାକୁ କମ୍ ଚହଲାଇ ଦେଇ ନଥିବ । ଏବେ ମଧ୍ୟ ସାହସ କରି ପାରିଲେ ଓ ପାଖକୁ ଆସିଲେ ତାହା ତୁମ ଆମ ସମସ୍ତଙ୍କୁ ଚହଲାଇ ଦେବାରେ ଆଦୌ କମ୍ ହେଳା କରିବନାହିଁ । ଏବଂ, ଆହୁରି ଅଧିକ ଆଲୋକନକାରୀ କଥାଟି ହେଉଛି ଯେ, ତୁମେ ସତକୁସତ ଚହଲି ଯିବାର ଯୋଗ୍ୟ ହୋଇ ପାରିଥିଲେ ତାହା ଚହଲାଇ ଦେବାରେ ସେହି ସ୍ଵବ୍ୟାପାରଟିରେ ଖ୍ରୀଷ୍ଟିଆନ ଓ ଅଣଖ୍ରୀଷ୍ଟିଆନ ଆଦୌ କୌଣସି ବାରଣ ରଖିବନାହିଁ ।

 

ସମ୍ଭବତଃ ଏହାହିଁ ଆମ ପୃଥିବୀ ଅଙ୍ଗେ ନିଭାଇଥିବା ଇତିହାସରେ ମଣିଷ ଭିତରେ ‘ସୁହୃତ୍’ ନାମକ କଥାଟିକୁ ଉନ୍ମୀଳିତ କରି ଆଣିବାର ଏକ ପ୍ରଥମ ଉତ୍‌ପ୍ରେରଣାରୂପେ କାର୍ଯ୍ୟ କରିଥିବ । ଯୋଗକୁ ବା ଦୁର୍ଯୋଗକୁ ଯିଏ ଆପଣା ଭିତରେ ଜଣେ ସୁହୃତ୍ ସଦାଜାଗରୁକ ହୋଇ ରହିଥିବାର ବାରତାଟିକୁ ପ୍ରକୃତରେ ପାଇଯିବ, ପୃଥିବୀରେ ମଣିଷମାନେ ତାକୁ ସୁହୃତ୍‌ଭଳିହିଁ ଦେଖାଯିବାକୁ ଆରମ୍ଭ କରିବେ । ସିଏ ନିଜଭିତରେ ନିଜର ଯେଉଁ ପରିଚୟଟିକୁ ପାଇଥିବ, ପୃଥିବୀଯାକର ସମସ୍ତଙ୍କ ଭିତରେ ମଧ୍ୟ ଅବଶ୍ୟ ସେହି ପରିଚୟଟିକୁ ଖୋଜି ବୁଲିବ । ତା’ର ବ୍ୟାକୁଳତାଗୁଡ଼ିକରେ ଏପରି ଏକ ପ୍ରସାରଣ ଘଟିବ ଯେ, ସିଏ ଏହି ଅଳପଗୁଡ଼ାକୁ କେଡ଼େ ସହଜରେ ଡେଇଁ ଡେଇଁ ଚାଲିଯିବ ଏବଂ ପୁନର୍ବାର ନିଜ ଘରକୁ ଫେରିଆସିବାବେଳକୁ ସବୁ ମଣିଷ ତାକୁ ସବାଆଗ ସୁହୃତ୍ ପରିହିଁ ଲାଗିବେ । ସମ୍ମିଳନକାରୀ ଏହି ନିବିଡ଼ତର ଅର୍ଥାତ୍ ନିକଟତର ଡୋରଟି ସବାଆଗ ଦିଶୁଥିବ, ବିଭିନ୍ନତାମାନେ ତା’ପରେ ଯାଇ ଦେଖାଯିବ ଏବଂ ତେଣୁ ତାକୁ ଆଉ କୌଣସି ବିଡ଼ମ୍ବନାରେ ପକାଇ ପାରିବେନାହିଁ । ଆମର ଜୀବନରେ ଏହି ମୁହୂର୍ତ୍ତଟିକୁ ଯାବତୀୟ ଅର୍ଥରେ ଏକ ଅନନ୍ୟ ମୁହୂର୍ତ୍ତ ବୋଲି କୁହାଯିବ । ଆମପାଇଁ ତା’ପରେ ଏକ ଅନ୍ୟ ସୂର୍ଯ୍ୟୋଦୟ ତଥା ଅନ୍ୟ ସାକ୍ଷାତ୍‌କାର ସମ୍ଭବ ହୋଇଯିବ,–ଅତ୍ୟନ୍ତ ସହଜରେହିଁ ସମ୍ଭବ ହୋଇଯିବ ।

 

୧ । ୫ । ୨୦୦୨

 

ଯାବତୀୟ achievement ମେତେ ସର୍ବଦା ଓ ସର୍ବୋପରି ସର୍ବଦା ନିକଟବର୍ତ୍ତୀ ହୋଇ ଆସୁଥିବା କରି ମନେ ହେଉଛି । ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସିବା,–ଏଇଟିକୁହିଁ ମୁଁ କ୍ରମେ ନିଜର ଜୀବନରେ ତଥା ଏହି ପୃଥିବୀରେ ପ୍ରକୃତରେ ସବାବଡ଼ achievement ବୋଲି ବୁଝିଛି । ଏବଂ, ସେହି କାରଣରୁହିଁ ନିଜକୁ ସବୁବେଳେ ଧନୀ ବୋଲି ଅନୁଭବ କରି ଆସିଛି-। ନହେଲେ ପ୍ରକୃତରେ ବଡ଼ ଆର୍ତ୍ତ ଏବଂ ଦୀନ ବୋଲି ଲାଗୁଥାଆନ୍ତା । ଏତେ ଏତେ ମଣିଷଙ୍କୁ ଏତେ ଏତେ ଭାଗ୍ୟ ଦେଇ ମୋତେ କାହିଁକି ଏପରି ବଞ୍ଚିତ କରି ରଖିଲ ବୋଲି ମୁଁ କେଡ଼େ ମଞ୍ଜୁଳ ଭାବରେ ଅଭିଯୋଗ କରୁଥାନ୍ତି ଓ ସେହି ଅଭିଯୋଗକୁହିଁ ଈଶ୍ଵରସ୍ମରଣ ବୋଲି କହୁଥାନ୍ତି-

 

ନିକଟବର୍ତ୍ତୀ ହେଉଥିବାର ଏହି ଆନନ୍ଦମୟ ଆବିଷ୍କାରଟି କେବେବି ସରିବ ନାହିଁ ଏବଂ ତେଣୁ ମୁଁ ବର୍ତ୍ତମାନ ତାଙ୍କର ପୂରା ନିକଟବର୍ତ୍ତୀ ହୋଇଗଲି ବୋଲି କହିବାର ସେହି ଦୁର୍ଭାଗ୍ୟଟି ମଧ୍ୟ ମୋର କେବେହେଲେ ହେବନାହିଁ । ସେହି ଦୁର୍ଭାଗ୍ୟରେ ପଡ଼ିହିଁ ତ ଲୋକମାନେ ସମ୍ପ୍ରଦାୟଗୁଡ଼ିକ ଭିତରେ ବାନ୍ଧିହୋଇ ରହିଛନ୍ତି, ଏକ ଆରେକ ସହିତ ପ୍ରତିଯୋଗିତା ଏବଂ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ କରୁଛନ୍ତି,–ପ୍ରାୟ ସେହିଭଳି ଗୋଟିଏ ମନ୍ଦୋତ୍ସାହରେ ମନ୍ଦିର ଭାଙ୍ଗୁଛନ୍ତି ଏବଂ ମନ୍ଦିର ଗଢ଼ିବାରେହିଁ ଆପଣାର ବହୁ ସମ୍ଭାବନାକୁ କେତେ କେତେ ପ୍ରକାରର ଶୃଙ୍ଖଳରେ ବାନ୍ଧି ରଖିଛନ୍ତି । ସେମାନଙ୍କଦ୍ଵାରା ଏହି ପୃଥିବୀ ମଧ୍ୟ କେତେ କେତେ ହୀନ ଅବସ୍ଥା ଭିତରେ ବାନ୍ଧି ହୋଇ ରହିଛି,–କେତେକେତେ ମୁହୂର୍ତ୍ତକୁ ଗଡ଼ାଇ ଦିଆଯାଉଛି । ଭାରି ଭଲ ହୋଇଛି ଯେ ଏହି ଜୀବନରେ ହେଇ ସିଏ ସେଇଠି ବସିଛନ୍ତି ଓ ମୁଁ ସେଯାଏ ଯାଇ ସେଠାରେ ପହଞ୍ଚି ପାରିବି ବୋଲି ଆଦୌ କୌଣସି ଧୃଷ୍ଟତା କରି ପାରୁନାହିଁ । ଆଉସବୁ ପହଞ୍ଚିଗଲେ ଏବଂ ମୁଁ ପଛରେ ରହିଗଲି ବୋଲି ନିଜକୁ ଧିକ୍କାର ଦେବାର ଅଭିନୟକୁ ମଧ୍ୟ ମୋଟେ ମନ କରି ପାରୁନାହିଁ । ତାଙ୍କୁ ନିତ୍ୟ ସ୍ପର୍ଶ କରି ରହିଥିବା ଏବଂ ସର୍ବଦା ତାଙ୍କର ନିକଟବର୍ତ୍ତୀ ହେଉଥିବା,–ତାଙ୍କର ପୁନଃସାକ୍ଷାତ କରୁଥିବା ଓ ତଥାପି ତାଙ୍କୁ ନୂଆ କରି ଆବିଷ୍କାର କରିଥିବା ପରି ଅନୁଭବ କରି ଖୁସୀ ହୋଇ ପାରୁଥିବା,–ଉଭୟଟି ଏକାବେଳେକେ ଘଟି ପାରୁଥିଲେ ଯାଇ ମଣିଷ ସତକୁସତ ଏକ ମହାସ୍ଵୀକୃତିରହିଁ ଅଧିକାରୀ ହୋଇଥାଏ । ଆମେ ସମସ୍ତେ ହୁଏତ ନିଜ ନିଜ ଖୁସୀ ଅନୁସାରେ ସେହି ମହାସ୍ଵୀକୃତିଟିରହିଁ ଅଧିକାରୀ ହେବାରେ ଲାଗିଛୁ । କେଉଁ ପରମ ସୁହୃତ୍‌ର ଏହି କେଡ଼େବଡ଼ ଘର ଭିତରେ ଆମକୁ କେଡ଼େ ସହଜରେ ବାଟ ମିଳିଯାଉଛି, ଏବଂ ସେହି ଘରକୁ ଭୂମି କରି ଏକ ସୁହୃତ୍ ସଂସାରର ନିକଟତର ହୋଇ ପାରିବାକୁହିଁ ଆମେ ଆମ ଆସ୍ପୃହାଗୁଡ଼ିକର ସେହି ନିତ୍ୟ ଆକର୍ଷଣକାରୀ ଶିଖରରୂପେ ଗ୍ରହଣ କରିବି ନେଇଛୁ ।

 

୨ । ୫ । ୨୦୦୨

 

ଏହି ସତ୍ୟଟି ସହିତ ସତ୍ୟଟିକୁ ମୁଁ ମୋଟେ ମେଳ ଖୁଆଇ ପାରୁନାହିଁ । ନାନା ମିଛ ମେଳର ଫିକର କରି ପଳାଇ ଯିବାକୁ ମଧ୍ୟ ମୁଁ କେବେହେଲେ ଇଚ୍ଛା କରିନାହିଁ । ଏହି ଦୁଇ ସତ୍ୟର ଅମେଳ କ’ଣ କେବଳ ଭାରତବର୍ଷରେ ? କେବଳ ଓଡ଼ିଶାରେ ନା କେବଳ କାଶୀପୁରରେ ? ନିଜର ଆଖିଗୁଡ଼ିକୁ ମୁଁ ଯେତିକି ଅଧିକ ପ୍ରସାର ତଥା ଆତ୍ମୀୟତା ଦେଇ ଦେଖିପାରୁଛି, ଏହି ଅମେଳଟା ପୃଥିବୀଯାକକୁ କାମୁଡ଼ି ଧରିଛି ।

 

ମଣିଷର ଅଧ୍ୟାତ୍ମଦୃଷ୍ଟିଟି ମଣିଷକୁ ଏବଂ ମଣିଷମାନଙ୍କୁ ଏକାଠି କରି ବାନ୍ଧି ରଖିଥିବା ଯାବତୀୟ ଡୋରକୁ କେଡ଼େ ମହନୀୟ କରି ଦେଖିଛି,–ଆମ ସମସ୍ତଙ୍କ ନିମନ୍ତେ କେତେ କେତେ ସମ୍ଭାବନାକୁ ଆମ ସମ୍ମୁଖରେ ସର୍ବୋଚ୍ଚ ସତ୍ୟ ଏବଂ ସର୍ବୋଚ୍ଚ ଆହ୍ଵାନରୂପେ ଆଣି ଥୋଇଦେଇଛି । ମଣିଷ ଯାହାକୁ ସର୍ବୋଚ୍ଚ ସତ୍ୟ ବୋଲି ଖୋଜୁଛି, ତାହା ତା’ ନିଜଭିତରେ ମଧ୍ୟ ରହିଛି, ଏହି ପୃଥିବୀରେହିଁ ତାହା ଏକ ଅଭିନବ ଆତ୍ମ–ଆବିଷ୍କାର ତଥା ବିଶ୍ଵ–ଆବିଷ୍କାର ଲାଗି ଅପେକ୍ଷା କରି ରହିଛି । ମଣିଷ ଭିତରେ ବ୍ରହ୍ମ ରହିଛି, ଅନ୍ନଠାରୁ ଆନନ୍ଦ ଯାଏଁ ଅସରନ୍ତି ବହୁବିଧ ପ୍ରତିଶ୍ରୁତି ସହିତ ବିଦ୍ୟମାନ ରହିଛି । ବହୁ ବହୁ ଦ୍ରଷ୍ଟା ଓ ବହୁ ବହୁ ଉପଲବ୍ଧି ଭିନ୍ନ ଭିନ୍ନ ଭାଷାରେ ଏବଂ ବହୁବିଧ ଅଗ୍ରାଧିକାରର କ୍ରମରେ ସେହିକଥା କହି ଆସିଛନ୍ତି । ଇତିହାସଯାକ ତାହାହିଁ ମନୁଷ୍ୟାତ୍ମା ନିମନ୍ତେ ତା’ର ସର୍ବୋଚ୍ଚ ଉଚ୍ଚାଟନଗୁଡ଼ିକ ନିମନ୍ତେ ସବାବଡ଼ କାରଣ ହୋଇ ରହିଛି । ମନୁଷ୍ୟ ଚିତ୍ତର ସର୍ବୋତ୍ତମ ସର୍ଜନାତ୍ମକତାଗୁଡ଼ିକ ମନୁଷ୍ୟ ସମାଜର ଅଗ୍ରଗାମୀମାନଙ୍କୁ କେତେ ନା କେତେ ଭରସା ଦେଇ ସେହିଠାରେ ନେଇ ହାବୁଡ଼େଇ ଦେଇଛି । ଏହାକୁ କେବେହେଲେ ଅସ୍ଵୀକାର କରି ହେବନାହିଁ । ମାତ୍ର, ଅପରପକ୍ଷରେ ଏତେ ଏତେ ମଣିଷଙ୍କର ଅନ୍ନମୟ ସ୍ତରର ଏହି ସର୍ବସାମାନ୍ୟ ଆବଶ୍ୟକତାଗୁଡ଼ିକର କ’ଣ ପାଇଁ ପୂରଣ ହୋଇ ପାରୁନାହିଁ ? ଘରେ ସାଧନ ଏବଂ ସରଞ୍ଜାମ ସବୁକିଛି ରହିଛି, ତଥାପି କାହିଁକି କୋଟି କୋଟି ମଣିଷ ବଞ୍ଚିତ ହୋଇ ରହିଛନ୍ତି ? ସବୁଠାରେହିଁ ଅଳପ ମଣିଷ ଯାବତୀୟ ସମର୍ଥତାକୁ ନିଜର ଗଣ୍ଠିଗୁଡ଼ିକ ଭିତରେ ବାନ୍ଧି ରଖିଛନ୍ତି । ଅର୍ଥ ଅଳପଙ୍କ ପାଖରେ, ଜ୍ଞାନ ଅଳପଙ୍କ ପାଖରେ, ସମ୍ଭାବନାଗୁଡ଼ିକ ମଧ୍ୟ ସେହି ଅଳପଙ୍କ ପାଖରେ । ଉପରର ମନୁଷ୍ୟମାନେ ନଇଁ ଆସି ପାରୁନାହାନ୍ତି କାହିଁକି ଏବଂ ତଳେ ରହିଥିବା ମନୁଷ୍ୟମାନେ ଏହି ଅରୀତିଟାକୁ ଏଣିକି ମୋଟେ ମାନି ନେବେନାହିଁ ବୋଲି ଦାଣ୍ଡକୁ ବାହାରି କହି ପାରୁନାହାନ୍ତି ବା କାହିଁକି ? ଏହି ଅମେଳଟି କ’ଣ ଖାଲି ସାମ୍ପ୍ରତିକ ବଜାରଗୁଡ଼ିକର ରାଜନୀତିଦ୍ଵାରା ଦୂର ହୋଇ ପାରିବ ? ଏବଂ, ରାଜନୀତିକୁ ବାଦ୍ ଦେଇ ମଧ୍ୟ ଦୂର ହୋଇ ପାରିବ କି ? ପୁନଶ୍ଚ, ଏହି ଅସଲ ମେଳଟି ସମ୍ଭବ ନହେବା ଯାଏଁ ପୃଥିବୀଟା ମଧ୍ୟ ଯେ ଏହିଭଳି ଲକ୍ଷ୍ମୀଛଡ଼ା ହୋଇ ପଡ଼ି ରହିଥିବ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ ।

 

୩ । ୫ । ୨୦୦୨

 

ଭୁବନଯାକ ସେହି ସତ୍ୟହିଁ ସଞ୍ଚାଳିକାଶକ୍ତିରୂପେ ବିଦ୍ୟମାନ ରହିଛି ବୋଲି ଠାବ କରି ଆମ ମହାନ୍ ମହାନ୍ ମନୀଷୀମାନେ ଭାରତବର୍ଷରେ ଏତେ ଏତେ ମଣିଷଙ୍କୁ ପ୍ରାୟ ବାଧ୍ୟ ହୋଇ ମଳିନ ଓ ବଞ୍ଚିତ ହୋଇ ରହିବାକୁ ବାଟ ଛାଡ଼ିଦେଲେ କିପରି ? ସେମାନେ ନିଜଭିତରେ ମଧ୍ୟ କୌଣସି ଏକ ଖାସ୍ ଗଣ୍ଠି ଫିଟାଇବା ଲାଗି ରାଜୀ ହୋଇ ପାରିଲେନାହିଁ କି ? ଅଥବା ଭଲ କଲେ କି ? କୌଣସି ଉପେକ୍ଷାଭାବର କବଳରେ ପଡ଼ିଯାଇ ବାଟରୁ ହୁଡ଼ିଗଲେ କି ? ଏଡ଼େ ବଡ଼ ଏକ ସତ୍ୟର ଉଚ୍ଚାରଣ ସମ୍ଭବ ହୋଇଥିବା ଏହି ଦେଶରେ ତା’ନହେଲେ ଏହି ଉପେକ୍ଷାଟାହିଁ କାହିଁକି ସାମୂହିକ ସକଳ କ୍ଷେତ୍ରରେ ଆମର ଗୋଟିଏ ମୂଳମୀମାଂସା ପ୍ରାୟ ହୋଇ ରହିଥାନ୍ତା ? ସ୍ଵାମୀ ବିବେକାନନ୍ଦ, ମହାତ୍ମାଗାନ୍ଧୀ,–ଏମାନେ ଆସିଲେ ଓ ଚାଲିଗଲେ । ଏହି ଦେଶରେ ସେମାନେ କେତେ ପ୍ରେରଣା ଓ କ୍ରିୟାଶୀଳତାର କାରଣ ହେଲେ । କେତେ କେତେ ପରିବର୍ତ୍ତନକୁ ସମ୍ଭବ କଲେ-। କିନ୍ତୁ, କୋଟି କୋଟି ମନୁଷ୍ୟଙ୍କର ଏହି ଦେଶକୁ ଯେତେବେଳେ ମୂଳ ଅଧିକାରମାନଙ୍କୁ ସତକୁସତ ମୂଳରେ ରଖି ଗଠିତ କରି ଅଣାଯାଇ ଥାଆନ୍ତା, ଠିକ୍ ସେତିକିବେଳେ ସେହି ଉପେକ୍ଷାହିଁ ପ୍ରାୟ ଏକ ଅନମନୀୟ ଅବଜ୍ଞାରେହିଁ ପରିଣତ ହୋଇ ଏହି ଦେଶର ଭାଗ୍ୟଟାକୁ ନାନା ଜଡ଼ତା ମଧ୍ୟରେ କ’ଣ ପାଇଁ ଜର୍ଜର କରି ରଖିଦେଲା ?

 

ତେଣୁ, ଅସଲ ନେତୃତ୍ଵ ସାବଧାନ ହେବା ଉଚିତ । ଆଧ୍ୟାତ୍ମିକ ସନ୍ଦେଶମାନେ ଅନୁଚିତ ନିମିତ୍ତମାନଙ୍କର ହାତରେ ପଡ଼ିଲେ କିପରି ଖତରା ହୋଇ ପଡ଼ି ରହନ୍ତି, ସେହି କଥାଟି ବିଷୟରେ ସର୍ବଦା ସାବଧାନ ହୋଇ ରହିଥିବା ଉଚିତ । ଏବଂ, ସର୍ବୋପରି, ଯାବତୀୟ ଅଧ୍ୟାତ୍ମ ମଧ୍ୟରେ ପ୍ରତିବାଦ କରି ପାରିବାର ଏକ ଶକ୍ତି ମଧ୍ୟ ସବୁବେଳେ ରହିଥିବା ଉଚିତ । ଏହି ଦେଶରେ ବ୍ରହ୍ମବିତ୍ ଅର୍ଥାତ୍ ଅସଲ ବ୍ରାହ୍ମଣମାନେ ଯେ କାହିଁକି ପ୍ରତିବାଦ କରି ପାରିଲେନାହିଁ, ଭାରତବର୍ଷୀୟ ପ୍ରଜ୍ଞାଜଗତ ମଧ୍ୟରେ ପ୍ରବେଶ କରିବାମାତ୍ରକେହିଁ ମୁଁ ସବାଆଗ ସେହି ବିଷୟରେ ଭାରି ସଚେତନ ହୋଇଯାଏ । ପ୍ରତିବାଦ କରିବାର ଶକ୍ତି, ତାହାହିଁ ସତ୍ୟାଗ୍ରହର ଶକ୍ତି । ଭାରତବର୍ଷର ଆତ୍ମାକୁ ସମ୍ପ୍ରତି ଯେଉଁ ଅନ୍ଧାରମାନେ ମାଡ଼ି ବସିଛନ୍ତି, ଏକ ସମୁଚିତ ସତ୍ୟାଗ୍ରହ ଶକ୍ତିହିଁ ତାହାକୁ ଚାଲେଞ୍ଜ କରିପାରିବ । ଏହି କଥାଟି ରାଜନୀତିର କ୍ଷେତ୍ରରୁ କଦାପି ସବାଆଗ ସମ୍ଭବ ହେବନାହିଁ । ଅଧ୍ୟାତ୍ମ ପାଖରୁହିଁ ଆରମ୍ଭ ହେବ । ଆମ ମନୁଷ୍ୟବିମୁଖ ବାବାଜିମାନଙ୍କ ଭିତରେ କୋଉଠି ଅଭାବଟିଏ ରହିଥିଲା କେଜାଣି, ସେମାନେ ଗୋଟିଏ ପରେ ଗୋଟିଏ ନିଜ ନିଜର ବେଢ଼ା ଭିତରେ ରହିଯିବାକୁହିଁ ନିରାପଦ ବୋଲି ବିଚାର କଲେ । ଥୋକେ ତଥାପି ସଚଳ ହେବାପାଇଁ ଇଚ୍ଛା କରି ମନ୍ଦିର ଭଙ୍ଗା ଏବଂ ମନ୍ଦିର ଗଢ଼ାଯାଏ ଆସି ଉତ୍ସାହ ସାରିଲେ । ତେଣୁ, ବର୍ତ୍ତମାନ ଏକ ପ୍ରତିବାଦ ସମର୍ଥ ବିକଳ୍ପ ଅଧ୍ୟାତ୍ମର ଆବାହନ ହେଉ । ସେହି ମୁହୂର୍ତ୍ତଟି ଆସି ପହଞ୍ଚିଗଲା ବୋଲି ଅଧିକ ଅଧିକ ମନୁଷ୍ୟ ଉପଲବ୍ଧି କରନ୍ତୁ ।

 

୪ । ୫ । ୨୦୦୨

 

.....the best thoughts are common property,–ଅସଲ ବିଚାରଟିଏ ସେହି ବିଚାରକୁ ସର୍ବପ୍ରଥମେ ପ୍ରକଟ କରିଥିବା ଜଣକର ନୁହେଁ, ତାହା ସମସ୍ତଙ୍କର, ପ୍ରାଚୀନ ରୋମ୍‌ର ଜଣେ ଚିନ୍ତାବାନ୍ ବ୍ୟକ୍ତି Senecaଙ୍କର ଏହି ଉକ୍ତିଟି ମୋ’ ଭିତରର ପୁରୁଣା ପ୍ରତ୍ୟୟଗୁଡ଼ିକୁ ପୁନର୍ବାର ସତେଅବା ଗୋଟାସୁଦ୍ଧା ନିଜର ଏକ ବିଚାର ଭଳି ସ୍ପର୍ଶ କରି ଗଲାପରି ମନେ ହେଲା । ଖ୍ରୀଷ୍ଟ ପ୍ରଥମ ଶତାବ୍ଦୀର ସେହି ସେନେକାଙ୍କୁ ପ୍ରକୃତରେ ନମସ୍କାର, କାରଣ ସିଏ ନିଜର ସେହି ସ୍ଥାନୀୟ ପୃଥିବୀଟିରେ ମଧ୍ୟ ଏତେବଡ଼ କଥାଟିଏ କହି ପାରିଥିଲେ । ଏ ଯୁଗରେ ତଥାକଥିତ ଆମର ତଥାକଥିତ ସ୍ଥାନୀୟଗୁଡ଼ିକ ମଧ୍ୟ ବିଶ୍ଵମର୍ଯ୍ୟାଦାର ଗାରଗୁଡ଼ିକୁ ସ୍ପର୍ଶ କରି ଆମ ସମସ୍ତଙ୍କୁ ଏକାଠି ଗୋଟିଏ ପ୍ରତିଶ୍ରୁତି ଓ ନିୟତି ମଧ୍ୟକୁ ବାନ୍ଧି ଆଣିଥିବାର ଆମର ଏହି ଯୁଗରେ ମଧ୍ୟ କଥାଟିର ଆହୁରି ଅଧିକ ପ୍ରାସଙ୍ଗିକତା ରହିବହିଁ ରହିବ ।

 

ଯୁଗେଯୁଗେ ଅଧ୍ୟାତ୍ମ ସବୁଠାରେ ସେହି ଗୋଟିଏ ଭାଷାରେହିଁ କଥା କହି ଆସିଛି,–ବହୁବର୍ଷ ତଳେ ଶ୍ରୀ ଆନନ୍ଦ କୁମାରସ୍ଵାମୀଙ୍କର ଏହି କଥାଟିକୁ ଯେତେବେଳେ କେଉଁଠାରେ ପଢ଼ିବାକୁ ପାଇଲି, ଖୁବ୍ ମନେଅଛି ସେତେବେଳେ ମୋ’ ଭିତରେ ଥିବା ସତ୍ୟପ୍ରୟାସୀ ଆଖିଟି ଏକ ଅମୂଲ୍ୟଧନ ଲାଭ କରିଥିବା ପରି ଭାରି ଚହଲି ପଡ଼ିଥିଲା । ସେହି ଚହଲି ପଡ଼ିଥିବାଟା ମୋ’ ଜୀବନରେ ଅନେକ ବିମୋଚନର କାରଣବି ହେଲା । ବହୁ ବହୁ ବିମୋଚନକୁ ସହଜ କରିଦେଲା । ପ୍ରତ୍ୟେକ ଧର୍ମରେ ଏପରି ଗୋଟିଏ ଗୋଟିଏ ଥଳ ରହିଛି, ନିଜ ଧର୍ମବାଟେ ଯାଇ ସେଠାରେ ପହଞ୍ଚି ପାରିଲେ ଆଉ ଏଇଟା ମୋ’ ଧର୍ମ ବୋଲି କହିବାକୁ ଆଦୌ ମନ ହୁଏନାହିଁ । ସେଠାରେ ପହଞ୍ଚି ସବୁ ଧର୍ମରେ ରହିଥିବା ଯାବତୀୟ ଅଧ୍ୟାତ୍ମର ସେହି ଗୋଟିଏ ଭାଷା ବୋଲି ଅତ୍ୟନ୍ତ ସ୍ପଷ୍ଟ ହୋଇ ଯାଇଥାଏ । ତା’ପରେ ଆମ ନିଜ ଜୀବନଧର୍ମର ରୀତିଟାହିଁ ଅଲଗା ହୋଇଯାଏ । ଚିହ୍ନା ପ୍ରତିମାଗୁଡ଼ିକ ଅବଶ୍ୟ ରହିଥାଆନ୍ତି, ମାତ୍ର ସେମାନେ ଅଭ୍ୟସ୍ତ ଭାବରେ ମୋତେ ବା ମୋ’ର ପରମ୍ପରାଟିକୁ ଯେତିକି ବୋଲି ଆମର ମନେ ହୋଇ ଆସିଛି, ତା’ଠାରୁ ଏମାନେ ଅନେକ ଅଧିକ ବୋଲି ସ୍ପଷ୍ଟ କରାଇ ଆଣନ୍ତି । ଏବଂ, ଆମର ପ୍ରୀତିଗୁଡ଼ିକ ମଧ୍ୟ ଅନୁଭୂତିର ବହୁ ନୂତନ ପ୍ରସ୍ଥକୁ ଯାଇ ସ୍ପର୍ଶ କରନ୍ତି । କେତେ କେତେ ପ୍ରତ୍ୟୟପୂର୍ଣ୍ଣ ବିମୋଚନ ଲାଗି ଆମକୁ ଭାଜନ କରାଇ ନିଅନ୍ତି-। ବାଟଟି କେବଳ ମୋ’ର ନୁହେଁ, ଯିଏ କେହି ଚାଲିବାକୁ ମନ କରିବ, ଏହି ବାଟଟିକୁ ଚାଲିବା ନିମନ୍ତେ ତା’ର ମଧ୍ୟ ପୂର୍ଣ୍ଣ ଅଧିକାର ରହିଛି,–ସେହି କଥାଟି ଖୁବ୍ ପରିଷ୍କାର ହୋଇଯାଏ-। ତେଣୁ, ସିଏ ଆଉ ଏ ମନ୍ଦିରଟିକୁ ଭାଙ୍ଗି ସେ ମନ୍ଦିରଟିକୁ ଗଢ଼ିବ ବୋଲି ଆଦୌ କୌଣସି ଉତ୍ସାହ କ’ଣ ପାଇଁ ଦେଖାଇବ ? ସବୁ ମନ୍ଦିର ଉପରେ ନିଜର ଅଧିକାର ରହିଛି ବୋଲିହିଁ ଅନୁଭବ ହୋଇଆସେ-। ସବୁ ସତ୍ୟ ନିଜର ସମ୍ପତ୍ତି ବୋଲି ଲାଗେ, ଆହ୍ଵାନ ପରି ଲାଗେ । ଏବଂ, ଆମେ ସମସ୍ତେ ପରସ୍ପରର ସୁହୃତ୍ ବ୍ୟତୀତ ତେଣିକି ଆଉ କିଛି ହେଲେ ଉପଲବ୍ଧି ହୋଇ ପାରେନାହିଁ ।

 

୫ । ୫ । ୨୦୦୨

 

ବିଶ୍ଵସତ୍ୟ ଗୋଟିଏ, ଯଦି ବିଶ୍ଵ ଗୋଟିଏ, ତେବେ ବିଶ୍ଵସତ୍ୟ ମଧ୍ୟ ଗୋଟିଏ । ସେହି ବିଶ୍ଵସତ୍ୟକୁ ବୁଝିବାଲାଗି ଅଥବା ବଞ୍ଚିବାଲାଗି ମନ କରି ଅଥବା ପ୍ରେରଣା ପାଇ ଜଣେ ବ୍ୟକ୍ତି ସେଥିରେ ଯେଉଁ ନିଜସ୍ଵ ଶୈଳୀ ଓ ସରାଗଟିକୁ ନେଇ ରଞ୍ଜିତ କରି ଦେଇଥାଏ, ସେଇଥି ସକାଶେ ବିଶ୍ଵସତ୍ୟଟି ଆମ ପ୍ରତ୍ୟେକଙ୍କ ନିମନ୍ତେ ଭଳିଭଳି ପ୍ରତୀତ ହୁଏ କି ? ଏବଂ, ଏହିପରି ଭଳିଭଳି ପ୍ରତୀତ ହୁଏ ବୋଲି ଆମେ ବିଶ୍ଵସତ୍ୟକୁ ମଧ୍ୟ ଭିନ୍ନ ଭିନ୍ନ ବୋଲି କହିବାକୁ ତଥା ଘ୍ରାଣ କରିବାକୁ ଏତେ ଅଧିକ ପରିମାଣରେ ଉତ୍ସାହିତ ହୋଇଥାଉ କି ? ଭଳିଭଳି ପ୍ରତୀତ ହେଉଥିଲେ ମଧ୍ୟ ବିଶ୍ଵସତ୍ୟ ସେହି ଗୋଟିଏ ବୋଲି ତଥାପି ସ୍ଵୀକାର କରିନେଇ ପାରୁଥିଲେ ବ୍ୟକ୍ତିସତ୍ୟ ମଧ୍ୟ ଭାରି ଅନ୍ୟ ପ୍ରକାରର ହୋଇ ପାରୁଥାନ୍ତା ଓ ତଦ୍ଦ୍ୱାରା ବିଶ୍ଵମୟ ମନୁଷ୍ୟମାନଙ୍କର ଜୀବନ ଯେ ଅଧିକ ଅର୍ଥପୂର୍ଣ୍ଣ ହୁଅନ୍ତା, ତୁମେ ଯାକିଯୁକି ହୋଇ ଖାଲି ଭିତରେ ବାନ୍ଧି ହୋଇ ରହିଥିବା ପର୍ଯ୍ୟନ୍ତ ତୁମକୁ କିଏ ସେକଥା ବୁଝାଇଦେଇ ପାରିବ ?

 

ଆଧୁନିକ ଭାରତୀୟ ସାହିତ୍ୟରେ ସ୍ଵାଧୀନତା ପରେ ବ୍ୟକ୍ତିକୁ ନେଇ ଯେଉଁ ଅତିସଚେତନ ଉଦ୍‌ଗାରମାନ ଆରମ୍ଭ ହୋଇଗଲା, ତଦ୍ଦ୍ୱାରା ଏହି କେତେଟା ବର୍ଷରେ ଆମ ସାମୂହିକ ଜୀବନଟା ମଧ୍ୟ ଭାରି ଛାରଖାର ହୋଇଗଲା । ଏଥିରେ ଅନ୍ୟାନ୍ୟ ବହୁ ଘଟଣା ମଧ୍ୟ ଅବଶ୍ୟ ସହାୟ ହେଲା, କିନ୍ତୁ ସାହିତ୍ୟ ମଧ୍ୟ ସେହି ଗୁଳାଭିତରେ ଯାଇ ଏପରି ପଶିଗଲା ଯେ, ଖାସ୍ ସାହିତ୍ୟିକମାନେ ମଧ୍ୟ ତାହାକୁ ଠଉରାଇ ପାରିଲେ ନାହିଁ । ସେମାନେ କ୍ଷମତା ପାଖରେ ଯାଇ ଘଷି ହେବାକୁ ମହାଭାଗ୍ୟ ଓ ମହାପୁଣ୍ୟ ପ୍ରାୟ ମଣିଲେ । କୁଳଟା ହେଲେ । ସାହିତ୍ୟକୁ ଏକାବେଳେକେ ବ୍ୟକ୍ତିଗତ ଏକ ଅଲଗା କ୍ଷେତ୍ର ବୋଲି କହି ସେମାନେ ବଡ଼ ଆହ୍ଲାଦରେ ବହୁ ପ୍ରଦୁଷଣ ଏବଂ ପ୍ରତାରଣାକୁ ସାହିତ୍ୟ ଭିତରକୁ ଡାକି ଆଣିଲେ । ଚାରିପାଖର ଏହି ଜୀଅନ୍ତା ବିଶ୍ଵଟିକୁ ଅନାଇ ଦେଖିଲେ ଯେଉଁ ସତ୍ୟଗୁଡ଼ିକ ସବାଆଗ ଅନୁଭବ କରି ହୁଅନ୍ତା, ସେଗୁଡ଼ିକୁ ପ୍ରାୟ ଏକ ଅବଜ୍ଞାର ସହିତ ପାସୋରି ରହିଲେ । ସେମାନେ ସାହିତ୍ୟକୁ କ୍ରମେ ପାଠୁଆମାନଙ୍କର ଏକ କାଞ୍ଜିପଟା ଖେଳ କରି ରଖିଦେଲେ । ଆମର ଏହି ବିଶ୍ଵଖଣ୍ଡଟିରେ ଆପଣାକୁ ସତେଅବା ଏକ ଅତ୍ୟନ୍ତ ସ୍ପର୍ଶକାତର ବ୍ରାହ୍ମଣବର୍ଗରେ ପରିଣତ କରି ରଖିଲେ । ସତେଅବା ସବାଆଗରେ ରହିଥିବା ଆହ୍ଵାନଗୁଡ଼ିକୁ ଭୁଲି ରହିବାକୁହିଁ ସାହିତ୍ୟକୁ ଗୋଟିଏ ମାଧ୍ୟମରୂପେ ବ୍ୟବହାର କଲେ । ଦେଖୁଦେଖୁ ଭୀରୁ ହୋଇଗଲେ । କାହାଣ କାହାଣ କଥା ଫାନ୍ଦି ପାରିଲେ, ଗୋଛା ଗୋଛା କବିତା ଲେଖିଲେ;–ଏବଂ, ଏଠାଟାକୁ ଛାଡ଼ି ସତେଅବା କେଉଁ ଗନ୍ଧର୍ବମାନଙ୍କର ସଭାରେ ନିଜ ନିଜର ଏକ ସିଂହାସନ ଉପରେ ଯାଇ ବସିବାକୁ ଅଧିକ ପସନ୍ଦ କଲେ । ନିଜ ଘରେ ସେମାନେ ପ୍ରାୟ କୌଣସି କାମରେ ଲାଗି ପାରିଲେ ନାହିଁ ।

 

୬ । ୫ । ୨୦୦୨

 

ଗାନ୍ଧୀ, ବୁଦ୍ଧ, ଖ୍ରୀଷ୍ଟ,–ଏମାନେ ସବୁ କୁଆଡ଼େ ଗଲେ ବୋଲି କେତେ ମଣିଷ ଏବେ ଭାରି ଝୁରି ହେବାକୁ ଆରମ୍ଭ କଲେଣି । କାହାପାଇଁ କିମ୍ବା କ’ଣ ପାଇଁ ଝୁରିହେବାରେ ହୁଏତ କେତେ ମଣିଷଙ୍କୁ ଏକ ଆନନ୍ଦ ମଧ୍ୟ ମିଳୁଥିବ । ସତେଯେପରି ସେମାନଙ୍କ ଅନ୍ତେ ସେମାନଙ୍କ ସକାଶେ ମଣିଷମାନେ ଝୁରିହେବେ ବୋଲିହିଁ ସେମାନେ ଏହି ପୃଥିବୀକୁ ଆସିଥିଲେ । ମୁଁ ଅନ୍ୟ ପ୍ରକାରେ ଭାବିଥାଏ, ଅନ୍ୟପ୍ରକାରେ ଚାଲେ ଓ ଅନ୍ୟପ୍ରକାରେ ସ୍ପର୍ଶ କରି ରହିଥାଏ ବୋଲି ସମ୍ଭବତଃ ମୋତେ ଝୁରିହେବାକୁ ପଡ଼େନାହିଁ । ସେହି ମହାନ୍‌ମାନେ ମନେ ପଡ଼ିବାମାତ୍ରକେ କେଡ଼େ ଆନନ୍ଦ ଲାଗେ, କେଡ଼େ ଉଶ୍ଵାସ ଲାଗେ ଏବଂ, ବିଶ୍ଵାସମାନେ ଜଣେ ଜଣେ ସୁହୃତ୍ ଭଳି ଆହୁରି ପାଖକୁ ଆସି ଠିଆ ହୋଇଥିବା ପରି ଲାଗନ୍ତି,–ମୋତେ ସତେଅବା ହାତ ଧରି ନେଇଯିବା ପାଇଁ ପ୍ରସ୍ତୁତ ହୋଇ ଆସିଥାନ୍ତି । ପୃଥିବୀଯାକର ଆଖି ଥିବା ମଣିଷମାନେ ସେତେବେଳେ ମୋ’ର ଭାରି ନିଜର ବୋଲି ମନେ ହୁଅନ୍ତି । ଯାହାର ଏହିଭଳି ଆଖିଟିଏ ଥିଲା ବା ଅଛି, ସତେଅବା ସମସ୍ତ ପୃଥିବୀ ନିମନ୍ତେହିଁ ସେମାନେ ଏହି ପୃଥିବୀକୁ ଆସିଥିବା ପରି ମନେ ହୁଅନ୍ତି ।

 

କାରଣ, ଅସଲ କଥା ହେଉଛି, ମୋ’ପାଇଁ ଅର୍ଥାତ୍ ମୁଁ ମୋ’ର ନିଜ ଜୀବନରେ ସଚଳ ହୋଇ ରହିଥିବା ଯାଏଁ ସେମାନେ ଅବଶ୍ୟ ରହିଥିବେ, ମୋଟେ ଛାଡ଼ି ଯିବେନାହିଁ । ମୋଟେ ହଜି ଯିବେନାହିଁ । ପୂରା ଜଳଜଳ ହୋଇ ଦେଖା ଯାଉଥିବେ । ମୋ’ ପ୍ରିୟଜନମାନଙ୍କର ଖାତାରୁ ଏବଂ ମୋ’ ପ୍ରେରଣାଗୁଡ଼ିକର କ୍ଷେତ୍ରରୁ ସେମାନେ କଦାପି ଉଢ଼ୁଆଳ ହୋଇ ରହି ଯିବେନାହିଁ । ତେଣୁ, ମୋଟେ କୌଣସି ଝୁରିହେବାର ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବ ନାହିଁ । କୌଣସି କାରଣରୁ ମୁଁ ନିଜ ଭିତରୁହିଁ ସେମାନଙ୍କୁ ହରାଇ ଦେବାର ଓ ହଜାଇ ଦେବାର ପ୍ରକ୍ରିୟାଟି ଆରମ୍ଭ ହୋଇଗଲେ ହୁଏତ ଏକ କ୍ଷତିପୂରଣସ୍ୱରୂପ ଝୁରି ହେବାର ସେହି ଅନ୍ୟ ପ୍ରକ୍ରିୟାଟି ଲାଗି ଏକ ଅବକାଶ ମଧ୍ୟ ସୃଷ୍ଟି ହୋଇଯିବ । ଏକାଠି ବସି ଏହିପରି କିଞ୍ଚିତ୍ ଆନୁଷ୍ଠାନିକତାର ପ୍ରତୀତି ଯୋଗାଇ ଦେଇ ଝୁରି ହେବାଲାଗି ଆମ ଅନେକଙ୍କୁ ନିଶ୍ଚୟ ବେଶ୍ ଉଶ୍ଵାସଦାୟକ ମନେ ହେଉଥିବ । ଆମର ବଡ଼ମାନେ, ସ୍ମରଣୀୟମାନେ ଆମପାଇଁ ସତକୁସତ ସଚଳ ହୋଇ ରହିଥିଲେ, ଅର୍ଥାତ୍ ଆମେ ଆମର ସମ୍ମୁଖସ୍ଥ ମାର୍ଗଗୁଡ଼ିକୁ ଚାଲୁଥିବା ସମୟରେ ସେମାନଙ୍କୁ ମଧ୍ୟ ସଙ୍ଗୀ ଭଳି ଅନୁଭବ କରୁଥିବା ସମୟରେ ସେମାନେ ସମସ୍ତେ ସମ୍ପୃକ୍ତ ଆମ ସମସ୍ତଙ୍କ ପ୍ରକୃତରେ କେତେ ଆନନ୍ଦ ଦେଉଥାଆନ୍ତେ । ଇତିହାସର ହିସାବ ଅନୁସାରେ ଶତାବ୍ଦୀ ଗତ ହୋଇ ଯାଇଥିଲେ ମଧ୍ୟ କେତେ ଦୃଶ୍ୟମାନ ଭାବରେ contemporary ପରି ଲାଗୁଥାଆନ୍ତେ; ଗୋଟିଏ ଗୋଟିଏ ଦେଶରେ ଜନ୍ମ ହୋଇ ନିଜ ନିଜ ଜୀବନର ମାଧ୍ୟମରେ ଏକ ତାତ୍କାଳିକ ଯୁଗର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେମାନେ ସବୁ ଦେଶର, ସବୁ ଯୁଗର ଓ ଏକାବେଳେକେ ଆମ ସମସ୍ତଙ୍କର ଏକାନ୍ତ ପ୍ରିୟ ହୋଇ ରହିଥାନ୍ତେ । ଝୁରି ହେବାପାଇଁ ମୋଟେ ମନେହିଁ ପଡ଼ନ୍ତା ନାହିଁ ।

 

୭ । ୫ । ୨୦୦୨

 

ଜଣେ ମଣିଷ ତା’ ସମାଜର ନୀତିକୁ ମାନିବନାହିଁ, ସିଏ ତା’ ସ୍ଵଭାବରେ ନୀତିକୁ ମାନିବ-। ଆହୁରି ଅଧିକ ପ୍ରଶସ୍ତ ଭାବରେ କହିଲେ, ସିଏ ତା’ ସ୍ଵଭାବର ରୀତିଟିକୁ ମାନିବ-। ତାହାହିଁ ସାଧୁତା । ସମାଜର ନୀତିଗୁଡ଼ିକୁ ସିଏ ନିଜେ ତିଆରି କରିନାହିଁ । ତେଣୁ, ନାନା ଅନ୍ୟ ବାହ୍ୟ ଆବଶ୍ୟକତା ହେତୁ ତାକୁ ଗୋଟାଏ ପ୍ରକାରର ନୀତି ବା ରୀତିରେ ଅଭ୍ୟସ୍ତ କରାଇ ନେବାର ଚେଷ୍ଟା କରାଯାଇଛି । ଜଣେ ମଣିଷ ନିଜର ସମାଜକୁ ଯେପରି ସତକୁସତ ସ୍ଵୀକାର କରିନେଇ ପାରିବ, ସେଥିପାଇଁ ତାକୁ ସମୁଚିତ ଭାବରେ ଯୋଗ୍ୟ କରିନେବାର କାର୍ଯ୍ୟଟି ହେଉଛି ସମାଜର-। ଯେଉଁଠି ସମାଜ ସେହି କାର୍ଯ୍ୟଟିକୁ ଯଥେଷ୍ଟ ସାଧୁତାର ସହିତ କରେନାହିଁ, ଅଭ୍ୟସ୍ତ କରାଇ ନେବାକୁହିଁ ସାମାଜିକ କରାଇନେବା ବୋଲି ଗ୍ରହଣ କରିନିଏ, ସେଠାରେ ସିଏ ମଣିଷମାନଙ୍କ ମଧ୍ୟ ଅସାଧୁ ହେବାପାଇଁ ଶିକ୍ଷା ଦିଏ । ତଦ୍ଦ୍ୱାରା ମନୁଷ୍ୟମାନେ ଅସାଧୁ ହୁଅନ୍ତି, ଏବଂ ସମ୍ପୃକ୍ତ ସମାଜଟି ମଧ୍ୟ ଭାରି ଅସାଧୁ ହୁଏ । ସମ୍ପୃକ୍ତ ଉଭୟ ପକ୍ଷ ଭାରି କ୍ଷତିଗ୍ରସ୍ତ ହୁଅନ୍ତି ।

 

ମଣିଷ ତା’ ସ୍ଵଭାବର ନୀତିକୁ ମାନିବ । Seneca, Spinoza ଓ ଆହୁରି ଅନ୍ୟ ଅନେକେ ଯାହାକୁ nature ବୋଲି କହିଛନ୍ତି, ତାହାରି ନୀତିକୁ ମାନିବ । ନିଜର ଏହି nature ସହିତ ନିଜକୁ ପରିଚିତ କରାଇ ଆଣି ତାହାରି ନିର୍ଦ୍ଦେଶନା ଅନୁସାରେ ଆପଣାକୁ ସେହି ଭିତରୁହିଁ ଗଢ଼ିଆଣିବା,–ଯେଉଁ ସମାଜ ସବାଆଗ ଏମିତିପାଇଁ ଅନୁକୂଳ ପରିମଳଟିଏ ଯୋଗାଇଦିଏ, ତାହାହିଁ ସତ ସମାଜ । ଏବଂ, ମଣିଷ ଯେଉଁ ନୀତିର ମହକଟିକୁ ପାଇଥିବାରୁ ନିଜ ସ୍ଵାର୍ଥଗୁଡ଼ିକର ଗଣ୍ଠିରୁ ଆପଣାକୁ ଅତ୍ୟନ୍ତ ସହଜ ଭାବରେ ମୁକ୍ତ କରି ଆଣିବାରେ ଲାଗିଥାଏ, ସେଇ ପ୍ରକୃତରେ ନିଜ natureର ନୀତି ବା ରୀତିଟିକୁ ପ୍ରକୃତରେ ମାନୁଥାଏ । ଏହିଭଳି ଗଢ଼ିହୋଇ ଆସିଥିବା ମଣିଷଟିଏହିଁ ତା’ ସମାଜପାଇଁ ସବୁଠାରୁ ଅଧିକ କାମରେ ଲାଗିପାରିବ । ସେହି ମଣିଷଟିହିଁ ହେଉଛି ଉଚିତ ମଣିଷ । ସମାଜପାଇଁ ଉଚିତ ମଣିଷ ଏବଂ ନିଜପାଇଁ ଉଚିତ ମଣିଷ । ତେଣୁ, ଠୁଳ ଓ ସମ୍ପୂର୍ଣ୍ଣ ଭାବରେ କହିଲେ, ସିଏ ଈଶ୍ଵରଙ୍କ ଲାଗି ମଧ୍ୟ ଉଚିତ ମଣିଷ । ଜଣେ ଗୁହାମୁକ୍ତ ମଣିଷହିଁ ଈଶ୍ଵରଙ୍କର ମଣିଷ । ଈଶ୍ଵରଙ୍କ ପକ୍ଷରେ ରହିଥିବା ମଣିଷ । ଗୋଟାଏ ଡେଣା ସିଏ ନିଜେ ଏବଂ ଆଉ ଗୋଟିଏ ଡେଣା ସମାଜ,–ଏହିପରି ଦୁଇଟିଯାକ ଡେଣାରେ ସିଏ ଯେ କେତେ କୁଆଡ଼କୁ ଉଡ଼ି ଯାଇପାରେ, କେତେ କୁଆଡ଼େ ଭେଦିପାରେ, ସେକଥା ମାପି କରି ମୋଟେ କହି ହେବନାହିଁ । ସେଥିଲାଗି ହୁଏତ ସତକୁସତ ମଣିଷଟିଏ ନିଜକୁ ସମାଜର ଫିତାଗୁଡ଼ାକ ଅନୁସାରେ ନମାପି ନିଜର ଫିତା ଅନୁସାରେହିଁ ସମାଜକୁ କଳନା କରୁଥାଏ । ସେହି କଳନା ଅନୁସାରେ ଯୋଗ୍ୟ ହେଉଥାଏ । ସେଇ ମଣିଷ ତା’ ସମାଜର, ଯେକୌଣସି ସମାଜର ସର୍ବାଧିକ କାମରେହିଁ ଲାଗିଥାଏ ।

 

୮ । ୫ । ୨୦୦୨

 

ସମନ୍ଵୟ ନିଜ ଭିତରେ, ନିଜ ସହିତ । ବାହାର ସହିତ ଭିତରର ଓ ଭିତର ସହିତ ବାହାରର ସମନ୍ଵୟ । ଆମର ତଥାକଥିତ ବୁଦ୍ଧିରୁ ସମନ୍ଵୟ ବୋଲି ଯାହାକିଛି ବାହାର କରାଯାଇଥାଏ, ସେଥିରେ ଅସଲ ଚୋରଟି କେଉଁଠି ନା କେଉଁଠି ଲୁଚି କରି ରହିଥାଏ । ଏକାବେଳେକେ ପଣ୍ଡିତର ପୁଅ ବୋଲାଉଥାଏ ଓ ମାଙ୍କଡ଼ ମାରିବାରେ ଲାଗିଥାଏ ।

 

ସେହି ଅସଲ ଚୋରଟି ହେଉଛି ମୁଁ,–ମୋତେ ଲୁଚାଇ ରଖିବା ନିମନ୍ତେ ପୃଥିବୀରେ ଏତେ ଏତେ ବୁଦ୍ଧିର ବିଧାନ କରାଯାଇଛି କି ? ଧର୍ମ ଧର୍ମ ଭିତରେ, ବାଦ ବାଦ ଭିତରେ ଏବଂ ଶୈଳୀ ଓ ଶୈଳୀ ଭିତରେ ଏହି ସମନ୍ଵୟ ନାମରେ କେତେ କେତେ ପ୍ରତିପାଦ୍ୟ ଆଣି ବାଢ଼ି ଦିଆଯାଇଛି । ମାତ୍ର ଆମ ଭିତରର ଚୋରଟା କେଡ଼େ ଖୁସୀରେ ଯୋଉଠି ସେଇଠି ଯାଇ ବସିଛି । ସମନ୍ଵୟର ପାକହିଁ ମାଡ଼ୁନାହିଁ । ସନ୍ତ୍ରାସବାଦୀ ସନ୍ତ୍ରାସବାଦୀ ପଛରେ ଗୋଡ଼ାଇଛି । ସେହି ଆରଟା ନିପାତ ହୋଇଗଲେ ଯାଇ ପୃଥିବୀରୁ ସନ୍ତ୍ରାସବାଦ ଦୂର ହୋଇଯିବ ବୋଲି କେଡ଼େ ଆଣ୍ଟରେ କହିବାରେ ଲାଗିଛି ଏବଂ ତେଣେ ନିଜଭିତରେ ତୁଚ୍ଛା ଚୋରଟାକୁ ସତେଅବା କେଡ଼େ ଗେହ୍ଲା କରି ବଢ଼ାଇବାରେ ଲାଗିଛି । ପୃଥିବୀଯାକର ଗେହ୍ଲାମାନେ ଏହିପରି ଗେଲେଇ ହୋଇ ହୋଇ ବୋମାଯାଏ ଯାଇ ପହଞ୍ଚି ଗଲେଣି, ରାମଚନ୍ଦ୍ରମାନଙ୍କ ସହିତ ରାମା ଭଣ୍ଡାରିମାନେବି ପାଇକଛା ମାରି ବାହାରି ପଡ଼ୁଛନ୍ତି । ତଥାପି, ଚୋରଟାହିଁ ଭିତରକୁ ପରିପୂର୍ଣ୍ଣ ପ୍ରଶ୍ରୟ ପାଇ ପୂରା ନିଧଡ଼କ ହୋଇ ବୁଲିବାରେ ଲାଗିଛି । ବଡ଼ବଡ଼ ସତ୍ୟ ତଥା ତଦନୁକୂଳ ତଥ୍ୟଗୁଡ଼ିକୁ ଏକାଠି ଗଣ୍ଠି ପକାଇ ଏବେ ମଧ୍ୟ ସମନ୍ଵୟର ନୂଆ ନୂଆ ଅଙ୍କବହିମାନ ବାହାରୁଛି ଏବଂ ସତେଅବା ଅଭୂତପୂର୍ବ ସମାଧାନଟାଏ ମିଳିଗଲା ବୋଲି ସିଆଣିଆ ପ୍ରତୀତିମାନ ଆଣି ଦେଇଯାଉଛି । ମାତ୍ର, ନିଜ ଭିତରର ଚୋରଟା ତଥାପି ସାଧ୍ୟ ହୋଇ ପାରୁନାହିଁ । ବାହାରର ଏହି ଯାବତୀୟ ପ୍ରଚେଷ୍ଟା ସତେଅବା ସେଇ ଚୋରଟାକୁହିଁ ଅମର କରି ରଖିବାକୁ ଇଚ୍ଛା କରୁଛନ୍ତି । ଏହି ସବୁକିଛି ପଛେ ପୃଥିବୀର ମୂଳପୋଛ ହୋଇଯିବ, ମାତ୍ର ମୁଁ ଅବଶ୍ୟ ରହିବି, ଯେମିତି ଅଛି ସେମିତି ରହିବି, ସବୁ ଧର୍ମ ଯିବ, ତଥାପି ମୋ’ ଧର୍ମଟାହିଁ ରହିବ,–ପୃଥିବୀରେ ସବାଉପରେ ବସିଥିବା ସର୍ଦ୍ଦାରମାନେ ସତେଅବା ଅଧିକରୁ ଅଧିକ ଧୃଷ୍ଟପଣ ସହିତ ସେହି କଥାଟାକୁ କହିବାରେ ଲାଗିଛନ୍ତି । ସେମାନେ ଯୋଉ ଚୋରଟାକୁ ନିଜ ଭିତରେ କେତେ ଯତ୍ନରେ ପାଳି ପୋଷି ରଖିଛନ୍ତି, ତାହାରି ବୋଲକୁ ମାନି ଏସବୁ କରୁଛନ୍ତି । ତେଣୁ, ଚାଲ, ଆମେ ଭିତରର ସେହି ଚୋରଟାକୁହିଁ ଖୋଜି ବାହାର କରିବା, ତା’ ସହିତ ଗୋଟିଏ କାତରତାଶୂନ୍ୟ ବୁଝାମଣାରେ ପହଞ୍ଚିବା । ତାକୁ ପାଖରେ ବସାଇବା,–ପୃଥିବୀର ଦୁଃଖଗୁଡ଼ାକୁ ତା’ ଆଗରେ ଜଣାଇବା,–ଏବଂ ନିଜ ସହିତ ସେହି ଅସଲ ସମନ୍ଵୟଟି ହୋଇଗଲେ ସିନା ଆମେ ବାହାରେ ମଧ୍ୟ ଜଣେ ଆଉଜଣକୁ ସହଚାରୀ ପରି, ସୁହୃତ୍ ପରି ସ୍ଵୀକାର କରିନେଇ ପାରିବା ।

 

୯ । ୫ । ୨୦୦୨

 

ଚାଲ ଆମେ ଆମ success story ଗୁଡ଼ିକ ବିଷୟରେ କିଛି କଥାବାର୍ତ୍ତା ହେବା । ଏହି ପୃଥିବୀରେ ବହୁ ବହୁ ବିଶ୍ଵାସ ଭାଙ୍ଗି ପଡ଼ୁଛି, ଆମେ ତଥାପି ବିଶ୍ଵାସରେ ବାଟ ଚାଲି ପାରୁଛୁ, ଭିତରେ ଅପରିମିତ ବିଶ୍ଵାସ, ବାହାରେ ଅପରିମିତ ବିଶ୍ଵାସ,–ଏବଂ ତାହାରି ଫଳରେ ପରସ୍ପରଠାରେବି ଅପରିମିତ ବିଶ୍ଵାସ । ଏହି ବାଟଟି ଉପରେ ବିଶ୍ଵାସ । ଏତେ ଏତେ ବିଭିନ୍ନତା ସତ୍ତ୍ୱେ ଯେଉଁ ଡୋରଟି ଆମକୁ ଏକାଠି ପରସ୍ପର ପାଖରେ ବାନ୍ଧିକରି ରଖିଛି, ଆମେ ତାହାକୁହିଁ ଜନନୀ ବୋଲି ଅନୁଭବ କରୁଛୁ । ଏମାନେ ମୋତେ ମୁସଲମାନ ବୋଲି କହୁଛନ୍ତି ତ ତୁମକୁ ହିନ୍ଦୁ ବୋଲି କହୁଛନ୍ତି, ମୋତେ ଇହୁଦୀ ବୋଲି କହୁଛନ୍ତି ତ ତୁମକୁ ଆରବ ବୋଲି କହୁଛନ୍ତି । ସେମାନେ ଠିକ୍ କହୁଛନ୍ତି, ତଥାପି ଡୋରଟିକୁ ଦେଖି ପାରୁନାହାନ୍ତି ବୋଲି ପୂରା ଠିକ୍ କଥାଟିକୁ ମଧ୍ୟ କହି ପାରୁନାହାନ୍ତି । ତୁମ ମୁଣ୍ଡ ଉପରେ ଯେଉଁ ଆକାଶ, ମୋ’ର ଏହି ନିଜ ଖଞ୍ଜାଟି ଉପରେ ମଧ୍ୟ ରହିଥିବା ସେଇ ଆକାଶ,–ସେଇ ଗୋଟିଏ ଆକାଶହିଁ ମୋତେ ଏବଂ ତୁମକୁ ଏକାଠି ସମ୍ଭାରି ରଖି ଉଭୟଙ୍କର ପିତା ହୋଇ ରହିଛି । ଆଗର ଋଷି ଓ ମନୀଷୀମାନେ ସମ୍ଭବତଃ ସେଇଥିପାଇଁ ଆକାଶକୁ ପିତା ବୋଲି କହି ଯାଇଛନ୍ତି । ସେମାନଙ୍କର ସବୁଯାକ ବହିରେ ସେହି କଥାଟିହିଁ ସବାଆଗ ରହିଛି ।

 

ଅନେକଙ୍କ ସକାଶେ ଏହି ପୃଥିବୀଟା କୁଆଡ଼େ ଏମିତି ହୋଇଗଲାଣି ଯେ, ଏଠାରେ ଅବିଶ୍ଵାସଟାହିଁ ସେମାନଙ୍କୁ ଅଧିକ ଦେଖାଯାଉଛି । ଘୃଣା ବେଶୀ ଦେଖାଯାଉଛି, ଭଲ ପାଇବା ଆଉ ଅଛି କି ନାହିଁ ବୋଲି ସେମାନେ ସନ୍ଦେହ କରି ପକାଉଛନ୍ତି ଏବଂ ଘୃଣାର ପାଲରେ ଯାଇ ପଡ଼ି ଯାଉଛନ୍ତି । ପରମାତ୍ମୀୟ ଅସଲଠାକୁରଗୁଡ଼ିକ ସେମାନଙ୍କୁ ସତେଅବା ଆଉ ମୋଟେ ଦେଖା ଯାଉନାହାନ୍ତି । ତେଣୁ, ପ୍ରତିମାମାନେ, କଣ୍ଢେଇମାନେ ସେମାନଙ୍କୁ ଏଭଳି ଅଣଅକ୍ତିଆର ଭାବରେ ଆସି ମାଡ଼ି ବସିଛନ୍ତି । ସେମାନଙ୍କୁ ପରସ୍ପର ପାଖରେ ବଡ଼ ଅସହଜ କରି ରଖିଛନ୍ତି,–ନିଜପାଖରେ ଚାହାଳିଚୋର କରି ରଖିଛନ୍ତି । ଆଗକୁ ଅନାଇ ଆମେ ଅନ୍ୟ ଗୋଟିଏ ଭବିଷ୍ୟକୁ ଦେଖି ପାରୁଛୁ,–ତେଣୁ ବର୍ତ୍ତମାନଟିକୁ ମଧ୍ୟ ତାହାରି ପ୍ରେରଣାରେ ଅନ୍ୟ ପ୍ରକାରେ ବଞ୍ଚି ପାରୁଛୁ । ଯେଉଁଟି ଆସୁଛି ଆମେ ତାହାରି ନିମିତ୍ତରୂପେ ନିଜ ନିଜର ବାଟଗୁଡ଼ିକୁ ବାଛିନେଇଛୁ ବୋଲି ପରସ୍ପରକୁ ଦେଖି ଆମକୁ ମୋଟେ ପର ବୋଲି ଅଥବା ଭୟଙ୍କର ବୋଲି ମନେ ହେଉନାହିଁ । ପରସ୍ପରକୁ ମୋଟେ ଡର ମାଡ଼ୁନାହିଁ । ଏହି ବନ୍ଧୁକମାନେ, ବୋମାମାନେ ତଥା ମିଛ ବକ୍ତୃତାମାନେ ଆମ ଚାରିପାଖରେ ରଡ଼ୁଛନ୍ତି ସତ, ତଥାପି, କାହାର କୃପାବଳରେ ଆମେ ପରସ୍ପର ଭିତରେ ଆଉ ଗୋଟିଏ କି ବାସନାକୁ ପାଇ ପାରିଛୁ ଯେ, ସେଥିରେ ଆଉ ମୋଟ ଶଙ୍କି ଯାଉନାହିଁ, ଆମରି ଦିନହିଁ ଆସୁଛି ।

 

୧୦ । ୫ । ୨୦୦୨

 

ବହୁତ ମଣିଷ ନିଜପାଖରେ ସହଜ ହୋଇ ପାରନ୍ତିନାହିଁ । ସେଇଥିପାଇଁ କଥା ମାନୁଥାଆନ୍ତି । ସେମାନେ ନିଜ ଜୀବନଟାକୁ ମଧ୍ୟ ସତେଅବା ଯେପରି କାହାର କଥା ମାନି ବଞ୍ଚୁଥାଆନ୍ତି । ନବଞ୍ଚିଲେ ନଚଳେ ବୋଲି ବଞ୍ଚୁଥାନ୍ତି । ବଡ଼ ହୀନିମାନ ହୋଇ ରହିଥାନ୍ତି । ନିଜପାଖରେ ସହଜ ହେବା, ପୃଥିବୀ ପାଖରେ ସହଜ ହେବା,–ଇଏ ହେଉଛି ଏକ ଅନ୍ୟ ଶୈଳୀ, ଏକ ଅନ୍ୟ ଧର୍ମ ଓ ଏକ ଅନ୍ୟ ଅଧ୍ୟାତ୍ମ । ଧର୍ମମାନେ, ଏବଂ ଆହୁରି ସିଧା କରି କହିଲେ ଏହି ଧର୍ମଗୁରୁମାନେ ମଣିଷମାନଙ୍କୁ ଭାରି compulsive କରାଇ ନିଜ ଗୁଳାଟା ଭିତରକୁ ଆଣିବା ନିମନ୍ତେ କାହିଁକି ଏତେ ଏତେ ମିହନ୍ତ କରି ଆସିଛନ୍ତି କେଜାଣି ? ଧର୍ମର ବେଢ଼ାକୁ ଅତିକ୍ରମ କରି ସେମାନେ ଅଧ୍ୟାତ୍ମର ଖୁସୀଟି ଭିତରକୁ ଯିବାଲାଗି ସେମାନେ ଅଧିକାଂଶତଃ କାହିଁକି ଏତେ କାତର ହୋଇ ପଡ଼ିଛନ୍ତି ? ଭଗବାନଙ୍କୁ ଖୁସୀର ଅନନ୍ତ ଉତ୍ସରୂପେ ଅନୁଭବ ନକରି ସେମାନେ କାହିଁକି ତୁଚ୍ଛା ସୂତ୍ରର ସଙ୍କୋଚନଗୁଡ଼ାକ ପାଖରେ ରହିଯିବାକୁ ପ୍ରାୟ ଏକ ଆସୁରିକ ଉତ୍ସାହରେ ଆଗଭରବି ହୋଇ ଯାଉଛନ୍ତି ? ଅଧ୍ୟାତ୍ମକୁ ଏହି ମନ୍ଦିରଗୁଡ଼ାକ ଭିତରେ ଢିଙ୍କିଆ ପକାଇ ରଖିବାକୁ ଇଚ୍ଛା କରିଛନ୍ତି ?

 

ଅନନ୍ତ ଖୁସୀର ସେହି ସର୍ବୋତ୍ତମ କଳ୍ପନା ତଥା ଅନୁଭବଟି,–ତାହାହିଁ ଜଗତ୍‌ସତ୍ୟ ତଥା ଜଗତ୍‍କର୍ତ୍ତାଙ୍କୁ ନିଜ ଜୀବନରେ ଅନୁଭବ କରି ପାରିବାର ଏବଂ ଅତ୍ୟନ୍ତ ସହଜ ଭାବରେ ସେହି ଅନୁଭବଟିଦ୍ଵାରା ଗାର ପରେ ଗାର ଡେଇଁ ନିଜ ଜୀବନଟିକୁ ବଞ୍ଚିଥିବା,–ଏହାହିଁ ଆମର ଦୈନନ୍ଦିନତାକୁ ଏପରି ଈଶ୍ଵରୀୟ ସ୍ପର୍ଶ, ଈଶ୍ଵରୀୟ ବିସ୍ତାର ତଥା ଈଶ୍ଵରୀୟ ସାହସ ଆଣି ଦେଇଯାଏ, ଯାହାଦ୍ଵାରା କି ଏହି ପୃଥ୍ଵୀଜୀବନଟି ମଧ୍ୟ ଏକ ଅନ୍ତରଙ୍ଗତମ ସ୍ତରରେ ସତକୁସତ ଏକ ସହଜ collaboration ବ୍ୟତୀତ ଆଉ ମୋଟେ ଅନ୍ୟ କିଛି ବୋଲି ଲାଗେନାହିଁ । Compulsive ଜୀବନଟା କୁଆଡ଼େ ପାସୋର ହୋଇଯାଏ । ତେଣୁ ଆଦୌ ଡର ମାଡ଼େନାହିଁ । ଭିତରଟି ବାହାରର କଥା ମାନୁନାହିଁ, ଭିତରଟି ବାହାର ସହିତ collaborate କରୁଛି, ବ୍ୟକ୍ତି ମଧ୍ୟ ଦୃଶ୍ୟ ବା ଅଦୃଶ୍ୟ କୌଣସି ସମଷ୍ଟିର କଥା ମାନୁନାହିଁ, ଧର୍ମତଃ collaborate ହିଁ କରୁଛି,–ଏହି ଉପଲବ୍ଧିଟି ହେଉଛି ସହଜ ଅର୍ଥରେ ସେହି ସଦା–ବିମୋଚନକାରୀ ଅସଲ ଉପଲବ୍ଧିଟି, ଯାହା ଆମକୁ ପ୍ରତି ମୁହୂର୍ତ୍ତରେ ଏହି ସୃଷ୍ଟିର ଯାବତୀୟ ଆରୋହଣ ଏବଂ ଅବତରଣ ସହିତ ନିବିଡ଼ ଭାବରେ ବାନ୍ଧି ରଖିଥାଏ । ଉଠିବା ଓ ଓହ୍ଲାଇ ଆସିବା କେଡ଼େ ସହଜ ହୋଇଯାଏ, ଓହ୍ଲାଇ ଆସିବା ଏବଂ ଉଠିବା ମଧ୍ୟରେ ସେପରି କୌଣସି ପର୍ଯ୍ୟାୟଗତ ପାର୍ଥକ୍ୟ ରହିଛି ବୋଲି ମୋଟେ ବାରି ହୁଏନାହିଁ । ଗୁରୁ ସହଜ ହୋଇ କେଡ଼େ ସହଜରେ ନିଜର ତଥାକଥିତ ଶିଷ୍ୟମାନଙ୍କ ପାଖକୁ ଓହ୍ଲାଇ ଆସେ । ହଁ, ସେହି ଓହ୍ଲାଇ ଆସିବାଟି ମଧ୍ୟ କେଡ଼େ ସମଞ୍ଜସ ଭାବରେ ଏକ ଆରୋହଣ ବୋଲିବି ଅନୁଭବ ହେଉଥାଏ ।

 

୧୧ । ୫ । ୨୦୦୨

 

ଅବତରଣ କରିବାର ପ୍ରଶସ୍ତତମ ଅର୍ଥ ହେଉଛି ପ୍ରସାରିତ ହୋଇଯିବ । ଏହି କଥାଟିକୁ ଅଧିକ କ୍ରିୟାତ୍ମକ ଭାବରେ କହିଲେ, ତାଙ୍କରି ନିମିତ୍ତ ହେବାପାଇଁ ଯଥାର୍ଥ ଅନୁମତି ପତ୍ରଟିକୁ ପାଇଯିବା । ତାଙ୍କରିଠାରୁ ପୁଞ୍ଜି ଆଣି ତାଙ୍କରି ସଂସାରରେ ବଣିଜ କରିବା । ନିଜର ଭୁବନଟିକୁ ଏହି ସମଗ୍ର ଭୁବନଲାଗି ସମର୍ପିତ କରି ରଖିବା ଏବଂ, ଏହି ସବୁକିଛିର ଅର୍ଥ ହେଉଛି, ଏକ ଆଶୀର୍ବାଦମୟ ଜୀବନ ନିମନ୍ତେ ସତକୁସତ ଭାଜନ ହୋଇ ପାରିବା । ଏହି ଅପେକ୍ଷା, ଏହି ଯାବତୀୟ ସାଧନା ଓ ଏହି ଯାବତୀୟ ସମ୍ମତିଜ୍ଞାପନ,–ସବୁକିଛିହିଁ ସେହି ପରମ ମୁହୂର୍ତ୍ତଟି ନିମନ୍ତେ-

 

ହଁ, ପ୍ରଥମେ ନିଜର ଘରଟି ଭିତରୁହିଁ ବାହାରିବାକୁ ପଡ଼େ । ନିଜର ଦୁଆରଟିକୁ ଖୋଲିଦେବାକୁ ହୁଏ । ହୁଏତ ଭାରି ଡର ମାଡ଼ୁଥାଏ,–କାଳେ କେଉଁଠାରେ ହଜିଯିବି, ବିକିହୋଇ ଯିବି ବୋଲି ଶଙ୍କାଟିଏ ମଧ୍ୟ ରହିଥାଏ । ସମ୍ଭବତଃ ସେଇଥିପାଇଁ କିଛି ଦମ୍ଭ ପାଇବା ନିମନ୍ତେ କେହି କେହି ଭେକଟିଏ ପିନ୍ଧନ୍ତି, ଗୁରୁଟିଏ କରନ୍ତି, ଏକ ନିର୍ଦ୍ଦିଷ୍ଟ ବାଟକୁ ନିଜର ବାଟ ବୋଲି ମଧ୍ୟ କହିଥାଆନ୍ତି । ଯହୁଁ ଯହୁଁ ଆରୋହଣ କରନ୍ତି, ପ୍ରାୟ ସେହି ପର୍ଯ୍ୟାୟଟିରୁହିଁ ଚତୁର୍ଦ୍ଦିଗକୁ ଅନାଇ ସେମାନେ ଅଧିକରୁ ଅଧିକ ଦେଖିବାକୁ ପାଆନ୍ତି । ଏକ ବିସ୍ତୃତିବୋଧ ଲାଭ କରନ୍ତି । ସେହି ବିସ୍ତୃତି ମଧ୍ୟରେହିଁ କାଳେ କେଉଁଆଡ଼େ ମିଳାଇଯିବେ ବୋଲି ଶଙ୍କାଟିଏବି ରହିଥାଏ । ଦୁର୍ଭାଗ୍ୟକୁ ସେତେବେଳେ କିଛି କିଛି ଗୁରୁ ଏପରି ଥାଆନ୍ତି, ଯେଉଁମାନେ କି ସେହି ଶଙ୍କାଟିକୁ ବଢ଼ାଇ ଦେବାରେ ମଧ୍ୟ ସାହାଯ୍ୟ କରନ୍ତି । ତଥାପି, ଭିତରର ଶ୍ରଦ୍ଧାଶୀଳଟି ଯଦି ତଥାପି ଅଗ୍ରସର ହୋଇ ପାରୁଥାଏ, ତେବେ ଶିଖରଯାଏ ଉଠି ପହଞ୍ଚି ଯିବାର ବଳଟିକୁ ସିଏ ତେଣିକି ନିଜର ଭିତରୁହିଁ ପାଇଯାଏ । ଏହି ଚଉଦିଗରେ ଦୃଷ୍ଟିଗୋଚର ହେଉଥିବା ବିସ୍ତାରଟିକୁ ସିଏ ତାଙ୍କରି ଭୁବନ ବୋଲି ଚିହ୍ନେ ଏବଂ ସେହି ଚିହ୍ନିବା ବଳରେହିଁ ନିଜ ଭିତରର ସକଳ ଶଙ୍କାକୁ ଅତିକ୍ରମ କରିଯାଏ । ତେଣୁ, ଓହ୍ଲାଇ ଆସିବାର କ୍ରମରେ ସିଏ ପ୍ରକୃତରେ ସେହି ଭୁବନଟି ମଧ୍ୟକୁହିଁ ଫେରିଆସେ ଏବଂ ତାହାହିଁ ଯଥାର୍ଥ ଧାରା ତଥା ଯଥାର୍ଥ ମାର୍ଗ ବୋଲି ଅନୁଭୂତ ହୁଏ । ତା’ପରେ ଯାହାସବୁ ଘଟେ, ତୁମେ ତାହାକୁ ଆରୋହଣ ବୋଲି କହିବ ନା ଅବତରଣ ବୋଲି କହିବ ? ସେତେବେଳେ ତୁମେ ଯେଉଁ ଆନନ୍ଦମୟ ବିମୋଚନର ଅନୁଭବ ଲାଭ କରିବ, ତାହାକୁ ତୁମେ ନିଜର ମୁକ୍ତି ବୋଲି କହିବ ନା ଆଉ କ’ଣ ବୋଲି କହିବ ? ସେତେବେଳେ ତୁମର ଅବତରଣ ମଧ୍ୟ ତୁମର ଆହୁରି ଆରୋହଣରେ ସାହାଯ୍ୟ କରିବ ଏବଂ ଆରୋହଣଟି ମଧ୍ୟ ଅବତରଣ ଲାଗି ବାଟ କାଢ଼ି ନେଉଥିବ-। ତାହାହିଁ ଆନନ୍ଦର କାରଣ ହେବ । ଏହି ପୃଥିବୀଲାଗି ମଧ୍ୟ ବହୁ ଆନନ୍ଦର କାରଣ ହୋଇପାରିବ-

 

୧୨ । ୫ । ୨୦୦୨

 

ମଣିଷ ନୀତିରେ ରହିବାକୁ ଇଚ୍ଛା କରୁଛି, ମାତ୍ର ସମାଜ ଅର୍ଥାତ୍ ଏହିସବୁ ସାମୂହିକ ସମ୍ବନ୍ଧ ଏବଂ ଶାସନର ବ୍ୟବସ୍ଥାମାନେ ଦୁଷ୍ଟ ହୋଇଥିବାରୁ ସିଏ ନୀତିଗୁଡ଼ିକର ଗାର ଉପରୁ ବାହାରି ଯାଉଛି ବୋଲି ମୁଁ ବହୁବର୍ଷ ପୂର୍ବେ ଗୋଟିଏ ଆଲୋଚନାରେ ପଢ଼ିଥିଲି । କଥାଟି ଖୁବ୍ ମନକୁ ପାଇଥିଲା । ବର୍ତ୍ତମାନ ମଧ୍ୟ ସେହି ଉକ୍ତିଟିରେ ବହୁତ ସତ୍ୟ ଅବଶ୍ୟ ନିହିତ ରହିଛି ବୋଲି ମୁଁ ଅନୁଭବ କରି ପାରୁଛି । ବହୁତ କ୍ଷେତ୍ରରେ, ବହୁ ତଥାକଥିତ ସାମାଜିକ ବ୍ୟବସ୍ଥାରେ ବ୍ୟକ୍ତିକୁ ଆଗକୁ ଯିବାଲାଗି ଅର୍ଥାତ୍ ନିଜର ଅସଲ ବିବେକଗୁଡ଼ିକ ଅନୁସାରେ ଜୀବନଟିଏ ବଞ୍ଚିବାଲାଗି ବାଟ ଛାଡ଼ି ଦିଆଯାଉନାହିଁ । ତଥାପି, ଏହି ବ୍ୟକ୍ତି ଯଦି ବାଟରେ ଅଛି, ଯଦି ସିଏ ନିଜଭିତରେ ଅସଲ ସୂର୍ଯ୍ୟଟିର ଦର୍ଶନ ପାଇ ପାରିଛି, ତେବେ ସମାଜଟା କ’ଣ ଆଉ ବାହାରୁ କେଉଁଠାରୁ ଆସି ତାକୁ ଏପରି ବାଧ୍ୟ ଓ ଅସମର୍ଥ କରି ରଖିଛି ?

 

ନୀତିରେ ରହିବା କହିଲେ ଅନେକ ସମୟରେ ପ୍ରଚଳିତଗୁଡ଼ିକୁ ମାନି କରି ଚଳିବା ବୋଲିହିଁ ବୁଝାଇଥାଏ । ଭଲ ମଣିଷ ଅର୍ଥାତ୍ ପ୍ରଚଳିତଗୁଡ଼ିକୁ ମାନିକରି ଚଳୁଥିବା ମଣିଷ । ସିଏ ଶାନ୍ତିରେ ରହିବ ବୋଲି ତଥାକଥିତ ଆଚାର ଏବଂ ଚଳଣିଗୁଡ଼ିକୁ ସ୍ଵୀକାର କରି ନେଇଥାଏ । ପ୍ରଧାନତଃ ଏତିକି ମାତ୍ରକୁ ପୃଥିବୀର ଧର୍ମମାନେ ମଧ୍ୟ କେଡ଼େ ସୂତରରେ ଆଳଙ୍କାରିକ ଗାମ୍ଭୀର୍ଯ୍ୟଗୁଡ଼ିକୁ ଯୋଡ଼ି ପ୍ରଚାରବି କରିଥାନ୍ତି । ଖୋଦ୍ ଭଗବାନଙ୍କୁ ମଧ୍ୟ ସେତିକି ଭିତରେ ଆଣି ଛନ୍ଦି ଦେଇଥାନ୍ତି । ତାହାରି ଫଳରେ ତେଣେ ଉର୍ଦ୍ଧ୍ଵ ସ୍ଥାନମାନଙ୍କରେ ରହିଥିବା ବିଶେଷମାନେ ପାଷାଣ୍ଡ ହେବା ସକାଶେ ଖୁବ୍ ପ୍ରଶ୍ରୟ ପାଆନ୍ତି, ବାଟ ହୁଡ଼ିଯାଆନ୍ତି ଓ ତା’ପରେହିଁ ଯାବତୀୟ ଭ୍ରଷ୍ଟତା ଆସି ବ୍ୟବସ୍ଥାଗୁଡ଼ିକୁ ମଧ୍ୟ ଭାରି ପ୍ରଦୂଷିତ କରିଦିଅନ୍ତି । ଏବଂ, ଏହି ସକଳବିଧ ସାମୂହିକତା ଯେ ମୂଳତଃ ମନୁଷ୍ୟମାନଙ୍କର ଉଦୟ ନିମନ୍ତେ ତିଆରି ହୋଇଛନ୍ତି, ମନୁଷ୍ୟମାନେହିଁ ଚକ୍ଷୁଷ୍ମାନ୍ ହୋଇପାରିଲେ ଯେ ସମୂହସ୍ଥ ସମ୍ବନ୍ଧସୂତ୍ରଗୁଡ଼ିକ ମଧ୍ୟ ଯେ ସମର୍ଥ ଓ ତେଣୁ ସୁସ୍ଥ ହୋଇ ପାରିବେ, ସେହି ଅସଲ ସତ୍ୟଟି ହାତଛଡ଼ା ହୋଇଯାଏ । ତେଣୁ, ଖାଲି ଯେତିକି ରହିଛି, ସେତିକିକୁ ମାନିନେବାହିଁ ନୈତିକତାର ସବୁକିଛି ବୋଲି ଆଦୌ କୁହାଯାଇ ପାରିବନାହିଁ । ଆଗକୁ ଆଗକୁ ଆହୁରି ଅମିତ ସମ୍ଭାବନାମାନେ ରହିଛନ୍ତି, ଯାହା ରହିଛି, ତାହାକୁ ଭେଦି ଓ ପରଖି ନୂଆ ନୂଆ ଆହୁରି ଅନେକ ପ୍ରସ୍ଥର ବାସନା ପାଇବା ଏବଂ ସେଗୁଡ଼ିକ ସକାଶେ ଆପେ ଅନୁରୂପ ଭାବରେ ତିଆରି ହେବା,–ଏକଥାଟି ମଧ୍ୟ ଜଣେ ବଳିଷ୍ଠ ଓ ସଚେତ ମଣିଷର କର୍ତ୍ତବ୍ୟ ହୋଇ ରହିଥିବା ଉଚିତ । ଜଣେ ବ୍ୟକ୍ତି ଆଉଜଣେ ବ୍ୟକ୍ତିକୁ ସୁହୃତ୍ ଭାବରେ, ସହଚାରୀ ଭାବରେ ଲୋଡ଼ିପାରିଲେ ଯାଇ ସମାଜରେ ସେହି ପ୍ରକ୍ରିୟାଟି ଅଧିକ ସହଜ ହୋଇଯିବ । ବ୍ୟକ୍ତି ବ୍ୟକ୍ତି ପାଖକୁ ଲାଗି ଲାଗି ଆସୁଥିବ, ବ୍ୟକ୍ତି ବ୍ୟକ୍ତିକୁ ଅଧିକ ବୁଝି ପାରୁଥିବ, ଅଧିକ ସମ୍ପୂର୍ଣ୍ଣ ଭାବରେ ସ୍ଵୀକାର କରିନେଇ ପାରୁଥିବ,–ତେବେଯାଇ ହେବ ।

 

୧୩ । ୫ । ୨୦୦୨

 

ଏହି ଯାବତୀୟ ବହୁବିଧତାକୁ ସମଗ୍ର ଏବଂ ଆହୁରି ସମଗ୍ର ଭାବରେ ବୁଝିବା,–ସେଇଟି ମଧ୍ୟ ଅସଲ ଅବତରଣର ଏକ ସବାମୂଳ ଲକ୍ଷଣ କି ? ବୁଝିବା ଅର୍ଥାତ୍ ସ୍ଵୀକାର କରିନେବା । ବହୁବିଧତାକୁ, ଏହି ବୈଚିତ୍ର୍ୟକୁ ନବୁଝିଲେ ତୁମେ ଅସଲ କେନ୍ଦ୍ରଟିକୁ ମଧ୍ୟ ସୁସ୍ଥଭାବରେ ଆଦୌ ବୁଝି ପାରିବନାହିଁ । ପରିଧିଟିକୁ ଠିକ୍ କେନ୍ଦ୍ରଭଳି ସ୍ଵୀକାର କରି ନେଇ ନଥିବା ପର୍ଯ୍ୟନ୍ତ କେନ୍ଦ୍ରଟିକୁ ମଧ୍ୟ ତାହାର ସମ୍ପୂର୍ଣ୍ଣ ମହିମାରେ ତୁମେ କେବେହେଲେ ଅଙ୍ଗେ ନିଭାଇ ପାରିବନାହିଁ ।

 

ଏହି ବିବିଧ ଅର୍ଥାତ୍ ବିଭିନ୍ନଟିକୁ ମଧ୍ୟ ଏକତ୍ର ଅର୍ଥାତ୍ ଏକାତ୍ମୀୟ କରି ଦେଖିଲେ ଯାହା ଏକର ଉପଲବ୍ଧିଟି ମଧ୍ୟ ସାକାର ତଥା ପ୍ରତ୍ୟକ୍ଷ ହୋଇ ଆସିବ । ତା’ ନହେଲେ, ତୁମେ ଉପରକୁ କେତେକଅଣ ହୋଇ ଦିଶୁଥିବ, କେତେ କେତେ ଶାସ୍ତ୍ରର ଆଶୁପାରାୟଣ କରିପାରୁଥିବ, ସିଧା ଭଗବାନଙ୍କ ପାଖରୁ ଆସି ଏଠି ପହଞ୍ଚିଥିବା ପରି କଥାମାନ ଉଦ୍‌ଗାରିବାରେ ଲାଗିଥିବ ସିନା,–ମାତ୍ର ତଥାପି ନିଜର ବେଢ଼ାଟି ଭିତରେହିଁ ବନ୍ଦ ହୋଇ ରହିଥିବ, ବଡ଼ ଅଲଗା ଏବଂ ଅଲକ୍ଷଣା ହୋଇ ରହିଥିବ । ତୁମରି ଏହି ମନ୍ଦବୃତ୍ତିଟାର ଫଳରେ ସମ୍ପ୍ରଦାୟମାନେ ମଧ୍ୟ ଅଧିକରୁ ଅଧିକ କର୍କଶ ହେବାରେ ଲାଗିଥିବେ, ମାତ୍ର ପୃଥିବୀଟିଯାକ ସତେଅବା ଅନ୍ଧାର ହୋଇ ରହିଥିବା ଏବଂ ତୁମେ ନିଜେହିଁ ସେହି ଅନ୍ଧାରର ଏକ କାରଣ ହୋଇ ରହିଥିବ । ସତ୍ୟନାମରେ ବାରମାସରେ ତେର ପର୍ବ ପାଳୁଥିବ, ତଥାପି ସତ୍ୟକୁ ଉଢ଼ୁଆଳ କରି ରଖିଥିବ । ଯୁଗଯୁଗରୁ ଏକ ସତ୍ୟକୁ ଆପଣାର ଭ୍ରୂଣରୂପେ ସାଇତି ରଖିଥିବା ଏହି ପୃଥିବୀ ତଥାପି ନାନାପ୍ରକାରେ ଉପବାସୀ ହୋଇ ରହିଥିବ । ତେଣୁ, ଯଦି ତୁମେ ସତକୁସତ ସେଯାଏ ଯାଇଥିବ, ତେବେ ବନ୍ଧୁ, ତୁମେ ସେତିକି ସହଜରେ ଓହ୍ଲାଇବି ଆସି ପାରିବ । ଓହ୍ଲାଇ ଆସିବାରୁହିଁ ସେଯାଏ ଯାଇଥିବାର ଅସଲ ପ୍ରମାଣ ଦେବ । ତେଣୁ, ଏହି ଅବତରଣରୁହିଁ ସତ ଆରୋହଣର ଅସଲ ପ୍ରତ୍ୟୟଗୁଡ଼ିକ ଉପଲବ୍ଧ ହୋଇ ପାରିବ,–ସେହି ପ୍ରତ୍ୟୟଗୁଡ଼ିକରେ ଏକ ଯଥାର୍ଥ ସଂକ୍ରମଣ ଲାଗି ଆଗକୁ ବାଟ ଖୋଲିଯିବ । ଏବଂ, ଆହୁରି ଅଧିକ ସତକଥାଟି ହେଉଛି, ସହଜରେ ଅର୍ଥାତ୍ ଏକ ସର୍ବପରିପୂର୍ଣ୍ଣ ଅନ୍ତର୍ଖୁସୀ ସହିତ ଓହ୍ଲାଇ ଆସି ପାରୁଥିଲେ ଯାଇ ତୁମେ ସତକୁସତ ଖୁସୀ ହୋଇ, ବାସନା ପାଇହିଁ ତୁମେ ନିଜର ଆରୋହଣଟିକୁ ମଧ୍ୟ ସମ୍ଭବ କରିଛ ବୋଲି ପ୍ରମାଣ ମିଳିପାରିବ । ନହେଲେ, ହୁଏତ ସୂଚନା ମିଳିବ ଯେ, ତୁମେ ନିଜ ଦୁଃଖରେ, ନିଜ ଘାଆଗୁଡ଼ାକଦ୍ଵାରା ଘାରି ହୋଇ ଛଟପଟ ହେଲାପରି କେଉଁଠି ଏକ ଆଶ୍ରୟ ପାଇବାଲାଗି ହୁଏତ ଦଉଡ଼ି ପଳାଇ ଯାଇଛ ଏବଂ ସେଇଟିକୁହିଁ ଆରୋହଣ ବୋଲି ଭ୍ରମ କରିବାରେ ଲାଗିଛ । ନିଜର ଦୁଃଖଟାକୁ ମେଣ୍ଟାଇବା ନିମନ୍ତେ ତୁମେ ପୃଥିବୀର ଦୁଃଖକୁ ବଢ଼ାଉଛ । କିନ୍ତୁ, ସତ କହିଲ, ତଦ୍ଦ୍ଵାରା ତୁମେ ନିଜର ଦୁଃଖଟାକୁ ମଧ୍ୟ ମେଣ୍ଟାଇ ପାରିଛ କି ?

 

୧୪ । ୫ । ୨୦୦୨

 

ଓଜନିଆ କଥାଗୁଡ଼ିକରେ ଓଜନ ନଥାଏ । ସେମାନେ ସତେଅବା ସିଧା ଯାଇ ହୃଦୟକୁ ସ୍ପର୍ଶ କରି ପାରନ୍ତି ଏବଂ ସେଠାରୁ ଆସି ମଥାପାଖରେ ପହଞ୍ଚିଲାବେଳକୁ ଭାରି ହାଲୁକା ହୋଇ ଯାଇଥାନ୍ତି । କେତେ ନା କେତେ ଗଣ୍ଠିକୁ ଫିଟାଇଦେଇ ପାରନ୍ତି । କେତେ ନା କେତେ ନୂଆ ମିତ୍ରତା ଏବଂ ନୂଆ ସମ୍ପର୍କର କାରଣ ହୁଅନ୍ତି । ସେତୁ ଭଳି କାର୍ଯ୍ୟ କରନ୍ତି । ବାହାରେ ଓ ଭିତରେ ଛିଣ୍ଡି ଯାଇଥିବା କେତେ କେତେ ଖିଅକୁ ଯୋଡ଼ି ଦିଅନ୍ତି । ଏବଂ, କେତେ ନା କେତେ ନୂଆ ଅନୁରାଗର ଅନ୍ଵେଷଣା କରାଇ ଆଣନ୍ତି ।

 

କୌଣସି ବୋଝ ବୋହୁଥିବାର ଅନୁଭବ ତ ସେତିକିବେଳେ ହୁଏ, ଯେତେବେଳେ ମଣିଷ ବାଧ୍ୟ ହେଉଥାଏ । ଅବଧାନମାନେ ନୀତି ଶିଖାଉଥିବା ସମୟରେ ଭାରି ବାଧ୍ୟ ହେଉଥିବା ପରି ମନେହୁଏ । ଏବଂ, ବିଷ୍ଣୁଶର୍ମାକୁଳ ଯେତିକି ସରାଗରେ ନିଜ ମାରଫତରେ ରହିଥିବା ଶାବକମାନଙ୍କ ଉପରେ ହିତୋପଦେଶ ଏବଂ ନୀତିବାକ୍ୟଗୁଡ଼ିକୁ ଆଣି ଅଜାଡ଼ି ଦେଉଥାନ୍ତି, ବିଚରା ଶାବକମାନଙ୍କର ବୋଝଟା ମଧ୍ୟ ତାହାଫଳରେ ସେତିକି ଅବଶ୍ୟ ବଢ଼ିହିଁ ଯାଉଥିବ । ଅତ୍ୟନ୍ତ କରୁଣ ଭାବରେ ବଢ଼ି ଯାଉଥିବ । ଭିତରକୁ ଆଦୌ କିଛିହେଲେ ପ୍ରବେଶ କରୁ ନଥିବ,–ମଥା ନାମକ ସେହି ଅନିଚ୍ଛୁକ ହତାଟା ଭିତରେହିଁ କିୟତ୍‌କାଳ ନିମନ୍ତେ ନଡ଼ବଡ଼ ହୋଇ ସେହିଠାରୁ ବିଦା ହୋଇ ଚାଲି ଯାଉଥିବ । ଅସାଧୁ ମଣିଷମାନେ କହୁଥିବା କଥାଗୁଡ଼ିକୁ ସେମାନେ ଅତ୍ୟନ୍ତ ସଚେତନ ଭାବରେ ଆମ ଉପରେ ଆଣି ଗଦା କରିଦେବାକୁ ଯେତେ ଯେତେ ଶ୍ରମ କରୁଥିବେ, ଆମକୁ ସେଗୁଡ଼ିକୁ ସେତିକି ଅଧିକ ବିରକ୍ତିକର ଭାବରେ ତୁଚ୍ଛା ବୋଝ ଭଳିହିଁ ମନେ ହେଉଥିବେ । ନିଜ ନିଜ ପାଣ୍ଡିତ୍ୟର ପ୍ରଦର୍ଶନ କରିବାର ମତଲବରେ ପଣ୍ଡିତମାନେ ମଧ୍ୟ ସେତିକି ଉତ୍ସାହରେ ବହୁ ବହୁ ଗ୍ରନ୍ଥରୁ ଦୁହିଁ ଆଣିଥିବା ଦାନାଗୁଡ଼ାକୁବି ଆମ ଉପରେ ଆଣି ଅଜାଡ଼ି ଦେବାରେ ଲାଗିଥାନ୍ତା । ତାହାଦ୍ୱାରା ପୃଥିବୀରେ ହୁଏତ ଆଦୌ କୌଣସି ପାଣ୍ଡିତ୍ୟ ବଢ଼େନାହିଁ, ବରଂ ଅନିଚ୍ଛୁକତା ଏବଂ ଅଶ୍ରଦ୍ଧାମାନେହିଁ ବଢ଼ିବାରେ ଲାଗିଥାଆନ୍ତି । ଓଜନିଆ ମଣିଷଙ୍କର କଥାମାନ ଏହି ପୃଥିବୀରେ ଯୁଗେଯୁଗେ ବୋଝହିଁ ବଢ଼ାଇ ଆସିଛନ୍ତି । ସତକୁସତ କିଛି ଉପଲବ୍ଧି କରିଥିବା ମନୁଷ୍ୟମାନେହିଁ ପ୍ରକୃତରେ ଓଜନିଆ ଯାବତୀୟ କଥାକୁ ହୃଦୟଗୁଡ଼ିକୁ ଯାଇ ଛୁଇଁ ପାରିବା ଲାଗି ସମର୍ଥ କରାଇଦେଇ ପାରନ୍ତି । ସେହି ଉପଲବ୍ଧିର ମନୁଷ୍ୟମାନେହିଁ ପ୍ରକୃତ ସୁହୃତ୍ ହୁଅନ୍ତି । ଦେଶ ଏବଂ କାଳର ସକଳ ବ୍ୟବଧାନକୁ ଭୁଲାଇ ଦିଅନ୍ତି । ସତକୁସତ ଓଜନିଆ କଥାମାନେ ଯେଉଁ ଦେଶର କିମ୍ବା ଯେଉଁ କାଳର ହୋଇଥାଆନ୍ତୁ ପଛକେ, ସମଗ୍ର ପୃଥିବୀକୁ ଏକତ୍ର ସେହି ଗୋଟିଏ ବିରାଦରୀ ଭିତରକୁ ବାନ୍ଧି ଆଣିବାରେ ହୁଏତ ସବୁଠାରୁ ଅଧିକ ସହାୟତା କରିଛନ୍ତି । ସେହି ବିରାଦରୀଟିହିଁ କେଡ଼େ ସହଜରେ ସିଧା ହୃଦୟଥାନମାନଙ୍କରେ ଯାଇ ପହଞ୍ଚି ପାରିଛି ଓ ମଥାର ଏହି ମଝି ପାହାଚଟାକୁ ମଧ୍ୟ ଅବାକ୍ କରିଦେଇଛି ।

 

୧୫ । ୫ । ୨୦୦୨

 

ଯଦି ବ୍ୟକ୍ତିମାନେ ସତକୁସତ ଯୋଗ୍ୟ ହେଲେ, ତେବେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏତେ ଟକ୍କର କାହିଁକି ଲାଗିଲା । ଯଦି ଜାତିମାନେ ସତକୁସତ ଯୋଗ୍ୟ ହେଲେ, ତେବେ ଜାତି ଜାତି ମଧ୍ୟରେ ଏତେ ଟକ୍କର ଲାଗିଲା କାହିଁକି ? ଯଦି ଜ୍ଞାନ ସତକୁସତ ବୃଦ୍ଧି ପାଇଲା, ଧନ ବୃଦ୍ଧି ପାଇଲା, ତେବେ ଏହି ପୃଥିବୀରେ ଥୋକାଏ ମଣିଷ ସେମାନଙ୍କର ମନମୁଖୀ ସୁଖଭିତରେ ରହିପାରିବେ ବୋଲି କୋଟି କୋଟି ମଣିଷଙ୍କୁ ଏପରି ବଞ୍ଚିତ ଓ ଅକିଞ୍ଚନ ହୋଇ କାହିଁକି ରହିବାକୁ ପଡ଼ିଲା ? ଯଦି ସତକୁସତ ଭଲପାଇବାମାନେ ବୃଦ୍ଧି ପାଇଲେ, ତେବେ ଭୟଟା ମଧ୍ୟ ବୃଦ୍ଧି ପାଇଲା କାହିଁକି ? ଏବଂ, ଯଦି ସଭ୍ୟତା ଓ ସଂସ୍କୃତି ବୃଦ୍ଧି ପାଇଲା, ତେବେ ଦୂରତାମାନେ, ସନ୍ଦେହମାନେ ଓ ହିଂସ୍ରତାମାନେ ଏପରି ପ୍ରବଳ ହୋଇପାରିଲେ କିପରି ? ବ୍ୟକ୍ତିମାନଙ୍କ ମଧ୍ୟରୁ କେତେ କେତେ ମହାପୁରୁଷ ବାହାରିଲେ, କେତେ କେତେ ମହାନ୍ ସନ୍ଦେଶକୁ ସେମାନେ ଆମ ସମସ୍ତଙ୍କର ଘରପାଖକୁ ବହନ କରି ଆଣିଲେ, ଭଗବାନଙ୍କୁ ସତେଅବା ପ୍ରତ୍ୟକ୍ଷରେ ଦେଖି ଆସିଥିବା ପରି କଥାମାନ କହି ଆମକୁ ଏତେ ଏତେ ପ୍ରକାରେ ଉଲ୍ଲସିତ କଲେ,–ଆମଠାରୁ ପୂଜାଦି ପାଇ ଶିଖର ଉପରେ ଯାଇ ବସିଲେ ଏବଂ ପୀଠମାନଙ୍କରେ ଭାଡ଼ି ମାରି ରହିଗଲେ । ଆମ ବର୍ତ୍ତମାନଟାକୁ ଅତ୍ୟନ୍ତ ଦୟନୀୟ ଭାବରେ ବ୍ୟାଧିଗ୍ରସ୍ତ କରି ରଖି ଅତୀତମାନଙ୍କୁ ବହୁବର୍ଣ୍ଣ କରି ପ୍ରଦର୍ଶିତ କରାଗଲା । ତଦ୍ଦ୍ଵାରା ଅଭିମାନ ବଢ଼ିଲା, ଏହି ଅଧମବୁଦ୍ଧି ସ୍ଵାଭିମାନୀମାନେବି ବୃଦ୍ଧି ପାଇଲେ । ଚଳନ୍ତି ଅରୀତିଗୁଡ଼ିକର କବଳରେ ପଡ଼ି କୋଉଠିସବୁ କେତେକଅଣ ବିଗିଡ଼ିଗଲା ଯେ, ବ୍ୟକ୍ତିମାନଙ୍କର ବିକାଶ ନାମରେ ଗଣ୍ଠିମାନେହିଁ ବଢ଼ିଲେ, ବିଣ୍ଡିମାନେ ବୃଦ୍ଧି ପାଇଲେ । ପରସ୍ପର ପାଖରେ ଭାରି ଅଛୁଆଁ ହୋଇ ରହିଲେ ।

 

ଚାଲ, ଆମେ ଏଣିକି ଏଭଳି ଭାବରେ ଉଚ୍ଚ, ଏକାଏକା ଏବଂ ଅଛୁଆଁ ହୋଇ ରହିବାକୁହିଁ ସବୁଠାରୁ ବଡ଼ ଅପରାଧ ବୋଲି ବୁଝିବା । ଜଣେ ବ୍ୟକ୍ତିଲାଗି ମଧ୍ୟ ସକଳବିଧ ଅର୍ଥରେ ସବାବଡ଼ ଅପରାଧ । ଆମେ ଏକାଠି ବସିବା, ଦୁଃଖସୁଖ ହେବା,–ଏକ ଅନ୍ୟସମ୍ଭାବନାର ଭୂମି ଉପରେ ଆମେ ପରସ୍ପର ପାଖକୁ ଆହୁରି ଲାଗି ଆସିବା । ଆମ ମହାପୁରୁଷମାନଙ୍କର ଭବିଷ୍ୟଚିତ୍ରଗୁଡ଼ିକର ଧରାବତରଣ ନିମନ୍ତେ ପାରସ୍ପରିକତାକୁହିଁ ଆମେ ସବାବଡ଼ ମାର୍ଗ ବୋଲି ଜାଣିବା । ସେହି ପାରସ୍ପରିକତାରୁହିଁ ଅସଲ ରହସ୍ୟଗୁଡ଼ିକୁ ଆବିଷ୍କାର କରି ଶିଖିବା । ହୁଏତ ତାହାହିଁ ଏଣିକି ଆମର ଯାବତୀୟ କାତରତାକୁ ଦୂର କରିବା ନିମନ୍ତେ ଆମପାଇଁ ସବାବଡ଼ ଭେଷଜ ଭଳି କାମ ଦେବ । ତାହାହେଲେ ଯାଇ ନିଜର ଅସଲ ଉଦୟଗୁଡ଼ିକର ମାଧ୍ୟମରେ ବ୍ୟକ୍ତିମାନେ ପରସ୍ପର ମଧ୍ୟରେହିଁ ଆପଣାକୁ ଆବିଷ୍କାର କରି ପାରିବେ । ଅସଲ ଡୋରଟିକୁ ଠଉରାଇ ନେଇ ପାରିବେ । ଏବଂ ତଦ୍ଦ୍ଵାରା ଆମର ଆଗାମୀ ପୃଥିବୀଟା ସକାଶେ ଏକ ଅଧିକ ନିର୍ଭରଯୋଗ୍ୟ ମୂଳଦୁଆ ମଧ୍ୟ ପଡ଼ିପାରିବ ।

 

୧୬ । ୫ । ୨୦୦୨

 

ବନ୍ଧୁଟିଏ ପାଇଥିଲି ଏବଂ ସେଇଥିପାଇଁ ମୁଁ ଏହି ପୃଥିବୀରେ ଯେଉଁଠାକୁ ଗଲି ଓ ଯାହାକିଛି ହେବାକୁ ଚେଷ୍ଟା କଲି, ସବୁଠି ଅବାଆଗ ବନ୍ଧୁଟିଏ ହୋଇପାରିବା ନିମନ୍ତେ ମୋ’ର ପ୍ରୟାସଟିହିଁ ମୋତେ ଆଗକୁ ଆଗ ଟାଣି ନେଇଗଲା । ସିଏ ଆଜିକୁ ଷାଠିଏବର୍ଷ ତଳର କଥା । ଠିକ୍ କାଲି ଭଳି ମନେ ହେଉଛି ।

 

ଜଣକର ବନ୍ଧୁ ହୋଇ ପାରିବାର ପ୍ରୟାସ କରି ଜଣେ ମଣିଷ ଯେ ପୃଥିବୀଯାକର ବନ୍ଧୁ ହୋଇ ରହିବା ନିମନ୍ତେ ସାହସ କରିପାରେ, ମୁଁ ସେହି ସତକଥାଟିକୁ ମୋ’ ଜୀବନଯାକ ଅନୁଭବ କରି ଆସି ପାରିଲି । ବନ୍ଧୁଟିଏ ପାଇବାର, ବନ୍ଧୁଟିଏ ଖୋଜିବାର ସବୁଠାରୁ ସୁନିଶ୍ଚିତ ମାର୍ଗ ହେଉଛି ଆପେ ସତକୁସତ ବନ୍ଧୁଟିଏ ହେବାପାଇଁ ମନ କରିବା । ବନ୍ଧୁ ଖୋଜିବାରେ ଆଖି, ସିଏ ପ୍ରକୃତରେ ଏକ ଭିନ୍ନ ଆଖି ସେହି ଆଖିକୁ ପାଇବା,–ସେହି କଥାଟି ସତେଯେପରି ଭଗବାନଙ୍କର ଜଣେ ମଣିଷ ନିମନ୍ତେ ବସ୍ତୁତଃ ସବୁଠାରୁ ବଡ଼ ଆଶୀର୍ବାଦଟିଏ, ଯାହାକୁ ଏହି ପୃଥିବୀରେ ସବୁକିଛିକୁହିଁ ପୁଣ୍ୟରେ ପରିଣତ କରି ଦେଇପାରେ । ସଂସାରଟି ମଧ୍ୟରେ ହୁଏତ ସବୁ ସେହିପରି ରହିଥାଏ, ତଥାପି ସବୁକିଛି ଭଲ ଲାଗେ, ଶ୍ରଦ୍ଧାରେହିଁ ଭରି ରହିଥିଲା ପରି ଲାଗୁଥାଏ । ସମସ୍ତେ ଭଲ ଲାଗନ୍ତି,–ଆକାଶଠାରୁ ଆରମ୍ଭ କରି ପାଦତଳର ଏହି ଭୂମି ପର୍ଯ୍ୟନ୍ତ ସମସ୍ତେ ଅଭୟଦାନ କରନ୍ତି । ଅର୍ଥାତ୍, ଏକ ଉଭୟ ମଧ୍ୟକୁ ବାଟ ଦେଖାଇ ଦିଅନ୍ତି । ଭଗବାନ ଭଲ ଲାଗନ୍ତି, ବନ୍ଧୁଟିଏ ପରି ଲାଗନ୍ତି । ଅନାଇଦେବାମାତ୍ରକେ ଭିତରେ ଓ ବାହାରେ ଉଭୟତ୍ର ଠାବ ହୋଇ ପାରନ୍ତି । ନିଜ ଜୀବନର କୌଣସି ପ୍ରୟାସ ଆଉ ମୋଟେ ଗୋଟିଏ ଶ୍ରମପ୍ରୟାସ ପରି ମନେ ହୁଏନାହିଁ । ତା’ପରେ ଏହି ପୃଥିବୀରେହିଁ ତିଆରି ହୋଇଥିବା ଓ ମଣିଷକୁ ମଣିଷଠାରୁ ନାନା ଦୂରତା ତଥା ଯାବତୀୟ ଅଧ୍ୟାସ ଭିତରେ ଅଲଗା କରି ରଖିଥିବା କାନ୍ଥବାଡ଼ଗୁଡ଼ିକୁ ମଧ୍ୟ କ୍ରମେ ଅନ୍ତର୍ହିତ ହୋଇ ଯାଆନ୍ତି । ତେଣୁ, ଆଉ ମୋଟେ ଡର ମାଡ଼େନାହିଁ । ମୁଁ ବର୍ତ୍ତମାନ ଭାବୁଛି,–ମୋ’ର ସବୁକିଛି ଅର୍ଜନ,–ଜ୍ଞାନ ଏବଂ ସାମର୍ଥ୍ୟ ସବୁକିଛି ମୋତେ ବନ୍ଧୁଟିଏ ହୋଇ ପାରିବାରେହିଁ ସତତ ସାହାଯ୍ୟ କରି ଆସିଛି, ମୋତେ ଠିକ୍ ଜନନୀଟିଏ ପରି ବହୁ ବୈରାଗ୍ୟରୁ ବଞ୍ଚାଇ ରଖିଛି । ତେଣୁ, ସେହି ପ୍ରଥମ ଦିନଟିକୁ ମୋ’ର କୋଟି କୋଟି ନମସ୍କାର, ଯେଉଁଦିନ ମୋ’ ଭିତରଟା ଏଡ଼େ ସ୍ଵାଭାବିକ ଭାବରେ ଖୋଲିଗଲା, ମୋତେ ଜଣେ ବନ୍ଧୁ ଆଣିଦେଲା । ତା’ପରେ, ଯେତେ ଯେତେବେଳେହିଁ ମୁଁ ନିଜ ଭିତରକୁ ଅନାଇ ଦେଖିଛି, ସେତେବେଳେ ମଧ୍ୟ ସେଠାରେ ସତେଅବା ଏକ ପୂର୍ବଦିଗରୁ ସିନ୍ଦୂରା ଫାଟି ଆସୁଥିବା ପରି ଅନୁଭବ ହୋଇଛି, ଶୁଭରହିଁ ଅନୁଭବ ହୋଇଛି । ଏବଂ, ମୁଁ ସମ୍ପୂର୍ଣ୍ଣ ଭାବରେ ଆବିଷ୍କାର କରି ପାରିଛି ଯେ, ସବାଆଗ ସତକୁସତ ବନ୍ଧୁଟିଏ ହୋଇ ପାରିବାର ସେହି ମୂଳପ୍ରୟାସଟିକୁ କରିପାରିଲେ ଏହି ପୃଥିବୀଯାକହିଁ ତୁମକୁ ଗୋଟିଏ ବନ୍ଧୁଘର ପରି ନିଶ୍ଚୟ ଲାଗିବ-। ତୁମେ ଚାହିଁଦେବାମାତ୍ରକେହିଁ ଏଠାରେ ଭଗବାନ ସବୁକିଛିକୁ ପୂର୍ଣ୍ଣ କରି ରଖିଥିବା ପରି ମାନ ହେବେ । ଭଗବାନ ପୂରା ସହଜ ହୋଇଯିବେ ।

 

୧୭ । ୫ । ୨୦୦୨

 

ଶ୍ରୀମତୀ Louise Michel ଙ୍କର ଜୀବନୀ ବହିଟିଏ ପଢ଼ୁଥିଲି । ତାଙ୍କ ବିଷୟରେ ଆଗରୁ ମୋ’ର ସର୍ବସାମାନ୍ୟ କୌଣସି ଜ୍ଞାନ ମଧ୍ୟ ନଥିଲା । ତେଣୁ, ପ୍ରାୟ ଗୋଟିଏ ନିଃଶ୍ଵାସରେ ବହିଟିକୁ ପଢ଼ିଗଲି । ଅସଲ ମଣିଷମାନେ ଯେ ଯୁଗେଯୁଗେ ସେହି ଗୋଟିଏ ପ୍ରକାରେହିଁ ପୃଥିବୀରେ ନିଜର ଜୀବନକୁ ବଞ୍ଚିଛନ୍ତି, ସେହି କଥାଟି ମୋ’ପାଇଁ ଆହୁରି ପ୍ରାଞ୍ଜଳ ହୋଇ ଉଠିଲା । ସେମାନେ ସମସ୍ତେ ଏହି ପୃଥିବୀରେହିଁ ମଣିଷକୁ, ସବୁ ମଣିଷଙ୍କୁ ଉଜ୍ଜ୍ଵଳ ଅର୍ଥାତ୍ ପୂର୍ଣ୍ଣପ୍ରତିଭରୂପେ ଦେଖିବାପାଇଁ ଇଚ୍ଛା କରିଛନ୍ତି । ସେଥିପାଇଁ ସେମାନେ ଯୁଗେଯୁଗେ ଅନୁରୂପ ସ୍ଵପ୍ନମାନ ଦେଖିଛନ୍ତି, ପରିପୂର୍ଣ୍ଣ ନିଷ୍ଠାର ସହିତ ସେଇଥି ସକାଶେ ଆପଣାକୁ କ୍ରିୟାଶୀଳ କରାଇଛନ୍ତି,–ମୋଟେ ଭୟ କରିନାହାନ୍ତି,–ଏବଂ ସେହିଭଳି ଜୀନବନଟିଏ ବଞ୍ଚିବାରୁହିଁ ସେମାନେ ସବୁଠାରୁ ଅଧିକ ଆନନ୍ଦବି ଲାଭ କରି ପାରିଛନ୍ତି । ମଣିଷମାନେ ପୃଥିବୀଲାଖି ହେବେ ଏବଂ ଏହି ପୃଥିବୀ ମଧ୍ୟ ମଣିଷଲାଖି ହୋଇ ତିଆରି ହୋଇ ପାରିବ,–ଆପଣାର ଅସଲ ସଂଗ୍ରାମଗୁଡ଼ିକୁ ସେମାନେ ଏଇଥିପାଇଁ ଲଢ଼ିଛନ୍ତି-। ଅସଲ ରାଜନୀତି, ଅସଲ ଶାସନ, ଅସଲ ବିପ୍ଳବ ତଥା ପ୍ରତିବାଦଗୁଡ଼ିକ, ଅସଲ ଧର୍ମ ଓ ଅସଲ ଅଧ୍ୟାତ୍ମ, ଅସଲ ସକଳ ପ୍ରକାରର ଜ୍ଞାନ ଏବଂ ବିଜ୍ଞାନ ମୂଳତଃ ସେଇଥି ସକାଶେ ଉତ୍ସର୍ଗୀକୃତ ହୋଇ ରହିବା ଉଚିତ ବୋଲି ସେମାନେ ଘୋଷଣା କରିଛନ୍ତି । ଏହି ପୃଥିବୀର ଦୈନନ୍ଦିନ ମନୁଷ୍ୟ ଜୀବନରେ ଏପରି ଏକ ପାରସ୍ପରିକତା ସମ୍ଭବ ହୋଇ ଆସିବ, ଯେପରିକି ସ୍ଵୟଂ ଭଗବାନ ଏହି ମର୍ତ୍ତ୍ୟଭୂମିରେ ନିତ୍ୟବିଦ୍ୟମାନ ହୋଇ ରହିଥିବାର ପ୍ରତ୍ୟକ୍ଷ ହେଉଥିବ ।

 

ପୃଥିବୀର ଭୋଗୀମାନେ ସେହିସବୁ ଲଢ଼ାଇବାରେ କୌଣସି ଭାଗ ନେଇ ପାରିନାହାନ୍ତି-। ସେମାନେ ବାଟ ଓଗାଳି ବସିଛନ୍ତି । ବାଧା ଦେଇ ଆସିଛନ୍ତି । ପ୍ରଚଣ୍ଡରୁ ଆହୁରି ପ୍ରଚଣ୍ଡ ହୋଇଛନ୍ତି-। ମନୁଷ୍ୟମାତ୍ରକେ ସଭିଙ୍କୁ କୌଣସି ଭାଗ ନଦେବାକୁହିଁ ଅସଲ ସମର୍ଥତା ଏବଂ ଅସଲ ବଡ଼ପଣ ବୋଲି ଭାବିଛନ୍ତି । ମଣିଷ ଭିତରେ ଥିବା ଅମିତ ଶକ୍ତିକୁ ସେମାନେ ନିଜପାଖରେହିଁ ନାନା ଗଣ୍ଠି ପକାଇ ରଖିବାର ହଟପ୍ରୟାସଗୁଡ଼ିକୁ କରିଛନ୍ତି ଏବଂ ପାଶବିକ ହୋଇଛନ୍ତି । ସେଥିପାଇଁ, ମଣିଷର ମୂଳଭୂତ ସଂଗ୍ରାମଗୁଡ଼ିକ ସେହି ପାଶବିକତା ବିରୁଦ୍ଧରେହିଁ କରାଯାଇଛି । ଏହି ପୃଥିବୀ ନିମନ୍ତେ ଅପେକ୍ଷା କରି ରହିଥିବା ପ୍ରତିଶ୍ରୁତିଗୁଡ଼ିକୁ ପଣ୍ଡ କରି ଦେବାଲାଗି ଚକ୍ରାନ୍ତ କରି କରି ପାଶବିକତାମାନେ କ୍ରମେ ବୋମାଯାଏ ଆସି ପହଞ୍ଚିବି ଗଲେଣି । ତଥାପି ପ୍ରତିବାଦ ବନ୍ଦ ହୋଇ ଯାଇନାହିଁ । ମିଚେଲମାନେ ହଟିଯାଇ ନାହାନ୍ତି । ପରୀକ୍ଷା ସବୁ ଏବେ ମଧ୍ୟ ଚାଲିଛି । ଏବେ ମଧ୍ୟ ସାହସୀମାନେ ପରସ୍ପରକୁ ଖୋଜିବାରେ ଲାଗିଛନ୍ତି । ମନୁଷ୍ୟ ଜୀବନର ଅସଲ ସ୍ଵୀକୃତିଗୁଡ଼ିକୁହିଁ ସମ୍ବଳ ଏବଂ ପରମବଳରୂପେ ଗ୍ରହଣ କରି ଆମର ଏହି ପୃଥିବୀଟି ନିତ୍ୟ ଅଗ୍ରସର ହୋଇ ଯାଉଥିବ,–କଳ୍ପିତ ଯଥାର୍ଥ ଅବତରଣଗୁଡ଼ିକୁ ତାହାରିଦ୍ଵାରା ସମ୍ଭବ ହେବ । ଏବଂ, କେବଳ ଆଶୀର୍ବାଦପ୍ରାପ୍ତମାନେହିଁ ସେହି ସଂଗ୍ରାମରେ ଭାଗ ନେଇ ପାରିବେ ।

 

୧୮ । ୫ । ୨୦୦୨

 

ବାର୍‍ହା ରହନ୍ତୁ, ହାତୀ ରହନ୍ତୁ, ବାଘ ରହନ୍ତୁ, କୁମ୍ଭୀରବି ରହନ୍ତୁ । ଏହି ଜଙ୍ଗଲ ରହିଥାଉ, ବିରଳ ବୃକ୍ଷ ଏବଂ ବିରଳ ଚଢ଼େଇମାନେବି ଥାଆନ୍ତୁ । ଏହି ସବୁକିଛି ହେଉଛି ସମ୍ପୂର୍ଣ୍ଣ ସତ, ସମ୍ପୂର୍ଣ୍ଣ ଉଚିତ । କିନ୍ତୁ, ଥିଲାଲୋକମାନେ ଏବଂ ଗେହ୍ଲା ଲୋକମାନେ କେଉଁ ଅସମର୍ଥତା ଅଥବା ଅନ୍ତର୍ରୁଗ୍ଣତା ହେତୁ ଯେ ଏହି ପୃଥିବୀରେ ସବାଆଗ ମଣିଷମାନଙ୍କୁ ନଦେଖି ଜଙ୍ଗଲକୁ ଓ ଇତର ପ୍ରାଣୀମାନଙ୍କୁ ଦେଖନ୍ତି ଏବଂ ସଂରକ୍ଷଣ କହିଲେ ଆଗ ଏହିମାନଙ୍କର ରକ୍ଷଣ ବିଷୟରେ କହି ମନୁଷ୍ୟମାନଙ୍କୁ ଭୁଲିଯାଆନ୍ତି, ମୁଁ ସେହି କଥାଟିକୁ ଆଦୌ ବୁଝି ପାରେନାହିଁ । ସେମାନେ କ’ଣ ଭାବନ୍ତି ଯେ, ସେହି ଥିଲା ତଥା ଗେହ୍ଲାମାନେହିଁ ବିରଳ ଜଙ୍ଗଲ ଓ ବିରଳ ଜାନୁଆରମାନଙ୍କୁ ନେଇ ଏଠି ପୂର୍ଣ୍ଣ ସୁଖରେ ନିତ୍ୟନିଶ୍ଚିତ ହୋଇ ରହିବେ ଓ କୋଟି କୋଟି ମଣିଷଙ୍କୁ ଉପେକ୍ଷା କରିବାରେ ଲାଗିଥିବେ ?

 

ଆମ ପୃଥିବୀରେ ସେହି ନିଦାରୁଣତମ ଅସମାନତାଟିକୁ ସେମାନେ କିପରି ଦେଖି ପାରନ୍ତି ନାହିଁ କେଜାଣି ? ଏବଂ, ସେହି ଅସମାନତାହିଁ ପୃଥିବୀର ଏହି ଉପସ୍ଥିତ ଭାଗ୍ୟର ଭୂମିରେ ସର୍ବତ୍ର ନାନା ଅବିଚାର ଓ ଅସ୍ଵାସ୍ଥ୍ୟର କାରଣ ହୋଇ ରହିଥିବା ପର୍ଯ୍ୟନ୍ତ ପୃଥିବୀଟା ଶାନ୍ତ ହୋଇ କିପରି ବା ରହିପାରିବ ? ପୃଥିବୀଯାକର ସବୁ ମଣିଷ ଏକ ମନୁଷ୍ୟୋଚିତ ଜୀବନଯାପନର ଅଧିକାରୀ ହୋଇ ପାରିବାଲାଗି ଅତ୍ୟାବଶ୍ୟକ ଅନ୍ତତଃ ସେହି ସର୍ବନିମ୍ନ ପ୍ରଶସ୍ତତାଗୁଡ଼ିକ ଆଗ ସମ୍ଭବ ହେଲେ ଯେ ତା’ପରେ ଯାଇ ଜଙ୍ଗଲ, ଜନ୍ତୁ ତଥା ବୃକ୍ଷସକଳ ମଧ୍ୟ ଅବଶ୍ୟ ସଂରକ୍ଷିତ ହୋଇ ରହିପାରିବେ, ଆମର ଧୋବମାନେ ତାହା ତଥାପି କାହିଁକି ବୁଝି ପାରୁନାହାନ୍ତି ? ଜୀବେଦୟା ନାମରେ ଏହି ପୃଥିବୀରେ କେତେ କେତେ ହାସ୍ୟାସ୍ପଦ ଅକଥାର ସଂକୀର୍ତ୍ତନ କରାଯାଇଛି, ଶିବଜ୍ଞାନରେ ଜୀବର ସେବା କରିବା ସକାଶେ କେତେ ନା କେତେ ଉଦ୍‌ବୋଧନ ଦିଆଯାଇଛି । ପୃଥିବୀର ଥିଲାବେଳେହିଁ କେତେ ବିହ୍ଵଳ ହୋଇ ସେଗୁଡ଼ିକରେ ମାତି ଯାଇଛନ୍ତି । ସତେଅବା ସେହି ଅନ୍ୟାୟଟିକୁ ଦୋରସ୍ତ କରି ରଖିବା ଲାଗି ତଥାକଥିତ ବିଶେଷଜ୍ଞବର୍ଗ ମଧ୍ୟ ନାନାବିଧ ଚାରା ଆଣି ଯୋଗାଇ ଦେଉଛନ୍ତି । ଜ୍ଞାନୀମାନେ ଏଭଳି ଅଜ୍ଞାନ ହୋଇ ରହିଛନ୍ତି ଯେ, ଏହି ପୃଥ୍ଵୀସଂରକ୍ଷଣ ସମ୍ପର୍କୀୟ ସେମାନଙ୍କର ଯାବତୀୟ ଯୋଜନାରୁ ପୃଥିବୀର ଅଧେ ମଣିଷଙ୍କୁ ବହିଷ୍କୃତ କରି ରଖାଯାଇଛି । ବାବୁ, ଏହି ଚତୁରତାଗୁଡ଼ିକୁ କରି ତୁମେ କଦାପି ପୃଥ୍ଵୀଧର୍ମର ରକ୍ଷା କରି ପାରିବ ନାହିଁ । ଏପରିକି ନିଜକୁ ମଧ୍ୟ ଦେଖି ପାରିବନାହିଁ । ସବାଆଗ ମଣିଷମାତ୍ରକେ ସମସ୍ତେ ଲୋଡ଼ା ହେବେ, ସମ୍ମାନର ସହିତ ଲୋଡ଼ା ହେବେ । ସେମାନେ ଏକାଠି ବସିବେ ତେବେ ଯାଇ ସବୁକିଛି ସଂସ୍ଥାପନ ସମ୍ଭବ ହେବ । ଅସଲ ବିବେକଗୁଡ଼ିକର ପ୍ରତିଷ୍ଠା ହୋଇପାରିବ । ତେଣୁ, ତୁମେ ଏଥର ସଳଖ ହୁଅ, ମୋଟେ ଚଗଲା ହୁଅନାହିଁ,–ହିଂସ୍ରପଣ ଛାଡ଼ । ବାଟ ଛାଡ଼ିଦିଅ, ସଂରକ୍ଷଣର ଯାବତୀୟ ଅନୁମାନକଳ୍ପନାରେ ତୁମେ ପ୍ରଥମେ ସବୁ ମଣିଷଙ୍କ ପାଇଁ ଥାନ ଛାଡ଼ିଦିଅ ।

 

୧୯ । ୫ । ୨୦୦୨

 

ଭବିଷ୍ୟତଟା ଗୋଟାଏ shock ପରି ଏହି ପୃଥିବୀ ଉପରକୁ ମାଡ଼ି ଆସୁଛି ବୋଲି ପ୍ରାୟ ତିରିଶବର୍ଷ ଶ୍ରୀ ଆଲ୍‌ଭିନ୍ ଟଫ୍‌ଲର୍ ନିଜର ଗୋଟିଏ ବହିରେ ଆମ ସମସ୍ତଙ୍କୁ ଚେତାବନୀ ଦେଇଥିଲେ । ବିଜ୍ଞାନ ଏବଂ ବୁଦ୍ଧିକୌଶଳ ତାଙ୍କର ପର୍ଯ୍ୟବେକ୍ଷଣ ଅନୁସାରେ ଏପରି ଏକ ଭବିଷ୍ୟତକୁ ପୃଥିବୀଲାଗି ଡାକି ଆଣିବାକୁ ଯାଉଛି ବୋଲି ସେ କହିଥିଲେ, ଯାହାକି ପୃଥିବୀଯାକର ମଣିଷଙ୍କୁ ଏକ ଅଭୂତପୂର୍ବ ଆହ୍ଵାନର ସମ୍ମୁଖୀନ କରାଇବ । ତାହା ସେମାନଙ୍କଠାରୁ କେତେକ ନିର୍ଦ୍ଦିଷ୍ଟ ପରିବର୍ତ୍ତନର ଦାବି କରିବ । ଦୃଷ୍ଟି ପରିବର୍ତ୍ତନ, ଆନ୍ତର୍ଜାତିକ ଚାହାଣି ତଥା ଚଳଣିଗୁଡ଼ିକରେ ପରିବର୍ତ୍ତନ,–ଏବଂ, ସବୁ କଥାକୁ ଗୋଟିଏ କଥାରେ କହିଲେ, ପାରସ୍ପରିକତାର ବିବିଧ କ୍ଷେତ୍ରରେ ଏକ ସମୂଳ ପରିବର୍ତ୍ତନ । ନହେଲେ, ଏହି ମଣିଷ ପୂରା ହାରିଯିବ ଓ ତାହାର ସେହି ଅସମର୍ଥତା ଫଳରେ ପୃଥିବୀନାମକ ତା’ର ଏହି ବାଟ ଏବଂ ଏହି ଉଦ୍ୟମଟା ମଧ୍ୟ ଚରମ ଭାବରେ ବିପନ୍ନ ହୋଇଯିବ ବୋଲି ସେ କେଡ଼େ ନିଷ୍ଠାର ସହିତ ସମସ୍ତଙ୍କୁ ସାବଧାନ କରାଇ ଦେଇଥିଲେ ।

 

ବିଗତ ପଚାଶବର୍ଷ ମଧ୍ୟରେ ସେହି ବିପଦରୂପୀ ବୃକ୍ଷରୁ ଆହୁରି କେତେ କେତେ ଗଜା ଓ ନୂଆ ଡାଳ ବାହାରି ସାରିଲାଣି । ମାରଣାସ୍ତ୍ରମାନେ ପ୍ରବଳ ହେଲେଣି, ଅଭିନବ ପ୍ରତିଶୋଧ ଇଚ୍ଛା ଓ ତଜ୍ଜନିତ ହିଂସ୍ରତାମାନେ ଭଳିଭଳି ଆତଙ୍କବାଦର ବେଶ ପିନ୍ଧି ଦାଣ୍ଡଯାକ ଗର୍ଜନ କଲେଣି । ସରକାରୀ ଆତଙ୍କ ଓ ବେସରକାରୀ ଆତଙ୍କ, ଦୁହେଁ ଏକ ଆରେକକୁ ବଳିଯିବା ନିମନ୍ତେ ପ୍ରାୟ ଆସୁରିକ ପ୍ରତିଯୋଗିତାମାନ ଆରମ୍ଭ କରି ଦେଇଛନ୍ତି । ନେତୃତ୍ଵମାନେ କ୍ରମେ ଅଧିକରୁ ଅଧିକ ସଂକୀର୍ଣ୍ଣ ହୋଇ ଆସିଲେଣି । ଶ୍ରଦ୍ଧା ନୁହେଁ, ଭୟଟାହିଁ ସେମାନଙ୍କ ଲାଗି ସର୍ବପ୍ରଧାନ ସଞ୍ଚାଳିକା ଶକ୍ତି ହୋଇଥିବା ପରି ମନେ ହେଉଛି । ତେଣୁ, ସେମାନଙ୍କର ବାସ୍ତବ ଅନ୍ଦାଜଗୁଡ଼ିକୁ ମଧ୍ୟ ଭାରି ସ୍ଥାନୀୟ ହୋଇ ଆସିଲେଣି । ଏପରି ଏକ ପୃଥିବୀରେ ଶ୍ରୀ ଟଫ୍‌ଲର୍ ଶୁଣାଇ ଯାଇଥିବା shock ଟାକୁ ପ୍ରକୃତରେ କେତେ ମଣିଷ ଅନୁଭବ କରୁଛନ୍ତି ? ପାରସ୍ପରିକ ବିଶ୍ଵାସମାନେ କମି ଯାଉଛନ୍ତି,–ତେଣୁ ପୃଥିବୀଯାକର ମଣିଷ ଏକଠି ଗୋଟିଏ ଯୂଥରେ ଅନୁଭବ କରିବାର ସାହସ ଦେବାପାଇଁ ଯେଉଁ ଈଶ୍ଵରବିଶ୍ଵାସ ସମର୍ଥ ହୋଇ ପାରନ୍ତା, ସେହି ଈଶ୍ଵରବିଶ୍ଵାସଟା ଭାଜି ଭାଜି ଯାଉଛି । ଈଶ୍ଵର କହିଲେ ମନୁଷ୍ୟମାନେ କେବଳ ନିଜ ନିଜର ସାନ ଓ ଅଭ୍ୟସ୍ତ ଠାକୁରମାନଙ୍କୁ ଦେଖୁଛନ୍ତି । ଏତିକିବେଳେ ଏପରି ଏକ ସାହସ ଦରକାର ହେଉଛି, ଶ୍ରୀଯୁକ୍ତ Paul Tillichଙ୍କ ଭାଷାରେ ଯାହାକୁ the courage to be ବୋଲି କୁହାଯାଇ ପାରିବ । ଆମ ନିଜ ଘରଭାଷାଟି ଅନୁସାରେ ତାହାକୁ ଆମେ ସତ୍ୟାଗ୍ରହ ବୋଲି କହିବା ।

 

୨୦ । ୫ । ୨୦୦୨

 

ସୁଖବାଦୀମାନେ ନିଜର ମଞ୍ଜ ଭିତରେ ସତକୁସତ ଦୁଃଖବାଦୀ କି ନୁହନ୍ତି, ଅନେକ ସମୟରେ ମୁଁ ସେହିକଥା ଭାବି ପକାଇଥାଏ । ଏମାନେ ଦୁଃଖକୁହିଁ ଜୀବନରେ ଯାବତୀୟ ପ୍ରାପ୍ତିର ଏକ ଅକାଟ୍ୟ ନିୟମ ବୋଲି ଭାବନ୍ତି ଏବଂ ସେହି କାରଣରୁ ତଥାକଥିତ ସୁଖକୁ କାମୁଡ଼ି ଧରିଥାଆନ୍ତି । ଏକାଏକା ସବୁ ଭୋଗିବାକୁ ଇଚ୍ଛା କରନ୍ତି । ଭାଗ ଦେଲେ ସୁଖର ପରିମାଣଟା ଊଣା ହୋଇଯିବ ବୋଲି ବଡ଼ ଏକାଆଖିଆ ହୋଇ ଆଶଙ୍କା କରୁଥାନ୍ତି । ତେଣୁ, ନିଧଡ଼କ ହୋଇ ସୁଖ ପରେ ସୁଖପାଇଁ ପ୍ରାୟ ଆର୍ତ୍ତ ଓ ଅତିଆତୁର ହୋଇ ଦଉଡ଼ିବାରେ ଲାଗିଥାନ୍ତି । ନିଜ ବ୍ୟତୀତ କିଛି ଦେଖି ପାରନ୍ତିନାହିଁ । ତେଣୁ, ପୃଥିବୀ ଉପରକୁ ଭବିଷ୍ୟନାମକ ଏକ shock ମାଡ଼ିଆସୁଛି ଏବଂ ସେଥିଲାଗି କିଞ୍ଚିତ୍ ଅନ୍ୟଭଳି ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି କଥାଟିକୁ ସେମାନେ କାନ ଦେଇ ପାରନ୍ତିନାହିଁ । ନଶ୍ଵର ଜଗତଟାରେ ଯେତିକି ମିଳୁଛି, ଯେତେବେଳ ଯାଏଁବି ମିଳିପାରୁଛି, ତାହାକୁ ନିଜ ଗାତରେ ନେଇ ଭର୍ତ୍ତି କରିବା ବ୍ୟତୀତ ସେମାନଙ୍କର ଅନ୍ୟ ଧର୍ମ ନଥାଏ ।

 

ପୃଥିବୀ କହିଲେ ସଭିଙ୍କ ସହିତ ଭାଗ ବସାଇବାକୁ ଯେ ବୁଝାଏ, ଭାଗ ବସାଇ ପାରିଲେ ଯେ ସତକୁସତ ସୁଖର ଅନୁଭବ ହୁଏ, ଏହି ଆହ୍ୱାନଟିକୁ ଶୁଣିପାରିଲେ ଜଣେ ମଣିଷ ସୁହୃତ୍ ହୁଏ, ଅର୍ଥାତ୍ ସବୁ ମଣିଷଙ୍କୁ ଆପଣାର ସୁହୃତ୍‍ରୂପେ ଗ୍ରହଣ କରିନିଏ । ଆଗକୁ ଯେଉଁ ସମୟମାନେ ଆସୁଛନ୍ତି, ସେଥିରେ ମୁଁ କହିଲେ ସମସ୍ତଙ୍କ ସହିତ ଯୋଡ଼ା ହୋଇ ରହିଥିବା ଏକ ଅନ୍ୟ ନିୟତିକୁ ବୁଝାଇବ । ଏତିକି କଥାକୁ ମନ କରିପାରିଲେ ବାଡ଼ଗୁଡ଼ିକ, କୁସଂସ୍କାରଗୁଡ଼ିକ ଏବଂ ଶଙ୍କାଗୁଡ଼ିକ କ୍ରମେ ଉଠିଯିବାକୁ ଆରମ୍ଭ କରିବ । ମୋ’ପାଇଁ ସମଗ୍ର ବିଶ୍ଵ ଅପେକ୍ଷା କରି ରହିଥିବା ପରି ଅନୁଭବ ହେବ । ଦୂରତାଗୁଡ଼ିକ ସତ୍ତ୍ୱେ ସବୁଠାରେ, ସବୁ ସାନ୍ନିଧ୍ୟରେ ତଥା ସକଳ ଅବସରରେ କେବଳ ତାଙ୍କରି ପାଦଗୁଡ଼ିକର ସ୍ପର୍ଶହିଁ ମିଳି ଯାଉଥିବ । ଆଗାମୀ ବିଶ୍ଵ ସେହିପରି ଏକ ଭବିଷ୍ୟ ନିମନ୍ତେ ତିଆରି ହେବ ବୋଲି ମନୁଷ୍ୟବୁଦ୍ଧିର ସକଳ ଜ୍ଞାନ ଓ ବିଜ୍ଞାନ କେତେକଅଣ ସଜାଡ଼ି ସାଇତି ଆମ ସମ୍ମୁଖରେ ଆଣି ଗଦା କରିଦେବାରେ ଲାଗିଲାଣି । ନିଜର ଅସଲ ହୃଦୟଟି ଦେଇ ବିଶ୍ଵହୃଦୟକୁ ବାଟ ଛାଡ଼ିଦେଇ ପାରିଲେ ଏଠି କେତେ କେତେ ସମ୍ଭାବନା ଯେ ପଲ୍ଲବିତ ହୋଇ ଉଠିବ, ସବାଆଗ ସୁହୃତ୍‌ମାନେହିଁ ସେକଥା ବୁଝିବେ । କେହି ସେମାନଙ୍କୁ ବାଧ୍ୟ କରିବନାହିଁ, ସେମାନେ ମଧ୍ୟ କାହାରିକୁ ବାଧ୍ୟ କରିବେନାହିଁ,–ତଥାପି ସମସ୍ତେ ସତେଅବା ସେଇ ଗୋଟିଏ ଆହ୍ଵାନକୁ ଶୁଣିଥିବା ପରି ପରସ୍ପରର ନିକଟ ହୋଇ ଆସିବେ । ସେମାନଙ୍କର ଜୀବନଘର ଏକ ବିଶ୍ଵାୟତ ଚେତନାରେହିଁ ଘେରି ରହିଥିବା ପ୍ରମାଦଗୁଡ଼ିକର ସମାଧାନ କରି ବାହାରିବ । ସିଏ ଯେଉଁଠାରେ ଅଛି, ସେହିଠାରୁହିଁ ତା’ର ସକଳ ସାଧନା ଆରମ୍ଭ ହେବ । ତା’ ଖୁସୀ ତଥା ପ୍ରସ୍ତୁତିର ସବୁ ହାତ ପୃଥିବୀଯାକ ସବୁଆଡ଼କୁ ପାଇ ଯାଉଥିବ । ପୃଥିବୀରୁ ତ୍ରାସ ଯିବ,–ନିଜକୁ ସତକୁସତ ସନ୍ତାନଟିଏ ପରିହିଁ ଲାଗିବାକୁ ଆରମ୍ଭ କରିବ ।

 

୨୧ । ୫ । ୨୦୦୨

 

ଅଭିଭୂତ ହୋଇଯିବା, ଅର୍ଥାତ୍ ଏହି ଯାବତୀୟକୁ, ଏହି ବୃହତ୍ତରକୁ ସ୍ଵୀକାର କରିନେବା,–ଏହି ଯାବତୀୟ ଓ ବୃହତ୍ତର ମଧ୍ୟକୁ ସ୍ଵୀକୃତ ହୋଇଯିବା । ଭାବିଚିନ୍ତି ନୁହେଁ, ଆପେଆପେ । ଭିତରଟି ବାହାରକୁ ତଥା ବାହାରଟି ଭିତରକୁ । ସମ୍ପୂର୍ଣ୍ଣ ଭାବରେ ଆପେଆପେ, ସତେଅବା ମୁହୂର୍ତ୍ତଟିଏ ଆସି ପହଞ୍ଚି ଯାଇଥିବା ପରି । ଭିତରଟି ବାହାର ମଧ୍ୟକୁ ସମ୍ପ୍ରସାରିତ ହୋଇଯିବ ଏବଂ ବାହାରଟିବି ଭିତରକୁ ସମ୍ପ୍ରସାରିତ ହୋଇଆସିବ ।

 

ମୋ’ ଧର୍ମ ଭିତରେ ଗୋଡ଼ଟା ଦୃଢ଼ ହୋଇ ଆସିଲେ ଅନ୍ୟ ଧର୍ମଗୁଡ଼ିକ ମଧ୍ୟକୁ ସମ୍ପ୍ରସାରିତ ହୋଇଯିବାର ବେଳଟିଏ ଆସି ପହଞ୍ଚିଯାଏ । ମୋ’ ଦେଶର ଏହି ନିଜ ଭୂମିଟିରେ ଗୋଡ଼ ଦୃଢ଼ ହୋଇ ଆସିଲେ ଅନ୍ୟ ଦେଶଗୁଡ଼ିକ ଭିତରକୁ ସମ୍ପ୍ରସାରିତ ହୋଇଯିବାର ବେଳଟି ମଧ୍ୟ ଆସି ପହଞ୍ଚିଯାଏ । ମୋ’ ଭାଷାଟି ସହିତ ଅସଲ ଗଣ୍ଠିଗୁଡ଼ିକ ପଡ଼ିଯାଇ ପାରିଲେ ଅନ୍ୟ ଭାଷାମାନେ ମଧ୍ୟ କେତେ ଟାଣନ୍ତି, କେତେ କେତେ ପରବର୍ତ୍ତୀ ପ୍ରସାରଣର ଆନନ୍ଦ ଆଣି ଦିଅନ୍ତି । ନିଜ ଠାକୁରଙ୍କ ସହିତ ପୂର୍ଣ୍ଣ ନିର୍ଭରଯୋଗ୍ୟ ଭାବରେ ଡୋରଗୁଡ଼ିକ ଲାଗିଆସିବା ସହିତ ଯାବତୀୟ ଠାକୁର କେତେ ପରିଚିତ ଓ କେଡ଼େ ନିଜର ପରି ଲାଗନ୍ତି । ମୁଁ,–ତା’ପରେ ସମସ୍ତେ, ଏବଂ ପୁଣି ତା’ପରେ ସିଏ । ଏବଂ, ପରବର୍ତ୍ତୀ ଯେଉଁ ବେଳଟି ଜୀବନରେ ଏକ ଜଳବାୟୁ ପରି ଆସି ଅନୁଭୂତ ହେବାକୁ ଲାଗେ, ସେଠାରେ ଏହି ତିନୋଟିଯାକ ଏକାବେଳେକେ । ତାହାହିଁ ଆତ୍ମୀୟତା । ଏକ ସହଜ ସୁହୃତ୍ ସମ୍ପର୍କ ମଧ୍ୟକୁ ଉନ୍ନୀତ ହୋଇ ଚାଲିଯିବା । ଗାରମାନ ସବୁ ଥାଆନ୍ତି,–ମାତ୍ର ମୋଟେ ଉଗାଳି ରଖି ପାରନ୍ତିନାହିଁ । ତେଣୁ ଅନ୍ନ ସହିତ ଆତ୍ମାଟା ସମ୍ପୂର୍ଣ୍ଣ ଭାବରେ ଯୋଡ଼ି ହୋଇ ରହେ । କୋଉଟାକୁ ଛାଡ଼ି ଆଉ କୋଉଟାକୁ ଗ୍ରହଣ କରିନେବାର ଆଦୌ ସମସ୍ୟା ନଥାଏ । ସେତେବେଳେ ପୁରାତନ ବହିଗୁଡ଼ାକର ଆଲ୍ଲା ଓ ରାମଚନ୍ଦ୍ର ଏପରି ଏକ ବୃହତ୍ତର ମଧ୍ୟରେ ଅନ୍ତର୍ଗତ ହୋଇ ରହିବାକୁ ଆରମ୍ଭ କରନ୍ତି, ଯେତେବେଳେ କି ସେହି ସ୍ଥିତିଟାରେହିଁ ରାମ ଓ ଆଲ୍ଲା ଉଭୟେ ନିଜର ପ୍ରକୃତ ଘରଟି ଭିତରେ ଅସଲ ପ୍ରେରଣାଟିର ମଣ୍ଡଳ ଭିତରେ କେଡ଼େ ନିଜର ଲାଗନ୍ତି । ଆମ ବୁଝିବାକୁ ଦୁଇ ଜାଗାରେ ଉପାସନା କରିବାକୁ ଯାଉଥିବା ମନୁଷ୍ୟମାନେ ସତେଅବା ସେହି ଗୋଟିଏ ପ୍ରସାରଣ ନିମନ୍ତେ ଅସଲ ଅଧିକାରଟିକୁ ପାଇଗଲେ ବୋଲି କେଡ଼େ ସହଜରେ ଅଙ୍ଗେ ନିଭାଇ ହୁଏ । ମୁଁ ଗୋଟାସୁଦ୍ଧା ସେହିମାନଙ୍କର ବୋଲି ଅନୁଭବ ହୁଏ । ଏହି ଭବସିନ୍ଧୁକୁ ଏକ ଭାବସିନ୍ଧୁ ପବିତ୍ର କରି ରଖିଥାଏ । ସମସ୍ତ ପୃଥିବୀକୁ ଅଧିକରୁ ଅଧିକ ନିବିଡ଼ ଭାବରେ ପ୍ରଭବସମର୍ଥ କରିନେବାରେ ନିମିତ୍ତରୂପେ ବ୍ୟବହୃତ ହେବା,–ସେତେବେଳେ ତାହାହିଁ ଜୀବନଟିଏ ବଞ୍ଚିବାର ସ୍ଵଧର୍ମ ପ୍ରାୟ ହୋଇ ରହିଥାଏ ।

 

୨୯ । ୫ । ୨୦୦୨

 

ଯାହା ସତ୍ୟର ବିପରୀତ, ତାହାହିଁ କ’ଣ ଅସତ୍ୟ ? ଅଥବା, ଆହୁରି ଚତୁରତା ଗୋଳି କହିଲେ, ଯାହା ଅସତ୍ୟର ବିପରୀତ, ତାହାହିଁ କ’ଣ ସତ୍ୟ ? ଏହିପରି ଏକ ନିଶାଖିଆ ଆଗ୍ରାହାତୁରତାରେ ମାତି କେତେ ମଣିଷ ଏବଂ କେତେ ଧର୍ମ ଏପରି ଏକ ଅଲକ୍ଷଣା ସ୍ତରରେ ଆସି ପହଞ୍ଚିଲେଣି ଯେ, ମନେ ହେଉଛି, ସତେଯେପରି ପୃଥିବୀଟାକୁ ଏଯାଏଁ ବହନ କରି ଆସୁଥିବା ବାସୁକୀ ମଧ୍ୟ ଆପଣାକୁ ବିପନ୍ନପ୍ରାୟ ଅନୁଭବ କଲାଣି ।

 

ମୁଁ ଯେତେ ଭିତରକୁ ଯାଇପାରନ୍ତି ବୋଲି ମୋ’ ଭିତରେ ବଳ ରହିଛି, ମୋ’ପାଇଁ ଏକ ଆହ୍ଵାନ ମୋତେ ଯନ୍ତ୍ର କରି ଯେଉଁଯାଏ ସମ୍ଭବ କରିବ ବୋଲି ପ୍ରତୀକ୍ଷା ରଖିଛି, ସେଯାଏ ସାହସ ନକରିବା ହେଉଛି ଅସତ୍ୟ । ମୋ’ରି ଭଳି ମୋ’ର ଏହି ସତୀର୍ଥ ମନୁଷ୍ୟମାନଙ୍କୁ ଯେତିକିଯାଏ ଦେଖିଲେ ସେମାନେ ମୋ’ଠାରୁ ଅଭିନ୍ନ ଭଳି ଅନୁଭବ ହୁଅନ୍ତା, ସେତିକିଯାଏ ସାହସ ନକରିବା ହେଉଛି ଅସତ୍ୟ । ପୃଥିବୀର ଇତିହାସଟା ଏହିଭଳି ଅସତ୍ୟଗୁଡ଼ିକଦ୍ଵାରାହିଁ ପାଚି ପାଚି ଆସିଛି ଓ ମୋତେ, ତୁମକୁ, ଆମ ସମସ୍ତଙ୍କୁ ବୋକା କରି ରଖିଛି । ସତେଅବା ପୃଥିବୀଟା ନଦିଶି କାନ୍ଥ, ବାଡ଼, ଗାର ଏବଂ ଭେଦଗୁଡ଼ାକହିଁ ଦେଖାଯାଉଛି । ଭିତରର ଜନନୀ ଏସବୁ ଦେଖି ନିଶ୍ଚୟ ବଡ଼ ତାଟକା ହୋଇ ପଡ଼ୁଥିବେ । ଭିତରର ଜନନୀ କାହିଁକି କେଉଁ ଦୁଃଖରେ ମୁଁ ଏହି ବାଡ଼ ଓ କାନ୍ଥଗୁଡ଼ାକ ଭିତରେ ଥୋବରା ହୋଇ ରହିଯାଏ ବୋଲି ଇଚ୍ଛା କରିବେ କହିଲ ! ବାହାରେ ମଧ୍ୟ ମୋ’ପାଇଁ ଏହି ପୃଥିବୀ ନାମକ ଘରଟା ଭିତରେ ଅନ୍ୟମାନେ, ଅନ୍ୟ ବାଟମାନେ ଅର୍ଥାତ୍ ଅନ୍ୟ ଅନ୍ଵେଷଣମାନେ ମୋ’ର ପରିପନ୍ଥୀ ବୋଲି ଦିଶିବେ, ବାହାରେବି ଭରି ରହିଥିବା ମୋ’ର ପରିପୂର୍ଣ୍ଣା ଜନନୀ ସେକଥା ମଧ୍ୟ କଦାପି ଇଚ୍ଛା କରୁ ନଥିବେ । କୌଣସି ଜନନୀ ତା’ର ସନ୍ତାନକୁ ସିଏ ଏପରି କାତର ହୋଇ ରହିଥାଉ ବୋଲି ଦେଖିବାକୁ କଦାପି ମନ କରିବେନାହିଁ । ତେଣୁ, ଏହି କାତରତାହିଁ ଅସତ୍ୟ, ଏହି ରୁଷିବାଟା ଅସତ୍ୟ,–ଏହି ମିଛ ସ୍ଵାଭିମାନ ଓ ଆଡ଼ମ୍ବରଗୁଡ଼ାକହିଁ ଅସତ୍ୟ । ତାହାକୁ ଅସ୍ଵୀକାର କରିବାକୁ, ଅତିକ୍ରମ କରିଯିବାକୁ କରାଯାଇ ଆସିଥିବା ଏବଂ ଏବେ ମଧ୍ୟ କରାଯାଉଥିବା ଯାବତୀୟ ପ୍ରୟାସ ହେଉଛି ସତ୍ୟ । ସେହି ସତ୍ୟହିଁ ଆମକୁ ପାଖପାଖ କରି ଆଣୁଥିବ,–ଆମ ଦେହରୁ ଧୂଳି ଝାଡ଼ି ଦେଉଥିବ । ସତ୍ୟର ସେହି ଜନନୀରୂପ ତାହାହିଁ ଆମର ଅସଲ ବିମୋଚନକାରୀ ରୂପ,–ଆମଲାଗି ଆମର ଅସଲ ସମ୍ଭାବନା ଓ ମୁକ୍ତିର ମାର୍ଗ । ଆମେ ସବାଆଗ ସେଇଥି ସକାଶେ ମନ କରିବା,–ଭୟ ଛାଡ଼ିବା, ଆକର୍ଷିତ ହେବା । ଆକର୍ଷିତ ନହେଉଥିବା ପର୍ଯ୍ୟନ୍ତ ଅସତ୍ୟ ଭିତରେ ରହି ଘୁଙ୍ଗାଳି ହେଉଥିବା,–ତତ୍ତ୍ଵର ଜିରାମାନଙ୍କରୁ ଶିରା କାଢ଼ିବାରେ ଲାଗିଥିବା,–ଅସତ୍ୟକୁ ଫୁଲପାଣି ଦେଇ ସତ୍ୟର ବହୁ ପ୍ରକାରର କାଢ଼ ଦେଖାଉଥିବା ।

 

୧୯ । ୬ । ୨୦୦୨

 

ଏ ଦେହଟା ଯେ ଖାଲି ଏକ ଦେହ, ଏକଥା କିଏ ବାଜି ପକାଇ କହିପାରିବ ? ଆହୁରି କେତେ କେତେ ସମ୍ପଦମୟତା ଏହି ଦେହକୁ ସମ୍ଭାରି ଧରିଥାଆନ୍ତି ଓ ଦେହଟିକୁ ନିଜର ଘର ବୋଲି ଗ୍ରହଣ କରି ନେଇଥାଆନ୍ତି ବୋଲି ଦେହକୁ ସତକୁସତ ଛୁଇଁ ପାରିଲେ ଯାଇ ସେହି ଅନୁଭବଟି ହୋଇଥାଏ । ଏକ ସତ ଆତ୍ମୀୟତାଦ୍ଵାରା ଛୁଇଁ ପାରିଲେ ଏହି ସଂସାରର ବାହ୍ୟତାମାନେ ଯେପରି ଆଦୌ କେବଳ ବାହ୍ୟ ବୋଲି ମୋଟେ ଲାଗନ୍ତିନାହିଁ, ଇଏ ମଧ୍ୟ ସେହିପରି ଗୋଟିଏ କଥା । ଆମେ ଏହି କଥାଟିର ଯୋଗ୍ୟ ହେବା ।

 

ଦେହ ହେଉଛି ଗୋଟିଏ ଯନ୍ତ୍ର । ଯନ୍ତ୍ର ହେବା ଆଦୌ ଏକ ଅପରାଧ ନୁହେଁ । ଦେହ ସତକୁସତ କାହାର ଯନ୍ତ୍ରରୂପେ ନିଜକୁ ବ୍ୟବହୃତ ହେବାର ଯୋଗ୍ୟ କରିପାରିଛି, ସମ୍ଭବତଃ ସେହି ଅନୁସାରେହିଁ ତାହାର ଶକ୍ତି ଓ ତାହାର ମହିମା । ଦେହ ଯେତେବେଳେ ଯାଏଁ ଆପଣାର ଧର୍ମଟି ଅନୁସାରେ ସଚଳ ହୋଇ ରହିବାର ପରିବେଶଟିଏ ଲାଭ କରିଥାଏ, ସେପର୍ଯ୍ୟନ୍ତ ତାହା ଆପଣାକୁ ଆପଣାଠାରୁ ଏକ ବୃହତ୍ତର ପରିକରରୂପେ ନିୟୋଜିତ କରି ରଖିଥାଏ, ପୂର୍ଣ୍ଣ ସମ୍ମତି ସହିତ ନିୟୋଜିତ ରଖିଥାଏ ଏବଂ ତେଣୁ ନିଜର ପୂର୍ଣ୍ଣ ମହିମାର ଏକ ସଦାକ୍ରିୟାଶୀଳତା ଅନୁଭବ ଭିତରେ ସମୁଜ୍ଜ୍ଵଳ ହୋଇ ରହିଥାଏ । ସେହି ଅନୁଭବଟି ଉପରେ ନାନା ପ୍ରମାଦ ଆସି ପହଞ୍ଚେ, ଯେତେବେଳେ ମନଟାହିଁ ନିଜର ଏକାଧିକ ଅଙ୍କୁଶଦ୍ଵାରା ଦେହ ଉପରେ ହାକିମି ଚଳାଇବାର ଦୁଷ୍ଟ ଆଚରଣଟାର ଫାନ୍ଦରେ ଯାଇ ପଡ଼ି ଯାଇଥାଏ । ସେହି ମନ ହେଉଛି ନିଜ ଚାହାଳିରୁ ପଳାଇ ଆସିଥିବା ଓ ପଘା ଛିଣ୍ଡାଇ ପରାକ୍ରମ ଦେଖାଉଥିବା ମନ । ସତ ମନ ଧର୍ମତଃହିଁ ନିଜଠାରୁ ବୃହତ୍ତର ଆଉ ଗୋଟିଏ କୌଣସି ସତ୍ୟମୂଲ୍ୟରେ ବାସନା ପାଆନ୍ତା ଓ ତାହାରି ଅନୁସାରେ ନିଜକୁ ଯୋଗ୍ୟ କରି ନେଉଥାନ୍ତା । ତେବେ, ଆପଣାର ଅଧାହଜମ ପ୍ରାୟସତ୍ୟଗୁଡ଼ାକର ପାଞ୍ଚଣ ଉଞ୍ଚାଇ ସିଏ ଦେହ ଉପରେ କଦାପି ଘୋଡ଼ା ଚଢ଼ି ବାହାରନ୍ତା ନାହିଁ । ସ୍ଵଧର୍ମରେ ରହିଥିବା ମନ ତାହାକୁ ସହଯୋଗୀ ଅର୍ଥାତ୍ ସହଚାରୀ କରିନେବାର ବାସନା ରଖିଥାଏ । ଅସଲ ଠାବ ପାଇଥିବା ଜଣେ ମଣିଷର ଦେହ ଓ ମନ ପରସ୍ପରର ସୁହୃତ୍ ହୋଇ ରହିଥାନ୍ତି,–ତେଣୁ ବ୍ୟାଧିଗ୍ରସ୍ତ ହୁଅନ୍ତିନାହିଁ ।

 

୨୨ । ୬ । ୨୦୦୨

 

ଆଗ ନିଜକୁ ଭେଦିବ, ନିଜକୁ ଛୁଇଁବ,–ନିଜକୁ ନିଜର ମିତ ବୋଲି ମାନିବ । ହାତପାଆନ୍ତାର ଏହି ଦିଗ୍‌ବଳୟ–ରେଖାଟିରୁ ଆରମ୍ଭ କରି ତା’ପରେ ଯାଇ ପରବର୍ତ୍ତୀ ରେଖାଗୁଡ଼ିକର ଆକର୍ଷଣ ଲାଗି ନିଜର ଏକ ସୁସ୍ଥ ପ୍ରତ୍ୟୁତ୍ତର ଜଣାଇ ପାରିବ । ଏହିପରି ଭାବରେ ଆଗ induction, ତା’ପରେ ଯାଇ deduction,–ତାହାହିଁ ସୁସ୍ଥ ମାର୍ଗ । ଏହା ବିଜ୍ଞାନର ମାର୍ଗ, ସାଧନାରବି ମାର୍ଗ । ତେଣୁ, ନିଜକୁ ସ୍ପର୍ଶ କରିବାର ମାର୍ଗରେହିଁ ବ୍ରହ୍ମର ସ୍ପର୍ଶ,–ତେବେଯାଇ ସର୍ବବିଧ ବ୍ରହ୍ମସଂସ୍ପର୍ଶ ପ୍ରକୃତରେ ଅତ୍ୟନ୍ତ ସୁଖର କାରଣ ହେବ । ଭୂଇଁରେ ପାଦ ରହିଥିଲେ ଆକାଶଟି ସହିତ ଆମର ଯାବତୀୟ ପରିଚୟ–ସ୍ଥାପନ, –ତାହାହିଁ ଯଥାର୍ଥ ପ୍ରତିଷ୍ଠା । ତେଣୁ, ହୁଡ଼ିଯିବାର କୌଣସି ଭୟହିଁ ନଥିବ । ମୋହଭଙ୍ଗର ମଧ୍ୟ କୌଣସି ଆଶଙ୍କା କାହିଁକି ରହିବ ?

 

ଏବଂ,–ମଝିରେ ଏହି ପୃଥିବୀ,–ମୁଁ ଯାହାକୁ ସମସ୍ତେ ବୋଲି କହୁଛି, ତାହାରି ଅସଲ ଶ୍ରଦ୍ଧାନାମଟି ହେଉଛି ଏହି ପୃଥିବୀ । ନିଜକୁ ଛୁଇଁଥିଲେ ସେହି ଧରାରେ ପୃଥିବୀକୁ ଛୁଇଁପାରିବା ମଧ୍ୟ ଭାରି ସହଜ ହୋଇଯାଏ । ନହେଲେ, ପୃଥିବୀଟାକୁ ଚିହ୍ନିଲି ବୋଲି ପ୍ରମାଣ କରିବା ସକାଶେ ନିଜକୁ ଅନେକ ସମୟରେ ଭାରି କେମିତି କେମିତି ଲୁଚାଇବାକୁ ପଡ଼ୁଥାଏ । ନିଜଭିତରେ ଦୁଇଭାଗ ନହୋଇ ଆଉ କୌଣସି ଚାରା ନଥାଏ । ଏବଂ, ନିଜ ଭିତରେ ଦୁଇଭାଗ ହୋଇ ରହିଥିବା ପର୍ଯ୍ୟନ୍ତ ଏପରି ଗୋଟିଏ ସଂଗ୍ରାମ ଭିତରେ ନିରନ୍ତର ହନ୍ତସନ୍ତ ହେବାକୁ ପଡ଼େ ଯେ, ବ୍ରହ୍ମ ଅର୍ଥାତ୍ ସତ୍ୟନାମକ ସେହି ଅସଲ ସମ୍ପଦଟି ମଧ୍ୟ ସତେଅବା ନାନାବିଧ ଅଳ୍ପଭିତରେ ବାନ୍ଧି ହୋଇ ରହି ଯାଇଥାଏ । ସମ୍ଭବତଃ ସେହି କାରଣରୁ ସମ୍ପ୍ରଦାୟୀମାନେ ଅଳପଟାକୁହିଁ ସକଳ ଓ ଏକମାତ୍ର ସତ୍ୟ ବୋଲି କେଡ଼େ ତୋଡ଼ ଦେଖାଇବାରେ ଲାଗିଥାଆନ୍ତି । ଆମର ଏହି ଭେଜାଲ ସଂସାରଟିରେ ସତ୍ୟ ସତ୍ୟ ମଧ୍ୟରେ ବଡ଼ ସାନ ଦର୍ଶାଇ ଦେବାପାଇଁ ସମ୍ପ୍ରଦାୟୀମାନେ କେଡ଼େ ତୋଡ଼ ନଦେଖାନ୍ତି ! ସେହି ତୋଡ଼ର ପ୍ରକୋପରେ ବହିମାନବି ଲେଖାଯାଏ । ଯଦି ବିଚରାମାନେ ନିଜକୁ ଭେଦିବାରୁ ଓ ନିଜକୁ ଛୁଇଁବାରୁହିଁ ନିଜ ସତ୍ୟାନୁସନ୍ଧାନର ଯାତ୍ରାଟିକୁ ଆରମ୍ଭ କରିପାରନ୍ତେ ତେବେ ପୃଥିବୀଟା ମଧ୍ୟ ଭାରି ଅନ୍ୟ ପ୍ରକାରର ହୋଇପାରନ୍ତା, ସଂସାରଟାଯାକ ସତ୍ୟର ଆସ୍ଥାନବତ୍ ଲାଗନ୍ତା । ତେଣୁ, ହେ ବାବୁମାନେ, ଆଗ ନିଜର ମିତ ହୁଅ,–ତେବେ ବହୁଦୂରଟା ମଧ୍ୟ ଭାରି ନିକଟ ହୋଇ ଆସିବ, ପ୍ରକୃତରେ ମିତ ଭଳିହିଁ ଲାଗିବ ।

 

୨୮ । ୬ । ୨୦୦୨

 

ସନ୍ଥ ବିନୋବା ତାଙ୍କ ଆତ୍ମଜୀବନୀରେ ବାରବାର କହୁଛନ୍ତି ଯେ, ଦେହଟା ଆତ୍ମାଠାରୁ ଅଲଗା ବୋଲି ଇଚ୍ଛାକୃତ ଭାବରେ ମନେକରିହିଁ ସେ ନିଜ ଦେହର ଦୌରାତ୍ମ୍ୟକୁ ଜୟ କରିବାରେ ସର୍ବଦା ସଫଳତା ଲାଭ କରି ପାରିଛନ୍ତି । ଯେତେବେଳେ ଦେହହିଁ ଏକ ସ୍ଵୟଂସମ୍ପୂର୍ଣ୍ଣ ସାର୍ବଭୌମ କ୍ଷେତ୍ର ବୋଲି ଅଡ଼ି ବସିବାର ଭ୍ରମ ଭିତରେ ପଡ଼ିଯାଏ, ଦେହ ସେତିକିବେଳେ ଉଗ୍ର ହୁଏ, ଉପଦ୍ରବୀ ହୁଏ । ଏବଂ, ପ୍ରାୟ ସେତିକିବେଳେ ମନ ଆସି ଦେହକୁ ଫୁସୁଲାଇବାର ମଉକା ପାଇଯାଏ ଏବଂ ତାକୁ ଆହୁରି ଅଧିକ ସଫଳତା ସହିତ ହୁଡ଼ାଇ ନେଇଯାଏ । ସେତେବେଳେ ଦେହ ଆପଣାର ସକଳ ମହିମାକୁ ହରାଇବସେ, ଭାରି ଦୀନ ଓ କ୍ଳିଷ୍ଟ ହୋଇ ରହିଥାଏ ।

 

ଆତ୍ମାନାମକ ଏକ ବୃହତ୍ତର ସମଗ୍ରତା ମଧ୍ୟରେ ନିଜକୁ ଗୁନ୍ଥି ରଖିପାରିଲେ ଯାଇ ଦେହର ଦୈନ୍ୟ ଯାଏଁ । ଦେହକୁ ନିନ୍ଦି ଯେଉଁମାନେ ଆତ୍ମାନାମକ ସେହି ଅନ୍ୟସ୍ପର୍ଶକାତର ବିଚ୍ଛିନ୍ନତା ଭିତରେ ଜର୍ଜର ହୋଇ ରହିଥାନ୍ତି, ସେମାନେ ପ୍ରକୃତରେ ଭାରି ଅସମର୍ଥ ଭାବରେ ଦେହକୁ ସତେଅବା ଏକ ବୈରୀର ନଜରରେ ଦେଖୁଥାଆନ୍ତି । ଦେହକୁ ପୋଷ ମନାଇଦେଇ ପାରନ୍ତିନାହିଁ । ଆତ୍ମା କହିଲେ ଏକାଧିକ ଅର୍ଥରେ ଏକ ଅଲଗା ଗୁମ୍ଫାଟାକୁ ବୁଝନ୍ତି । ଆତ୍ମାର ଅସଲ ଧର୍ମ ହେଉଛି ଆମକୁ ସକଳ ଗୁହାମଧ୍ୟରୁ ମୁକ୍ତ କରି ଆଣିବା । ଆତ୍ମାନାମକ ସେହି ଅସଲ ଶକ୍ତିଧରଟି କ’ଣ ପାଇଁ ଦେହରୁ ଆପଣାକୁ ଅଲଗା ବୋଲି ଭାବିଲେ ଯେ ଥୟ ହୋଇ ପାରିବ, ମୁଁ ସେକଥା ମୋଟେ ବୁଝି ପାରେନାହିଁ । ନିଜ ଆତ୍ମାକୁ ଦେହଠାରୁ ଅଲଗା ବୋଲି ଭାବିବାକୁ ଚେଷ୍ଟା କରୁଥିବା ଓ ତାହାକୁ ବୈରାଗ୍ୟ ବୋଲି କହୁଥିବା ସେହି ଅନ୍ୟ କିସମର ମନୁଷ୍ୟମାନେ ଖୁବ୍‌ସମ୍ଭବ ଦେହକୁ ଭାରି ଡରୁଥିବେ । ଏବଂ, ତୁମେ ଯାହାକୁ ଡରୁଥିବ, ତାହାକୁ ତୁମେ କଦାପି ନିଜର କରି ପାରିବନାହିଁ । ଗୋଟାଏ ନିରନ୍ତର repressionରେ ସର୍ବଦା ଦରମରା ହୋଇ ରହିଥିବ । ଏହି ବଳହୀନମାନଙ୍କ ନିମନ୍ତେ ଆତ୍ମାର ସତ୍ୟପରିଚୟକୁ ଲାଭ କରିବା ମଧ୍ୟ ସପନ ଭଳି ହୋଇ ରହିଥିବ । ଛଟପଟ ହୋଇ ଦେହଟାର ଡର ହେତୁହିଁ ସେମାନେ ଆତ୍ମାନାମକ ସେହି ଅନ୍ୟ ବଳଟିକୁ ନିଜଭିତରୁ ଉଦ୍‌ବୋଧିତ କରି ଆଣିବାର ପ୍ରୟାସ କରୁଥିବେ, ସେଥିରୁ କିଞ୍ଚିତ୍ ଦମ୍ଭ ହୁଏତ ପାଉବି ଥିବେ । କିନ୍ତୁ ଦେହକୁ ନିଜର କରି ନନେଲେ ତୁମେ ଦେହକୁ କିପରି ପୋଷ ମନାଇ ନେଇ ପାରିବ ? ଗୁଡ଼ାଏ ମିଛ ନେତି ନେତି ଭିତରେହିଁ ଝୁରି ମରିବାରେ ଲାଗିଥିବ ସିନା, କିନ୍ତୁ ନିଜ ଘରଟି ଭିତରକୁ ମୋଟେ ବାଟ ପାଉ ନଥିବ ।

 

୩ । ୭ । ୨୦୦୨

 

ଶାନ୍ତିନିକେତନର ଶେଷ କେତେ ବର୍ଷର କଥା ଖୁବ୍ ମନେ ଅଛି । ଦେଶ ସଦ୍ୟ ସ୍ଵାଧୀନ ହୋଇଥାଏ । କେନ୍ଦ୍ର ସରକାରଙ୍କଠାରୁ ପୂର୍ଣ୍ଣ ପୃଷ୍ଠପୋଷକତାର ହେମତ ପାଇ ବିଶ୍ଵଭାରତୀୟ ପ୍ରାୟ ସେହିଆଡ଼ୁ ବରାଦ ହୋଇ ଆସୁଥିବା ଛାଞ୍ଚଗୁଡ଼ିକରେ ନିଜକୁ ଖାପ ଖୁଆଇ ନେବାର ଉଦ୍ୟମ ଆରମ୍ଭ ହୋଇ ଯାଉଥାଏ । ଅନ୍ୟ ବିଶ୍ୱବିଦ୍ୟାଳୟମାନଙ୍କ ତୁଳନାରେ ବରାଦ ଅନୁସାରେ ଗଢ଼ି ହୋଇ ଆସିବାରେ ଯେ ଆମେ ଆଦୌ କମ୍ ନୋହୁ, ଏହିପରି ଉତ୍ସାହଟିଏ ତତ୍କାଳୀନ କର୍ତ୍ତାମାନଙ୍କୁ ଘାରି ରହିଥାଏ, ନିତି ନୂଆ ନୂଆ ଆଡ଼କୁ ଡେଣା ପ୍ରସାରିତ ହୋଇ ଯାଉଥାଏ । ସେହି ହୋ’ରେ ଦିନେ କର୍ତ୍ତୃପକ୍ଷ ରାଜୀ ହୋଇଗଲେ ଯେ ଅନ୍ୟ ବିଶ୍ଵବିଦ୍ୟାଳୟ ଭଳି ଆମର ଏଠାରେ ମଧ୍ୟ ଜାତୀୟ ସମରାର୍ଥୀବାହିନୀଟିଏବି ରହିବ । ତେଣୁ, ଉକ୍ତ କାର୍ଯ୍ୟଟିକୁ ସମ୍ଭାଳିବାର ଦାୟିତ୍ଵ ବହନ କରିବାଲାଗି ଦୁଇଜଣ ବ୍ୟକ୍ତି ଆବଶ୍ୟକ ତାଲିମ ନିମନ୍ତେ ବାହାରକୁ ଯିବେ,–ତାଲିମ ନେଇ ଫେରିବା ପରେ ଏଠାରେ ଛାତ୍ରମାନଙ୍କର କାର୍ଯ୍ୟକ୍ରମଟିକୁ ଆରମ୍ଭ କରିବେ । ସେହି ଦୁଇଜଣଙ୍କ ମଧ୍ୟରେ ମୋ’ ନାଆଁଟା ମଧ୍ୟ ପ୍ରସ୍ତାବିତ ହୋଇଥିଲା । ଆମର ସର୍ବବିଧ ଉନ୍ନତି ଓ ସଫଳ ଅଗ୍ରଗତି କାମନା କରୁଥିବା ଆମ ବରିଷ୍ଠମାନେହିଁ ବିଶେଷ ଭାବରେ ଆମକୁ ବାଛିଥିଲେ । ମୋତେ ବଡ଼ ଅସ୍ଵାଭାବିକ ଲାଗୁଥାଏ । ମନା କରୁଥିଲେ ମଧ୍ୟ ସେମାନଙ୍କର ଅନୁରୋଧ ଭାଙ୍ଗି ନପାରି ରାଜୀ ହୋଇ ଯାଇଥିଲି । କିନ୍ତୁ ଭିତରେ କୁନ୍ଥୁକୁନ୍ଥୁ ଲାଗୁଥାଏ ।

 

ତେଣୁ ଦୁଇଜଣ ଅଫିସର ଆସିଲେ । ଆମର ମପାଚୁପା ନିଆଗଲା । ପସନ୍ଦ ଅନୁସାରେ ସବୁ ରହିଥିବାର ଜଣା ପଡ଼ିଲା । ସବାଶେଷରେ ମେଡ଼ିକାଲ ପରୀକ୍ଷା । ଜଣେ ମିଲିଟାରୀ ଡାକ୍ତର ପରୀକ୍ଷା କଲେ । ମୋ’ ପିଠିଟା କୁଜା, ଅର୍ଥାତ୍ ମୁଁ କାନ୍ଧ ଦୁଇଟାକୁ ସିଧା କରି ଚାଲି ପାରୁନାହିଁ । ଏବଂ, ଆଖିରେ ଟ୍ରକୋମା ତେଣୁ ଅନୁପଯୁକ୍ତ । ବାହାରେ କିଛି ଜଣା ନପକାଇଲେ ମଧ୍ୟ ଭିତରେ ମୁଁ ଖୁବ୍ ଖୁସୀ ହୋଇ ଯାଇଥିଲି । ଏଯାଏଁବି ଟ୍ରକୋମାର କୌଣସି ଚିକିତ୍ସା ହୋଇନାହିଁ । ଖାଲି ଆଖିରେ ଖୁବ୍ ପଢ଼ିପାରୁଛି । କାନ୍ଧ ବଙ୍କାଟାବି ରହିଗଲା । ପଢ଼ାଲେଖାହିଁ ମୁଖ୍ୟ କାମ ହୋଇ ରହିବାରୁ ବୟସ ସହିତ ବଙ୍କାଟା ସମ୍ଭବତଃ ମୋ’ କାନ୍ଧର ଏକ ସ୍ଥାୟୀ ଲକ୍ଷଣ ହୋଇ ରହିଗଲା । କାନ୍ଧଟା ଯଦି ସିଧା ବୋଲି ଜଣା ପଡ଼ିଥାନ୍ତା, ତେବେ ତେଣେ ଯିବାଦ୍ୱାରା ଜୀବନଟା ଯେ ଆହୁରି କ’ଣ ହୋଇଯାଇ ଥାଆନ୍ତା, ଏବେ ବେଳେବେଳେ ସେଇକଥା ଭାବୁଛି । ବର୍ତ୍ତମାନ ଯାହା ନିଜର ସ୍ଵଧର୍ମ ପରି କେଡ଼େ ସହଜରେ ମୋ’ ପାଖରେ ରହିଗଲା, ଭାବୁଛି, ସେଇଟି ପରାହତ ହୋଇ ପୋତି ହୋଇ ରହି ଯାଉଥାଆନ୍ତା । କେଜାଣି, ସତକୁସତ କ’ଣ ହୋଇଥାଆନ୍ତା !

 

୯ । ୭ । ୨୦୦୨

 

ଯାବତୀୟ ଅସଲ ଆସ୍ପୃହା, ତାହା ହେଉଛି ଅବତରଣ ନିମନ୍ତେ ଆସ୍ପୃହା । ଆରୋହଣ ହେଉଛି ମାଧ୍ୟମ । ଆରୋହଣର ଅର୍ଥ ହେଉଛି ଆପଣାକୁ ଅବତରଣ ନିମନ୍ତେ ଯୋଗ୍ୟ କରି ନେଉଥିବାର ଏକ ପ୍ରକ୍ରିୟା । ସତେଅବା ଅସଲ ପ୍ରମାଣପତ୍ର, ଅର୍ଥାତ୍ ଅନୁମତିପତ୍ରଟିକୁ ପାଇବାର ପ୍ରକ୍ରିୟା ।

 

ଆରୋହଣଦ୍ଵାରା ଆଦେଶ ବା ନିର୍ଦ୍ଦେଶନା ମିଳି ମିଳି ଯାଉଥିବ ଓ ଅବରୋହଣର ଯୋଗ୍ୟତା ବଢ଼ି ବଢ଼ି ଯାଉଥିବ । ତେଣୁ ବନ୍ଧୁ, ତୁମେ କଦାପି ଅବତରଣଟି ନିମନ୍ତେ ନିଜକୁ ପାକଳ ନକରି ଆରୋହଣର ଆକାଂକ୍ଷୀ ହେବନାହିଁଟି ! ଆମ ସାଧନାର ଇତିହାସରେ ଗୁରୁ ପରେ ଗୁରୁ ଓ ଶାସ୍ତ୍ର ପରେ ଶାସ୍ତ୍ର,–କେତେ ଯେ ଆଡ଼ମ୍ବର ସହିତ ଆରୋହଣର ପ୍ରତିଶ୍ରୁତିମାନ ଦେଖାଇଛନ୍ତି,–ତାହାରି ଫଳରେ ଶିଖରଥାନରେ ଯାଇ ପହଞ୍ଚିବାର ଆଳ ଦେଖାଇ ଆରୋହୀମାନେ ଅବତରଣର ଅସଲ ଆହ୍ଵାନଟିକୁ ପାସୋରି ରହି ଯାଉଛନ୍ତି । ସମ୍ପ୍ରଦାୟ ବଢ଼ାଇବାରେ ଲାଗିଛନ୍ତି ଓ ନିଜକୁ ଏକ ନିର୍ଦ୍ଦିଷ୍ଟ ଦଳର ଆରୋହୀ ବୋଲି ପରିଚିତ କରାଇବେ ବୋଲି କେତେ ଉତ୍ସାହ ଦେଖାଇବାରେ ବ୍ୟସ୍ତ ରହି ଯାଉଛନ୍ତି । ଏବଂ, ଯେଉଁ ପୃଥିବୀ ନିମନ୍ତେ ଏତେ ଏତେ ସାଧନା, ସେହି ପୃଥିବୀ ଅଲକ୍ଷଣା ହେବାରେ ଲାଗିଛି । ଏକ ବିକୃତ ଅର୍ଥରେ ବ୍ୟକ୍ତିଗତ ସଫଳତା ହାସଲ କରିବାଟା ମଧ୍ୟ ପୃଥିବୀରେ ଉଚ୍ଚ ଆରୋହଣ କରିଥିବାର ଏକ ସନ୍ତକ ପରି ମଧ୍ୟ କାର୍ଯ୍ୟ କରୁଛି । ଅବତରଣର ଶ୍ରଦ୍ଧାହିଁ ଆରୋହୀମାନଙ୍କୁ ପରସ୍ପରର ଖୁବ୍ ନିକଟବର୍ତ୍ତୀ କରାଇ ଆଣୁଥାନ୍ତା,–ଏବଂ, ଏହାଦ୍ୱାରା ସର୍ବବିଧ ସାଧନାରୁ ଲବ୍ଧ ହେଉଥିବା ଶକ୍ତିଟି ମଧ୍ୟ ପୃଥ୍ଵୀଜୀବନର କଳେବର–ବଦଳାରେ କେତେ କେତେ କାର୍ଯ୍ୟରେ ଲାଗିପାରନ୍ତା । ଶିଖରଦେଶରେ ଯାଇ ପହଞ୍ଚି ଥିବାରୁ ପ୍ରାପ୍ତ ଆଖିଗୁଡ଼ିକ ପୃଥିବୀର ଏହି ନିତ୍ୟନୈମିତ୍ତିକ ଜୀବନସମତଳଗୁଡ଼ିକୁ କଦାପି ହତାଦର କରନ୍ତେ ନାହିଁ । ଏବଂ, ତାହାରି ବଳରେହିଁ ଏଠାରେ ମଧ୍ୟ କେତେ ନୂଆ ସମ୍ଭାବନା ଲାଗି ଅବକାଶ ଯୋଗାଇ ଦିଅନ୍ତେ । ଏକ ଅଭିଲା ଚକ୍ରାନ୍ତ ଫଳରେ ପୃଥିବୀର କେତେ କେତେ ସମ୍ବଳ, ଶକ୍ତି ଓ ଶୁଭେଚ୍ଛା ସତେଅବା ଅନ୍ୟମନା ହୋଇ ଖତରାହିଁ ହୋଇଯାଇଛି,–ସେଗୁଡ଼ିକୁ କେଡ଼େ ସହଜ ଭାବରେ ଭଗବାନଙ୍କର ଏହି ପୃଥିବୀଟିର କାମରେହିଁ ଲାଗନ୍ତା,–ଏକ ନିର୍ମଳ ପାରସ୍ପରିକତାର ଭୂମିକୁ ପ୍ରସ୍ତୁତ କରି ଆଣନ୍ତା ।

 

୧୨ । ୭ । ୨୦୦୨

 

ସାତତ୍ୟବୋଧ,–ତାହାହିଁ ସ୍ମରଣ, ନାମସ୍ମରଣ ସମେତ ଯାବତୀୟ ସ୍ମରଣ । ସିଏ, ଯିଏ ସର୍ବଦା ମୋ’ ସହିତ ରହିଛନ୍ତି, –ସିଏ ମୋ’ ପାଖରେ ରହିଛନ୍ତି । ମୁଁ ସ୍ଵୟଂ କିପରି ସତେ ତାଙ୍କ ପାଖରେ ରହିପାରିବି, ସେଥିପାଇଁ ହିତସାଧନକାରୀ ଗୁରୁମାନେ ଯୁଗେଯୁଗେ କେତେ ଉପାୟ ଏବଂ ଭେଷଜ ବତାଇଦେଇ ଯାଇଛନ୍ତି । କେତେକେତେ କରଣୀୟ କସରତର କଥା ମଧ୍ୟ କହିଛନ୍ତି-। ସବୁ ଧର୍ମସାଧନାର ଆଚାର ଭିତରେ ଭଳିଭଳି କସରତର ବରାଦ ରହିଛି । ମାତ୍ର, ଆମେ ସିନା ଅନେକ ସମୟରେ ସେହିସବୁ କସରତର ଅଭ୍ୟାସ ନକଲେ ସାତତ୍ୟର ଖିଅଟି ହାତଛଡ଼ା ହୋଇଯିବ ବୋଲି ଶଙ୍କାରେ ବୁଡ଼ି ରହିଛି, ଏବଂ, ରକ୍ଷା ହୋଇଛି ଯେ, ଆମେ ଖିଅଟି ରହିଛି ବୋଲି ଠଉରାଇ ପାରୁ ନଥିବା ସମୟରେ ମଧ୍ୟ ସିଏ ତଥାପି ଆମକୁ ଘେରି ରହିଛନ୍ତି, ଆମକୁ ଛୁଇଁକରି ରହିଛନ୍ତି । ସିଏ ବସ୍ତୁତଃ ଜଣେ ପ୍ରକୃତ ବନ୍ଧୁର କାର୍ଯ୍ୟହିଁ କରୁଛନ୍ତି । କସରତ–ଅଭ୍ୟାସର ସ୍ତରରୁ ଏକ ସ୍ଵାଭାବିକ ସହଜତାର ସ୍ତରକୁ ଯାଇ ପାରିବା,–ଆମ ଅନେକଙ୍କ ପାଖରେ ସମ୍ଭବ ହୋଇ ପାରୁନାହିଁ । କସରତଗୁଡ଼ାକୁ ଆଗ ଶିଖାଇ ପକାଇବାଦ୍ଵାରା ଆମ ସହଜ ସମର୍ଥତାମାନେବି ଖୁବ୍ ବାଧାପ୍ରାପ୍ତ ହେଉଛନ୍ତି । ତଥାପି ଅସହଜ ରୀତିଗୁଡ଼ାକର ପ୍ରକୋପହିଁ ବଢ଼ି ଚାଲିଛି ।

 

ସାତତ୍ୟର ଯେଉଁ ଅନୁଭବ, ତାହା ସଗୁଣ ନା ନିର୍ଗୁଣ ? ସ୍ମରଣର ଯେଉଁ ଅନୁଭବ, ସେଇଟି ମଧ୍ୟ ସଗୁଣ ନା ନିର୍ଗୁଣ ? ଅସଲ ସଗୁଣ ଏବଂ ଅସଲ ନିର୍ଗୁଣ ଏପରି ଏକ ସମଗ୍ରତର ସାନ୍ନିଧ୍ୟ ପାଖରେ ଯାଇ ପହଞ୍ଚି ଯାଇଥାନ୍ତି ଯେ ସଗୁଣ ପଛରେ ନିର୍ଗୁଣର ଏକ ପରମପ୍ରତ୍ୟୟଦାୟୀ ପରିପ୍ରେକ୍ଷୀଟିଏ ଦେଖିପାରନ୍ତେ ଏବଂ ନିର୍ଗୁଣର ପାଦଟା ମଧ୍ୟ ଏଇଠି ଆମେ ନିଜେ ଛିଡ଼ା ହୋଇଥିବା ମାଟିରେ ଆସି ଲାଗିଥିବାର ମଧ୍ୟ ପ୍ରତ୍ୟକ୍ଷ କରୁଥାନ୍ତି । ସେମାନେ ସଗୁଣ–ନିର୍ଗୁଣ ଏକାବେଳେକେ ଉଭୟ ଦେଖନ୍ତି, ଏକାବେଳେକେ ଉଭୟ ପେଟକୁ ପୂରାଇ ପାରନ୍ତି । ଖାଲି ସଗୁଣ ଓ ଖାଲି ନିର୍ଗୁଣ କହିଲେ ବଲବଲ କରି ଅନାନ୍ତି । ସେମାନଙ୍କର ଅନୁଭବଟି ଗୁଳାଗୁଡ଼ିକର ବର୍ଣ୍ଣିତ ଶାସ୍ତ୍ରକଥା ସହିତ ଆଦୌ ମେଳ ଖାଏନାହିଁ । ତେଣୁ ପୃଥିବୀଟାଯାକ ସଗୁଣ ନିର୍ଗୁଣ ଦ୍ଵନ୍ଦ୍ଵ ଚାଲିଥାଏ ଏବଂ ସେମାନେ ତଥାପି ତାହାକୁ ବୁଝି ପାରନ୍ତିନାହିଁ । ମୋ’ର ସ୍ମରଣ ମୋତେ ଏପରି ଏକ ସାତତ୍ୟର ଅନୁଭବ ବିସ୍ତାର ମଧ୍ୟରେ ନେଇ ପହଞ୍ଚାଇ ଦିଏ, ଯେଉଁଟାରେ ସ୍ମରଣ ଆପେଆପେ ସମ୍ଭବ ହୁଏ, ମୋଟେ କସରତ କରିବାକୁ ପଡ଼େନାହିଁ ।

 

୧୭ । ୮ । ୨୦୦୨

 

ମୁଁ ସେହି ଆସ୍ପୃହାପାଇଁ ବଳ ମାଗିବି,–ଟାଣପଣ ମାଗିବି, ସେହି ସାତତ୍ୟଟିକୁ ମାଗିବି । ଏଠି ଏହି ଚଳନ୍ତି ସ୍ଵୀକୃତିମାନଙ୍କଦ୍ଵାରା ନାନାଭାବରେ ଉତ୍‌ଫୁଲ୍ଲ ପବନମାନେ ଖାଲି ରହିଯିବାକୁ କହୁଛନ୍ତି,–ନିଜକୁ ସତେଅବା ଗୋଟାଏ ଗାଦିରେ ପରିଣତ କରିଦେଇ ତାହାରି ଉପରେ ବସିଯିବାକୁହିଁ ପ୍ରରୋଚନା ଦେଉଛନ୍ତି । ସେଇଟାକୁ ପ୍ରରୋଚନା ବା ପ୍ରସ୍ତାବ ତୁମେ ଯାହା କହିବ କହ ପଛକେ, ତେଣିକି–ମୋଟେ ମନ ଯାଉନାହିଁ ।

 

ଭିତରେ ଯିଏ ସବୁଠାରୁ ଆପଣାର ପରି ତିଆରି ହୋଇ ହୋଇ ଆସିଛି, ସିଏ ଖାଲି କାମରେ ଲାଗିବାକୁହିଁ ଇଚ୍ଛା କରୁଛି । ଅଧିକରୁ ଅଧିକ କାମରେ ଲାଗିବ, ତେଣୁ ଅଧିକରୁ ଅଧିକ ଖେଳାଇ ହୋଇ ଯାଇ ପାରୁଥିବ । ପୃଥିବୀରେ ସମ୍ଭବତଃ ସବୁ ମଣିଷଙ୍କ ଭିତରେ ଯେଉଁ ସବୁଠାରୁ ଅଧିକ ଆପଣାର ହୋଇ ଦ୍ରବ୍ୟଟି ବା ପୁଞ୍ଜିଟି ରହିଛି, ସିଏ ସତକୁସତ ଅହରହ କାମରେ ଲାଗିବାକୁ ଇଚ୍ଛା କରୁଛି, ଅଧିକରୁ ଅଧିକ ଖୋଲିହୋଇ ଯିବାକୁ ଓ ଅଧିକରୁ ଅଧିକ ଖେଳାଇହୋଇ ଯିବାକୁହିଁ ଇଚ୍ଛା କରୁଛି । ହୁଏତ, ଅସଲ ଭିତରେ ପ୍ରକୃତରେ ଅନ୍ୟ କିଛିବି ନାହିଁ,–କେବଳ ଖେଳାଇ ହୋଇଯିବାର ସେହି ବାସନାଟିଏ ରହିଛି । ସେହି ବାସନାଟିକୁ ପ୍ରତ୍ୟକ୍ଷ ଭାବରେ ଓ ପରିପୂର୍ଣ୍ଣ ଭାବରେ ବଞ୍ଚିବା,–ତାହାହିଁ ଆମ ସମସ୍ତଙ୍କ ଲାଗି ଉଦ୍ଦିଷ୍ଟ ହୋଇ ରହିଥିବା ଅସଲ ପରିପୂର୍ଣ୍ଣତା । ମୋ’ ଚାରିପାଖରେ ସଭିଙ୍କୁ ସେଇ ଆସ୍ପୃହାର ପୃଷ୍ଠଭୂମି ଉପରେ ଦେଖିବା,–ସମ୍ଭବତଃ ତାହାହିଁ ସର୍ବୋତ୍ତମ ଭାବର ସହିତ ଦେଖିବା, ସବୁଠାରୁ ଅଧିକ ଅଭେଦ ଅନୁଭବରେ ଦେଖିବା । ଏହି ଅଭେଦ ଅନୁଭବଟିକୁ ଅଧିକ ଉପଯୁକ୍ତ ଶବ୍ଦର ଅଭାବରୁ ପୃଥିବୀରେ ଭଗବାନ୍ ବୋଲି କୁହାହୋଇ ଆସିଛି କି ? ଭଗବାନ୍ ଅର୍ଥାତ୍ ସେହି ବିମୋଚନକାରୀ ଉତ୍ତରୀୟଟି, ଯାହାକି ଏଠି ସମସ୍ତଙ୍କୁ ଏକାଠି ବାନ୍ଧି ରଖି ଆକାଶରେ ସବୁଠାରୁ ଉଜ୍ଜ୍ଵଳ ହୋଇ ଉଡ଼ୁଛି । ଯାହା ମୋ’ର ଅନ୍ତର ଭିତରେ, ତାହାହିଁ ଏହି ଆକାଶରେ ମଧ୍ୟ ରହିଛି ବୋଲି ମୋତେ ଭରସା ଦେଇ ଯାଉଛି । ମୁଁ ସେହି ଭରସାଟିକୁ ପୁଞ୍ଜି କରି ଆସ୍ପୃହାର ବଣିଜ କରିବି, ବଞ୍ଚିବି ।

 

୨୦ । ୮ । ୨୦୦୨

 

ବ୍ରାହ୍ମଣ, କ୍ଷତ୍ରିୟ ତଥା ବୈଶ୍ୟ ହେବାର ପଥସମ୍ଭାବନାଗୁଡ଼ିକ ରହିଥିଲେ ମଧ୍ୟ ଯେଉଁମାନେ ଅବସ୍ଥାରେ ପଡ଼ି ଅଥବା କର୍ମ ଆଦରି ଶୂଦ୍ର ହୋଇ ରହିଛନ୍ତି, ମୁଁ ସେମାନଙ୍କ ବିଷୟରେ କିଛି କହୁନାହିଁ । ମୁଁ ତ ମୋ’ ଭିତରେ ଥିବା ସେହି ବୀରଟିର କଥା କହୁଚି ଯିଏକି ଖୁସୀ ହୋଇ ଶୂଦ୍ର ହେବାର ସାମୀପ୍ୟଟିକୁ ସ୍ଵୟଂ ଗ୍ରହଣ କରି ନେଇଛି । ଏମିତି କଥାଟିଏ ଅବଶ୍ୟ କହିହେବ ଯେ, ବ୍ରାହ୍ମଣ, କ୍ଷତ୍ରିୟ ତଥା ବୈଶ୍ୟ ହେବା,–ଏଗୁଡ଼ିକ ହେଉଛନ୍ତି ପଥ,–ଏବଂ ଏହି ପଥଗୁଡ଼ିକୁ ପାର ହୋଇଗଲେ ଶୂଦ୍ର ହେବାର ସେହି ମହାନ୍ ସୌଭାଗ୍ୟ । ଶୂଦ୍ର, ଅର୍ଥାତ୍ ଯିଏ କାମରେ ଲାଗେ, ଯାବତୀୟ କୃପଣତାକୁ ଡେଇଁ ଯାଇଥାଏ ଓ ତେଣୁ ସତକୁସତ କାମରେ, ତାଙ୍କରି କାମରେ ଲାଗିଥାଏ,–ସେଇଥିରେ ନିଜ ଜୀବନଟିକୁ ଗଢ଼ି ଆଣିଥିବାର ସକଳ ପୁଣ୍ୟଫଳର ଆସ୍ଵାଦନ ଲାଭ କରୁଥାଏ । ତେଣୁ, ବ୍ରାହ୍ମଣ, କ୍ଷତ୍ରିୟ ଏବଂ ବୈଶ୍ୟ ହେବା,–ଏଗୁଡ଼ିକ ହେଉଛନ୍ତି means,–ଶୂଦ୍ର ହୋଇପାରିବା ହେଉଛି end,–ଅସଲ ଉନ୍ମୋଚନ ଅର୍ଥାତ୍ ଅସଲ ସାର୍ଥକତା ।

 

ଯିଏ ବହୁ କୃଚ୍ଛ୍ର କରି ବ୍ରାହ୍ମଣଟିଏ ହୋଇଛି ଓ ସେଇଠାରେହିଁ ମାଟି ଯାବୁଡ଼ି ପଡ଼ିଛି, ଏବଂ ଏଡ଼େବଡ଼ କ’ଣଟାଏ ହାସଲ କରିପାରିଲା ବୋଲି ଉତ୍‌ଫୁଲ୍ଲ ହେଉଛି, ଯିଏ ସହସ୍ରପ୍ରକାର କବାୟଦ କରି କ୍ଷତ୍ରିୟ ହେବାର ସନ୍ତକ ଓ ଆୟୁଧଗୁଡ଼ିକୁ ନିଜର ହୁଏତ ସାତଟା ବା ସତରଟା ହାତରେ ଧରି କ୍ଷତ୍ରିୟ ହୋଇଛି ଏବଂ ଯିଏ ବହୁ ବୁଦ୍ଧି ଓ ଚତୁରତାର ଅର୍ଜନ କରି ବୈଶ୍ୟ ବୋଲାଉଛି ଓ ସଫଳ ବହୁ ବହୁ ବାଣିଜ୍ୟର ବୋଇତଗୁଡ଼ିକୁ ଆପଣାର ଜୀବନସାଗର ଭିତରେ ମେଲି ଦେଇ ସାଧବଗିରି କରିଛି,–ଏବଂ ତା’ପରେ ଶୂଦ୍ର ହେବାର ସେହି ପରିପୂର୍ଣ୍ଣ ପାହାଚଟିରେ ଆପେଆପେ ଆସି ପହଞ୍ଚି ପାରିନାହିଁ ଅଥବା ସେହି ମୁତାବକ ଆପଣାର ଆସ୍ପୃହାଗୁଡ଼ିକର କ୍ଷେତ୍ରରେ ଏକ ଉତ୍ତୋଳନ ଘଟାଇ ପାରିନାହିଁ,–ସିଏ ବିଚରା ଏତେ ଏତେ ସମ୍ପଦ ଏବଂ ସମ୍ପର୍କସୂତ୍ରରେ ଭର୍ତ୍ତି ହୋଇ ରହିଥିବା ଏହି ସଂସାରରେ ବଡ଼ ନିଃସଙ୍ଗ ହୋଇ ରହିଛି । ବେଢ଼ା ଚାରିପାଖେ ବୁଲିବାରେ ଲାଗିଛି ସିନା, ଭିତରକୁ ବାଟ ପାଉନାହିଁ । ତା’ ସିଂହାସନ ଉପରେ ସିଏ ସତେଅବା କାହାକୁ ହେଲେ ବସାଇ ପାରିନାହିଁ । କେତେ କେତେ ମିହନ୍ତ ସହିତ କେବଳ ସିଂହାସନଟିକୁ ମଣିମୁକ୍ତାଦ୍ଵାରା ମଣ୍ଡିତ ଓ ମହାର୍ଘ କରି ରଖିବାର କୋଳାହଳପୂର୍ଣ୍ଣ ବହୁ ପ୍ରୟାସ କରୁଛି ସିନା, ମାତ୍ର ସିଂହାସନଟି ତଥାପି ଖାଲି ପଡ଼ିଛି । ବିଚରା ବଡ଼ ଦୁଃଖରେହିଁ ରହିଛି ।

 

୨ । ୯ । ୨୦୦୨

 

ଅଧ୍ୟୟନ ଗୋଟିଏ କଥା, ହୁଏତ understanding ଆଉଗୋଟିଏ କଥା ଏହି ଦ୍ଵିତୀୟ ଶବ୍ଦଟିର ଓଡ଼ିଆ ପ୍ରତିଶବ୍ଦ ପ୍ରକୃତରେ କ’ଣ ହୋଇପାରିବ କେଜାଣି ? ତାହାକୁ ଆମେ ‘ଭାବାତ୍ମକ ବୋଧ’ ବୋଲି କହି ପାରିବା କି ? ଏକ ସମଗ୍ରତାବୋଧ ଓ ଏପରିକି ଭାଗବତ ବୋଧ ବୋଲିବି କହିବା କି ? ସେହି ଭାବାତ୍ମକ ବୋଧ ହେଉଛି ମୂଳ ଖୁଣ୍ଟ,–ଆମ ଭିତରେ ଗ୍ରହଣଶୀଳତାର ଅସଲ ପ୍ରତୀକ ପୁରୁଷ । ଅଧ୍ୟୟନ ତାକୁ ନିୟମତଃ ଆଖି ଯୋଗାଇ ଦେବାରେ ଲାଗିଥାଏ,–ତାହାପାଇଁ ବହୁ ଗବାକ୍ଷ ସମ୍ଭାବନାର ଆହ୍ଵାନ ଦେଇ ଯାଉଥାଏ । ମୂଳ ମଜ୍ଜା ଦଣ୍ଡଟି ନଥିଲେ ଆଖିଗୁଡ଼ିକୁ ସାଉଁଟି ଆଣି ଆମେ ପୁଣି କାହାସହିତ ନେଇ ଯୋଡ଼ି ପାରିବା ? ଖାଲି ଅଧ୍ୟୟନ ହୁଏତ ଗୁଡ଼ାଏ ପାଣ୍ଡିତ୍ୟ ଆଣିଦିଏ । ପାଣ୍ଡିତ୍ୟ ବଢ଼ିଲେ ଯେ ବିବେକ ମଧ୍ୟ ବଢ଼େ, ସେକଥା ଆଦୌ ନୁହେଁ । ସାମ୍ପ୍ରତିକ ପୃଥିବୀରେ ପଣ୍ଡିତମାନେ ତ ମେଳାମେଳା ହେଉଛନ୍ତି, ମାତ୍ର ବିବେକମାନେ କାହିଁକି ତଥାପି ଅଧିକରୁ ଅଧିକ ଦୁଷ୍ପ୍ରାପ୍ୟ ହେବାରେ ଲାଗିଛନ୍ତି ? ବିବେକୀମାନଙ୍କୁହିଁ ଆମେ ସେହି ପ୍ରଶ୍ନଟିର ଉତ୍ତର ଦେବାକୁ ଅନୁରୋଧ କରିପାରିବା ।

 

ତଥାପି, ଗୋଟିଏ କଥା ଅବଶ୍ୟ ଠିକ୍ ହୋଇଥିବ । ଭିତରେ ସେହି ମଞ୍ଜିଟି, ମଜ୍ଜାଟି ବା ଭାବଟି ତା’ ସ୍ଵଭାବଧର୍ମଟି ବିଷୟରେ ସଚେତନ ହୋଇଗଲେ ଅଧ୍ୟୟନ ନିମନ୍ତେ ଏପରି ଏକ ବ୍ୟାକୁଳତା ସୃଷ୍ଟି ହେବାକୁ ଆରମ୍ଭ କରିବ, ଯାହାକୁ କେବଳ ଆପଣାର ପୂର୍ଣ୍ଣ ଆନୁଗତ୍ୟ ଦେଇପାରିଲେ ଯାଇ ସମ୍ଭାଳି ହେବ । ଅଧ୍ୟୟନ ନାମକ ଛୁଆଟି understanding ନାମକ ଜନନୀର ଏହିଭଳି ଭୂମିଟିଏ ଅର୍ଥାତ୍ ଭରସାଟିଏ ଖୋଜୁଥାଏ ବୋଲି ସାହସ କରି କୁହାଯାଇ ପାରିବି କି ? ଏକ ଆରେକକୁ ଚିହ୍ନିଯିବା ପରେ ତଥା ଏକ ଆରେକୁ ଆଦରିଯିବା ପରେ ତଦ୍ଦ୍ଵାରା ଦୁହେଁ ସତେଅବା ଅପ୍ରମିତ ପ୍ରକାରେ ଆଶୀର୍ବାଦ ପ୍ରାପ୍ତ ହୋଇ ଯାଆନ୍ତି ଓ ଉଭୟେ ଉଭୟଙ୍କୁ ପୁଷ୍ଟ କରିବାରେ ଲାଗିଥାଆନ୍ତି । ତା’ପରେ ପଣ୍ଡିତ ତୁଚ୍ଛା ପଣ୍ଡିତ ହୋଇ ରହିବାର ଦୁର୍ଭାଗ୍ୟରୁ ରକ୍ଷା ପାଏ ଏବଂ ଭାବାତ୍ମାଟା ଆଦୌ କୌଣସି ଭାବପ୍ରବଣତା ମଧ୍ୟକୁ ଗୋଡ଼ ଖସାଇ ଦେବାର କୌଣସି ଆଶଙ୍କା ନଥାଏ । ଦୁହେଁ ସତେଅବା ଗୋଟିଏ ଚଢ଼େଇର ଡେଣାରେ ପରିଣତ ହୋଇ ଯାଆନ୍ତି ।

 

୧୬ । ୯ । ୨୦୦୨

 

ବିଗତ ବର୍ଷମାନଙ୍କରେ ବଞ୍ଚି ଆସିଥିବା ‘ମୁଁ’ଗୁଡ଼ିକୁ ଉଦ୍ଦେଶ୍ୟରେ ଏବେ ମଧ୍ୟ ବେଳେବେଳେ ପ୍ରଣାମ ଜଣାଇବାକୁ ମନ ହୋଇଥାଏ ବୋଲି ଥରେ ଜଣେ କନିଷ୍ଠ ବନ୍ଧୁଙ୍କ ପାଖରେ ସେଦିନ କହି ପକାଇଲି । ମୁଁ, ଶାନ୍ତିନିକେତନ ସମୟର ସେହି ‘ମୁଁ’ଟି ଉଦ୍ଦେଶ୍ୟରେ, ଇଉରୋପରେ କେତେ କେତେ ଅବସରରେ ନିଜର ଘରଟିଏ ଠାକ କରିବାରେ ଲାଗିଥିବା ‘ମୁଁ’ଟି ଉଦ୍ଦେଶ୍ୟରେ ଏବଂ ସର୍ବୋପରି ଚମ୍ପତିମୁଣ୍ଡାରେ ଏକ ଅନିର୍ବଚନୀୟ ସାହସଦ୍ଵାରାହିଁ ସରସ ହୋଇ ରହିଥିବା ବନ୍ଧୁ କୋଳାହଳଟି ମଧ୍ୟରେ ନିତାନ୍ତ ନିଃସଙ୍କୋଚ ହୋଇ ମିଶିଯାଇ ପାରୁଥିବା ସେହି ‘ମୁଁ’ଟି ଉଦ୍ଦେଶ୍ୟରେ ମଧ୍ୟ ପ୍ରଣାମ ଜଣାଇବାକୁ ଖୁବ୍ ମନ ହୁଏ । ସେତେବେଳେ ନିଜକୁ ଖୁବ୍ ଧନାଢ଼୍ୟ ପରି ମନେ ହେଉଥାଏ ବୋଲିହିଁ ପ୍ରଣାମ ଜଣାଇବାକୁ ଇଚ୍ଛାଟିଏ ଜନ୍ମଲାଭ କରିଥାଏ । ଏବଂ, ଅପରପକ୍ଷରେ, ଆପଣାକୁ ଅକିଞ୍ଚନ ଓ ନଗଣ୍ୟ ବୋଲି ଦେଖାଇ ହେବାକୁ ପ୍ରାୟ ମୁଖାଗୁଡ଼ାଏ ପିନ୍ଧି ମଣିଷ ଯେତେବେଳେ କାହାକୁ ପ୍ରଣାମ କରିବ ବୋଲି ଲଣ୍ଡଭଣ୍ଡ ହେଉଥାଏ, ସେତେବେଳେ ସେମାନଙ୍କର ସେହି ଅନାବଶ୍ୟକ ପ୍ରଦର୍ଶନ ହୁଏତ ଆଦୌ କୌଣସି ମୂଲ୍ୟ ନଥାଏ-

 

ବିଗତ ବାଟଗୁଡ଼ିକ ବେଳର ମୁଁ, ଶୈଶବର ସେହି ‘ମୁଁ’ଗୁଡ଼ିକୁ ଏବର ଏହି ତଥାକଥିତ ପ୍ରୌଢ଼ ‘ମୁଁ’ଟି କଦାପି ଅପରିପକ୍ଵ ବୋଲି କହିବାକୁ ମନ କରିବନାହିଁ । ସେହି ‘ମୁଁ’ଟି ସେତେବେଳେ ଗୋଟାସୁଦ୍ଧା ମୋ’ ପାଖରେ ଥିଲା ଓ ମୋତେ ସେଇଠାରୁ ବାଟ ଦେଖାଇ ଆଣିଲା ବୋଲି ସିନା ମୁଁ ଏଯାଏଁ ଆସି ପହଞ୍ଚି ପାରିଲି ଓ ଆପଣାର ଏହି ସ୍ଵତନ୍ତ୍ର ଢିପଟି ଉପରେ ଛିଡ଼ା ହୋଇ ପଛକୁ ଖୁସୀ ହୋଇ ଅନାଇ ପାରିଲି ! ସେହି ପଛମାନଙ୍କୁ ମୁଁ କଦାପି ଝୁରି ହୋଇନାହିଁ,–ସେଗୁଡ଼ିକର ସରଳ ମୁକ୍ତାଶ୍ରୟଗୁଡ଼ିକୁ ସେଇଠି ରଖିଦେଇ ମୁଁ ଆଗକୁ ଆସି ଏତେଭଳି ଜଟିଳ ଜାଲରେ ପଡ଼ିଗଲି ବୋଲି କେବେହେଲେ ଝିଙ୍ଗାସି ହୋଇନାହିଁ । ଏଠି ଏହି ସାଙ୍ଗକୁ ଧରି ବାଟ ବାହାର କରୁଥିବା ସମୟରେ ସେତେବେଳର ସାଙ୍ଗମାନେ ମୋ’ ଗୋଡ଼ଗୁଡ଼ିକୁ କେତେ ନା କେତେ ଭରସା ଦେଉଛନ୍ତି । ସେମାନଙ୍କୁ ମୁଁ ପ୍ରଣାମ କରୁଛି ।

 

୧୮ । ୯ । ୨୦୦୨

 

ମଣିଷ ଶବର ପଚା ମାଉଁସରୁ ହିମାଳୟର ଅଘୋର ସାଧକ ରସଗୋଲା ସୃଷ୍ଟି କରି ଆଣିଲେ, ବନ୍ଧୁ ଜଣେ ନିଜର ଏକ ଆଖିଦେଖା କଥାର ବର୍ଣ୍ଣନା ଦେଇ ଏକଥାଟି ଲେଖିଛନ୍ତି । ସେହି ରସଗୋଲାକୁ ପୁଣି ଖାଇବି ହେଲା ! ବନ୍ଧୁ ନିଜେବି ଖାଇଲେ ଓ ରସଗୋଲା ବୋଲି ଜାଣିଲେ ବୋଲି କହିଛନ୍ତି । ଘୋର ତପସ୍ୟା ସାଧି ସିଦ୍ଧିଲାଭ କରିଥିବା ଅଘୋରଙ୍କ ସହିତ ବନ୍ଧୁ ସେହି ନିର୍ଜନ ନିବାସଟିରେହିଁ ରାତ୍ରିଯାପନ ମଧ୍ୟ କରିଥିଲେ । ରାତିରେ ତାଙ୍କ ସହିତ ସିଏ ସମ୍ଭବ କରି ପାରୁଥିବା ଅସାଧାରଣ ବ୍ୟାପରଗୁଡ଼ିକର ରହସ୍ୟ ତତ୍ତ୍ଵକୁ ନେଇ କଥାବାର୍ତ୍ତାବି କରିଛନ୍ତି । ତତ୍ତ୍ଵଟି ମୋଟାମୋଟି ହେଉଛି : ଜଡ଼ ଯାହା, ଶକ୍ତି ତାହା । ଜଡ଼ର ମଞ୍ଜକୁ ଗଲେ ଶକ୍ତି, ଶକ୍ତିର ସାକାରତା ପ୍ରାପ୍ତି, ତାହାରି ଶକ୍ତି । ନାନା ଆକାର, ମାତ୍ର ମୂଳରେ ସେହି ଗୋଟିଏ ମାତ୍ର ଶକ୍ତି । ପଚା ମାଂସ ଓ ରସଗୋଲା,–ସବୁ ସେଇ ଶକ୍ତିରହିଁ ନାନା ରୂପ । ବିକାର ସହିତ ଦେଖିଲେ ଭାରି ଅଲଗାଅଲଗା ଏବଂ ତତ୍ତ୍ଵସତ୍ୟର ସ୍ପର୍ଶ ଦେଇ ଦେଖିଲେ ଅଭିନ୍ନ ।

 

ପଢ଼ିଦେବା ପରେ କେମିତି କେମିତି ଲାଗିଲା । ଭିତରର ଅସଲ ରସନାକୁ କିଞ୍ଚିତ୍ ଖଟା ମଧ୍ୟ ଲାଗିଲା । ତତ୍ତ୍ଵ ଯେ ଏକ ଓ ଅଭେଦ, ଏହାକୁ କ’ଣ ଆମେ ପଚାମାଂସକୁ ରସଗୋଲାରେ ପରିଣତ କରିବାର ଏକ ଟେକନିକଦ୍ଵାରାହିଁ ଆତ୍ମସ୍ଥ କରି ପାରିବା ? ଟେକନିକ ଦେଖାଇ ବିଶ୍ଵାସର ପ୍ରତିଷ୍ଠା,–କୋଉଠି ଅସଲ ଆସ୍ପୃହା ପଥଟିରୁ ଟଳିଯାଇ ହୁଏତ ଆମ ସାଧନାର ପରମ୍ପରାଟି ବାରବାର ଭାରସାମ୍ୟ ହରାଇଛି,–କଲ୍ୟାଣରୁବି ହୁଡ଼ିଯାଇଛି । ତପସ୍ୟାର ସିଦ୍ଧି ଆଦୌ ଟେକନିକଗୁଡ଼ିକୁ ଆୟତ୍ତ କରିବାଦ୍ଵାରା ହୁଏନାହିଁ,–ତାହାକୁ ସକଳ ଅର୍ଥରେ ଏକ Growing up ରୂପେ ଗ୍ରହଣ କରିପାରିଲେ ଯାଇ ହୁଏ । ଏବଂ, ମୁଁ ସେହି କାଲିଠାରୁ ଭାବୁଛି, ଏହି ପଚା ମାଂସରୁ ରସଗୋଲା ଯାଏଁ ଆସି ପାରିବାର ଯେଉଁ ସିଦ୍ଧିଟି ମୁଁ ହାସଲ କରୁଛି, ମୋ’ପାଇଁ ତ ତା’ପରେ ପୃଥିବୀରେ କେତେ ନା କେତେ ଅତ୍ୟାବଶ୍ୟକତା ଆସି ଉପସ୍ଥିତ ହୋଇଯିବ । ତେଣୁ, ତା’ପରେ ମୁଁ ଗୁମ୍ଫା ଭିତରେ ନିଜକୁ ଐକାନ୍ତିକ ଭାବରେବି କିପରି ଆସନସ୍ଥ କରି ରଖି ପାରିବି ? ଏବଂ, ସିଦ୍ଧିଟାକୁ ଗୁମ୍ଫା ଭିତରେହିଁ ମୋ’ର ଏକୁଟିଆ ଏକ ଗୁପ୍ତ କରାମତିରୂପେ ଉପଭୋଗ କରିବାଲାଗି ପୁଣି ଏତେ ବର୍ଷ ବର୍ଷ ଧରି ମୁଁ ଜଙ୍ଗଲୀ ଭିତରେ ଯାଇ କାହିଁକି କୃଚ୍ଛ୍ର କରିବି ?

 

୧୫ । ୧୦ । ୨୦୦୨

 

ଭଲ, ଅର୍ଥାତ୍ ବହୁ ସମ୍ଭାବନା ପୂର୍ଣ୍ଣ । ଏହି ସମ୍ଭାବନାମାନେହିଁ ସମ୍ପତ୍ତି, ଆମ ଜୀବନ ବିଶ୍ୱାସର ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ପୁଞ୍ଜି । ଏହି ସମ୍ଭାବନାଗୁଡ଼ିକ ବିଷୟରେ ସଚେତନ ହୋଇ ନିଜ ବଣିଜରେ ବାହାରିଥିବା ମଣିଷକୁବି କ’ଣ ସେହି ନ୍ୟାୟରେ ଜଣେ ଭଲ ମଣିଷ ବୋଲି କୁହାଯିବ ? ଏହି ବଣିଜ ଭିତରେ ଚାଲିଥିବ ଏବଂ ବାହାରେ ମଧ୍ୟ ଚାଲିଥିବ । ତେଣୁ, ଭିତରଟା ପାଖରେ ବାହାରଟାକୁ ମୋଟେ ଲୁଚାଇବାକୁ ପଡ଼ୁ ନଥିବ ଅଥବା ବାହାରଟା ପାଖରେ ଭିତରଟାକୁ ଲୁଚାଇବାକୁ ପଡ଼ୁ ନଥିବ । ଅର୍ଥାତ୍, ଏହି ପୃଥିବୀରେ ତୁମେ ସର୍ବୋତ୍ତମ ଭାବରେ କାମରେ ଲାଗିପାରିବ । ଏବଂ, ଏହି ସର୍ବୋତ୍ତମ ଭାବରେ ପୃଥିବୀର କାମରେ ଲାଗିବା,–ତାହାକୁ ମଧ୍ୟ ଭଗବାନଙ୍କର କାମରେ ଲାଗିବା ବୋଲି କାହିଁକି କୁହାନଯିବ ?

 

ପ୍ରତ୍ୟେକ ଭଲ ଶିକ୍ଷକ ତା’ ଛାତ୍ରର ସେହି ବହୁସମ୍ଭାବନାପୂର୍ଣ୍ଣତା ଉପରେ ବିଶ୍ଵାସ ରଖିଥିବ । ଛାତ୍ରର ସମ୍ଭାବନାଗୁଡ଼ିକୁ ନିଜେ ବାହାର କରି ତା’ର ଉପକାର କରିବାର ଅର୍ଥାତ୍ ତା’ କାମକୁ ସହଜ କରିଦେବାର ଦୁର୍ବୁଦ୍ଧି କେବେହେଲେ କରିବନାହିଁ । ନିଜ ସମ୍ଭାବନାମାନଙ୍କୁ ଛାତ୍ର ସ୍ଵୟଂ ଠାବ କରିବ,–ନିଜର ବାଟଟିକୁ ମଧ୍ୟ ନିଜେ ନିର୍ଣ୍ଣୟ କରିବ । ତାହାହିଁ ଆତ୍ମଦର୍ଶନ, ଆତ୍ମ–ଉଦ୍‌ଘାଟନ ଓ ଆତ୍ମପରିଚୟ । ହଁ, ଶିକ୍ଷକରବି ଯଦି ଆତ୍ମ–ଉଦ୍‌ଘାଟନର କାର୍ଯ୍ୟଟି ତଥାପି ଲାଗି ରହିଥାଏ, ତେବେଯାଇ ସିଏ ତା’ର ଛାତ୍ରମାନଙ୍କୁ ଉଚିତ ମାର୍ଗପ୍ରେରଣା ଦେଇପାରିବ । ଭଲ ହେବାର ମାର୍ଗମାନେ ଆଗରୁ ନିର୍ଣ୍ଣିତ ହୋଇ ରହିଛନ୍ତି, ଗୁଳାଟାଏ ହୋଇ ପ୍ରଲୁବ୍ଧ କରାଉଛନ୍ତି,–ବହୁତ ଗୁରୁ ଗୁଳାଟିରେ ନେଇ ପକାଇ ଦେବାକୁହିଁ ଆପଣାର ସବାବଡ଼ କର୍ତ୍ତବ୍ୟ ବୋଲି ଗ୍ରହଣ କରି ନେଇଥାଆନ୍ତି । ଏମାନେ ପୃଥିବୀକୁ ଅସାଧୁ ହୋଇ ରହିବାର ଭାରି ସାହାଯ୍ୟ କରନ୍ତି । ଗୁଳା ନଥାଏ । ସମ୍ଭାବନାଗୁଡ଼ିକୁ ପ୍ରାଣ କରୁଥିବା ମଣିଷ, ସିଏ ଗୁରୁ କିମ୍ବା ଶିକ୍ଷାର୍ଥୀ ଯାହା ହୋଇଥାଉ ପଛକେ, କଦାପି ଗୁଳାରେ ସନ୍ତୁଷ୍ଟ ହୋଇ ରହି ଯିବନାହିଁ । ପୃଥିବୀରେ ଏହି ଗୁଳାମାନଙ୍କୁହିଁ ପଣ୍ଡିତମାନେ ଏ ସଂସ୍କୃତି ଓ ସେ ସଂସ୍କୃତି ବୋଲି ଚିହ୍ନିବାର ବିଡ଼ମ୍ବନା ଭିତରେ ପଡ଼ିଯିବାର ସରାଗ ଦେଖାଇବା ଦିନଠାରୁ ଏଠି ଗୁଳାରେ ଚାଲିବାକୁହିଁ ଭଲ ବୋଲି ପ୍ରଚାର କରାଯାଇଛି କି ? ପୃଥିବୀ ପ୍ରାୟ ଅଣନିଃଶ୍ଵାସୀ ହୋଇ ଅଟକି ଯାଇଛି । ପୃଥିବୀରେ ନେତାମାନେ ଗୁଳାରେ ଚିନ୍ତା କରୁଛନ୍ତି, ଗୁଳାମାନଙ୍କୁ ନେଇ ଧରାପରା ହେଉଛନ୍ତି । ଜାତୀୟତାବାଦୀମାନେ ବହୁ ମିଛି ବେଢ଼ା ମଧ୍ୟରେ ମଣିଷମାନଙ୍କୁ ଅଳ୍ପପ୍ରୟାସୀ କରି ରଖି ଦେଇଛନ୍ତି । ମଣିଷମାନେ ଅଳପ, ନିତାନ୍ତ ଅଳପ ଦେଖୁଥିବାରୁ କନ୍ଦଳମାନେ ଲାଗି ରହିଛନ୍ତି ।

 

୩ । ୧୧ । ୨୦୦୨

 

ଯାହା ସହିତ ଖିଅ ଲାଗି ରହିଥିଲେ ପ୍ରତିଦିନର ସକାଳ ଏକ ନୂତନ ସକାଳ ପରି ଲାଗେ ଏବଂ ପ୍ରତିଦିନଟି ଜନ୍ମଦିନଟି ପରି ଲାଗେ, ସିଏ କ’ଣ ଆମେ ପ୍ରଥମେ ଆମଆଡ଼ୁ କିଛି ଅନୁକୂଳ ସଙ୍କେତ ଦେବୁ ବୋଲି ଅପେକ୍ଷା କରିଥାଏ ? ସଙ୍କେତ ପାଇଲେ ଯାଇ ଖିଅଟିକୁ ଲଗାଏ ଏବଂ ଅନୁକୂଳ ସଙ୍କେତ ନପାଉଥିବା ପର୍ଯ୍ୟନ୍ତ ଏ ବିଷୟରେ ବିମୁଖ ହୋଇ ରହିଥାଏ ? ତେବେ, ମୋ’ ପଟୁ ଝରକାଟିକୁ ମୁଁ ଖୋଲିଦେବାମାତ୍ରକେ ସିଏ ସେପାଖରେ ମୋତେ ଛୁଇଁକରି ରହିଥିବା ପରି କ’ଣ ପାଇଁ ଅନୁଭବ ହୁଏ ? ତା’ ତରଫରୁ ଯେ ସିଏ କେତେବେଳେ ଖିଅଟିକୁ ଛିଣ୍ଡାଇ ରଖିଥାଏ, ଏହି ଖିଅଟି ବିଷୟରେ ମୋ’ର ଆଦୌ କିଛି ହେତୁ କାଳରୁହିଁ ମୁଁ କେବେହେଲେ ସେକଥା ଅନୁଭବ କରିନାହିଁ । ଖିଅଟି ଲାଗି ରହିଥାଏ, ଏଠୁ ସେଯାଏ ପାହାଚଟି ଲମ୍ବି କରି ରହିଥାଏ,–ମୁଁ ମନ କଲାମାତ୍ରକେ ପ୍ରତିଭାତ ହୋଇଉଠେ,–ତୁ କାହିଁକି ଏତେ ଉଛୁର କଲୁ ବୋଲି ସେପାଖରେ ଥାଇ ଆଦୌ କେହି କହେନାହିଁ ।

 

ହଁ, ଏଇଟା ମଧ୍ୟ ଗୋଟିଏ ଅଙ୍ଗେ ନିଭାଇବା କଥା ଯେ, ଗୋଟିଏ ଗୋଟିଏ ବିଶେଷ ଦିନରେ ଆମ ସହିତ ଖିଅଟିକୁ ଯୋଡ଼ି ରଖିଥିବା ସିଏ ସତେଅବା ଏକ ବିଶେଷ ଆମ ସମକ୍ଷରେ ଉଭା ହୋଇ ରହିଥିବା ପରି ଲାଗୁଥାଏ । ଏବଂ, ଆହୁରି ଏକ ଅନ୍ତରଙ୍ଗତର କଥା ହେଉଛି ଯେ, ସେଦିନ ସମ୍ଭବତଃ ସେହିପରି କିଛି କାରଣରୁହିଁ ନିଜକୁ ମଧ୍ୟ ଟିକିଏ ଅନ୍ୟଭଳି ଲାଗୁଥାଏ । ବାସଟା ସତେଅବା ପୂରା ନୂଆ ପରି ଲାଗେ, ଆଖିଟା ସତେଅବା ଏକ ବିଶେଷ ଉଲ୍ଲାସର ସହିତ ସବୁକିଛିକୁ ଯାଇ ସ୍ପର୍ଶ କରି ପାରୁଥାଏ । ସେହି ମୁହୂର୍ତ୍ତଗୁଡ଼ିକ, ସେହି ସାନ୍ନିଧ୍ୟଗୁଡ଼ିକ ଭାରି ମନେ ରହିଯାଏ ।

 

ଏହି ସୃଷ୍ଟିସମଗ୍ରର ଅଂଶ ହୋଇ ରହିଥିଲେ ମଧ୍ୟ ଭିତରେ ସତେଅବା ଏକ ବିଶେଷ ମହିମା ଅର୍ଥାତ୍ ବିଶେଷ କରୁଣା ମୋଟେ ସତେଅବା ଏକ ବିଶେଷ ନିର୍ଭର ଦେଇ ରଖିଥିବା ପରି ଲାଗେ । ସମ୍ଭବତଃ ସେଇଥିପାଇଁ ନିଜକୁ ବିଶେଷ ପୁଣ୍ୟବାନ୍ ମନେ ହେଉଥାଏ । ଦିନଟି ଅଥବା ମୁହୂର୍ତ୍ତଟି ତାହାରି ଏକ ବିଶେଷ ଦାନ ପରି ଲାଗୁଥାଏ । ପୃଥିବୀଟା ବିଶେଷ ପବିତ୍ର ବୋଲି ମନେହୁଏ । ଏଠି ଆମେ ଇଚ୍ଛା କଲେ ପ୍ରକୃତରେ କେଡ଼େ କାମରେ ନଲାଗିବା, ବାରବାର ସେହି ପ୍ରତ୍ୟୟଟି ମିଳି ଯାଉଥାଏ ।

 

୫ । ୧୧ । ୨୦୦୨

 

ନିଃସଙ୍ଗ ଲାଗିଲେ ଦ୍ଵିଗୁଣ ବ୍ୟାକୁଳତା ସହିତ ସିନା ସାଙ୍ଗ ଖୋଜି ବାହାରିଯାଇ ହେଉଥାନ୍ତା,–ମାତ୍ର କେତେ ଲୋକ ସେପରି କରନ୍ତିନାହିଁ କାହିଁକି କେଜାଣି ? ସେମାନେ ଏକ କ୍ଷତିପୂରଣ ଖୋଜି ବାହାରନ୍ତି । ଧନ ଖୋଜନ୍ତି, କ୍ଷମତା ଖୋଜନ୍ତି, ସଫଳତା ନାମରେ କେତେକଅଣ ଖୋଜି ବାହାରିଥାନ୍ତି । ମୁଖା ଖୋଜି ବାହାରନ୍ତି । ଅନ୍ୟମାନଙ୍କଠାରୁ ଅଧିକ ଦେଖାଯାଇ ପାରିବେ ବୋଲି ବାର ମେହେନତ୍ କରୁଥାନ୍ତି । ନିଜକୁ ଭାରି ଦୁର୍ଗତି ମଧ୍ୟରେ ପକାଇ ରଖିଥାନ୍ତି । ଆମ ସମସ୍ତଙ୍କ ଲାଗି ମଧ୍ୟ କ’ଣ କମ୍ ଦୁର୍ଗତିର କାରଣ ହୁଅନ୍ତି ?

 

ଏହିଭଳି ଲୋକମାନଙ୍କର ସାଙ୍ଗ ହେବାକୁ ପ୍ରକୃତରେ ଭାରି ଡର ମାଡ଼େ । ସେମାନଙ୍କର ଟକଳା ଅର୍ଥାତ୍ କାତରତାପୂର୍ଣ୍ଣ ଆଚରଣଗୁଡ଼ିକ କହି ଦେଉଥାଆନ୍ତି ଯେ, ଏମାନେ ପ୍ରକୃତରେ ସମ୍ପୂର୍ଣ୍ଣମନ୍ତେ ଆପଣାର ପ୍ରୀତ୍ୟର୍ଥେହିଁ ତୁମକୁ ଚାହୁଁଛନ୍ତି, ତୁମକୁ ଗିଳି ପକାଇବାରେ ଫିସାଦ କରି ତୁମ ପାଖକୁ ଆସିଛନ୍ତି । କେତେଭଳି ବେଲେଇ ହୁଅନ୍ତି, କେତେ ମନଲୋଭା କଥାମାନ କହନ୍ତି, କେତେ କେତେ ତୁମକୁ ପ୍ରାୟ ଏକ ବୁଢ଼ିଆଣୀ ପରି ଆପଣାର ଲାଳାସୂତାଗୁଡ଼ାକରେ ଗୁଡ଼ାଇ ପକାଇବାକୁ ଇଚ୍ଛା କରୁଥାନ୍ତି । ତେଣୁ, ପ୍ରାୟ ବାଧ୍ୟ ହୋଇ ସାଙ୍ଗ ହେବାର କୌଣସି ମାର୍ଗ ପୃଥିବୀରେ ଥିଲେ ସିନା ତୁମେ ସତକୁସତ ସେମାନଙ୍କର ନିକଟବର୍ତ୍ତୀ ହୋଇ ପାରୁଥାନ୍ତ ? ତେଣୁ, ଭାରି ଧକ୍କା ଖାଇବାକୁ ହୁଏ । ଭାରି ଧୋକା ଖାଇବାକୁ ହୁଏ । ସଂସାରରେ ମଣିଷମାନେ ପୁଣି ଏମିତି ଧୋକା ଦିଅନ୍ତି ବୋଲି କିଞ୍ଚିତ୍ ଅପ୍ରସନ୍ନ ଭାବରେ ମୋହଭଙ୍ଗ ହୋଇଥିବାର କଥାଟାଏ କହିବାକୁ ଭାରି ମନ ହେଉଥାଏ । ସଂସାରଟା ଏମିତି ବୋଲି କହିବାର ଫାନ୍ଦରେ ପଡ଼ିଯିବା ସଙ୍ଗେ ସଙ୍ଗେ କ୍ରମେ ତୁମ ନିଜ ଗୋଡ଼ମାନେ ମଧ୍ୟ ଯେ କେତେବେଳେ ଖସିଯିବାକୁ ଆରମ୍ଭ କରନ୍ତି, ଅନେକ ସମୟରେ ସେକଥା ଜାଣିବି ହୁଏନାହିଁ । ତୁମେବି ପାଲରେ ପଡ଼ି ଯାଇଥିବା ପରି ଚଲାଖ ହେବାକୁ ଇଚ୍ଛା କର ଓ ତେଣୁ ଆତ୍ମଘାତୀ ହୁଅ । ପୃଥିବୀରେ ଡାକ୍ତର ହେବାକୁ ସରାଗ କରି ସ୍ଵୟଂ ରୋଗୀଟିଏ ହୋଇଯାଅ । ନିଃସଙ୍ଗତାଟା ପ୍ରକୃତରେ ଭାରି ସଂକ୍ରାମକ ବୋଲି ପ୍ରମାଣିତ ହୋଇଯାଏ । ଭଗବାନ ମୋତେ କରୁଣାହିଁ କରନ୍ତୁ, ସଂସାରରେ ସାଙ୍ଗ ଖୋଜି ବୁଲିବାର ମୋ’ର ବିଶ୍ଵାସଟିରେ ମୋତେ ଟାଣ କରି ରଖିଥାନ୍ତୁ । ତେଣୁ, ନିଃସଙ୍ଗମାନଙ୍କ ପାଖକୁ ଯାଇ ତଥାପି ସାଙ୍ଗଟିଏ ହୋଇ ବସି ପାରିବାଲାଗି ମଧ୍ୟ ମୋତେ ଅତ୍ୟନ୍ତ ସ୍ଵକୀୟ ଉପାୟଟିଏ ଅବଶ୍ୟ ମିଳିଯାଇ ପାରିବ ।

 

୧୦ । ୧୧ । ୨୦୦୨

 

ପୃଥିବୀରେ ଜ୍ଞାନ ଯେତିକି ହେଲା ସେତିକି ଥାଉ ପଛକେ, କରୁଣା ଅଧିକ ହେଉ । ମାତ୍ର, ଜ୍ଞାନ ତ କରୁଣାର ଦୁଶ୍ମନ୍ ଆଦୌ ନୁହେଁ, ତେବେ ଜ୍ଞାନ ହୁହୁ ହୋଇ ବଢ଼ିବାରେ ଲାଗିଛି ବୋଲି ଯେ କରୁଣା କ୍ଷୀଣ ହେବାରେ ଲାଗିଛି, ସେକଥା ମଧ୍ୟ କାହିଁକି କୁହାଯିବ ? ତେବେ, ହୁହୁ ହୋଇ ବଢ଼ୁଥିବା ଆମର ଏହି ଜ୍ଞାନରେ ସତକୁସତ କି ଅଭାବ ରହିଛି, ଯାହାଫଳରେ କି ଏତେ ଏତେ ଜ୍ଞାନ ଅର୍ଜନ କରୁଥିବା ମଣିଷମାନେ ଏପରି ନିଷ୍କରୁଣ ହୋଇ ପଡ଼ୁଛନ୍ତି ?

 

ଆମେ ଅର୍ଜନ କରୁଥିବା ଏହି ପାଠଗୁଡ଼ାକୁ ଆମେ କୌଣସି ଧୋକାରେ ପଡ଼ି ଜ୍ଞାନ ବୋଲି କହୁଛୁ କି ? ପାଠ ହେଉଛି ଯାହା ଅର୍ଜନ କରାଯାଏ,–ଶାସ୍ତ୍ରର ଅର୍ଜନ କରାଯାଏ, ଗୁରୁମୁଖରୁ ମଧ୍ୟ ଅର୍ଜନ କରାଯାଇଥାଏ । କିନ୍ତୁ ସେହି ସବୁକିଛିକୁ ଆମେ ଜ୍ଞାନ ବୋଲି କହୁ ବୋଲି ସମ୍ଭବତଃ ତାହାରି ଫଳରେ ଏକ complacency ଭିତରେ ରହିଯାଉ । ଆମ ଅର୍ଜନଗୁଡ଼ିକରୁ ଆମେ ଯେଉଁ ନିର୍ଯାସଗୁଡ଼ିକୁ ଜୀବନରେ ଗ୍ରହଣ କରୁ ଅର୍ଥାତ୍ ନିଜସ୍ଵ ପାଥେୟରେ ପରିଣତ କରିପାରୁ, ତାହାକୁହିଁ ଅଧିକ ସମୀଚୀନତା ସହିତ ଜ୍ଞାନ ବୋଲି କୁହାଯାଇ ପାରିବ କି ? ଆମ ଚତୁର୍ଦ୍ଦିଗରେ ରହିଥିବା ଓ ବିଭିନ୍ନ ପ୍ରକାରେ ଆମକୁ ଆତଯାତ କରାଉଥିବା ଏହି ମନୁଷ୍ୟ–ସମୁଦାୟଟି ସହିତ ଭିତରେ ଡୋର ଲାଗିଥିଲେ ଯାଇ ଆମ ଉପାର୍ଜିତ ପାଠସମ୍ପତ୍ତିଗୁଡ଼ାକ ଆମକୁ ଯଥାର୍ଥ ଜ୍ଞାନବିବେକର ଭାଜନ କରାଇପାରନ୍ତି । ପାଠ ତ ବଢ଼ୁଛି, କିନ୍ତୁ ଜ୍ଞାନ ନାମକ ସେହି ବିବେକଟିଏ ଶକ୍ତି ଯେ କ୍ରମଶଃ ଅନ୍ତରାଳକୁ ଚାଲିଯାଉଛି,–ସେଥିଲାଗି ଆମେ ପୁଣି କାହାକୁ ଦାୟୀ କରିବା ? କୌଶଳୀ ମଣିଷମାନେ ଯେ ଏହି ପୃଥିବୀଟାକୁ ପ୍ରାୟ ଏକ ଦାନବୀୟତା ଦର୍ପରେ ମାଡ଼ି ବସିଛନ୍ତି, ପୃଥିବୀରେ କରୁଣାଶକ୍ତି ବୃଦ୍ଧି ପାଇଲେ ଯାଇ ତାହାର ପ୍ରତିବାଦ ହୋଇପାରନ୍ତା ଓ ଏକ ପ୍ରତିକାର ସମ୍ଭବ ହୁଅନ୍ତା । ସଫଳ ବ୍ୟକ୍ତିଜୀବନ କହିଲେ ଅନେକେ ସେହି ଦାନବଶକ୍ତିକୁ ମଜବୁତ କରି ପୃଥିବୀଟାକୁ କାବୁ କରି ରଖିବାକୁ ଇଚ୍ଛା କରୁଛନ୍ତି । ସେମାନେ ଏବେ ନାନା gangରେ ମେଳ ବାନ୍ଧିବି ବାହାରିଗଲେଣି ଓ ମଣିଷମାନଙ୍କର ଚଳନ୍ତି ସଂସାରଧର୍ମଗୁଡ଼ିକୁ ଅନୁରୂପ ଭାବରେ ଦଖଲ କରି ରହିଛନ୍ତି । କରୁଣା ମଧ୍ୟ କେବେ ଆପଣାର ଅନୁରୂପ ମେଳଟିଏ ସମ୍ଭବ କରିପାରିବ ଓ ସତ୍ୟାଗ୍ରହୀ ହୋଇ ଯେ ଦାଣ୍ଡକୁ ବାହାରିବ, ହୁଏତ ତାହାରି ଲାଗି ଅପେକ୍ଷା ରହିଛି ।

 

୨୧ । ୧୧ । ୨୦୦୨

 

ସେହି ନିଦ ଭିତରୁହିଁ ମୋ’ ଭିତରୁ କଥାଟିଏ ମୋ’ କାନ ପାଖରେ ଖୁବ୍ ସ୍ପଷ୍ଟ ଭାବରେ ଘୋଷିତ ହେଉଥିଲା ଏବଂ ତେଣୁ ନିଦରୁ ଉଠିବା ସହିତହିଁ ମୁଁ ସେହି କଥାଟିକୁ ନିଜଭିତରୁ ଶୁଣିବାକୁ ପାଇ ପାରିଲି;–“ପୃଥିବୀକୁ ଏଥର ଖାଲି ସମ୍ପ୍ରସାରିତ ହୋଇଯିବାର ବେଳ ଆସି ପହଞ୍ଚିଲା ।” ଏବଂ, ଯେତେବେଳେ ମୁଁ ଏହି କଥାଟିକୁ ସତକୁସତ ଶୁଣିପାରିଲି, ତାହାର ଅର୍ଥ ହେଉଛି, ଆହୁରି ଅଧିକ ସମ୍ପ୍ରସାରିତ ହୋଇ ପାରିବା ନିମନ୍ତେ ମୋ’ର ବେଳଟି ଆସି ପହଞ୍ଚିଗଲା ।

 

ବିଗତ ପଚାଶ ଷାଠିଏଟା ବର୍ଷ ମଧ୍ୟରେ ଏହି ବାହାର ପୃଥିବୀଟା କ’ଣ କମ୍ ସମ୍ପ୍ରସାରିତ ହେବାରେ ଲାଗିଛି ? ସମ୍ପ୍ରସାରିତ ହୋଇ ଯାଉଥିବା ସେଇଟି ହେତୁହିଁ ମଣିଷମାନେ ଏତେ ନିବିଡ଼ ଏବଂ ନିର୍ଭରଯୋଗ୍ୟ ଭାବରେ ପରସ୍ପର ମଧ୍ୟକୁ ସମ୍ପ୍ରସାରିତ ହୋଇଯିବାର ଆହ୍ଵାନମାନ ଶୁଣି ପାରିଲେଣି । ଦୂରତାମାନେ ତ ପ୍ରଧାନତଃ ତା’ରି ପାଖରେ ବା ସେହିମାନଙ୍କ ପାଖରେ ତଥାପି ରହୁଛନ୍ତି, ଯେଉଁମାନେ କି ସମ୍ପ୍ରସାରିତ ହେବାଲାଗି ଅନିଚ୍ଛୁକ ହୋଇ ରହିଛନ୍ତି । ସାରା ପୃଥିବୀ ଏକାବେଳେକେ ଦୁଆର ଉପରେ କରାଘାତ କରୁଥିଲେ ମଧ୍ୟ ଯେଉଁମାନେ ତଥାପି କବାଟ ନଖୋଲି କିଳିହୋଇ ରହିଛନ୍ତି । ଧର୍ମରୁ, ଜ୍ଞାନରୁ, ରାଜନୀତିରୁ ପ୍ରାୟ ଅନୁକ୍ଷଣ ସମ୍ପ୍ରସାରିତ ହେବା ନିମନ୍ତେ ଭଳିଭଳି ଆମନ୍ତ୍ରଣ ଆସି ପହଞ୍ଚିଲାଣି, ତଥାପି ଯେଉଁମାନେ ନିଜତିଆରି କାନ୍ଥଗୁଡ଼ିକ ଭିତରେ ରହିଲେ ଯାଇ ଶୁଦ୍ଧ, ସ୍ଵତନ୍ତ୍ର ଏବଂ ସୁଲକ୍ଷଣଯୁକ୍ତ ହୋଇ ରହିବେ ବୋଲି ନିତାନ୍ତ ବାଉଳା ବିଶ୍ଵାସମାନଙ୍କୁ ଧରି ପଡ଼ି ରହିଛନ୍ତି, ସମ୍ଭବତଃ ସେହିମାନେହିଁ ପୃଥିବୀଟାକୁ ବିପନ୍ନ କରି ରଖିଛନ୍ତି,–ଏବଂ ସ୍ଵୟଂବି ପୃଥିବୀଟା ଲାଗି ଗୋଟାଏ ଗୋଟାଏ ବିପଦ ହୋଇ ରହିଛନ୍ତି । ଜଣେ ଜଣେ ମନୁଷ୍ୟ ହିସାବରେ ସମ୍ପ୍ରସାରିତ ହୋଇପାରିଲେ ଆମେ କେଡ଼େ ସହଜ ଶ୍ରଦ୍ଧାରେ ଅନ୍ୟ ମଣିଷମାନଙ୍କ ଭିତରକୁ ପ୍ରବେଶ କରିବାର ବାଟ ମଧ୍ୟ ପାଇ ଯାଉଥାଆନ୍ତେ । ହିନ୍ଦୁ ନିଜକୁ ସମ୍ପ୍ରସାରିତ କରିପାରିଲେ ତାକୁ ଅଣହିନ୍ଦୁମାନଙ୍କ ଭିତରକୁ ମଧ୍ୟ ବାଟ ମିଳି ଯାଉଥାନ୍ତା । ଏହିପରି ଏକ ପୃଥିବୀରେ ଦୀକ୍ଷିତ ହେବାଟା ଏଡ଼େ ସହଜ ହୋଇ ଯାଉଥାନ୍ତା ଯେ, ଆଉ ଦୀକ୍ଷିତ କରାଇବାର ଏକ ସ୍ଵତନ୍ତ୍ର ପଲଟଣ ତିଆରି କରି ପାଦ୍ରୀ ହୋଇ ଆଉ କେଉଁଠାକୁ ହେଲେ ଯିବାକୁ ପଡ଼ନ୍ତାନାହିଁ । ସତକୁସତ ମାତୃକ୍ରୋଡ଼କୁ ଫେରି ଆସିବାର ଅନୁଭବ ମିଳନ୍ତା ଏହିଟିକୁ ମୁଁ ଯାବତୀୟ ଅର୍ଥରେ ବିଶ୍ଵ ମଧ୍ୟକୁ ସମ୍ପ୍ରସାରିତ ହୋଇ ଯିବାର ମହାଭାଗ୍ୟ ବୋଲିହିଁ କହିବି । ସମ୍ପ୍ରସାରଣଦ୍ଵାରା ମୁକ୍ତିଲାଭହିଁ ସକଳ ଧର୍ମ ଓ ସକଳ ବାଦରେ ଏକ ଅନ୍ତର୍ଗତତମ ମାର୍ଗରେ ସର୍ବପ୍ରଥମ ଈଶ୍ଵର ସାକ୍ଷାତ୍‌କାର ବୋଲି ଘୋଷିତ ହୁଅନ୍ତା ।

 

୨୩ । ୧୧ । ୨୦୦୨

 

ବାପି କେବଳ ତାଙ୍କ ଜନ୍ମଦିନର ଉପଲକ୍ଷ୍ୟରେ ନୁହନ୍ତି, ସବୁଦିନେ ମନେ ପଡ଼ୁଛନ୍ତି । ଏବଂ, ସିଏ ମନେ ପଡ଼ିଯିବା ସହିତ ପଛଟା ଅପେକ୍ଷା ଅନାଗତ ଆଗାମୀଟାହିଁ ଅଧିକ ସ୍ପଷ୍ଟ ଭାବରେ ଦେଖାଯାଉଛି । ଭାରତବର୍ଷରେ ତଥାକଥିତ ନେତୃତ୍ଵଗୁଡ଼ିକର ଚକ୍ରାନ୍ତ ଫଳରେ ଯୋଉସବୁ ଦୁଆରକୁ ସତେଅବା ଜାଣି ଜାଣି ବନ୍ଦ କରି ରଖା ଯାଇଥିଲା, ସେଗୁଡ଼ିକ ଏଣିକି ଖୋଲି ଖୋଲି ଯାଉଛି,–ତେଣୁ ଶ୍ରୀ ନବକୃଷ୍ଣ ଚୌଧୁରୀ ଆହୁରି କତିରେ ଆସି ଛିଡ଼ା ହୋଇଥିବା ପରି ବୋଧ ହେଉଛି । ଏହି ପଚାଶବର୍ଷ ମଧ୍ୟରେ ଯେଉଁମାନେ ମସ୍ତ ମସ୍ତ ସଫଳତା ହାସଲ କରିଗଲେ ବୋଲି ଦୁନ୍ଦୁଭି ବାଜୁଛି, ସେମାନେ ତ ସତକୁସତ କେଡ଼େ ସଫଳ ହୋଇଛନ୍ତି, ସେମାନେ କେଡ଼େ ଢଙ୍ଗରେ ପଦାରେ ପଡ଼ି ଯାଉଛନ୍ତି ।

 

ଏହି ସଫଳମାନେ ସତେଅବା ଗରଜରେ ପଡ଼ି ରାଜନୀତିକୁ କେବଳ ରାଜନୀତି ବୋଲି ଗ୍ରହଣ କରି ନେଇଥିଲେ । ସେହି ଚିତ୍ରପଟଟି ଉପରେ ସେମାନେ କେବଳ ନିଜକୁହିଁ ନାୟକ, ନାୟିକା ଅଥବା ହିରୋ ବୋଲି ଦେଖୁଥିଲେ । ଯେତିକି ଦେଖିବାକୁ ଇଚ୍ଛା କରୁଥିଲେ, ସେତିକି ଦେଖୁଥିଲେ । ତେଣୁ, ବରଡ଼ାପତର ପରି ଦିନେ ଅବଶ୍ୟ ଖସିବେ ବୋଲି ମୋଟେ ବୁଝି ପାରୁ ନଥିଲେ । ନବକୃଷ୍ଣ ଚୌଧୁରୀ ଆହୁରି କ’ଣ ଅଧିକ ଅର୍ଥାତ୍ ବୃହତ୍ତର ମଧ୍ୟରେ ରାଜନୀତିକୁ ଦେଖୁଥିଲେ ବୋଲି ସର୍ବଦା ଅଲଗା ପ୍ରକାରେ ଦେଖୁଥିଲେ,–ଅନେକ ଅଧିକ ଦୂରଯାଏ ଚିନ୍ତା କରି ପାରୁଥିଲେ,–ରାଜନୀତି ବସ୍ତୁତଃ ଏକ ବୃହତ୍ତର ଉଦ୍‌ବେଳନ ଏବଂ ଉଦ୍‌ଘାଟନର ଏକ ଅନ୍ୟତମ ଆବଶ୍ୟକତା ବୋଲି ଗ୍ରହଣ କରିଥିଲେ । ବିଚରା ଜଳକାମାନେ ତାଙ୍କୁ ହୁଏତ କିଛି ପରିମାଣରେ ବୁଝୁଥିଲେ ମଧ୍ୟ ତାଙ୍କ ସହିତ ଅର୍ଥାତ୍ ତାଙ୍କ ବୋଲରେ ବାଟ ଚାଲିବାର ସାହସ କରି ପାରୁ ନଥିଲେ-। ସିଏ ମଧ୍ୟ କାହାକୁ ଜବରଦସ୍ତି ଅର୍ଥାତ୍ ନେତୃତ୍ଵର କୌଣସି charisma ଦେଖାଇ ନିଜ ସହିତ ବୋକଚା କରି ମୁଣ୍ଡାଇବାକୁ ବିଶେଷ ଉତ୍ସାହ ରଖୁ ନଥିଲେ । ଭିତରେ କେତେ ବିଶ୍ଵାସ ଥିଲେ ଏବଂ ଆଖିମାନଙ୍କରେ କେତେ ଦୂରକୁ ଦେଖି ପାରୁଥିଲେ ଯେ ଜଣେ ନେତା ସେକଥା କରିପାରିବ, ବାପି ତାହାରି ଏକ ନମୁନା ହୋଇ ଏବେ ମଧ୍ୟ ରହିଛନ୍ତି । ଓଡ଼ିଶାରେ ପ୍ରାୟ ଜଣେ ଏକକ ଦୃଷ୍ଟାନ୍ତ ହୋଇ ରହିଛନ୍ତି । ଉପରେ ବେଳେବେଳେ ବଡ଼ କ୍ଷିପ୍ତ ହୋଇ ପଡ଼ୁଥିଲେ ମଧ୍ୟ ସେ ନିଜଭିତରେ ଅପେକ୍ଷା କରି ଜାଣିଥିଲେ । ସର୍ବଦା ତଥାପି ଅତ୍ୟନ୍ତ ସଂକ୍ରାମକ ହୋଇ ରହିଥିଲେ ଓ ଭୀରୁମାନଙ୍କୁ ପୂରା ଘଉଡ଼ାଇ ଦେଉଥିଲେ ।

 

୩୦ । ୧୧ । ୨୦୦୨

 

କେବଳ କୌଣସି ସାମୟିକ ଉଲ୍ଲାସ ନୁହେଁ, ଅସଲ କାମ୍ୟ ହେଉଛି ଏକ ସ୍ଥାୟୀ ଖୁସୀ । ଖାସ୍ କ’ଣ ପାଇଁ ଖୁସୀ, ପଚାରିଲେ ମୋଟେ କହି ହେଉ ନଥିବ, ତଥାପି ଖୁସୀହିଁ ଲାଗୁଥିବ । ଯାବତୀୟ ସଂସ୍ପର୍ଶ କେବଳ ଏକ ଖୁସୀକୁ ଅଭିବ୍ୟକ୍ତ କରି ଆଣୁଥିବ,–ତାହାହିଁ ସ୍ଥାୟୀ ଖୁସୀ ସତତ ଲାଗି କରି ରହିଥିବାର ଖୁସୀ, ସତତ ଖୁସୀ ହୋଇ ରହିଥିବାର ଖୁସୀ । ଟିକିଏ ସ୍ଵୀକୃତି ହୋଇ ପାରିବା ନିମନ୍ତେ ମଣିଷମାନେ କେତେ ପ୍ରକାରର କୃଚ୍ଛ୍ର ଓ କସରତ କରିବାରେ ଲାଗିଥାଆନ୍ତି । ଧାଇଁ ଧାଇଁ ଭାରି ହନ୍ତସନ୍ତ ହୁଅନ୍ତି, ସତେଅବା ଫାଶ ଓ ତହୁଁ ବଳି ଆହୁରି ଫାଶ ପକାଇବେ ବୋଲି ତରତର ହୋଇ ରହିଥାନ୍ତି । ସେମାନେ ବିଶେଷ ଅବକାଶମାନଙ୍କରେ ଖୁବ୍ ଉଲ୍ଲସିତ ହୁଅନ୍ତି । ଏବଂ ତା’ପରେ ଯୋଉଠି ଥିଲେ, ବଡ଼ ଦୟନୀୟ ଭାବରେ ପ୍ରାୟ ସେଇଠାକୁ ଫେରି ଆସନ୍ତି । କ୍ଳାନ୍ତ ‘ମୁଁ’ଟା ଉପରେ ସମ୍ଭବତଃ କିଞ୍ଚିତ୍ ଦୟା କରୁଥାନ୍ତି । ମାତ୍ର ଅସଲ ଖୁସୀଟିକୁ ମୋଟେ ଧରି ପାରନ୍ତିନାହିଁ ।

 

ସାମୟିକ ଉଲ୍ଲାସ ଟିକିଏ ପାଇପାରିବା ନିମନ୍ତେ ପୃଥିବୀରେ ଏବେ କେଡ଼େ କେଡ଼େ ମଥା ଖୁବ୍ ଗମ୍ଭୀର ହୋଇ ଲାଗିଛନ୍ତି । ଘଡ଼ିଏ ଆଉ କୁଆଡ଼େ ପଳାଇ ପାରିଲେ ସେହିପରି କିଛି ଅନୁଭବ ସମ୍ଭବ ହେବ ବୋଲି ଆନୁଷ୍ଠାନିକ ଜାଲଗୁଡ଼ିକୁ ପାତି ରଖିଥିବା agency ମାନେ ସେମାନଙ୍କ ବିନୋଦନ ନିମନ୍ତେ କେତେ କେତେ ଫିସାଦିଆ ଉଦ୍‌ଭାବନ କରିବାରେ ଲାଗିଥାଆନ୍ତି । ସାହିତ୍ୟଟାବି ସେହିପରି କ୍ଷଣିକ କିଛିର ବରାଦ କରିଦେଇ କେଡ଼େ ସାର୍ଥକତାର ସ୍ୱାଦମାନ ଅନୁଭବ କରୁଥାଏ । ଭିତରେ ହୁଏତ ସମସ୍ତେ ପରସ୍ପର ଆଡ଼କୁ ଏଡ଼େ ବଡ଼ ନାକ ଟେକି ରହିଥାନ୍ତି, ମାତ୍ର ବାହାରେ ବାହୁ ଟେକି ବାର କୋଳାହଳ କରୁଥାଆନ୍ତି । ଏବେ ତ ଖେଳଗୁଡ଼ାକ ମଧ୍ୟ ବହୁତ ସ୍ଥଳରେ ସେହି ସାମୟିକ ଉଲ୍ଲାସ ସକାଶେ ବ୍ୟବହୃତ ହେବାକୁ ଆରମ୍ଭ କଲାଣି । କ’ଣ ଏକ ଲକ୍ଷ୍ମୀଛଡ଼ା ହୋଇ ଭିତରେ ପଶିଗଲେ ଯେ ମଣିଷମାନେ ଖୁସୀଟାକୁ ତୁଚ୍ଛା ଏକ ଅବାସ୍ତବ କଳ୍ପନା ବୋଲି କହି ଏହି ସାମୟିକ ଉଲ୍ଲାସର ଭେଳିକିରେ ମାତି ରହିଥାନ୍ତି, ସେକଥା କିଏ ପ୍ରକୃତରେ ନାଡ଼ିଗୁଡ଼ିକୁ ଦେଖି କହିପାରିବ ? ଖୁସୀ ଉପରୁ ମଣିଷର ବିଶ୍ଵାସ ତୁଟିଗଲେ ଅର୍ଥାତ୍ ସେହି ଖୁସୀଟିକୁ ଜୀବନରେ ସମ୍ଭବ କରିବା ବିଷୟରେ ନିଜର ସାମର୍ଥ୍ୟଟି ଉପରୁ ଆସ୍ଥା ଚାଲିଗଲେ ବିଚରା କେତେ ମଣିଷ ହୁଏତ ସେହି ସାମୟିକତା ଭିତରେ ପଡ଼ି ରହିବାକୁ ବାଧ୍ୟ ହେଉଥାନ୍ତି । ଉଲ୍ଲାସର ଏହି ଯାବତୀୟ ହାଟ ଭିତରେ ବାଟ ହୁଡ଼ି ଯାଇଥିବା ମଣିଷମାନଙ୍କୁ ତୁମେ ପ୍ରକୃତରେ କେଉଁ ଭାଷାରେ କଥା କହି ଖୁସୀ ବିଷୟରେ ସେମାନଙ୍କୁ କିଞ୍ଚିତ୍ ପ୍ରତ୍ୟୟ ଦେଇପାରିବ କହିଲ !

 

୪ । ୧୨ । ୨୦୦୨

 

ଆସ୍ପୃହା ଏକ ଜିଦ୍,–ମୋ’ ଭିତରେ ତାଙ୍କରି ଜିଦ୍ । ମୁଁ ବର୍ତ୍ତମାନ ଯାହା ହୋଇ ରହିଛି ଓ ଯେତିକିରେ ଅଛି, ସେଇଟି ଉପରେ ମୁଁ ଯାହା ହୋଇପାରନ୍ତି ଅର୍ଥାତ୍ ହୋଇ ପାରିବି, ତାହାରି ଜିଦ୍-। ମୋ’ ତଥାକଥିତ ବାସ୍ତବଟି ଉପରେ ମୋ’ ସମ୍ଭାବନାଗୁଡ଼ିକର ଜିଦ୍ । ଏହି ସମ୍ଭାବନାମାନଙ୍କର କୌଣସି ଅନ୍ତ ନାହିଁ । ତେଣୁ; ଆସ୍ପୃହାରେ ମଧ୍ୟ କାହିଁକି କୌଣସି ଅନ୍ତ ରହିବ-?

 

ମଣିଷ ସତକୁ କେତେ ପାରିବ ବା କେତେଯାଏ ଯାଇପାରିବ, ସିଏ ବା ଆଉକିଏ କିପରି ସେକଥା ଏହିଠାରୁ ଥାଇ କହି ଦେଇ ପାରିବ ? ଜୀବର ଅଳପ ଶକତି ବୋଲି ଯେଉଁ ହିତାକାଂକ୍ଷୀମାନେ କହିଛନ୍ତି, ସେମାନେ କ’ଣ ବିଚାର କରି ସେପରି କହିଲେ କେଜାଣି ? ସେମାନେ ଯେତିକି ଦୂର ଯାଇଥିଲେ, ସେମାନେ କ’ଣ ସେତିକି ଅନୁସାରେ ନିଜର କାଠିଗୁଡ଼ିକୁ ପକାଇ ମାପିବାକୁ ବାଧ୍ୟ ହେଲେ କି ? ଆଉ ଅଧିକ ଆଗକୁ ଯାଇ ପାରିଲେନାହିଁ ଅର୍ଥାତ୍ ଯିବାକୁ ମନ କଲେନାହିଁ ବୋଲି ସଂସାରଯାକକୁ ମଧ୍ୟ ସେଇଠାରେହିଁ ଅଟକାଇ ରଖିବାକୁ ଇଚ୍ଛା କଲେ କି-? ମୁଁ ଭାବୁଛି, ପ୍ରାୟ ଧର୍ମତଃ ସେହିମାନଙ୍କଦ୍ଵାରାହିଁ ଯାବତୀୟ ସମ୍ପ୍ରଦାୟର ଭିଆଣ ହେଲା-। ସମ୍ପ୍ରଦାୟଟିଏ ଗଢ଼ା ହେଲା ଏବଂ ସେହି ଅନୁସାରେ ସତ୍ୟଗୁଡ଼ିକର ଘୋଷଣା ହେଲା,–ଅର୍ଥାତ୍ ସେଇଠି ବାଡ଼ିଟିଏ ପକାଇ ପୃଥିବୀକୁ ଅଟକାଇ ରଖିବାର ଫିକର କରାଗଲା । ସେହି ଫିକରମାନେ ଆହୁରି ଅଧିକ ଗୁଳା ବାନ୍ଧି କ୍ରମେ ଗୋଟିଏ ଗୋଟିଏ ଧର୍ମରେ ପରିଣତ ହେଲେ, ନେତ ଉଡ଼ାଇଲେ-। ସେହି ଫିକର ସକାଶେ ଗୋଟିଏ ଧର୍ମ ଅନ୍ୟ ଏକ ଧର୍ମଠାରୁ ଓ ଏପରି ସେହି ଗୋଟିଏ ତଥାକଥିତ ଧର୍ମଭିତରେ ମଧ୍ୟ ଗୋଟିଏ ସମ୍ପ୍ରଦାୟ ଅନ୍ୟ ସମ୍ପ୍ରଦାୟମାନଙ୍କଠାରୁ ଆଦୌ କିଛି ଗ୍ରହଣ କରିବାଟାକୁ ମଧ୍ୟ ନିରୁତ୍ସାହିତ କରାଗଲା । ଏହି ମନୁଷ୍ୟାତ୍ମାଗୁଡ଼ିକର ପ୍ରକୃତରେ ପ୍ରଭୂତ କ୍ଷତିହିଁ କରାଗଲା । ପ୍ରକୃତ ଧର୍ମ ଓ ପ୍ରକୃତ ମାର୍ଗମାନେ କେବଳ ଆସ୍ପୃହାଟାକୁ ସଦାସଚଳ ହୋଇ ରହିବା ନିମନ୍ତେ ଯାହାକିଛି କରୁଥାଆନ୍ତେ । ତେବେ ନିଜର ଧର୍ମ ବା ମାର୍ଗଗୁଡ଼ିକୁ ନେଇ ମଣିଷ କଦାପି ଏତିକି ଭିତରେ ପଡ଼ି ରହନ୍ତାନାହିଁ । ସକାଳର ଆସ୍ପୃହା,–ଆଲୋକର ଆସ୍ପୃହା,–ତାହାହିଁ ଅଧ୍ୟାତ୍ମାର ଆସ୍ପୃହା । ଏହାହିଁ ଅଧ୍ୟାତ୍ମାର ଜିଦ୍ ବୋଲି ମଧ୍ୟ କାହିଁକି କୁହା ନଯିବ ?

 

୩୧ । ୧୨ । ୨୦୦୨

 

ଭାଉଜୋଉଙ୍କର ଅପରେସନ୍ ହୋଇଛି । ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଅନ୍ୟର ଶୁଶ୍ରୂଷା ଉପରେ ନିର୍ଭର କରୁଛନ୍ତି । ସେଦିନ ସିଏ ଟେଲିଫୋନ୍‌ରେ କହିଲେ ଯେ, ଭାଇହିଁ ତାଙ୍କର ଯାବତୀୟ ଶୁଶ୍ରୂଷା କରୁଛନ୍ତି । ଭାଇଙ୍କର ବୟସ ତେୟାଅଶୀ କି ଚୌରାଅଶୀ । ନିଜେ ମଧ୍ୟ ଆଦୌ ସୁସ୍ଥ ନୁହନ୍ତି । ତଥାପି, ଭାଉଜୋଉଙ୍କ ସକାଶେ ଯାବତୀୟ କାମ କରୁଛନ୍ତି । ଧୈର୍ଯ୍ୟ ହରାଉନାହାନ୍ତି-। ଖୁସୀ ହୋଇ କରୁଛନ୍ତି । ଭାଉଜୋଉ ଖୁବ୍ ବ୍ୟସ୍ତ ହୋଇ ସେକଥା କହୁଥିଲେ । କହୁ କହୁ କାନ୍ଦି ପକାଉଥିଲେ । ଏ ବୟସରେ ଭାଇ ତାଙ୍କର ଏତେସବୁ କାମ କରି ଚାଲିଛନ୍ତି ବୋଲି କହୁ କହୁ ସେ କାନ୍ଦି ପକାଇଲେ ।

 

ଦାମ୍ପତ୍ୟ ଜୀବନଟିଏ ସଚରାଚର ପ୍ରାୟ ସେହି ଏକାଭଳି । ଦୁଇଜଣ ମଣିଷ ପରସ୍ପରର ଏତେ ପାଖରେ ରହନ୍ତି,–ଜଣେ ଅପରର ସବୁକିଛି ଦେଖୁଥାନ୍ତି,–କିଛି ମନକୁ ଆସେ, ପୁଣି କିଛି ମନକୁ ଆସେବି ନାହିଁ । ଏକ ଆରେକୁ ବହୁତ ଖୁଣନ୍ତି । ଏକ ଆରେକକୁ ନେଇ କେତେ ପ୍ରକାରେ ରୁଷ୍ଟ ହୁଅନ୍ତି । ଭାରି ଅଶାନ୍ତି ଭିତରେ ପ୍ରାୟ ଜଖମ ହୋଇ ରହିଥାନ୍ତି ପରି ଲାଗୁଥାଆନ୍ତି । ସେମାନଙ୍କର ପରିବାର ନାମକ ମେଳଟି ମୋଟେ ଭଲ ଅବସ୍ଥାରେ ରହୁନାହିଁ ବୋଲି କେତେ କେତେ ଖେଦରେ ଘାରି ହୋଇ ରହିଥାନ୍ତି । ବେଳେ ଭାଗ୍ୟକୁ ମଧ୍ୟ ନିନ୍ଦନ୍ତି । ନିଜପ୍ରତି ଦୟାବି କରନ୍ତି । ଏହି ସବୁକିଛିକୁ ଏକତ୍ର କରି ସମୟ ଆଗକୁ ଆଗକୁ ଚାଲି ଯାଉଥାଏ । ବୟସ ବେଶୀ ହେଉଥାଏ । ଏବଂ ସେତିକିବେଳେ ଅସଲ ଆବିଷ୍କାରଟିର ସମୟ ଆସି ହୁଏତ ପହଞ୍ଚିଯାଏ । ସେମାନେ ପରସ୍ପରକୁ ଏହି ପୃଥିବୀରେ ନିକଟତମ ବୋଲି ଅନୁଭବ କରୁଥିଲେ, ଏକ ଆରେକ ନିମନ୍ତେ ସବାଆଗ ଦାୟୀ ହୋଇ ରହିଥିଲେ,–ସମ୍ଭବତଃ ସେଇଥି ସକାଶେ ଏକ ଆରେକକୁ ସତତ ନିଜ ଆଖିସାମନାରେ ରଖିଥିଲେ, ଏତେ ଟିକିଏ ଅନ୍ୟପ୍ରକାରେ ଦେଖିଲେ ତ୍ରସ୍ତ ହୋଇ ପଡ଼ୁଥିଲେ, ପ୍ରମାଦ ଗଣୁଥିଲେ । ତଥାପି, ସର୍ବଦାହିଁ ପରସ୍ପରକୁ ଏକ ନିବିଡ଼ତମ ନୈକଟ୍ୟରେ ସାଙ୍ଗରେ ଧରି ରଖିଥିଲେ । ସଂସାର ସହିତ ଖିଅଗୁଡ଼ିକ ପ୍ରାୟ ଛାଡ଼ି ହୋଇ ଆସିବା ପରେ, ଯେତେବେଳେ ପରିଣତ ବୟସରେ ସେମାନେ ଶେଷରେ ଘରକୁ ଫେରିଆସିଲେ, ସେତେବେଳେ ଯାଇ ପରସ୍ପରର ପାଖରେ ରହିଛନ୍ତି ବୋଲି ଆବିଷ୍କାରବି କଲେ । ବସ୍ତୁତଃ ସବୁଦିନେ ପରସ୍ପରର ପାଖେପାଖେ ରହିଥିଲେ,–ପରସ୍ପରକୁ ସବାଆଗହିଁ ଖୋଜୁଥିଲେ,–ପରସ୍ପର ନିମନ୍ତେ ସବାଆଗ ଆଗକୁ ବାହାରି ପଡ଼ୁଥିଲେ ।

 

୨୦୦୩

୨୨ । ୨ । ୨୦୦୩

 

ଫାଶଗୁଡ଼ାକୁ ଯେ ମୁଁ ଗୋଟାକ ପରେ ଗୋଟାଏ ଛିଣ୍ଡାଇ ଆସିଛି, ଚାରିଦଉଡ଼ି କଟା ହେବାଲାଗି ସେପରି ମୋଟେ କରିନାହିଁ । ଚାରିଦଉଡ଼ିକୁ କାଟିଦେଇ ମୁଁ ପ୍ରକୃତରେ କୋଉଠିକୁ ପଳାଇ ଥାଆନ୍ତି ? ନାଇଁ, ନାଇଁ, ଚାରିହଜାର ଚାରିଟା ଡୋରରେ ବନ୍ଧା ହୋଇ ରହିବା ନିମନ୍ତେହିଁ ମୁଁ ଫାଶଗୁଡ଼ିକୁ କାଟିଛି ବା ଛିଣ୍ଡାଇ ଆସିଛି । ଏହି ଅଭିସାର ଏବେ ମଧ୍ୟ ଚାଲିଛି । ଏହି ଅଭିସାରର ଅନ୍ତ ନାହିଁ ।

 

ଘରଟି ସହିତ ଆତ୍ମୀୟତା ବଢ଼ୁଥିବା ସଙ୍ଗେ ସଙ୍ଗେ ଗୋଟିଏ ସୌଭାଗ୍ୟ ପରିପୂର୍ଣ୍ଣ ମୁହୂର୍ତ୍ତ ଅର୍ଥାତ୍ ବିନ୍ଦୁ ଆସି ପହଞ୍ଚିଯାଏ, ଯେତେବେଳେ କି ଏହି ଘରଟିରେ ଗବାକ୍ଷମାନେ ରହିଛନ୍ତି ବୋଲି ଏକ ଅଭିନବ ପ୍ରତ୍ୟୟ ବା ଶ୍ରଦ୍ଧା ଜାତ ହୁଏ । ଘରଟିର ଦ୍ଵିଜତ୍ଵ ହୋଇଯାଏ । ତେଣୁ, ତା’ପରେ ଜ୍ୟାମିତିଗୁଡ଼ାକ ସବୁ ଅତ୍ୟନ୍ତ ଆନନ୍ଦମୟ ଆଉ କ’ଣକୁ ରୂପାନ୍ତରିତ ହୋଇଯାଏ । ମୁକୁଳିବାଟା ଯାବତୀୟ ସତ ଅର୍ଥରେ ବାନ୍ଧିହୋଇ ଯିବାକୁ ବୁଝାଏ ଓ ତାହାହିଁ ଏତେ ଏତେ ଆନନ୍ଦର କାରଣବି ହୁଏ । ବାଗଲପୁର ଗାଁରୁ ମୁକୁଳି ମୁଁ ଯୋଉଦିନ ବୃହତ୍ତର ପୃଥିବୀଟି ସହିତ ବାନ୍ଧିହୋଇ ଯିବାଲାଗି ଦାଣ୍ଡକୁ ବାହାରିଲି, ସେଦିନ ବାଗଲପୁର ଗାଁକୁ ମୋଟେ ପଛରେ ଛାଡ଼ିଦେଇ ଆସି ନଥିଲି । ବାଗଲପୁର ଗାଁକୁ ବାନ୍ଧି କରି ନିଜ ପଛରେ ଘୋଷାରି ଘୋଷାରି ମଧ୍ୟ ଆଣି ନଥିଲି । ବର୍ତ୍ତମାନ ଏଠୁ ଯେତେବେଳେ ସେହି ଗାଁଟିଯାଏ ଚାହିଁ, ସତକୁସତ ଚାହିଁ ଦେଖିପାରୁଛି, ସେତେବେଳେ ଭାରତବର୍ଷକୁ ଦେଖିପାରୁଛି, ଓଡ଼ିଶାକୁବି ଦେଖିପାରୁଛି । କେହି କାହାରିକୁ ଆଦୌ ମାଡ଼ି ବସିନାହାନ୍ତି । କେହି କାହାରିକୁ ଆଦୌ ଗିଳି ପକାଉ ନାହାନ୍ତି । ପ୍ରକୃତରେ ଭାଗ୍ୟରେ ଥିଲେ ଯାଇ ଏହି ଯାବତୀୟ ଗିଳି ପକାଇବା କିମ୍ବା ଗିଳି ହୋଇଯିବାରୁ ନିଷ୍କୃତି ଲାଭ କରିହୁଏ । ଫାଶ ଛିଣ୍ଡାଇବାମାନେ କେଉଁ ମହାମମତାର ସ୍ପର୍ଶ ବାଜି ଡୋର ଲଗାଇବାରେ ରୂପାନ୍ତରିତ ହୋଇଯାଆନ୍ତି-। ଏହି ଚିହ୍ନା ଗଣିତଗୁଡ଼ାକରେ ଏପରି ଏକ ଉତ୍ତୋଳନ ସତେଅବା କୌଣସି ଆଶୀର୍ବାଦ ପରି ସମ୍ଭବ ହୋଇଯାଏ, ଯାହା ଫଳରେ ବୃହତ୍ତର ପରିଧିର ପରବର୍ତ୍ତୀ ଗଣିତଗୁଡ଼ିକୁ ସହଜ ହୋଇ ବାଟ ଛାଡ଼ିଦେଇ ହୁଏ । ସବୁ ବଦଳିଯାଏ, ତଥାପି କିଛି ବଦଳି ନଥାଏ । ଆଦୌ କିଛିହେଲେ ମୋତେ ଗୋଇଠା ମାରି ଚାଲିଗଲା ପରି ଲାଗୁ ନଥାଏ, କିଛିହେଲେ ପରିତ୍ୟକ୍ତ ହୋଇ ପଛରେ ରହିଗଲା ଭଳି ଅନୁଭବ ହେଉ ନଥାଏ । ତାହାରି ଜୟ ହେଉ ।

 

୩ । ୩ । ୨୦୦୩

 

ଡୋର ଛିଣ୍ଡାଇ ଦେବାକୁ ମନ କରିବା ମଣିଷମାନଙ୍କୁ ମାୟାବାଦଟା ଖୁବ୍ ଘେନାଏ । ଡୋରଗୁଡ଼ିକୁ ଧର୍ମତଃ ଏପରି ଉପାଦାନ ଓ ବ୍ୟାକୁଳତାଗୁଡ଼ିକୁ ଦେଇ ତିଆରି ହୋଇଥାନ୍ତି ଯେ, ସେମାନେ ଆପେଆପେ ମୋଟେ ଛିଣ୍ଡି ଯାଆନ୍ତିନାହିଁ । ତେଣୁ, ଡୋର ଛିଣ୍ଡାଇବାର ମନ କଲେ ଯାଇ ଡୋର ଛିଣ୍ଡେ । ତା’ପରେ, ଏହି ସଂସାରରେ ସବୁକିଛି ଅସ୍ଥାୟୀ ଏବଂ ଭଙ୍ଗୁର ବୋଲି କହିବାଲାଗି ଅତୀବ ସଉକ ଜାତ ହୋଇଥାଏ । ସୃଷ୍ଟିକର୍ତ୍ତା ପରମେଶ୍ଵର ସତେଅବା ଖାସ୍ ମନୁଷ୍ୟମାନଙ୍କର ପ୍ରୀତ୍ୟର୍ଥେ ମାୟାବାଦର ଭିଆଣ କରିଛନ୍ତି ବୋଲି କହିବାକୁ ଖୁବ୍ ମନ ହୁଏ । ଜଗତ୍ ମିଥ୍ୟା ଓ ବ୍ରହ୍ମ ସତ୍ୟ ବୋଲି କହିବାଲାଗି ସେତେବେଳେ ବହୁତ ଆନନ୍ଦ ଲାଗୁଥାଏ ।

 

କିନ୍ତୁ, ଯଦି ବ୍ରହ୍ମ ସତ୍ୟ ହୋଇଥାଆନ୍ତି, ତେବେ ଜଗତ୍ କିପରି ମିଥ୍ୟା ହେବ, ସେହି କଥାଟି ନିଜକୁ ନପଚାରିବା ଲାଗି ଭାରି ଇଚ୍ଛା ହୁଏ,–ସତେଅବା ଏକ ଅପରାଧ କରୁଥିବା ପରି ଭିତରଟା ଖାଲି କନକନ ହେଉଥାଏ । ମୋ’ ନିଜର କୌଣସି ଖାସ୍ ଆବଶ୍ୟକତା ରହିଛି ବୋଲି ମୁଁ ଏହି ଜଗତକୁ ମିଥ୍ୟା ବୋଲି ଯେ କହୁଛି, ସେତେବେଳେ ନିଜ ଭିତରକୁ ଅନାଇ ସେହି କଥାଟି କହିବାଲାଗି ଆଦୌ ସାହସ ହୁଏନାହିଁ । ବ୍ରହ୍ମ ସତ୍ୟ, ତେଣୁ ମୁଁ ମଧ୍ୟ ସତ୍ୟ, ଏବଂ ଏହି ଜଗତ ମଧ୍ୟ ସତ୍ୟ,–ସତକୁସତ ଏହି ପ୍ରତ୍ୟୟଟିକୁ ଅର୍ଜନ କରି ପାରିବା ସକାଶେ ଏପରି ଏକ ସାହସର ଯୋଗ୍ୟ ହେବାକୁ ହୋଇଥାଏ, ଯାହାକି ଜୀବନକୁ ଏକାଧିକ ଆୟାମର ବିମୋଚନ ଆଣି ଦେଇପାରେ । ନିଜର ସେହି ବିମୋଚନଗୁଡ଼ିକ ନିମନ୍ତେ ସମ୍ମତ ହୋଇ ପାରିଥିବା ମଣିଷଟିଏ କଦାପି ମାୟାବାଦୀ ହୁଏନାହିଁ । ଆବରଣଯୁକ୍ତ ଭାବରେ ଦେଖୁଥିବା ପର୍ଯ୍ୟନ୍ତ ସବୁ ମାୟା ବୋଲି ପ୍ରତୀତ ହେଉଥାଏ ସିନା, କିନ୍ତୁ ଆବରଣମୁକ୍ତ ହୋଇପାରିଲେ ବ୍ରହ୍ମର ସହଜ ଅନୁଭବ ସମ୍ଭବ ହୁଏ । ସେହି ସହଜ ଅନୁଭବଟି ସକାଶେହିଁ ଏହି ପୃଥିବୀଟାଯାକ ଆପଣାର ଘରଭଳି ଲାଗୁଥାଏ । ମାୟାବାଦୀ ଘରେ ଥାଇ ମଧ୍ୟ ଘରଖଣ୍ଡିଆ ହୋଇ ରହିଥାଏ । ଥରେ ଅସଲ ଡୋରଟି ଲାଗିଯାଇ ପାରିଲେ ତାହା ଅଧିକରୁ ଅଧିକ ଲମ୍ବିଯିବାରେ ଲାଗିଥାଏ ଏବଂ ଏକାବେଳେକେ ବହୁ ବହୁ ସଂପଦକୁ ସମ୍ଭାରି ରଖିବାକୁ ସମର୍ଥ ହୁଏ । ସମସ୍ତଙ୍କ ଭିତରେ ନିଜକୁ ଦେଖିହୁଏ । ସେହି ଦେଖିବାଦ୍ୱାରାହିଁ ତରି ହୋଇଯାଏ । ମୋତେ ତୁମ ପଦପ୍ରାନ୍ତକୁ ନେଇଯାଅ ବୋଲି ବିକଳ ହୋଇ ଡାକିବାର ଆଉ ପ୍ରୟୋଜନ ନଥାଏ । ପୃଥିବୀଟାହିଁ ସେହି ପଦକୁ ବହନ କରି ରହିଥାଏ । ଅଭୟ ଦିଏ ।

 

Unknown

୫ । ୩ । ୨୦୦୩

 

ବୟସରେ ବୁଢ଼ା ହୋଇଯିବି ସିନା, କିନ୍ତୁ ବାର୍ଦ୍ଧକ୍ୟ କାହିଁକି ଗ୍ରାସ କରିବ ? ଏବଂ, ବାର୍ଦ୍ଧକ୍ୟ ଆଦୌ ଆସିବା ବା କାହିଁକି ? ପ୍ରକୃତରେ ବାର୍ଦ୍ଧକ୍ୟ ଆସୁବି ନାହିଁ । ବରଂ, ଏହି ପରିପକ୍ଵ ପୋଖତ ବୟସରେ ଉଚିତ ସମ୍ଭ୍ରମର ସହିତ ବାର୍ଦ୍ଧକ୍ୟ ପାଖରେ ଯାଇ ପହଞ୍ଚିଯାଇ ହେଉଛି ଓ ସଙ୍ଖୋଳି ହେଉଛି । ଆଗରୁ ତ ବାର୍ଦ୍ଧକ୍ୟ ବିଷୟରେ ପଢ଼ିଥିଲି, ଅନ୍ୟମାନଙ୍କଦ୍ଵାରା ପ୍ରଦତ୍ତ ନାନାବିଧ ଚିତ୍ରରେ ତାହାର କିଛି ଅନୁମାନ କରିପାରୁଥିଲି । ଏବେ ତ ବନ୍ଧୁ ପରି ତାକୁ ସମ୍ବୋଧନ କରି ହେଉଛି । ପାଖରେ ବସାଇବି ହେଉଛି । ହାନିଲାଭ ପଚାରି ହେଉଛି । ପଛକୁ ଅନାଇ ଏହି ବଡ଼ ପୃଥିବୀଟାରେ ମୁଁ ମାଳମାଳ ତରୁଣଙ୍କୁ ଦେଖିପାରୁଛି । ସେମାନେ କେବଳ ଶାସ୍ତ୍ରସଂଜ୍ଞାଦ୍ଵାରା ନିରୂପିତ କୌଣସି ତାରୁଣ୍ୟର ଆଦୌ ଅନୁକରଣ କରୁନାହାନ୍ତି । ସେମାନେ ନାନା ପୃଷ୍ଠଭୂମିଗତ ସମଗ୍ରତାରେ ତାରୁଣ୍ୟକୁ ବଞ୍ଚୁଛନ୍ତି, ଅଙ୍ଗେ ନିଭାଉଛନ୍ତି ଏବଂ ସେହି ପ୍ରକ୍ରିୟାରେ ତାହାକୁ ନାନା ଅଭୂତପୂର୍ବ ଆୟାମଦ୍ଵାରା ମଣ୍ଡିତ କରିପାରୁଛନ୍ତି ।

 

ଗୋଡ଼ ହାତ କହୁଛନ୍ତି, ତୁମେ ଚାଲ, ଆମେ ପ୍ରସ୍ତୁତ ଅଛୁ । ଏହି ମଥାଟା ମଧ୍ୟ ପ୍ରସ୍ତୁତ ରହିଛି । ଆଖିମାନେ ଗ୍ରହଣଶୀଳ ହୋଇ ରହିଛନ୍ତି । କଲିଜାର ବହୁ ବ୍ୟାସ ଏବଂ ବ୍ୟାସାର୍ଦ୍ଧ ପୃଥିବୀଟା ସହିତ କେତେ ନା କେତେ ଭାବସାବଲୀଳତାରେ ବାନ୍ଧି ହୋଇ ରହିଛି । ଫୁସ୍‌ଫୁସ୍‌ଟା ମଧ୍ୟ କଡ଼ରୁ ଥାଇ କହୁଛି, ଧଇଁସଇଁ ହେଉଥିବି ସିନା, ତଥାପି ସାଙ୍ଗରେ ଥିବି, ମୋଟେ ଧୋକା ଦେବିନାହିଁ । ଯେପର୍ଯ୍ୟନ୍ତ ଡୋରମାନେ ଲାଗି ରହିଛନ୍ତି, ସେପର୍ଯ୍ୟନ୍ତ ଯେ ମୋତେ ପଦେପଦେ ଆଶୀର୍ବାଦ ଦେଇ ଆସିଥିବା ଗୁରୁମାନେ ମୋତେ ଛାଡ଼ି ଚାଲିଯାଇ ନାହାନ୍ତି, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ତେଣୁ, ଏହି ସବୁକିଛି ନିଜର ଘର ବୋଲି ଲାଗୁଛି । ଏଣିକି ମୋ’ ଦୋକାନଟି ବନ୍ଦ ହୋଇଯିବ ବୋଲି ମୋଟେ ହୁରି ପକାଇବାକୁ ମନ ହେଉନାହିଁ । ପୃଥିବୀନାମକ ପ୍ରୟୋଗଶାଳାଟିବି ତ କଦାପି କେଉଁଦିନବି ବନ୍ଦ ହେବନାହିଁ । ତେଣୁ ଗୁଣ୍ଡୁଚିମୂଷା ଆଉ କ’ଣ ପାଇଁ ଛାନିଆ ହେବ ? ମୋ’ ଦିନ ସରିଗଲା ବୋଲି କାହିଁକି ବୈରାଗ୍ୟଶତକ ଲେଖିବ ?

 

୧୮ । ୩ । ୨୦୦୩

 

ମୋ’ ଗୁରୁଙ୍କ ସମ୍ପର୍କରେ ଅଧିକରୁ ଅଧିକ ଆଲୋଚନା ହେଉ । ବିତର୍କ ମଧ୍ୟ ହେଉ । ଖାଲି ସ୍ତାବକ କିମ୍ବା ଶିଷ୍ୟମାନେ ନୁହନ୍ତି,–ଖାଲି ପଂକ୍ତିରେ ବସିଥିବା ନିର୍ବାଚିତମାନେ ମଧ୍ୟ ନୁହନ୍ତି,–ସ୍ୱପରିଧିଗୁଡ଼ିକର ବାରଣମାନଙ୍କର ବୋଲ ମାନି ତାଙ୍କୁ ଅପାଂକ୍ତେୟ ପ୍ରାୟ ମଣୁଥିବା ସମସ୍ତେ ତାଙ୍କର ଆଲୋଚନା କରନ୍ତୁ । ଏପରି ଆଲୋଚନା କେବଳ ତଥାକଥିତ ଶିଷ୍ୟମାନଙ୍କ ଲାଗି ଯେ ଦରକାର, ସେକଥା ନୁହେଁ,–ସତକୁସତ ସତ୍ୟ ବୋଲି ଯଦି କିଛି ଥାଏ, ତେବେ ସେହି ସତ୍ୟଟି ନିମନ୍ତେହିଁ ତାହା ସର୍ବଦା ଅବଶ୍ୟମ୍ଭାବୀ ହୋଇ ରହିଥିବ ।

 

ପ୍ରକୃତ ଗୁରୁଟିଏ ପାଇଗଲେ ବୋଲି ଯେଉଁମାନେ ଝଅଟ ଝଅଟ ହୋଇ ସମ୍ପ୍ରଦାୟଟିଏ ଗଢ଼ି ପକାନ୍ତି ଓ ବେଢ଼ାଟିଏ ବୁଲାଇ ଦେଇ କେବଳ କେତେଟା ସନ୍ତକଗତ ପ୍ରମାଣ ଦେଖିଲେ ଯାଇ କାହାକୁ ଭିତରକୁ ଯିବାପାଇଁ ବାଟ ଛାଡ଼ି ଦିଅନ୍ତି, ସେମାନେ ଗୁରୁଙ୍କୁ ବେଶ୍ ସୁବିଚକ୍ଷଣ ଭାବରେ ନିଜର କାମରେ ହୁଏତ ଲଗାଇବାରେ ଲାଗିଥାନ୍ତି ସିନା, କିନ୍ତୁ ସତ୍ୟର ବହୁତ ହାନି କରନ୍ତି । ସେମାନେ ସେଭଳି କରିବାଦ୍ୱାରା ସ୍ଵୟଂ ଗୁରୁଙ୍କର ମଧ୍ୟ କମ୍ ହାନି କରନ୍ତିନାହିଁ । ଗୁରୁ ହେଉଛନ୍ତି ତାଙ୍କର ସର୍ବୋତ୍ତମ ପରିଚୟରେ ଏକ ସେତୁ, ଯିଏକି ସେପାଖକୁ ବାଟ ଦେଖାଇ ଦିଅନ୍ତି । ଯାବତୀୟ ସମ୍ପ୍ରସାରଣର କାରଣ ହୁଅନ୍ତି । ସମ୍ପ୍ରସାରିତ ହେବାଦ୍ୱାରାହିଁ ଯାବତୀୟ ସତ୍ୟର ଅସଲ ପ୍ରତିଷ୍ଠା ହୁଏ । ସତ୍ୟଠାରୁ ଆଜ୍ଞାପତ୍ର ବହନ କରି ସର୍ବଥା ଏଇଥିପାଇଁହିଁ ଗୁରୁମାନେ ଏହି ପୃଥିବୀକୁ ଆସିଥାନ୍ତି । ଯାବତୀୟ ସତ୍ୟ ଯଦି ଆପଣାର ଆବେଦନଭୂମିଟି ଉପରେ ସମଗ୍ର ପୃଥିବୀଟିକୁହିଁ ଚକ୍ଷୁସମକ୍ଷରେ ରଖିଥାଏ, ତେବେ ସେହି ସତ୍ୟରେ ଯାଇ ପହଞ୍ଚିବା ଲାଗି ବାଟ କହି ଦେଉଥିବା ଗୁରୁ କାହିଁକି ସମଗ୍ର ପୃଥିବୀକୁହିଁ ଆପଣାର ଦୃଷ୍ଟିକ୍ଷେତ୍ରରୂପେ ଗ୍ରହଣ କରି ନପାରିବ ? କ’ଣ ପାଇଁ ଗୋଟାଏ ବିଶେଷ ସମ୍ପ୍ରଦାୟ ନାମରେ ଗୁରୁର ପ୍ରେରଣାବୃତ୍ତଟିକୁ ଫାନ୍ଦ ବସାଇ ନିର୍ଦ୍ଦିଷ୍ଟ ଅର୍ଥାତ୍ ପ୍ରାୟ ନିରର୍ଥକ ଭାବରେ ସ୍ପର୍ଶକାତର କରି ରଖାଯିବ ଓ ସ୍ପର୍ଶକାତର ହୋଇ ରହିବାକୁହିଁ ପ୍ରାୟ ଏକ ବ୍ୟାଧିଦ୍ୱାରା ପୀଡ଼ିତ ଅବିବେକ ସହିତ ନିରାପଦ ବୋଲି କୁହାଯିବ ? ନିରାପଦ ରହିବାର ସେହି ଆତୁରତାରେ ପୃଥିବୀରେ ଆପଦ ବଢ଼ାଇବାରେ ଏହି ଯେଉଁସବୁ ଫନ୍ଦିଗୁଡ଼ିକର ପରମ୍ପରା, ସେଥିରୁ ଆମେ ଆମ ଗୁରୁମାନଙ୍କୁ କେବେ ଯାଇ ମୁକ୍ତ କରି ଆଣିବାର ଉଦାରତା ଦେଖାଇ ପାରିବା, ଚାଲ ଆମେ ତଥାକଥିତ ଗୁରୁ ଅନୁଗାମୀମାନଙ୍କୁ ସେହି କଥାଟିକୁ ପଚାରିବା ।

 

୨୧ । ୩ । ୨୦୦୩

 

ଏକଦା ଜଣେ ମେଧାସମ୍ପନ୍ନ ନିଦାନ–ନିରୂପଣକାରୀ କହିଥିଲେ ଯେ, ମଣିଷମାନଙ୍କର ମନୋରାଜ୍ୟରେ ସର୍ବଦା ଯୁଦ୍ଧ ଲାଗି ରହିଥାଏ ଓ ସେହି କାରଣରୁହିଁ ସେମାନେ ବାହାରେ ମଧ୍ୟ ଯୁଦ୍ଧମାନଙ୍କୁ ଭିଆଇବାରେ ଏବଂ ଗରମ କରି ରଖିବାରେ ନିମିତ୍ତ ହୁଅନ୍ତି । ସମ୍ଭବତଃ ଏକ ଦାର୍ଶନିକ ପରାମର୍ଶ ଦେଇ ସିଏ କହିବାକୁ ଇଚ୍ଛା କରିଥିବେ ଯେ, ହେ ମନୁଷ୍ୟମାନେ, ତୁମେମାନେ ନିଜ ଭିତରେ ଲାଗି ରହିଥିବା ଯାବତୀୟ ଯୁଦ୍ଧ ଓ ସଂଘର୍ଷଗୁଡ଼ିକରୁ ମୁକ୍ତ ହୁଅ, ତେବେ ବାହାରର ସଂଘର୍ଷଗୁଡ଼ାକ ମଧ୍ୟ ସେହି ନିୟମ ଅନୁସାରେ ହୁଏତ ଆପେଆପେ ବନ୍ଦ ହୋଇଯିବେ । ଉକ୍ତିଟି ଉପରେ ଯେ ଏବେ ମଧ୍ୟ ବହୁତ ସତ୍ୟ ରହିଛି, ତାହାକୁ କେହି କଦାପି ଅସ୍ଵୀକାର କରିବନାହିଁ । ତଥାପି, ପଚାରିବାକୁ ଇଚ୍ଛାବି ହେବ, ମନୁଷ୍ୟମାନଙ୍କର ମନ ଭିତରେ ଯୁଦ୍ଧ ଓ ସଂଘର୍ଷ ତ ନିରନ୍ତର ଲାଗି ରହିଛି, କିନ୍ତୁ ବରାବର ସବୁବେଳେ କଦାପି ଯୁଦ୍ଧ ହେଉନାହିଁ ।

 

ଏକ ଯୁଦ୍ଧ ନାମରେ ଯେଉଁ ସରଗରମ ହାଉଆଟା ବର୍ତ୍ତମାନ ଆମ ପୃଥିବୀକୁ ବିକ୍ଷୁବ୍ଧ କରି ଦେବାଭଳି ସୃଷ୍ଟି କରିଛି, ତାହା ପଛରେ ଅତିରିକ୍ତ ଅସ୍ତ୍ରବୃଦ୍ଧିର ପ୍ରମତ୍ତତାଟାକୁ ଆମେ ସବୁଠାରୁ ବଡ଼ କାରଣ ବୋଲି କହି ପାରିବା କି ? ମୋ’ ପାଖରେ ସବୁଠାରୁ ଅଧିକ ବିତ୍ତ ଏବଂ ସବୁଠାରୁ ଅଧିକ ଅସ୍ତ୍ର,–ତୁମମାନଙ୍କ ପାଇଁ ମୁଁ ଦୟାର୍ଦ୍ର ହୋଇ ବହୁତ ଚିନ୍ତାବି କରୁଛି,–ତେଣୁ ମୁଁ ଯଦି ଗୋଟାଏ ଯୁଦ୍ଧ ଭିଆଇବାକୁ ଅଭିଳାଷ କରି ବାହାରିବି, ତେବେ ତୁମେମାନେ ମଧ୍ୟ ମୋ’ ପଟକୁ ଆସ ଏବଂ ମୁଁ ଯାହା କରିବାକୁ ଯାଉଛି, ତାହାକୁ ସମର୍ଥନ କର । ତୁମେମାନେ ଏହି ପଦକ୍ଷେପଟିକୁ ସମର୍ଥନ ନକଲେ ମଧ୍ୟ ମୁଁ ତଥାପି ଏକ ଯୁଦ୍ଧ ଅବଶ୍ୟ କରିବି ବୋଲି ଯେତେବେଳେ ସ୍ଥିର କରି ସାରିଛି, ସେତେବେଳେ ତୁମେମାନେ ମୁଁ ଠିକ୍‍ହିଁ କରୁଛି ବୋଲି ଘୋଷଣାବି କର । ପୃଥିବୀର ଇତିହାସରେ ଏତେ ଖୋଲାଖୋଲି ଭାବରେ ଏପରି ଘଟଣାଟିଏ ଆଗରୁ ହୁଏତ କେବେ ମଧ୍ୟ ଘଟି ନଥିଲା । ବିଚରା ପୃଥିବୀଯାକର ମଣିଷ ସ୍ତବ୍ଧ ହୋଇ ବର୍ତ୍ତମାନ ସେହିଭଳିହିଁ ଭାବୁଥିବେ । ଏଥର ନିୟତି ପୃଥିବୀର ବିବେକ ଲାଗି କେଉଁଭଳି ପରିମାଣଟିଏ ଗୁପ୍ତ କରି ରଖିଛି, ସେହି ବିଷୟରେ ଚିନ୍ତା କରି ଆଚମ୍ବିତ ହୋଇ ଯାଉଥିବେ ।

 

୨୨ । ୩ । ୨୦୦୩

 

ତଥାପି, ଏହି ଘୋର ବିଡ଼ମ୍ବନାର ପ୍ରତିକାର ପୁଣି କ’ଣ ? ଯାହା ପାଖରେ ବେଶୀ ବିତ୍ତ ଓ ବେଶୀ କ୍ଷମତା, ସେଇ ପୃଥିବୀଯାକର ଆଚରଣ ଏବଂ ନୀତିକୁ ନେଇ ସୌଦାଗରି କରୁଥିବ,–ଏହାକୁ ମଣିଷର ଇତିହାସରେ ସେହି ଆଦିମ ଜଙ୍ଗଲୀ ଯୁଗର ଏକ ଦୁରବସ୍ଥା ବୋଲିହିଁ କୁହାଯାଇ ପାରିବ । ବିବେକର ବିଜୟ, ବିଚାରର ବିଜୟ, ପାରସ୍ପରିକ ସ୍ଵୀକୃତିର ବିଜୟ,–ତାହାକୁହିଁ ସମ୍ପୂର୍ଣ୍ଣ ନ୍ୟାୟର ସହିତ ଧର୍ମର ବିଜୟ କିମ୍ବା ବିଜ୍ଞାନର ବିଜୟ ବୋଲି କୁହାଯାଇ ପାରିବ । ଯେଉଁ ଦିନଠାରୁ ବିଜ୍ଞାନ ରାଷ୍ଟ୍ରଶକ୍ତି ପାଖରେ ପୋଷ ମାନି ଅଧିକରୁ ଅଧିକ ବାଉଳା ଭାବରେ ତୁଚ୍ଛା ଟେକନୋଲଜିରେ ପରିଣତ ହେଲାଣି ଓ ସେତିକିକୁ ନେଇ ସବୁକିଛି ହୋଇଗଲା ବୋଲି ଛଇ କାଢ଼ିଲାଣି, ସେହି ଦିନଠାରୁ ମଣିଷର ଅସଲ ବଳଗୁଡ଼ାକହିଁ ସତେଯେପରି ତା’ଠାରୁ ଛାଡ଼ି ଛାଡ଼ି ଯାଉଛି । ସିଏ ସତେଅବା ସମସ୍ତଙ୍କ ସହିତ ନୁହେଁ, ସମସ୍ତଙ୍କ ଉପରେ ଏକମାତ୍ର ବଳବନ୍ତ ହୋଇ ବସିବ ବୋଲି ଅଧିକରୁ ଅଧିକ ଦୁର୍ମନା ହେବାରେ ଲାଗିଛି ।

 

ପ୍ରତିକାର ଅର୍ଥାତ୍ ପ୍ରତିରୋଧ । ସତ୍ୟାଗ୍ରହ ହେଉଛି ଅସଲ ପ୍ରତିରୋଧ । ସତ୍ୟାଗ୍ରହକୁ ଯେଉଁମାନେ ପ୍ରଧାନତଃ ଗୋଟାଏ ରାଜନୀତି ଅଭିପ୍ରାୟସିଦ୍ଧିର ଅସ୍ତ୍ର ବୋଲି ଦେଖନ୍ତି, ସେମାନେ ତାହାକୁ ତା’ର ପୂର୍ଣ୍ଣ ମହିମାରେ ତଥା ପୂର୍ଣ୍ଣ ସମ୍ଭାବନାରେ ଆଦୌ ଦେଖି ପାରନ୍ତିନାହିଁ । ସତ୍ୟର ଆଗ୍ରହ ଅର୍ଥାତ୍ ସ୍ଵଭାବପ୍ରେରିତ ଭାବରେ ସତ୍ୟ ସହିତ ସହଯୋଗ ଅର୍ଥାତ୍ ଅସତ୍ୟ ସହିତ ଅସହଯୋଗ । ଏହି ବିଚାରଦୃଷ୍ଟିଟି ମଧ୍ୟ ସମସ୍ତ ପୃଥିବୀକୁ ଆଲୋଡ଼ିତ କରିପାରିବାର ଶକ୍ତିଟିକୁ ବହନ କରି ସମଗ୍ର ପୃଥିବୀରେ କ୍ରମେ ଅଧିକ ସୋଚ୍ଚାର ହୋଇ ଉଠୁଛି । ପୃଥିବୀର ବିତ୍ତଶକ୍ତି ତଥା ଅସ୍ତ୍ରଶକ୍ତିର ସାମନାରେ ଉଚିତ ଚୁନୌତିଗୁଡ଼ିକୁ ଦେଇ ଛାଡ଼ି ହୋଇ ପାରିବାର ଯୋଗ୍ୟ ହେବାରେ ଲାଗିଛି । ସେହି ଶକ୍ତି ଆମର ପୁରୁଣା ସଂଜ୍ଞାଗୁଡ଼ିକୁ ପୂରାପୂରି ବଦଳାଇ ଦେବ । ସେହି ପୁରୁଣାମାନେ କେତେ ଫୁସୁଲାଇବେ, କେତେ ଖଣ୍ଡପ୍ରୀତିର ପ୍ରଲୋଭନଦ୍ଵାରା ଅନ୍ୟମନସ୍କ ଅନ୍ଦାଜରେ ଲାଗିଥିବେ ଏବଂ କେତେ ଧମକାଉଥିବେ । ତଥାପି ଏକ ଅନ୍ୟ ପରିମଳର ଅନ୍ଦାଜରେ ନୂଆଟି ଦାନା ବାନ୍ଧି ଆସୁଥିବ, ମଣିଷମାନଙ୍କ ହାତରେ ନୂଆ କିସମର କେତେ ଡୋରକୁ ଧରାଇ ଦେଇ ଯାଉଥିବ ।

 

୨୭ । ୩ । ୨୦୦୩

 

ସତ୍ୟ ମୋତେ ନିତ୍ୟ ଆକର୍ଷଣ କରିଛି,–କେବେବି ଧୋକା ଦେଇନାହିଁ । ନିଜ ଜୀବନର ଆକାଶଗୁଡ଼ିକୁ ଓ ସେହି କାରଣରୁ ଭୂମିଗୁଡ଼ିକୁ ଆବିଷ୍କାର କରୁ କରୁ ମୁଁ ସତ୍ୟକୁ ଯେତେବେଳେ ଯେପରି ଭାବରେ ଚିହ୍ନି ପାରିଛି, ତାହା ମୋତେ କେବେହେଲେ ଗୋଟିଏ ବେଢ଼ା ଭିତରେ ବାନ୍ଧି ରଖିବାର ଫିସାଦ କରିନାହିଁ । ଯିଏ ମୋତେ ବେଢ଼ାଗୁଡ଼ିକୁ ଡିଆଁଇ ନେବାର ବଳ ଦିଏ, ଯିଏ ବନ୍ଧୁପରି ଏହି ଡେଇଁଯିବାରେ ସାହାଯ୍ୟ କରେ, ତାହାହିଁ ସତ୍ୟ,–ସତ୍ୟକୁ ଏପରି ଏକ ସଂଜ୍ଞା ଦେଇ ବୁଝିଲେ ମୁଁ ଆଦୌ ଭୁଲ କରିବି ନାହିଁ ।

 

ସତ୍ୟ ସ୍ଥିର,–ମାତ୍ର ମୋ’ ଜୀବନରେ ମୁଁ ସେଇଟାକୁ କେତେକଅଣ ନିଜସ୍ଵ କରି ସମ୍ଭାରି ରଖିପାରିବି, ସେଇଟି ଅନୁକ୍ଷଣ ମୋ’ ନିଜର ଗତିଶୀଳତା ଅର୍ଥାତ୍ ଗତିଶୀଳ ଆସ୍ପୃହାଗୁଡ଼ିକ ଉପରେହିଁ ନିର୍ଭର କରେ । ଏକ ଗତିଶୀଳ ଜୀବନଧର୍ମର ପୁଞ୍ଜି ନେଇ ସତ୍ୟର ଭେଟ ହେବାଲାଗି ପ୍ରୟାସ କରୁଥିବା ସମୟରେହିଁ ଏହି ସତ୍ୟ ସବୁରିଠାରେ ରହିଛି ଓ ସମସ୍ତଙ୍କୁ ଗତିଶୀଳ କରି ରଖିଛି ବୋଲି ଅନୁଭବ କରି ହୋଇଥାଏ । ନହେଲେ ମୁଁ ଗୁଡ଼ାଏ ଉତ୍ତେଜନା ସହିତ ମୁଖ୍ୟତଃ ସ୍ପର୍ଶକାତର ହୋଇହିଁ ରହିଥାଏ । ସ୍ପର୍ଶକାତର ସେହି ବିଶେଷ କାଟର ମଣିଷମାନେହିଁ ସଚରାଚର ସତ୍ୟକୁ ପାଇଛନ୍ତି ବୋଲି ବେଶୀ ତୋଡ଼ ଦେଖାଇଛନ୍ତି । ନିଜର ସାନ ବିଶ୍ଵାସଗୁଡ଼ିକ ଅନୁସାରେ ତାହାକୁ ବଡ଼ ସାନ କରି ରଖିଛନ୍ତି । ବୈଚିତ୍ର୍ୟର ମହିମାଗୁଡ଼ିକୁ ବୁଝିବାଲାଗି ସେମାନେ କେବେ ଆଗ୍ରହୀ ହୋଇନାହାନ୍ତି । ଆଗ୍ରହଗୁଡ଼ିକୁ ଅଳତା କରି ରଖିବେ ବୋଲି ସେମାନେ ଅନୁକୂଳ ଶାସ୍ତ୍ରମାନଙ୍କରବି ସାହାଯ୍ୟ ନେଇଛନ୍ତି । ଶାସ୍ତ୍ରରେ ଶାସ୍ତ୍ରରେ ଲଢ଼ାଇ ହେତୁ ସଂସାରରେ ବହୁ ମଣିଷ ପ୍ରକୃତରେ ଭାରି ଖଣ୍ଡିଆ ହୋଇ ରହିଛନ୍ତି । ଏବଂ, ଅତ୍ୟନ୍ତ ବିଡ଼ମ୍ବନାର ବିଷୟ ଯେ, ନିଜେ ଖଣ୍ଡିଆ ହୋଇ ରହି ସେଥିରୁ ପ୍ରାୟ ଏକ ଅସ୍ଵାଭାବିକ ଆହ୍ଲାଦ ମଧ୍ୟ ଅନୁଭବ କରିଛନ୍ତି । ସଂସାରର ବୈଚିତ୍ର୍ୟକୁ ସିଏ ଯେତେ ନିର୍ଭୀକ ଶ୍ରଦ୍ଧାର ସହିତ ନିଜ ଭିତରର ଆଖିରେ ପରିଣତ କରି ରଖିପାରୁଛି, ସିଏ ପ୍ରକୃତରେ ସେହି ପରିମାଣରେ ସତ୍ୟର ଯୋଗ୍ୟ ହୋଇ ପାରୁଛି ।

 

୨ । ୪ । ୨୦୦୩

 

ମନୁଷ୍ୟଜୀବନର ଉଜ୍ଜ୍ୱଳ ଆତ୍ମପରିଚୟ ତଥା ପୃଥ୍ଵୀପରିଚୟଗୁଡ଼ିକୁ ଆଣି ପହଞ୍ଚାଇ ଦେବାରେ ଇଉରୋପୀୟ ଐତିହ୍ୟର ଯେଉଁସବୁ ଆବେଦନ ରହିଛି, ଶ୍ରୀଯୁକ୍ତ ହେର୍‌ମାନ୍ ହେସ୍ପେଙ୍କୁ ଆମ ତାହାର ଏକ ପ୍ରତିଭାମୟ ପ୍ରତିନିଧି ବୋଲି ନିଶ୍ଚୟ କହିବା । ନିଜର ସେହି ଉତ୍ତରାଧିକାରର ଭୂମି ଉପରେ ନିଜକୁ କ୍ରମଗଠିତ କରି ଆଣି ସିଏ ବିଶ୍ଵସାହିତ୍ୟକୁ ସତକୁସତ ବହୁତ ସମ୍ପଦ ଆଣି ଦେଇଛନ୍ତି । କିନ୍ତୁ ପ୍ରଥମ ବିଶ୍ଵଯୁଦ୍ଧଟା ସେହି ଇଉରୋପରେ ଲାଗିଯିବା ପରେ ତାଙ୍କର ସବୁଯାକ ନକ୍ସା ଯେପରି ଅତ୍ୟନ୍ତ ଉଚ୍ଚାଟିତ ଭାବରେହିଁ ଚହଲି ଯାଇଛି । ସମ୍ଭବତଃ ଏକ ମୋହଭଙ୍ଗ ହୋଇଛି-। ସେତିକିବେଳେ ସେ ଭାରତବର୍ଷତର ଗୌତମ ବୁଦ୍ଧଙ୍କ ପାଖରେ ସତେଅବା ବାଟ ଖୋଜି ଆସି ପହଞ୍ଚିଛନ୍ତି ଏବଂ କେତେ ନା କେତେ ସାଧୁ ଉତ୍ସାହରେ ‘ସିଦ୍ଧାର୍ଥ’ ଉପନ୍ୟାସଟିକୁ ଲେଖିଛନ୍ତି-। ସତକୁସତ ଠାବ ପାଇଗଲା ପରି ଅନୁଭବ କରିଛନ୍ତି । ସେହି ଘଟଣାଟିକୁ ନିମିତ୍ତ କରି ଆମ ଭାରତବର୍ଷରେବି କେତେ ଭାରତପ୍ରେମୀ ହୃଷ୍ଟ ଅନୁଭବ କରିଛନ୍ତି । କିନ୍ତୁ, ଶ୍ରୀଯୁକ୍ତ ହେସ୍‌ସେ ତ ନିଜପାଇଁ ରାହାଟିଏ ଖୋଜି ବୁଦ୍ଧଙ୍କ ପାଖରେ ଆସି ପହଞ୍ଚିଥିଲେ । ଭାରତରେ ଆସି ପହଞ୍ଚିବା ପରେ ମଧ୍ୟ ତଥାପି ଖୋଜିବା ଲାଗି ରହିଥିଲା । ଏଥର କ୍ଷଣଟିଏ ଆସିଲା, ଯେତେବେଳେ କି ସିଏ ପାଚେରୀଟିକୁ ଡେଇଁ ଚୀନ୍‌ର Lao Tzuଙ୍କ ସନ୍ନିଧାନରେ ଯାଇ ପହଞ୍ଚିଲେ । ସମ୍ଭବତଃ ନିଜପାଇଁ ଅଧିକ ସଙ୍ଗତିଯୁକ୍ତ ଥଳଟିଏବି ପାଇଥିଲେ ।

 

ଜିଜ୍ଞାସାର ଧର୍ମ ଠିକ୍ ଏହିପରି । ଭାରତପ୍ରେମୀ ଅଥବା ଇଉରୋପପ୍ରେମୀ ଅନ୍ୟମାନଙ୍କଠାରୁ ବେଶ୍ ଭିନେ ଧାତୁର । ଜିଜ୍ଞାସାର ଉତ୍ତରଣ ଅର୍ଥାତ୍ ଅତିକ୍ରମଣ ପଥରେ ଏହିପରି ବହୁତ ଥଳ ଆସି ପହଞ୍ଚେ, ଉତ୍ତରଟିଏ ବାଢ଼ିଦିଏ । ମାତ୍ର ଯାବତୀୟ ଅସଲ ଉତ୍ତରଥଳ ତଥାପି ଆହୁରି ଆଗକୁ ଡିଆଁଇନିଏ । ମୋଟେ ଦଉଡ଼ି ପକାଇ ବାନ୍ଧି ରଖେନାହିଁ । ଗୌତମ ବୁଦ୍ଧଙ୍କୁ ଆମେ ଖାଲି ଭାରତୀୟ ବୋଲି କାହିଁକି କହିବା, Lao Tzuଙ୍କୁ ମଧ୍ୟ କେବଳ ଚୀନ ଦେଶର ବୋଲି କ’ଣ ପାଇଁ କହିବା ? ଏମାନେ ମିତ୍ରବତ୍ ଯଥାର୍ଥ ମିତ୍ରବତ୍ ଆଦୌ ନିଜଟି ପାଖରେ ବାନ୍ଧି ରଖନ୍ତିନାହିଁ,–ସେମାନେ ଏପରି ଏକ ପ୍ରସାରଣରେ ନିମିତ୍ତ ହୁଅନ୍ତି, ଯେଉଁଟି ଆମକୁ ଏକ ପୂର୍ଣ୍ଣ ଆଧାରଶିଳାର ନିର୍ଭର ପାଖରେ ନେଇ ପହଞ୍ଚାଇ ଦେଇଥାଏ । ଆମକୁ ଧନାଢ଼୍ୟ କରିବାରେ ମିତ୍‌ବତ୍ ସାହାଯ୍ୟ କରନ୍ତି ।

 

୧୧ । ୪ । ୨୦୦୩

 

ଯିଏ କିଛି ପାଇଲି ବୋଲି କହୁଛି, ସିଏ କ’ଣ ସତକୁସତ କିଛି ଖୋଜିଛି ? ଖୋଜି କରି ପାଇଛି ? ଖୋଜିଛି, ଏବଂ ତେଣୁ ପାଇଛି ବୋଲି କହୁଛି ? କ’ଣ ପ୍ରକୃତରେ ଖୋଜୁଥିଲା ଓ ପାଇଲାବେଳକୁ କ’ଣ ପାଇଲା ? ଯିଏ ପାଇଥାଏ, ସିଏ କ’ଣ ପାଇଛି ବୋଲି ଜାଣିବି ପାରୁଥାଏ ? ହୁଏତ କିଛି ପାଉଥାଏ ବୋଲି ତା’ର ଖୋଜିବା ମଧ୍ୟ ଅବ୍ୟାହତ ରହିଥାଏ । ପାଇବାର ପ୍ରକ୍ରିୟାଟି ଲାଗି ରହିଥାଏ ବୋଲି ଖୋଜିବାର ଆର ପ୍ରକ୍ରିୟାଟିରେ ମଧ୍ୟ କଦାପି କ୍ଳାନ୍ତି ଆସେନାହିଁ । ମୁଁ ତ ଏତେ ଖୋଜିଲି, ତଥାପି କିଛି ପାଇଲିନାହିଁ ବୋଲି କହିବାଲାଗି ତା’ର କେବେହେଲେ ମନ ହୁଏନାହିଁ । ଅଭିଯୋଗ କରିବା ନିମନ୍ତେ ମନଟାଏ ହେବା, ସେଇଟା ତ ଏକାବେଳେକେ ଏକ ଅନ୍ୟ କଥା । ଏବଂ, ଆମର ଏହି ମଧୁର ଭଜନଗୁଡ଼ିକ ଏତେ ଏତେ ଅଭିଯୋଗ କାହିଁକି କରିବାରେ ଲାଗିଥାଆନ୍ତି କେଜାଣି ?

 

ଭାଗ୍ୟବାଦୀମାନେ ଖୋଜିବା ଉପରେ ବିଶ୍ଵାସ କରନ୍ତିନାହିଁ,–ଖାଲି ହାତ ପତାଇ ରହିଥାନ୍ତି ଓ ଖାଲି ପାଇବାଲାଗି ଦଇନି ଜଣାଉଥାଆନ୍ତି । ଭାଗ୍ୟ ଥିଲେ ସବୁ ମିଳେ, ଭାଗ୍ୟ ଥିଲେ ସୁଖ ସମ୍ପଦ ପ୍ରାପ୍ତ ହୁଏ, ଭାଗ୍ୟ ଥିଲେ ଭଗବତ୍ କରୁଣା ପ୍ରାପ୍ତ ହୁଏ,–ଇତ୍ୟାଦି, ଇତ୍ୟାଦି । ଭାଗ୍ୟବାଦୀର ତଥାକଥିତ ଭାଗ୍ୟଟାକୁ ଅପେକ୍ଷା କରି ରହିବାର ରୀତିଟିକୁ ଆମେ ଖୋଜିବା ବୋଲି କହି ପାରିବା କି ? ମାତ୍ର, ଗୋଟିଏ କଥା ଖୁବ୍‌ସମ୍ଭବ ଭାରି ସତ ଯେ, ଭାଗ୍ୟବାଦୀମାନେ ନିଜ ଗଭୀରତମ ଅନ୍ତସ୍କରଣମାନଙ୍କରେ ପରସ୍ପରକୁ ବେଶ୍ ଈର୍ଷା କରୁଥାନ୍ତି । ପୁନଶ୍ଚ, ତୁଚ୍ଛା ପାଇବାଗୁଡ଼ାକୁ ବୁଝୁଥିବା ମନୁଷ୍ୟମାନେ ମଧ୍ୟ ପରସ୍ପରକୁ କମ୍ ଈର୍ଷା କରନ୍ତିନାହିଁ । ଖୋଜୁଥିବା ମଣିଷ ଈର୍ଷା କରନ୍ତିନାହିଁ, ତେଣୁ ହୀନମ୍ମନ୍ୟ ହୁଅନ୍ତିନାହିଁ, ହୀନାଚାର କରନ୍ତିନାହିଁ । ଖୋଜିବା ବାଟରେ ସମଧର୍ମୀ ଆଉଜଣଙ୍କୁ ଭେଟିଲେ ସେମାନେ ହୁଏତ ନିଜପାଇଁବି ସାହସ ପାଆନ୍ତି । ସେମାନେ ପରସ୍ପରକୁ ଅଧିକ ସହଜରେ ସାଙ୍ଗଭଳି ଅନୁଭବ କରନ୍ତି । ଏବଂ, ଏହି ମର୍ତ୍ତ୍ୟମଣ୍ଡଳରେ ନିତ୍ୟ ପଥଯାତ୍ରାରେ ଯେଉଁମାନେ ପରସ୍ପରକୁ ସଙ୍ଗୀ ଭଳି, ସମଧର୍ମୀ ପରି ଅନୁଭବ କରନ୍ତି, ସେମାନେ ସତେଅବା ସବୁକିଛି ପାଇଯାଆନ୍ତି, ନିଜକୁ ଖାଲି ଭାଗ୍ୟଶାଳୀ ଅନୁଭବ କରନ୍ତି ।

 

୨୦ । ୪ । ୨୦୦୩

 

ଯିଏ ସତକୁସତ ସମଝି ନଥାଏ, ଅଧିକତର କ୍ଷେତ୍ରରେ ସେଇ ସାଲିସ୍ କରିପକାଏ, ସମଝୌତା କରିପକାଏ । ଅନେକ ସମୟରେ ସିଏ ତାହାକୁ ସମନ୍ଵୟ ବୋଲି କହି ବହୁ ଭ୍ରମକୁ ଚହଟାଇ ଦେଇ ରଖିଥାଏ । ଆମର ଏହି ଦେଶ ଭାରତବର୍ଷ ପ୍ରଧାନତଃ ଗୋଟିଏ ସମନ୍ଵୟର ଦେଶ ବୋଲି କହି ଯେଉଁମାନେ କେଡ଼େ ପ୍ରସନ୍ନ ହୋଇଗଲା ଭଳି ମୁଦ୍ରାଟାଏ ଦେଖାଉଥାନ୍ତି, ସେମାନେ କ’ଣ ମୂଳତଃ ସମଝୌତା ଭିତରେ ରହିଥାଆନ୍ତି କି ? ସେମାନେ ଆପଣାକୁ ସମଝୌତା କରିଥାଆନ୍ତି । ଏପରି କରିବାଦ୍ଵାରା ସେମାନେ ଆପଣାକୁ ବଡ଼ ଉଦାର ବୋଲି ଅନୁଭବବି କରିଥାନ୍ତି ।

 

ବାଟ ଚାଲିବା ଲୋକମାନେ ଏଣେ ପଶିଗଲେ ଭାରି ଅଡ଼ୁଆରେ ଆସି ପଡ଼ିଯାଆନ୍ତି । ବାଟ ଚାଲୁଥିବା ଜଣେ ମଣିଷକୁ ବାଟହିଁ ପ୍ରକୃତରେ ଦେଖାଯାଏ । ଅନ୍ୟ ମନୁଷ୍ୟମାନଙ୍କୁ ସିଏ ବାଟ ଚାଲୁଥିବାରହିଁ ଦେଖେ । ନିଜକୁ ମନ୍ଦିର ଭିତରେ ଦେଖି ଅନ୍ୟମାନଙ୍କୁ ମସଜିଦ ବା ଗିର୍ଜା ଭିତରେ ଦେଖିବାର ନିର୍ବୋଧତା ଆଦୌ କରେନାହିଁ । ମନ୍ଦିରର ଚୂଡ଼ାଟି ଦିଶି ଦିଶି ଯାଉଥିବା ସଙ୍ଗେ ସଙ୍ଗେ ମସଜିଦର ଗମ୍ବୁଜଗୁଡ଼ିକ ମଧ୍ୟ ସତେଅବା ଅନ୍ତରଭିତରର କେଉଁ ଗୁଣ୍ଡିଚା ମନ୍ଦିର ପରି ପ୍ରତୀତ ହେଉଥାଏ । ତେଣୁ, ସେହି ତଥାକଥିତ ଅନ୍ୟମାନେ ନିରନ୍ତର ବନ୍ଧୁର ସ୍ପର୍ଶହିଁ ଆଣିଦେବାରେ ଲାଗିଥାନ୍ତି । ‘ସମନ୍ଵୟ’ ନାମକ ସେହି ଅନ୍ୟ ଭାଡ଼ିଟି ହୁଏତ ମୋଟେ ମନେ ପଡ଼େନାହିଁ । ସାନ ଏକକଗୁଡ଼ିକୁ ଏକତ୍ର ମିଶାଇ ଦେଖିବା ନିମନ୍ତେ ସମର୍ଥ ହେଲେ ତାହାକୁ ସମନ୍ଵୟ ବୋଲି କହି ହେବନାହିଁ । ପୃଥିବୀରେ ପଣ୍ଡିତ ବ୍ୟାଖ୍ୟାକାରମାନେ ସେଥିଲାଗି ବ୍ୟାଖ୍ୟା କରିଦେବାର ଏକ ନିଃଶେଷ ମୁହୂର୍ତ୍ତରେ ସମନ୍ଵୟ ନାମକ ସମାଧାନଟିକୁ ହୁଏତ କେଡ଼େ ଚାତୁର୍ଯ୍ୟର ସହିତ ବୁଝାଇ ଦେଇ ପାରୁଥାନ୍ତି ସିନା, ମାତ୍ର ବନ୍ଧୁ ହୋଇ ପାରନ୍ତିନାହିଁ । ଦୁଆରଗୁଡ଼ିକୁ ମୋଟେ ଖାଲି ପାରନ୍ତି ନାହିଁ । ସେମାନେ ମଧ୍ୟ ଏହି ପୃଥିବୀଟି ବଡ଼ ହିଂସ୍ରତାପୂର୍ଣ୍ଣ ହୋଇ ରହିବାରେ ଖୁବ୍ ସହାୟତା କରନ୍ତି-। ତେଣୁ, ବାଟଟି ସହିତ ସମଝୌତା କରି ହୁଏ ନାହିଁ, ବାଟଟିକୁ ବଞ୍ଚି ହୁଏ । ତେଣୁ, ଅନ୍ୟ ଯାହାକୁ ଦେଖୁଥିଲେ ମଧ୍ୟ ତା’ ବାଟଟି ସହିତହିଁ ଦେଖିହୁଏ । ଏବଂ, ସମଝୌତା କରିବାଟା ହୁଏତ ମନେହିଁ ରହେନାହିଁ । ଯାବତୀୟ ସମଝୌତା, ତାହା ବସ୍ତୁତଃ ତଥାପି ଅଲଗା ହୋଇ ରହିଥିବା ନୁହେଁ କି-?

 

୨୪ । ୪ । ୨୦୦୩

 

ଯେତିକିଯାଏ ଦେଖୁଛି ଓ ଯେତିକିଯାଏ ଅନୁଭବ କରି ପାରୁଛି; ତାହାକୁ ସତ କିପରି କହିବିନାହିଁ ଏବଂ କିପରି ମାନିବିନାହିଁ ? ଏବଂ, ହୁଏତ ମାନି ପାରୁଥିବି ଓ ସେହି ଅନୁସାରେ ଜୀବନଟିଏ ବଞ୍ଚି ପାରୁ ନଥିବି ସିନା, କିନ୍ତୁ ସତ ବୋଲି କିପରି ନକହିବି ? ଏତିକି ଯେ ସବୁ ଜାଣିବା ନୁହେଁ ଓ ସବୁ ଅନୁଭବ କରିବା ଆଦୌ ନୁହେଁ, ସେହି ଅନ୍ୟ କଥାଟିକୁ ମୁଁ କିମ୍ବା ଆଉ କେହି କଦାପି ଅସ୍ଵୀକାର କରିବନାହିଁ । ଜାଣିବା ଏବଂ ଅନୁଭବ କରିବାର ଏହି ନିତ୍ୟଆତ୍ମୀୟତାପୂର୍ଣ୍ଣ adventureଟି କେବେହେଲେ ବନ୍ଦ ହୋଇ ଯିବନାହିଁ । ତଥାପି, ମୋ’ର ସମ୍ବେଦନାର ଦ୍ଵାରଗୁଡ଼ିକୁ ମାଧ୍ୟମ କରି ମୁଁ ଯେତିକି ଅନୁଭବକୁ ସତ୍ୟ ବୋଲି ଘ୍ରାଣ କରି ପାରିଛି ଓ ପାରୁଛି, ମୁଁ ସେଗୁଡ଼ିକୁ କିପରି ଅସ୍ଵୀକାର କରିବି ? ସେଗୁଡ଼ିକୁ ଅସ୍ଵୀକାର କରୁଥିଲେ ମୁଁ ବସ୍ତୁତଃ ନିଜକୁହିଁ ଅସ୍ଵୀକାର କରିବାରେ ଲାଗିଥିବି ।

 

ଏପର୍ଯ୍ୟନ୍ତ ମୁଁ ସର୍ବନିମ୍ନ ଏହି କଥାଟିକୁ ଜାଣିଛି ଓ ଅନୁଭବ କରି ପାରିଛି ଯେ, ମଣିଷମାତ୍ରକେ ସମସ୍ତଙ୍କର ଗୋଟିଏ ଦେହ ଅବଶ୍ୟ ରହିଛି । ମୋତେ ଯେମିତି ଭୋକ କରୁଛି, ଅନ୍ୟ ସବୁ ମଣିଷଙ୍କୁ ମଧ୍ୟ ଠିକ୍ ସେହିଭଳି ଭୋକ କରୁଛି । ସେଇଥିରୁ ଏହି ସତ୍ୟଟି ପାଖରେ ମୁଁ ଆସି ଉପନୀତ ହୋଇଛି ଯେ, ମଣିଷମାତ୍ରକେ ସମସ୍ତଙ୍କର ପେଟକୁ ସବାଆଗ ଖାଦ୍ୟ ଦରକାର । ଏହି ଦେହଲାଗି ସର୍ବପ୍ରଥମେ ସ୍ୱାସ୍ଥ୍ୟ ଦରକାର । ଦେହର ଆଶ୍ରୟ ନିମନ୍ତେ ଘରଟିଏବି ଦରକାର । ଏତକ ନହେଲେ ଏବଂ ଏତିକିର ପୂରଣ ନିମନ୍ତେ ଏତେ ଏତେ ମନୁଷ୍ୟଙ୍କୁ ଚିନ୍ତାଗ୍ରସ୍ତ ହୋଇ ରହିବାକୁ ପଡ଼ୁଥିବା ଯାଏଁ ଏହାପରେ ମଧ୍ୟ ଅନ୍ୟ ଯେଉଁସବୁ fulfilment ଅପେକ୍ଷା କରି ରହିଛନ୍ତି, ସିଏ ସେଗୁଡ଼ିକ ସକାଶେ ଆଉ କିପରି ଭାଜନ ହୋଇ ପାରିବ ? ମୁଁ ଜାଣୁଛି ଯେ, ଏହି ମୂଳ ଦୁଃଖଟିର ସାରା ପୃଥିବୀର ସବୁ ମଣିଷଙ୍କ ଲାଗି ଭଦ୍ର ଓ ଭବ୍ୟ ଭାବରେ ସମାଧାନଟିଏ ହୋଇ ପାରିନାହିଁ ବୋଲି ମନୁଷ୍ୟର ସମ୍ବନ୍ଧଜଗତରେ ଏହି ବହୁ ବହୁ ହିଂସ୍ରତା ମଧ୍ୟ ଲାଗି ରହିଛି ।

 

୨୭ । ୪ । ୨୦୦୩

 

ଜୀବନ ପାଖରୁ ବିମୁଖ ହୋଇ ମୁଁ କେବେହେଲେ ପ୍ରକୃତି ପାଖକୁ ପଳାଇ ଯିବାକୁ ମନ କରିନାହିଁ । ସଂସାରପ୍ରତି ବିମୁଖ ହୋଇ କେବେହେଲେ ଭଗବାନଙ୍କର ଆଶ୍ରୟ ନିମନ୍ତେ ପ୍ରାର୍ଥନା କରିନାହିଁ । ସଂସାର ଭିତରେ ଏହି ନାନାବିଧ ସାକ୍ଷାତ୍‌କାରହିଁ ମୋତେ କେଡ଼େ ସ୍ଵାଭାବିକ ଭାବରେ ଭଗବାନଙ୍କ ଆଡ଼କୁ ମୁହାଁଇ ନେଇଛି । ମଣିଷମାନଙ୍କ ପ୍ରତି ବିମୁଖ ହୋଇ ମୁଁ କେବେହେଲେ ନିକାଞ୍ଚନକୁ ଲୋଡ଼ିନାହିଁ । ପାପକୁ ଡରି ପୁଣ୍ୟଲାଗି ଆକୃଷ୍ଟ ହୋଇନାହିଁ । ଏହି ସଙ୍ଗଟି ଆଉ ମନବୋଧ କରି ପାରିଲାନାହିଁ ବୋଲି ମୁଁ ଆଉଏକ ସଙ୍ଗଆଡ଼କୁ ସତେଅବା ଛାଟିପିଟି ହୋଇ ଧାଇଁ ଯାଇନାହିଁ । Either orର ଉଚ୍ଚାଟନାଟା କ’ଣ ପାଇଁ ପ୍ରାୟ ସେହି ବାଲ୍ୟକାଳରୁହିଁ ମୋତେ ଲୋଭନୀୟ ପରି ମନେ ହୋଇନାହିଁ ।

 

ଅବିବାହିତ ଜୀବନପ୍ରତି ବିମୁଖ ହୋଇ କ’ଣ ମୁଁ ବୈବାହିକ ଜୀବନ ଭିତରେ ପ୍ରବେଶ କରିଛି ? ଆଉ କେତେ ମନୁଷ୍ୟ ମଧ୍ୟ ରହିଥାନ୍ତି, ଯେଉଁମାନେ କି ବୈବାହିକ ଜୀବନକୁ ପାରିବେନାହିଁ ବୋଲି ଅବିବାହିତ ହୋଇ ରହିବାକୁ ଏକ ପ୍ରତିବିଧାନରୂପେ ଗ୍ରହଣ କରିଥାନ୍ତି । ସଜ୍ଜନର ସଙ୍ଗକୁ ଇଚ୍ଛା କରନ୍ତି ବୋଲି କ’ଣ ଲୋକମାନେ ଦୁର୍ଜନମାନଙ୍କର ସଙ୍ଗକୁ ପରିହାର କରୁଥାନ୍ତି ? ନିଜ ଭିତରକୁ ପଶି ପାରନ୍ତିନାହିଁ ବୋଲି ବାହାରେ ହାଟମାନଙ୍କରେ ନିତାନ୍ତ ହାଲିଆ ହୋଇ ଯାଉଥାନ୍ତି ପଛକେ, ତଥାପି ନିଜ ଭିତରକୁ ବାହୁଡ଼ି ଆସି ପାରୁ ନଥାନ୍ତି ? ପିତୁଳାଟି ଭିତରେ ଭଗବାନଙ୍କୁ ଦର୍ଶନ କରୁଥିବା ମନୁଷ୍ୟଟିଏ କାହିଁକି ଯେ ପିତୁଳା ବାହାରେ ସିଏ ନାହାନ୍ତି ବୋଲି ଦାବି କରିବ, ମୁଁ ସେକଥା ମଧ୍ୟ ବୁଝି ପାରେନାହିଁ । ଏକ ପୋଖତ ଜୀବନମାର୍ଗ ହେଉଛି ଏକାବେଳେକେ ଏଇଟାକୁ, ସେଇଟାକୁ ଅର୍ଥାତ୍ ସବୁଟିକୁ ଏକାବେଳେକେ ସ୍ପର୍ଶ କରି ରହିଥିବାର ଏକ ଜୀବନ । ତେଣୁ, ଏକ ଭୟଶୂନ୍ୟ ଜୀବନ । ଏଇଟାକୁ ଛାଡ଼ିଲେ ଯାଇ ଯେ ସେଇଟାର ପତ୍ତା ମିଳିବ, ସଚରାଚର ଭୟାର୍ତ୍ତମାନେହିଁ ସେକଥା କହନ୍ତି । ଏହି ପୃଥିବୀ ହେଉଛି ଏକ ପ୍ରୟୋଗଶାଳା, ଯେଉଁଠାରେ କି ସ୍ଵ–ଉପନୟନ ଲାଗି ଆମେ ହୋମଟିଏ କରିବାରେ ଲାଗିଛୁ, ଆମେ କେହି କଦାପି ଏକା ନୋହୁ ବୋଲି ସେହି ଅସଲଟିର ଯୋଗ୍ୟ ହେବାରେ ଲାଗିଛୁ ।

 

୧୯ । ୫ । ୨୦୦୩

 

ସତ୍ୟ ସବୁବେଳେ ଲାଞ୍ଛିତ ହୋଇଥାଏ ବୋଲି କାଲି ଜଣେ ବନ୍ଧୁ ନିଜେ ଲେଖିଥିବା ଏକ ଚିଠିରେ ଲେଖିଛନ୍ତି । କେତେବର୍ଷ ତଳେ ମୁଁ ସେହି କଥାଟିକୁ ତାଙ୍କୁ କହିଥିଲି କିମ୍ବା ଲେଖିଥିଲି ବୋଲି ସେ ମନେ ପକାଇ ଦେଇଛନ୍ତି ।

 

ସତ୍ୟ ସବୁବେଳେ ଲାଞ୍ଛିତ ହୋଇଥାଏ ଏହି କଥାଟି ସମ୍ପୂର୍ଣ୍ଣ ଭାବରେ ସତ । ମାତ୍ର, ସତ୍ୟର ଲାଞ୍ଛନା କିଏ କରେ ? ତୁରନ୍ତ ଉତ୍ତରଟାଏ ହୁଏତ ଆସିଯିବ ଯେ ମିଥ୍ୟାହିଁ ସତ୍ୟକୁ ଲାଞ୍ଛିତ କରାଇଥାଏ । ଇତିହାସରେ ଏପରି ଦୃଷ୍ଟାନ୍ତ ଭୂରି ଭୂରି ମିଳିଯିବ ଯେ, ଯେତେବେଳେ ଦୁଇଟି ତଥାକଥିତ ସତ୍ୟ ପରସ୍ପରକୁ ଲାଞ୍ଛିତ କରିବାରେ ଲାଗିଥାନ୍ତି, ସେତେବେଳେ ଗୋଟାଏ ଆରଟିକୁ ମିଥ୍ୟା ବୋଲିହିଁ କହେ । ଏହି ଯୁକ୍ତିଟିକୁ ବାଗେଇ କରି ଅନେକ ସମୟରେ ଧର୍ମ ସହିତ ଅଧର୍ମର ଯୁଦ୍ଧ ଲାଗିଥାଏ ବୋଲି ମଧ୍ୟ ପ୍ରାୟ ପୂର୍ଣ୍ଣଦୃଢ଼ ଭାବରେ କୁହାଯାଇଥାଏ । ଭଗବାନ ସେତେବେଳେ ଆମ ପଟେ ଥାଆନ୍ତି । ତାହାକୁ ଏକ ବର୍ଣ୍ଣାଢ଼୍ୟ ମୋହାଚ୍ଛନ୍ନତାର ପୁଟ ଦେଇ ଭଗବାନ୍ ଆମପଟେ ରହିଛନ୍ତି ବୋଲି ମଧ୍ୟ କୁହାଯାଇଥାଏ । ସେହିସବୁ ସ୍ଥିତିରେ ଭଗବାନ୍ ପ୍ରକୃତରେ ଭାରି ନାକେଦମ୍ ହୋଇ ଯାଆନ୍ତି । ଅସଲ ବିବେକଟା କହୁଛି ଯେ, ଅର୍ଦ୍ଧସତ୍ୟମାନେହିଁ ଲାଞ୍ଛନା ଦିଅନ୍ତି ଏବଂ ଲାଞ୍ଛିତ ହେବ ପରି ଅନୁଭବ କରନ୍ତି । ହୁଏତ, ଆଗ ଲାଞ୍ଛିତ ହେବାଭଳି ଅନୁଭବ କରନ୍ତି ଏବଂ ତା’ପରେ ଲାଞ୍ଛନା ଦେବାକୁ ବାହାରି ପଡ଼ନ୍ତି । ଅର୍ଦ୍ଧସତ୍ୟମାନେ ଅଧିକ ସମ୍ପ୍ରସାରଣ ନିମନ୍ତେ କେଉଁସବୁ କାରଣରୁ ରାଜୀ ହୋଇ ପାରନ୍ତିନାହିଁ କେଜାଣି, ସେହିମାନେହିଁ ଲାଞ୍ଛିତ ହେଲାପରି ଅନୁଭବ କରନ୍ତି ଏବଂ ଯୁଦ୍ଧ କରି ବାହାରନ୍ତି । ଏବେ ତ ରାଷ୍ଟ୍ରମାନେ, ସରକାରମାନେ ମଧ୍ୟ ନିଜେ ପୂରାପୂରି ସତ୍ୟରେ ଅଛନ୍ତି ବୋଲି ଭାବି ନେଉଛନ୍ତି,–ସର୍ବାଧିକ କ୍ଷମତା ବିସ୍ତାର କରି ସବୁଠାରୁ ବେଶୀ ବଳରେ ବଳଶାଳୀ ହୋଇ ସେମାନେ ସେହି କାରଣରୁହିଁ ପୂରା ସତ୍ୟରେ ରହିଛନ୍ତି ବୋଲି ଅନୁଭବ କରୁଛନ୍ତି କି ? ଏବଂ, ସେଇଥିଲାଗି କୋଉଠି ଏତେଟିକିଏ ମନ ନମାନୁଥିଲା ପରି ଦେଖିଲେ ଲାଞ୍ଛିତ ହେବାପରି ଅନୁଭବ କରୁଛନ୍ତି କି ? ଏପରି କରି ସେମାନେ ପୃଥିବୀରେ ବହୁ ପ୍ରକୋପର କାରଣ ହେଉଛନ୍ତି ।

 

୧୩ । ୯ । ୨୦୦୩

 

ଅନ୍ୟକୁ ଉତ୍ସାହ ଦେଲେ ସେଥିରୁ ନିଜକୁ ଉତ୍ସାହ ମିଳେ । ଏହି କଥାଟିକୁ ମୁଁ ଆଗେ ଅନ୍ୟକୁ କିଛି ଉତ୍ସାହ ଦେଇ ସାରିଲା ପରେ ବୁଝୁଥିଲି,–ଏବେ ତା’ ପୂର୍ବରୁ ମଧ୍ୟ ବୁଝି ପାରିଲିଣି । କିନ୍ତୁ, ଇଏ କ’ଣ ଗୋଟାଏ ଟେକନିକ ? ପୃଥିବୀଟା ଚଟାପଟ୍ କାମ ସାରିଦେବ ବୋଲ କେତେ କ୍ଷେତ୍ରରେ କେତେ ଟେକନିକ ବାହାର କରି ତ ପକାଇଲା ଏବଂ ସେହି ଅତିମଥାମାନମାନଙ୍କୁ କେତେ କଦରରେ ଟେକନିସିଆନ୍ ବୋଲି ମଧ୍ୟ କୁହାଗଲା । କିନ୍ତୁ ପରିଣାମରେ ଏତେ ଏତେ ବିଫଳତା ଆସି କାହିଁକି ମଣିଷମାନଙ୍କୁ ମାଡ଼ି ବସିଲା ?

 

ସେହି ଅନ୍ୟଜଣକ ତା’ ବାଟଟିକୁ ବାଛିଛି, ତା’ ବାଟରେ ଚାଲିଛି,–ଆଘାତ ପାଉଛି, ଝୁଣ୍ଟୁଛି,–ହୁଏତ ରାସ୍ତା ପାର ହେଉଥିବା ସମୟରେ ନିଜ ଭିତରୁ ଏବଂ ବାହାରୁ କେତେ ପରୀକ୍ଷାର ସମ୍ମୁଖୀନ ହେଉଛି । ମୁଁ ମଧ୍ୟ ବାଟଟିଏ ବାଛିଛି; ବାଟଟିକୁ ବାଛିଛି, କେତେ ଝୁଣ୍ଟୁଛି ଓ ପରୀକ୍ଷାର ସମ୍ମୁଖୀନ ହେଉଛି,–ତଥାପି ଚାଲିଛି, ତଥାପି ଭିତର ତଥା ବାହାର ଉପରେ ଭରସା ରଖିଛି,–ମୁଁ ସେତିକିବେଳେ ଯାଇ ଆଉ ଜଣଙ୍କୁ ଯଥାର୍ଥରେ ଉତ୍ସାହ ଦେଇ ପାରିବି । ତେଣୁ, ‘ମୁଁ’ରେ ନୁହେଁ, ‘ଆମେ’ରେହିଁ ସାମର୍ଥ୍ୟ, ନୈକଟ୍ୟବୋଧର ସାମର୍ଥ୍ୟ, ଗୋଟିଏ ନିୟତିହିଁ ବିଶ୍ଵସାରା ଆମ ସଭିଙ୍କୁ ଏପରି ଏକ ଭରସାମୟ ବିରାଦରୀରେ ବାନ୍ଧି ରଖିଛି ବୋଲି ଉତ୍ସାହ ଦେବା ଓ ଉତ୍ସାହ ଲାଭ କରିବା ସମ୍ଭବ ହେଉଛି, ଏକ ନିବିଡ଼ ସ୍ତରରେ ସୂତାଗୁଡ଼ିକ ଲାଗିରହିଛି ବୋଲି ବାହାରେ ଜଣା ଓ ଅଜଣା ଏକାଧିକ ଦୌରାତ୍ମ୍ୟ ହେତୁ ସତେଅବା ସବୁକିଛି ଭୁଷୁଡ଼ି ପଡ଼ୁଛି ବୋଲି ଲାଗୁଥିବା ସମୟରେ ଆମେ ସତେଅବା ପରସ୍ପରକୁ ଉତ୍ସାହ ଦେଇ ଆମ ନିମିତ୍ତତ୍ଵଗୁଡ଼ିକର ଇଜ୍ଜତ ରଖିବାରେ ଲାଗିଛୁ । ମୁଁ ଖସିଗଲାବେଳକୁ ସିଏ ହାତ ବଢ଼ାଇ ଦେଉଛି ଓ ସିଏ ଖସିଗଲାବେଳକୁ ମୁଁ ହାତ ବଢ଼ାଇ ଦେଉଛି । ମୁଁ କହିଲେ ତା’ପାଇଁ ଏକ ଉତ୍ସାହସ୍ଥଳକୁ ବୁଝାଉଛି ଏବଂ ସିଏ କହିଲେ ମୋ’ପାଇଁ ଏକ ଉତ୍ସାହସ୍ଥଳକୁ ବୁଝାଉଛି । ଏମିତି କରି ଆମେ ଉଭୟେ (ଆମେ ସମସ୍ତେ) କେଉଁ ପରମ ଉତ୍ସାହଦାତାଙ୍କ ପାଖରୁ ଆଜ୍ଞାମାଳ ଆଣି ପରସ୍ପରର ହିମ୍ମତରେ ବାଟଗୁଡ଼ାକୁ ଚାଲୁଛୁ କେଜାଣି ? କେବଳ ମୋ’ ବାଟ ନୁହେଁ କିମ୍ବା ସେହି ଅନ୍ୟ ଜଣକର ବାଟ ନୁହେଁ,–ଇଏ ଜଗତର ବାଟ, ଗତିଶୀଳ ଜୀବନଟିର ବାଟ, ଏକ ଗୀତିଶୀଳ ଆତ୍ମପରିଚୟ ଓ ଗତିଶୀଳ ବିଶ୍ୱପରିଚୟର ବାଟ । ମୁଁ ଓ ବିଶ୍ଵ,–ଆମେ ଦୁହେଁ ଯାହାର ଶ୍ରଦ୍ଧାଦେଶରେ ବାଟ ଚାଲୁଛୁ, ତାଙ୍କରି ବାଟ ବୋଲି କହିବାକୁ ମୋଟେ ଡର ମାଡ଼ୁନାହିଁ, ଏପରି କହିଲେ କୋଉ ଶାସ୍ତ୍ର ମାରା ହୋଇଯିବ ବୋଲି ମୋଟେ ଲାଗୁନାହିଁ ।

 

୧୮ । ୯ । ୨୦୦୩

 

୧୯୪୪ ମସିହାରେ ବାଙ୍ଗାଲୋର୍ କେନ୍ଦ୍ର ଜେଲ୍‍ରେ ରହିଥିବା ସମୟର କଥା,–ସେଠାରେ ସହବନ୍ଦୀମାନେ ମୋତେ ଗୋଟିଏ ଉର୍ଦ୍ଦୁ ଭଜନ ଶିଖାଇ ଦେଇଥିଲେ । ମୁଁ ବହୁତ ଉତ୍ସାହରେ ସେହି ଭଜନଟିକୁ ଗାଉଥିଲି । ଖାତାରେ ଲେଖି ମଧ୍ୟ ଆଣିଥିଲି । ଭଜନଟିର ମୂଳ ଦୁଇଧାଡ଼ି ହେଉଛି : ୟହ ବାହାର୍–ଏ–ବାଗ୍ ଚନ୍ଦ୍ ରୋଜ୍ ଦେଖ୍ ଲୋ ଇସୀକା ତମସା ଚନ୍ଦ୍ ରୋଜ୍-। ଅର୍ଥ ହେଲା : ଦୁନିଆ ହେଉଛି ଗୋଟିଏ ଦୃଶ୍ୟପରିପୂର୍ଣ ବଗିଚା, କେତେ ଶୋଭାମୟ ଦିଶୁଛି-। ମାତ୍ର, କେବଳ ଚନ୍ଦ୍ ରୋଜ୍ ଅର୍ଥାତ୍ ଅଳପଦିନ ପାଇଁ । ତୁ ବି ସେହି ଅଳପ କେତେଦିନ ପାଇଁ ତାହାର ତମସାଟାକୁ ଦେଖି ନେଇଥା’ । ଜଣେ ଭକ୍ତହୃଦୟ ନିଶ୍ଚୟ ଏହି ଧାଡ଼ିଗୁଡ଼ିକୁ ଲେଖିଛି-। ସମ୍ଭବତଃ ସିଏ ସଂସାରତ୍ୟାଗବି କରିଥିଲେ । ତେଣୁ, କିଛିଦିନ ନିମନ୍ତେ ତାମସାଗୁଡ଼ିକୁ ଦେଖିନେବା ସକାଶେ ପରାମର୍ଶ ଦେଇ ଯାଇଛନ୍ତି ।

 

ସଂସାରର ବାହାରକୁ ଚାଲିଗଲେ ସଂସାରଟା ଅବଶ୍ୟ ତାମସା ପରି ଲାଗୁଥିବ । କିନ୍ତୁ ଯେଉଁମାନେ, ତୁମେ, ମୁଁ ଆମେ ସମସ୍ତେ ଏହି ସଂସାର ଭିତରେହିଁ ରହିଛୁ, ସେମାନଙ୍କୁ ପୃଥିବୀଟା କଦାପି ତାମସା ପରି ଲାଗିବନାହିଁ । ନିଜ ଘରଟାକୁ କିଏ କାହିଁକି ତାମସା ବୋଲି କହିବ ? ଆପଣାର ସହଯାତ୍ରୀମାନଙ୍କୁ କିଏ କାହିଁକି ସତେଅବା ଗୋଟାଏ ତାମସାର କୁଶୀଲବ ବୋଲି କହି ନିଜପାଖରେ ମିଛ ହୋଇ ରହିବାକୁ ମନ କରିବ ? ଆକାଶକୁ ଯଦି ପିତା ଏବଂ ପୃଥିବୀକୁ ଯଦି ସତକୁସତ ନିଜର ମାତା ବୋଲି ଅନୁଭବ କରି ହେଉଥିବ, ତେବେ ମାତ୍ର କିଛିଦିନ ସକାଶେ ଏକ ତାମସା ଦେଖିବାକୁ ମୁଁ ଏଠାକୁ ଆସିଛି ବୋଲି କହିବାଲାଗି କାହାର କାହିଁକି ଆବଶ୍ୟକତା ରହିଥିବ-? ଭାରତବର୍ଷରେ ତଥା ପୃଥିବୀସାରା ଯେଉଁମାନେ ପୃଥିବୀଟାକୁ ତାମସାରୂପେ ଦେଖୁଥିବା ପରି ଏଠି ବହୁ ଉତ୍ପାତର କାରଣ ହୋଇ ରହିଛନ୍ତି, ସେମାନେ ସମ୍ଭବତଃ ଆଗର ସେହି ବାବାଜିମାନଙ୍କ ପରି ଅନୁଭବ କରୁଛନ୍ତି । ସେମାନେ ଏଇଠି ଅଛନ୍ତି, ତଥାପି ଏଠାରେ ନାହାନ୍ତି । ଆଗର ସେହି ବାବାଜିମାନଙ୍କର କାନ୍ଧରେ ହାତ ପକାଇ ତଥାପି ସାଙ୍ଗ ପରି କହିବାକୁ ଇଚ୍ଛା ହୁଏ, ଭାଇ, ତୁମେ ବାହାରେ ରହିଛ ବୋଲି ସିନା ଆମର ଏହି ଘରଟିକୁ ତାମସା ବୋଲି କହୁଛ ! ଛୁଇଁ କରି ରହିବା,–ତାହାହିଁ ହେଉଛି ଅସଲ ଭଗବତ୍‌ଚେତନାରେ ଦେଖି ପାରୁଥିବା !

 

୫ । ୧୦ । ୨୦୦୩

 

ସାଧନାର ଏକାଧିକ ତତ୍ତ୍ଵଶାସ୍ତ୍ର ଅନୁସାରେ ମାର୍ଗ ତିନୋଟି । ସତେ ଯେପରି ପଦ୍ଧତି ତିନୋଟି, ତେଣୁ ମାର୍ଗ ମଧ୍ୟ ତିନୋଟି । ଭାଗ୍ୟର କଥା ଯେ ସେହି ଉତ୍ସାହରେ ପ୍ରାପ୍ୟ ଅର୍ଥାତ୍ ଲକ୍ଷ୍ୟବି ତିନୋଟି ବୋଲି କୁହା ହୋଇନାହିଁ । ଅବଶ୍ୟ ଏକଥା ମଧ୍ୟ ସତ ଯେ, ଏହି ମାର୍ଗଗୁଡ଼ିକୁ ଆଦରିଥିବା ମଣିଷମାନେ ଭିନ୍ନ ଭିନ୍ନ ସମ୍ପ୍ରଦାୟରେ ନିଜକୁ ଅଲଗାଅଲଗା ବୋଲି ଦେଖାଇବାର ଏକ ପ୍ରାୟ ସମଧର୍ମୀ ଉତ୍ସାହରେ କହୁଥିବା ସମୟରେ ବାଉଳା କରି ପକାଉଛନ୍ତି ବୋଲି ଅଳ୍ପ ବହୁତ ଅନୁମାନ କରିପାରୁଥିଲେ ମଧ୍ୟ ସାଧ୍ୟଗୁଡ଼ିକୁ ମଧ୍ୟ ତିନୋଟି ବୋଲି କହିବାକୁ ବେଶ୍ ପ୍ରଲୁବ୍ଧ ହୋଇ ପଡ଼ିଛନ୍ତି । ପୁରାଣ ଲେଖାର ସ୍ତରକୁ ଆସି ତାହା ଅଲଗାଅଲଗା ଦେବତାଙ୍କର ଆରୋପ ନିମନ୍ତେ ମଧ୍ୟ ବେଶ୍ ଆକର୍ଷଣ ଦେଖାଇଛି ।

 

କର୍ମ, ଭକ୍ତି ଓ ଜ୍ଞାନ,–ଏହିପରି ତିନୋଟି ମାର୍ଗ । କୋଉଟା ଅଧିକ ସହଜ ଏବଂ ଆଉ କୋଉଟା ଅଧିକ ଆୟାସକର, ସେ ବିଷୟରେ ମଧ୍ୟ ଆପଣାର ସ୍ଵତନ୍ତ୍ର ମାର୍ଗଗୁଡ଼ିକୁ ନିଠ କରି କିଞ୍ଚିତ୍ ବ୍ୟାଖ୍ୟାବୟାନ କରାଯାଇଛି ଓ ଯାଉଛି । ପରିପ୍ରଶ୍ନ, ସେବା ଏବଂ ପ୍ରଣିପାତ,–ଗୀତାର ଏପରି ତିନୋଟି ବାଚକ ଶବ୍ଦର ବ୍ୟବହାର କରାଯାଇଛି । ଏପରିକି, ଗୋଟିଏ ଅଧ୍ୟାୟରେ ଯାବତୀୟ କର୍ମ ଜ୍ଞାନରେ ଆସି ପରିସମାପ୍ତି ଲାଭ କରିଥାଏ ବୋଲି ବିଶ୍ଵାସ କରାଇ ନେବାଭଳି ଉକ୍ତିଟିଏ ରହିଛି । ମୁଁ ସେହି ଧାରାଟି ସହିତ ଆଉ ଖୋଜେ–ଉଭୟ ଭିତରକୁ ଓ ବାହାରକୁ–ଆଗକୁ ପକାଇ ହୁଏତ କହିବି ଯେ, ସକଳ ଜ୍ଞାନର ପରିସମାପ୍ତି ଯେଉଁଠି, ସେହି ଅବସ୍ଥାଟି ହେଉଛି ଭଲ ପାଇବା । ଜ୍ଞାନ କାହାପାଖରେ ପରାସ୍ତ ହୋଇ ପଳାଇବ ନାହିଁ,–ଜ୍ଞାନ ଭଲ ପାଇବାଦ୍ଵାରା ଆପଣାର ପରିପକ୍ୱତା ଲାଭ କରିବ,–ଜୀବନର ସ୍ତରକୁ ଅବତରଣ କରି ଆସିବ । ଭଲ ପାଇବାର ସେହି ପୋଖତପଣରେ ଆସି ନପହଞ୍ଚିଲେ ମୁଁ ଭଗବାନଙ୍କୁ ମଧ୍ୟ ଖିଳ ଜଗତର ଏକାନ୍ତ ଆପଣାର ବୋଲି କିପରି ବା ଠଉରାଇ ନେଇ ପାରିବି ? ଭଲ ପାଇଲେ ଯାଇ collaborate କରିପାରିବି-। ନହେଲେ ନିଜର ମୁକ୍ତିଗୁଡ଼ାକ ନିମନ୍ତେ ନିତାନ୍ତ ଆର୍ତ୍ତ ଭାବରେ ହନ୍ତସନ୍ତ ହେଉଥିବି ସିନା, ସେହି ସବାବଡ଼ ସର୍ବପ୍ରଶସ୍ତ ଘରଟିର ସମ୍ଭବତଃ ବେଶୀ କାମରେ ମୋଟେ ଲାଗି ପାରିବିନାହିଁ-। ଭକ୍ତି, କର୍ମ ଓ ଜ୍ଞାନକୁ ଆଳ କରି ହୁଏତ ବହି ଲେଖି ପକାଉଥିବି ସିନା, ମାତ୍ର କୋଉ ଗୋଟିକର ଭାଜନ ହୋଇ ପାରିବିନାହିଁ । ତିନି ପିଠୋଉ ଗୋଳା ହୋଇ ଅଲଗାଅଲଗା ବେଲାରେ ସୁଠାମ ହୋଇ ରହିଥିବ ସିନା, କିନ୍ତୁ ପିଠା ଗୋଟିଏ ବୋଲି ଯୋଗଡ଼ା ହୋଇ ପାରିବନାହିଁ ।

 

୧୭ । ୧୦ । ୨୦୦୩

 

ଚେତନାର ଅମୃତ ଦିଗନ୍ତ ଭାରତବର୍ଷରେ ରହିଛି ବୋଲି ଯେଉଁମାନେ କହୁଛନ୍ତି, ସେମାନେ ଚେତନା ସହିତ ସାଲିସ୍ କରି ପକାଉଛନ୍ତି ଓ ଭାରତବର୍ଷକୁ ନେଇ ଏକ ସାଜିଶ୍‌ରେ ସମ୍ଭବତଃ ବେଶ୍ ଲିପ୍ତ ହୋଇ ରହିଛନ୍ତି । କଥାଟିର କ୍ରମଟିକୁ ଓଲଟାଇ ମଧ୍ୟ ସମାନ ଭାବରେ କୁହାଯାଇ ପାରିବ ଯେ, ସେମାନେ ଭାରତବର୍ଷକୁ ନେଇ ସାଲିସ୍ କରି ପକାଉଛନ୍ତି ଏବଂ ଚେତନା ନାମରେ ଏକ ସାଜିସ୍ ଭିତରେ ଲିପ୍ତ ହୋଇ ରହିଛନ୍ତି ।

 

ଚେତନା ହେଉଛି ଏକ ଉତ୍ତରାଧିକାରୀ, ଯାହା ଆମକୁ ଯାବତୀୟ ଭୂଗୋଳର ସୀମାଙ୍କନ ଓ ତଜ୍ଜନିତ ସଂକୀର୍ଣ୍ଣତା ଭିତରୁ ପାରି କରାଇ ଏକ ଅନ୍ୟ ଆସ୍ପୃହା ଓ ତେଣୁ ଅନ୍ୟ ସଚଳତା ମଧ୍ୟକୁ ନେଇଯାଏ । ଏହି ଭାରତବର୍ଷରେ ଥାଇ ଆମେ ଯେଉଁମାନେ ଚେତନାର ଅମୃତ ଦିଗନ୍ତଟି ଏହିଠାରେ ରହିଛି ବୋଲି ଭାବପ୍ରବଣ ହୋଇ କହୁଛୁ, ସେମାନେ ସେହି ଆଳରେ କୌଣସି ଏକ ମିଛ କନ୍ଦିଭିତରେ ଲୁଚି ରହିବାଟାକୁହିଁ ନିଜ ଜୀବନର ଧର୍ମରୂପେ ଗ୍ରହଣ କରି ନେଇଛୁ କି ? ଭାରତବର୍ଷରେ ନିତ୍ୟକାଳ ବିରାଗୀମାନେ ରହିଥିଲେ,–ସେମାନେ ନିଜକୁ ବୈରାଗ୍ୟମାର୍ଗୀ ବୋଲି କହିଲେ, ବୈରାଗ୍ୟର ବ୍ୟଞ୍ଜନଟାକୁହିଁ ବଦନାମ କରି ରଖିଲେ । ଏସବୁ କିଛି ନୁହେଁ ବୋଲି ମଧୁର କଥା ଶୁଣାଇ ଆମକୁ ମଧ୍ୟ ଏହି ସଂସାରର ଅନ୍ଧାରଗୁଡ଼ାକୁ ସହିନେବା ନିମନ୍ତେ କେତେ ଫୁସୁଲାଇଲେ । ଏହି ମାୟାସଂସାରକୁ ସେମାନେ ଗୁରୁ ହୋଇ ଏକାଧିକ ପରିପାଟୀରେ ଭୋଗ କଲେ । ଆମକୁ ଅନ୍ୟମନସ୍କ କରି ରଖିଲେ । ଭାଗ୍ୟବାଦ କରି ରଖିଲେ । ପୃଥିବୀରେ ରାଜା ଅର୍ଥାତ୍ ଏକାଚାରୀମାନଙ୍କର ପକ୍ଷକୁ ଆଦରି ରହିଲେ । କାଳଟିକୁ ଭ୍ରମ କରିଦେଲେ,–ମଣିଷମାନଙ୍କୁ ସେମାନେ ବହନ କରି ରହିଥିବା ସମ୍ଭାବନାଗୁଡ଼ିକ ବିଷୟରେ ଘୋର ଅଜ୍ଞ କରି ରଖିଲେ । ଭାରତବର୍ଷର ଯଥାର୍ଥ ମୁହୂର୍ତ୍ତଗୁଡ଼ିକ ଗଡ଼ିଯିବାରେହିଁ ସହାୟତା କଲେ । ସଚେତନ ମନୁଷ୍ୟ, ସିଏ ଯୋଗୀ ହୋଇଥାଉ ପଛକେ, କୌଣସି ଅବସରରେ ମଧ୍ୟ ଭୂଗୋଳର ଗାରଗୁଡ଼ିକ ମଧ୍ୟରେ ମନୁଷ୍ୟମାନଙ୍କୁ ମୁଗ୍ଧ ଓ ଶୀଳତ କରି ରଖିବାକୁ କଦାପି ଇଚ୍ଛା କରେନାହିଁ । ସକଳ ଚେତନା ଏଇଠିହିଁ କୌଣସି ଅମୃତ ଦିଗନ୍ତ ଆଗରୁ ରହିଛି ବୋଲି ଏକ ମିଛ ଭାବପ୍ରବଣତାରେ ଆଦୌ ଅବଶ କରି ଦିଏନାହିଁ ।

 

୨୨ । ୧୧ । ୨୦୦୩

 

କେବଳ ବାହ୍ୟଟିଦ୍ଵାରା ସଂକ୍ରାମିତ ହୋଇପାରିବା ପାଇଁ ଏକ ଆକର୍ଷଣହିଁ ଯଥେଷ୍ଟ, ମାତ୍ର, ସତକୁସତ ଅସଲଟିଦ୍ଵାରା ଆକର୍ଷିତ ହୋଇ ଦୀକ୍ଷାଟିଏ ଗ୍ରହଣ କରିବା ନିମନ୍ତେ ସ୍ଥିର ନିଷ୍ପତ୍ତିଟିଏ ଆବଶ୍ୟକ ହୋଇଥାଏ । ଏକ ସତକୁସତ ସଂକଳ୍ପ ନେବାକୁ ପଡ଼େ । ପୃଥିବୀଯାକ ଅଧିକସଂଖ୍ୟକ ମଣିଷ ଯେ ବାହ୍ୟଟାର ବଜାର ଭିତରେ ପଶି ଏତେ ଖୁସୀରେ ସବୁକିଛି ସମ୍ପଦ ଲାଭ କରିଛନ୍ତି ବୋଲି ବିଚାର କରିପାରୁଛନ୍ତି, ସେମାନେ ଭିତରକୁ ଭେଦ କରିବାପାଇଁ ଡରୁଛନ୍ତି ଅଥବା ଭିତରକୁ ପ୍ରବେଶ କରିବା ଅନାବଶ୍ୟକ ମଣୁଛନ୍ତି ବୋଲି ସେପରି ଦୃଷ୍ଟିଗୋଚର ହେଉଛି କି-? କିନ୍ତୁ, ଅନ୍ତତଃ ଗୁରୁମାନେ ତ କିଞ୍ଚିତ୍ ଅଲଗା ପ୍ରକାରର ହୋଇ ପାରୁଥାନ୍ତେ ! ସେମାନେ ଯଦି ନିଜ ଜୀବନରେ ମଧ୍ୟ ନିଷ୍ପତ୍ତିଟିଏ ଗ୍ରହଣ କରିଥିବେ, ତେବେ ତାଙ୍କ ଶିଷ୍ୟମାନେ କେବଳ ଏକ ଆକର୍ଷଣରେହିଁ ଆସି ଏକତ୍ର ହୁଅନ୍ତୁ ଏବଂ ଯାବଜ୍ଜୀବନ ସେତିକିରେ ପଡ଼ି ରହନ୍ତୁ ବୋଲି କିପରି ଚିନ୍ତା କରି ପାରିବେ ?

 

ସଂସାର ପ୍ରସ୍ତୁତ ନଥିଲେ ଗୁରୁମାନେ ସେମାନଙ୍କୁ ଏଇଟା ବା ସେଇଟା ଭିତରେ ଭଣ୍ଡାଇ ଦେଇ ହୁଏତ କାମ ସାରିଦେଇ ପାରୁଥାନ୍ତେ । ଛାତ୍ରଟିଏ ଏକାଧିକ କାରଣରୁ ପ୍ରସ୍ତୁର ନଥିଲେ ଜଣେ ଶିକ୍ଷକ କ’ଣ ଆପେ ମଧ୍ୟ ସେହିଠାରେ ଅଟକି ଯାଇ ପ୍ରଧାନତଃ ଭୁତାଇ ଦେବାପରି,–ମନବୋଧ କଲାଭଳି କେତେଟା ମନଗଢ଼ା କଥା ମଧ୍ୟ କହେ ଏବଂ ସତ୍ୟ କହିଲେ ବସ୍ତୁତଃ ସେତିକି ବୋଲି କୁହୁଡ଼ିବାଣ ମାରିବାରେ ଲାଗିଥାଏ । ଏହିପରି ଭାବରେ ସତ୍ୟମାନେ ପ୍ରତିମାର ସ୍ତରକୁ ଖସି ଆସନ୍ତି । ସତ୍ୟକୁ ମୂଳ କରି ଧରିଥିଲେ ମନୁଷ୍ୟମାନଙ୍କର ଯାବତୀୟ ଖୋଜିବା ପ୍ରତିମା ଓ ପ୍ରତୀକଗୁଡ଼ାକରୁ ଯେତେ ଆରମ୍ଭ କରାଗଲେ ମଧ୍ୟ ଗାରଗୁଡ଼ିକୁ କେତେ ସହଜରେ ଡେଇଁଯାଇ ହୁଏ-। ଉପଯୁକ୍ତ ଗୁରୁ ସଚଳ ହୋଇ ରହିଥିଲେ ଛାତ୍ର ମଧ୍ୟ କ୍ଵଚିତ୍ ଆଦୌ କୌଣସି କୁଣ୍ଠା ପ୍ରକାଶ କରି ଗାରଗୁଡ଼ିକ ଭିତରେ ବାନ୍ଧି ହୋଇ ରହିବାକୁ ଅନୁରାଗ ପ୍ରକାଶ କରିଥାଏ । ତେଣୁ, ଅସଲ ଗୁରୁ ଯଦି ଅଭ୍ୟାସଟିଏ ଥିବାରୁ ପଇତାଟିଏ ପକାଇ ଥାଆନ୍ତି, ତେବେ ସିଏ ଶିଷ୍ୟଟିଏ ମଧ୍ୟ ଅଲବତ୍ ସେହି ପଇତାଟିକୁହିଁ ସର୍ବସମ୍ବଳ କରି ରଖିଥାଉ ବୋଲି କଦାପି ଇଚ୍ଛା କରିବେ ନାହିଁ । ଆପେ ନିଷ୍ପତ୍ତିଟିଏ କରିବାହିଁ ଅସଲ ମୁକ୍ତି । ଯଥାର୍ଥ ଭକ୍ତ ଗାରଗୁଡ଼ିକ ଭିତରେ ହୁଏତ ସବୁଯାକ ଖେଳକୁ ଖେଳିପାରେ, ମାତ୍ର ଅନାୟାସରେ ସେଗୁଡ଼ିକ ଡେଇଁବି ଯାଇ ପାରୁଥାଏ ।

 

୨୩ । ୧୧ । ୨୦୦୨

 

ଠାକୁର ତ ସମସ୍ତଙ୍କର,–ଯେଉଁମାନେ ଆପଣା ପିତ୍ତଗୁଡ଼ିକର ଅଳିନ୍ଦରେ ଠାକୁରଙ୍କୁ ମୋ’ର ବୋଲି କହି ପ୍ରାୟ ଏକ ଠାକୁରିଆ ଜୀବନ ଯାପନ କରୁଥାନ୍ତି, ସେମାନେ ମଧ୍ୟ ନିଜକୁ ମଧ୍ୟ ଗୋଟିଏ ଗୋଟିଏ ଠାକୁର ବୋଲି ଗ୍ରହଣ କରି ନେଇଥାଆନ୍ତି କି ? ସେଇମାନେହିଁ ପୃଥିବୀର ଦୁଃଖ ବଢ଼ାନ୍ତି । ଠାକୁରଙ୍କୁ ମଧ୍ୟ ବହୁତ ଦୁଃଖ ଦିଅନ୍ତି ।

 

ସେମିତି କହି ବସିଲେ ତ ସେମାନେ ମଧ୍ୟ ଠାକୁର,–କାରଣ ଠାକୁରେ ତ ସେମାନଙ୍କ ଭିତରେ ରହିଥାନ୍ତି କିନ୍ତୁ ସେମାନେ ସେହି ସତ୍ୟଟିର ପତ୍ତା ମଧ୍ୟ ପାଇ ନଥାନ୍ତି । ସେମାନେ ଜଗତ ଠାକୁରଙ୍କୁ ସତେଅବା ଖଣ୍ଡିଆ କରିପକାଇ ଆପଣା ନିମନ୍ତେ ଅଲଗା ଠାକୁରଟାଏ ତିଆରି କରି ନେଇଥାନ୍ତି । ସେହି ଠାକୁରଙ୍କୁ ନିଜର ବୋଲକରା କରି ରଖିଥାନ୍ତି । ଠାକୁରମାନେ କିପରି ନିଜ ଅନୁଗାମୀମାନଙ୍କର କଥାକୁ ମାନି ଯୁଗେଯୁଗେ ସଂସାରର ଆପଣାକୁ କେତେ କେତେ କାର୍ଯ୍ୟରେ ଲଗାଇଛନ୍ତି, ସେହି ବିଷୟରେ ଗଦାଗଦା ଶାସ୍ତ୍ର ଲେଖା ହୋଇ ରହିଥାଏ । କେଡ଼େ ପୁଲକ ସହିତ ସେହି ଶାସ୍ତ୍ରଗୁଡ଼ିକୁ ପବିତ୍ର ବୋଲି କୁହାଯାଉଥାଏ । ଯୋଉ ଶାସ୍ତ୍ରଗୁଡ଼ିକ ପ୍ରାୟ ଏକ ଦାନବିକ ଅନ୍ଧତା ସହିତ ଏହି ପୃଥିବୀରେ କେତେ କେତେ ମନୁଷ୍ୟଙ୍କୁ ହିଂସ୍ର କରି ରଖି ଆସିଛନ୍ତି, ସେଗୁଡ଼ିକୁ ପବିତ୍ର ବୋଲି ଖାସ୍ ସେହିମାନେହିଁ ରଚନା କରି ଆସିଛନ୍ତି । ଅସଲ ପବିତ୍ରତା ତ ତାଙ୍କର ପରିକର ହେବାରେ, ଯିଏ କି ମୋ’ ନିଜର ଠାକୁର ହେବା ସହିତ ଯୁଗପତ୍ ଭାବରେ ସବୁ ମନୁଷ୍ୟଙ୍କର ଅର୍ଥାତ୍ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ଠାକୁର ହୋଇ ରହିଛନ୍ତି । ଅସଲ ଭକ୍ତ ତ ସେଇ, ଯିଏ ଯେକୌଣସି ଠାକୁରଙ୍କର ଉପାସନା–ମନ୍ଦିରକୁ ଦେଖିଲେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଏହା ଭିତରେ ମୋ’ ଠାକୁରବି ରହିଛନ୍ତି ବୋଲି ବିଶ୍ଵାସ କରୁଛି । ଠାକୁରଙ୍କୁ ମାନିବାର ଅର୍ଥ ହେଉଛି, ଏହି ବିଶ୍ଵ ଯେ ଠାକୁର ଠାକୁର ନିର୍ବିଶେଷରେ ତାଙ୍କରି ଘର, ସେହି ସତ୍ୟଟିକୁ ସ୍ଵୀକାର କରିନେବା । ମନ୍ଦିରମାନେ ତ ସଚରାଚର ତଥାକଥିତ ସାଂସ୍କୃତିକ ଭୂଗୋଳ ଅନୁସାରେ ତିଆରି ହୋଇଛନ୍ତି । କିନ୍ତୁ ଠାକୁର ସବୁ ଭୂଗୋଳକୁ ଅତିକ୍ରମ କରି ଛିଡ଼ା ହୋଇଛନ୍ତି,–ସିଏ ସତକୁସତ ସମସ୍ତଙ୍କର ହୋଇ ବିରାଜିତ ଅଛନ୍ତି-

 

୩୦ । ୧୧ । ୨୦୦୩

 

ଅସଲ ସ୍ଵର୍ଗଟିଏ ସମ୍ଭବ ହୋଇ ପାରିଥିଲେ ଏହି ପ୍ରତିମାମାନେ ପ୍ରକୃତରେ କେଡ଼େ ଜୀବନ୍ତ ହୋଇ ନଉଠନ୍ତି ! ଭିତରେ ଉପଲବ୍ଧି ବୋଲି ସତକୁସତ କିଛି ରହିଥିଲେ ଏହି ଅଠରହଜାର ପ୍ରକାରର ପ୍ରତୀକଗୁଡ଼ିକୁ କେଡ଼େ ଜୀବନମୟ ହୋଇ ପ୍ରତିଭାତ ନହୁଅନ୍ତି ! ପ୍ରତୀକ ମଧ୍ୟଦେଇ ଅର୍ଥାତ୍ ପ୍ରତିମାଗୁଡ଼ିକର ମଧ୍ୟଦେଇ ସତ୍ୟକୁ ଆସିବା ସହଜ ବୋଲି ଯେଉଁ ସାଧନା–ବିଶାରଦ ଗୁରୁମାନେ ଏଡ଼େ ପାଟିରେ କହି ଯାଇଛନ୍ତି ଓ ଏବେ ମଧ୍ୟ କହିବାରେ ଲାଗିଛନ୍ତି, ସେମାନେ କ’ଣ ସବୁ ଏପରି କରିଛନ୍ତି କେଜାଣି ?

 

ଏହି ଭୂମିଟି ସହିତ କୌଣସି ସ୍ପର୍ଶ ନଥାଇ ଏହାକୁ ଜନନୀ ବୋଲି କହିବାରେ ବହୁତ ମଣିଷଙ୍କୁ ପ୍ରକୃତରେ କି ସନ୍ତୋଷ ମିଳେ କେଜାଣି ? ଏହି ଜଗତଟି ସହିତ ଏକ ସହସ୍ପନ୍ଦନ ଅନୁଭବ ନକରି ଏହି ସବୁକିଛିକୁ ଜଣେହିଁ ସୃଷ୍ଟି କରିଛନ୍ତି ଏବଂ ସମ୍ଭାରି ରଖିଛନ୍ତି ବୋଲି ମୁଁ କିପରି କହିପାରିବି ? ସ୍ନେହ, ସହାନୁଭୂତି, ଏପରିକି ସୁଖ କ’ଣ ଗୋଟିଏ ଗୋଟିଏ ଗୁଣ, ଯେଉଁଗୁଡ଼ିକୁ କି ମୁଁ ଏକାଧିକ ଶାସ୍ତ୍ରରୁ ସମର୍ଥନ ସାଉଁଟି ଆଣି ଗୁଣି ହେଉଥିଲେ ସତକୁସତ ସ୍ନେହ, ସହାନୁଭୂତି ଏବଂ ସୁଖର ଭାଜନ ହୋଇପାରିବି ? ଆଗ ଏକ ପ୍ରତ୍ୟକ୍ଷସ୍ପର୍ଶ ନପାଇଲେ କୌଣସି ସାହିତ୍ୟ ମଧ୍ୟ କିପରି ସମ୍ଭବ ହେବ ? ମୁଁ ତ କହିବି ଯେ, ଆଗ ସ୍ପର୍ଶ, ତା’ପରେ ଯାଇ ସାହିତ୍ୟ । ଆଗ ପେଟପୂରା କରି ଦେଖିଲେ ଯାଇ ଏଇ ବାହାରେ ଏବଂ ଭିତରେ ସବୁକିଛି ସୁନ୍ଦର ଦିଶିବ, ସୁନ୍ଦର ବୋଲି ପ୍ରତ୍ୟୟଟିଏ ଆଣିଦେବ । ଗୁରୁ ଯାହା କହନ୍ତି, ତାହାହିଁ କ’ଣ ଆମ ଭିତରେ ମଧ୍ୟ ଈପ୍ସିତ ଗବାକ୍ଷଗୁଡ଼ିକୁ ଖୋଲିଦିଏ ଅଥବା ଗୁରୁ ନିଜେ ଲାଭ କରିଥିବା ସ୍ପର୍ଶଟିଏହିଁ ସଂକ୍ରାମିତ ହୋଇ ଆସିପାରିଲେ ତା’ପରେ ଯାଇ କଥାଗୁଡ଼ିକ ମଧ୍ୟ ସତ ହୋଇ ଆସନ୍ତି ? କଥାଗୁଡ଼ିକ ଉପଲବ୍ଧିରୂପେ ଧରା ଦିଅନ୍ତି ଏବଂ ଆମକୁ ସମ୍ପଦବାନ୍ କରୁଥାଆନ୍ତି । ବାହାରେ ପ୍ରତୀକଗୁଡ଼ାକୁ ନିଠ କରି ଏହି ଯେଉଁ ଏତେ ଏତେ ଚାତୁର୍ଯ୍ୟମାନ ହେଉଛି, ତାହା କ’ଣ ଆମକୁ ଭଣ୍ଡାଇବାକୁ ବା ପରସ୍ପରକୁ ଭଣ୍ଡାଇ ରଖିବା ସକାଶେ ହେଉଛି କି ? ପୃଥିବୀଟାଯାକ ଛାନିଆ ହୋଇ ରହିଛି, ଅଥଚ ଏଠି ଅଭୟର କଥା କୁହାଯାଉଛି । ମଣିଷମାନେ ମଣିଷଙ୍କଠାରୁ ବହୁଦୂର ହୋଇ ରହିଛନ୍ତି ଏବଂ ପରସ୍ପରକୁ ଜାଗା ଛାଡ଼ିବାକୁ ରାଜୀ ହୋଇ ପାରୁନାହାନ୍ତି,–ଏହି ପୃଥିବୀ ସେହି ଜଣେ ଭଗବାନଙ୍କର ଅର୍ଥାତ୍ ଆମ ସମସ୍ତଙ୍କର ବୋଲି ଏହି ଯେଉଁ ଚିତ୍କାରମାନ ଶୁଣାଯାଉଛି, ମୁଁ କେବଳ ସେତିକିକୁ ନେଇ କିପରି ଏକ କଳାତ୍ମକ ବିସ୍ମରଣ ଭିତରେ ଖୁସୀ ହୋଇ ରହିଯାଇ ପାରିବି ?

 

୨୯ । ୧୨ । ୨୦୦୩

 

ଯିଏ ସତରେ ଥାଏ ତେଣୁ ସତକୁ ବୁଝେ, କେବଳ ସେଇ ଅସତ୍ୟକୁ ମଧ୍ୟ ବୁଝେ ଅର୍ଥାତ୍ ଅସତ୍ୟକୁ ସହିପାରେ । ଯିଏ ଆଦର୍ଶଟିଏ ବାଛି ବାଟ ଚାଲୁଥାଏ, ସିଏହିଁ ଅନ୍ୟ ଆଦର୍ଶଗୁଡ଼ିକ ତା’ଟିଠାରୁ ଭିନ୍ନ ହୋଇଥିଲେ ମଧ୍ୟ ସେଗୁଡ଼ିକୁ ସହେ । ଅସତ୍ୟ କ’ଣ ସତ୍ୟର ଓଲଟା,–ଉପରର ପାହାଚଟାକୁ ଆଖି ପାଇଗଲେ ସିନା ତଳ ପାହାଚଟା ଉପରୁ କେଡ଼େ ସହଜ ଭାବରେ ଗୋଡ଼ଟା ଉଠିଯାଏ । ଏମିତି ଆମେ ସମସ୍ତେ ତ ପାହାଚ ପରେ ପାହାଚ ଅତିକ୍ରମ କରି ଆସିଛୁ । ଅତିକ୍ରମ କରିଥିବା ପାହାଚଗୁଡ଼ିକୁ ଦେଖି ଅସତ୍ୟ ବୋଲି କହିବା ନିମନ୍ତେ ଆଉ କାହିଁକି ଇଚ୍ଛା ହେବ ?

 

ଏବଂ ସତ୍ୟକୁ ବୁଝୁଥିବା ଅର୍ଥାତ୍ ସତ୍ୟରେ ଥିବା ମନୁଷ୍ୟଟିଏ ତଥାକଥିତ ଅସତ୍ୟଗୁଡ଼ିକ ଉଦ୍ଦେଶ୍ୟରେ କେବେହେଲେ ଖଣ୍ଡା ଉଞ୍ଚାଇ ବାହାରି ପଡ଼ିବନାହିଁ । ଏବର ପରିଭାଷାରେ କହିଲେ, କଦାପି ସନ୍ତ୍ରାସବାଦୀ ହେବନାହିଁ । ତେଣୁ, ସନ୍ତ୍ରାସବାଦୀ ହେଉଛି, ସିଏ ବହୁତର ଅର୍ଥରେ ସମ୍ଭବତଃ କୌଣସି ଅସତ୍ୟକୁହିଁ ସତ୍ୟ ବୋଲି ଭାବି କାମୁଡ଼ି ରହିଛି । ତେଣୁ, ସନ୍ତ୍ରାସବାଦକୁ ଆମେ ବେଶୀ କିଛି ଭୁଲ ନକରି ଅସତ୍ୟ ଅସତ୍ୟ ଭିତରେ ଏକ ଅସହିଷ୍ଣୁତାପୂର୍ଣ୍ଣ ଲଢ଼ାଇ ବୋଲି କହି ପାରିବା କି-? ସମ୍ଭବତଃ ଅସତ୍ୟମାନେହିଁ ପୃଥିବୀରେ ଏକମାତ୍ର ଆଧିପତ୍ୟ ବିସ୍ତାର କରି ରହିବା ନିମନ୍ତେ ଅର୍ଥାତ୍ ସ୍ଵୀକୃତ ହେବା ନିମନ୍ତେ ଅଡ଼ି ବସିଥାନ୍ତି । ପୃଥିବୀର ଇତିହାସରେ ଏପରି କୋଉ ଯୁଦ୍ଧଟା ଲଢ଼ା ହୋଇଛି, ଯାହାକୁ କି ଆମେ ଅସତ୍ୟ ବିରୁଦ୍ଧରେ ସତ୍ୟର ଲଢ଼ାଇ ବୋଲି କହିପାରିବା-? ଜାତୀୟତାବାଦ ନାମକ ଆମ ଏ ଯୁଗର ବହୁପ୍ରଚାରିତ ଗୋଷ୍ଠୀତତ୍ତ୍ଵଟା ଆସି ପୃଥିବୀଟାକୁ ପ୍ରକୃତରେ ଅଧିକ ଅସହିଷ୍ଣୁ ଓ ଅଧିକ ନିର୍ମମ କରି ପକାଇଲା କି ? ସନ୍ତ୍ରାସବାଦଟାକୁ କେଡ଼େ ଚାତୁର୍ଯ୍ୟର ସହିତ ଏତେ ସହନୀୟ କରି ଆଣିଲା କି ? ରାଜାମାନେ, ଡିକ୍ଟେଟର୍‌ମାନେ ମଧ୍ୟ ଜାତୀୟତାବାଦର ଏକ ମିଛ ଉଜ୍ଜ୍ୱଳତା ସୃଷ୍ଟି କରି ଧର୍ମମାନଙ୍କୁ ମଧ୍ୟ ଲୌକିକ ବହୁ ଭାବପ୍ରବଣତାର ଖୁଣ୍ଟରେ ଆଣି ବାନ୍ଧି ରଖିଲେ, ଭଗବାନଙ୍କୁ ଆମର ବୋଲି କହିଲେ,–ନିଜର ଠାକୁରମାନଙ୍କ ଏକମାତ୍ର ସ୍ଵୀକାର୍ଯ୍ୟ ବୋଲି ଘୋଷଣା କଲେ । ଏହାଦ୍ଵାରା ଠାକୁରମାନଙ୍କଠାରେ ମଧ୍ୟ ପାରମ୍ପରିକ ଭାବରେ ଯେତିକି ମହତ ରହିଥିଲା, ସେଇଟା ଚୁଲିକୁ ଗଲା । ଏଇ ଚିହ୍ନା ପାହାଚଟିକୁହିଁ ଏକମାତ୍ର ପାହାଚ ବୋଲି ବୀରମାନେ ରଡ଼ି କରି କହିଲେ । ବୋକା କରିଦେଲେ ।

 

୩୦ । ୧୨ । ୨୦୦୩

 

ଆମ ଭାଷାରେ ‘ମାୟା’ ଶବ୍ଦଟିକୁ ଅନୁରାଗ ଅର୍ଥରେ ବ୍ୟବହାର କରାଯାଏ । କେଉଁଠି ମନ ଲାଗିଯାଏ, ହୃଦୟ ଥିର ହୋଇଥାଏ ଅଥବା ଆଖିବି ଲାଖିଯାଏ,–ଆମେ ସେହି କ୍ଷେତ୍ରରେହିଁ ଆମର ମାୟା ଲାଗିଗଲା ବୋଲି କହୁ ଓ ସମ୍ପୂର୍ଣ୍ଣ ଭାବରେ ସେହି ଅର୍ଥରେହିଁ ବୁଝିଥାଉ । ଏକଦା ତତ୍ତ୍ଵବାଦୀମାନେ ତାହାକୁ ‘ମିଥ୍ୟା’ ଅର୍ଥରେ କାହିଁକି ଯେ ବୁଝିଲେ, ସେହି ବିଷୟରେ ଚିନ୍ତା କରିବାମାତ୍ରେ ଭାରି କେମିତି କେମିତି ମନେହୁଏ । ଏହି ଅନ୍ୟ ଅର୍ଥଟିରେ ଆଉ ପ୍ରକାରେ ବୁଝିବାକୁ ସତେଅବା ମୋଟେ ମନ ହେଉ ନଥାଏ । ସଂସାରଟାକୁ ନାକ ଟେକିବାଟା ଗୋଟାଏ ଦାର୍ଶନିକ ବୃତ୍ତି ବୋଲି ସ୍ଵୀକାର କରିବା ଲାଗି ଆଦୌ ମନ ହୁଏନାହିଁ । ଅନେକ ମନୁଷ୍ୟ ହୁଏତ କିଛି ନିଜସ୍ଵ କାରଣରୁ ସଂସାରକୁ ନାକ ଟେକୁଥିବାରୁ ଆମକୁ ମାୟାସଂସାର ବିଷୟରେ ଏତେ ଏତେ ସାବଧାନ କରିଦେବାରେ ଲାଗି ଥାଆନ୍ତି କି ? ମୂଳରୁ ନାକ ଟେକିବାର ସେହି ଦୁର୍ଭାଗ୍ୟଟି ଭିତରେ ପଡ଼ିଯିବାରୁ ସେହି ମାୟାବାଦୀମାନେ ଏଠି ପ୍ରାୟ ଏକ ଅତି ସ୍ଥୁଳ ଦୁରାଗ୍ରହ ସହିତ ଜଗତକୁ ମିଥ୍ୟା ଓ ମାୟା ବୋଲି କହିଲେ ଏବଂ ସେଇଥିଲାଗି ଏହି ସବୁକିଛି ବାହାରେ ଅଲଗା ହୋଇ ରହିଥିବା ବ୍ରହ୍ମଙ୍କୁହିଁ ସତ୍ୟ ବୋଲି କହିଲେ । ଏପରି କହି ସହଜ ମନୁଷ୍ୟମାନଙ୍କୁ ସେମାନେ ସଂସାରବିମୁଖ କରି ରଖିଲେ । ସେମାନଙ୍କର ସୂତ୍ରବ୍ୟାଖ୍ୟାଗୁଡ଼ିକୁ ତର୍ଜମା କରି ଦେଖିଲେ ସତେଯେପରି ଖୁବ୍ ଅନୁଭବ ହୁଏ ଯେ, ସେମାନେ ସଂସାରକୁ ମାୟା ବୋଲି ଦର୍ଶାଇବାରେ ଯେତିକି ପ୍ରୟାସ ଓ ମସ୍ତିଷ୍କ ଖଟାଇଛନ୍ତି, ବ୍ରହ୍ମଙ୍କୁ ସତ୍ୟ ବୋଲି ଉପଲବ୍ଧି କରିବାରେ ସେତେବେଶୀ ଆଗ୍ରହ ଦେଖାଇ ନାହାନ୍ତି, ଗୋଟିଏ ଏକପାଖିଆ ଉତ୍ସାହବଶତଃ ସେଥିପାଇଁ ନିଶ୍ଚୟ ସମୟ ପାଇନାହାନ୍ତି । ତେଣୁ, ପରିଣାମରୂପେ ସଂସାରର ତୁମଆମଙ୍କ ଜୀବନରେ ବ୍ରହ୍ମ ପ୍ରତି ଯେତିକି ଅନୁରାଗ ସମ୍ଭବ ହୋଇ ପାରିନାହିଁ, ସଂସାରକୁ ମାୟା ବୋଲି କହି ବଣା ହୋଇ ବାଟ ଚାଲିବାର ମିଛ ଗମ୍ଭୀରତାଟା ହୁଏତ ତା’ଠାରୁ ଅଧିକ ପ୍ରଶ୍ରୟ ଲାଭ କରିଛି ।

 

ମହାନ୍ ଭାଗ୍ୟ ତ ସେହି ମଣିଷମାନଙ୍କର, ଯେଉଁମାନେ କି ଆକାଶକୁ ପୃଥିବୀ ସହିତ ଏବଂ ପୃଥିବୀକୁ ଆକାଶ ସହିତ ଯୋଡ଼ିବାର ରହସ୍ୟସ୍ପର୍ଶଟିକୁ ପାଇଛନ୍ତି, ସେହିମାନେହିଁ ବ୍ରହ୍ମସଂସ୍ପର୍ଶ ଲାଭ କରିଛନ୍ତି । ସଂସାର ଭିତରେ ସେହିମାନେହିଁ ବ୍ରହ୍ମଙ୍କୁ ସଚଳ କରି ରଖିଛନ୍ତି । ବହୁତ ଅର୍ଥରେ ଏଠି ସମୁଚିତ ସେତୁଗୁଡ଼ିକୁ ପକାଇ ପାରିଛନ୍ତି ଏବଂ ଯଥାର୍ଥ ଡୋରଗୁଡ଼ିକୁ ବାନ୍ଧି ପାରିଛନ୍ତି ।

 

୧୩ । ୧ । ୨୦୦୪

 

ଭାରତବର୍ଷ ନାମକ ଏହି ଭୂମିଟିକୁ ଚକ୍ଷୁ ସମକ୍ଷରେ ଥାପି ସିଧା ଅର୍ଥାତ୍ ଏକ ନିଷ୍ଠାପର ଅଙ୍ଗୀକାରବଦ୍ଧତା ସହିତ ଅନାଇ ପାରିଲେ ଯେଉଁ ଅସଲ ସ୍ଵପ୍ନ ତଥା ଉଦ୍ୟମଗୁଡ଼ିକ ଦୃଶ୍ୟମାନ ହୋଇ ଆସନ୍ତି, ସେଥିରେ ସବାଆଗ ଗାନ୍ଧୀ, ଅର୍ଥାତ୍ ଏହି ଏକାନ୍ତ ହାତପାଆନ୍ତି ଅର୍ଥାତ୍ ଗୋଡ଼ତଳର ଭୂଇଁଟି ଉପରେ ଗାନ୍ଧୀ, ମଝିରେ ଥିବା ଥାକଥାକ ସୋପାନକ୍ରମରେ ରବୀନ୍ଦ୍ରନାଥ ଏବଂ ଶିଖରଠାବଟାରେ ଶ୍ରୀ ଅରବିନ୍ଦ । କିଏ ତଳ ଅଥବା କିଏ ଉପର, ତେଣୁ କିଏ ଆଗ ଏବଂ କିଏ ପଛ, ସେକଥା ବିଚାର କରିବାର ଆଦୌ କୌଣସି ଅବକାଶହିଁ ନାହିଁ । ହଁ, ଯିଏ ବା ଯେଉଁମାନେ କୌଣସି ମୋହଗତ କାରଣରୁ ତିନିଙ୍କ ଭିତରୁ ଜଣଙ୍କୁ ଆଦରି ନେଇଥିବ, ସିଏ ନିଶ୍ଚୟ ଅନ୍ୟ ଏକ ଆଚରଣ ଦେଖାଇବହିଁ ଦେଖାଇବ । କିନ୍ତୁ, ମୂଳଦୁଆଟି ସଜାଡ଼ି ହୋଇ ନଥିଲେ କୋଉ ମଧ୍ୟଭାଗ କିମ୍ବା ମଥାନଟି ପ୍ରକୃତରେ ଦୃଷ୍ଟିଗୋଚର ହୋଇ ପାରିବ ? ଏବଂ କେବଳ ମଥାନ ବା ମଝିଗୁଡ଼ାକୁ ନେଇ ନାଚିବାଲାଗି ମନ କଲେ ମଧ୍ୟ ସେଥିନିମନ୍ତେ ତୁମେ ଭୂମିଟିଏ ମଧ୍ୟ କିପରି କେଉଁଠାରୁ ପାଇବ ? ଭାରତବର୍ଷ ପ୍ରକୃତରେ ଭାଗ୍ୟବାନ ଯେ, ଏହି ତିନିଟିଯାକ ସନ୍ଦେଶ ଆମପାଇଁ ଏଡ଼େ ଜୀବନ୍ତ ଏବଂ ଅପରିହାର୍ଯ୍ୟ ଭାବରେ ସମସାମୟିକ ହୋଇ ରହିଛି ଓ ଗୋଟିକୁ ମନେ ପକାଇବା ସହିତ ଅନ୍ୟ ଦୁଇଟିଯାକ ମଧ୍ୟ ମନେପଡ଼ି ଯାଉଛନ୍ତି ।

 

ଅର୍ଥାତ୍, ସତକୁସତ ଏକ ପୂର୍ଣ୍ଣ ଆହ୍ଵାନ, ଏକ ପୂର୍ଣ୍ଣ ଆସ୍ପୃହା ଏବଂ ଏକ ପରିପୂର୍ଣ୍ଣ ଶ୍ରଦ୍ଧା ଅର୍ଥାତ୍ ଗ୍ରହଣଶୀଳତା । କ’ଣ ପାଇଁ ଯେ ଏଠାରେ ଅତ୍ୟୁତ୍ସାହୀମାନେ ଆସି ଅଲଗାଅଲଗା ମେଳ ବାନ୍ଧି ସମ୍ପୂର୍ଣ୍ଣ ଭାବରେ ଦର୍ଶାଇଦେବେ ବୋଲି ଅନ୍ୟ ଦୁଇଟିକୁ ଏଡ଼ି ଏଡ଼ି ରହିଗଲେ, ଯେତେ ଚେଷ୍ଟା କଲେ ମଧ୍ୟ ତାହା ଆଦୌ ବୁଝି ହୁଏନାହିଁ । ଜୀବନରେ, କର୍ମକ୍ଷେତ୍ରରେ ନିଜର ଭୂମିଟି ଉପରେ ସମ୍ପୂର୍ଣ୍ଣ ଯୁକ୍ତ ହୋଇ ରହିବାକୁହିଁ ଶ୍ରେୟ ବୋଲି ବାଛି ଭଗବାନଙ୍କ ଲାଗି ବାହାରିଥିବା ଜଣେ ମଣିଷ ଓ ଭାରତୀୟ କ’ଣ ପାଇଁ ଯେ ମଠଟାଏ ବାଛି ତାହାରି ଭିତରେ ପଶିଯାଏ, ମୁଁ ତାହାର କିଛିହେଲେ ଠଉରାଇ ପାରେନାହିଁ । ସିଏ ବସ୍ତୁତଃ ତା’ ନିଜଟି ବୋଲି କହୁଥିବା ବାର୍ତ୍ତା ତଥା ଆହ୍ଵାନଟିକୁ ମଧ୍ୟ ତାହାର ପୂର୍ଣ୍ଣାଙ୍ଗ ବ୍ୟଞ୍ଜନାଟି ସହିତ ଗ୍ରହଣ କରି ନଥାଏ କି ?

 

୧୬ । ୧ । ୨୦୦୪

 

ସତ୍ୟକୁ ମୋଟାମୋଟି ଜାଣିଯିବାକୁ ଅନେକ ସତ୍ୟକୁ ବୁଝିବା ବୋଲି ଅନୁଭବ କରି ନିଅନ୍ତି । ବହିରୁ ଜାଣନ୍ତି, ଗୁରୁତୁଣ୍ଡରୁ ମଧ୍ୟ ଜାଣନ୍ତି । କିନ୍ତୁ ଆମର ଚଳନ୍ତି କାରଣଗୁଡ଼ାକ ଅନୁସାରେ, ସେତିକି ହୋଇଗଲେ ଯେ ସତ୍ୟକୁ ବଞ୍ଚିବା ମଧ୍ୟ ସମ୍ଭବ ହୋଇଯିବ, ସେପରି କ’ଣ ପାଇଁ ଦାବି କରାଯାଇପାରିବ ? ସତ୍ୟକୁ ବଞ୍ଚିବାରୁ ହିଁ ସତ୍ୟକୁ ବୁଝିବା ମଧ୍ୟ ପ୍ରାୟ ଯୁଗପତ୍ ଭାବରେ ଯେ ସମ୍ଭବ ହୋଇଯାଏ, ଆମେ ସେକଥା କଦାପି ସମସ୍ତଙ୍କୁ ବୁଝାଇ ଦେଇ ପାରିବାନାହିଁ । ଯେଉଁମାନେ ଜାଣିବା ପାଖରେ ରହି ଯାଇଥାନ୍ତି ଓ ନିଜର ଜ୍ଞାନଗୁରୁ ସାମର୍ଥ୍ୟଗୁଡ଼ିକର ସାହାଯ୍ୟରେ ଆପଣାକୁ ବୁଦ୍ଧିଜୀବୀ ବୋଲି ଚିହ୍ନାବି ଦିଅନ୍ତି, ସେମାନେ କ’ଣ ପାଇଁ ଅନେକ ସମୟରେ ସତ୍ୟକୁ ବଞ୍ଚିବା ନିମନ୍ତେ ମନ କରନ୍ତିନାହିଁ କେଜାଣି ? ପୃଥିବୀର ଏହି ଜାଣିବାର ଓ ଜାଣିଥିବାରୁ ବୁଝିଛି ବୋଲି ଅନୁଭବ କରିବାର ଏହି ଯାବତୀୟ ଆକର୍ଷଣ,–ଏଇଟା କ’ଣ ସତ୍ୟକୁ ବଞ୍ଚିବାର ଆକର୍ଷଣଠାରୁ ପ୍ରକୃତରେ ଅଧିକ ?

 

ସତ୍ୟକୁ ଜୀବନ ଭିତରକୁ ନୁଆଁଇ ଆଣି ପାରନ୍ତିନାହିଁ ଅର୍ଥାତ୍ ଆପଣାକୁ ସତ୍ୟ ପାଖକୁ ନୁଆଁଇ ଆଣି ପାରନ୍ତିନାହିଁ ବୋଲି ବହୁତ ମଣିଷ ବହୁବିଧ ନାମ ଓ ବ୍ୟଞ୍ଜନା ଫାନ୍ଦି ବାଦଗୁଡ଼ିକୁ ତିଆରି କରି ପକାଇ ଥାଆନ୍ତି,–ସତେଅବା ଚଉହଦିଟିଏ ଦର୍ଶାଇ ଦେଇ ସେମାନେ ଅଧିକ ସ୍ଵୀକୃତି ପାଇଗଲେ ବୋଲି ଭାବୁଥାଆନ୍ତି । ଆଉ କେତେ ପାଦ ପାଖକୁ ମାଡ଼ିଯାଇ ଖାସ୍ ସେହିମାନଙ୍କଦ୍ଵାରାହିଁ ଭଳିଭଳି ପିତୁଳା ଗଢ଼ାଯାଏ, ପ୍ରତୀକମାନଙ୍କର କି ସୁନ୍ଦର ବଜାରଟିଏ ବସିଯିବା ପରି ଲାଗୁଥାଏ । ତଥାପି ଆଗକୁ ଆହୁରି କେଇ ଖୋଜ ପକାଇ ସମ୍ପ୍ରଦାୟମାନେ ପ୍ରାୟ ଗୋଟିଏ ଗୋଟିଏ ଶୋଭାଯାତ୍ରାରେ ବାହାରିଥିବା ପରି ଦୃଷ୍ଟିଗୋଚର ହୁଅନ୍ତି,–ଭାରି ଅଭିଭୂତ କରିପକାନ୍ତି । ତା’ପରେ ସମ୍ଭବତଃ ସତ୍ୟକୁ ବଞ୍ଚିବାଟା ଆଉ ସେପରି ଆବଶ୍ୟକ ହୁଏନାହିଁ । ସତ୍ୟକୁ ବଞ୍ଚିବା ବିଷୟରେ ଉଚ୍ଚାଟନାପୂର୍ଣ୍ଣ ଉଦ୍‌ବୋଧନମାନ ଦିଆଯାଏ ସିନା,–ମାତ୍ର ଅଭିଭୂତ ହେବାର ପ୍ରାୟ ସେହି ଆହ୍ଵାନଶୂନ୍ୟ ନିତ୍ୟରାସ ଭିତରେ ସବୁଯାକ ପ୍ରୟାସ ସତେଅବା ଭାରି ସହଜରେ ଅଟକି ରହିଯାଏ । ପୃଥିବୀରେ ସେହିମାନେହିଁ ମିଥ୍ୟାମାନଙ୍କୁ ସତ୍ୟ ବୋଲି ଘୋଷଣା କରନ୍ତି ଏବଂ ପରସ୍ପର ମଧ୍ୟରେ ଖୁବ୍ ଗୋଳ ଲଗାଇବାରେ ଲାଗି ଥାଆନ୍ତି ।

 

ସେମାନଙ୍କର କାମରେ ଲାଗିପାରିବା ଭଳି ତଦନୁରୂପ ଗୁରୁମାନଙ୍କୁ ମଧ୍ୟ ବିଧାତା ଏହି ସଂସାର ଭିତରକୁ ପଠାଇ ଦେଇଥାନ୍ତି । ଏହିପରି ଗୋଟିଏ ପଦ୍ଧତିରେ ସିଏ କ’ଣ ସତକୁସତ ଆମ ସଂସାରୀମାନଙ୍କର ପରୀକ୍ଷା ନେବାରେ ଲାଗିଥାନ୍ତି କି ?

 

୨୭ । ୧ । ୨୦୦୪

 

ମୁଁ ଘନଶ୍ୟାମକୁ କହିଲି, ଘନଶ୍ୟାମ, ତୁମେ ମଦ ଖାଉଛ ବୋଲି ତୁମେ ଖରାପ ନୁହ, ମଦ ଖାଇବାଟାହିଁ ଖରାପ । ଅନ୍ୟ ଅନେକେ ତୁମକୁ ତୁମ ମଦ ଖାଉଛ ବୋଲି ଯେ କହୁଛନ୍ତି, ତଦ୍ଦ୍ୱାରା ପ୍ରାୟ ଏକପ୍ରକାରର ଆନନ୍ଦ ଅନୁଭବ କରୁଛନ୍ତି ବୋଲି ସେମାନେ ତୁମକୁ ମୋଟେ ତାହା କହୁନାହାନ୍ତି । ତୁମେ ଏହି ମଦ ଖାଇବାଟା ଛାଡ଼ିଦିଅ ବୋଲି ସେମାନେ ସମ୍ଭବତଃ ଆଦୌ ଇଚ୍ଛା କରୁନାହାନ୍ତି । କାରଣ, ତୁମେ ମଦ ଖାଇବାଟା ଛାଡ଼ିଦେଲେ ସେମାନେ ପୁଣି ଆଉ କାହାକୁ ଛିଗୁଲେଇ କହିବେ, ଲୋକଟା ଖୁବ୍ ମଦୁଆ ବୋଲି କହିବେ ?

 

ତୁମର ମଦ ଖାଇବାଟାକୁ ଛଡ଼ାଇବାକୁ ଇଚ୍ଛା ନକରି ତୁମେ ମଦ ଖାଉଛ ବୋଲି ତଥାପି କହିବାର ଖୁସୀ ହେଉଥିବା ମଣିଷମାନେ ନିଜର ଆଉକିଛି ଭୁଲିବାପାଇଁ ତୁମର ମଦ ଖାଇବା ଦେଖି ଖୁସୀ ହେଉଛନ୍ତି ଓ ତୁମକୁ ଖରାପ ବୋଲି କହୁଛନ୍ତି କି ? କାହାର କୌଣସି ମନ୍ଦ ଦେଖିଲେ ପୃଥିବୀର ଏହି ଲୋକମାନେ ଅଧିକତର କ୍ଷେତ୍ରରେ ଏତେ ଖୁସୀ ହୁଅନ୍ତି କାହିଁକି କେଜାଣି ? ଆମ ପୃଥିବୀର ethicsଟା କ’ଣ ସତକୁସତ ମାତ୍ର ଏତିକିଦୂର ଯାଇ ପାରିଛି ?

 

ଘନଶ୍ୟାମ, ତୁମକୁ କେହି ବାହାରୁ ସତ୍‌ପରାମର୍ଶ ଦେଲେ ତୁମେ ଏହି ମଦଖିଆକୁ କଦାପି ଛାଡ଼ି ପାରିବନାହିଁ, ତୁମକୁ କେହି ଗାଳି ଦେଲେ ମଧ୍ୟ ତୁମର ମଦଖିଆ ଯିବନାହିଁ । ଭିତରେ ଆଉ ଜଣେ ଅଛନ୍ତି, ଯିଏକି ତୁମର ମଦଖିଆକୁ ଆଗ ନଦେଖି ତୁମକୁହିଁ ଦେଖନ୍ତି । ମାଆଟି ପରି ତୁମର ପାଖେପାଖେ ରହିଥାନ୍ତି । ତୁମ ଭିତରେ ସତେଅବା ଆହୁରି କ’ଣ ସବୁର ସେ ଠାବ କରି ପାରିଥାନ୍ତି କେଜାଣି ? ତୁମେ ତାଙ୍କୁ ଠାବ କରି ପାରିବ ? ଠାବ କରି ପାରିଲେ ଜୀବନର ପରମବନ୍ଧୁଙ୍କୁ ଅବଶ୍ୟ ଭେଟିବ । ତା’ପରେ ଯାଇ ଦୁଃଖ ଯିବ । ଏବଂ, ତୁମେ ନିଜେ ମଧ୍ୟ ନିଜ ଭିତରକୁ ଅନାଇ ଆଗ ମଦଖିଆଟାକୁ ନଦେଖି ସତକୁସତ ନିଜକୁ ଦେଖିବ । ତା’ପରେ ତୁମ ଜୀବନ–ଆକାଶରେ ତାରାମାନେ ମଧ୍ୟ ତୁମକୁ ଛୁଇଁକରି ରହିଥିବା ପରି ବୋଧ ହେବେ । ତୁମେ ବେଢ଼ା ଭିତରକୁ ବାଟ ପାଇଯିବ । ହଁ, ବେଢ଼ା ଭିତରେ ବାସବି ପାଇଯିବ । ସମଗ୍ର ପୃଥିବୀଟାହିଁ ଏହି ବେଢ଼ା ଭିତରେ ରହିଥିବା ପରି ଲାଗିବ । ଏବଂ ତା’ପରେ ତୁମର ଆଉ କେଉଁ ଦୁଃଖ ରହିବ ଯେ ତୁମେ ସେଇଟାକୁ ଭୁଲିବା ନିମନ୍ତେ ମଦକୁ ଲୋଡ଼ିବା ଲାଗି ମନ କରିବ ? ଘନଶ୍ୟାମ, ଏଇଟି ହେଉଛି ମାର୍ଗ; ସୁସ୍ଥତମ ମାର୍ଗ । ତେଣୁ, ଖୁସୀ ହୋଇ ଖୋଜ, ନିଜକୁ ଏହି ତମାମ ପୃଥିବୀ ଭିତରେ ଲୋଡ଼ିବାର ସେହି ଅନ୍ୟ ପ୍ରୟୋଜନଟିକୁ ଅନୁଭବ କର ।

 

୬ । ୨ । ୨୦୦୪

 

ମୋ’ର ପରମ ସୌଭାଗ୍ୟ, ଏହି ପୃଥିବୀଟା ଦିନକୁଦିନ ରସାତଳକୁ ଚାଲି ଯାଉଛି ବୋଲି ମୁଁ କେବେ ଗର୍ଜନ କରି ଉଠିନାହିଁ । ମୁଁ ତରିଯାଇଛି । ଏକ ନିତ୍ୟ ବର୍ତ୍ତମାନ ଭିତରେ ଯେଉଁମାନେ ସମ୍ମତ ହୋଇ ନିଜ ନିମନ୍ତେ ଏକ ଭୂମି ଠାବ କରିନେଇ ପାରିଛନ୍ତି, ସେମାନେ ସତକୁସତ ତରି ଯାଇଥାନ୍ତି,–କ’ଣ ଏକ ନିତ୍ୟସ୍ପର୍ଶଟିଏ ପାଇ ପାରୁଥାଆନ୍ତି ବୋଲି ନିତ୍ୟସମ୍ମତ ହୋଇ ବିଚରଣ କରିବା ସକାଶେ ହିମ୍ମତ ପାଉଥାନ୍ତି । ଏବଂ, ଏହି ନିତ୍ୟସମ୍ମତମାନେହିଁ ନିମିତ୍ତ ହୁଅନ୍ତି ଏବଂ ସେମାନଙ୍କୁ କାମରେ ଲଗାଇ ବିଧାତା ନିରନ୍ତର ଏହି ଯାବତୀୟ ନାନାବିଧ କ୍ଷେତ୍ରରେ ଏଠି ଯାହାକିଛି କରାନ୍ତି, ତାହାହିଁ ଧର୍ମ ।

 

ସର୍ବୋତ୍ତମଗୁଡ଼ାକ କେବଳ ପୂର୍ବେହିଁ ରହିଥିଲା ଏବଂ ଏକାଳକୁ ସବୁ ନିଷ୍ଠା ହୋଇଗଲା ବୋଲି ଯେଉଁମାନେ ହଲ୍ଲା କରନ୍ତି, ସେମାନେ ଭାରି କାତର ହୋଇ ରହିଥାନ୍ତି । କାତର ମଣିଷମାନେ ସବାଆଗ ଭୋଗ କରିବାକୁହିଁ ଆମ ପୃଥିବୀରେ ସତେଅବା ସର୍ବୋଚ୍ଚ ଚତୁରତା ବୋଲି ବିଶ୍ଵାସ କରନ୍ତି । ଉପରେ ତଥା ସମ୍ମୁଖରେ ଯେଉଁ ଆକାଶଟି ରହିଥାଏ, ସେମାନେ ସେଥିରେ ଆଦୌ କୌଣସି ତାରାର ସନ୍ଧାନ ପାଇ ନଥାନ୍ତି । ଯଥାର୍ଥ ରୀତିଟି କହୁଛି ଯେ, ଆଗ ଆପଣା ଭିତରେ କେଉଁ ଆକାଶର ବିସ୍ତାର ମଧ୍ୟରେ ତାରାଟିଏ ଥାପି ପାରିଲେ ଯାଇ ବାହାରେ ମଧ୍ୟ ଗୋଟିଏ ତାରା ଦୃଶ୍ୟମାନ ହୋଇଆସେ, ଯାହାକୁ କି ଆଖି ସମ୍ମୁଖରେ ଧରି ରଖିହୁଏ । ଏହାରିଦ୍ଵାରାହିଁ ତରି ଯାଇହୁଏ । ସେହି ସ୍ଥିତିରେ ବିଗତ ଅତୀତଟା ମଧ୍ୟ କେତେ ବଳ ଦିଏ । ସତେଅବା ବିଦେଶ କରି ବାହାରିଥିବା କୌଣସି ପୁଅର କାନିରେ ଅତୀତ ନାମକ ସେହି ମାଆ ବହୁକାଳରୁ ସଞ୍ଚି ରଖିଥିବା ମଶାଏ ସୁନାକୁ ଆଣି ବାନ୍ଧି ଦେଇଥାଏ । ସେହି ସୁନା ସତକୁସତ ଖୁବ୍ କାମରେ ଲାଗେ । ଆପଣା ଗୋଡ଼ତଳର ମାଟିଟା ମଜବୁତ ରହିଛି ବୋଲି ବହୁତ ଭରସା ମିଳେ । ବୃହତ୍ ଅତୀତର ସେହି ଭରସାହିଁ ଭବିଷ୍ୟତର ପଥଟିକୁ ମିତ୍ରମତ୍ ସ୍ଵୀକାର କରିନେବାକୁ ସମର୍ଥ ହୁଏ । ଭବିଷ୍ୟ ପାଖରେ ଯଥାର୍ଥରେ ଅଙ୍ଗୀକାରବଦ୍ଧ ହୋଇ ରହିଥିବା ବ୍ୟକ୍ତିଲାଗିହିଁ ଅତୀତ ଆପଣାର ସମ୍ପୂର୍ଣ୍ଣ ବ୍ୟଞ୍ଜନା ସହିତ ସାଙ୍ଗରେ ରହିଥାଏ । ଏକ ବୃହତ୍ ଓ ସଚଳ ସେତୁର ଅନୁଭବ ହୁଏ, ଯାହାକି ସେହି ଅନିତ୍ୟ ମଧ୍ୟରୁ ମୋ’ ବର୍ତ୍ତମାନ ବିନ୍ଦୁଟିଠାରୁ ଆହୁରି ଆଗକୁ ନିର୍ଭୟ ହୋଇ ପଡ଼ିଥାଏ ।

 

୧୭ । ୧ । ୨୦୦୪

 

ଭକ୍ତର ତପସ୍ୟା, ଅର୍ଥାତ୍ ଯଥାର୍ଥ ପ୍ରସ୍ତୁତିରେ ପ୍ରସନ୍ନ ହୋଇ ଯେତେବେଳେ ଭଗବାନ୍ ସତକୁସତ ଭକ୍ତପାଖରେ ଆସି ଦେଖାଦେଲେ, ସେତେବେଳେ ସିଏ ତାକୁ ବନ୍ଧୁ ବୋଲି କାହିଁକି ସମ୍ବୋଧନ କରି ନପାରିଲେ ? କାହିଁକି ତାକୁ ହୃଦ୍‌ବୋଧଯୋଗ୍ୟ ଭାବରେ କହି ନପାରିଲେ ଯେ, ବାବୁରେ, ମୁଁ ପ୍ରକୃତରେ ତୋ’ ଭିତରେହିଁ ଥିଲି । ତୋ’ ଭିତରେ ଥିଲି ବୋଲି ସିନା ତୋ’ ଡାକକୁ ଶୁଣିପାରିଲି ଏବଂ ବୁଝିପାରିଲି ।

 

ଆପଣା ଭିତରେହିଁ ଯଥାସମ୍ଭବ ଅଧିକ ମୂର୍ତ୍ତି ଅର୍ଥାତ୍ ପ୍ରତ୍ୟକ୍ଷ ଭାବରେ ତାଙ୍କର ପରିଚୟ ପାଇବା,–ତୁମେ ଯେତେ ଯାହା ଆଳଙ୍କାରିକତା ଦେଇ ଘୋଡ଼ାଇ ରଖିବାକୁ ଇଚ୍ଛା କରୁଥିଲେ ମଧ୍ୟ ଯାବତୀୟ ସାକ୍ଷାତ୍‌କାର ଏହି ସର୍ବସଂକ୍ଷିପ୍ତ କଥାଟିକୁ କଦାପି ଏଡ଼ାଇ ଦେଇ ପାରିବନାହିଁ । ଭଗବତ୍–ସାକ୍ଷାତକାର ପରେ ଯେଉଁମାନେ ଆପଣାର ରାଜସିକତାର ମତଲବଗୁଡ଼ାକୁହିଁ ସବାଆଗରେ ରଖି ମଠ କରନ୍ତି ଅଥବା ଗୋଟିଏ ଅରଖନୂଆ ସମ୍ପ୍ରଦାୟ ଗଢ଼ି ବାହାରନ୍ତି, ସେମାନେ କ’ଣ ସବାଆଗ ନିଜଭିତରେ ଦେଖି ତା’ପରେ ଯାଇ ଦେଖିବାର ସେହି ଖୁସୀରେ ଏକ ପ୍ରସାରଣ ଦେଇ ତାଙ୍କୁ ଏହି ସକଳକିଛିରେ ମଧ୍ୟ ଦେଖି ପାରିବାର ସାମର୍ଥ୍ୟ ଲଭି ନଥାନ୍ତି କି ? ଯଦି ନିଜଭିତରେ ଦେଖି ନଥାନ୍ତି, ତେବେ ବାହାରେ ବା କିପରି ଠାବ କରି ପାରିଥାନ୍ତି-? ଏବଂ, ନିଜଭିତରେ ଦେଖି ପାରିଥିଲେ ତ ତୁମେ ତାହାର ଏକ ଅବଶ୍ୟମ୍ଭାବୀ ପରିମାଣସ୍ୱରୂପ ତୁମେ ଅନ୍ୟ ସମସ୍ତଙ୍କ ଭିତରେ ମଧ୍ୟ ଭଗବାନଙ୍କୁ ଦେଖିବାର ସେହି ଅନ୍ୟ ସରଣୀଟିରେହିଁ ଚାଲିବାକୁ ଆରମ୍ଭ କରିବ । ଏବଂ, ତା’ପରେ ସେମାନଙ୍କୁ ଅଧସ୍ତନ ଶିଷ୍ୟ ବୋଲି ଘୋଷଣା କରି ନାନା କସରତୀ ଘୋଷରା ଭିତରେ ନାକେଦମ୍ କରି ରଖିବାକୁ ସିଏ କିପରି ମନ କରି ପାରିବ-? ଏବଂ, କାହିଁକି ମନ କରିବ ? ରଷିମାନେ ପ୍ରକୃତରେ କିଛି ଦେଖିଥାନ୍ତି ବୋଲି ଯଦି ସେମାନଙ୍କୁ ଋଷି ବୋଲି କୁହାଯାଇଛି, ତେବେ ସେମାନେ ଶିଷ୍ୟ ସମେତ ତଥା ନିଜ ଲଗାଏତ ଏହି ଖିଳ ଆହ୍ଵାନଗୁଡ଼ିକର ଉତ୍ସବ ମଧ୍ୟରେ କେଉଁ ବିଡ଼ମ୍ବନାରେ ପଡ଼ି କାହିଁକି ସମ୍ପ୍ରଦାୟମାନଙ୍କର ଗଠନ କରି ଏତେ ଗୋଳ ଲଗାଇ ରଖିଛନ୍ତି ?

 

୨୧ । ୨ । ୨୦୦୪

 

The Joy of Faithfulness ଗଛଟିରେ ଗଛେ ଫୁଲକୁ ଦେଖି ତାହାକୁ ପରିଚିତ କରାଉଥିବା ପ୍ରତୀକାତ୍ମକ ନାମଟି ବାରମ୍ବାର ମନେ ପଡ଼ିଯାଉଛି । ବିଶ୍ଵାସର ଆନନ୍ଦ,–ବିଶ୍ୱାସଜନିତ ଆନନ୍ଦ । ବିଶ୍ଵାସହିଁ ତ ଆନନ୍ଦ । ଘରଟି ଉପରେ ବିଶ୍ଵାସ ନଥିଲେ ଏହି ଘରଟି ମୋତେ ଆନନ୍ଦବି ଦେଇପାରିବ କିପରି ? ଏହି ପୃଥିବୀରେ ନିଜକୁ ଘରେ ରହିଥିବା ପରି ଅନୁଭବ କରି ନପାରୁଥିଲେ, ପୃଥିବୀ ମଧ୍ୟ ମୋତେ ବା ଆଉ କାହାକୁ କିଭଳି କୌଣସି ଆନନ୍ଦ ଦେଇପାରିବ ? ପୃଥିବୀଟାକୁ ଧୋକା ଅର୍ଥାତ୍ ମାୟା ବୋଲି ଫିଡ଼ିକିଯାଇ ଯେଉଁମାନେ ପଳାଇ ଯିବାକୁ ପ୍ରସ୍ତୁତ ହୋଇ ଯାଆନ୍ତି ଏବଂ ସେହି ପୃଥିବୀ ମଧ୍ୟରେ ନିଜର ମନ ମାନିଲାଭଳି ଖାସ୍ ନିକାଞ୍ଚନଟିଏ ପ୍ରାୟ ଜବରଦଖଲ କରିନେଇ ସେଇଠାରେ ଭଗବାନଙ୍କୁ ଖୋଜନ୍ତି ଏବଂ ସେହିଠାରେହିଁ ତାଙ୍କୁ ପାଇଗଲେ ବୋଲି ନାନା ହଠକାରିତା ଦେଖାଉ ଥାଆନ୍ତି, ସେମାନଙ୍କର ତଥାକଥିତ ଆନନ୍ଦଧାତୁଟିର ଏକ ସର୍ବାଙ୍ଗୀନ ମୂଲ୍ୟାୟନ ମଧ୍ୟ ହୋଇପାରିବା ଉଚିତ ।

 

ଏବଂ, ଆହୁରି ଅଧିକ ଗୁରୁତ୍ଵପୂର୍ଣ୍ଣ ଅଡ଼ୁଆଟି ହେଉଛି, ଏଇଠି ଏହି ପୃଥିବୀରେହିଁ ଭଗବାନଙ୍କୁ ସ୍ପର୍ଶ କରି ନରହି ପାରିଥିବା ପର୍ଯ୍ୟନ୍ତ ତୁମକୁ ସତକୁସତ ଘର ବୋଲି ମଧ୍ୟ କିପରି କ’ଣ ଅନୁଭବ ହୋଇ ପାରିବ ? ତାଙ୍କରି ସାନ୍ନିଧ୍ୟ, ତାହାହିଁ ତ ଆନନ୍ଦ । ଏବଂ ଯେଉଁମାନଙ୍କୁ ତଥା ଯାହାସବୁକୁ ଭିତ୍ତିଭୂମି କରି ଜୀବନ ବଞ୍ଚି ପାରିଲେ ଯାଇ ସିନା ବିଶ୍ଵାସଟିଏ ସୁସ୍ଥ ଭାବରେ ଅଭିବୃଦ୍ଧି ଲାଭ କରିବ, ଅର୍ଥାତ୍ ପାଦ ତଳେ ଭୂଇଁଟିଏ ଯୋଗାଇଦେବେ ତଥା ଆଖି ଏବଂ ଅନ୍ଦାଜକୁ ମଧ୍ୟ ଆବଶ୍ୟକ ପ୍ରତ୍ୟୟଗୁଡ଼ିକୁ ଆଣି ଦେଇଯାଇ ପାରିବ,–ସର୍ବପ୍ରାଥମିକ ଭାବରେ ସେଇଗୁଡ଼ିକ ଉପରେହିଁ ବିଶ୍ଵାସ ବଢ଼ି ବଢ଼ି ଯିବାରେ ଲାଗିଥିବ । ସେକଥାଟି ନକରି ଆମର ଏହି ଧର୍ମମାନେ ଏହି ଯାବତୀୟ ପିତୁଳାଗୁଡ଼ାକଦ୍ଵାରା ଆମକୁ କ’ଣ ପାଇଁ ଭଣ୍ଡାଇ ରଖିଲେ କେଜାଣି ? ସେଇ ସବୁ ମଣିଷ ଭିତରେ ସୂତା ପରି ହୋଇ ସମସ୍ତଙ୍କୁ ଯୋଡ଼ି ରଖିଛି ବୋଲି ଘୋଷଣା କରି ଆମେ ଶାସ୍ତ୍ର ଲେଖିଲୁ ଏବଂ ଏଣେ ଏହି ପିତୁଳାଗୁଡ଼ାକରେହିଁ ମଙ୍ଗିଗଲୁ କାହିଁକି କେଜାଣି ? ନିଜଭିତରେ ପ୍ରାୟ ଏହିଭଳି ଦୁଇଟା ମଧ୍ୟରେ ନିତ୍ୟ ଲାଗି ରହିଥିବା ଦ୍ଵନ୍ଦ୍ୱଟିକୁ ତୁଟାଇ ପାରିଲେ ଆମେ ଅସଲ ବିଶ୍ଵାସଶିଳାଟିର ଭାଜନ ହୋଇ ପାରନ୍ତୁ,–ନାନା ଅନ୍ୟ ସଂଶୟ ଅର୍ଥାତ୍ ପ୍ରୟୋଜନରେ ପଡ଼ିବାର କିସମର ଖଣ୍ଡିତ ଆନନ୍ଦରେ କଦାପି ନିଶା ଖାଇ ହୁଡ଼ି ରହିବାକୁ ମନ କରନ୍ତୁନାହିଁ ।

 

୨ । ୩ । ୨୦୦୪

 

ପ୍ରତିମାପୂଜା, ପ୍ରତୀକପୂଜା,–ଏଗୁଡ଼ିକୁ ମଧ୍ୟ ଆମେ ସମ୍ଭବତଃ ଏକାଧିକ ବିବେଚନା ଅନୁସାରେ ଗୋଟିଏ ଗୋଟିଏ Sublimation ବୋଲି କହିପାରିବା । ଏବେ ପ୍ରତୀକ ତଥା ପ୍ରତିମାମାନେ ଯେ ଗୋଟିଏ ଗୋଟିଏ ମହାନୁଗତ୍ୟର ସର୍ବଆକର୍ଷଣକାରୀ ସାମଗ୍ରୀରେ ପରିଣତ ହୋଇ ରହିଲେଣି,–ଏସବୁ ମଧ୍ୟ କ’ଣ ଆମର ଏହି ଅତିଚତୁର Gadgeteering ଯୁଗର ଗୋଟିଏ ଗୋଟିଏ ଭେଳିକି ବୋଲି କୁହାଯାଇ ପାରିବ କି ? ପଳାୟନର ଗୋଟିଏ ଭେଳିକି ଏବଂ ଆପଣାକୁ ପ୍ରାୟ ପରିପୂର୍ଣ୍ଣ ଆଶ୍ଵସ୍ତ ଭାବରେ ଦାୟିତ୍ଵସମ୍ପନ୍ନ ବୋଲି ଧରିନେଇଥିବାର ଭେଳିକି ! ସାମ୍ୟ, ମୈତ୍ରୀ, ଧର୍ମଚାରଣା, ଈଶ୍ଵରାନୁସରଣ,–ଏସବୁ ନିୟମତଃ ଜଣେ ଜଣେ ମନୁଷ୍ୟ ହିସାବରେ ଆମର ପ୍ରାୟ ପ୍ରତିଦିନର ଉଦ୍ୟମ ଓ ଆଚରଣରେ ପରିଣତ ହୋଇ ରହିଥାନ୍ତା । ଏବେ ତ ଏସବୁ ଖାଲି ପତାକା, ଖାଲି ପ୍ରତୀକ,–ପୂରା ଅଳଙ୍କାର ଛନଛନ ହୋଇ ରହିଥିବା ଆମର ସାହିତ୍ୟ ତଥା ତଥାକଥିତ ସଂସ୍କୃତି ।

 

ମଣିଷ ଯଦି ଏତିକିଯାଏ ଯାଇପାରିବ ବୋଲି ଆଗରୁ ବରାଦ ହୋଇ ରହିଛି, ତେବେ ମଣିଷମାନଙ୍କର ଏହି ପୃଥିବୀରେ ପ୍ରାୟ ଅଛିଣ୍ଡା ଭାବରେ ଏତେ ଏତେ ସ୍ଵପ୍ନବି ଦେଖାଯାଇ ପାରିଲା ବା କିପରି ? ଧର୍ମଭିତରୁ ବାହାରି ଏକ ଅଧ୍ୟାତ୍ମର କଳ୍ପନା ବା କେଉଁଭଳି ସମ୍ଭବ ହେଲା ? ଏବଂ, ଯୁଗର ସ୍ଵାଭାବିକତା ଓ ଅସ୍ଵାଭାବିକତା ଅନୁସାରେ ସେଗୁଡ଼ିକର ସଂଜ୍ଞାରେ ମଧ୍ୟ ନିରନ୍ତନ ନାନା ବିବର୍ତ୍ତନ ମଧ୍ୟ ଲାଗିରହି ପାରିଲା କିପରି ? ପ୍ରତୀକ ତଥା ପ୍ରତିମାଗୁଡ଼ିକୁ ଆବୋରି ରହିଥିବା ଖାସ୍ ମଣିଷମାନେହିଁ ପୃଥିବୀରେ ନାନାବିଧ ଜ୍ୱରର ବୃଦ୍ଧି ଘଟାଇବାରେ ନିମିତ୍ତ ହୋଇ ଆସିଛନ୍ତି । ମଣିଷ ମଣିଷ ଭିତରେ ଅସଲ ପରିଚୟଗୁଡ଼ିକୁ ବ୍ୟାହତ କରି ରଖିଛନ୍ତି ଏବଂ ଏବେ ତ ବହୁପ୍ରହରଣଯୁକ୍ତ ହୋଇ ପରସ୍ପରକୁ ଗିଳି ଦେବାକୁ ବାହାରିଛନ୍ତି । ସତ ଅନୁଭବଗୁଡ଼ିକହିଁ ଜୀବନରେ ସ୍ଵୀକୃତ ହୋଇ ଆସିବା ସଙ୍ଗେ ସଙ୍ଗେ ପ୍ରତୀକ ଏବଂ ପ୍ରତିମାମାନଙ୍କ ପ୍ରତି ରହିଥିବା ଆତୁରତାଗୁଡ଼ିକ କ୍ରମେ ଶାନ୍ତ ହୋଇ ଆସନ୍ତି । ସେତିକିବେଳେ ଯାଇ ନିଜ ଭିତରର ଅସଲ କାରିଗରଟିକୁ ଅନ୍ଦାଜ କରିହୁଏ ।

 

୫ । ୩ । ୨୦୦୪

 

ଦେହର ଶୁଶ୍ରୂଷାକ୍ଷେତ୍ରରେ ସବାଆଗ ନିଜର ଦେହ ସତକୁସତ ନିଜର ଦେହ ପରିହିଁ ଲାଗିବ, ଅର୍ଥାତ୍ ନିଜର ଏକ ଅମାନତ ସଦୃଶ ଏକାନ୍ତ ଆପଣାର ବୋଲି ଅନୁଭବ ହୋଉଥିବ । ଦ୍ଵିତୀୟତଃ, ଦେହର ଯାବତୀୟ ଔଷଧୋପଚାର ନିମିତ୍ତ ଜଣେ ଚିକିତ୍ସକ ରହିବେ ଏବଂ ତୃତୀୟତଃ, ସିଏ ବରାଦ କରୁଥିବା ଔଷଧାଦିକୁ ଆମେ ସେବନବି କରୁଥିବା । ଅର୍ଥାତ୍ ଦେହ ଉପରେ ବିଶ୍ଵାସ, ଚିକିତ୍ସକଙ୍କ ଉପରେ ବିଶ୍ଵାସ ଓ ସିଏ ବରାଦ କରୁଥିବା ଔଷଧ ଉପରେ ବିଶ୍ଵାସ । ଔଷଧର ଏକ ଉଚିତ ନିର୍ବାଚନ ନହୋଇଥିଲେ ଅଥବା ଡାକ୍ତର ଦେଇଥିବା ଔଷଧଟି ପ୍ରତ୍ୟାଶିତ ଫଳ ନଦେଇ ପାରୁଥିଲେ ଡାକ୍ତର ମନ କରିବାମାତ୍ରକେ ଔଷଧକୁ ଅବଶ୍ୟ ବଦଳାଇ ଦେଇ ପାରିବେ, ଡାକ୍ତର ଯଥାର୍ଥ ଉପଚାର କରୁନାହାନ୍ତି ବୋଲି ବିଚାର କଲେ ଅର୍ଥାତ୍ ଡାକ୍ତରଙ୍କ ବିଷୟରେ ମନ ନମାନିଲେ ଆମେ ଡାକ୍ତରଙ୍କୁ ମଧ୍ୟ ବଦଳାଇ ଦେଇ ପାରିବା,–କିନ୍ତୁ, ଦେହ ଉପରେ ବିଶ୍ଵାସ ନଥିଲେ ଆମେ ଦୋକାନରୁ ମିସ୍ତ୍ରି ଡାକି ପ୍ରକୃତରେ କିଛି କରି ପାରିବା କି ଯାହା ଫଳରେ ଦେହଉପରେ ଆମର ବିଶ୍ଵାସ ଆସିଯିବ ?

 

ଏବଂ, ଦେହ ଉପରେ ଉକ୍ତ ବିଶ୍ଵାସର ଅଭାବ ଥିଲେ ଦେହଗତ ଆରୋଗ୍ୟର ଯାବତୀୟ ପ୍ରକ୍ରିୟା ତଥା ଉଦ୍ୟମରେ ଆମେ ଆଦୌ ପୂର୍ଣ୍ଣ ନିର୍ଭରର ସହିତ ସହଯୋଗ କରି ପାରିବା କି ? ପାରମ୍ପରିକ ଜୀବନଶୈଳୀଗୁଡ଼ିକରେ ଦେହକୁ ଏପରି ଏକ necessary evil ପରି ଧରି ନିଆଯାଇଛି କାହିଁକି କେଜାଣି ଏବଂ ସାମ୍ପ୍ରତିକ ନୂଆ ଉନ୍ମୋଚନଗୁଡ଼ିକର ସକଳ ପ୍ରକାରେ ଉତ୍ତରାଧିକାରୀ ହୋଇ ପାରିଥିଲେ ମଧ୍ୟ ଦେହ ପ୍ରତି ପ୍ରାୟ ଏକ archetype ପରି ରହି ଆସିଥିବା ଆମର ଅସୂୟାଭାବଟିକୁ ଅତିକ୍ରମ କରି ହେଉନାହିଁ କାହିଁକି କେଜାଣି ? ଆମ ଭିତରର ଯେଉଁ ଅସଲ ଉଜ୍ଜ୍ଵଳତାର ଆଖିଟି, ଆମ ଦେହହିଁ ତାକୁ ଥାନଟିଏ ଯୋଗାଇ ଦେଇଛି ଅର୍ଥାତ୍ ଦେବତାଟି ଲାଗି ଦେବାଳୟଟିଏ ହୋଇ ରହିଛି ବୋଲି ଯେ ଆମେ ସେହି ଜୀବନଟିକୁ ଏତେ ଏତେ ଆସ୍ପୃହା ସହିତ ବଞ୍ଚି ପାରୁଛୁ, ଆମେ ସେହି କଥାଟିକୁ କ’ଣ ନିର୍ମଳ ଚିତ୍ତରେ ଗ୍ରହଣ କରିନେଇ ପାରନ୍ତୁ ନାହିଁ ? ତେବେ ତ ଅସୁସ୍ଥତା ମଧ୍ୟ ସେତିକିରେହିଁ ଅଧେ ଚାଲିଯାଇ ପାରନ୍ତା ! ଏବଂ ସେହି ଅନୁସାରେ ଡାକ୍ତର ଓ ତାଙ୍କ ଔଷଧମାନଙ୍କର ମଧ୍ୟ ଆଉ ଏତେ ଆବଶ୍ୟକତାବି ରହନ୍ତା ନାହିଁ ।

 

୧୧ । ୩ । ୨୦୦୪

 

ଘୃଣା ଗଲେ ଭଲ ପାଇବା ବଢ଼ିବ ନା ଭଲ ପାଇବା ବଢ଼ିଲେ ଘୃଣା ଚାଲିଯିବ ? ପୃଥିବୀରେ ଗୁରୁ ତଥା ଗୁରୁଜନମାନେ ଅଧିକ ଗୁରୁତ୍ଵ ଦେଇ ପୃଥିବୀରୁ ତଥା ନିଜର ବ୍ୟକ୍ତିଗତ ଜୀବନରୁ ଘୃଣାକୁ ଦୂର କରିବା ବିଷୟରେ ସ୍ତୂପାକାରରେ ଭାଷଣମାନ ଦେଇଛନ୍ତି । ପଛକୁ ଅନାଇ ମନେ ହେଉଛି, ସେମାନେ ପ୍ରାୟ ସଚରାଚର କେବଳ ଗୋଟାଏ ମାକାର ଭଲ ପାଇବାକୁହିଁ ଏକମାତ୍ର ଭଲ ପାଇବା ବୋଲି ଧରି ନେଇଛନ୍ତି ଏବଂ ତେଣୁ, ପ୍ରାୟ ଏକ righteous ଘୃଣା ସହିତ ତାହାରି କଥା କହିବେ ବୋଲି ଅନ୍ୟଗୁଡ଼ିକୁ ତୁଚ୍ଛା ନାନାବିଧ ଘୃଣାର ଗନ୍ତାଘର ବୋଲି ଅନୁଭବ କରିଛନ୍ତି । କେତେ ସ୍ଫୂର୍ତ୍ତିର ସହିତ ସେମାନେ ଷଡ଼ରିପୁର ଦମନ କରିବାକୁ ବହୁ ଉପଚାର ବାଢ଼ି ଦେଇଛନ୍ତି ସିନା, ମାତ୍ର ନିଜ ପ୍ରିୟ ସୂତାଗୁଡ଼ିକର ଅଡ଼ୁଆ ଭିତରେ ସତେଅବା ଖୁବ୍ କାମନାପୂରିତ ଭାବରେ ଛନ୍ଦି ହୋଇ ରହିଛନ୍ତି । କେବଳ ନିଜଟାକୁ ସର୍ବଶୁଦ୍ଧ ବୋଲି ଆବୋରି ଧରି ଏକ ଅନ୍ୟ ପ୍ରକାରର ସନ୍ତକକୁ ଆଦରି ରହିଥିବା ମଣିଷମାନଙ୍କୁ ସେମାନେ ମ୍ଳେଚ୍ଛତୁଲ୍ୟ ଦେଖିଛନ୍ତି-। ଧନ୍ୟ ସେ ଭଲ ପାଇବା, ଧିକ୍ ସେ ଭଲ ପାଇବାକୁ, ଯାହା କେବଳ ନିଜର ଅଭ୍ୟସ୍ତଗୁଡ଼ାକୁ ନାନା ଅତିରଞ୍ଜନର ମୁଗ୍ଧତା ଦେଇ ଦେଖିଛି !

 

ତେଣୁ, ମୁଁ ମୋ’ଟାକୁ ନିଜର ନିତ୍ୟବିଚରଣ କ୍ଷେତ୍ର ବୋଲି ଧରିଥିଲେ ମଧ୍ୟ ତାହା ଭିତରେ ସେହି ବିରଳ ଚେତନାଟି ମଧ୍ୟ ରହିଥିବ, ଯାହା ମୋତେ ସବୁଠାରେ ମଧ୍ୟ ଭଲ ପାଇବାଦ୍ଵାରାହିଁ ଯୁକ୍ତ କରି ରଖିବ । ମୋ’ ଘରେ, ମୋ’ ଦେଉଳରେ, ମୋ’ର ତଥାକଥିତ ନିଜ congregation ଗୁଡ଼ିକରେ ମୋତେ ଯେଉଁ ଆକର୍ଷଣକାରୀ ଭାଗବତ ଶ୍ରଦ୍ଧାଟି ପରିଚାଳନା କରିବାରେ ଲାଗିଥିବ, ମୁଁ ସେହି ଶ୍ରଦ୍ଧାର ବେଢ଼ାଟି ଭିତରେ ଫରକମାନଙ୍କୁ ମଧ୍ୟ ଦେଖିବି,–ଏହି ଭୁବନରେ ତାଙ୍କର ଆନନ୍ଦଟି ଏଡ଼େ ବହୁବିଧ ଭାବରେ ବ୍ୟକ୍ତ ହୋଇ ପାରୁଛି ବୋଲି ସର୍ବଦା କୃତଜ୍ଞ ରହିଥିବି । ଆଲୁଅ ଦେଇ ଦେଖି ପାରୁଥିଲେ ମୋତେ ଅନ୍ଧାର ସହିତ ଆଉ କ’ଣ ପାଇଁ ଲଢ଼ିବାକୁ ପଡ଼ିବ ?

 

୨୦ । ୩ । ୨୦୦୪

 

ବୁଦ୍ଧିର ଦୀପ୍ତିଦ୍ଵାରା ପରିଚାଳିତ ହୋଇ ପ୍ରସାର ପରେ ପ୍ରସାର ଅତିକ୍ରମ କରି ମୁଁ ଯେଉଁ ବିଶ୍ଵାସମାନଙ୍କ ପାଖରେ ଆସି ପହଞ୍ଚିଲି, ତଥାକଥିତ ହେତୁବାଦୀମାନେ ସେଗୁଡ଼ିକୁ କାହିଁକି irrational ବୋଲି କହିବେ ? ଭୀରୁ ହୋଇ, କିଂକର୍ତ୍ତବ୍ୟବିମୂଢ଼ ହୋଇ ଏହି ବିଶ୍ଵାସଗୁଡ଼ିକ ଭିତରେ ମୁଁ ମୋଟେ ଆସି ପଶି ଯାଇନାହିଁ । ହେତୁର ସଂସାରଟିକୁ ବେଢ଼ା ବୁଲିଥିବା ଗୋଟାଏ ନିବୁଜ ସଂସାର ବୋଲି କହିବା ହେଉଛି ଭୀରୁତା,–ଏବଂ ଏହି ଗୋଟାଏ ବେଢ଼ାକୁହିଁ ପୃଥିବୀଯାକର ସମସ୍ତଙ୍କ ପାଇଁ ଏକମାତ୍ର ବେଢ଼ା ବୋଲି ଘୋଷଣା କରିବା, ଏବ ମୂଳଭୂତ ନ୍ୟାୟ ଅନୁସାରେ ତାହାକୁ କାହିଁକି ଏକ irrationalism ବୋଲି କୁହାନଯିବ ?

 

ବେଢ଼ା ଅନେକ, ବେମା ଅନେକାନ୍ତ,–ଆରମ୍ଭରୁହିଁ ଏହାକୁ ଆମ ସମସ୍ତଙ୍କର ଯାବତୀୟ ପାରସ୍ପରିକ ବିଚାରଣାର ଭୂମି ବୋଲି ସ୍ଵୀକାର କରିନେବା,–ସମ୍ଭବତଃ ତାହାହିଁ ଆମର ଯେକୌଣସି କଳନା ଅନୁସାରେ ଅନୁଭବ କରାଯାଇପାରୁଥିବା ସତକୁସତ ସେହି ସୁସ୍ଥତମ ଭୂମିଟି, ଯାହାକି ଆମକୁ ପରସ୍ପରର ପାଖକୁ ଟାଣି ଆଣୁଥିବ । ଏହି ପ୍ରକ୍ରିୟାଟିରେ ହୃଦୟ ରହିଛି ଏବଂ ବୁଦ୍ଧି ମଧ୍ୟ ରହିଛି । ହୃଦୟ ନାହିଁ ବୋଲି ଯେପରି କୌଣସି ନିରାଟ ବୁଦ୍ଧିବାଦ ଦାବି କରି ପାରିବ ନାହିଁ, ବୁଦ୍ଧିବି ନାହିଁ ବୋଲି କୌଣସି ତଥାକଥିତ ହୃଦୟପକ୍ଷଟି ମଧ୍ୟ ଦାବି କରି ପାରିବନାହିଁ । ପ୍ରମାଦ ତ ସେତିକିବେଳେ ଆସି ପହଞ୍ଚିବ, ଯେତେବେଳେ କି ଆମ ବୁଦ୍ଧିଭିତରେ ରହିଥିବା କୌଣସି ଅସାମର୍ଥ୍ୟ ହୃଦୟଟାକୁ ଘ୍ରାଣ କରିବାକୁ ମୋଟେ ରାଜୀ ହେଉ ନଥିବ ଅଥବା ହୃଦୟ ଭିତରେ ନିଜକୁ ବଳବନ୍ତ ବୋଲି ଅନୁଭବ କରୁଥିବା କୌଣସି ଅତିପ୍ରବଣତା ବୁଦ୍ଧିଟାକୁ ଅନ୍ଦାଜ କରିବାମାତ୍ରକେ ଛାନିଆ ହୋଇ ପଡ଼ୁଥିବ । ତେଣୁ, ବୁଦ୍ଧିର ସୀମା ଡେଇଁଲେ ହୃଦୟ ନୁହେଁ ଅଥବା ହୃଦୟ ଆଡ଼କୁ ଆଖି ବୁଜି ରହିଲେ ତାହା ବୁଦ୍ଧି ନୁହେଁ । ସ୍ପର୍ଶକାତରତା ଅନାବଶ୍ୟକ ବୋଲି ବୁଝୁଥିବା ଅସଲ ବିବେକଟି ମିଳିଗଲାମାତ୍ରକେ ମଣିଷ ଯେଉଁଠାକୁ ପ୍ରବେଶାଧିକାର ପାଇଯିବ, ସେଇଟିକୁ ଆଧ୍ୟାତ୍ମ ବୋଲି କହିଲେ ଆପଣ ବା କାହିଁକି ଆପତ୍ତି କରିବେ ?

 

୨୫ । ୩ । ୨୦୦୪

 

ସମସ୍ତ ଜୀବନହିଁ ଲୋଭ ଏବଂ ସେଇଥିପାଇଁ ସମସ୍ତ ଜୀବନହିଁ ଯୋଗ । ଆମ ସାଧୁଜନମାନେ ଛଅଛଅଟା ପ୍ରଧାନ ରିପୁଙ୍କ ମଧ୍ୟରେ ଲୋଭକୁ ମଧ୍ୟ ଗୋଟିଏ ବୋଲି ଯେ କାହିଁକି ସୁମାରି କରିଛନ୍ତି, ମୁଁ ବେଳେବେଳେ ଭାରି ସନ୍ଦିଗ୍ଧ ମନରେ ସେହି ବିଷୟରେ ଚିନ୍ତା କରିଥାଏ ।

 

ମାୟା ଲାଗିଲେହିଁ ତ ଯୁକ୍ତ ହେବାକୁ ମନ ବଳିଥାଏ । ଏବଂ, ଯେଉଁମାନେ ମାୟାକୁ ଛିଣ୍ଡାଇଦେଇ ପାରିଲେ ଯାଇ ଯୁକ୍ତ ହେବା ସମ୍ଭବ ବୋଲି ପରାମର୍ଶ ଦେଇ ଯାଇଛନ୍ତି ଓ ଏବେ ମଧ୍ୟ ଦେବାରେ ଲାଗିଛନ୍ତି, ସେମାନେ ଅସଲ ଜାଗାରେ ଅସଲ ପ୍ରୀତିରେ ଯୁକ୍ତ ହୋଇ ପାରିଲେନାହିଁ ବୋଲି ସେହିଭଳି କହିଛନ୍ତି ଓ କହୁଛନ୍ତି କି ? ପଲ ପଲ ଯୋଗମାର୍ଗୀ ଗୁରୁ ତ ନିଜନିଜର ଚିତାପଇତା, ଶାଖା–ସମ୍ପ୍ରଦାୟ ଏବଂ ପବିତ୍ର ମହାନ୍ ଶାସ୍ତ୍ରଗୁଡ଼ାକ ସହିତହିଁ ଯୁକ୍ତ ହୋଇ ରହିଛନ୍ତି ବୋଲି ପୃଥିବୀର ଏହି ମନୁଷ୍ୟସଂସାରଟି ସାବାଳକତ୍ଵ ଲାଭ କରିବାର ସକଳ infrastructure ମହଜୁଦ୍‍ ହୋଇ ରହିଥିବା ସତ୍ତ୍ୱେ ତଥାପି ସାବାଳକ ପରି ଆଚରଣ କରି ପାରୁନାହିଁ,–ତଥାପି ଏକ ସ୍ଵୀକୃତିଧର୍ମୀ ବୁଝାମଣାରେ ତାହାର ଚଉପାଶଟିକୁ ଆଦୌ ଲୋଡ଼ି ପାରୁନାହିଁ । ଘୃଣା ନକରିବା ପର୍ଯ୍ୟନ୍ତ ଭଲ ପାଇବାର ଆଦୌ କୌଣସି କ୍ରିୟାଶୀଳ ପରିଚୟ ପାଇ ପାରୁନାହିଁ । ସିଏ ପୁଣି କିପରି ଭଗବାନ ବା ଭଗବତ୍‌ପ୍ରେରଣା, ଯାହାକି ଆଗ ନିଜ ଚାରିପାଖରେ କାନ୍ଥଟାଏ ଉଠାଇ ଦେଇ କେବଳ ତାହାରି ଭିତରେହିଁ ଯାହାକିଛିକୁ ଲୋଭ କରିପାରିବ ଏବଂ କାନ୍ଥବାହାରର ଆଉ ସବୁକିଛିକୁ ଲୋଭ ନପାଇବାକୁହିଁ ଖଳଉପଦେଶ ଦେଉଥିବ ? ତେଣୁ, ଲୋଭ ନୁହେଁ, କାନ୍ଥଗୁଡ଼ାକହିଁ ରିପୁ । କାନ୍ଥରୂପୀ ରିପୁଠାରୁ ରକ୍ଷା ପାଇବାର ସମ୍ଭବତଃ ସର୍ବୋତ୍ତମ ବାଟ ହେଉଛି ନିଜ ଲୋଭର ବୃତ୍ତଟିକୁ ସମ୍ପ୍ରସାରିତ, ସତତ ପ୍ରସାରିତ କରିବାର ସେହି ସହଜ ହୃଦ୍‌ବୃତ୍ତିଟିକୁ ଖୁସୀ ହୋଇ ଗ୍ରହଣ କରିନେବା । ନିଜ ଜୀବନରେ ସାନ ବଡ଼ ସକଳ ଅବସରକୁ ତଦନୁରୂପେ ଏକ ପ୍ରକାଶସାମର୍ଥ୍ୟ ଦେଇପାରିବା,–ଅର୍ଥାତ୍ ସମଗ୍ର ଜୀବନଟାକୁହିଁ ଏକ ଅଚ୍ଛେଦ୍ୟ ଲୋଭରେ ରୂପାନ୍ତରିତ କରିଦେଇ ପାରିବା ।

 

୧୦ । ୪ । ୨୦୦୪

 

ଯିଏ ନିଜେ କ୍ଷମା ଦେଇ ଜଣେନାହିଁ, ସିଏ କ୍ଷମା ପାଇବାର ଯୋଗ୍ୟବି ହୋଇ ପାରେନାହିଁ । ଏବଂ, ସିଏ ଭଗବାନଙ୍କର ‘କ୍ଷମାନୁକମ୍ପାଧର’ର ପରିଚୟଟିକୁ ତ ପାଇ ନଥାଏ ଏବଂ ତେଣୁ ଭଗବାନଙ୍କର ଆଉ ପ୍ରକୃତରେ କେଉଁ ପରିଚୟ ମଧ୍ୟ ପାଇଥାଏ ? ପୁନଶ୍ଚ, ଭଗବାନ ତାକୁ ବସ୍ତୁତଃ ସହସ୍ରାଧିକବାର କ୍ଷମା ଦେଇ ସାରିଥାନ୍ତି, ଅଥଚ ସିଏ ମୂଢ଼, (ମୂଢ଼, ତେଣୁ ଦୁଷ୍ଟ) ତାହାର ଅନୁଭବବି ପାଇ ପାରି ନଥାଏ । ଏବଂ, କେହି କହନ୍ତୁ ତ, ଯଦି, ‘କ୍ଷମାଶୀଳ’ର ପରିଚୟଟିର ମାଧ୍ୟମରେ ଜଣେ ମନୁଷ୍ୟ ଭଗବାନଙ୍କର ପରିଚୟ ପାଇ ନଥିବ, ତେବେ ସିଏ ଭଗବାନଙ୍କର ସ୍ପର୍ଶଟିଏ ମଧ୍ୟ ଆଉ କ’ଣ ଅନୁଭବ କରିଥାଏ ?

 

ପୃଥିବୀରେ ଏମିତି କେତେ ନିର୍ମମ ମନୁଷ୍ୟ ଅଛନ୍ତି, ଯେଉଁମାନେ ନିଜେ ଏକ ଦୁର୍ଯୋଗଦ୍ଵାରା ପୀଡ଼ିତ ହେବାମାତ୍ରକେ ବିଶେଷ ଭାବରେହିଁ ରୋଦନ କରିବାକୁ ଆରମ୍ଭ କରି ଦିଅନ୍ତି । ବିଶେଷ ଆୟୋଜନ ଏବଂ ଉପଚାରମାନ କରି ବେଶ୍ ଆଡ଼ମ୍ବର ସହକାରେ ଭଗବାନଙ୍କ ପାଖରେ ଦୁଃଖ ଜଣାନ୍ତି ଓ ସତେଅବା କୌଣସି ବିଶେଷ ଅନୁଗ୍ରହ ଲାଭ କରିବାକୁ ଇଚ୍ଛା କରୁଥାନ୍ତି-। ପୃଥିବୀର ଅଧିକାଂଶ ରାଜକୀୟ ପୂଜା ଏବଂ ଉପାସନା ସେହିମାନଙ୍କର ପ୍ରୀତ୍ୟର୍ଥେହିଁ ଭିଆଣ କରାଯାଇଛି କି ? ଏମାନେ ଭଗବାନଙ୍କୁ ପ୍ରାୟ ଗୋଟାସୁଦ୍ଧା ନିଜ ସଦୃଶ କଳ୍ପନା କରିଥାନ୍ତି-। ବସ୍ତୁତଃ, ପୃଥିବୀର ଅଧିକାଂଶ ଆଡ଼ମ୍ବରୀ ତ ତାଙ୍କୁ ସଚରାଚର ପ୍ରାୟ ସେହି ନିଜ ସଦୃଶହିଁ ଦେଖି ଆସିଛନ୍ତି ଏବଂ ସେଥିଲାଗି ଗାଦି ଇତ୍ୟାଦିର ବରାଦ କରି ଦେଇଛନ୍ତି । ଭଗବାନ୍ ସେହି ମନ୍ଦିରାଦି ରଙ୍ଗମଞ୍ଚର ନିତାନ୍ତ ଅତିଚର୍ଯ୍ୟାଗୁଡ଼ିକୁ ସୃଷ୍ଟିର ଆରମ୍ଭରୁହିଁ ସହ୍ୟ କରି ଆସିଛନ୍ତି, ସହି ଆସିଛନ୍ତି ଏବଂ କ୍ଷମା ଦେଇ ଆସିଛନ୍ତି । କ୍ଷମା ଦେବାକୁହିଁ ଯେଉଁମାନେ ଭଗବାନଙ୍କର ସର୍ବଶ୍ରେଷ୍ଠ ପରିଚର୍ଯ୍ୟା ବୋଲି ଜାଣନ୍ତି ଓ ଗ୍ରହଣବି କରିଥାନ୍ତି, ସେମାନେ ଭଗବାନଙ୍କର ଏହି ପୃଥିବୀଟି ବିଷୟରେ ହୁଏତ ସମସ୍ତଙ୍କଠାରୁ ଅଧିକ ଆଶା ରଖିଥାନ୍ତି । ଏବଂ, ସେହି ଆଶାଟି ରଖି ପାରୁ ନଥିଲେ ତୁମେ କ୍ଷମା ମଧ୍ୟ କିପରି ଦେଇ ପାରୁଥାଆନ୍ତ ?

 

୧୩ । ୪ । ୨୦୦୪

 

ଆଦର୍ଶହିଁ ଟାଣିଲା । ଅଥବା, ଯାହା ସବୁଠାରୁ ଅଧିକ ଖୁସୀ ଓ ଅଧିକ ସମ୍ମତିର ଅଧିକାରୀ କରାଇ ପାରିଲା, ମୁଁ ତାହାକୁହିଁ ଆଦର୍ଶ ବୋଲି ଅନୁଭବ କଲି ଏବଂ ଆଦର୍ଶ ବୋଲି କହିଲି । ଗୋଟିଏ ଆଦର୍ଶକୁ ଛାଡ଼ିଲି ଓ ତେଣୁ ଆଉଗୋଟିଏକୁ ଧରିଲି, ଏପରି କେବେ ସତକୁସତ ଅନୁଭବ କରିଥିବା ପରି କାହିଁ ମୋଟେ ମନେ ପଡ଼ୁନାହିଁ ତ ! ହଁ, ବ୍ୟାସାର୍ଦ୍ଧମାନେହିଁ ବୃହତ୍ତର ହେଲେ, ବ୍ୟାସାର୍ଦ୍ଧମାନେହିଁ ପ୍ରସାରିତ ହେଲେ । ମୁଁ ଯେତିକି ଦେଖି ପାରୁଥିଲି, ତା’ଠାରୁ ଅଧିକ ଦେଖିଲି । ନିଘାମାନେ ପ୍ରସାରିତ ହେଉଥିଲେ । ଶିଖରପରେ ଶିଖର ଦିଶି ଦିଶି ଯାଉଥିଲେ । ମୋ’ ଲାଗି ନିଜର ଘର, ନିଜର ଭୂମି ଏବଂ ନିଜ ଅବଲମ୍ବନର ସଂଜ୍ଞାଗୁଡ଼ିକ ଯେ କେଉଁ ସହଜ ଓ ସକାରାତ୍ମକ ଧାରଣାରେ ପ୍ରସାରିତ ହୋଇ ଯାଉଥିଲେ, ମୁଁ କିଛି ଲକ୍ଷ୍ୟ କରି ପାରୁ ନଥିଲି । ସେହି ପ୍ରକ୍ରିୟାଟିକୁ ଲକ୍ଷ୍ୟ କରିବାପାଇଁ ଏବେ ମଧ୍ୟ ମୋ’ ଭିତରେ କୌଣସି ସରାଗ ହେଉନାହିଁ ।

 

ମୁଖ୍ୟତଃ ସେହି କାରଣରୁହିଁ କୌଣସି ଥାନରେ ମୁଁ ଜଣେ ତଥାକଥିତ ଆଦର୍ଶବାଦୀ ହୋଇ ପାରିଲିନାହିଁ । ଭିତରେ କ୍ଷତହିଁ ନଥିଲା, ତେଣୁ କୌଣସି କ୍ଷତିପୂରଣ ନିମନ୍ତେ ଏଠିସେଠି ଯାଇ ପଶିଯିବାର କୌଣସି ପ୍ରୟୋଜନ ନଥିଲା । ଏକ ସଖ୍ୟ, ମହାସଖ୍ୟ, ଅତୁଟ ସଖ୍ୟର ନିରନ୍ତର ଅନୁଭବ, ତାହାକୁ ଏକ ଅଧ୍ୟାତ୍ମ ଅନୁଭବ ବୋଲି କହିଲେ ମୁଁ କଦାପି ଆପଣାକୁ ନାସ୍ତିକ ବୋଲି କହି ନିନ୍ଦା କରିବିନାହିଁ । ଆପଣାର କୌଣସି ଅରାଜିଦ୍ଵାରା ଅର୍ଥାତ୍ ନିଜକୁ ପ୍ରାୟ ଏକ ତାମସିକ ଆତ୍ମକେନ୍ଦ୍ରିତାଦ୍ଵାରା ଉଦ୍‌ବୁଦ୍ଧ କରାଇ ଜଣେ ଆର୍ତ୍ତ ପ୍ରାଣୀ ପରି ସନ୍ତପ୍ତ ହୋଇ ଉଠିବା,–ତାହାହିଁ ହେଉଛି ନାସ୍ତିକତା । ତାହାରିଦ୍ଵାରାହିଁ ଜଣେ ମଣିଷ ସତେଅବା ନିଜ ହାତରେ ଖିଅଗୁଡ଼ିକୁ କାଟି ପକାଏ । ତୁଚ୍ଛା ନିଜକୁ ଦେଖେ । କୌଣସି ଆଦର୍ଶ ପାଖରେ ସତକୁସତ ରାଜୀ ହୋଇ ନଥାଏ ବୋଲି ସିଧା ଆଦର୍ଶବାଦୀଟିଏ ହୋଇ ଆଖିଦୃଶିଆ ଭାବରେ କିଛି ଦେଖାଇ ଦେବାର ଉତ୍ସାହରେ ସିଏ ଜଣେ ଆଦର୍ଶବାଦୀ ହୋଇ ବାହାରେ କି ? ବିଚରା ଆଦର୍ଶମାନେ ତା’ କବଳରେ ପଡ଼ି ଭାରି ଦୁର୍ଗତି ଭୋଗ କରନ୍ତି ।

 

୩ । ୫ । ୨୦୦୪

 

ଅନୁଷ୍ଠାନମାନେ କେବଳ ବ୍ୟକ୍ତି ସହିତ ପରିଚିତ ହେବାର ପ୍ରକ୍ରିୟାଟିରେ କ୍ରିୟାଶୀଳ ହେବାର ମାଧ୍ୟମମାତ୍ର ନୁହନ୍ତି । ସେମାନେ ହେଉଛନ୍ତି ଯୋଗ୍ୟତର ହେବାରହିଁ ଗୋଟିଏ ଗୋଟିଏ ମାଧ୍ୟମ । ପୁନଶ୍ଚ, କେବଳ ଆପଣାର ପରିଚୟଟିକୁ ଦେଇ ପାରିବାର ଗୋଟିଏ ଗୋଟିଏ ମାଧ୍ୟମ ନୁହନ୍ତି, ଆତ୍ମପରିଚୟର ମଧ୍ୟ ମାଧ୍ୟମ । ଏହି ଉତ୍ତରୋତ୍ତର ଆତ୍ମପରିଚୟ,–ତାହାକୁହିଁ ଅଧିକରୁ ଅଧିକ ସମୃଦ୍ଧିମନ୍ତ ହେବା ବୋଲି ଯାବତୀୟ ଅର୍ଥରେ କୁହାଯାଇ ପାରିବ । ତେଣୁ, ବ୍ୟକ୍ତି ଆଗ ନା ସମୂହ ଆଗ, ଏହି ସଂଶୟଟିର ପୂର୍ଣ୍ଣ either-or ସମାଧାନଟିଏ ମଧ୍ୟ କିଏ କରିଦେଇ ପାରିବ ? ଜଣେ ବ୍ୟକ୍ତି ହିସାବରେ ଯିଏ ସତକୁସତ ନିଜର ଏକ ସୁସ୍ଥ ପରିଚୟ ପାଇଥାଏ, ସିଏ ଅନୁଷ୍ଠାନଟା ଗୌଣ ଓ ବ୍ୟକ୍ତିହିଁ ମୁଖ୍ୟ ବୋଲି କହିବାକୁ କଦାପି ତରତର ହେବନାହିଁ । ଏକ ଅନୁଷ୍ଠାନ ପାଖରେ ତା’ର କୃତଜ୍ଞତାବୋଧ ତାକୁ ନିଶ୍ଚୟ ଅଧିକ ଅନ୍ତଃପ୍ରବେଶ କରିବାର ପ୍ରେରଣା ଦେବ । ନିଜ ଭିତରକୁ ଅଧିକ ଘନିଷ୍ଠ ଭାବରେ ପ୍ରବେଶ ଏବଂ ନାନା ସମ୍ବନ୍ଧର ସୂତା ଦେଇ ତାକୁ ବାନ୍ଧି ରଖିଥିବା ଅନୁଷ୍ଠାନଗୁଡ଼ିକର ଭିତରକୁବି ଅଧିକ ଅନ୍ତରଙ୍ଗ ଭାବରେ ପ୍ରବେଶ । ସ୍ଵ-ସ୍ଵରୂପର ଅନୁସନ୍ଧାନ ଯଦି ଆମ ଜୀବନର ସବାବଡ଼ ଧର୍ମ ହୁଏ, ତେବେ ଅନୁଷ୍ଠାନଗୁଡ଼ିକ ସହିତ ଅଧିକରୁ ଅଧିକ ନିଶ୍ଚଳ ଭାବରେ ସମ୍ପୃକ୍ତ ରହିହିଁ ସେହି ଦିଗରେ ବିହିତ ଧର୍ମଗୁଡ଼ିକର ପାଳନ କରିହେବ ।

 

ଅନୁଷ୍ଠାନଗୁଡ଼ିକୁ ଏକ ଯଥାର୍ଥ ଆତ୍ମୀୟତା ଦେଇ ଗ୍ରହଣ କରି ପାରୁ ନଥାନ୍ତି ବୋଲି ପୃଥିବୀର ଅଧିକତର ସଂଖ୍ୟାର ମଣିଷ ଆନୁଷ୍ଠାନିକ ହୋଇପଡ଼ନ୍ତି କି ? ଆନୁଷ୍ଠାନିକ ହୋଇ ଆତ୍ମଘାତୀ ହୁଅନ୍ତି । ଏହାଦ୍ଵାରା ସେମାନେ ଅନୁଷ୍ଠାନଗୁଡ଼ିକର ମଧ୍ୟ ପ୍ରଭୂତ କ୍ଷତି କରନ୍ତି । ଅନ୍ୟ ବ୍ୟକ୍ତିମାନଙ୍କ ପାଖରେ ପ୍ରାୟ ମୁଖା ପିନ୍ଧି ଯା’ଆସ କରୁଥାନ୍ତି । ଉପଚାର ବଢ଼ିବାରେ ଲାଗିଥାଏ, କିନ୍ତୁ ଦୁଆରମାନଙ୍କରେ କୋଲପ ପଡ଼ିଥାଏ । ଦୌରାତ୍ମ୍ୟଗୁଡ଼ିକୁ ଅଧିକ ଦୌରାତ୍ମ୍ୟ ହେବାଲାଗି ହୁଏତ ଏହାଦ୍ଵାରା ଅଧିକ ପ୍ରଶ୍ରୟ ମିଳିଯାଏ । ସାରା ପୃଥିବୀ ନିମନ୍ତେ ବହୁ ଆତଙ୍କର କାରଣ ହୁଏ । ଆନୁଷ୍ଠାନିକ ମନୁଷ୍ୟମାନଙ୍କର ପ୍ରାୟ ନିୟମତଃ କୌଣସି ମଞ୍ଜ ନଥାଏ । ଏବଂ, ମଞ୍ଜ ନଥିଲେ ଆଖିଟାଏ ମଧ୍ୟ କୁଆଡ଼ୁ କିପରି ସମ୍ଭବ ହେବ ?

 

୯ । ୫ । ୨୦୦୪

 

ରବୀନ୍ଦ୍ରନାଥ, ଗାନ୍ଧୀ ଏବଂ ଶ୍ରୀ ଅରବିନ୍ଦଙ୍କର ଜୀବନ ଓ ବାର୍ତ୍ତାକୁ ଦର୍ପଣ କରି ମୁଁ ଭାରତବର୍ଷର ପରିଚୟ ପାଇବାଲାଗି ପ୍ରୟାସ କରିଛି ଏବଂ ତାହାରି ମାଧ୍ୟମରେହିଁ ଆପଣାର ପରିଚୟ ପାଇଛି । ଭୂମିଟି ସହିତ ପରିଚିତି ଘଟି ନପାରିଥିବା ପର୍ଯ୍ୟନ୍ତ ନିଜର ପରିଚୟଟିକୁ ଯଥାର୍ଥଭାବେ ଯେ ଅଙ୍ଗେ ନିଭାଇ ହୁଏନାହିଁ, ସେହି ବିଷୟରେ ମୋ’ର ବିଶ୍ଵାସଗୁଡ଼ିକ କ୍ରମେ ଦୃଢ଼ ହୋଇ ପାରିଛି । ଏହି ଭୂମି ମୋ’ର ଭୂମି,–ତେଣୁ ମୋ’ ଲାଗି ପବିତ୍ର ଭୂମି,–ମୋ’ର ସର୍ବପ୍ରଥମ ଭୂମି । ଏତିକି ଉପଲବ୍ଧି ମୋତେ ବହୁ ପ୍ରମାଦରୁ ରକ୍ଷା କରିଛି । ମୋତେ ଅନ୍ୟମନସ୍କ ହେବାରୁ ଚିରଦିନ ବଞ୍ଚାଇ ଆସିଛି ।

 

ଏବଂ, ଏହିଭଳି ପ୍ରେରଣାଟିଏ ନେଇ ମୁଁ ଶ୍ରୀଯୁକ୍ତ ଆନନ୍ଦ କୁମାରସ୍ଵାମୀଙ୍କ ପାଖରେ ଯାଇ ପହଞ୍ଚିଛି । ଶ୍ରୀ କୁମାରସ୍ଵାମୀଙ୍କ ବ୍ୟତୀତ ଭାରତବର୍ଷୀୟ ମୋ’ର ଏହି ଭୂମିଗତ ଆତ୍ମୀୟତାକୁ ମୂଳ କରି ମୋତେ ଏତେ ଏତେ କଥା ହୁଏତ ଆଉ କେହିହେଲେ କହି ପାରି ନଥାନ୍ତେ । ବୃହତ୍ତର ବିଶ୍ଵଟି ମଧ୍ୟରେ ବୃହତ୍ ଭାରତବର୍ଷକୁ ପୂର୍ଣ୍ଣ ଅଙ୍ଗୀକାରବଦ୍ଧତା ସହିତ ଚିହ୍ନିନେବା,–ଆଉ କେହିବି ମୋତେ ସେଥିଲାଗି ଜ୍ଞାନ ଏବଂ ପ୍ରଜ୍ଞା ଯୋଗାଇ ଦେଇ ପାରି ନଥାନ୍ତେ । ଭାବପ୍ରବଣତାର ପଙ୍କସାଲୁସାଲୁଟା ଭିତରେ ଜଡ଼ାଇ ରଖିବାକୁ ତ ଚାହିଁଲାମାତ୍ରକେ ବହୁତ ଆସ୍ଥାନପତି ମିଳିଯିବେ । କିନ୍ତୁ ଏକ ଯଥାର୍ଥ ଉତ୍ତରାଧିକାରବୋଧ ଆଣିଦେଇ ପାରିବା,–ସେକଥା ସବୁ ଗୁରୁ ମୋଟେ ପାରନ୍ତେନାହିଁ । ଆଉମାନେ ସତ୍ୟ ନାମରେ ଅଫିମ ଆଣି ବାଢ଼ି ଦିଅନ୍ତେ,–ମତେ ଚଗଲା କରନ୍ତେ, ଉଦ୍ଧତ ମଧ୍ୟ କରି ପକାନ୍ତେ । ବହୁତ ହୀନମ୍ମନ୍ୟତା ଏବଂ ଅପାକଳତାକୁ ନିଜ ଭିତରେ ଚାପି ରଖି ବାହାରେ ଉଚ୍ଚରୁ ଆହୁରି ଉଚ୍ଚ ଶବ୍ଦମଣ୍ଡନଦ୍ଵାରା ପୂରା ଅଯୋଗ୍ୟ କରି ରଖନ୍ତେ । ଶାସ୍ତ୍ରରୁ ଡିକର କିମିଆଁକୁ ଡେଇଁ ମଣିଷମାନଙ୍କୁ ନିୟତି ସ୍ପର୍ଶ କରି ରହିଥିବା ଏବଂ ପୃଥ୍ଵୀଚେତନାକୁହିଁ ସବାମୂଳ ବିଭୁଚେତନା ବୋଲି ବୁଝୁଥିବା ଏକ ଅନ୍ୟ ଭୂମି,–ତାହାହିଁ ମୋ’ର ଅନ୍ତରତମ ଭୂମି,–ମୋ’ ଲାଗି ଏହି ଘେରି ରହିଥିବା ସେହି ଭୂମି ହେଉଛି ମୋ’ପାଇଁ ଭାରତର ଭୂମି । ଆପଣ ଉତ୍କଳର ଭୂମି ବୋଲି ମଧ୍ୟ ଅଲବତ୍ କହିପାରିବେ ।

 

୧୨ । ୫ । ୨୦୦୪

 

ଆଗ୍ରାର ହିନ୍ଦୀ–ସଂସ୍ଥାନରେ ମୁଁ ଏକଦା ନେଇଥିବା ଗୋଟିଏ କ୍ଲାସ୍‌ର କଥା ଏବେ ମଧ୍ୟ ମନେ ଅଛି । ବିଷୟ ଥିଲା ‘ଅନୁଶାସନ’ । ଆମ ଶାସ୍ତ୍ରର ଗୋଟିଏ ବହୁବାର ସ୍ମରଣ କରାଯାଉଥିବା ଗୋଟିଏ ଉକ୍ତିକୁ ସେଦିନର ସନ୍ଦର୍ଭଟି ଉପରେ ଉଦ୍ଧାର କରି ମୁଁ ଟିକିଏ କଟୁ ଭାବରେ କିଞ୍ଚିତ୍ ମନ୍ତବ୍ୟ ବ୍ୟକ୍ତ କରି ଦେଇଥିଲି । ଜଣେ ବରିଷ୍ଠ ଅଧ୍ୟାପକ ତାହାର ପ୍ରତିବାଦ କଲେ । ଛିଡ଼ା ହୋଇପଡ଼ି ମୋତେ ଚୁନୌତି ଦେଲେ । ଶେଷକୁ ଆହତ ହେବାଭଳି ଅନୁଭବ କରି କକ୍ଷତ୍ୟାଗ କରିଥିଲେ । ଗୋଟିଏ ଅନୁଷ୍ଠାନରେହିଁ ଆମେ ଦୁହେଁ ଅଧ୍ୟାପନା କରୁଥିଲେ ମଧ୍ୟ, ତା’ପରେ କେବେ ସାମନାସାମନି ଭେଟ ହୋଇଗଲେ ସିଏ ଭାରି ଅପ୍ରସନ୍ନ ଅନୁଭବ କରୁଥିଲେ । ମୁଁ ଧର୍ମ କ’ଣ ଜାଣିଛି, କିନ୍ତୁ ମୋ’ର ତେଣିକୁ ପ୍ରବୃତ୍ତି ନାହିଁ, ଅଧର୍ମ କ’ଣ ଜାଣିଛି, ତଥାପି ସେଥିରୁ ନିବୃତ୍ତି ନାହିଁ,–ବହୁବ୍ୟବହୃତ ସେହି ଧାଡ଼ିଟିକୁ ମୁଁ ଅନାବଶ୍ୟକ ଭାବରେ ଅତିରଞ୍ଜିତ କରି ଲେଖାହୋଇଛି ବୋଲି ସେଦିନ କହିଥିଲି । ଏବଂ, ବେଶ୍ ଦଗା ପାଇଲି ।

 

ଏବେବି ଭାବୁଛି, ଅନ୍ତତଃ ମୋ’ ନିଜ ଜୀବନରେ ମୁଁ ଯୋଉଯାଏ ଆସି ପାରିଛି, ସେଠାରେ ଠିଆହୋଇ ଧାଡ଼ିଟିକୁ ଉଚ୍ଚାରଣ କରିବା ସମୟରେ ତଥାପି କୋଉଠି କ’ଣ ଅତିରଞ୍ଜନ କରି ପକାଇଲି ବୋଲି ଅନୁଭବ କରିବି । ଧର୍ମ ଯେ ପ୍ରକୃତରେ କ’ଣ, ତାହା ମୁଁ ପୂରା ଜାଣିନାହିଁ । ପୂରା କିଏବି ଜାଣିଛି ? କିନ୍ତୁ, ଧର୍ମକୁ ଯେପରି ବା ଯେତିକି ଜାଣିଛି, ସେଥିରେ ମୋ’ର ପ୍ରବୃତ୍ତି ନାହିଁ ବୋଲି କହିଲେ ମୁଁ ଆଦୌ ସତ କହିବି ନାହିଁ । ପ୍ରବୃତ୍ତି ଅବଶ୍ୟ ଅଛି,–ଏବଂ, ଖାସ୍ ସେଇଥିପାଇଁ ମୋ’ ଜୀବନରେ ଧର୍ମ ନିମନ୍ତେ ଏକ ଆକର୍ଷଣ ମଧ୍ୟ ରହିଛି । ତଥା, ଅନ୍ୟ ପକ୍ଷରେ ଅଧର୍ମ କ’ଣ, ମୁଁ ସେକଥା ମଧ୍ୟ ଅଳ୍ପବହୁତ ଜାଣିଛି । କିନ୍ତୁ, ଅଧର୍ମରୁ ବାହାରି ଆସିବାଲାଗି ମୋ’ ଭିତରେ କୌଣସି ପ୍ରବୃତ୍ତି ନାହିଁ ଏବଂ ତେଣୁ ମୁଁ ଅଧର୍ମରୁ ନିବୃତ୍ତ ହୋଇ ପାରୁନାହିଁ, ସେକଥାଟି ମଧ୍ୟ ସତ୍ୟ ନୁହେଁ । ଧର୍ମ ଲାଗି ପ୍ରବୃତ୍ତି ଅଛି, ତେଣୁ ଅଧର୍ମରୁ ନିବୃତ୍ତି ସକାଶେ ମଧ୍ୟ ସକଳ ଅଭିଳାଷ ଅବଶ୍ୟ ରହିଛି । ଏବେ ସେହି କାରଣୁ ମୁଁ ଉକ୍ତ ପାଦଟିକୁ ‘ଜାନାମି ଧର୍ମ˚ ଅସ୍ତି ମେ ପ୍ରବୃତ୍ତିଃ, ଜାନାମ୍ୟଧର୍ମ˚ ଅସ୍ତୁ ମେ ନିବୃତ୍ତିଃ’,–ବରଂ ଏହିପରି ଉଚ୍ଚାରଣ କଲେ ତାହା ଅଧିକ ସାଧୁତାର ନିଦର୍ଶନ ହୋଇ ପାରିବ । କାହାପାଖରେ ନିର୍ଭୟ ଭାବରେ ଠିଆ ହୋଇ ଆପଣାର ପ୍ରକୃତ ସ୍ଥିତିଟିକୁ ପ୍ରକାଶ କରି ଦେଉଥିବା ପରି ଏକ ଅନୁଭବ ମଧ୍ୟ ହୋଇପାରିବ ।

 

୨୭ । ୫ । ୨୦୦୪

 

ଚମ୍ପତିମୁଣ୍ଡା ଜୀବନ ବିଦ୍ୟାଳୟ ଯେତେବେଳେ ଆଉ ଉଧେଇ ପାରିବନାହିଁ ଅର୍ଥାତ୍ ଆପଣାର ସ୍ଵାଭାବିକ ବାଟଟିରେ ଆଗକୁ ଯାଇ ପାରିବନାହିଁ ବୋଲି ସଙ୍କେତଗୁଡ଼ିକ ଦିଶି ଆସିବାପରି ବୋଧ ହେଲା, ସେତେବେଳେ ମୁଁ ବିଦେଶର ବନ୍ଧୁମାନଙ୍କ ପାଖକୁ ଲେଖିଥିବା ଚିଠିରୁ କେତେଜଣ ମଧ୍ୟ ତାହାର ବେଶ୍ କିଞ୍ଚିତ୍ ଘ୍ରାଣ ପାଇ ଯାଇଥିଲେ । ପୂର୍ଣ୍ଣ ସହାନୁଭୂତି ସହିତ କେହି କେହି ମୋ’ପାଇଁ ବିକଳ୍ପ ଚିନ୍ତାମାନବି କରିବାରେ ଲାଗି ଯାଇଥିଲେ । ବେଶ୍ ଲୋଭନୀୟ ସମ୍ଭାବନାଗୁଡ଼ିକ ଏବଂ ସେଗୁଡ଼ିକର ଗୋଟିକୁ ଗ୍ରହଣ କରି ନେଇଥିଲେ ମୋତେ ଥଳଟିଏ ମିଳିଗଲା ବୋଲି ମୁଁ ହୁଏତ ଭାବି ସେତେବେଳେ ଭାରି ଆଶ୍ଵସ୍ତ ହୋଇଥାନ୍ତି ଏବଂ ତେଣେ ଡେଇଁବି ପଡ଼ିଥାନ୍ତି । ତଥାପି ମୋ’ ଭିତରେ ଥାଇ କିଏ ଗୋଟିଏ ଭାରି ଅମଙ୍ଗ ହେଉଥିଲା । ଏବଂ, ସେହି ଅମଙ୍ଗଟାର ବୋଲ ମାନି ମୁଁ ସିଧା ଗାଁକୁ ପଳାଇ ଗଲି । ଅପେକ୍ଷା କଲି । ମୋ’ର ଅସଲ ଡାକରାଟିଏ ଆସିବାଯାଏ ଅପେକ୍ଷା କରିଥିଲି । ଯଦି ମୁଁ ଆଉ କ’ଣ ଭାବି ଶୁଭେଚ୍ଛୁମାନଙ୍କର କଥାନୁସାରେ କ’ଣଟିଏ ଆଦରି ନେଇଥାନ୍ତି, ତେବେ ମୁଁ କେଉଁଠି ଥାଆନ୍ତି, କ’ଣସବୁ କରୁଥାନ୍ତି ଏବଂ, ନିଜର ଆନୁଗତ୍ୟ ତଥା ଅନୁରାଗର ପରିଧିଟାକୁ ପ୍ରକୃତରେ କୋଉଯାଏ ଗାର ପକାଇ ରଖିଥାନ୍ତି ? ନିଜ ବାଟରେ ସେଇଯାଏ ପଛକୁ ଅନାଇ ଦେଖିପାରୁଛି, ଯାହା ସର୍ବୋତ୍ତମ, ତାହାହିଁ ଘଟିଲା । କେଡ଼େ ଭଲ ମୁଁ କଲି, କୌଣସି କୋଳାହଳ ନକରି ମୁଁ ଗାଁକୁ ଚାଲି ଯାଇଥିଲି,–କେଡ଼େ ନିର୍ଭରଯୋଗ୍ୟ ଭାବରେ ଅପେକ୍ଷା କରି ରହିଲି !

 

ପୁନଶ୍ଚ, ଯଦି ଅନ୍ୟ ପକ୍ଷରେ, ଅନୁକୂଳ ମେଳଟିଏ ସମ୍ଭବ ହୋଇଥାଆନ୍ତା ଏବଂ ବିଗତ ଏତେ ବରଷର ଯାବତୀୟ ବାଧା ଓ ବିପର୍ଯ୍ୟୟ ସତ୍ତ୍ୱେ ଜୀବନ–ବିଦ୍ୟାଳୟ ସତକୁସତ ତିଷ୍ଠି ରହି ପାରିଥାନ୍ତା, ତେବେ କେତେ ଅଭାବନୀୟ କ’ଣସବୁ ନିମନ୍ତେ ଯେ ବାଟ ଫିଟାଇ ଦେଇଥାନ୍ତା, ମୁଁ ସେକଥା ଭାବି ମଧ୍ୟ ପାରୁନାହିଁ । ଓଡ଼ିଶାରେ ତାହା ପ୍ରଥମ ଆସ୍ଥାନଟିଏ ହୋଇ ଗଢ଼ି ଉଠିଥାନ୍ତା ଏବଂ ଆହୁରି ଏକାଧିକ ଆସ୍ଥାନ ନିମନ୍ତେ ଉଦ୍‌ବେଳନ–ସୃଷ୍ଟିକାରୀ ଅବସରଗୁଡ଼ିକୁ ଯୋଗାଇ ଦେଇଥାନ୍ତା ।

 

୬ । ୮ । ୨୦୦୪

 

ମୋ’ ଦେହର ସର୍ବୋତ୍ତମ ପରିଚୟ ହେଉଛି ଯେ ଏହା ମୋ’ର ଦେହ । ମୋ’ ମନ ଯେପରି ମୋ’ର ମନ, ଏପରିକି ମୋ’ର ଆତ୍ମାବି ଯେପରି ମୋ’ର ଆତ୍ମା, ସେହିପରି ମୋ’ ଦେହ ହେଉଛି ମୋ’ର ଦେହ । ମୋ’ ଦେହପାଇଁ ମୁଁ ଦାୟୀ । ଏହି ଦେହଟିକୁ ଚିହ୍ନିଲାବେଳେ, ତାହାର ଯାବତୀୟ ଶୁଶ୍ରୂଷା କରିବାକୁ ଗଲାବେଳେ ମୋ’ର ଆତ୍ମା ଏବଂ ମୋ’ ମନ ସହିତ ଦେହକୁ ମଧ୍ୟ ଏକାଠି ଗୋଟିଏ ସମଗ୍ରରୂପେ ଦେଖି ମୁଁ ଯାହାକିଛି କରିବି । ତାହାହେଲେ ସିନା ମୋ’ ଦେହ ମୋତେ ଧୋକା ଦେଲା ବୋଲି କହିବା ସକାଶେ ଆଉ କୌଣସି ଅବକାଶହିଁ ରହିବନାହିଁ ।

 

କେବଳ ହେତୁ ହେବାପରେ ନୁହେଁ, ହେତୁ ହେବା ଆଗରୁ ମଧ୍ୟ ନିଜ ଦେହକୁ କୌଣସି ପ୍ରକାରେ ଏକ ବାଧା ବୋଲି ମୁଁ କେବେହେଲେବି ଅନୁଭବ କରିନାହିଁ । ତେଣୁ, ନିଜ ଦେହ ପାଖରେ ଚୋର ପରି ହୋଇ ରହିବାର କୌଣସି ଅସହଜତାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିନାହିଁ-। ବିକୃତି–ଶାସ୍ତ୍ରର ବିଶାରଦମାନେ କେତେମନ୍ତେ ଗଛାଇ କଥାରେ କଥା ଖଞ୍ଜି କହିଛନ୍ତି ଯେ, ଆମ ଭିତରେ ଲୁଚି ରହିଥିବା ବିକାରଗୁଡ଼ିକୁ ଦେହହିଁ ଧରା ପକାଇ ଦେଇଥାଏ । ସେମାନେ ଆର କଥାଟିକୁ ମଧ୍ୟ ଖୁବ୍ କହି ପାରିଥାନ୍ତେ । ମଣିଷର ଆୟତ୍ତ ଅସଲ ଗୌରବଗୁଡ଼ିକୁ ମଧ୍ୟ ଦେହ ଦର୍ପଣ ପରି ହୋଇ ଖୁବ୍ ଚିହ୍ନାଇ ଦେଇପାରେ । ସମ୍ଭବତଃ ସେଇଥିପାଇଁ ଗୋଟାଏ ଗୋଟାଏ ଦେହରେ କ’ଣ ଦିଶି ଦିଶି ଯାଏଁ କେଜାଣି, କେଡ଼େ ସାବଲୀଳ ଭାବରେ ସେଇଟି ଆଡ଼କୁ ଅବଲୋକନ କରୁ କରୁ ସମ୍ପୃକ୍ତ ମଣିଷଟି ଆଡ଼କୁବି ଟାଣି ହୋଇ ଯାଉଥିବା ପରି ଲାଗୁଥାଏ-। ସତେଅବା ଆତ୍ମା ଭଳି ଏକ ଅନ୍ତଃସପଦର ମହକଟିଏହିଁ ଦେହ ଉପରେ ଚହଟି ଉଠୁଥାଏ-। ଅଧର ଉପରେ ଧାରେ ହସ, ଆଖିରେ ଏକ ନିର୍ଦ୍ଦିଷ୍ଟ ଚାହାଣିହିଁ ପାଖକୁ ଟାଣିନେବା ନିମନ୍ତେ ଯଥେଷ୍ଟ ହୁଏ-। ବନ୍ଧୁ କହିଲ, ତେଣୁ ଦେହର ସାଧନା ବୋଲି ପ୍ରକୃତରେ କିଛି ଅଲଗା ପାଠ ଅଛି କି ? ପୁଣି, ଯେଉଁମାନେ ଦେହକୁ ଦୁଷ୍ଟ ବୋଲି ଧରିନେଇ ତାହାକୁ ମଣ କରିବାରେ ରାତି ଦିନ ଲାଗି ରହିଥାନ୍ତି, ସେମାନେ ନିଶ୍ଚୟ ମହାପୁରୁଷ ହୋଇଥିବେ ଅଥବା କୌଣସି ଅଭିଶାପ ପାଇଥିବା ହେତୁ ହୁଏତ ନିତାନ୍ତ ଅତର୍କିତ ଭାବରେ ଆସି ଏଠାରେ ଖସି ପଡ଼ିଥିବେ ।

 

୧୫ । ୮ । ୨୦୦୪

 

ଏହି ଦେଶ ପ୍ରକୃତରେ କେଉଁଯାଏ ଲମ୍ବି ରହିଛି ? ଯେତେବେଳେ ଏଠାରେ ସ୍ଵାଧୀନତା ହାସଲ କରିବା ନିମନ୍ତେ ଆମେ ସଂଗ୍ରାମଟିଏ ଲଢ଼ୁଥିଲୁ, ସେତେବେଳେ ଦେଶ କହିଲେ ଆମ ଜାଣିଥିବା ଏହି ଚାରିସୀମା ଭିତରେ ରହିଥିବା ଭୂମିଟିକୁହିଁ ବୁଝୁଥିଲୁ । ସେହିଭଳି ବୁଝି କେତେ ଖୁସୀବି ହୋଇ ଯାଉଥିଲୁ । ଶତ୍ରୁଟାକୁ ଠାବ କରିଥିବା ପରି ସମସ୍ତେ ପୂରା ଏକମୁହାଁ ହୋଇ ତାହାରି ଉଦ୍ଦେଶ୍ୟରେ ଧାବମାନ ରହିଥିଲୁ । ସେଇଟିର, ସେତିକିର ମଧ୍ୟ ଅବଶ୍ୟ ଆବଶ୍ୟକତା ରହିଥିଲା । ଦେଶ ସ୍ଵାଧୀନ ହେଲା ଏବଂ ତାହାକୁ ନେଇ ଆମର ତତ୍ପରତା ଏବଂ ସଚେତନତାଗୁଡ଼ିକ ବଢ଼ିବା ସଙ୍ଗେ ସଙ୍ଗେ ଆମେ ସାରା ପୃଥିବୀଟାକୁ ମଧ୍ୟ ଠାବ କରି ପାରିଲୁ । ନିଜ ଭିତରେ ସମୁଦାୟ ପୃଥିବୀକୁ ଠାବ କଲୁ ଏବଂ ପୃଥିବୀ ଭିତରେ ଆମର ଏହି ଦେଶଟିର ମଧ୍ୟ ସବୁଠାରୁ ଅଧିକ ଔଚିତ୍ୟଯୁକ୍ତ ଅର୍ଥଟିଏ ରହିଛି ବୋଲି ହୃଦୟଙ୍ଗମ କଲୁ । ସେହି ଯାବତୀୟ ପ୍ରସାରଣ–ପ୍ରକ୍ରିୟାରେ ଭାରତବର୍ଷ ସେତୁ ସଦୃଶ ହୋଇ ରହିଥିଲା । ପୃଥିବୀକୁ ଲୋଡ଼ିଲେ ଭାରତବର୍ଷ ଯେକୌଣସି ପ୍ରକାରେ କ୍ଷତିଗ୍ରସ୍ତ ହେବ, ସେହି ଭ୍ରମଟିବି ଦୂର ହୋଇ ଯାଇଥିଲା । ଭାରି ଭଲ ହେଲା ।

 

ଏବେ ତ ଜଳଜଳ ହୋଇ ଦିଶିଯାଉଛି ଯେ, ଭାରତବର୍ଷରେ ଏପରି କୌଣସି ସମସ୍ୟା ନାହିଁ, ଯାହାକୁ କି ସାରା ପୃଥିବୀର ସମସ୍ୟା ବୋଲି କହି ନହେବ ଏବଂ, ପୃଥିବୀରେବି ଏପରି ସମସ୍ୟା ନାହିଁ, ଯାହାକୁ କି ଭାରତବର୍ଷର ସମସ୍ୟା ବୋଲି କୁହା ନଯିବ । ଏପରି କୋଉ ସମସ୍ୟାଟା କୋଉ ଦେଶରେ ରହିଛି, ଯାହାକୁ କି ଗୋଟାସୁଦ୍ଧା କେବଳ ସେହି ଦେଶର ବୋଲି କହି ହେବ ! ଯେକୌଣସି ଦେଶର ଯେକୌଣସି ରାଜନୀତିକ ସମସ୍ୟା, ସେଇଟି କ’ଣ କେବଳ ସେହି ଗୋଟିଏ ଦେଶର ସମସ୍ୟା ? ଅନ୍ନର ସମସ୍ୟା, ବିଜ୍ଞାନ ଆଣି ଦେଇଥିବା ନାନାବିଧ କୌଶଳ ଆମର ସମ୍ପନ୍ନତାଗୁଡ଼ିକୁ ବହୁସମ୍ଭାବନାଯୁକ୍ତ କରିଥିଲେ ମଧ୍ୟ ତଥାପି ସେହି ପୁରୁଣା ପେଟକଷଣଗୁଡ଼ିକର ସମସ୍ୟା, ଧର୍ମକୁ ଅଫିମରେ ପରିଣତ କରି ମାତାଲ ହେବାର ସମସ୍ୟା,–ସଂକ୍ଷେପରେ କହିଲେ ଦୂରତାର ସମସ୍ୟା, କ୍ଷୁଦ୍ରତାର ସମସ୍ୟା, ଭୟ ଏବଂ ଘୃଣାର ସମସ୍ୟା,–ବହୁ ଉଜ୍ଜ୍ଵଳତାର ବାଟମାନେ ଅନୁକ୍ଷଣ କେତେ କେତେ ଆହ୍ଵାନ ଦେଇ ଯାଉଥିଲେ ମଧ୍ୟ ତଥାପି ତୁଚ୍ଛା compulsionଗୁଡ଼ାକୁ ଆଳ କରି ମ୍ଳେଚ୍ଛ ହୋଇ ରହିବାର ସମସ୍ୟା । ତେଣୁ, ଗୋଟିଏ ଦେଶର ମନୁଷ୍ୟମାନେ ଯେତେବେଳେ କେଡ଼େ ଖୁସୀରେ ନିଜ ସ୍ଵାଧୀନତାର ଦିବସଟିକୁ ପାଳନ କରୁଛନ୍ତି, ସେତେବେଳେ ସେମାନେ ବୃହତ୍ତର ପୃଥିବୀର ସେହି ଅସଲ ଗୁଜରାଣଗୁଡ଼ିକ ବିଷୟରେ ମୋଟେ ବିସ୍ମୃତ ହୋଇ ରହି ନଯାନ୍ତୁ । ସେମାନେ ତେବେ ଯାଇ ନିଜର ସାନ ଗାଁଟିକୁ ମଧ୍ୟ ସତକୁସତ ସଂଗତିଯୁକ୍ତ ଭାବରେ ଦେଖିବି ପାରିବେ । ଏଇଟିକୁ ଅନେକେ ହୁଏତ ଗୋଟିଏ ରାଜନୀତିକ ସମସ୍ୟା ବୋଲି ଆଦୌ ସ୍ଵୀକାର କରିବେନାହିଁ,–ତଥାପି, ଏଇଟି ହେଉଛି ଆମ ସମସ୍ତଙ୍କର ଅସଲ ରାଜନୀତିକ ସମସ୍ୟା । ଅର୍ଥାତ୍ ଉଚିତ ପ୍ରକାରେ କୌଣସି ସମାଧାନର ମାର୍ଗରେ ଅଗ୍ରସର ହେବାମାତ୍ରକେହିଁ ଆମେ ନିଜର ଏହି ନିହାତି ସାନ ଗାଁଟିରେହିଁ ଗୋଟା ପୃଥିବୀକୁ ଅବଶ୍ୟ ଭେଟିବା ଏବଂ ଅଧିକ ପ୍ରତ୍ୟୟର ସହିତ ଗୋଡ଼ କାଢ଼ି ବାହାରି ପାରିବା । ଆମର ଏହି ନିତ୍ୟନୈମିତ୍ତିକ ସାମୂହିକ ଜୀବନରେ ଆମେ କେଡ଼େ ସହଜ ଏବଂ ସଳଖ ଭାବରେ ତମାମ ପୃଥିବୀକୁହିଁ ଭେଟି ପାରୁଥିବା ।

 

୨୯ । ୮ । ୨୦୦୪

 

ପାଖରେ ରହିଥିବା ସମୟରେ କେଜାଣି କେଉଁସବୁ ଅଗ୍ରାଧିକାରର କାରଣରୁ ଫରକଗୁଡ଼ିକହିଁ ଭାରି ବଡ଼ ବଡ଼ ହୋଇ ଦିଶି ଯାଉଥାଏ । ସିଏ ସତେଅବା କେତେ ଦୂରଛଡ଼ା ହୋଇ ରହିଥାଆନ୍ତି । ଏବଂ, ସଂସାରରୁ ଚାଲିଯିବା ପରେ ସିଏ ଖୁବ୍ ପାଖରେ ଆସି ଛିଡ଼ା ହୋଇ ଯାଉଥିବା ପରି ମନେ ହୁଅନ୍ତି । କେଡ଼େ ବଡ଼ମଣିଷ ସିଏ, କେତେ କେତେ କୃତି ଏବଂ କେତେ କେତେ କୀର୍ତ୍ତି । ତେଣୁ, ଅନୁଭବ କଲାଭଳି କୌଣସି ଈର୍ଷା ନହୋଇଥିଲେ ମଧ୍ୟ ତଥାପି ସିଏ କେତେ ଉପରେ ଯାଇ ରହିଛନ୍ତି ବୋଲି ଏକ ଅତିସଚେତନତା ବେଶ୍ ଅଧିକାର କରି ରହିଥାଏ । ଜିରାରୁ ଶିରାମାନଙ୍କୁ କାଢ଼ି ଦେଖିବା ନିମନ୍ତେବି କମ୍ ଉତ୍ସାହ ହୁଏନାହିଁ । ସେତେବେଳେ ଆପଣାକୁ ସତେଅବା ଆଗ ଦେଖି ତା’ପରେ ଯାଇ ତାଙ୍କୁ ଦେଖିବାର ସେହି ସ୍ଵତନ୍ତ୍ର ଅଭ୍ୟାସଟିହିଁ ଆଚରିତ ରୀତି ହୋଇ ରହିଥାଏ । ତାହାହିଁ ଜଗତର ରୀତି ଓ ଜଗତଯାକ ସମସ୍ତେ ଠିକ୍ ସେହିଭଳି କରୁଥିବେ ବୋଲି କେତେ ସହଜରେ ଆପଣା ପାଖରେ ବିଶ୍ଵାସ ଦିଆଇହୁଏ । ଏବଂ, ସିଏ ପୃଥିବୀରୁ ବିଦାୟ ନେଇ ଚାଲିଯିବା ପରେ ସବୁ ପ୍ରକାରର କୁଣ୍ଠାକୁ ଦୂର କରିଦେଇ ଗୋଟାଏ ସହଜ ନୈକଟ୍ୟବୋଧ ଆସି ବେଶ୍ ହାଲୁକା କରି ଦେଉଥାଏ । ବାହାରେ କଥାଗୁଡ଼ିକୁ,–ସିଏ ଆମ ପାଖରୁ ବିଦା ହୋଇ ଚାଲିଗଲେ ବୋଲି ବିଦାୟକ୍ଷୁବ୍ଧ ଅନ୍ୟମାନଙ୍କୁ ମୁହଁ ଖୋଲି କହିଲାବେଳେ ମଧ୍ୟ କେଡ଼େ ହାଲୁକା ଭାବରେ ସେଗୁଡ଼ିକ ମୁହଁରୁ ବାହାରି ମଧ୍ୟ ଆସୁଥାନ୍ତି । ସମସ୍ତେ ଏକ ପରିଚିତ ରୀତିକୁ ମାନି ସେହିପରିହିଁ କହିବେ, ଅଧିକ ଆଉ ମୋଟେ କିଛିହେଲେ କହିବେନାହିଁ, ସେହି ଧାରଣାଟିରୁ ଦମ୍ଭ ପାଇ ଆମେ ସେହିଭଳି ହାଲୁକା ଅନୁଭବ କରୁ କି ? ଏହିସବୁ ବେଭାରରେ ସତକୁସତ କୌଣସି କୃତ୍ରିମତା ନଥାଏ । ଅସାଧୁତା ମଧ୍ୟ ନଥାଏ । ଯାହା ସମସ୍ତେ କରୁଛନ୍ତି, ସେହିପରି କରୁଥିବା ସମୟରେ ସେହିଭଳି କୌଣସି କାରଣରୁ ଆସେ ସଚରାଚର ସ୍ତରର ମନୁଷ୍ୟମାନେ ଏତେ ହାଲୁକା ଅନୁଭବ କରୁ କି ?

 

ତଥାପି, ସର୍ବବିଧ ସାଧୁତା ତଥା ଅସାଧୁତାକୁ ଅତିକ୍ରମ କରି ହୁଏତ ଆଉ ଗୋଟିଏ ସାଧୁତାର ସ୍ତର ମଧ୍ୟ ରହିଛି । ସେଇଟିକୁ ସୁଯୋଗ ଦେଲେ ତାହା ଏହିସବୁ କ୍ଷେତ୍ରରେ ପ୍ରକୃତରେ କେଉଁ ପ୍ରକାରେ ଆଚରଣ କରନ୍ତା ? ଏବଂ, ଯାହାକିଛି କରନ୍ତା, ତଦ୍ଦ୍ଵାରା ହାଲୁକାବି ଅନୁଭବ କରନ୍ତା । ସେଭଳି ଜଣେ ବ୍ୟକ୍ତିର ଜୀବନ ସର୍ବଦା ଏହିପରି ଅନ୍ୟ ପ୍ରକାରର ହୋଇ କାହିଁକି ରହିଥାଏ କେଜାଣି ? ସଭାରେ କହୁଥିବାବେଳେ ତୁମେ ସତକୁସତ ସାଧୁତାର କେଉଁ ସ୍ତରରେ ରହିଛ, ସେହି କଥାଟି ମଧ୍ୟ ବହୁତ ସମୟରେ ଖୁବ୍ ଧରା ପଡ଼ିଯାଏ ।

 

୨୧ । ୧୧ । ୨୦୦୪

 

ସତ୍ୟ କହିଲେ ଉର୍ଦ୍ଧ୍ୱକୁ, ମାଆ କହିଲେ ତଳକୁ,–ଏହି ଭୂଇଁ ଉପରକୁ, ଏବଂ, ଆନନ୍ଦ ହେଉଛି ଯାହାକିଛିର ଉର୍ଦ୍ଧ୍ଵ ଏବଂ ଭୂମିକୁ ଏକତ୍ର ଗୋଟିଏ ଅନୁରାଗରେ ଯୋଡ଼ି ଦେବାରେ ଲାଗିଛି । ତେଣୁ, ସତକୁସତ ଯୁଗପତ୍ ଭାବରେ, ଏକ ଆସ୍ପୃହା,–ଆରୋହଣର ଆସ୍ପୃହା, ଏବଂ ତାହାରି ହିମ୍ମତରେ ଏଠାରେ ଏହି ଭୂଇଁ ଉପରେ ବ୍ୟାପ୍ତ ହୋଇଯିବାର ଏକ ଖୁସୀ । ଭୂମି ନିମନ୍ତେ ଯେଉଁ ଅନୁରାଗଟି, ତାକୁ ମଧ୍ୟ ସମାନ ନ୍ୟାୟରେ ଏକ ଆସ୍ପୃହା ବୋଲି କୁହାଯାଇ ପାରିବ ।

 

ଯେଉଁମାନେ କେବଳ ସତ୍ୟର ଅନୁଧାବନ କରନ୍ତି ଓ ତେଣୁ କେବଳ ଉର୍ଦ୍ଧ୍ୱରହିଁ ଆସ୍ପୃହା ରଖିଥାଆନ୍ତି, ସେମାନେ ଏହି ଭୂମି ଉପରଟାରୁ କୌଣସି କାରଣରୁ ପଳାଇ ଯିବାପାଇଁ ଇଚ୍ଛା କରୁଥାନ୍ତି ବୋଲି ସେପରି କହନ୍ତି କି ? ସାଧନାର ସୁସ୍ଥ ରୀତିରେ ତ ସେପରି କୌଣସି ସମ୍ଭାବନାହିଁ ନାହିଁ ଏବଂ ତେଣୁ ଏମାନେ ଆରୋହଣ ନାମରେ ଆପଣାର କ୍ଳାନ୍ତିଜନିତ ମୋହଟା ପାଖରେ ଅଟକି ଯାଇଛନ୍ତି ଏବଂ ସେଇଟିକୁ ସର୍ବୋଚ୍ଚ ଶିଖରକୁ ଆରୋହଣ କରିବା ବୋଲି କହିବାରେ ଲାଗିଛନ୍ତି କି ? ହୁଏତ ସେଇମାନେ ଏହି ପୃଥିବୀରେ ଏତେ ରଙ୍ଗରଙ୍ଗରେ ଏକାଧିକ ମାର୍ଗ ଏବଂ ସମ୍ପ୍ରଦାୟମାନଙ୍କର ରଚନା କରିଛନ୍ତି । କେହି ତ ମାର୍ଗଟିଏ ଚାଲୁନାହାନ୍ତି, ତେବେ ତାହାକୁ ମାର୍ଗ ବୋଲି ମଧ୍ୟ କ’ଣ ପାଇଁ କହୁଛନ୍ତି । ଅଟକି ଯିବା ଏକ ମନୋହରଣକାରୀ ଅନ୍ୟ କିଛି,–ତାହାହିଁ ସମ୍ପ୍ରଦାୟ । ଧର୍ମ କହ, ରାଜନୀତି କହ, ନୈତିକତା କହ, ମଥାମାନଙ୍କୁ ଲଗାଇ ଚାଲିଥିବା ଏହି ବେତା ବେତା ବିଚାର କହ,–ଏମାନେ ସମସ୍ତେ ପ୍ରାୟ ଏକ ପ୍ରୟୋଜନରେ ପଡ଼ି ଗୋଟାଏ କେଉଁଠି ଅଟକି ରହି ଯାଇଛନ୍ତି, ଆପଣାରହିଁ ପ୍ରୀତ୍ୟର୍ଥେ ଅଟକି ଯାଇଛନ୍ତି । ବ୍ୟାପ୍ତିକୁ ଡର ମାଡ଼ିଲା ବୋଲି ଏମାନେ ଅଧିକ ଉର୍ଦ୍ଧ୍ୱକୁ ଯିବାକୁ ଆଉ ମନ କରି ପାରିଲେ ନାହିଁ କି ! ଯିଏ ଯେଉଁଠାରେ ଅଟକି ଯିବାକୁ ମନ କଲେ, ସେମାନଙ୍କୁ ସେହିଠାରେହିଁ ଅନୁରୂପ ଗୁଣ ଓ ଆଚାରସମ୍ପନ୍ନ ଗୁରୁମାନେ ମଧ୍ୟ କ’ଣ ପାଇଁ ନମିଳି ଯିବେ ! ଗୁରୁମାନେ ତ ନିଜ ନିଜ ଜୀବନରେ ମଧ୍ୟ ହୁଏତ କେଉଁଠାରେ ଏକ ଥାନରେ ଅଟକି ଯାଇଥିବେ ଏବଂ ତାହାକୁହିଁ ପରମ ସ୍ଥାନ ବୋଲି କହିବାକୁ ନିରାପଦ ମନେ କରିଥିବେ । ଅସଲ ଉଚ୍ଚତାଟିରେ ଯାଇ ପହଞ୍ଚି ପାରିଲେ ଯେକୌଣସି ସୁସ୍ଥ ସାଧନା ତଳଟାକୁ, ବ୍ୟାପ୍ତିକୁ ଅବଶ୍ୟ ମନ କରିବହିଁ କରିବ । ଏହି ଦୁଃଖଦ କାରଣଟି ବଶତଃ ଏତେ ଏତେ ସମ୍ପ୍ରଦାୟ ଏତେ ଏତେ ପ୍ରକାରେ କ୍ରିୟାଶୀଳ ହୋଇ ରହିଥିଲେ ମଧ୍ୟ ତଥାପି ଆମର ଏହି ପ୍ରିୟ ପୃଥିବୀଟି ପ୍ରାୟ ସର୍ବବିଧ ଆନନ୍ଦରୁ ପ୍ରତାରିତ ହୋଇ ରହିଛି କି ? କ୍ଷମତାମାନେ ଅଧିକ ଉଗ୍ର ହେବାରେ ଲାଗିଛନ୍ତି,–ଦୂରତାମାନେ ସର୍ବାଧିକ ପ୍ରଶ୍ରୟ ପାଉଛନ୍ତି । ପ୍ରତ୍ୟେକ ସମ୍ପ୍ରଦାୟ ଓ ପ୍ରତ୍ୟେକ ଉଚ୍ଚାଶାବାଦ ଏଠି ସତେଅବା ଏକମାତ୍ର ଚକ୍ରବର୍ତ୍ତୀ ହୋଇ ରହିବାର ଦୁରାଗ୍ରହୀ ନାନା ଉଗ୍ରପଣକୁ ଦେଖାଇବାରେ ଲାଗି ରହିଛନ୍ତି,–ତେଣୁ କୌଣସି ଆନନ୍ଦ ଲାଗି ଜାଗାହିଁ ନାହିଁ । ପୃଥିବୀନାମକ ଏହି ପାଦଦେଶଟି ନଥିଲେ ଆଦୌ କୌଣସି ଆରୋହଣ ଅଥବା ଉର୍ଦ୍ଧ୍ଵ ମଧ୍ୟ ଆମ ଲାଗି ଆଉ କିପରି ବା ସମ୍ଭବ ହେବ ?

 

୧୪ । ୧୨ । ୨୦୦୪

 

ଏଠି ସବୁ ରହିବ,–ସମସ୍ତେ ରହିବେ, ଏହି ସଂସାରକୁ ଆପଣାର ଘର ବୋଲିବି କହିବେ । ଆପାତତଃ ଯେତିକି ନୁହନ୍ତି, ତା’ଠାରୁ ଯଥେଷ୍ଟ ଅଧିକକୁ ମନ କରିବେ ଏବଂ ସାହସ କରିବେ । ବହୁ ପ୍ରତିକୂଳତା ଏବଂ ପ୍ରତ୍ୟାଖ୍ୟାନ ସତ୍ତ୍ୱେ ତଥାପି ନିକଟବର୍ତ୍ତୀ ହେବାପାଇଁ ପ୍ରୟାସ କରୁଥିବେ । ସେହି ନିକଟବର୍ତ୍ତୀ ହେବା,–ତାହାହିଁ ତ ନିରନ୍ତରତାବୋଧର ଅସଲ ରହସ୍ୟ ଏବଂ ଅସଲ କାରଣ । ସେହି ବୋଧଟି ହେଉଛି ମୂଳତଃ ଏକ ଖୁସୀ, ଏକ affirmation,–ସେହି ଖୁସୀର ଅନୁଭବ, ସେହି ଖୁସୀରେହିଁ ନିଜ ଜୀବନର ଅର୍ଥାତ୍ ନିଜର ସମ୍ପର୍କଗୁଡ଼ିକୁ ବଞ୍ଚିବା ସକାଶେ ଭିତରୁହିଁ ଏକ ସମର୍ଥନ ଲାଭ କରୁଥିବା, ତାହାହିଁ ଜୀବନ ଏବଂ ଅନୁକମ୍ପାପ୍ରାପ୍ତ ମନୁଷ୍ୟର ପରିପୂର୍ଣ୍ଣ ପରିଚୟ ।

 

ସେହି ପରିଚୟଟିକୁ ସତକୁସତ କେତେ କେତେ ସମ୍ପର୍କଦ୍ଵାରା ସମୃଦ୍ଧ ହୋଇ ନରହିଛି ! ସେହି ସମ୍ପର୍କଗୁଡ଼ିକ ମଧ୍ୟରୁ ପ୍ରକୃତରେ କେଉଁଗୁଡ଼ିକ ସ୍ଥାୟୀ ଏବଂ କେଉଁଗୁଡ଼ିକ ଅସ୍ଥାୟୀ ? କେଉଁଗୁଡ଼ିକ ତଥାକଥିତ ସତ୍ୟ ଏବଂ ତେଣୁ ପୁଣି କେଉଁ ଅନ୍ୟଗୁଡ଼ିକ ତଥାକଥିତ ମାୟା ? ଖାଲି ଏଇଟାକୁ ଦେଖିବା ଏବଂ ତେଣୁ କାଳେ ସେଇଟା ଆସି ପଶିଯିବ ବୋଲି ସଦାସନ୍ତ୍ରସ୍ତ ହୋଇ ରହିଥିବା,–ସମ୍ଭବତଃ ତାହାହିଁ ହେଉଛି ଆମ ଦୁଃଖର କାରଣ, ଅର୍ଥାତ୍ ବହୁ ବହୁଦୂରତାର କାରଣ । ସେମାନେ ସମସ୍ତେହିଁ ମୋ’ର ସହପଥିକ,–ଏବଂ ମୁଁ ସନ୍ତକଗୁଡ଼ିକର ଭ୍ରମରେ ପଡ଼ି ସେମାନଙ୍କୁ କିପରି ମୋ’ଠାରୁ ଅଲଗା ବୋଲି କହିପାରିବି । ହଁ, କେବଳ ନିଜକୁ ଗୋଟାଏ ବହୁସନ୍ତାପଦାୟକ ଗାତରେ ନେଇ ପକାଇ ରଖିଥିବି ସିନା, ମାତ୍ର ମୁଁ ଆପଣାର କଦାପି କୌଣସି ନିବିଡ଼ ପରିଚୟ ପାଇ ପାରିବିନାହିଁ । ନିବିଡ଼ରୁ ନିବିଡ଼ତର,–ସକଳ ମାୟାକୁ ତାହାହିଁ କାଟିପାରିବ ଏବଂ ଅସଲ ମାୟାଟି ସହିତ, ଏହି ସବୁଟି ସହିତ ଯୁକ୍ତ କରି ରଖିଥିବ । ମାୟାଟିକୁ କାଟି ପଳାଇଗଲେ ଯେ ଏହି ଜଗତସତ୍ୟଟିର ପରିଚୟ ଆମଲାଗି ପାଖ ହୋଇ ଆସିବ, ସେକଥା ମୋଟେ ନୁହେଁ । ଏହି ମାଟିଟି ଉପରେ ଯାବତୀୟ ଆକାଶର ସାନ୍ନିଧ୍ୟ ବର୍ଜିତ ହୋଇ ରହିଥିବ । ଭୂମିଟି ଆକାଶଟିକୁ ଘ୍ରାଣ କରି ନପାରିଲେ ତୁଚ୍ଛା ଖଣ୍ଡିଆ ହୋଇ ରହିଥିବ ଓ ଆକାଶ ନିକଟବର୍ତ୍ତୀ ହୋଇ ଆସିବା ଲାଗି କୌଣସି ଭୂମି ନଥିଲେ ସିଏ ତା’ପରେ ଆଉ କାହାଉପରେ ଆପଣାକୁ ପ୍ରତିଫଳିତ କରି ପାରିବ ? ଏହି ପୃଥିବୀରେ ଏହିପରି ନଶ୍ଵରମାନେ ସବୁକିଛିକୁ ଖଣ୍ଡିଆ କରି ଦେଖିବାର ଦୁର୍ଗତି ଭିତରେ ଯାଇ ପଡ଼ିଥାଆନ୍ତି ବୋଲି ସତତ ଏପରି ଭୟସମାକୁଳ ହୋଇ ରହିଥାନ୍ତି କି ? ବର୍ତ୍ତମାନ ଆମର ଏହି ପୃଥିବୀ ଯେ ଏତେ ଏତେ ଭୟରେ ଜର୍ଜର ହୋଇ ରହିଛି ଏବଂ ଭୟଗୁଡ଼ିକୁ କାଟି ପାରିବାର ବହୁ ସମ୍ଭାବନା ଆମ ହାତପାଆନ୍ତାରେ ରହିଥିଲେ ମଧ୍ୟ ବାଟ ଭଳି ବାଟଟିଏ ଚାଲି ପାରୁନାହିଁ, ସେହି କଥାଟିକୁ ପୂର୍ଣ୍ଣ ସମ୍ପୃକ୍ତ ପ୍ରକାରେ ଅନୁଭବ କରିବା,–ସମ୍ଭବତଃ ତାହାହିଁ ବର୍ତ୍ତମାନର ଏହି ନାସ୍ତିକତାଗୁଡ଼ିକୁ କାଟି ବାହାରିଆସି ପାରିବ । ଆମେ ଚାଲ ସେହି ବିଷୟରେହିଁ ବିଚାର କରିବା । ଆମେ ପରସ୍ପରକୁ ଅସ୍ଵୀକାର କରିବାପାଇଁ ଆଦୌ ମନ ବଳାଇବା ନାହିଁ । ଏବଂ, ଆମର ସର୍ବପ୍ରଥମ ଆସ୍ପୃହାଗୁଡ଼ିକ ସେହିଠାରୁହିଁ ଆରମ୍ଭ ହେଲେ ଯାଇ ପରବର୍ତ୍ତୀ ଆସ୍ପୃହାଗତ ପଦକ୍ଷେପଗୁଡ଼ିକୁ ମଧ୍ୟ ଆମର ଅବଶ୍ୟ ସାହସ ହୋଇଯିବ ।

 

୨୦ । ୧୨ । ୨୦୦୪

 

Aspiration, ଅଭୀପ୍ସା, ଆସ୍ପୃହା ଇତ୍ୟାଦି କେଡ଼େ କୋଧା କୋଧା ଶବ୍ଦକୁ ଆମେ ଉତ୍ସାହୀମାନେ ଏବେ ପ୍ରାୟ ଯାଉଣୁ ଆସୁଣୁ ବ୍ୟବହାର କଲୁଣି ଏବଂ ବହୁତ ସମୟରେ ସେଇଥିରେହିଁ ସତେଅବା ସବୁଯାକ ସିଦ୍ଧି ମିଳିଗଲା ବୋଲି ଅନୁଭବ କଲୁଣି । ମାତ୍ର, ଆମ ଜୀବନର ସର୍ବପ୍ରଧାନ ଆଭିମୁଖ୍ୟଟି ପ୍ରକୃତରେ ଏକ ଗ୍ରହଣଶୀଳ ଆଭିମୁଖ୍ୟ ନହୋଇଥିବା ପର୍ଯ୍ୟନ୍ତ ଏହିସବୁ ଶବ୍ଦର ଆମ ଜୀବନରେ ଆଉ କି ତାତ୍ପର୍ଯ୍ୟ ବା ରହିବ ? ହୁଏତ କାଳକ୍ରମେ ପ୍ରାୟ ଏହିପରି ହୋଇବି ଗଲାଣି ଯେ, ଏହି ଯାବତୀୟ ଶବ୍ଦରାଶି ଆମର ବହିମାନଙ୍କରେ ସାଇତା ହୋଇ ରହିଛି । ଆମେ ସେହି ବହିଗୁଡ଼ିକୁ କେଡ଼େ ସନ୍ତର୍ପଣରେ ଶାସ୍ତ୍ର ବୋଲି କହୁଛୁ, ସେହି ଶାସ୍ତ୍ରଗୁଡ଼ିକୁ ପବିତ୍ରତାର ଏକ ବୋଧ ଦେଇ ଦେଖୁଛୁ, ସମ୍ମାନ ପ୍ରଦାନ କରୁଛୁ ଏବଂ ସେଗୁଡ଼ିକର ପୂଜା ମଧ୍ୟ କରୁଛୁ । ବସ୍ତୁତଃ ବହୁ ସଂସ୍କାର ହେତୁ ଆମର ସାମୂହିକ ତଥା ସାଂସ୍କୃତିକ ପରିମଳ ମଧ୍ୟରୁ ଗ୍ରହଣଶୀଳତା ନାମକ ସେହି ଅସଲ ସମ୍ପଦଟି ପ୍ରାୟ ବହିଷ୍କୃତ ହୋଇହିଁ ରହିଛି । ପରସ୍ପର ଭିତରେ ମଧ୍ୟ ଯେତିକି ଗ୍ରହଣଶୀଳତା ରହିଲେ ଆମେ ପରସ୍ପରକୁ ସହାନୁଭୂତି ସହିତ ବୁଝିବାକୁ ମନ କରନ୍ତେ, ସମ୍ଭବତଃ ଆଉ ସେତିକି ମଧ୍ୟ ସମ୍ଭବ ହୋଇ ପାରୁନାହିଁ । ଏବଂ, ସେହିପରି ଗୋଟିଏ ଅନୁକୂଳ ସ୍ଥିତିର ସୁଯୋଗ ନେଇ ଆମର ଏକଶିଙ୍ଗିଆ ଗୁରୁମାନେ ଆମକୁ ସମ୍ପ୍ରଦାୟ ନାମକ ସେହି ତୁଚ୍ଛା ଢିପମାନଙ୍କରେ ବିଭାଜିତ କରି ରଖିଛନ୍ତି ।

 

ମୁଁ ଯେ ସତକୁସତ ଗ୍ରହଣଶୀଳ ହେଉଛି, ତାହାର କେତେକ ପ୍ରମାଣ ମଧ୍ୟ ମୁଁ ନିଜର ଆଚରଣଗୁଡ଼ିକରୁ ଖୁବ୍ ପାଇ ପାରିବି । ଏହି ସଂସାର ହେଉଛି ଏକ ଅସ୍ଥାୟୀ ସର୍ଜନା, ଏଠାରେ କେହି ଆଦୌ କାହାରି ନୁହନ୍ତି,–ହଁ, ଏମାନେ ସମସ୍ତେ ଏକା ଆସିଛନ୍ତି ଏବଂ ଏକାହିଁ ଚାଲିଯିବେ,–ଏଠାରେ ସୁଖ ନାହିଁ, ଏଠୁ ଚାଲିଗଲେ ଯାଇ ସୁଖ,–ଆମେ ଆମର ତଥାକଥିତ ଧର୍ମୀୟ ଜୀବନରେ ଏଗୁଡ଼ିକୁ ଗଣ୍ଠି କରି ରଖିଥିବା ପର୍ଯ୍ୟନ୍ତ ଏହି ପୃଥିବୀରେ ଆମେ ସମ୍ଭବତଃ ଆଦୌ କୌଣସି ଆହ୍ଵାନ ଶୁଣି ପାରିବା ଲାଗି ଅସମର୍ଥ ହୋଇ ରହିଥିବା । ତେଣୁ, ଆମ ଅନ୍ତର୍ଜୀବନର ମୂଳଭୂତ ଆହ୍ଵାନଟି ଏକ affirmationର ହିଁ ଉନ୍ମୋଷଣା ହୋଇ ରହିଥିବା ଉଚିତ । ତେବେ ସିନା ମୋ’ ଜୀବନରେ ଆଦୌ କୌଣସି ଆସ୍ପୃହା ନିମନ୍ତେ ମୁଁ ଏକ ଅନୁକୂଳ ଔଚିତ୍ୟ ଅନୁଭବ କରିବାର ଭାଜନ ହୋଇ ପାରିବି ! ସଂସାରକୁ ତୁଚ୍ଛ ମଣୁଥିବା ପର୍ଯ୍ୟନ୍ତ ଆଉ ଆଦୌ ଅଧିକ କିଛି ଲୋଡ଼ିବାର ଅବକାଶ ବା କାହିଁକି ଆସିବ ? ଅର୍ଥାତ୍ affirmationରୁ ହିଁ ଯାବତୀୟ ଆଧ୍ୟାତ୍ମିକତାର ମୂଳଦୁଆ ପଡ଼ିବ । ଏବଂ, ପାହାଚ ପରେ ପାହାଚକୁ ମନ କରି ପାରୁଥିବା,–ସେଥିପାଇଁ ନିଜକୁ ରାଜୀ କରାଇ ନପାରୁଥିବା ପର୍ଯ୍ୟନ୍ତ ମୋ’ ଜୀବନରେ ଆଉ କୌଣସି ଆସ୍ପୃହାର ବା କ’ଣ ପାଇଁ କେଉଁ ଔଚିତ୍ୟ ରହିବ ?

 

୨୯ । ୧୨ । ୨୦୦୪

 

ଆଉ ଲେଖିବାକୁ ସେତେ ବେଶୀ ମନ ହେଉନାହିଁ । କୌଣସି ବିତୃଷ୍ଣା ହେତୁ ଯେ ସେପରି ହେଉଛି, ସେକଥା ମୋଟେ ନୁହେଁ । ନିଜ ପ୍ରତି ଆଦୌ କୌଣସି ବିତୃଷ୍ଣା ନୁହେଁ, ଏହି ଚଉଦିଗର ସଦାସ୍ଖଳନପୂର୍ଣ୍ଣ ପୃଥିବୀଟି ଲାଗି ବିତୃଷ୍ଣା ତ ତା’ଠାରୁ ଆହୁରି କମ୍ । ପୃଥିବୀଲାଗି ବାସନା ବଢ଼ି ବଢ଼ି ଯାଉଛି । ସେହି ବାସନା ଗଭୀରତର ହେଉଛି । ଆଗେ ଏହି ପୃଥିବୀ ମୋତେ ଘେରି କରି ରହିଥିବା ପରି ଲାଗୁଥିଲା ଓ ମୋତେ ମୁହୂର୍ତ୍ତକୁ ମୁହୂର୍ତ୍ତ ସଚେତନ କରି ରଖୁଥିଲା । ଏବେ ତ ସିଏ ମୋତେ ଛୁଇଁକରି ରହିଥିବା ପରି ଲାଗୁଛି । ଅଥବା, ମୁଁ ତାକୁ ଛୁଇଁ କରି ରହିଛି ବୋଲି ମଧ୍ୟ କହି ହେବ କି ? ହୁଏତ, କୋଉଟା ମଧ୍ୟ ପୂରା ଠିକ୍ ନୁହେଁ । ଏଇଟାକୁ ଛାଡ଼ି ସେଇଟା ମୋଟେ ନୁହେଁ । ହଁ, ମୁଇଁ କ୍ରମେ କତି କତି ହୋଇ ଆସିଛି ବୋଲି ଅନୁଭବ ମଧ୍ୟ ବଦଳି ଯାଇଛି ।

 

ଆହ୍ୱାନର ଅଭାବ ନାହିଁ, ତେଣୁ ଆସ୍ପୃହାର ଅଭାବ ନାହିଁ । ହଁ, ଆହ୍ଵାନ ଅନୁସାରେ ଆସ୍ପୃହା । ସେହି ଆହ୍ଵାନମାନଙ୍କୁ ମୁଁ ଯେତିକି ଅନ୍ତରଙ୍ଗ ଭାବରେ ନିଜସ୍ଵ କରି ଆଣି ପାରିବି, ସେହି ଅନୁସାରେ ଆସ୍ପୃହା । ଆସ୍ପୃହାର ଆଗେଆଗେ ରହି ଯିଏ ମୋତେ ବାଟ ଦେଖାଇ ନେଇ ଯାଉଛନ୍ତି, ସେଇ ହେଉଛନ୍ତି ମୋ’ର ଧ୍ୟାନଗୁରୁ । ମୋ’ର ପରମ ବନ୍ଧୁ, ମୋ’ର ଜନନୀ । ଲେଖିବା କହିଲେ ଯେ ମୂଳତଃ ଏବଂ ସମ୍ଭବତଃ ଏକ ଅଙ୍ଗୀକାରବଦ୍ଧତାକୁ ବୁଝାଏ, ଲେଖୁ ଲେଖୁ ମୋତେ ସେହି ଯଥାର୍ଥ ଉପଲବ୍ଧିଟି ମିଳିଗଲା ପରି କିଛି ଘଟିଛି ବୋଲି ମୁଁ ଆଗର ସେହି ଅର୍ଥରେ କିଛି ନଲେଖୁଥିଲେ ମଧ୍ୟ ତଥାପି ଲେଖି ଯାଉଥିଲା ପରି ସର୍ବଦା ଅନୁଭବ କରୁଛି କି ? ଯାବତୀୟ ଲେଖା ଆରମ୍ଭ ହୁଏ ଏକ ଆତ୍ମବିମୋଚନର ଶକ୍ତିଶାଳୀ ଇଚ୍ଛାରୁ । ଏବଂ, ସେହି ପ୍ରକ୍ରିୟାରେ ହୁଏତ ଦିନେ ସୋପାନଟିଏ ଉଠି ଯାଇଥିଲା ପରି ଓ ସାଙ୍ଗରେହିଁ ବାଟ ଚାଲୁଥିବା ପରି ମଧ୍ୟ ଲାଗିବାକୁ ଆରମ୍ଭ କରେ । ଅଥବା, ପାହାଚେ ତଳକୁ ଚାଲି ଆସିଥିବା ପରିବି ଅନୁଭବ ହୋଇଥାଏ । ହଁ, ସବୁଠାରେହିଁ ସାଙ୍ଗରେ ରହିଥିବା ପରି ଲାଗେ,–ଏହି ସମୁଦାୟ ପୃଥିବୀ, ସବୁ ମଣିଷ, ସମସ୍ତେ ଏକ ସ୍ଥୂଳ ସାନ୍ନିଧ୍ୟରେ ମୋ’ ସହିତ ଅହରହ ରହିଥିବା ଜୀବନଦେବତାଙ୍କ ପରି ଦିଶିବାକୁ ଆରମ୍ଭ କରନ୍ତି-। ଲେଖିବା ଓ ବଞ୍ଚିବା,–ଏହି ଦୁଇଟିଯାକ ସତେଅବା ଗୋଟିଏ ଆର ଗୋଟିକର ଏକ ପରିପୂରକ ବ୍ୟଞ୍ଜନାରେ ପରିଣତ ହୋଇ ଯାଇଥାଆନ୍ତି ।

 

୭ । ୧ । ୨୦୦୫

 

ସେ ବିଷୟରେ ଆମେ ସଚେତନ ଥାଉ କି ନଥାଉ, ଜୀବନ କହିଲେ ଯେଉଁ ସମଗ୍ର ଅଙ୍ଗୀକାରବଦ୍ଧତାଗୁଡ଼ିକୁ ସବାଆଗ ବୁଝାଏ, ଭାଷାକୁ ମାଧ୍ୟମ କରି ତାହାରି ଏକ ପ୍ରତିଫଳନ ହେଉଛି ସାହିତ୍ୟ । ତେଣୁ, ଆଙ୍ଗିକପକ୍ଷଟି ଯାହା ହୋଇଥାଉ ପଛକେ, ଆମେ ଯାହାକିଛିହିଁ ଲେଖୁ, ତାହା ସବାଆଗ ଆମ ନିଜକୁହିଁ ପ୍ରକାଶ କରେ, ସର୍ବସମକ୍ଷକୁ ଆଣେ । ଅର୍ଥାତ୍, ଆମ ଭିତରେ କେଉଁଠି କେଉଁ ଅନ୍ତରଙ୍ଗତାଟିଏ ରହିଥାଏ, ଯାହାକି ବାହାରେ ଏହି ସହପଥିକମାନଙ୍କର ସଂସାରଟିରେ ଆପଣାର ପରିଚୟ ଦେବ ବୋଲି ଇଚ୍ଛା କରୁଥାଏ, ସେମାନଙ୍କର ଦର୍ପଣ ଉପରେ ଆପଣାକୁ ନିକଟ କରି ଦେଖିବାର ଅଭିଳାଷ ରଖିଥାଏ । ନିଜଭିତରେ ନିଜକୁ ନେଇ ସିଏ ଯେଉଁସବୁ ଚିତ୍ରମଣ୍ଡନରେ ଆପଣାକୁ ଏକକ ସଂଜ୍ଞାଟିଏ ଦେଇ ଅନୁଭବ କରିଥାଏ, ବାହାରର ଉକ୍ତ ଅନୁଭବଟି ସହିତ ସେଇଟିକୁ ମିଳାଇ ଦେଖିବାକୁହିଁ ସତେଅବା ଏକ ଆବଶ୍ୟକତା ବୋଲି ହୃଦୟଙ୍ଗମ କରିଥାଏ । ଏହି ବୃହତ୍ତର ବାହାରଟିର ସ୍ଵୀକୃତିଟିଏ ନପାଇଥିବା ପର୍ଯ୍ୟନ୍ତ ସେ ନିଜକୁ ହୁଏତ କୌଣସି ସମ୍ପୂର୍ଣ୍ଣ ତୃପ୍ତି ବା ସ୍ଥିର ପ୍ରତ୍ୟୟ ଦେଇ ପାରେନାହିଁ । ତେଣୁ, ସାହିତ୍ୟ ବୋଲି ଯିଏ ଯାହାକିଛି ଲେଖୁଛି, ସେଥିରୁ ଆମେ ସବାଆଗ ସେହି ଲେଖକଟିକୁହିଁ ଚିହ୍ନିବାପାଇଁ ପ୍ରୟାସ କରିବା-। ଆମ ତଉଲଗୁଡ଼ିକ ଅନୁସାରେ ସିଏ ଭୁଲ କହିଲା ଅଥବା ଠିକ୍ କହିଲା, ନିଦା କହିଲା ବା ପୋଲା କହିଲା, ପଢ଼ୁଥିବା ସାହିତ୍ୟରୁ ଆମେ ସେଇଟାର ବିଚାର କରିବାର ଭେଳିକିଟା ଭିତରେ ମୋଟେ ପଡ଼ି ଯିବାନାହିଁ । ସିଏ ଅର୍ଥାତ୍ ସେହି ଲେଖକ ସତକୁସତ ଯାହା କହିବାକୁ ଇଚ୍ଛା କରିଥିଲା, ସାହିତ୍ୟର ମାଧ୍ୟମ ଦେଇ ସିଏ ସେଇଟିର ଉପସ୍ଥାପନା କରି ପାରିଲା କି ନାହିଁ,–ଆମେ ତାହାରି କିଛି ଅନ୍ଦାଜ କରିବାକୁ ଚେଷ୍ଟା କରିବା ।

 

ତେଣୁ, କସ୍ମୈ ଦେବାୟ ? –ତାହାହିଁ ପ୍ରତ୍ୟେକ ସାହିତ୍ୟିକର ଜୀବନରେ ସର୍ବପ୍ରଥମ ନିଷ୍ପତ୍ତି ହୋଇ ରହିଥିବା ଉଚିତ । ସେହି ନିଷ୍ପତ୍ତିଟି ଆଗ, ତା’ପରେ ଯାଇ ଆଉ ସବୁକିଛି । ସେଇଟି ବିଷୟରେ ଥିର ହୋଇ ପାରିଥିଲେ ଶବ୍ଦ, ଭାଷା ଅଥବା ଶୈଳୀ,–ସବୁକିଛି ଖୁବ୍ ସହଜରେହିଁ ନିର୍ଦ୍ଧାରିତ ହୋଇଯାଇ ପାରିବ । ଅର୍ଥାତ୍, ଶବ୍ଦର ବଜାରରେ ପଶି ଏକ ପାଠକସଭାର ଆପ୍ୟାୟନ ନିମନ୍ତେ ମୋଟେ କୌଣସି ସଉଦା କରିବାକୁ ପଡ଼ିବନାହିଁ ।

 

୩୦ । ୧ । ୨୦୦୫

 

ଜଣେ ବ୍ୟକ୍ତି ପ୍ରଥମେ ନିଜ ଭିତରର ତଥା ଜୀବନ–ଆଚରଣର ଠିକ୍‌ଗୁଡ଼ାକୁ ଯେପରି ଅଧିକ ସହାନୁଭୂତି ସହିତ ବୁଝିବ, ସେହି ପ୍ରଚେଷ୍ଟାରେ ତାକୁ ଆଗ ସାହାଯ୍ୟ କଲେ ଆମେ ତା’ର ଅଠିକ୍‌ଗୁଡ଼ିକୁ ମଧ୍ୟ ଅଧିକ ନିର୍ଭୁଲ ଭାବରେ ବୁଝି ପାରନ୍ତେ । ସମ୍ପୃକ୍ତ ସେହି ବ୍ୟକ୍ତିଜଣକ ମଧ୍ୟ ତାହା ଫଳରେ ସ୍ଵୟଂ ନିଜର ଅଠିକ୍‌ମାନଙ୍କୁ ଅଧିକ ସହାନୁଭୂତିଶୀଳ ଅର୍ଥାତ୍ ଅଧିକ ସମଗ୍ର ଭାବରେ ବୁଝନ୍ତା । ଏବଂ, ତଦ୍ଦ୍ଵାରା ଏହି ପୃଥିବୀଟା ମଧ୍ୟ କେତେ ଶାନ୍ତ ହୋଇଯାଇ ପାରନ୍ତା । ସମ୍ପର୍କମାନେ ଅଧିକ ନିଷ୍କପଟ ହୁଅନ୍ତେ, ଏବଂ ତଦନୁରୂପ ପରିବେଶଟିଏ ପୃଥିବୀରେ ସତକୁସତ ଆମ ସମସ୍ତଙ୍କ ଲାଗି ଦ୍ୟୋତକ ସଦୃଶ ହୋଇ ରହିବା ହେତୁ ପୃଥିବୀର ଅସଲ ଆସ୍ପୃହାମାନେ କେତେ ଅଧିକ ପରିମାଣରେ ଆମ ସମସ୍ତଙ୍କର ଅତି ନିକଟକୁ, ଏକାବେଳେକେ ତଳକୁବି ଲାଗି ଆସନ୍ତେ ।

 

ପୃଥିବୀ ଶାନ୍ତ ହୁଅନ୍ତା । ଆମର ନୈତିକତା ତଥା ସର୍ବବିଧ ଜୀବନୋଦ୍ୟମ ଭିତରେ ଆମେ ଆଉ ଆପଣାକୁ ଲୁଚାଇ ରଖିବାର କୌଣସି ଆବଶ୍ୟକତା ରହିଛି ବୋଲି ଅନୁଭବ କରନ୍ତୁନାହିଁ । ମୁଖାମାନେ ଆମର ପାଖହିଁ ମାଡ଼ନ୍ତେନାହିଁ । ଉଚ୍ଚମନ୍ୟତା ତଥା ହୀନମ୍ମନ୍ୟତା କୁଆଡ଼େ ପଳାନ୍ତେ । ପରସ୍ପର ଭିତରେ ଯେଉଁଟିର ପ୍ରତ୍ୟକ୍ଷ ଅନୁଭବ ମିଳିଗଲେ ଏହିଗୁଡ଼ିକହିଁ ଆମ ପାରସ୍ପରିକ ଜୀବନର ଯାବତୀୟ ବିନିମୟରେ ମୁଦ୍ରାରୂପେ ତେଣିକି ଚଳନ୍ତା, ସେଇଟି ହେଉଛି ଆମେ ଭିତରେ ରହିଥିବା ଦିବ୍ୟତାଟି, ଯାହାକି ଆମ ସମସ୍ତଙ୍କୁ ଏକାଠି ଗୁନ୍ଥି ଧରିଛି । ଏହି ସଂସାରର ଗରଜରେ ପଡ଼ି ଆମେ ମିଛଟାରେ ଏକ ଅପରର ଏପରିକି ଆପେ ଆପଣାର ପୋଲିସ୍ ବନି ଏବେ ସତେଅବା ଅସଲ ବାଟଗୁଡ଼ିକୁ ଓ ଅସଲ ବିମୋଚନଗୁଡ଼ିକୁ ଅଟକାଇହିଁ ରଖିଛୁ । ଭଗବାନଙ୍କୁ ଡରି ହରି ମରୁଛୁ । ପାଖକୁ ବହୁଦୂର ବୋଲି କହୁଛୁ, ଲେଖୁଛୁ ଏବଂ ପରସ୍ପର ସକାଶେ ମିଥ୍ୟା ରଚି ଜୀବନ ନାମରେ ଆଉ କ’ଣ ଗୋଟାଏକୁ ବଞ୍ଚିବାରେ ଲାଗିଛୁ । ତଥାପି ଅସଲ କାଳଟା ମାଆର ଧୈର୍ଯ୍ୟ ସହିତ ଅପେକ୍ଷା କରି ରହିଛି ।

 

୨ । ୨ । ୨୦୦୫

 

ସର୍ବବିଧ Sublimation ପଛରେ କେଉଁଠି ନା କେଉଁ ସନ୍ଧିରେ ଗୋଟାଏ ପ୍ରକାରର inhibition ମଧ୍ୟ ମୁଣ୍ଡ ଗୁଞ୍ଜି ରହିଥାଏ କି ? ଅସଲ ନିଦାନଧର୍ମ inhibition ଗୁଡ଼ିକର ଥାନରେ ମୁଣ୍ଡ ଗୁଞ୍ଜି ରହିଥାଏ ବୋଲି ସମ୍ଭବତଃ ବାହାରକୁ କେତେ ଉତ୍‌ଫୁଲ୍ଲ ଚିତ୍ତରେ ପୁଚ୍ଛଟାକୁ କେଡ଼େ ଉଞ୍ଚକୁ ଟେକି ନୃତ୍ୟ କରିବାରେ ଲାଗିଥାଏ । ଆମର ସାହିତ୍ୟ, କଳା, ସଙ୍ଗୀତ, ଧର୍ମାଚାର, ବହୁପ୍ରକାରର ସେବା–ଆୟୋଜନ,–ଏହି ସବୁକିଛି ଭାରି ଚାତୁର୍ଯ୍ୟପୂର୍ଣ୍ଣ ଭଳିଭଳି ପରିପାଟୀରେ ସତେଅବା ଗୋଟାଏ କଳାମୟ ଧୂମ ପଟଳ ସୃଷ୍ଟି କରି ଆମ ଜୀବନରେ କ’ଣ ଗୋଟାଏ ଅସଲ ଆହ୍ଵାନକୁ ଆମଠାରୁ ଅନ୍ତରାଳ କରି ରଖିଥାଏ । ଏହିପରି ଭାବରେ ଯାହା ଆମକୁ ଢାଙ୍କି ରଖିଥାଏ, ଆମେ ବହୁତ ପ୍ରୀତିବଶ ଭାବରେ କାଳକ୍ରମେ ତାହାକୁହିଁ କଳାତ୍ମକତାର ସକଳ ଦୈର୍ଘ୍ୟ ଓ ପ୍ରସ୍ଥ ବୋଲି ମାନିବାରେ ବେଶ୍ ଅଭ୍ୟସ୍ତ ହୋଇ ଆସିଛୁ କି ?

 

ଆମେ ଏହି ଉପବାସୀମାନେହିଁ, ଯାହାର ସାହିତ୍ୟ, କଳା, ସଂସ୍କୃତି ତଥା ସେହି କାଟର ଆହୁରି କେତେକଅଣ ଇତ୍ୟାଦି ଇତ୍ୟାଦି ଯେତେ ମହାନ୍, ସେହି ଜାତି ସେହି ମହାନ୍ ବୋଲି କି ଘୋର ରାବ ଦେଇ କହି ବୁଲୁନଥାଉ ! ଏହି ଠାକୁରମାନେ ସାମ୍ପ୍ରଦାୟିକ ଉତ୍ସାହମାନେ ଯୁଗେଯୁଗେ ଆମ ମନୁଷ୍ୟମାନଙ୍କୁ ନିଜ ଅନ୍ତର୍ଗଭୀରର ମୂଳଭୂତ becomingମାନଙ୍କୁ ଚାପି ରଖିବାରେ ଓ ଆମକୁ ଆମ ଜୀବନଦେବତାକୁ ଫାଙ୍କି ଦେଇ ଗେହ୍ଲାପୁଅ ହୋଇ ବୁଲିବାରେ ଭାରି ପ୍ରଶ୍ରୟ ଦେଇ ଆସିଛି । ନିଜକୁ ନେଇ ଯେ ସମଗ୍ର ସ୍ନେହଟିଏ ଦେଇ ଏକ ଅଧ୍ୟାତ୍ମାର ବୋଲକୁ ସବାଆଗ ମାନି ସତକୁସତ କିଛି ହେବାକୁ ହୁଏ, ସେହି ଅସଲ ଧର୍ମଟି ସେଥିପାଇଁ ଏହି ବିଶ୍ଵର ଇତିହାସରେ ବଡ଼ ଗୌଣ ହୋଇ ରହିଯାଇଛି । ନିଜ ଭିତରୁ କ’ଣଟିଏ ଫୁଟି ଉଠି ଏହି ସମଗ୍ର ଜୀବନବିଶ୍ଵର ଦାଣ୍ଡଟିକୁ ସତକୁସତ ମହକାଇ ଦେବ ଏବଂ ତା’ପରେ ଏଠାରେ ସବୁକିଛି ଭଲ ଲାଗିବ, ପୃଥିବୀ ନାମକ ଆମର ଏହି ପ୍ରତିବେଶଟି ସତକୁସତ ଆପଣାର ଘର ପରି ଅନୁଭବ ହେବ,–ସେଇଟି ବଡ଼ ନିର୍ମମ ଭାବରେ ପ୍ରତ୍ୟାଖ୍ୟାତ ହୋଇ ରହିଯାଇଛି । ତେଣୁ, ହୁଏତ ସବୁ ପୂରି ରହିଥିଲେ ମଧ୍ୟ ଏପରି ଏକ ଦରିଦ୍ରତାର ଅନୁଭବ ଆମକୁ ଆବୋରି ରହିଛି, ଯାହାକୁ ଖୁବ୍ ରାଜକୀୟ ଭାବରେ ଆମେ ନିଃସଙ୍ଗତା ବୋଲି କହୁଛୁ ଏବଂ ଆପଣାକୁ ବଡ଼ ନିଉଛୁଣା କରି ରଖିଛୁ ।

 

୨୮ । ୩ । ୨୦୦୫

 

ଯେତେବେଳେ ମଥାଟା ହୃଦୟଯାଏ ଅନ୍ଦାଜ କରି ପାରିଲାଣି, ସେତେବେଳେ ସିଏ ଆଉ କଦାପି ଚାହାଳିଚୋର ହୋଇ ବୁଲିବନାହିଁ । ତେଣୁ, ଏଣିକି ହୃଦୟ ମଧ୍ୟ ମଥାଟାକୁ ପୋଷ ମନାଇନେଉ । ଅସଲ ମଥାଟା ପ୍ରକୃତରେ ଆଉ କାହାରି ଦାସତ୍ଵକୁ ମୋଟେ ଆଦରି ନେବାକୁ ରାଜୀ ହେବବି ନାହିଁ । ଅସଲ ମଥା ସମ୍ଭବତଃ ନିଜ ଭିତରେ ହୃଦୟ ସହିତ ତା’ର ଲାଗିଥିବା ସୂତାଟିକୁ ଆବିଷ୍କାର କରିବାରେ ସମର୍ଥ ହୋଇଯାଏ । ପରିପକ୍ଵ ହୁଏ, ସାବାଳକତା ପ୍ରାପ୍ତ କରେ । ଏହି ଜୀବନ ତେଣୁ ପ୍ରୀତିର ଭାଜନ ହେଉ, କାରଣ ତା’ ଘରେ ଯାଇ ସିଏ ଅସଲ ମାଳିଟିର ହେପାଜତ ଲାଭ କରିବାର ଅସଲ ଅଧିକାରଟିର ଯୋଗ୍ୟବି ହେବ । ତା’ପରେ ରୀତି ପରେ ରୀତିର ଶୁଶ୍ରୂଷା ଭିତରେ ଧନାଢ଼୍ୟ ମଧ୍ୟ ହେବ, ଏକ ଅଭୂତପୂର୍ବ ଅର୍ଥରେ ସମ୍ପର୍କସମ୍ବଳିତ ହୋଇ ରହିବ ।

 

ତା’ପରେ ହୃଦୟପାଇଁ ମଥାଟା ସତକୁସତ କେତେ କେତେ ଆଡ଼ୁ କେତେ କେତେ ସୂତ୍ରରେ ଧନଦରବମାନ ଆଣି ପୂରା ଲାଗିଯାଇ ପାରିବ । ହଁ, ହାଟରୁ ସଉଦା କିଣି ଆଣିବ ଏବଂ ହୃଦୟରୂପୀ ରାନ୍ଧୁଣିଆଟାକୁ ଚକିତ କରି ପକାଇବ । ହୃଦୟ କିଛି ଫରମାସ କରିବା ପୂର୍ବରୁହିଁ ତା’ପାଇଁ ସରଞ୍ଜାମମାନ ଆଣି ଜମା କରିଦେବ । ଗୋଟିଏ ମାଆ ତା’ ପିଲାଟିର ଗଭୀରତମ ଅଭିଳାଷ ତଥା ଆବଶ୍ୟକତାଗୁଡ଼ିକୁ ଘ୍ରାଣ କରିପାରି ଯେପରି ଦ୍ରବ୍ୟମାନ ଏବଂ ଅନୁକୂଳତାମାନ ଆଣି ଖଞ୍ଜିଦିଏ, ଏହି କ୍ଷେତ୍ରରେ ମଧ୍ୟ ଠିକ୍ ସେହିପରି ହୁଏ କି ? ତେବେ, ହେ ମୋ’ର ବାଇମନଟି, କହିଲୁ ତୁ ଆଗ କି ଏହି ହୃଦୟ ଆଗ ? କିଏ ଅବଧାନ, ପୁଣି କିଏ ଚାଟ ? ଏହିପରି ଗୋଟିଏ ସତତ ପ୍ରହେଳିକା,–ସମ୍ଭବତଃ ତାହାହିଁ ମୋ’ର ଏହି ଜୀବନରେ ଅସଲ ପ୍ରଶ୍ନଗୁଡ଼ିକର ସମାଧାନ । ମୋ’ର ଅସଲ ମୁକ୍ତି ଏବଂ ଅସଲ ଖୁସୀ । ଗୋଟିଏ ଆରଟି ପାଖରେ ଆସି ଆପେଆପେ ଧରା ଦେବା,–ତାହାହିଁ ଈଶ୍ଵର–ସନ୍ନିଧାନ ଏବଂ ସୁସ୍ଥତମ ଈଶ୍ଵର ଦର୍ଶନ ।

 

୩୧ । ୩ । ୨୦୦୫

 

ମୃତ୍ୟୁ କ’ଣ ଖାସ୍ ସ୍ଵତନ୍ତ୍ର ହୋଇ କୌଣସି ଘଟଣା ବା ସ୍ଥିତି ଯେ, କେତେ ମଣିଷ କ’ଣପାଇଁ ଅଧିକ ପରିମାଣରେ ମୃତ୍ୟୁରହିଁ ଚର୍ଚ୍ଚା କରିବାରେ ଅଧିକ ମିହନ୍ତ କରିବାରେ ଲାଗିଥାଆନ୍ତି । କେତେସବୁ କାରଣରୁ ଆମର ଏହି ଚଳନ୍ତି ଯୁଗର କବିମାନେ ତ ଥାନରେ ଅଥାନରେ କେବଳ ମୃତ୍ୟୁକୁ ନେଇହିଁ ଘାରି ହୋଇ ରହିଥାନ୍ତି । ସେମାନେ ଆପଣାର ପୋତା ଭାବଅରଣ୍ୟଟି ମଧ୍ୟରେ ଗୋଟାଏ ଆଧାରଭୂତ ଜୀବନଭୟଦ୍ଵାରା ଆକ୍ରାନ୍ତ ହୋଇ ରହିଥାନ୍ତି କି ? ଜୀବନ ସହିତ ନଥାନ୍ତି ଏବଂ ତେଣୁ ମୃତ୍ୟୁକୁ ଭୟ କରୁଥାନ୍ତି । ବରଂ, ତାହାକୁ ଜୀବନଭୟରୁହିଁ ମୃତ୍ୟୁଭୟ ବୋଲି ଅଧିକ ସାଧୁତାର ସହିତ କୁହାଯାଇ ପାରିବ । ମୁଁ ଜୀବନକୁ ଭୟ କରୁଛି ବୋଲି କହିବାକୁ ହୁଏତ ଅତ୍ୟନ୍ତ ଲାଜ ମଧ୍ୟ ଲାଗନ୍ତା ବୋଲି ଜାଣିଥିବାରୁ ଲୋକେ ମୃତ୍ୟୁଭୟଟାକୁ କେଡ଼େ ପରିପାଟୀପୂର୍ଣ୍ଣ ଫେଣେଇ କହିବାରେ ଉତ୍ସାହିତ ନହୁଅନ୍ତି !

 

ଜୀବନଟିଏ ବଞ୍ଚିଲେ ପ୍ରାୟ ପ୍ରତ୍ୟେକ ଖୋଜରେହିଁ ମରିବାକୁ ପଡ଼ିବ । ପଛରେ ବହୁତ କିଛିକୁ ପକାଇଦେଇ ବାହାରି ଆସିବାକୁ ପଡ଼ିବ । ଏହି ଯାବତୀୟ ପୁରୁଣା ଜଙ୍ଗଲଗୁଡ଼ାକ ଭିତରୁ ନୂଆର ଅଙ୍କୁରଗୁଡ଼ିକୁ ଖୋଜି ସଂଗ୍ରହ କରିନେବାକୁ ପଡ଼ିବ । ଏବଂ, ସମ୍ପୂର୍ଣ୍ଣ ଧର୍ମାଚରଣ ପରି କରିବାକୁବି ପଡ଼ିବ । ବାଧ୍ୟ ହୋଇ ନୀତି ମାନି କିଛି କରୁଥିବା ଯାଏଁ ତୁଚ୍ଛା କଷ୍ଟହିଁ ପାଇବ । ନୂଆ ହେବାରେ ତୁମକୁ ସାହାଯ୍ୟ କରିବାପାଇଁ ମହଜୁଦ୍‍ ହୋଇ ରହିଥିବା ତୁମର ବନ୍ଧୁଟି ତୁମକୁ ସତକୁସତ ଡାକିବାରେ ଲାଗିଥିବ,–ତୁମ ଭିତରୁ ଡାକୁଥିବ, ବାହାରେ ମଧ୍ୟ ଡାକୁଥିବ । ତୁମକୁ ସେଇଥିରୁହିଁ ବଳ ମିଳିବ । ପ୍ରସାରିତ ହୋଇ ପାରିବାର ବଳ,–ଆପେଆପେ କେଉଁ ନୂଆ ପରିଚୟର ବେଢ଼ ଭିତରେ ତୁମେ ଯାଇ ଧରା ଦେବାକୁ ପ୍ରସ୍ତୁତହିଁ ହୋଇଯିବ । ଜୀବାତବେ, ନ ମୃତବେ,–ଅଧ୍ୟାତ୍ମର ସେହି ଅମୋଘ ବାର୍ତ୍ତାଟି ଏକ ସ୍ଵଭାବସଚଳ ଜୀବନ ବଞ୍ଚିବା ସକାଶେ ଆମକୁ ରାଜୀ କରାଇ ନେଉଥିବା ସଙ୍ଗେ ସଙ୍ଗେ ମୃତ୍ୟୁଭୟ ସକାଶେ ଆଉ କୌଣସି ଅବକାଶ ମଧ୍ୟ ରହିବ ନାହିଁ ।

 

୧୫ । ୭ । ୨୦୦୫

 

ଭଗବାନଙ୍କୁ ନିଜ କାମରେ ଲଗାଇବାର ଚେଷ୍ଟା ନକରି ନିଜେ କୌଣସି ନା କୌଣସି ପ୍ରକାରେ ତାଙ୍କରି କାମରେ ଲାଗି ପାରିବାର ଆଗ୍ରହ ଏବଂ ପ୍ରୟାସଟିଏ ରହିଥିଲେ ଆମେ ଅଧିକ ସହଜରେହିଁ ତାଙ୍କୁ ପ୍ରତ୍ୟକ୍ଷ କରି ପାରନ୍ତେ । ନିଜ ପାଖରେ, ନିଜର ଚତୁର୍ଦ୍ଦିଗରେ ଏବଂ ଏହି ସମଗ୍ର ବିଶ୍ଵଭୁବନରେ । ସିଏ ହେଉଛି ଏକ ଅନ୍ୟ ପ୍ରକାରର ଆସ୍ଵାଦନ, ଏବଂ ତେଣୁ ସେଥିପାଇଁ ଏକାବେଳେକେ ଅନ୍ୟ ପ୍ରକାରର ଏକ ବାଟ । କେଉଁଟା ତାଙ୍କର ବାଟ ଓ କେଉଁଟା ତାଙ୍କର ନୁହେଁ, ସେଥିଲାଗି ଆମକୁ ଆଦୌ ଶାସ୍ତ୍ରଭିତରକୁ ଯିବାକୁ ପଡ଼ନ୍ତାନାହିଁ । ଗୁରୁ ରହନ୍ତେ, ଅବଶ୍ୟ ରହନ୍ତେ, ମାତ୍ର ତଥାପି ଗୁରୁଆଶ୍ରାବି କରିବାକୁ ହୁଅନ୍ତାନାହିଁ । ନିଜର ବିବେକରେ ଆମକୁ ଯେଉଁଟି ଭଗବାନଙ୍କର ବାଟ ବୋଲି ଅନୁଭବ ହେଉଛି, ଆମେ ସେହି ବାଟଟିରେ ଚାଲିବାକୁ ମନ କରନ୍ତେ, ଚେଷ୍ଟା ମଧ୍ୟ କରନ୍ତେ । ତେବେ, ଏହିଭଳି ଯାଉ ଯାଉ ଆମର ଯଥାର୍ଥ ବାଟଟିରେ ଆସି ପହଞ୍ଚି ଯାଆନ୍ତେ । ଆମେ ଏତିକି ମନ କଲୁଣି ବୋଲି ବାସନା ପାଇଲେ ହୁଏତ ସ୍ଵୟଂ ଭଗବାନ ମଧ୍ୟ ଆମ ପାଖରେ ଆସି ପହଞ୍ଚି ଯାଆନ୍ତେ ଏବଂ ଆମକୁ ତାଙ୍କଯାଏ ପାଛୋଟି ନେଇଯାଆନ୍ତେ । ଏବଂ, ଏମିତି କୋଉ ଭଗବାନ ଅଛନ୍ତି, ଯିଏକି ସତେଅବା ଜଣେ ଜନନୀବତ୍ ଆପେ ଆସି ଜଣେ ସନ୍ତାନ ପାଖରେ ଆସି ପହଞ୍ଚି ଯିବାକୁ ଅରାଜି ହୁଅନ୍ତେ ।

 

ହାୟ ସେମାନଙ୍କୁ, ଯେଉଁମାନେ ବହୁ ଆଡ଼ମ୍ବର ଓ ଆନୁଷ୍ଠାନିକତାର ବରାଦ କରି ଏହି ପୃଥିବୀଯାକ ବୁଲୁଥାନ୍ତି ଏବଂ ଅଧିକରୁ ଅଧିକ ମଣିଷଙ୍କୁ ବୁଝାଇ, ବୋଧଦେଇ ଏବଂ ଏପରିକି ଫୁସୁଲାଇ ଭଗବାନଙ୍କର ମାର୍ଗକୁ ଆଣିବା ନିମନ୍ତେ ସଦାତରବର ହୋଇ ରହିଥାନ୍ତି । ସେମାନେ ନିଜ ଭିତରେ ମଧ୍ୟ ତାଙ୍କୁ ଠିକଣା ପ୍ରକାରେ ଥାନ ଦେଇ ପାରି ନଥାନ୍ତି କି ? ଏବଂ, ସେହି ଥାନ ଦେଇ ପାରି ନଥିବାର ସତ କଥାଟିକୁ, ସତ ଦୁଃଖଟିକୁ ଲୁଚାଇବା ସକାଶେ ଏଡ଼େ ଉତ୍ସୁକତା ସହିତ ଦୁନିଆତମାମ ଖେଦି ବୁଲୁଥାଆନ୍ତି । ସେମାନେ ସତେଅବା କେଉଁ ଗଡ଼ ଜିତି ବାହାରି ଥାଆନ୍ତି । ନିଜର ଅସଲ ଗଡ଼ଟି ଭିତରୁ ବାହାର ହୋଇ ରହିଥାଆନ୍ତି ବୋଲି ପୃଥିବୀଟାକୁ ଏତେ ଏତେ କୋଳାହଳର ଦୁଃଖ ଦେବାରେହିଁ ଲାଗିଥାନ୍ତି ।

 

୨୦ । ୭ । ୨୦୦୫

 

ସ୍ୱାସ୍ଥ୍ୟ ହେଉଛି ଏକ mood, ଏକ attitude, ଏକ ସମ୍ମତି ଏବଂ ଏକ ଉଚ୍ଛୁକତା,–ଯଥାର୍ଥରେ ଏକ ସମଗ୍ର ଉଚ୍ଛୁକତା । ଭିତରୁହିଁ ଏକ ଅନୁଭବ, ଯାହାକି ବାହାରକୁ ସ୍ଵୀକାର କରି ନେଉଥାଏ ଏବଂ ବାହାରର ଏକ ଅନୁଭବ, ଯାହାକି ଭିତରକୁ ସ୍ଵୀକାର କରି ନେଉଥାଏ ।

 

ହଁ, ମୋ’ର ଅନୁଗତମାନେ ମୋ’ପାଇଁ ଅର୍ଥାତ୍ ମୋ’ ସହିତ ମହଜୁଦ୍‍ ରହିଛନ୍ତି ବୋଲି ଜଣେ ବାବୁର ଅନୁଭବ ଏବଂ, ମୋ’ ସାଆନ୍ତମାନେ ମୋ’ର କାର୍ଯ୍ୟରେ ସତକୁସତ ଖୁସୀ ହୋଇ ରହିଛନ୍ତି ବୋଲି ଜଣେ ଭୃତ୍ୟର ଅନୁଭବ । ଭୃତ୍ୟମାନେ କାମରେ ଫାଙ୍କି ଦେଉଛନ୍ତି ବୋଲି ଯେଉଁ ସାମନ୍ତ ବା ବାବୁ ସର୍ବଦା ଖିଟ୍ ଖିଟ୍ ହୁଅନ୍ତି, ସେମାନେ କୋଉ ସାମନ୍ତ ବା ବାବୁରେ ଯାଆନ୍ତି, ଏବଂ, ସାଆନ୍ତ ବା ବାବୁଟା ପାଖରୁ ଯେଉଁ ଭୃତ୍ୟଟା ମଉକା ପାଇଲାମାତ୍ରକେ ଖସି ଚାଲିଯିବାକୁ କନକନ ହେଉଥାଏ, ସିଏ ମଧ୍ୟ କୋଉ ଭୃତ୍ୟରେ ଯାଏଁ ! ତେଣୁ, ଏହି କ୍ଷେତ୍ରରେ ଏକ ସମ୍ମାନବୋଧହିଁ ସବାଆଗ ଏବଂ ସବା ଗଭୀରରେ ସର୍ବଦା ରହିଥିବା ଉଚିତ । ସେହି ସମ୍ମାନବୋଧରୁ, ସମ୍ମାନ ଦେବାରୁ ତଥା ସମ୍ମାନ ପାଇବାରୁ ଏକ ସ୍ଵାଭାବିକତା ଆସେ ଓ ଆମର ଜୀବନବେଢ଼ଟି ଭିତରେ ତାହାହିଁ ମୀମାଂସକରୂପେ କାର୍ଯ୍ୟ କରେ । ସେହି ସ୍ଵାଭାବିକତାର ଅନୁଭୂତି ହେଉଛି ସ୍ୱାସ୍ଥ୍ୟ । କେବଳ ଦେହ ନୁହେଁ, ସବୁଯାକ ସ୍ତରରେ । ସ୍ଵାଭାବିକ ଦେହ ହେଉଛି ସୁସ୍ଥ ଦେହ-। ଅର୍ଥାତ୍, ପ୍ରାଣ ମନ ଓ ଆତ୍ମା,–ସବୁଗୁଡ଼ିକର ସତକୁସତ ଯେଉଁ ସ୍ଵାଭାବିକ ସ୍ତର,–ତାହାହିଁ ସୁସ୍ଥ ସ୍ତର । ସେମାନେ ଏକମେଳ ହୋଇ ରହିଥିବାର ଅବସ୍ଥାଟି ହେଉଛି ସେମାନଙ୍କର ସୁସ୍ଥ ଅବସ୍ଥା, କାରଣ ତାହାହିଁ ସ୍ଵାଭାବିକ ଅବସ୍ଥା । ଉଭୟ ବ୍ୟକ୍ତିପାଇଁ ଏବଂ ପୃଥିବୀପାଇଁ । ବ୍ୟକ୍ତିକୁ ଅସୁସ୍ଥ ରଖାଇ କୋଉ ପୃଥିବୀ ସୁସ୍ଥ ହୋଇ ପାରିଲାଣି ଅଥବା ପୃଥିବୀଟାକୁ ନିତାନ୍ତ ବର୍ଜନୀୟ ମଣି ନିଜପାଇଁ ଅଲଗା ସ୍ୱାସ୍ଥ୍ୟ ଓ ଏପରିକି ଅଧ୍ୟାତ୍ମ ଲୋଡ଼ୁଥିବା ବ୍ୟକ୍ତିମାନେ ମଧ୍ୟ କୋଉ ସୁସ୍ଥତା ମଧ୍ୟରେ ରହିପାରୁଛନ୍ତି !

 

୨୨ । ୭ । ୨୦୦୫

 

ମୁଁ ବୁଝୁଛି, ବୁଝୁଥିବି,–ଆହୁରି ବୁଝିବି । ଏହି ବୁଝିବାର କୌଣସି ଅନ୍ତ ନାହିଁ ବୋଲି କ୍ରମଶଃ ଅଧିକରୁ ଅଧିକ ଅନୁଭବ କରିପାରୁଥିବା, ତାହାହିଁ ତ ଯଥାର୍ଥ ବୁଝିବା । ଯଥାର୍ଥ ବୁଝିବାର ମନୁଷ୍ୟମାନେ ସୁସ୍ଥ ମନୁଷ୍ୟ । ଯେଉଁମାନେ କେଉଁସବୁ କାରଣରୁ ସବୁକିଛି ବୁଝି ସାରିଲେଣି ବୋଲି ବିଚାର କରୁଥାନ୍ତି, ସେମାନେ ନିଜ ଭିତରେ ଗଣ୍ଠିଟାଏ ପଡ଼ି ଯାଇଥାନ୍ତି ସିନା, ପ୍ରକୃତରେ କିଛି ବୁଝି ନଥାନ୍ତି । କେଡ଼େ ପ୍ରମତ୍ତ ବହୁ ଫେସନରେ ଖାଲି ବୁଝାଇ ବୁଲୁଥାନ୍ତି ।

 

ହଁ, ମୁଁ ବୁଝୁଛି, ପୃଥିବୀକୁ ବୁଝୁଛି ଓ ଭଗବାନଙ୍କୁ ବୁଝୁଛି । ଏହି ପୃଥିବୀଯାକକୁ ବୁଝି ତାକୁ ନିଜର ଘର ବୋଲି ବୁଝିବା ସଙ୍ଗେ ସଙ୍ଗେ ଭଗବାନଙ୍କୁବି ବୁଝି ହୋଇ ଯାଉଛି । ଭଗବାନ ସତେଅବା କେତେ କତି ହୋଇ ରହିଥିବା ପରି ଲାଗୁଛି । ଆଦୌ ପ୍ରମାଣ ଲୋଡ଼ା ହେଉନାହିଁ । ଏବଂ, ଭଗବାନଙ୍କୁ ଏହିଭଳି କତିରେ ଘ୍ରାଣ କରିପାରିବା ସଙ୍ଗେ ସଙ୍ଗେ ତାଙ୍କରି ପ୍ରସନ୍ନ ପ୍ରକାଶରୂପେ ପୃଥିବୀକୁ ମଧ୍ୟ ବୁଝି ହେଉଛି । ଏବଂ ମୋ’ପାଇଁ ଉଭୟେ ଉଜ୍ଜ୍ଵଳ ହୋଇ ଉଠୁଛନ୍ତି । ତତ୍ତ୍ଵବାଦୀ ଦାର୍ଶନିକମାନେ ନିଜକୁ ବୁଝିବା ବିଷୟରେ ଯେତେ କଥା କହିଛନ୍ତି, ପୃଥିବୀକୁ ଏବଂ ଭଗବାନଙ୍କୁ ବୁଝିବା ବିଷୟରେ କେବେହେଲେ ସେତେ କହିନାହାନ୍ତି କ’ଣ ପାଇଁ କେଜାଣି ? କିନ୍ତୁ, ପୃଥିବୀକୁ ଏବଂ ଭଗବାନଙ୍କୁ ନବୁଝିଲେ ନିଜକୁ କିଏ ପ୍ରକୃତରେ କିପରି ବୁଝି ବା ପାରିବ ? ବହିରୁ ବୁଝିବାକୁ ନୁହେଁ, ଅଙ୍ଗେ ନିଭାଇବା ପରି ବୁଝିବା । ନିଜକୁ ବୁଝିବାକୁ ହେଲେ ସର୍ବବିଧ ଅର୍ଥରେ ଏହି ଅଙ୍ଗେ ନିଭାଇବାକୁହିଁ ବିଦ୍ୟାର ନିଶ୍ଚିତତମ ମାର୍ଗ ବୋଲି ଗ୍ରହଣ କରିବାକୁ ହୁଏ । ତେଣୁ, ବୁଝିବାର ବାଟ ଅଧିକ ପ୍ରଶସ୍ତ, ବୁଝାଇବାର ସେହି ଅନ୍ୟ ଧନ୍ଦାଟାରେ ପଶି ଆମେ ସେହି ଅସଲ ବାଟଟିକୁ ବଙ୍କାଢ଼ଙ୍କା ଏବଂ ମୋହସରସର କରି ପକାଇବା ନାହିଁଟି ! ଆମେ ଅଳପ ବୁଝୁ ବୁଝୁ ଅଧିକକୁ ବୁଝିବା । ଅଳପ ବୁଝୁ ବୁଝୁହିଁ ଅଧିକକୁ ବୁଝିବାର ଏକ ସାହସ ମଧ୍ୟ ଆସି ଯାଇଥାଏ । ଏବଂ, ଅପରପକ୍ଷରେ, ଅଧିକକୁ ବୁଝିବା ସଙ୍ଗେ ସଙ୍ଗେ ତଥାକଥିତ ଅଳପଟାର ଗଭୀର ଭିତରକୁ ଯାଇବି ହୁଏ । ନିଜ ଘରଟିରେ ରହିଥିଲେ, ମଧ୍ୟ ପୃଥିବୀନାମକ ବୃହତ୍ ଘରଟିକୁ ବଞ୍ଚିବି ହୁଏ । ତା’ପରେ ନାନାବିଧ ଏହି ବୁଝିବାମାନଙ୍କ ମଧ୍ୟରେ ହୁଏତ କୌଣସି ପ୍ରଭେଦ ମଧ୍ୟ ବାରି ହୁଏନାହିଁ ।

 

୨୪ । ୭ । ୨୦୦୫

 

ଆଶୀର୍ବାଦ ଲାଭ କରିବା ଅର୍ଥାତ୍ ନିଜ ଭିତରେ ଶକ୍ତିର ଆବିଷ୍କାର କରିବା । ଶକ୍ତି କ’ଣ କେବେ ବାହାରେ ଆଉ କେଉଁଠାରେ ଥାଏ ଓ ସେହିଠାରୁହିଁ ଆମ ପାଖକୁ ଆସେ ଯେ ଆମେ ନିଜକୁ ସେହି ଖାସ୍ ବେଳମାନଙ୍କରେହିଁ ନିଜକୁ ଶକ୍ତିମନ୍ତ କରି ଜାଣୁ ? ଶକ୍ତି ଥାଏ, ଓ ଆମେହିଁ ନାନାବିଧ କାରଣରୁ ସେହି ‘ଅଛି’ଟି ବିଷୟରେ ସଚେତନ ନଥାଉ । ଠିକ୍ ଯେମିତି ଭଗବାନଙ୍କ ବିଷୟରେ ସଚେତନ ହେଲେହିଁ ତାଙ୍କୁ ପୂରା ଏଇଠି, ନିତାନ୍ତ କତିରେହିଁ ଅନୁଭବ କରିହୁଏ, ଠିକ୍ ସେହିଭଳି ।

 

ସେହି ଶକ୍ତିକୁ ଛୁଇଁ କରି ରହିଥିବା ଯାଏଁ ସତେଅବା ଆଶୀର୍ବାଦ ଲାଭ କରୁଥିବାର ସେହି ଶୁଭ ଅନୁଭୂତିଟି ମଧ୍ୟ ପ୍ରତ୍ୟକ୍ଷ ହେଉଥାଏ । ଶକ୍ତିଟି ସହିତ ଖିଅଗୁଡ଼ିକ ଛିଡ଼ିଗଲେ ଯେତେବେଳେ ଏକୁଟିଆ ମନେ ହେଉଥାଏ, ସେତେବେଳେ ଭଗବାନଙ୍କର ଆଶୀର୍ବାଦ ମଧ୍ୟ ମୋ’ଠାରୁ ଦୂର ଓ ଅପହଞ୍ଚ ହୋଇ ରହିଛି ବୋଲି ମୋ’ର ଅସଲ ସତବୁଦ୍ଧିମାନେ ମୋତେ କହିଦେବାରେ ଲାଗିଥାନ୍ତି । ଆଶୀର୍ବାଦ ଅଜାଡ଼ି ହୋଇ ପଡ଼ୁଥିବାର ଅନୁଭୂତି, ତାହା ହେଉଛି ମୋତେ ସମସ୍ତେ ସ୍ପର୍ଶ କରି ରହିଥିବାର ଅନୁଭୂତି । ଆର୍ତ୍ତମାନେ ସତକୁସତ କେଡ଼େ ଦରିଦ୍ର ହୋଇ ରହିଥାଆନ୍ତି ଯେ, ଆଶୀର୍ବାଦ ଭିକ୍ଷା କରିବା କହିଲେ ସକଳ ଅବସରରେ ନିଜର ଖାଲି ଗାଡ଼ଗୁଡ଼ାକୁ ସତେଅବା କାହାର ବିଶେଷ ଅନୁଗ୍ରହଦ୍ଵାରା ଭରିନେବାକୁହିଁ ବୁଝିଥାନ୍ତି । ସମସ୍ତଙ୍କ ଭିତରେ ଥାଆନ୍ତି, ତଥାପି କେବଳ ଆପଣାକୁହିଁ ଦେଖନ୍ତି । ପିତୁଳା ପରେ ପିତୁଳା ଆବୋରି ରହିବାରେ ଲାଗିଥାଆନ୍ତି-। ତଥାପି କିଛି ପାଇ ନପାରୁଥିବାର ଏକ କ୍ଷୟକାରୀ ଦୀନତାଦ୍ଵାରା ଦଗ୍ଧ ହୋଇ ଅନ୍ୟମାନେ ସତେଯେପରି ଭଗବାନଙ୍କୁ ଫୁସୁଲାଇ ମୋ’ଠାରୁ ଅଧିକ ଅଧିକାର କରିନେଲେ ବୋଲି ସର୍ବଦା ସୁକୁସୁକୁ ହେଉଥାନ୍ତି । ସତେଅବା, ଖାସ୍ ସେହିମାନଙ୍କ ନିମନ୍ତେ ସବୁଦିନେ ସୂର୍ଯ୍ୟଟା ଉଠନ୍ତା ଏବଂ ତେବେଯାଇ ସେମାନେ ଯଥାର୍ଥ ସୁଖ ଲାଭ କରନ୍ତେ ବୋଲି ଭାବି ସନ୍ତାପିତ ହୋଇ ରହିଥାନ୍ତି-। ଶକ୍ତିଗୁଡ଼ିକୁ ନାନା ଅପଶକ୍ତିରୂପେ ଭାରି ଦୂଷିତ କରି ରଖିଥାଆନ୍ତି ।

 

୩୧ । ୭ । ୨୦୦୫

 

ଆପଣା ଉପରେ ବିଶ୍ଵାସ, ତାହାହିଁ ଭଗବଦ୍‌ବିଶ୍ଵାସ । ଆଗ ନିଜଉପରେ ଏକ ସୁସ୍ଥ ଅର୍ଥାତ୍ ପ୍ରସାରଣଶୀଳ ଅସ୍ମିତାର ପ୍ରତିଷ୍ଠା ହୋଇ ନପାରିଲେ ସିଏ ଜଗତଯାକ ତଥା ଜଗତକୁ ଅତିକ୍ରମ କରି ବିରାଜିତ ଅଛନ୍ତି ବୋଲି ମୁଁ କିପରି ବା ଅନୁଭବ କରି ପାରିବି ? ନିଜ ଭିତରେ କେଉଁଠି ଭୀରୁଟାଏ ଥାଏ ତଥା ବୃହତ୍ତର ଆମର ଏହି ସମୂହଟା ଭିତରେ ଗୋଟାଏ ତଦନୁରୂପ ସଂସ୍କାର ଆମ ଚେତନାଗତ ଆତଯାତର ପ୍ରାୟ ସବୁଯାକ ଜାଗାକୁ ଏପରି ହଟ କଲାପରି ମାଡ଼ି ବସିଥାଏ ଯେ, ଆମେ ଆଗ ତାଙ୍କୁ ବାହାରେହିଁ ଠାବ କଲୁ ବୋଲି ବାଧ୍ୟ ହୋଇ ଗୋଟାଏ ମିଛପ୍ରତ୍ୟୟ ଭିତରେ ଆପଣାକୁ ନେଇ ପକାଇ ରଖିଥାଉ । ଭିତରୁ ସବାମୂଳ ଈଶ୍ଵରବିଶ୍ଵାସଟିକୁ ପୃଥିବୀ ମଧ୍ୟକୁ ପ୍ରସାରିତ କରି ଆଣିବାରେ ସେହି ଅସଲ ଆଧ୍ୟାତ୍ମିକ କଳାରୀତିଟିକୁ ଏଡ଼ି ଦେଇ ଭଗବାନଙ୍କୁ ଆଗ ପୃଥିବୀଯାକର ସବୁ ଦେଉଳରେ ଯାଇ ମୁଣ୍ଡିଆ ମାରି ଆସୁଥିବା ମଣିଷଟିଏ ତାଙ୍କ ଭୟ କରିବାରେ ମାତିଥାଏ ସିନା ଏବଂ ଭିତରେ ମୋଟେ କିଛି ସହିତ ତାହାର ସ୍ପର୍ଶ ସମ୍ଭବ ହୋଇ ନଥିଲେ ମଧ୍ୟ ବାହାରେ ଭକ୍ତବି ସାଜେ,–ତଥାପି ସିଏ ତାଙ୍କୁ ଭଲ ପାଇ ପାରେନାହିଁ । ଭୟ କରିବାକୁହିଁ ଭଲ ପାଇବା ବୋଲି ଭ୍ରମ କରୁଥାଏ । ପୃଥିବୀରେ ବହୁ ବିଭ୍ରାଟର କାରଣ ହୁଏ ।

 

ତେଣୁ, ସବାଆଗ ନିଜଉପରେ ବିଶ୍ଵାସ । ନିଜର ସାମର୍ଥ୍ୟ ଉପରେ ବିଶ୍ଵାସ, ନିଜର ସାଧୁତା ଉପରେ ବିଶ୍ଵାସ । ସେଇଠାରୁ ଆରମ୍ଭ କରି କ୍ରମେ ଅନ୍ୟମାନଙ୍କ ଉପରେ ମଧ୍ୟ ବିଶ୍ଵାସ, ଅନ୍ୟମାନଙ୍କର ସାଧୁତା ଉପରେ ବିଶ୍ଵାସ । ଏହି ପୃଥିବୀକୁ ନେଇ ପ୍ରୟୋଗ କରୁଥିବା ଏକ ସକାରାତ୍ମକ ନିୟତି ଉପରେ ବିଶ୍ଵାସ । ତା’ପରେ ଦେଖିବ ବନ୍ଧୁ, ତୁମେ ଭଗବାନଙ୍କୁ ଅନୁକ୍ଷଣ ଏଠାରେ, ସେଠାରେ ଏବଂ ସବୁଠାରେ ଦେଖିବାକୁ ପାଇବ । କେଡ଼େ, ପ୍ରକୃତରେ କେତେ ନା କେତେ ଖୁସୀ ହେବ । ଏବଂ, ଆଦୌ କେହିହେଲେ ନାସ୍ତିକ ବୋଲି ମନେ ହେବେନାହିଁ ।

Unknown

 

୫ । ୮ । ୨୦୦୫

 

ଯାହାର ପ୍ରକୃତରେ ମୁଣ୍ଡ ବୋଲି ମୋଟେ କିଛିହେଲେ ନଥାଏ, ସମ୍ଭବତଃ ସେଇ ପ୍ରାୟ ଯାଉଣୁ ଆସୁଣୁ ମୋ’ର ମୁଣ୍ଡ ଖରାପ ହୋଇ ଗଲାଣି ବୋଲି କହିବାରେ ଲାଗିଥାଏ । ଯାହାର ସତକୁସତ ମୁଣ୍ଡଟିଏ ଥାଏ, ସିଏ କେବେହେଲେ ମୁଣ୍ଡ ଖରାପ ହୋଇଗଲା ବୋଲି କହେନାହିଁ । ଗୋଟାଏ ଯନ୍ତ୍ର ପୁଣି ଖରାପ କିପରି ହେବ ? କାହିଁକି ବା ହେବ ?

 

ପୃଥିବୀରେ ଅଣୁବୋମାଗୁଡ଼ାକର ରାଜତ୍ଵ ବଢ଼ୁଥିଲେ ଆଖର ପୃଥିବୀଟା ତାହାରି ପିଛା ଦଉଡ଼ି ଯେ ସର୍ବସ୍ଵାନ୍ତ ହୋଇଯିବ, ଯିଏ ଏକଥା ଜାଣିଛି, ଅଥଚ ଏଣେ ବୋମାଗୁଡ଼ାକରେହିଁ ନିଜର ଘରଟାକୁ ଭର୍ତ୍ତି କରି ରଖିବ ବୋଲି ଅନୁକ୍ଷଣ କର୍ମତତ୍ପର ହୋଇ ରହିଛି, ତା’ର ସତକୁସତ ମୁଣ୍ଡଟା ଥାଏ ନା ମୁଣ୍ଡ ଖରାପ ହୋଇ ଯାଇଥାଏ ? ଯେଉଁ ବିଜ୍ଞାନୀ ମହାଶୟଟି ବୋମା ତିଆରି କରିବାରେହିଁ ତା’ ବିଜ୍ଞାନର ପାଠଟାକୁ ମହାଆନନ୍ଦ ସହିତ ନିୟୋଜିତ କରି ରଖିଥିବ, ଅଥଚ ଏଣେ ମହାତ୍ମା ଗାନ୍ଧୀଙ୍କର ବାର୍ତ୍ତାଗୁଡ଼ିକ ତା’ର ଜୀବନକୁ ବହୁତ ପ୍ରଭାବିତ କରିଛି ବୋଲି କହୁଥିବ, ତା’ର ମୁଣ୍ଡଟାଏ ପ୍ରକୃତରେ ଥାଏ ନା ମୁଣ୍ଡ ଖରାପ ହୋଇ ଯାଇଥାଏ ? ପୃଥିବୀର ଅଧେ ମନୁଷ୍ୟ ନାନାବିଧ କ୍ଳେଶରେ ହନ୍ତସନ୍ତ ହୋଇ ରହିଥିଲେ ମଧ୍ୟ ଯିଏ ତଥାପି ନିଜକୁହିଁ କେନ୍ଦ୍ର କରି ଏଠି ବଡ଼ରୁ ଆହୁରି ବଡ଼ ହୋଇ ଦିଶିବ ବୋଲି ମହାବଳୀୟାର ପ୍ରୟାସମାନ କରୁଥାଏ, ତା’ର ଆଦୌ କୌଣସି ମୁଣ୍ଡ ଥାଏ ନା ମୁଣ୍ଡ ଖରାପ ହୋଇ ଯାଇଥାଏ ? ପୃଥିବୀଯାକର ଏହି ଭଳିଭଳି ଦୁରାତ୍ମତା, ଭଳିଭଳି ଜୀବନବିମୁଖତା ଏବଂ ଈଶ୍ଵରବିମୁଖତା,–ମୁଣ୍ଡ ଥିବା ମଣିଷଙ୍କର ଜୀବନରେ ସେହି କଥାଟି କେବେହେଲେ ସମ୍ଭବ ହେବ କି ? ଏହି ନିୟୁତ ସଂଖ୍ୟାର ଯାବତ୍ ଅସମାନତା, ଉଦାସୀନତା ଏବଂ ଆତ୍ମକାମୀ ବୈରାଗ୍ୟ,–ଛାତ ଉପରେ ଥାଇ ବସିଥିବା ତଥାକଥିତ ବଡ଼ମୁଣ୍ଡମାନଙ୍କର ସତକୁସତ ମୁଣ୍ଡ ଥିଲେ ଏଗୁଡ଼ିକ ଏହି ପୃଥିବୀକୁ ଏପରି ଅଣଆୟତ୍ତ ଭାବରେ ପକାଇବାରେ ଉଠାଇବାରେ ଲାଗି ଥାଆନ୍ତେ କି ?

 

୧୪ । ୮ । ୨୦୦୫

 

ଆଗ ସମସ୍ତଙ୍କ ସାଥିରେ ରହି ନପାରିଲେ ଏକୁଟିଆବି କିପରି ରହିପାରିବ ? ଏକୁଟିଆ ରହିବାର ଅର୍ଥ ହେଉଛି ପ୍ରକୃତରେ ନିଜକୁ ଜଣେ ସାଥୀରୂପେ ଗ୍ରହଣ କରି ରହିବା,–ଜୀବନ ବଞ୍ଚିବା-। ତେଣୁ, ଆଗ ବାହାରେ ସବୁରି ସାଥିରେ ରହିବାର ବିଦ୍ୟାଟିକୁ ଶିଖିବାକୁ ହୁଏ । ବାହାରଟା ଘର ବୋଲି ଲାଗେ । ତେବେ ଯାଇ ଏକା ରହିଥିବାବେଳେ ତଥାପି ଗୃହ ହରାଇଥିବା ପରି ମନେ ହୁଏନାହିଁ । ବାହାରଟିକୁ ସହିଲେ ଯାଇ ଆପଣାକୁବି ସହିହୁଏ । ଏହି ବାହାରଟା ଭିତରେ ସେଇ ପୂରି ରହିଛନ୍ତି ବୋଲି ସର୍ବବିଧ ଭାବରେ ଉପଲବ୍ଧି ହୋଇ ପାରୁଥିଲେ ଯାଇ ଭିତରେ ତାଙ୍କୁ ସ୍ପର୍ଶ କରି ହେଉଥାଏ,–ଭିତରଟି ମଧ୍ୟ ପୂରି ରହିଥାଏ ।

 

ନାନା କାରଣରୁ କେତେ କେତେ ମଣିଷ ବାହାରଟା ପ୍ରତି ବିମୁଖ ହୋଇ ବଡ଼ ବିକଳ ଭାବରେ ଭିତରକୁ ପଳାଇ ଆସିଥାନ୍ତି । ଜନମାନଙ୍କ ପ୍ରତି ବିରକ୍ତ ହୋଇ ସତେଅବା ମାଡ଼ ଖାଇଲା ପରି ବିକଳ୍ପ ଆଶ୍ରାଟିଏ ପାଇବେ ବୋଲି ଗୋଟାଏ ଗୁମ୍ଫା ଭିତରେ ଆସି ପଶିଥାନ୍ତି ଏବଂ ତାହାକୁ ନିର୍ଜନକୁ ଆସିବା ବୋଲି କହନ୍ତି । ନିର୍ଜନକୁ ଆସିଲେ ଯେ ଜଣେ ମଣିଷ ନୀରବ ହୋଇଯାଏ, ସେକଥା ଆଦୌ ନୁହେଁ । ସେଥିଲାଗି ବହୁତ ବ୍ୟକ୍ତି ଚୁପ୍ ହୋଇ, ଏକୁଟିଆ ହୋଇ ରହିଥିବା ସମୟରେ ଭିତରେ ଭାରି ବିକ୍ଷୁବ୍ଧ ହୋଇହିଁ ରହିଥାନ୍ତି । ସେମାନେ କେତେ କେତେ ଆଡ଼ୁ ଯେ ପରିତ୍ୟକ୍ତ ହେଲେ ତାହାର ହିସାବ କରନ୍ତି । ସଚରାଚର ପ୍ରାୟ ନିଜକୁହିଁ ଭର୍ତ୍ସନା କରୁଥାନ୍ତି ଓ ସତେଅବା ସେଥିରୁ କିଞ୍ଚିତ୍ ସାନ୍ତ୍ଵନାବି ଲାଭ କରନ୍ତି । ସେଥିଲାଗି, ବୈରାଗୀ ହେଲେ ଅଧିକାଂଶ କ୍ଷେତ୍ରରେ, ଏହି ପୃଥିବୀ ଗୋଟାଟା କିପରି ତୁଚ୍ଛା ବାଟରୁ ହୁଡ଼ି, ବଣା ହୋଇ ରହିଛି, ସେମାନେ ତାହାରି କୀର୍ତ୍ତନ କରିବାରେ ଲାଗିଥାନ୍ତି । ବାହାରର ସର୍ବବିଧ ମେଳରେ ଯେଉଁ ଅହଂକାରୀ ଅତିକାତରମାନେ ତଥାପି ଖୁସୀ ହୋଇ ଏକ ସ୍ଵୀକାରାତ୍ମକ ଖୁସୀରେ ବସି ପାରନ୍ତି ନାହିଁ, ସେମାନେ ଏକୁଟିଆ ହୋଇ ସେହି ମେଳଗୁଡ଼ିକୁ ଝୁରିବାରେ ଲାଗି ଥାଆନ୍ତି କି ?

 

୨୩ । ୮ । ୨୦୦୫

 

ଯେଉଁ ବ୍ୟକ୍ତିମାନେ ନିଜ ଭିତରେ ପ୍ରକୃତରେ କିଛି ପାଇ ନଥାନ୍ତି, କେନ୍ଦ୍ରଟିଏ ବୋଲି ମୋଟେ କିଛିହେଲେ ଅନୁଭବ କରି ନଥାନ୍ତି, ସେହିମାନେହିଁ ଆଦୌ କିଛି ଦେଇ ପାରନ୍ତି ନାହିଁ । ନିଜ ଭିତରେ ଗୋଟାଏ ଅତ୍ୟନ୍ତ ନିକୁଛିଆ ‘ମୁଁ’ର କୃପଣତାଦ୍ଵାରା ହନ୍ତସନ୍ତ ହେବାରେ ଲାଗିଥାଆନ୍ତି-। ପୃଥିବୀଟା ଗୋଟାସୁଦ୍ଧା ଚାରିପଟୁ ଆସି “ହେଇ, ମୋ’ ଆଡ଼େ ଅନାଅ, ମୁଁ ପରା ପୂରା ତୁମରି ହୋଇ ରହିବି ଓ ତୁମ ଆଖିରେ ସର୍ବଦାହିଁ ତୁମଲାଗି ଏକ ପୂର୍ଣ୍ଣ ଘର ପରି ଦିଶିବି ବୋଲି ଅପେକ୍ଷା କରି ରହିଛି” ବୋଲି କହିବାରେ ଲାଗିଥାଏ, ମାତ୍ର କୃପଣ ସେକଥାକୁ ଆଦୌ ବୁଝି ପାରେନାହିଁ । ଭୟାଳୁମାନେ ମୋଟେ ବୁଝି ପାରନ୍ତିନାହିଁ-। ଆପଣା ବିଷୟରେ ସିଏ କରିଥିବା ଭୁଲ ଅନ୍ଦାଜଗୁଡ଼ାକ ତାକୁ ପୃଥିବୀ ବିଷୟରେ ଯାବତୀୟ ଅନ୍ଦାଜର କ୍ଷେତ୍ରରେ ଭାରି ବଣା କରି ରଖିଥାଏ-

 

ଜଗତ ରହିଛି, ଏବଂ ସିଏ ସାକ୍ଷୀ ପରି ବିଦ୍ୟମାନ ରହିଛନ୍ତି,–ଏଇଟି ହେଉଛି ଶାସ୍ତ୍ରୋକ୍ତ ସେହି ପରିଚିତ କଥାଟି । ଫଳରେ, ସେହି ସାକ୍ଷୀଙ୍କୁ ସତେଅବା ନିତାନ୍ତ ଅଲିପ୍ତ ଭାବରେ ଆମର ଯାବତୀୟ ଜଗତ୍‌ଚେତନାର ବାହାରେ ଆମ ମନୀଷୀମାନେ ଥାପି ରଖି ଦେଇଥିବା ପରି ଆଚରଣ କରିଛନ୍ତି । ସ୍ତୋତ୍ରକାରଙ୍କର ସେହି ଉକ୍ତିଟିକୁ ଓଲଟାଇ ଦେଇ ଯଦି, ‘ସିଏ ଯେ ଅଛନ୍ତି, ଏହି ଜଗତ ତାହାର ସାକ୍ଷୀ ହୋଇ ରହିଛି’ ବୋଲି ଆମେ ଘ୍ରାଣ କରି ପାରନ୍ତେ, ତେବେ କେବେହେଲେ କାହାକୁହିଁ ଜଣେ ନାସ୍ତିକର ଗୋଟାଏ ଦୁଃଖମୟ ଜୀବନ ଭିତରେ ମୋଟେ ଧନ୍ଦି ହେବାକୁ ପଡ଼ନ୍ତା ନାହିଁ ।

 

୩୦ । ୯ । ୨୦୦୫

 

ଏବେ ଦିନେ ଗୋଟିଏ ସମ୍ବର୍ଦ୍ଧନା ସଭାରେ ଶ୍ରୀଯୁକ୍ତ ଲଳିତେନ୍ଦୁ ମାନସିଂହ କହିଲେ ଯେ, ଶ୍ରୀଯୁକ୍ତ ମାୟାଧର ମାନସିଂହଙ୍କର ପୁତ୍ର ହୋଇଥିବାରୁ ସିଏ ଖୁବ୍ ଗର୍ବ ଅନୁଭବ କରନ୍ତି । ଡକ୍ଟର ମାନସିଂହଙ୍କ ସହିତ ମୋ’ର ଦୀର୍ଘଦିନର ସମ୍ପର୍କ । ୧୯୫୪ ମସିହାରୁ । ସାହିତ୍ୟ–ଆଲୋଚନାର ସମ୍ପର୍କ ତ ବହୁତ ପରେ ଯାଇ ଆସିଲା । ଶାନ୍ତିନିକେତନ ବିଷୟରେ ମୋ’ ଲେଖାଟି ଯେତେବେଳେ ତାଙ୍କଦ୍ୱାରା ସମ୍ପାଦିତ ‘ଶଙ୍ଖ’ ପତ୍ରିକାରେ ପ୍ରକାଶିତ ହେଲା, ସମ୍ଭବତଃ ସେଇଠାରୁହିଁ ମୁଁ ତାଙ୍କ ପରିଚୟରେ ଆସିଥିଲି । ୧୯୫୪ରେ ଜୀବନ–ବିଦ୍ୟାଳୟର ଉଦ୍‌ଘାଟନ ଅବସରରେ ସିଏ ମଧ୍ୟ ନିମନ୍ତ୍ରିତ ହୋଇ ଆସିଥିଲେ । ସଭାରେ କିଛି ମନ୍ତବ୍ୟ ମଧ୍ୟ ପ୍ରଦାନ କରିଥିଲେ । ୧୯୫୫ ମସିହାରେ ‘ଝଙ୍କାର’ ପତ୍ରିକାରେ ମୋ’ ଗବେଷଣା ପୁସ୍ତକ ବିଷୟରେ ସିଏ ପ୍ରବନ୍ଧ ଲେଖିଥିଲେ । ତା’ପରେ, ଗଙ୍ଗାଧର ମେହେର କଲେଜରେ ଅଧ୍ୟକ୍ଷ ଥିବା ସମୟରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସିଏ ମୋତେ ଡାକିବି ଥିଲେ । ଏହିପରି ଅନେକ ଅନେକ କଥା ।

 

ଶେଷ ପର୍ଯ୍ୟାୟଟିରେ, ସେ କଟକରେ ରହୁଥିବାବେଳେ ମୁଁ ତାଙ୍କ ଘରକୁ ବହୁଥର ଯାଇଛି । ତାଙ୍କ ପିଲାମାନେ ସେତେବେଳକୁ ବଡ଼ ଓ ପ୍ରତିଷ୍ଠିତ ହୋଇ ସାରିଲେଣି । ସେତେବେଳେ ସିଏ ମୋତେ କଥା ପ୍ରସଙ୍ଗରେ କେତେଥର କହିଥିବାର ଖୁବ୍ ମନେଅଛି ଯେ, ସବା ବଡ଼ପୁଅ ଲଲାଟେନ୍ଦୁଙ୍କୁ ନେଇ ସିଏ ସର୍ବାଧିକ ଖୁସୀ । ଦ୍ଵିତୀୟ ଓ ତୃତୀୟ ଦୁହେଁ ସରକାରୀ ଉଚ୍ଚ ଅଫିସର । ତଥାପି ଚାକିରିଆ, ସରକାରଙ୍କର ହୁକୁମ ଅନୁସାରେ କାର୍ଯ୍ୟ କରିବାକୁ ବାଧ୍ୟ । କିନ୍ତୁ ଲଲାଟେନ୍ଦୁ ଅଧ୍ୟାପକ । ସିଏ ନିଜେ ମଧ୍ୟ ଅଧ୍ୟାପକ ଥିଲେ । ତେଣୁ, ସେଇ ବଡ଼ପୁଅହିଁ ତାଙ୍କୁ ସର୍ବାଧିକ ସନ୍ତୋଷ ଦେଇଛି । ଏଥର ଶ୍ରୀ ଲଳିତେନ୍ଦୁଙ୍କର ଉକ୍ତିଟି ବିଷୟରେ ଖବରକାଗଜରୁ ପଢ଼ି ମୋ’ର ସିଧା ସେହି ଘଟଣାଟି ମନେ ପଡ଼ିଗଲା । ମନେ ପଡ଼ିଗଲା ୧୯୯୮ ମସିହାରେ ଲଲାଟେନ୍ଦୁଙ୍କ ସହିତ ଦୁଇତିନୋଟି ସନ୍ଧ୍ୟା କାନାଡ଼ାରେ ମୁଁ ତାଙ୍କ ସହିତ କଟାଇଥିଲି । କେତେ କୁଆଡ଼ର ଗପରେ, କେଡ଼େ ଫର୍ଚ୍ଚା ହୋଇ ।

 

୩ । ୧୦ । ୨୦୦୫

 

ମୁଁ ନିଜେ ଗାନ୍ଧୀଙ୍କପାଇଁ ପ୍ରାସଙ୍ଗିକ ହୋଇଥିଲେ ସିନା ଗାନ୍ଧୀ ମଧ୍ୟ ମୋତେ ପ୍ରାସଙ୍ଗିକ ବୋଲି ଲାଗିବେ । ପ୍ରାସଙ୍ଗିକ ବୋଲି ମନେ ହେବା, ଅର୍ଥାତ୍ ସିଏ ମୋତେ ଭଲ ଲାଗିବେ, ମୋତେ ଆକର୍ଷଣ କରୁଥିବା ପରିହିଁ ବୋଧ ହେଉଥିବେ । କତିରୁ ଅଧିକ କତିକୁ ଯାଉଥିବା ପରି ଲାଗିବ । ମାତ୍ର, କେଉଁଟା ପ୍ରକୃତରେ କତି ହୋଇ ଆସିବ ବା କିପରି, ଯଦି ମୁଁ ସେହି ବ୍ୟକ୍ତିଙ୍କର ବା ସେହି ବାରତାଟିର କତି ହୋଇ ଆସୁଥିବା ପରି ଅନୁଭବ କରୁ ନଥିବି ? ଅଙ୍ଗେ ନିଭାଉଥିବା ଜୀବନଟା ତ ସବୁବେଳେ କେବଳ ଏହି ସାକ୍ଷ୍ୟଟି ଦେଇ ପାରିବ ଯେ ଯଦି ମୁଁ ଆଗ କୌଣସି କାରଣରୁ କୋଉଟିର କତି ହୋଇ ଯାଉଥିବି, ତେବେ ସେଇଟି ମଧ୍ୟ ମୋ’ର କତି ହୋଇ ଆସୁଥିବା ପରି ଅବଶ୍ୟ ଲାଗିବ । ଅର୍ଥାତ୍, ସମ୍ପୂର୍ଣ୍ଣ ପ୍ରାସଙ୍ଗିକ ପରିହିଁ ଲାଗିବ । କେବଳ ମୋ’ପାଇଁ ନୁହେଁ, ସମଗ୍ର ଜଗତ ନିମନ୍ତେ ପ୍ରାସଙ୍ଗିକ ବୋଲି ମନେ ହେବ ।

 

ଯଦି ମୁଁ ଆପେ ଗଣତନ୍ତ୍ର ନିମନ୍ତେ ପ୍ରାସଙ୍ଗିକ ହୋଇ ନଥିବି, ତେବେ ଗଣତନ୍ତ୍ର ମଧ୍ୟ ମୋତେ କିପରି ପ୍ରାସଙ୍ଗିକ ଲାଗିବ ? ମୋ’ର ଏହି ଦେଶଟି ଲାଗି ଯଦି ମୁଁ ପ୍ରାସଙ୍ଗିକ ହୋଇ ଜୀବନଟିଏ ପ୍ରକୃତରେ ବଞ୍ଚୁ ନଥିବି, ତେବେ ଦେଶ ମଧ୍ୟ ମୋତେ କିପରିବି ପ୍ରାସଙ୍ଗିକ ଲାଗିବ ! ଜଣେ ଶିକ୍ଷକରୂପେ ଯଦି ମୁଁ ମୋ’ର ଛାତ୍ରମାନଙ୍କ ସକାଶେ ଆଗ ମୋ’ ଆଡ଼ୁ ପ୍ରାସଙ୍ଗିକ ହେବା ଲାଗି ପ୍ରୟାସ କରୁ ନଥିବି, ତେବେ ଛାତ୍ରମାନେ ମଧ୍ୟ ମୋତେ ଆଉ କିପରି ପ୍ରାସଙ୍ଗିକ ବା ଲାଗିବେ-? ତେଣୁ, ବର୍ତ୍ତମାନ ପରିସ୍ଥିତିରେ ଗାନ୍ଧୀ କିମ୍ବା ଆଉ କେହି ବା ଆଉ କିଛି କେତେଦୂର ପ୍ରାସଙ୍ଗିକ ବୋଲି ଏକ ପ୍ରଶ୍ନର ଉତ୍ତର ଦେଉଥିବା ସମୟରେ ମୁଁ ଆଗ ମୋତେ ନିଜକୁ ପରୀକ୍ଷା କରି ସିନା କୌଣସି ସଂଗତିଯୁକ୍ତ ଉତ୍ତର ପାଇ ପାରିବି !

 

୪ । ୧୧ । ୨୦୦୫

 

କେତେ ଅହଂମୁକ୍ତ ହେଲେ ଯେ ଏହି ଜଗତଟି ଯେ ତାଙ୍କୁ ପୂର୍ଣ୍ଣପ୍ରକଟ କରି ଧରିରଖିଛି, ସେହି କଥାଟିକୁ ଉପଲବ୍ଧି କରିହୁଏ, ମୁଁ ବେଳେବେଳେ ସେହି କଥାଟିକୁ ବହୁତ ଭାବିଥାଏ । କିଛିବି ଅପହଞ୍ଚ ନୁହେଁ ବୋଲି ଅନୁଭବ କଲେ ଯାଇ ସିଏ ପହଞ୍ଚ ବୋଲି ଅନୁଭବ ହୋଇ ଆସନ୍ତି । ନିଜକୁ ଏହି ସବୁକିଛି ପାଇଁ ଦାୟୀ ବୋଲି ପୂରା ହୃଦୟଙ୍ଗମ କରିହୁଏ । ସିଏ କ’ଣ ସତକୁସତ ଆକାଶ ପରି ? ନା ପୃଥିବୀ ପରି ? ତାଙ୍କୁ ପିତା ବୋଲି କହିଲେ ସିଏ ଆକାଶ ପରି ଦିଶିବେ ଏବଂ ମାତା ବୋଲି କହିଲେ ଯେ ଏହି ପୃଥିବୀ ପରି ଦିଶିବେ, ସେପରି ବ୍ୟାକରଣସିଦ୍ଧ ହୋଇ ତାଙ୍କୁ ନିଆରା ନିଆରା କରି କହିବାକୁ କିମ୍ବା ଦର୍ଶନ ଫାନ୍ଦିବାକୁ ମୋଟେ ଉତ୍ସାହହିଁ ହୁଏନାହିଁ । କୋଉଠି ମୋ’ର ମୁକ୍ତି ବୋଲି ଅଲଗା କିଛି ଦ୍ରବ୍ୟ ରହିଛି ବୋଲି ଧାରଣାଟା ଯେତେବେଳେ ଏହି ଅନ୍ତସ୍କରଣରୁ ମନକୁ ମନ ପୋଛି ହୋଇ ଯାଇଥାଏ, ସେହି ଅବସ୍ଥାଟିକୁ କ’ଣ ଅହଂମୁକ୍ତିର ଅବସ୍ଥାଟିଏ ବୋଲି କୁହାଯାଇ ପାରିବ କି ? ସିଏ କ’ଣ ସତକୁସତ ଗୋଟିଏ ଶିଖର, ଯେଉଁଟିର ଉପରକୁ ଆରୋହଣ କରି ଯାଇପାରିଲେ ଯାଇ ସିଏ କତିରେ ମିଳିପାରିବେ ? ସିଏ କ’ଣ କେବଳ ଏକ ଉଚ୍ଚତା ? ସିଏ କ’ଣ କେବଳ ଏକ ବିଶେଷ ପ୍ରକାରର ସୁନ୍ଦର, ଯିଏକି ତଥାକଥିତ ଏକ ଅସୁନ୍ଦରଠାରୁ ଅଲଗା ଓ ନିଆରା ହୋଇ ରହିଛନ୍ତି ? ସିଏ କ’ଣ ଜଣେ ବାବାଜି, ଯିଏକି ଯାବତୀୟ ଅଶୁଦ୍ଧଠାରୁ ଅଲଗା ହୋଇ ରହିଛନ୍ତି ଏବଂ ତେଣୁ ଶୁଦ୍ଧ ବୋଲାଇ ପାରୁଛନ୍ତି ?

 

ପ୍ରକୃତି ଭିତରେ, ଚଢ଼େଇର ସଙ୍ଗୀତ ଏବଂ ସୂର୍ଯ୍ୟର ଅରୁଣିମା ତଥା ଅସ୍ତରାଗ ମଧ୍ୟରେ ତାଙ୍କୁ ଦେଖିବା ଭାରି ସହଜ ବୋଲି କ’ଣ ସଚରାଚର ବହୁତ ମଣିଷ ତାଙ୍କୁ ସେହିଠାରେହିଁ ଦେଖନ୍ତି ଓ ସେହିଠାରେ ଲାଖି ରହିବାକୁହିଁ ନିରାପଦ ମନେ କରନ୍ତି ? ମୋ’ରି ଭିତରେ ଯେପରି ମୁଁ ନିତାନ୍ତ ପାଖରୁ ଦେଖି ପାରୁଛି, ସେହିପରି ସବୁ ସବୁ ମଣିଷଙ୍କ ମଧ୍ୟରେ ତାଙ୍କୁ ଦେଖିଲେ ଯେ ପାହାଡ଼, ଅରଣ୍ୟ, ସକାଳ, ସଞ୍ଜ, ସମସ୍ତେ ସୁନ୍ଦର ଦିଶିବେ, ଠାକୁରେ କହିଲ, ମୁଁ ସେହି କଥାଟିକୁ ମୁଁ କିଭଳି ମଣିଷମାତ୍ରକେ ସମସ୍ତଙ୍କୁ ବୁଝାଇ କହିଦେଇ ପାରିବି !

 

୧୧ । ୧୧ । ୨୦୦୫

 

କଥା ସିଧା, ଜୀବନ ବଙ୍କା । ଜୀବନଯାକ ଖାଲି ବଙ୍କା ଆଉ ବଙ୍କା । ଜୀବନଟାଯାକ ବଙ୍କା ହୋଇ ରହିଲେ ଯାଇ ତମକୁ ସର୍ବାଧିକ ସଫଳତା ମିଳି ପାରିବ ବୋଲି ଯେଉଁମାନେ ବିଶ୍ଵାସ କରୁଥାନ୍ତି, ସେମାନେ ହୁଏତ ସଚରାଚର ଅଧିକ ପରିମାଣରେ ସିଧା କଥାହିଁ କହୁଥିବା ପରି ଅନୁଭବ କରନ୍ତି । ପ୍ରଧାନତଃ ବଙ୍କା ହୋଇ ରହିଥିବା ମନୁଷ୍ୟମାନେ ସମ୍ଭବତଃ ଯେତେବେଳେ ଯାହାକିଛି କହନ୍ତି, ତାହାକୁ ସିଧା ହୋଇ କହୁଛନ୍ତି କି ନାହିଁ, ସେକଥା ଥିର ହୋଇ ବିଚାର କରିବା ସକାଶେ ଫୁରୁସତ୍‍ହିଁ ପାଆନ୍ତି ନାହିଁ ।

 

ଆପେ ସିଧା ହୋଇ ରହିଥିଲେ ସିନା ଅନ୍ୟମାନେ ମଧ୍ୟ ସୁନିଶ୍ଚିତ ଭାବରେ ସିଧା ହୋଇଥିବେ ବୋଲି ଆରମ୍ଭରୁହିଁ ଧରିନେଇ ପାରିବାର ସାହସ ମଧ୍ୟ କରନ୍ତି । ଯିଏ ନିଜ ଧର୍ମରେ ସିଧା ହୋଇ ବାଟ ଚାଲେ, ଅନ୍ୟମାନେ ମଧ୍ୟ ସିଧା ହୋଇ ବାଟ ଚାଲୁଛନ୍ତି ବୋଲି ସେମାନେ ଏକ ସାଧାରଣ ପ୍ରତୀତିର ଯୋଗ୍ୟବି ହୋଇ ପାରନ୍ତି । ମୋ’ ଧର୍ମରେ ମୁଁ ସିଧା ହୋଇ ରହିଥିଲେ ପ୍ରକୃତରେ ଅଧିକ ସହଜତା ସହିତ ଅନ୍ୟମାନେ ମଧ୍ୟ ସେମାନଙ୍କର ଧର୍ମରେ ଅବଶ୍ୟ ସିଧା ହୋଇ ରହିଥିବେ ବୋଲି ପରତେ ଯାଇ ପାରନ୍ତି । ନିଜେ ବଙ୍କାରେ ଥିଲେ ଅନ୍ୟମାନେ ତୁଚ୍ଛା ବଙ୍କାରେହିଁ ଅଛନ୍ତି ବୋଲି ପ୍ରାୟ ବ୍ୟାଧିତ ଭାବରେ ଏକ ଆବଶ୍ୟକତାଦ୍ଵାରା ଏକାବେଳେକେ ନିଜର ଅବଚେତନ ଗଭୀରସ୍ତରରୁହିଁ ଅଗତ୍ୟା ବିଶ୍ଵାସ କରିବାକୁ ପଡ଼ିଥାଏ କି ? ମୋ’ ଆଦର୍ଶଟା ଠିକ୍ ଏବଂ ଆଉ ଯେତେ ଯାହା ଆଦର୍ଶ ଆଦୌ ଠିକ୍ ନୁହନ୍ତି ବୋଲି ଯୁଗେଯୁଗେ ଆମ ଦୃଢ଼ନିଷ୍ଠ ଆଦର୍ଶବାଦୀମାନେ କହି ଆସିଛନ୍ତି ଏବଂ ଏପରି କରି ଖୁବ୍ କୋଳାହଳର କାରଣବି ହୋଇଛନ୍ତି । ଧର୍ମବିଷୟକ ପ୍ରବଚନମାନେ ଦେଉଥିବା ମହୀୟାନ୍‌ମାନେ ବିଚରା କେତେ ନା କେତେ ପ୍ରସାଧନର ସାହାଯ୍ୟ ନେଇ ପହର ପହର ଧରି ସିଧା ସିଧା କେତେ କଥା ଉଦ୍‌ଗାରି ନପକାନ୍ତି ! ସେମାନଙ୍କର ସେହି ଗୁମରଟିକୁ ଶ୍ରୋତାମାନେ ମୋଟେ ଠଉରାଇ ପାରନ୍ତିନାହିଁ, କାରଣ ଆପଣା ଭିତରେ ଘରସାରା କରି ସମ୍ଭାରି ରଖିଥିବା ବକ୍ରତାମାନଙ୍କୁ ଆଖି ବୁଜି ରହିପାରିବା ନିମନ୍ତେ ତ ସେମାନେ ଏକମାତ୍ର ସିଧା ବାଟ,–ସିଧା ଧର୍ମ, ସିଧା ଆଦର୍ଶ ଓ ତଥା ସିଧା ଆହୁରି କେତେକଅଣର ଅବତରଣା କରିବାରେ ଲାଗିଥାଆନ୍ତି । ସେମାନେ ପୃଥିବୀଟାକୁ ଆଗକୁ ଘଉଡ଼ାଇ ନେବେ ବୋଲି ଘୋଡ଼ାରେ ବସି ବୁଲୁଥାନ୍ତି । ବିଚାର ପୃଥିବୀ ସେମାନଙ୍କର ଏହି ଆଗ୍ରହଗୁଡ଼ାକଦ୍ଵାରା ସତକୁସତ କ’ଣ କେତେ ଦୂର ଉପକୃତବି ହୁଏ କେଜାଣି ?

 

୨୦ । ୧୧ । ୨୦୦୫

 

ନୀଳ ଆକାଶଟିର ପୃଷ୍ଠପଟ ଉପରେ ଉଡ଼ୁଥାଏ ବୋଲି ନୀଳ ନେତଟା କ’ଣ ଏପରି ସୁନ୍ଦର ଦେଖାଯାଏ କି ? ଆକାଶ ନୀଳ, ଆକାଶ ଗଭୀର, ଆକାଶ ଏକ ଉଚ୍ଚତର ମଧ୍ୟ ପରିଚାୟକ-। ଅନୁକ୍ଷଣ ଗୋଟିଏ ପ୍ରଚୋଦକ ପରି କାର୍ଯ୍ୟ କରେ । ଅର୍ଥାତ୍ ସେହି ଉଚ୍ଚତାର ଶେଷ ଗାର ବୋଲି ମୋଟେ କିଛିହିଁ ନଥାଏ । ତୁମେ ଯେତିକି, ତୁମର ଆକାଶଟି ମଧ୍ୟ ସେହି ଅନୁପାତରେ ସେତିକି ଉଚ୍ଚ । ତୁମେ ଯେତିକି ଉଚ୍ଚକୁ ମନ କରିବ, ଏହି ଆକାଶ ତୁମକୁ ସେତିକି ଉଚ୍ଚତା ଯାଏଁ ଆମନ୍ତ୍ରଣ କରି ନେଇଯାଇ ପାରିବ ।

 

ନୀଳ ନେତ ମନ୍ଦିର ଉପରେ ଉଡ଼ୁଥାଏ, ନୀଳ ନେତ ଆକାଶ ବକ୍ଷରେ ଉଡ଼ୁଥାଏ । ଅନାଇଦେଲାମାତ୍ରକେ, ଲୟ ରହିଗଲାମାତ୍ରକେ ତାହା ମୋତେ ଆକାଶ ମଧ୍ୟକୁ ପରିମଣ୍ଡିତ କରି ନେଇଯାଏ । ଏହି ଭୂଇଁଟାକୁ ଛାଡ଼ି ଯାଉଛି ବୋଲି ଆଦୌ କୌଣସି ଅପଚିନ୍ତା ମୋତେ ବାନ୍ଧି ରଖିବାକୁ ଆସି ପହଞ୍ଚି ଯାଏନାହିଁ । ମନ୍ଦିର ଭିତରେ ଦିଅଁ ଅଛନ୍ତି । ମାତ୍ର, ସେହି ଦିଅଁଙ୍କ ସମ୍ବନ୍ଧରେ ନିତାନ୍ତ ଅଭ୍ୟାସରେ ପଡ଼ି ମୁଁ ଯାହା ଯେପରି ଅନ୍ଦାଜ କରି ଶିଖିଥାଏ ପଛକେ, ସିଏ ମୋତେ ସକଳ ସହଜତା ସହିତ ଆକାଶ ମଧ୍ୟକୁ ସମ୍ପ୍ରସାରିତ ହୋଇ ଯିବାଲାଗି ସତେଅବା ଏକ ପରିପୂର୍ଣ୍ଣ ଅନୁମୋଦନରେ ବାଟ ଛାଡ଼ି ଦେଉଥାଆନ୍ତି । ମନ୍ଦିର ଭିତରର ଦିଅଁ କେବଳ ଏହି ମନ୍ଦିରଟା ଭିତରେ ନାହାନ୍ତି । ଏପରିକି, ସିଏ କେବଳ ମୋ’ର ତଥାକଥିତ ଆତ୍ମାଟାର ରୂପରେ ମୋ’ ଭିତରେ ମଧ୍ୟ ଅବସ୍ଥାନ କରୁନାହାନ୍ତି । ସିଏ ଏହି ଆକାଶରୂପୀ ଶୂନ୍ୟଟାକୁ ପୂର୍ଣ୍ଣ କରି ରଖିଛନ୍ତି । ଜୀବନକୁ ଅର୍ଥମୟ କରି ରଖିଛନ୍ତି । ନୀଳଚକ୍ର ମୋତେ ସବୁଥର ସେହିପରି ଗୋଟିଏ ସନ୍ଦେଶସ୍ପର୍ଶ କାହିଁକି ଆଣି ଦେଉଥାଏ କେଜାଣି ? ଅନେକେ ତ ଏପରି କ’ଣ ସବୁ ଧାତୁରେ ଗଢ଼ା ହୋଇଥାନ୍ତି ଯେ, ଦିଅଁକୁ କେବଳ ମନ୍ଦିରସର୍ବସ୍ଵ କରି ଦେଖନ୍ତି ଏବଂ ଛାତିତଳର ଆତ୍ମସମ୍ପଦଟିକୁ ତୁଚ୍ଛ ନିଜର ବୋଲି ଧରିନେଇ ସେହି ବେହିସାବଟିଦ୍ଵାରାହିଁ ଚଳପ୍ରଚଳ ହେଉଥାନ୍ତି । ନେତଟା ହେଉଛି ମନ୍ଦିର ଧାରଣ କରିଥିବା ଏକ ଉପବୀତ, ଏକ ସନ୍ତକ, ଯାହାକି ତାଙ୍କୁ ଆକାଶର ମହନୀୟତା ପ୍ରଦାନ କରୁଥାଏ । ସେଇଥି ନିମନ୍ତେ କୌଣସି କଳାତ୍ମକ ଭାବନା ଏହି ନେତଟି ନୀଳ ରଙ୍ଗରହିଁ ହେବ ବୋଲି ଏହି ଆକାଶ ପାଖରୁ ଓ ନିଜ ଭିତରୁ ମଧ୍ୟ ବାରତାଟିଏ ଲାଭ କରିଥିଲା କି ?

 

୧୦ । ୧୨ । ୨୦୦୫

 

ଶବ୍ଦମାନଙ୍କୁ ଖୋଜିବାକୁ ପଡ଼େନାହିଁ । ଯଥାର୍ଥ ପ୍ରକାରେ ପ୍ରସାରିତ ହୋଇଯାଇ ପାରୁଥିଲେ ଭାବଘରର ଜନନୀ ଶବ୍ଦଗୁଡ଼ିକୁ ଆଣି ଜୁଟାଇ ଦିଅନ୍ତି । ନିଜକୁ ଭାବ ଭିତରକୁ ଏବଂ ଭାବଗୁଡ଼ିକୁ ନିଜ ଭିତରକୁ ପ୍ରସାରିତ କରି ଆଣିବା,–ତାହାହିଁ ପ୍ରସାରଣ । ଏବଂ, ନିଜକୁ ସେତିକି ଉଶ୍ଵାସ ଭାବରେ ପ୍ରସାରିତ କରି ନଜାଣିଥିଲେ ଅସଲ ପ୍ରସାରଣଟି ମୋଟେ ସମ୍ଭବହିଁ ହୁଏନାହିଁ । ଏପରିକି, ଅନେକ ସମୟରେ ପ୍ରାୟ ହାତ ବଢ଼ାଇ ଦେଇ ଅସଲ ଶବ୍ଦଗୁଡ଼ିକୁ ଖୋଜୁଥିଲେ ମଧ୍ୟ ଶବ୍ଦମାନ ତଥାପି ଛୁଇଁ ଦେଉ ନଥାନ୍ତି ଏବଂ ଅଥଚ ଆହୁରି କେତେ ସମୟରେ ନିତାନ୍ତ ଅସଚେତ ଭାବରେ ଠିକଣା ଜାଗାଟିରେ ଏକାବେଳେକେ ଦୁଆର ପାଖରେ ଯାଇ ପହଞ୍ଚିଗଲେ ଆବଶ୍ୟକ ଶବ୍ଦଗୁଡ଼ିକ ସେଠାରେ ସତେଅବା ତୁମଲାଗି ଅପେକ୍ଷା କରି ରହିଥାନ୍ତି । ସେଗୁଡ଼ିକ ସହିତ ଭେଟ ନହୋଇଥିଲେ ମଧ୍ୟ ସେମାନେ ଗୋଟାପଣେ ତୁମକୁ ଚିହ୍ନିଥାଆନ୍ତି ଏବଂ ସେଥିପାଇଁ ଅପେକ୍ଷା କରିଥାନ୍ତି । ନିଜଭିତରେ ମଧ୍ୟ ନିଜସ୍ଵ ବନ୍ଧୁଟିଏ ବସିଥାଏ, ଯିଏକି ତୁମକୁ ଠିକଣା ଜାଗାଟିରେ ନେଇ ପହଞ୍ଚାଇ ଦିଏ ।

 

କେବଳ ସାହିତ୍ୟର କ୍ଷେତ୍ରରେ ପ୍ରାୟ ଏକ ବିଶେଷ କୌଣସି ମାନି ସମ୍ପ୍ରସାରିତ ହୋଇ ଜାଣିଲେ ଯେ ଶବ୍ଦଗୁଡ଼ିକ ସ୍ଵତଃ ଆସି ମିଳିଯାଆନ୍ତି, ଆମେ କୌଣସି ଅବସରରେ ମଧ୍ୟ ମୋଟେ ଗୋଟାଏ ବାଉଳାରେ ଯାଇ ପଡ଼ିଯିବା ନାହିଁଟି ! ବର˚, ଆମ ଜୀବନର ସମ୍ପୂର୍ଣ୍ଣ କ୍ଷେତ୍ରରେ ସମ୍ପ୍ରସାରିତ ହୋଇ ରହିବାର ସେହି କଦରଟିକୁ ନିଜର ଏକ ସ୍ଵାଭାବିକ ନିତ୍ୟପରିମଳରୂପେ ଗ୍ରହଣ କରି ନେଇଥିଲେ ସାହିତ୍ୟ ରଚନା କରୁଥିବାର ଏକ ଅବସରରେ ମଧ୍ୟ ସେଇଟି ତୁମ ଭାବଜଗତର ସମଗ୍ର ମୁଦ୍ରାଟିଏ ପରି ତୁମ ପାଖରେ ଆସି ଅବଶ୍ୟ ପହଞ୍ଚିଯାଏ । ଆମର ଏହି ଆଧୁନିକ ସାହିତ୍ୟକର୍ଷଣର ଯୁଗଟାରେ ସମ୍ପ୍ରସାରିତ ହୋଇ ପାରିବାର ସହଜ ଧର୍ମଟି କ୍ରମେ ହାତଛଡ଼ା ହୋଇଗଲା ବୋଲି ଆମର ନାୟକ ଏବଂ ମହାନାୟକମାନେ ଶୈଳୀଟାକୁହିଁ ଅଧିକରୁ ଅଧିକ ଦୋରସ୍ତ କରି ରଖିବା ନିମନ୍ତେ ଏତେ ଉତ୍ସାହୀ ହୋଇ ପଡ଼ିଲେ କି ? ସମ୍ପ୍ରସାରିତ ହେବାଲାଗି ଅନେକ କ’ଣ ପାଇଁ ଏତ ଡରୁଥାଆନ୍ତିବି କେଜାଣି ? ଧରା ପଡ଼ିଯାଆନ୍ତି ବୋଲି ସେହିଭଳି କରନ୍ତି କି ? ତେଣୁ, ସେମାନଙ୍କର ରଞ୍ଚନାମାନେ ମଧ୍ୟ ସେମାନଙ୍କୁ ଢାଙ୍କି ରଖିବାରହିଁ ଗୋଟିଏ ଗୋଟିଏ ସାଧନକୌଶଳରୂପେ ଖୁବ୍ ବ୍ୟବହୃତ ହେଉଥାନ୍ତି । ବଙ୍କାଇ ବଞ୍ଚାଇ କହିବା ସେତେବେଳେ ଜଣେ ଲେଖକର ଆୟୁଧବତ୍ ହୋଇଯାଏ । ଏବଂ, ସିଏ ସଫଳ ହୋଇ ପାରିଛି ବୋଲି ଏକଆଖିଆମାନେ କହନ୍ତି ସିନା, ତଥାପି ସ୍ୱୟ˚ ଲେଖକ (ଏବେ ତ ସେମାନଙ୍କୁ ସ୍ରଷ୍ଟା ବୋଲି କୁହାଯାଉଛି ।) ନିଜ ପାଖରେ ବଡ଼ ଲାଜରା ହୋଇ ରହିଥାଏ । ସତେଅବା ଆଉ କ’ଣଟିକୁ ଝୁରୁଥାଏ । ଏବଂ, ସେତିକିବେଳେହିଁ ଶବ୍ଦ ଖୋଜିବା ବ୍ୟତୀତ ଅନ୍ୟ ଗତିହିଁ ନଥାଏ ।

 

୩୧ । ୧୨ । ୨୦୦୫

 

ସେଦିନ ଗୋଟିଏ ସମ୍ବାଦପତ୍ରର ପରିଚାଳନା ତରଫରୁ କିଏ ଜଣେ ମୋତେ ଫୋନ୍ କରି କହିଲେ ଯେ, ବିଦାୟ ନେଇ ଯାଇଥିବା ବର୍ଷଟି ମଧ୍ୟରେ ବ୍ୟତୀତ ହୋଇଥିବା ମୋ’ର ସାରସ୍ଵତ ଜୀବନରେ ମୁଁ କ’ଣ ସବୁ କରିଛି ସେହି ବିଷୟରେ ଗୋଟିଏ ଲେଖାଏ ପ୍ରସ୍ତୁତ କରିବି ଏବଂ ତାଙ୍କୁ ଦେବି । ମୁଁ ସେକଥା ଶୁଣି ବଡ଼ ଅଡ଼ୁଆରେ ପଡ଼ି ଯାଇଥିଲି ।

 

ମୋ’ ଜୀବନ ଭିତରେ ମୁଁ ନିଜସ୍ଵ ଆୟତନ ବୋଲି ଯେତେ ଯାହା ଅନୁଭବ କରିଛି, ତା’ ଭିତରେ ମୋ’ର ସାରସ୍ଵତ ଜୀବନ ବୋଲି ଅଲଗା କରି କହିବା ଭଳି ସତକୁସତ କିଛିହେଲେ ନାହିଁ-। ସେହି ଆୟତନଟି ମଧ୍ୟରେ ମୋ’ର ଭୂମି ଏବଂ ମୋ’ର ଆକାଶ । ଏବଂ, କେଉଁଠାରେ ଯେ ଭୂମିଟି ସରିଛି ଓ କେଉଁଠାରେ ଆକାଶଟିଏ ଆରମ୍ଭ ହୋଇଛି, ସେହି କଥାଟିକୁ ମୁଁ କେବେହେଲେ ଅନ୍ଦାଜ କରି ପାରିନାହିଁ । ବାଟ ଚାଲୁଥିବା ସମୟରେ ପାଖେପାଖେ ଯେଉଁ ସାଥୀଟି, ଆକାଶନାମକ ବିସ୍ତାରଟିରେ ମଧ୍ୟ ସେହି ସାଥୀ । ସମ୍ପୂର୍ଣ୍ଣ ଭାବରେ ସେହି ଏକ ସାଥୀଟି-। ଯିଏ ଭୂଇଁଟି ଉପରେ ବଳ ଦେଉଛି, ସେଇ ଆକାଶ ହୋଇ ଉପରୁ ଆଶୀର୍ବାଦବି ଦେଉଛି । ଭୂଇଁ ଆକାଶ ଆଡ଼କୁ ନିର୍ଦ୍ଦେଶିତ କରି ଦେଉଛି ଏବଂ ଆକାଶଟି ମଧ୍ୟ ଭୂଇଁ ଉପରକୁ ଓହ୍ଲାଇ ଆସିବା ସକାଶେ କେତେ ନା କେତେ ସୁରାଖ ବତାଇ ଦେଉଛି । ପୁନଶ୍ଚ ଡେଣାମାନେ ଭୂଇଁପାଇଁ କାମରେ ଲାଗୁଛନ୍ତି ଏବଂ ଏହି ଭୂଇଁ ଉପରର ସମ୍ପର୍କଧନାଢ଼୍ୟ ମୋହଗୁଡ଼ିକ ମଧ୍ୟ ଉଡ଼ିବା ଲାଗି ଡେଣା ଯୋଗାଇ ଦେଉଛନ୍ତି ଏବଂ ଆକାଶପାଇଁ ପ୍ରେରଣା ଦେଉଛନ୍ତି । ତେଣୁ, କେବଳ ନିଳୟଟିଏହିଁ ବଞ୍ଚି ହେଉଛି-। ସେହି ପୂର୍ଣ୍ଣ ନିଳୟଟିରେହିଁ ଜୀବନର ଯାବତୀୟ ପରିଚିତି । କାହାକୁ କିପରି ନ୍ୟାୟରେ ତେଣୁ ତୁଚ୍ଛା ସାରସ୍ଵତ ଜୀବନଟିଏ ବୋଲି କହିବି ଏବଂ ଅନ୍ୟ ତଥାକଥିତ ଖଞ୍ଜାଗୁଡ଼ିକ ସେଇଟିଠାରୁ ନିଆରା ବୋଲି ମଧ୍ୟ ଗ୍ରହଣ କରିବି,–ସେହି ଅବୁଦ୍ଧିଟା ଆଡ଼କୁ ମୋର କେବେ ମଧ୍ୟ କୌଣସି ମନ ହୋଇନାହିଁ ।

 

୨୦୦୬

୨ । ୧ । ୨୦୦୬

 

କ୍ଷୁଧାରୁ ଆଦର୍ଶ, କ୍ଷୁଧାତୁରତାରୁ ଆଦର୍ଶବାଦ । ଏହି ଆତୁରତାଟି ଯେ କେତେବେଳେ କ୍ଷୁଧାଟିକୁ ସତକୁସତ ମାଡ଼ିବସେ, ସେକଥା ଆଦୌ ଜାଣି ହୁଏନାହିଁ । ଯାବତୀୟ କ୍ଷୁଧା ସତେଅବା ସମ୍ମୁଖସ୍ଥ ଦିଗ୍‌ବଳୟଟି ଉପରେ ଗୋଟିଏ ଉଜ୍ଜ୍ୱଳ ତାରକା ପରି ଦେଖାଯାଏ । ଆଗ ଭିତରେ ତାହାରି ଅନୁରୂପ ଏକ ଅଙ୍କୁରୋଦ୍‌ଗମ ହେଲେ ଯେ ତାରାଟି କ୍ରମଶଃ କତି ହୋଇ ଆସେ, ଅଥବା ଆଗ ତାରାଟି କତି ହୋଇ ଆସୁଥିଲେ ଭିତରେ ମଧ୍ୟ ତାହାରି ଅନୁରୂପ ଏକ ଅଙ୍କୁରୋଦ୍‌ଗମ ହେଉଥିଲା ପରି ଅନୁଭୂତ ହୁଏ, ସେହି କଥାକୁ ହୁଏତ ମୋଟେ ହିସାବ କରି କହି ହେବନାହିଁ । ତଥାପି, ତାରାଟିଏ ଦେଖାଗଲେ ଏବଂ ଆଦର୍ଶଟିଏ ଅନୁଭୂତ ହେଲେ ଭିତରୁ ବହୁଳ ବଳ ମଧ୍ୟ ଆସେ । ସାଙ୍ଗରେ ଆଉଜଣେ କିଏ ବାଟ ଚାଲୁଥିବା ପରି ଲାଗେ । ମୋଟେ ଏକୁଟିଆ ଲାଗେନାହିଁ-। ସେହି ସକାରାତ୍ମକ କ୍ଷୁଧାଟି ବଢ଼ି ବଢ଼ି ଯାଉଥାଏ । ଏବଂ, ଭିତରେ ବାହାରେ ସବୁକିଛି ଉଜ୍ଜ୍ୱଳ ହୋଇ ଆସୁଥାଏ । ଏବଂ ସେହି ଉଜ୍ଜ୍ୱଳତାଟି ମଧ୍ୟରେ ଗୋଟିଏ ବାଟ ମଧ୍ୟ ଖୁବ୍ ଦେଖା ଯାଉଥାଏ-

 

କ୍ଷୁଧାତୁରମାନେ ସମ୍ଭବତଃ ସବାଆଗ ଆତୁର ହୋଇ ପଡ଼ିବାର ଏକ ଅହେତୁକ ସ୍ଥିତିରେ ପଡ଼ି ଯାଇଥାନ୍ତି ଏବଂ ସେହି ଆତୁରତାକୁହିଁ ବହୁତର ବାଉଳାପଣରେ କ୍ଷୁଧା ବୋଲି କହନ୍ତି-। ହୁଏତ ତେଣେ ଭିତରେ ଗୋଟାଏ ଦୈତ୍ୟ ମଧ୍ୟ ଜନ୍ମଲାଭ କରି ମିଛ ଏକ ପ୍ରତୀତି ଦେବାରେ ଲାଗିଥାଏ, ହାତରେ ଥିବା ସତେଅବା ଖଣ୍ଡେ ଦଉଡ଼ିରେ ସ୍ୱୟଂ ଭଗବାନ୍ ମଧ୍ୟ ବନ୍ଧା ହୋଇଛନ୍ତି ଏବଂ ଅଲବତ୍ ମୋ’ ବୋଲଟାକୁ ସିଏ ମାନିବେ ବୋଲି ଏକ ଅହମିକା ମୋତେ ପୂରା ଗ୍ରାସ କରି ରହିଥାଏ । ଏବଂ, ସର୍ବୋପରି, ଠିକ୍ ମୋ’ରି ଭଳି ଆଉ ସମସ୍ତଙ୍କର ମଧ୍ୟ କୌଣସି ନା କୌଣସି ଆଦର୍ଶ ଅବଶ୍ୟ ଥିବ ଓ ସେମାନଙ୍କର ମଧ୍ୟ ନିଶ୍ଚିୟ କୌଣସି ନା କୌଣସି କ୍ଷୁଧା ରହିଥିବ ବୋଲି ସେହି ଅସଲ ସତ୍ୟଟି କେଡ଼େ ସହଜ ଅବାଗରେ ଭୁଲିବି ହୋଇ ଯାଇଥାଏ ।

 

୨୦ । ୧ । ୨୦୦୬

 

ଅସୀମ ଜ୍ଞାନ, ଏବଂ ସେଇଥିରୁ ଅସୀମ ସମ୍ପର୍କ । ସେଥିରୁ ଅସୀମ ଆସ୍ପୃହା ତାହାହିଁ ଅସୀମ ଅଧ୍ୟାତ୍ମ ! ତା’ପରେ ବନ୍ଧୁ, ଆପଣାକୁ ଅସୀମ ବୋଲି ଅନୁଭବ କରିବା ସକାଶେ ତୁମକୁ ମୋଟେ ସ୍ଵତନ୍ତ୍ର ଭାବରେ କୌଣସି ସାଧନା କରିବାକୁ ପଡ଼ିବ ନାହିଁ । ଏବଂ, କୋଉଠି କୋଉ ଜ୍ଞାନ ଅଛି, ଥରେ ଆଗକୁ ଆସି କହୁ ତ, ତାହା କେବଳ ଅସୀମ ବ୍ୟତୀତ ଆଉ ଆପଣାକୁ ଅଲଗା କ’ଣ ବୋଲି ଅନୁଭବ କରିପାରିବ !

 

ରବୀନ୍ଦ୍ରନାଥଙ୍କର ‘ଆମାୟ ତୁମି ଅସୀମ୍ କରେଛ’ ଧାଡ଼ିଟି ଭିତରେ ଯେ ମୋ’ପାଇଁ ଏତେ ଏତେ କଥା କୁହାଯାଇଛି, ସେହି ଭାବସହଜ ବୟସରେ ମୁଁ ଆଦୌ ଏତେ ଏତେ କଥା ସମ୍ଭବତଃ ବୁଝି ପାରୁ ନଥିଲି । ତଥାପି, ପୂର୍ଣ୍ଣ ପ୍ରାଣୋଚ୍ଛଳ ଭାବରେ ଆପଣା ପାଖରେ ବସି କେଡ଼େ ନିଦକ ଭାବରେ ତାହାକୁ ଗୁଣୁଗୁଣୁ ହୋଇ ଗାଇ ପାରୁଥିଲି ଏବଂ, ସଂକ୍ରମଣର ପ୍ରକ୍ରିୟାଟି ହୁଏତ ସେହିବେଳୁହିଁ ଆରମ୍ଭ ହୋଇ ଯାଇଥିଲା । ସେଇଥିଲାଗି ସୀମାଗୁଡ଼ିକ ସମ୍ବନ୍ଧରେ ମୁଁ କେବେହେଲେ କାତର ହୋଇ ପଡ଼ିନାହିଁ । ସୀମାମାନେ ଆମକୁ ଯୋଉଠି ସେଇଠିର ଗାରମାନଙ୍କ ଭିତରେ ଦଉଡ଼ି ବାନ୍ଧି ମୋଟେ ରଖି ପାରନ୍ତିନାହିଁ । ଆମେ ସ୍ୱୟଂମାନେ ଯେ ସେତିକି ଭିତରେ ରହିଯାଉ ଏବଂ ସତେଅବା ସେହି କାରଣରୁ ଅନ୍ୟମାନଙ୍କୁ ମଧ୍ୟ କେତେଟା ଗାର ମଧ୍ୟରେହିଁ ଦେଖୁଥାଉ,–ଆମେ ହୁଏତ ସେଇଥିପାଇଁ ଯୋଉଠି ସେଇଠି ରହିଯାଉ । ଆସ୍ପୃହାର ସତ ଅର୍ଥଟି ହେଉଛି, ଯାବତୀୟ ଏହି ସିଦ୍ଧ ସୀମାଗୁଡ଼ିକ ଡେଇଁ ଚାଲିଯିବା । ସୀମାଟା ଅବଶ୍ୟ ଗୋଟାଏ ପ୍ରାଥମିକ ସ୍ତରର ସୁରକ୍ଷା ଆଣିଦିଏ, ପାଦତଳକୁ କିଛି ଭୂଇଁବି ଦେଇଯାଏ ଏବଂ ବୋଧହୁଏ ତା’ ସହିତ ଆଗକୁ ଡେଇଁ ଚାଲିଯିବା ସକାଶେ ଅନ୍ୟ ଏକ ଆଖି ମଧ୍ୟ ଯୋଗାଇ ଦେଇଥାଏ । ତା’ କଥାକୁ ନମାନିବା,–ତାହାହିଁ ବାସନା । ସକଳ ଦୁଃଖର ଅସୁରୁଣୀ ଜନନୀଟା । ସିଏ ପାଖେପାଖେ ଥାଏ ଓ ମଉକା ପାଇଲେହିଁ ଭଣ୍ଡାଇଦେବ ବୋଲି ବିଚାର କରିଥାଏ ।

 

୨୮ । ୨ । ୨୦୦୬

 

Aspiration ହେଉଛି ମୋ’ର ତ୍ୟାଗ, Surrender ମୋ’ର ଭୋଗ, ଏବଂ ପ୍ରତ୍ୟାଖ୍ୟାନ କୋଉଠିହେଲେ ନାହିଁ । ମୁଁ ତ ‘ତଥାକଥିତ’ ପ୍ରତ୍ୟାଖ୍ୟାନ କହିବାକୁ ବରଂ ଅଧିକ ଯଥାର୍ଥ ବୋଲି କହିବି । ତେଣୁ, ବନ୍ଧୁ, ମୋ’ ନାଆଁରେ ତୁମେ ଗୁଣ୍ଡାଏ ଭାତ ଖାଇବ ଏବଂ ଖୁସି ହୋଇ ମନକୁ ଯାହା ଆସିବ, ନିଶ୍ଚୟ ଲେଖି ପକାଇବ । ସେଇଟି ହେଉଛି ଆମର ସଂସାର । ଆମ ପାରସ୍ପରିକତାର ସଂସାର । ସର୍ବୋପରି ଏକ ଅସରନ୍ତି ପାରସ୍ପରିକତା ନିମନ୍ତେ ଯେ ଆମ ଯାବତୀୟ concernର ଅନ୍ତରଙ୍ଗତମ ଘରଟିରେ କିଏ ମାଆ ପରି ଅନନ୍ତ ଧୃତି ସହିତ ବସିଛି ଓ ଆମକୁ ସେହି ଅଭିପ୍ରାୟରେ ତିଆରି କରି ନେଉଛି । ଉତ୍ତୀର୍ଣ୍ଣ କରାଉଛି ଓ ଅବତୀର୍ଣ୍ଣ କରାଉଛି । ଥିର ଜଳାଶୟଟିଏ ପରି ଗ୍ରହଣଶୀଳ ହୋଇ ପାରିଲେ ଆମେ ନିଜ ଜୀବନରେ ଆମେ ସେଇଠି ଆପଣାର ଭଗବାନ ବୋଲି କ’ଣ ଗୋଟିକୁ ଚିହ୍ନିବାରେ ସମର୍ଥ ହୋଇଥାଉ କି ?

 

ହଁ ବାହାରୁ ଚିହ୍ନିଥିଲେ ହୁଏତ ଭାରି ଝଗଡ଼ା ଲାଗେ, କିନ୍ତୁ ଭିତରୁ ଚିହ୍ନିଲେ ବୁଝିହୁଏ । ନିଜକୁ ବୁଝିହୁଏ, ତେଣୁ ପରସ୍ପରକୁ ବୁଝିହୁଏ, ଅଥବା, ପରସ୍ପରକୁ ବୁଝିହୁଏ ବୋଲି ନିଜକୁ ବୁଝିହୁଏ-। ଏବଂ, ଭଗବତ୍‌ସତ୍ୟଟି ସତେଅବା ଜୀବନର ଏକ ନିତ୍ୟପ୍ରାତ୍ୟହିକ ଜଳବାୟୁରେ ପରିଣତ ହୋଇ ଗୋଟାସୁଦ୍ଧା ପାଖେପାଖେ ରହିଥାଏ । ନିଜର ଆସ୍ପୃହା ଦେଇ ଅନ୍ୟ ସମସ୍ତଙ୍କର ଆସ୍ପୃହାମାନଙ୍କୁ ବୁଝିହୁଏ ଏବଂ ସେହି ପ୍ରକ୍ରିୟାରେ, ଏହି ପୂରା ବ୍ରହ୍ମାଣ୍ଡର ମଧ୍ୟ ଏକ ଆସ୍ପୃହା ରହିଛି ବୋଲି ଏକ ପ୍ରାୟ ଏକ ମୂର୍ତ୍ତ ଉପଲବ୍ଧି ମଧ୍ୟ ସମ୍ଭବ ହୁଏ, ତା’ପରେ ଟଳିବାର, ଗୋଡ଼ ଖସିଯିବାର କୌଣସି ପ୍ରଶ୍ନହିଁ ନଥାଏ ।

 

୧୮ । ୩ । ୨୦୦୬

 

ଏମିତି ଅବାଇଜ ମୋ’ର ଏହି ଜୀବନଟା, ମୋତେ କ’ଣ ପାଇଁ କୌଣସି କିଛି ମଧ୍ୟ ମୋଟେ ଗନ୍ଧାଇଲା ନାହିଁ । ସବୁଠାରେ ଏହି ସବୁଟି ଭିତରେ ମଧ୍ୟ ମୁଁ ମହକଟିଏ ପାଇଲି । କୋଉ ବାସନାର ଭାଜନ ହୋଇଥିଲେ, ଯେ ଭିତରେ ଓ ବାହାରେ ସବୁ ଖାଲି ବାସେ, ଆଦୌ କିଛିହେଲେ ଗନ୍ଧାଏ ନାହିଁ, ସେଇଟି ସତକୁସତ କ’ଣ ହୋଇଥିବ କେଜାଣି ! ଆସ୍ଵାଦ ଓ ଆଘ୍ରାଣ ଛଡ଼ା କିଛିବି ନାହିଁ । ଗଣ୍ଠିଗଣ୍ଠିକେ ଫୁଲ ଧରିଲା, ଗଣ୍ଠି ଗଣ୍ଠିକେ ଫଳ ଫଳିଲା । ତେବେ ଆଉ କ’ଣ ପାଇଁ ସତର୍କ ହୋଇଥାନ୍ତି, କ’ଣ ପାଇଁ ଲୁଚି ବୁଲୁଥାନ୍ତି ଅଥବା ମୁଖା ପିନ୍ଧିଥାନ୍ତି ?

 

ସବୁଟି ଏବଂ ସବୁରି ଭିତରକୁ ଖୋଲିଯିବାର ଏହି ଯେଉଁ ଖାସ୍ ସୌଭାଗ୍ୟଟି ତା’ର ଚାବିକାଠି କ’ଣ ମୋ’ ଭିତରେ ? ଘରଗୁଡ଼ାକ ଭିତରେ ମୋ’ ସକାଶେ କିଛି ଅପେକ୍ଷା କରି ରହି ନଥିଲେ ମୁଁ ତେଣେ ଆଦୌ କୌଣସି ଆକର୍ଷଣ ବା ଅନୁଭବବି କିପରି କରୁଥାନ୍ତି ? ସେହି ଆକର୍ଷଣ କ’ଣ ଏକ ବିଦ୍ୟା, ଯାହାକୁ ମଥା ଲଗାଇ ଆବିଷ୍କାର କରିବାକୁ ହୋଇଥାଏ ? ନା ଏକ ଅପରିହାର୍ଯ୍ୟତା, ଯାହା ମୋ’ ସମେତ ଆଉ ସମସ୍ତଙ୍କର ଜୀବନକୁ ଏକ ଔଚିତ୍ୟ ଆଣି ଯୋଗାଇଦିଏ ? ଆମର ସକଳବିଧ ଆତ୍ମ–ଅନ୍ଵେଷଣ ତଥା ଜଗତ୍–ଅନ୍ଵେଷଣକୁ ଧନ୍ୟ କରେ, କେଡ଼େ ସହଜ ଏବଂ କୋଳାହଳରହିତ ଭାବରେ ତା’ପରେ ଏକ ସମ୍ମିତ ଜନ୍ମଲାଭ କରେ, ଯାହାକି ଆମକୁ ସେହି ଔଚିତ୍ୟ ସହିତ ଆଣି ପରିଣତ କରାଇଦିଏ । ତେଣୁ ଅନ୍ୟକୁ ସମ୍ମତ କରିବା ନୁହେଁ, ଆପେହିଁ ସମ୍ମତ ହେବା । ସମ୍ମତ ହୋଇଗଲେ ସ୍ୱୟଂ ଭଗବାନ୍ ମଧ୍ୟ ଚାକ୍ଷୁଷ ହୋଇ ଆସନ୍ତି । ଯୋଗ୍ୟ ଆଖିଟିଏ ମଧ୍ୟ ମିଳି ଯାଇଥାଏ ।

 

୨୭ । ୩ । ୨୦୦୬

 

ଅହଂ ହେଉଛି local,–ଆତ୍ମା ହେଉଛି global,–ଏବଂ, ଏପରି କେଉଁଠି ଅହଂଟିଏ ରହିଛି, ଯେଉଁଠି କି ଆତ୍ମାଟି ଉପରେ ଆକାଶବତ୍ ବ୍ୟାପ୍ତ ହୋଇ ରହି ସତ ସୁରକ୍ଷା ଦେବାରେ ଲାଗି ନଥିଲେ ଆଦୌ ଏକ ଅବବୋଧରୂପେ ଆପଣାକୁ ସମ୍ଭବ କରିପାରୁଥାନ୍ତା ଏବଂ ନିଜକୁ ଏହି ଧରାତଳେ ତଥା ଜୀବନଯାକର ମେଳରେ ଆପଣାକୁ ଆଦୌ କୌଣସି ପ୍ରକାରେ ଗୋଟିଏ ବୃକ୍ଷରୂପେ ମଧ୍ୟ ଅନୁଭବ କରିପାରନ୍ତା ଏବଂ କରାଇ ପାରନ୍ତା, ଯଦି ଏକ ବୃହତ୍ତର ପ୍ରତିଶ୍ରୁତିର ନିର୍ଭର ପ୍ରଦାନ କରି ଆତ୍ମାହିଁ ଏଠାରେ ତାକୁ ଧାରଣ କରି ରଖି ନଥାନ୍ତା ! ତେଣୁ, କେଡ଼େ ବଡ଼ ପ୍ରାୟ ଏକ ଅଭାବନୀୟ ଶୁଭର କଥା ହେଉଛି ଯେ, ଏହି ଏଡ଼େ ବଡ଼ ପୃଥିବୀ ବିଷୟରେ ମନୁଷ୍ୟମାନଙ୍କର ଅନ୍ତରେନ୍ଦ୍ରିୟ ଓ ବାହ୍ୟେନ୍ଦ୍ରିୟଗୁଡ଼ିକର dimensions ବୃଦ୍ଧି ପାଉଥିବା ସଙ୍ଗେ ଆତ୍ମା ବିଷୟରେ ଆମର ପାରମ୍ପରିକ ଅନ୍ଦାଜମାନଙ୍କ ଉପରୁ ରହସ୍ୟର ନିର୍ମୋକସକଳ ଖସି ଯାଉଥିବା ସଙ୍ଗେ ସଙ୍ଗେ ଅହଂର ବ୍ୟଞ୍ଜନାରେ ମଧ୍ୟ କେତେ ପରିବର୍ତ୍ତନ ସତେଅବା କେଡ଼େ ସହଜ ଭାବରେ ସମ୍ଭବ ହେବାରେ ଲାଗିଛି ।

 

Local ଏବଂ global ପରସ୍ପର ଲାଗି ସତକୁସତ କେଡ଼େ କତି ହୋଇ ଆସୁଛନ୍ତି । ଅହଂକାରମାନେ କଡ଼ମଡ଼ ହୋଇ ଭାଙ୍ଗି ଯାଉଛନ୍ତି । ଅହଂର ଆବଶ୍ୟକତା ଆତ୍ମାକୁ ରାଜୀ କରାଇ ଆଣୁଛି ଏବଂ ଆତ୍ମାର ଜନନୀବତ୍ ପ୍ରତ୍ୟୟଟି ମଧ୍ୟ ଅହଂର ଭୟଗୁଡ଼ାକୁ ଦୂର କରିଦେଇ ପାରୁଛି । ପ୍ରତିଦିନର ଜୀବନରେ ମୁଁ ସତେଅବା ନିଜ ଭିତରର ଜୀବନରେ ସେହି କଥାଟିକୁ ବୁଝିବି ପାରୁଛି । ପାଖକୁ ଯିବାପାଇଁ ଆଉ ମୋଟେ ଅଭିନୟ କରିବାକୁ ପଡ଼ୁନାହିଁ ଏବଂ, ଭିତରକୁ ଦମ୍ଭ ଦେବାପାଇଁ ବାହାରେ ମଧ୍ୟ ପ୍ରତିଦିନ କ’ଣ କମ୍ ଘଟଣା ଘଟୁଛି ? globalର ଆବଶ୍ୟକତା ହେତୁ ଓ localର ସମୃଦ୍ଧି ସହିତ ।

 

୧୩ । ୪ । ୨୦୦୬

 

ପ୍ରଶସ୍ତିପାଠରେ ଦେବୀଙ୍କୁ ‘ସର୍ବସ୍ୟାର୍ତ୍ତିହରେ’ ବୋଲି ସମ୍ବୋଧନ କରାଯାଇଛି । ବଡ଼ ବିଡ଼ମ୍ବନାର ବ୍ୟାପାର ଯେ, ଯାବତୀୟ ଉପଚାରରେ ପୂଜା ଓ ମାଜଣାର ନହବତରେ ବସିଥିବା ସମୟରେ ମନୁଷ୍ୟମାନେ ନିଜନିଜର ଆର୍ତ୍ତଗୁଡ଼ାକର ହରଣ ହୋଇଯିବା ନିମନ୍ତେ ପ୍ରାର୍ଥନା କରନ୍ତି ଅର୍ଥାତ୍ ଦୁଃଖ ଜଣାଇ ଥାଆନ୍ତି । କାହାର ଦୁଃଖ ଅଧିକ ବିତ୍ତ ନାହିଁ ବୋଲି,–ଅର୍ଥାତ୍ ଯେତିକି ବିତ୍ତ ପାଖରେ ରହିଛି, ସିଏ ତାହାକୁ ଯଥେଷ୍ଟ ବୋଲି ଅନୁଭବ କରିପାରୁନାହିଁ । ତେଣୁ ଅଧିକ ବିତ୍ତ ମାଗୁଛି । ଆଉକିଏ ରୂପ, ପୁଣି ଆଉକିଏ ଯଶ ମାଗୁଛି । କିଏ ପୁଣି ନିଜ ଶତ୍ରୁମାନଙ୍କର ଭୟରେ ଏପରି ଭାବରେ ନିତ୍ୟଶଙ୍କିତ ହୋଇ ରହିଛି ଯେ, ସିଏ ଦେବୀଙ୍କର କୃପାପାତଦ୍ଵାରା ସେହି ଶତ୍ରୁମାନଙ୍କର ନିପାତ ଇଚ୍ଛା କରୁଛି । ମାତ୍ର, ପ୍ରାର୍ଥନାର ଉପରଲିଖିତ ପଂକ୍ତିଟିରେ ସମସ୍ତଙ୍କ ଦୁଃଖର ହରଣ ହେଉ ବୋଲି ଯେ ନିବେଦନ କରାଯାଇଛି, ଗୋଟାଏ ଅତିରିକ୍ତ ଅଳପପଣ ଭିତରେ ପଡ଼ି ଅନେକେ ସେହି କଥାଟିକୁ କ’ଣ ପାଇଁ ପାସୋରି ପକାନ୍ତି କେଜାଣି ?

 

ସମସ୍ତଙ୍କର ଦୁଃଖ ଦୂରହେବାଦ୍ଵାରା ଯାଇ ମୋ’ ଦୁଃଖଟି ମଧ୍ୟ ଦୂର ହେବ, ଏହି କଥାଟିକୁ ପ୍ରକୃତିସ୍ଥ ହୋଇ ଭାବିବାଲାଗି ମଧ୍ୟ ଦୁଃଖୀ ମନୁଷ୍ୟମାନେ ନିଜ ଭିତରେ ପ୍ରାୟ ଏକ ହଡ଼କମ୍ପହିଁ ଅନୁଭବ କରୁଥିବେ । ସାମାନ୍ୟ ମୋ’ର ନିଜ ଗାଁଟିରେ ମଧ୍ୟ ସବୁ ମଣିଷଙ୍କର ଆର୍ତ୍ତି ଦୂର ହେଉ ବୋଲି ଭାବିବାବେଳକୁ ଓ ତଥାକଥିତ ସ୍ଵଦୁଃଖମାନେ ଦୂର ହେବାର ଆମ କଳ୍ପନାସୌଧଟାରେ ନିଶ୍ଚୟ କେତେକଅଣ ଟଳଟଳ ହୋଇଯିବା ପରିହିଁ ମନେ ହେଉଥିବ ! ତା’ପରେ ଦେବୀଙ୍କ ଆଡ଼କୁ ସିଧା ଅନାଇ ପାରିବାକୁ ଆଉ ସାହସ ହେବଟି ? ସେଇଥିପାଇଁ, ଆଗରୁହିଁ ନିଜର ସତ ଅବସ୍ଥାଟି ଜାଣି ଦେବୀଙ୍କର, ଆମ ଠାକୁରମାନଙ୍କର ଅଳିନ୍ଦଟାରେ ଆସି ପାଦ ଦେବାମାତ୍ରକେ ଆମ ଅନେକଙ୍କର ଆଖିଦୁଇଟା ବନ୍ଦ ହୋଇଯାଏ କି ? ସମ୍ଭବତଃ ରକ୍ଷା ହୁଏ ଯେ, ସେତେବେଳେ ଦେବୀ ମଧ୍ୟ ସତେଅବା ମୋଟେ ଦିଶନ୍ତିନାହିଁ ଓ ତତ୍‌ପରିବର୍ତ୍ତେ ଆମେ ନିଜହିଁ କେତେ ନା କେତେ ପରିପାଟୀରେ ଝଲମଲ ହୋଇ ଦେଖା ଯାଉଥାଉ !

 

୧୭ । ୪ । ୨୦୦୬

 

ଜୀବନପାଇଁ ସାହିତ୍ୟ ନା ସାହିତ୍ୟପାଇଁ ଜୀବନ ? ତଥାକଥିତ ଜୀବନବାଦୀମାନେ କହନ୍ତି ଯେ, ସାହିତ୍ୟ ହେଉଛି ଜୀବନପାଇଁ, ଏବଂ ତଥାକଥିତ ସାହିତ୍ୟବାଦୀମାନେ ମଧ୍ୟ ତେଣୁ କାହିଁକି ନକହିବେ ଯେ, ଜୀବନଟା ହେଉଛି ସାହିତ୍ୟପାଇଁ । ଏହିପରି ଗୋଟିଏ ଢଙ୍ଗର Either-Orର ଭାବବୁଦ୍ଧିର ଭେଳିକିଟାକୁ ଢାଙ୍କୁଣିବତ୍ ବ୍ୟବହାର କରି ରହିଥିବା ଆମେ ମନୁଷ୍ୟମାନେ ସତକୁସତ ଜୀବନ କିମ୍ବା ସାହିତ୍ୟ କେଉଁଟି ସକାଶେହିଁ ପୂର୍ଣ୍ଣ ବିଶ୍ଵାସର ସହିତ ନିଜକୁ ସମ୍ମତ କରି ରଖିଥାଉ ଯେ, ଆମେ ନିର୍ଭରଯୋଗ୍ୟ ଭାବରେ ଆପଣାକୁ ଏପଟର ଅଥବା ସେପଟର ବୋଲି କହି ପାରିବା ।

 

ଜୀବନଟିକୁ ବଞ୍ଚିବାର ନିତ୍ୟ–ଅନୁଭବର ସେହି ଲେଖନୀଟା ଯାହା ବା ଯେତିକିକୁ ଲେଖି ଲେଖି ହୋଇଯିବାକୁ ବାଟ ଛାଡ଼ି ଦେଇଥାଏ, ତାହାହିଁ ସାହିତ୍ୟ । ଏବଂ, କଲମ ଧରି ବସିଥିବାବେଳେ ମୁଁ ଯାହା ଲେଖୁଛି, ନିଜ ଭିତରଟାକୁ ମୋଟେ ଧୋକା ନଦେଇ ପସନ୍ଦଯୁକ୍ତ ଅଳଙ୍କାରଗୁଡ଼ିକର ଆଶ୍ରୟ ନନେଇ ନିଶ୍ଚୟ ଲେଖୁଛି ବୋଲି ଯାହା ମୋତେ ପରିପୂର୍ଣ୍ଣ ପ୍ରତ୍ୟୟଟିଏ ଦେଇ ଯାଉଥାଏ, ତାହାହିଁ ଜୀବନ । ଦୁଇ ପ୍ରକାରର କାଗଜ ଓ ତେଣୁ ଦୁଇ ପ୍ରକାରର ଚିହ୍ନଟ ଏବଂ ନାମକରଣ । ବହୁ ମଣିଷ ଚାହାଳିଚୋର ହୋଇଥିବାରୁ ସତେଅବା ଭୟପ୍ରଦ ଏହି ଜୀବନରୂପୀ ବେଢ଼ାଟିରେ ନିଯୁକ୍ତ ହୋଇ ରହିଥିବା ଜଗୁଆଳିମାନଙ୍କର ଅଗୋଚରରେ ବାରିପଟକୁ ବାହାରି ଯାଇ ଯେଉଁମାନେ ତାଆସ ଖେଳିବା ପରି ସାହିତ୍ୟ କରନ୍ତି, ସେମାନଙ୍କର ପ୍ରକୃତ ହାଲତଟା ବିଷୟରେ ଅବଶ୍ୟ କେବଳ ସେହିମାନେହିଁ କହିପାରିବେ । ଗୁରୁଜନମାନଙ୍କର ଆକଟ ଏବଂ ନଜରରୁ ବାହାରି ଯାଇ ପିଲାଦିନେ ଆମେ ଅନେକ ଯେପରି ବେଳେବେଳେ ବାରିପଟକୁ ଖସିକି ଯାଇ ତାଆସ ଖେଳୁଥିଲୁ, ଇଏ ପ୍ରାୟ ସେହିପରି ଏକ ବ୍ୟାପାର । ଜଗି ଜଗି ଜୀବନଟାକୁ ବଞ୍ଚିବା ଏବଂ ଜଗି ଜଗି ଗୋଟାଏ ଗୋଟାଏ ବିରଳ ମଉକା ପାଇଯିବାମାତ୍ରକେ ସାହିତ୍ୟ କରିବା,–ଇଏ ପୁଣି କିପରିକା ଏକ ଜୀବନ ଏବଂ କିପରିକା ଏକ ସାହିତ୍ୟବି ?

 

୨୬ । ୪ । ୨୦୦୬

 

ପରମାତ୍ମାଙ୍କର କୌଣସି ଲିଙ୍ଗ ନାହିଁ ବୋଲି ଆମର ଅଧ୍ୟାତ୍ମଶାସ୍ତ୍ରମାନଙ୍କରେ ଘୋଷଣା କରାଯାଇଛି । ପ୍ରାଣର ମଧ୍ୟ କୌଣସି ଲିଙ୍ଗ ନାହିଁ ବୋଲି ଆମ ପ୍ରଜ୍ଞାଗୁଡ଼ିକର ପ୍ରଣେତା ଋଷିମାନେ କାହିଁକି କହିନାହାନ୍ତି କେଜାଣି ? ସମାଜର ମୀମାଂସାକାରୀ ଚଳଣିମାନଙ୍କୁ ଭୟ କରି ସେମାନେ ସେହି କଥାଟିକୁ ଜାଣି ମଧ୍ୟ ଗୋପନ କରି ରଖିଛନ୍ତି କି ?

 

ପ୍ରାଣ ହେଉଛି ଧର୍ମତଃ ଏକ ଶକ୍ତି । ପ୍ରାଣରେହିଁ ପୃଥ୍ଵୀନାମକ ଏହି ଭୂମିଟି ତିଆରି ହୋଇଛି ଏବଂ ତାହାରି ବହୁବିଧ କ୍ରିୟାଶୀଳତା ତଥା ଦ୍ୟୋତନା ହେତୁ ଆମେ ସମସ୍ତେ ନିତାନ୍ତ ଏକ ବୀଜରୁ ଅଙ୍କୁରଟିଏ ହୋଇ ଏକ ବୃକ୍ଷରୂପେ ଆକାଶ ମଧ୍ୟକୁ ପ୍ରଲମ୍ବିତ ହୋଇ ଯିବାପାଇଁ ସାହସ ପାଇଛୁ । ଭିତରୁ ସେହି ଆତ୍ମାର ଭରସା ଅର୍ଥାତ୍ Affirmationଟିକୁ ପାଉଥିବା ଯାଏଁ, ଶାଖା ବିସ୍ତାରି କେଡ଼େ ସ୍ଵାଭାବିକ ଆସ୍ପୃହାରେ ଫୁଲ ଓ ଫଳରୂପେ ପ୍ରତିଭାତ ହୋଇପାରିଛୁ । ଏବଂ, ସେହି ଫୁଟିବାର ଏବଂ ଫଳି ପାରିବାର ଶଙ୍କାମୁକ୍ତ ଅଧିକାରଟିଏ ପାଇଛୁ ବୋଲି ସିନା ବ୍ରହ୍ମନାମକ ସତ୍ୟଟିର ବାସନାଟିକୁ ପାଇଛୁ ଏବଂ ସେଇଟିକୁ ଧାରଣ ମଧ୍ୟ କରିଛୁ । ଏବଂ, ରସୋମୟ ସେହି ବିଧାନଟିକୁ ମଧ୍ୟ ଅନୁଭବ କରି ଦେଖିଲ, ପୁନର୍ବାର ପ୍ରାଣ ହୋଇ ମାଟି ଭିତରେ ଆହୁରି ଅସୁମାରି ଫୁଲ, ଫଳ, ଦର୍ଶନ ତଥା ସ୍ପର୍ଶନ ନିମନ୍ତେ ମଧ୍ୟ ସାଇତା ହୋଇ ରହିଛୁ ।

 

ଆମର ମନଟା ଯଦି ଏତିକି ଏବଂ ତାହାକୁ ଆପଣାର ଅସଲ ରୀତି ବୋଲି ସ୍ଵୀକାର କରିନେଇ ପାରନ୍ତା, ତେବେ ଯେତେବି ସ୍ଥାନୀୟ ପରିପୋଷଣ ଉପରେ ନିର୍ଭର କରି ରହିଥିଲେ ମଧ୍ୟ ତଥାପି ସ୍ଥାନବଦ୍ଧ ନାନା ବିବେକ ମଧ୍ୟରେ ସିଏ କଦାପି ସଙ୍କୁଚିତ ହୋଇ ରହି ଯାଆନ୍ତାନାହିଁ । ମନଟା ନିତାନ୍ତ ସ୍ଥାନୀୟ ହୋଇ ରହିବାର ଏହି ଅଳ୍ପଟା ମଧ୍ୟରେ ଅତିବୁଦ୍ଧିଆ ହୋଇ ନିଜକୁ ଜଡ଼ାଇ ରଖୁଛି ବୋଲି ସିନା ଲିଙ୍ଗର ତରାଜୁରେ ମନୁଷ୍ୟମାତ୍ରକେ ଆମ ସମସ୍ତଙ୍କ ମଧ୍ୟରେ ରହିଥିବା ଶକ୍ତିରେ ମଧ୍ୟ ସେହି ଲିଙ୍ଗ ଅନୁସାରେହିଁ ଗୁଣବିଭାଜନର ଧୀଷଣାମାନବି କରିବାରେ ଲାଗିଛି !

 

୨୯ । ୪ । ୨୦୦୬

 

ବାରମ୍ବାର କହୁଥିଲି ଯେ, ମୁଁ ତାଙ୍କ କଥାକୁ ଆଦୌ ବୁଝି ପାରୁନାହିଁ । ତେଣୁ ତାଙ୍କୁ ଗୋଟିଏ କଥାହିଁ କହୁଥିଲି, ନାଇଁ ନାଇଁ, ଆପଣ ଏପରି କହନ୍ତୁ, ଯେପରିକି ମୁଁ ବୁଝି ପାରିବି, ଅବଶ୍ୟ ବୁଝିଯିବି । ଏହିପରି ଭାବରେ କିଛିକ୍ଷଣ ପରେ କ’ଣ ହେଲା ଓ ଘଟିଲା କେଜାଣି, ହଠାତ୍ ସବୁ ବୁଝିପାରିଲି । ଅର୍ଥାତ୍, ମୋ’ ଭିତରେ କ’ଣ କିଛି ଘଟିଲା, ଯାହା ଫଳରେ କି ମୁଁ ଏପର୍ଯ୍ୟନ୍ତ ବୁଝି ପାରୁ ନଥିଲି ଏବଂ ବର୍ତ୍ତମାନ ବୁଝିଗଲି, ଅଥବା, ତାଙ୍କ ଭିତରେବି ଏପରି ହୁଏତ କ’ଣ ଘଟିଲା, ଯାହାଫଳରେ କି ସିଏ ଏପର୍ଯ୍ୟନ୍ତ ମତେ ବୁଝାଇ ପାରୁ ନଥିଲେ, ମାତ୍ର ବର୍ତ୍ତମାନ ବୁଝାଇ ଦେଲେ । ବୁଝିଗଲି ବୋଲି ଅନୁଭବ କରିବା ସମୟରେ ମୁଁ ପ୍ରକୃତରେ ସବୁକିଛି ବୁଝି ଯାଇଥାଏ କି ? କେଜାଣି ?

 

ବୁଝିବା, ଅର୍ଥାତ୍ କତି ହୋଇ ଆସିବା । ପୃଥିବୀକୁ ବୁଝିବା ସକାଶେ ପୃଥିବୀର କତି ହୋଇ ଆସିବାକୁ ହୁଏ । ସତ୍ୟକୁ ବୁଝିବାକୁ ହେଲେ ସତ୍ୟର କତି ହୋଇ ଆସିବାକୁ ହୁଏ । ଭଗବାନଙ୍କୁ ବୁଝିବାକୁ ହେଲେ ଭଗବାନଙ୍କର କତି ହୋଇ ଆସିବାକୁ ହୁଏ । ହିସାବ କରୁଥିବା ଏବଂ ବୁଝି ପାରୁନାହିଁ ବୋଲି କହିବାରେ ଲାଗିଥିବା ମଥାଟା ନାହିଁ ନାହିଁ ଅପେକ୍ଷା ହଁ ହଁ କରିବାର ସେହି ଅନ୍ୟ ରୀତିଟିକୁ କ’ଣ ପାଇଁ ଏତେ ଡରୁଥାଏ କେଜାଣି ? ତେଣୁ, ବନ୍ଧୁ, ଚାଲ କତି ହୋଇ ଆସିବା, ଏବଂ ତେବେ ପରସ୍ପରକୁ ବୁଝି ପାରିବା । ତେଣୁ, ଆମର ହିସାବଗୁଡ଼ାକ ଯେ ଏକାବେଳେକେ ପୂରାପୂରି ମିଳିଯିବାଟା ଏକାନ୍ତ ଆବଶ୍ୟକ, ସେକଥା ମୋଟେ ନୁହେଁ । କ’ଣ ଗୋଟିଏ ସୂତା ପ୍ରାୟ ଆପେଆପେ କାହାର ଅତର୍କିତ ଶୁଭଇଚ୍ଛାର ଇଙ୍ଗିତ ପାଇ ହାତରେ ଆସି ଧରି ହୋଇଯିବ, ଯାହାର ବେଢ଼ଟି ଭିତରେ ତୁମେବି ଥିବ, ମୁଁ ବି ଥିବି । କେହି ଗଡ଼ ଜୟ କରିବାକୁ ହକହକ ହେଉ ନଥିବେ ଏବଂ ଆରପଟେ ସିଏ ଅନ୍ୟଜଣକ ମଧ୍ୟ ହାରିଯିବାର କୌଣସି ପ୍ରଶ୍ନ ନଥିବ । ତେଣୁ, ଜୀବନର ଅସଲ ଧର୍ମଟି ହେଉଛି କତି ହୋଇ ଆସିବା । ଏବଂ, ଏହିପରି କତି ହୋଇ ଆସୁ ଆସୁ ଏକତ୍ର କରି ସବୁଟିକୁ ଏକାବେଳେକେ ଦେଖି ପାରିବା ନିମନ୍ତେ ସମର୍ଥ ହେବା ।

 

୭ । ୫ । ୨୦୦୬

 

ମୁଁ ଭାବରେ ଲୋସଡ଼ି ପଡ଼ିବିନାହିଁ । ଭାବକୁ ବଞ୍ଚିବି । ଭଲ ପାଇବାର ଅର୍ଥ ନୁହେଁ ଯେ ଆମେ କେଉଁଠାରେ ବା କାହାପାଖରେ ଯାଇ ଲୋସଡ଼ି ପଡ଼ିବା । ଭଲ ପାଇବାର ଅର୍ଥ ହେଉଛି ଭଲ ପାଇବାକୁ ବଞ୍ଚିବା, ଭଲ ପାଇବାରେ ବଞ୍ଚିବା । ଅନେକ ଅନେକ ମଣିଷ ତ ଆପଣାର ଠାକୁରମାନଙ୍କୁ ନେଇ ଏପରି ଲୋସଡ଼ି ପଡ଼ିଥାଆନ୍ତି ଯେ, ଖାସ୍ ସେହିମାନଙ୍କୁହିଁ ଏକମାତ୍ର ଭଗବାନ୍ ବୋଲି କହନ୍ତି । ମୁଁ ଭଗବାନଙ୍କୁ ବଞ୍ଚିବି, ଭଗବାନଙ୍କୁ ନେଇ ମୋଟେ କୌଣସି ପ୍ରକାରେ ଲୋସଡ଼ି ପଡ଼ିବିନାହିଁ । ବଞ୍ଚିବାର ଅର୍ଥ ଆପଣାକୁ ଦେବା,–କିନ୍ତୁ ବହୁତ ମନୁଷ୍ୟ ଆପଣାର ଜୀବନରେ ପ୍ରଧାନତଃ ନିଜଦ୍ଵାରାହିଁ ସୃଷ୍ଟ ହୋଇଥିବା କ୍ଷତଗୁଡ଼ିକୁ ନେଇ ଏପରି ସନ୍ତାପିତ ଓ ସଦା–ଉତ୍ପୀଡ଼ିତ ହୋଇ ରହିଥାଆନ୍ତି ଯେ, ଯେଉଁଠାରେ ଡୋରଟିଏ ଲାଗୁଥିବା ପରି ଅନୁଭବ କରନ୍ତି, ସେଠାରେ ସେଇଟି ମଧ୍ୟକୁ ପୂରା ଲୋସଡ଼ି ପଡ଼ନ୍ତି । ସେମାନେ ସତ୍ୟଗୁଡ଼ିକୁ ମାରା କରିଦିଅନ୍ତି ।

 

ଓଡ଼ିଶାକୁ, ଓଡ଼ିଆ ଭାଷାକୁ ମୋ’ର ବୋଲି କହି ମୁଁ ମୋଟେ ଲୋସଡ଼ି ପଡ଼ିବିନାହିଁଟି ! ଅତୀତର ତ ସେତିକି ମୂଲ୍ୟ ଅଛି, ତାହା ଯେତେଦୂର ଯାଏଁ ମୋ’ର ବର୍ତ୍ତମାନଟିକୁ ସିଧା ଏବଂ ଫର୍ଚା କରି ଦେଖିପାରିବା ନିମନ୍ତେ ସହାୟକ ଆଖୁଗୁଡ଼ିକୁ ଯୋଗାଇ ଦେଇ ପାରୁଛି । ଏହି ବିଦ୍ୟମାନ ବର୍ତ୍ତମାନଟି ପାଖରୁ ସତେଅବା ପଳାଇ ଯିବାର ଅଭିପ୍ରାୟରେ ଅତୀତ ଅର୍ଥାତ୍, ଅଧିକ ନିର୍ଦ୍ଦିଷ୍ଟ ଭାବରେ କହିଲେ, ଯାହାସବୁ ପୂର୍ବେ ଥିଲା ବୋଲି ମୋ’ର ଚାଲାଖ ଆଖିମାନଙ୍କୁ ଧାରଣା ହେଉଛି, ତାହାର ଭିତରେ ଯାଇ ଆଶ୍ରୟ ନେବାଲାଗି ଇଚ୍ଛା କରୁଥିବା ନିହାତି ସ୍ଵତନ୍ତ୍ରମାନେହିଁ ନାନା ବର୍ଣ୍ଣନାବିନ୍ୟାସରେ ସେଇଟିକୁହିଁ ସଜାଇ ଓ ରଞ୍ଜାଇ ରଖିଥାନ୍ତି । ମୁଁ ଅତୀତ ମଧ୍ୟକୁ ଲୋସଡ଼ି ପଡ଼ିବିନାହିଁ । ମୁଁ ଅତୀତକୁ ମଧ୍ୟ ବଞ୍ଚିବି, ଅର୍ଥାତ୍ ଅତୀତ ମଧ୍ୟରୁ ସୂତାଗୁଡ଼ିକୁ ଲମ୍ବାଇ ଆଣି ମୁଁ ମୋ’ର ବର୍ତ୍ତମାନଟିକୁ ମଧ୍ୟ ଏକ ସମୁଚିତ ଉତ୍ତରାଧିକାର–ସୂତ୍ରରେ ଲାଭ କରିଥିବା ସମ୍ପଦରୂପେ ଗ୍ରହଣ କରିବି । ବନ୍ଧୁ, ମୁଁ ତୁମ ଉପରକୁବି ଲୋସଡ଼ି ପଡ଼ିବିନାହିଁ, ତୁମକୁ ବଞ୍ଚିବି !

 

୧୦ । ୫ । ୨୦୦୬

 

ଆତ୍ମୋପଲବ୍ଧି କହିଲେ ଆମ ଶାସ୍ତ୍ରଗୁରୁ ତତ୍ତ୍ଵମାନେ ସାଧାରଣତଃ ଯାହା ବଖାଣି ହେଉଥାଆନ୍ତି, ସେଥିରୁ ବେଳେବେଳେ ମନେ ହେଉଥାଏ ଯେ, ଏଥର ତୁମେ କୁଆଡ଼େ ମନ କୁଆଡ଼େ ନାନା ବିକ୍ଷିପ୍ତ ହୋଇ ରହିଥିବା ସକଳ ଥାନରୁ ନିଜର ଘରଟିକୁ ଫେରିଆସ, ସବୁଯାକ ଦଉଡ଼ିକୁ କାଟିଦିଅ ଏବଂ ନିଜର ବାହାରେ ଏହି ବୃହତ୍ତାଟି ଭିତରକୁ ଯେପରି ଆଉ କେବେହେଲେ ଚହଲି ନପଡ଼ିବ, ସେହି ବିଷୟରେ ସାବଧାନ ହୁଅ,–ଏବଂ, ସେହି କାର୍ଯ୍ୟଟିରେ ତୁମକୁ ସାହାଯ୍ୟ କରିବା ଲାଗି ଗୁରୁଙ୍କର ଆଶ୍ରୟ ଗ୍ରହଣ କର ।

 

ମୁଁ ଭାବେ, ଆତ୍ମୋପଲବ୍ଧିର ବରଂ ଏପରି ଅର୍ଥଟିଏ କରାଯାଇପାରିବ ଯେ, ଜଗତ ବୋଲି କୁହାଯାଉଥିବା ଏହି ସବୁଟି ନିମନ୍ତେ ମୋ’ ଭିତରେ ନିଶ୍ଚୟ ଥାନ କରାଯାଇପାରିବ । ସବୁ ମଣିଷଙ୍କ ଲାଗି ଆନ କରିଦେଇ ପାରୁଥିବା ସେହି ଭାଗବତ ସାହସଟିର ଯେଉଁ ଉପଲବ୍ଧି, ତାହାହିଁ ଆତ୍ମ–ଉପଲବ୍ଧି । ସେହି ସବୁ ମଣିଷବି ଆପଣା ଜୀବନର ସର୍ବବିଧ ଧାବନରେ ବସ୍ତୁତଃ ଆପଣାକୁ ଉପଲବ୍ଧି କରିବାଲାଗିହିଁ ଘରୁ ବାହାରିଛନ୍ତି–ଏବଂ ସେଇଥିରୁ ପୁଞ୍ଜି କରି, ଖୁସୀ ସଂଗ୍ରହ କରି ଘରଟିଏ ସତକୁସତ ଠାବ ହୋଇଗଲା ବୋଲି ଯେଉଁ ଅନୁଭବଟିକୁ ଲାଭ କରୁଛନ୍ତି, ଧର୍ମତଃ ସେଇଟିକୁହିଁ ଆତ୍ମୋପଲବ୍ଧି ବୋଲି କୁହାଯିବ । ତାହା ହେଉଛି ସତକୁସତ ଏକ ବିଶ୍ଵ–ବନ୍ଧନର ଉପଲବ୍ଧି । ମୋ’ ବାଟଟିକୁ ମୁଁ ସେମାନଙ୍କ ସମସ୍ତଙ୍କର ମେଳଟି ଭିତରେ ରହି ଏବଂ ସେହି ଗୋଟିଏ ସକାଳର ପ୍ରତୀକ୍ଷା କରି ମୁଁ ମୋ’ ଜୀବନର ସତ୍ୟରୂପେ ଯାହାକିଛିର ପରିଚୟ ଲାଭ କରୁଛି, ତାହାହିଁ ହେଉଛି ଯାବତୀୟ ଔଚିତ୍ୟ ସହିତ ମୋ’ର ଆତ୍ମ–ଉପଲବ୍ଧି । କେନ୍ଦ୍ରଟିଏ ଅଛି, ଅର୍ଥାତ୍ ପଥଟିଏ ଅଛି । ପଥଟିଏ ଅଛି, ଅର୍ଥାତ୍ ପଥିକମାନେ ମଧ୍ୟ ଅଛନ୍ତି । କେବଳ ଏକାକୀ ମୁଁ ନୁହେଁ, ସତ୍ୟ–ପରିଚିତିର ସେହି ସକାଳଟି ଅବଶ୍ୟ ରହିଛି ବୋଲି ପ୍ରତ୍ୟୟ ରଖି ଆମେ ସମସ୍ତେ କାହାରି ନା କାହାରି ଭେଟ ପାଇବାକୁ ବାଟ ଚାଲୁଛୁ ଏବଂ ପ୍ରତ୍ୟେକ ମୁହୂର୍ତ୍ତରେ କାହାକୁ ନା କାହାକୁ ଅବଶ୍ୟ ଭେଟିବାରେ ଲାଗିଛୁ । ଏହି ଭେଟିବାଟି ନଥିଲେ ଆମ ଜୀବନରେ ଆତ୍ମୋପଲବ୍ଧି ବୋଲି ଆଉ ପ୍ରକୃତରେ କୁଆଡ଼େ କିଛିହିଁ ନଥାନ୍ତା !

 

୧୬ । ୫ । ୨୦୦୬

 

ସେଇ ଦିନଠାରୁ ସତେଅବା ବାଟ ଚାଲିବାର ସୁରାଖଟିଏ ପାଇଗଲି । ସାଙ୍ଗ ଖୋଜିଲି । ତେଣୁ, ନିଃସଙ୍ଗ ବୋଲି ଅନୁଭବ କରିବାର ସେହି ମହତୀ ଦୁର୍ଗତିଟିରୁ ସତକୁସତ ରକ୍ଷାବି ପାଇଲି । ସାଙ୍ଗଟିଏ, ଉଚିତ ସାଙ୍ଗଟିଏ କିପରି ବାଛିବ, ଏବଂ ତାହାରି ବଳରେହିଁ କେବେହେଲେ ଝୁଣ୍ଟିବନାହିଁ ଅର୍ଥାତ୍ ଧୋକାରେବି ପଡ଼ି ଯିବନାହିଁ । ସେଥିଲାଗି ପ୍ରଜ୍ଞାଶୀଳ ନୀତିକାରମାନେ ଏକାଧିକ ପ୍ରକାରର ପରାମର୍ଶ ରହିଥିବା ପୁସ୍ତକମାନ ଲେଖି ଯାଇଛନ୍ତି । ମୁଁ ସେଗୁଡ଼ିକୁ ମୋଟେ ଡରିଲିନାହିଁ । ତେଣୁ, ସେଗୁଡ଼ିକୁ ଖୁବ୍ ପଢ଼ିଲି । ମାତ୍ର, ତଥାପି ମୋ’ ଭିତରୁ ସତେଅବା ଜଣେ Eternal thou ମୋତେ ବାଟ ବତାଇ ଦେଉଥିବା ପରି ମୋ’ର ସୁଧର୍ମର ବୋଲକୁ ମାନି ଆଗକୁ ବାହାରିଗଲି । ଏବେ ଭାବୁଛି, ଏହି ଏତେ ସାଙ୍ଗ, ଏତେ ପ୍ରିୟଜନଙ୍କୁ ନିଜର ଏହି ଜୀବନରୂପୀ ଘରଟିରେ ମୁଁ ଥାନ ଦେଇ ପାରିଲି, କୌଣସି ବହି, ଗୁରୁ ଅଥବା ଖାସ ପରିମଳଟିଏ ମାନିଥିଲେ ମୁଁ ନିଜକୁ ଏତେ ସମ୍ପଦବାନ୍ ବୋଲି ଆଦୌ ଅନୁଭବ କରି ଥାଆନ୍ତି କି ?

 

ସାଙ୍ଗ କରିବାର ଅର୍ଥ ହେଉଛି ମୂଳତଃ ସବୁଠାରେ ଜଣେ ସାଙ୍ଗ ହୋଇ ପାରିବାର ଯୋଗ୍ୟ ହେବା,–ଏହି କଥାଟିକୁ ମୁଁ ଏକାଧିକବାର ଲେଖିଛି ଓ କହିଆସିଛି । ଆଜି ଭାବୁଛି, ସେତିକିଦ୍ଵାରା ମୁଁ ମୋଟେ ସବୁ କଥା ପାରିନାହିଁ । କିଛି ହେବାଲାଗି ସଚେତନ ହେବା, ଏପରିକି ପୂର୍ଣ୍ଣଭାବେ ଚେଷ୍ଟା କରିବା,–ଏଇଟି ପ୍ରକୃତରେ କିପରି ବାଟଟିଏ ହୋଇଥିବ କେଜାଣି ? ସକାଳଟି ନିମନ୍ତେ ପ୍ରସ୍ତୁତ ହେବାରେ ରାତିଯାକ ସନ୍ତାପିତ ହୋଇ ରହିଲେ ସକାଳଟି ମଧ୍ୟରେ କେତେଦୂର ଯେ ଆପଣାକୁ ମୁକୁଳାଇ ଦେଇ ହୁଏ, ମୁଁ କେବେହେଲେ ସେହି କଥାଟିର ପରୀକ୍ଷା କରିନାହିଁ । ଆଜି ନିଜ ଜୀବନରେ ପାଇଥିବା ସବୁ ସାଙ୍ଗକୁ ମୁଁ ପ୍ରଣାମ କରୁଛି ଯେ, ସେମାନେ ମୋ’ ଭିତରେ ଏହି ତମାମ ସମସ୍ତଙ୍କୁ ଜଣେ ସାଙ୍ଗର ଆଖିରେ ଦେଖି ପାରିବାର ସହଜ ବଳଟିଏ ମୋତେ ଦେଇ ପାରିଛନ୍ତି ।

 

୨୫ । ୫ । ୨୦୦୬

 

ଈଶାବାସ୍ୟୋପନିଷଦ ଏହି ପୃଥିବୀରେହିଁ ଲେଖା ହୋଇଥିଲା । ଜଙ୍ଗଲ ହେଉ କିମ୍ବା ଜନପଦ ହେଉ,–ସେଇଟି ଆମର ଏହି ପୃଥିବୀରେହିଁ ଅବସ୍ଥିତ ଥିଲା ଯିଏ ରଚନା କରିଥିଲେ, ସିଏ ଏହି ପୃଥିବୀରେହିଁ ଜନ୍ମଲାଭ କରିଥିଲେ । ସକଳବିଧ ତୃଷ୍ଣା କିମ୍ବା ବିତୃଷ୍ଣା,–ସବୁକିଛି ତ ଏହି ପୃଥିବୀରହିଁ ପରିପ୍ରେକ୍ଷୀରେ । ମୋ’ ଚାରିପାଖରେ ମୋ’ର ଏହି ନିଜ ଇନ୍ଦ୍ରିୟଗୁଡ଼ିକଦ୍ଵାରା ଉପଲବ୍ଧ ଦ୍ଵାର ପରିମଳଗୁଡ଼ିକର ମାଧ୍ୟମଦ୍ଵାରା ମୁଁ ଯାହାକୁ ପୃଥିବୀ ବୋଲି ଚିହ୍ନିଲି ଅଥବା ଯାହାକୁ ମୋତେ ମୋ’ର ପୃଥିବୀ ବୋଲି ବୁଝାଇ ଦିଆହୋଇ ତାହାରି ସହିତ ନିଜକୁ ଅନୁକୂଳିତ କରି ରଖିବାଲାଗି ନିର୍ଦ୍ଦେଶନା ଆସିଲା, ସେହି ପୃଥିବୀ ମୋତେ ଭଲ ଲାଗିଲା ଓ ମୁଁ ଏଇଟି ସହିତ ସାଧୁନା ସହକାରେ ଖାପ ଖାଇଗଲି । ଏବଂ, ଅନ୍ୟ ପକ୍ଷରେ, ଯଦି ସେତିକିରେ ମନ ଏବଂ ଆହୁରି ଭିତରର ସତେଅବା ଆଉକିଏ ବୋଧ ହୋଇ ପାରିଲାନାହିଁ,–ସିଏ ତେଣୁ ଆହୁରି କିଛି ଖୋଜିଲା । ସେଇଟି ଅନୁସାରେବି ଭରସା ଏବଂ ପ୍ରତ୍ୟୟ ସହିତ ଆଉ ଗୋଟିଏ ପୃଥିବୀ ନିମନ୍ତେ ତପସ୍ୟା କଲା । ଏଠା କୋଳାହଳ ଭିତରେ ସହଜ ହେବନାହିଁ ବୋଲି ସିଏ ଏହି ଜନପଦଟିରୁ ଜଙ୍ଗଲକୁ ବାହାରି ଯାଇଥିଲା । ଏହି ପୃଥିବୀ ବିଷୟରେ ଏକ ଅନ୍ୟ ଚିତ୍ରକୁ ସମ୍ମୁଖରେ ତୋଳି ରଖି ସିଏ ତପସ୍ୟା କଲା । ଏକ ଅନ୍ୟ ସମର୍ପଣରେ ଆପଣାକୁ ମନାଇ ନେଲା, ମଣ କରିନେଲା । ହୁଏତ ତାହାହିଁ ଯାବତୀୟ ଅର୍ଥରେ ଆମେ ବୁଝିବା ଲାଗି ଅଧ୍ୟାତ୍ମ ବୋଲାଇଲା ।

 

ତେଣୁ, ଈଶୋପନିଷଦ ଏହି ପୃଥିବୀ ଲାଗି ରଚିତ ହୋଇଛି ବୋଲି କହିଲେ ତାହା ଆଦୌ ଅନୁଚିତ ହେବନାହିଁ । ଅର୍ଥାତ୍, ତାହାର ଯାବତୀୟ ବ୍ୟାଖ୍ୟା ସର୍ବଦା ସେହି ଆଲୋକରେହିଁ ହୋଇପାରିବା ଉଚିତ । ପୃଥିବୀଭୀତମାନେ ପୃଥିବୀକୁ ଛାଡ଼ି ମନେମନେ ବାହାରକୁ ଚାଲି ଯାଇଥିବା ତଥାକଥିତ ଈଶ୍ଵର ସନ୍ଧାନୀମାନଙ୍କ ସହିତ ସଲା କରି ଆମକୁ ସେହି ଅସଲ କଥାଟିରୁ କାହିଁକି ଭୁରାଡ଼ି ରଖି ଆସିଛନ୍ତି କେଜାଣି ? ଘରଭିତରେ ଥାଇ ମଧ୍ୟ ଆମକୁ ଘରଛଡ଼ା କରି ରଖିବାର ବେଶ୍ ବରାଦଟାଏ କରି ରଖିଛନ୍ତି ।

 

୨୯ । ୫ । ୨୦୦୬

 

ବୁଦ୍ଧି, ତା’ପରେ ବିବେକ ଓ ତା’ପରେ ପ୍ରଜ୍ଞା । ବୁଦ୍ଧି ପରିପକ୍ଵ ହେଲେ ବିବେକ,–ଇଂରାଜୀ ଭାଷାରେ idiom ଗତ କେତେ ବ୍ୟଞ୍ଜନାର ଭାବାନୁରାଗ ଯୋଡ଼ିଦେଇ ଯାହାକୁ reason ବୋଲି କୁହାଯାଇଛି, ଆମ ଭାଷାରେ ଆମେ ବେଶ୍ ସଂଗତି ରକ୍ଷା କରି ବିବେକ ବୋଲି କହିପାରିବା । ଫଳଟିଏ ପାଚି ଆସିଲେ ତା’ର ବପୁଟି କ୍ଷୁଦ୍ର ହୋଇ ଆସିଥାଏ । ବୁଦ୍ଧି ପ୍ରସାରିତ ହେଲେ ବିବେକ ବୋଲାଏ । ଏବଂ, ବିବେକ ପ୍ରସାରିତ ହେଲେ ତାହାହିଁ ପ୍ରଜ୍ଞା ହେବାର ଦାବି କରିଥାଏ । ବନ୍ଧୁ, ପ୍ରସାରିତ ସେହି ବିବେକର ଅଧିକାରଟିକୁ ଲାଭ କରିବାଦ୍ଵାରା ବୁଦ୍ଧିକୁ ମୋଟେ ଛାଡ଼ିଯିବାକୁ ହୋଇ ନଥାଏ । ଆପଣାର ଅଣ୍ଟାଟାକୁ ଭାଙ୍ଗିପାରିଲେ ଯାଇ ବୁଦ୍ଧି ବିବେକକୁ ମନ କରେ,–ଭୟଗୁଡ଼ାକୁ ଛାଡ଼ି ବିବେକର ନିକଟବର୍ତ୍ତୀ ହୁଏ । ଠିକ୍ ସେହିପରି, ପ୍ରଜ୍ଞାକୁ ମଧ୍ୟ ଆମ ଭାବବୋଧର ଆହୁରି ଏକ ପ୍ରସାରିତ ସ୍ତର ବୋଲି କୁହାଯିବ, ଯେଉଁଠାରେ ଆଗର ସେହି ବୁଦ୍ଧିଟି ମଧ୍ୟ ଆଦୌ ବହିଷ୍କୃତ ହୋଇ ଚାଲିଯାଇ ନଥାଏ ।

 

ସେହି କାରଣରୁ ହେତୁ ମଧ୍ୟ ତିନି ପ୍ରକାରର, ତିନି ଆୟତନର । ବୁଦ୍ଧିସ୍ତରର, ବିବେକ–ସ୍ତରର ଏବଂ ପ୍ରଜ୍ଞା–ସ୍ତରର । ବୁଦ୍ଧିସ୍ତରର ହେତୁ ପ୍ରସାରଲାଭ କଲେ ବିବେକସ୍ତରର ହେତୁଟି ମଧ୍ୟରେ ଆପଣା ନିମନ୍ତେ ଥାନଟିଏ ପାଇଯାଏ । ତେଣୁ, ପ୍ରଜ୍ଞାର ସେହି ଅନ୍ୟ ସ୍ତରର ହେତୁଟି ଭିତରେ ମଧ୍ୟ ବୁଦ୍ଧିସ୍ତରୀୟ ତଥା ବିବେକ–ସ୍ତରୀୟ ହେତୁମାନେ ଅବଶ୍ୟ ରହି ଥାଆନ୍ତି । ଖାଲି ବୁଦ୍ଧିସ୍ତରର ତଥାକଥିତ ହେତୁବାଦଟା ହୁଏତ ଏକାଧିକ ଅର୍ଥରେ ଆମ କ୍ରମୋଦୟର କାହାଣୀଟିରେ ପ୍ରାୟ ଏକ ନାସ୍ତିକତାର ଭୁରୁଡ଼କୁହିଁ ପ୍ରୋତ୍ସାହିତ କରି ଆସିଛି । ଜୀବନର ଅସଲ ଧର୍ମ ହେଉଛି ଏକ ନିତ୍ୟ–ଉତ୍ତୋଳନ ନିମନ୍ତେ ସମ୍ମତି । ତେଣୁ, ହେତୁବାଦ ଆପଣାକୁ ସେହି ଏକମାତ୍ର ବୁଦ୍ଧିଟାର ସାହିରେହିଁ ଏକମାତ୍ର ବ୍ରାହ୍ମଣ ବୋଲି ଭାବୁଥିବା ପର୍ଯ୍ୟନ୍ତ ପ୍ରକୃତରେ ବଡ଼ ବେକୁବ୍ ହୋଇ ମଧ୍ୟ ରହିଥିବ ।

 

୬ । ୬ । ୨୦୦୬

 

ଆମ ମନନାମକ କାରିଗରଟି ଖୁବ୍‌ସମ୍ଭବ ଆମ ଅହଂନାମକ ଏହି ଖାସ୍ ମହକୁମାଟାକୁ ତିଆରି କରିଛି । ଅଥବା, ଯେତେ ଶ୍ଳେଷ ପରି ଶୁଣା ଯାଉଥିଲେ ମଧ୍ୟ, ଏହି ନିତାନ୍ତ ଏକରତି ଅହଂଟାହିଁ ଗୋଟିଏ ଅତ୍ୟୁତ୍ତମ ହିସାବୀ ସଦୃଶ କେବଳ ଗୋଟିଏ ମାତ୍ର ଅନ୍ତସ୍କରଣ ଦେଇ ପୃଥିବୀଟାକୁ ଦେଖି ଆସିଛି ଏବଂ ସେଇଟିକୁହିଁ ମନୁଷ୍ୟମାନେ କାଳକ୍ରମେ ଗୋଟିଏ ନାମ ଦେଇ ମନ ବୋଲି କହି ଆସିଲେଣି ।

 

ଆମ ମନଟା ଯେତେବେଳେ କାଳେ କାଳେ ଏଡ଼େ ବୁଦ୍ଧିଆଟାଏ ହୋଇ ରହିଆସିଛି, ସେତେବେଳେ ସିଏ ହୃଦୟନାମକ ସେହି ଅନ୍ୟ ତତ୍ତ୍ଵଟିକୁ ଆଦୌ ଚିହ୍ନି ପାରିନାହିଁ ବୋଲି ମୋଟେ କୁହାଯାଇ ପାରିବନାହିଁ । ହୃଦୟଟାର କରାମତିକୁ ମନ ଜାଣିଛି ବୋଲି ସିନା ତା’ଠାରୁ ରକ୍ଷା ପାଇବ ବୋଲି ଲୁଚି ଲୁଚି ବୁଲୁଛି । ଅର୍ଥାତ୍, ଆମେ ଯେଉଁମାନେ ଆମଭିତରେ ହୃଦୟଟିଏ ରହିଛି ବୋଲି ସେହି ମୂଳରୁହିଁ ଅବଗତ ରହିଛୁ ଅଥଚ ତାହାକୁ ବେଶ୍ ଠଉରାଇ ପାରୁଥିଲେ ମଧ୍ୟ ତଥାପି କିଛି ନଜାଣିଥିଲା ପରି ଆଚରଣ ଦେଖାଇ ଆସିଛୁ, ସେଇମାନେହିଁ ସତେଅବା ସେହି ଅନୁସାରେ ପ୍ରାୟ ବାଧ୍ୟ ହୋଇ ମନକୁହିଁ ଆମ ଜୀବନର ସକଳ ଆୟତନରେ ସକଳନିୟାମକରୂପେ ଗ୍ରହଣ କରି ନେଇଛୁ । ଏବଂ, ସୁଯୋଗଟିଏ ପାଇ ପାରୁଥିଲେ ହୃଦୟ ପ୍ରକୃତରେ ଯୋଉଠି ଯାଇ ପହଞ୍ଚି ପାରନ୍ତା, ସିଏ ସେଠାରେ ସବାଆଗ ଅନ୍ୟମାନଙ୍କର ହୃଦୟକୁହିଁ ମାଧ୍ୟମ କରି ଅନ୍ୟମାନଙ୍କୁ ମଧ୍ୟ ଚିହ୍ନନ୍ତା । ମୂଳତଃ ହୃଦୟଦ୍ଵାରାହିଁ ସମସ୍ତଙ୍କର ନିକଟବର୍ତ୍ତୀ ହେବା ଯଦି ଆମ ଜୀବନର ଧର୍ମ ହୁଏ, ତେବେ ଆମର ମନଟା ମଧ୍ୟ ଅତ୍ୟନ୍ତ ସହଜ ଭାବରେ ହୃଦୟର ପରିକର ହୋଇବି ରହନ୍ତା । ଆଦୌ ଉପଦ୍ରବ କରନ୍ତାନାହିଁ । ଗୋଟିଏ ହୃଦୟ ଆଉଗୋଟିଏ ହୃଦୟକୁ ନିକଟ କରି ପାଇ ଖୁବ୍ ଖୁସୀବି ହୁଅନ୍ତା । ଏବଂ, ସେହି ପାରସ୍ପରିକତାହିଁ ହୃଦୟଗୁଡ଼ିକୁ ଯୋଡ଼ିବା, ହୃଦୟକୁ ଉଚିତ ଖାଦ୍ୟ ଦେଇ ଅନୁକ୍ଷଣ ବଞ୍ଚିବାର ଏକ ଅନ୍ୟ ନାମ । ପୃଥିବୀର ଧର୍ମଗୁରୁମାନେ ଖାସ୍ ଆପଣାର ପ୍ରୀତ୍ୟର୍ଥେହିଁ ଆମ ପୃଥିବୀଟାକୁ ନାନା ପାର୍ଥକ୍ୟଦ୍ଵାରା ଅଲଗାଅଲଗା କରି ରଖି ହୃଦୟରହିଁ ସବୁଠାରୁ ଅଧିକ କ୍ଷତି କରି ଆସିଛନ୍ତି । ଆମ ମନଟାକୁ ଅତିରିକ୍ତ ମୁହଁ ଦେଇ ତାହାର ଏକ ପରିକର ହୋଇ ରହିବାର ଅସଲ ବଳଟିକୁ ମଧ୍ୟ ହରଣ କରି ନେବାରେ ଲାଗିଛନ୍ତି ।

 

୭ । ୬ । ୨୦୦୬

 

ଯାବତୀୟ ଆଦର୍ଶବାଦରେ ‘ମୁଁ’ଟା ସବାଆଗରେ । ଏବଂ, ଆଦର୍ଶଟି ପଛରେ । ତେଣୁ, ଆଦର୍ଶର ମୁଖା ଧାରଣ କରିଥିବା ‘ମୁଁ’ମାନେହିଁ ମଉକା ପାଇବାମାତ୍ରକେ ଆଦର୍ଶବାଦ ନାମରେ ପତାକା ଉଡ଼ାଇ ଦାଣ୍ଡକୁ ବାହାରି ପଡ଼ନ୍ତି ।

 

ସବୁଯାକ ଆଦର୍ଶ ଆଦର୍ଶବାଦର ପଥରଗୁଡ଼ାକ ଉପରେ ଛେଚି ହୋଇ ବିଭ୍ରଷ୍ଟ ହୋଇଗଲେ ସତ, ମାତ୍ର ତଥାପି ଅବଶ୍ୟ ରହିଲେ । ତୁଚ୍ଛା ଆତ୍ମପ୍ରେମୀମାନେ ପ୍ରେମନାମକ ପଦାର୍ଥଟିକୁ ଖଣ୍ଡିଆଖାବରା କରି ପକାଇବାକୁ କାଳେକାଳେ ଚେଷ୍ଟା କରି ଆସିଥିଲେ ମଧ୍ୟ ତଥାପି ପ୍ରେମ ରହିଲା ଓ ରହିଛି,–ମନୁଷ୍ୟମାନଙ୍କୁ ଆକର୍ଷିତ କରୁଛି । ଯୁଗେଯୁଗେ କରିଛି । ମନୁଷ୍ୟମାନେ ସେତେ ପର୍ଯ୍ୟନ୍ତ ସମ୍ମତ ହୋଇ ପାରୁନାହାନ୍ତି ବୋଲି ହଟି ଯାଉଛି ଓ ପ୍ରବଳମାନଙ୍କର ସମ୍ମୋହନ ଭିତରେ ଯାଇ ପଡ଼ିଯାଉଛି ସତ, ତଥାପି ପ୍ରେମ ରହିଛି,–ରହିଥିବ । ଏବଂ, ଆପଣାର ଭିତରଟାକୁ ଅର୍ଥାତ୍ ଗଭୀରତମ ପ୍ରତ୍ୟୟଗୁଡ଼ିକୁ ସାକ୍ଷୀ ରଖି କହିବାପାଇଁ ସାହସ ହେଉଛି ଯେ, କ୍ରମେ ସବୁକିଛି ଅବଶ୍ୟ ଫରଚା ହୋଇ ଆସିଛି । ପୃଥ୍ଵୀ–ବିବର୍ତ୍ତନର ଇତିହାସରେ ସମ୍ଭବତଃ ସେଇଟି ହେଉଛି ସବୁଠାରୁ ବଡ଼ ଘଟଣା ।

 

ଏବଂ, ଆଦର୍ଶବେଳକୁ ମଧ୍ୟ ଠିକ୍ ସେହି କଥାଟି କୁହାଯାଇ ପାରିବ କି ? ସକଳବିଧ ଆଦର୍ଶବାଦ ସତ୍ତ୍ୱେ ତଥାପି ଆଦର୍ଶ ବା ଆଦର୍ଶମାନେ ରହିବେ, ରହିଥିବେ । ଯାପତୀକ ପ୍ରକାରର ସମ୍ମୋହନ ସତ୍ତ୍ୱେ ଆଦର୍ଶବାଦ ବିଷୟରେ ଆମ ମନୁଷ୍ୟମାନଙ୍କର ମୋହଭଙ୍ଗ ହେଉଥିବ ଓ ବାଟମାନେ ଫରଚା ହୋଇ ଆସୁଥିବେ । ବାଟମାନେ ଯେ ଫରଚା ହୋଇ ଆସୁଛନ୍ତି, ଆମ ପୃଥିବୀରେ ସେଇଟି ହେଉଛି ଇତିହାସର ସବାବଡ଼ ଘଟଣା । ଏବଂ, ସେଇଥି ସକାଶେହିଁ ବିଶ୍ଵାସ ତଥାପି ତୁଟି ଯାଉନାହିଁ, ଆତ୍ମଘାତୀ ହେବାକୁ ଭିତରଟା ମୋଟେ ରାଜୀ ହେଉନାହିଁ ।

 

୯ । ୬ । ୨୦୦୬

 

ସୂକ୍ଷ୍ମ ଏବଂ ସ୍ଥୂଳକୁ ନେଇ ବିଭିନ୍ନ ସମ୍ପ୍ରଦାୟର ପ୍ରବୀଣମାନେ କେତେ ନା କେତେ ଘାଣ୍ଟି ନହୋଇଛନ୍ତି ! ମୁଁ ବି କ’ଣ ସବୁ ଲୋଭରେ ପଡ଼ି ସେହିଗୁଡ଼ିକ ଭିତରେ ଯାଇ କେତେ ପଶିଯାଇଛି-। ସୂକ୍ଷ୍ମ ଓ ସ୍ଥୂଳ, ରୂପ ଓ ଅରୂପ,–ଏହିପରି କେତେକଅଣ ବିରୋଧିତାରେ ଆଳଙ୍କାରିତା ଖଞ୍ଜି ଦେଇ କେତେ ନା କେତେ କଥା ! ପଥ ପଥ ମଧ୍ୟରେ ଦ୍ଵେଷ ଓ କେତେ ନା କେତେ ନାକଟେକାର ଭିଆଣ,–ଏବଂ କେତେ କେତେ ଦୂରତା । ଅତି–ସୂକ୍ଷ୍ମବାଦୀମାନେ ଅପରପକ୍ଷଟାକୁ ଚିହ୍ନାଇଦେବେ ବୋଲି ମାୟାବାଦ ନାମକୁ ସେହି ଅକଥାଟାକୁବି ବାହାର କରିଛନ୍ତି । ଯାହାକିଛି ଦୃଷ୍ଟିଗୋଚର ହେଉଛି, ଇନ୍ଦ୍ରିୟଦ୍ଵାରା ଗ୍ରାହ୍ୟ ହୋଇ ପାରୁଛି, ଆମେ ସେଗୁଡ଼ିକୁ ମାୟା ବୋଲି ଜାଣିଲେ ଯାଇ ଅସଲଟିକୁ ଘ୍ରାଣ କରି ପାରିବା ବୋଲି ସେମାନେ ଜଗତ୍‌ବାସୀ ଆମ ସମସ୍ତଙ୍କୁ କହିବାପାଇଁ ଇଚ୍ଛା କରିଛନ୍ତି କି ?

 

ବନ୍ଧୁ, ତୁମେ ସ୍ଥୂଳକୁ ନଜାଣିଲେ ସୂକ୍ଷ୍ମକୁବି କିପରି ଜାଣିବ ଏବଂ ସୂକ୍ଷ୍ମକୁ ନଜାଣିଲେ ଏହି ତଥାକଥିତ ସ୍ଥୂଳକୁ, ଜଗତକୁ ମଧ୍ୟ କିପରି ଶ୍ରଦ୍ଧାର ଖିଅଟିକୁ ଲଗାଇ ଅନୁଭବ କରି ପାରିବ ? ଅର୍ଥାତ୍, ଏହି ଜଗତକୁ ଆପଣାର ଜୀବନରେ ବଞ୍ଚି ପାରିବ ?–ଏଭଳି କଥାଟିଏ କହିବା ନିମନ୍ତେ ମଧ୍ୟ ଆମକୁ କ’ଣ ଗୋଟାଏ ଦୁଃସାହସହିଁ କରିବାକୁ ପଡ଼ିବ । ସମ୍ପୂର୍ଣ୍ଣ ଦେଖିବା, ଅର୍ଥାତ୍ ମୂଳ ଓ ଶାଖାଗୁଡ଼ିକୁ ଯୁଗପତ୍ ଭାବରେ ଦେଖିବା । ଯଦି ମୂଳଟି ଶାଖାକୁ ମାୟା ବୋଲି କହି ପ୍ରତ୍ୟାଖ୍ୟାନ କରେ, ଏବଂ ଶାଖାମାନେ, ପତ୍ର, ପୁଷ୍ପ ଓ ଫଳର ଏହି ସମଗ୍ରଟି ମଧ୍ୟ ଯଦି ମୂଳକୁ ଅସ୍ଵୀକାର କରେ, ତେବେ ସିଏ ପୁଣି ଆଉ କେଉଁ ଅନ୍ୟ ମହିମାର ଭରସା କରି ଏଡ଼େ ଶୋଭାଯୁକ୍ତ ହୋଇ ଦେଖାଯାଇବି ପାରିବ ? ଏବଂ, ଆମେ ମଧ୍ୟ ଏଠି ପରସ୍ପରର ଏତେ ପାଖରେ ରହିଛୁ ବୋଲିବି କିପରି ଅନୁଭବ କରି ପାରିବା ?

 

୧୫ । ୬ । ୨୦୦୬

 

ମୋ’ ସାଧନାର ଅନ୍ତ ନାହିଁ, କାରଣ ବିଶ୍ଵନାମକ ସେହି ସମଗ୍ରତମ ସାଧନାଟିର ମଧ୍ୟ କୌଣସି ଅନ୍ତ ନାହିଁ । ନିଜ ଗଭୀରତମ ଆତ୍ମୀୟତାର ସେହି ସଚେତନ ଅନ୍ତସ୍କରଣରେ ଆମେ ସେହି କଥାଟିକୁ ଅନୁଭବ କରି ପାରିଛୁ ବୋଲି ତ ବିଶ୍ଵବିଧାତାଙ୍କୁ ମଧ୍ୟ ଅନନ୍ତ ବୋଲି କହି ଆମେ ମନୁଷ୍ୟମାନେ ଏଡ଼େ ସହଜ ମଧ୍ୟ ଅନୁଭବ କରି ପାରୁଛୁ କି ? ହୁଏତ ସେହି କାରଣରୁହିଁ ଏହି ପଥଟା ଅନନ୍ତ ଓ ଆମର ଗୋଡ଼ଗୁଡ଼ିକ ଭାରି ସାନ ବୋଲି ତଥାକଥିତ ବାସ୍ତବଟିକୁ ମଧ୍ୟ ପୂରା ପାସୋରି ପକାଇଛୁ ।

 

ହଁ, ଏହି ଲୋଡ଼ିବାର ଅନ୍ତ ନାହିଁ, କାରଣ ସେହି ଲୋଭଟାରବି ଅନ୍ତ ନାହିଁ । ନୈରାଶ୍ୟର କୌଣସି ଅବକାଶହିଁ ନାହିଁ,–କାରଣ ତେଣୁ ବିଶ୍ଵାସଟାର ମଧ୍ୟ ଅନ୍ତ ନାହିଁ । ଗୋଟାଏ ମୁହୂର୍ତ୍ତ ଆଉଗୋଟିଏ ମୁହୂର୍ତ୍ତକୁ ବରି ଆଣୁଛି, ଗୋଟିଏ ବାଙ୍କ ଆଉଗୋଟିଏ ବାଙ୍କ ଆଡ଼କୁ ବାଟ କଢ଼ାଇ ନେଇ ଯାଉଛି । ଏହି ଅଠର ଅଥବା ଅଠର ଶହ ବାଙ୍କ ସତ୍ତ୍ୱେ ତଥାପି ଚାଲିବାର ଏହି ଯେଉଁ ପଥଟି, ତାହାହିଁ ସବୁଠାରୁ ପ୍ରକୃତରେ ଅଧିକ ସିଧା ତେଣୁ, ବନ୍ଧୁ, ମୋ’ର ସିଧା ବାଟ ତୁମର ସିଧା ବାଟଠାରୁ ଅବଶ୍ୟ ଫରକ ହେବ । ତେବେ ଆମେ ପରସ୍ପରକୁ ନିଜର ତଥାକଥିତ ସିଧା ବାଟଟା ଆଡ଼କୁ ଟାଣି ନେଇ ଆସିବା ସକାଶେ ଏହି ନାନାଭଳି ଫିସାଦ ମଧ୍ୟ ଆଉ କାହିଁକି କରିବା ? ବରଂ, ଏକ ଆରେକର ବାଟ ଚାଲିବାରୁ ଉତ୍ସାହ ଓ ପ୍ରେରଣାହିଁ ପାଇବା । ରବୀନ୍ଦ୍ରନାଥଙ୍କର ‘ଆମାୟା ତୁମି ଅଶେଷ୍ କରେଛ’ ଧାଡ଼ିଟି କେବଳ ଏକ କବିତାରେ ସିନା ପ୍ରଥମେ ଶୁଣି ମୁଁ ଏକଦା କେତେ ଖୁସୀ ହୋଇଥିଲି ଓ କଥାଟିକୁ ମୋ’ ନିଜର ଗୋଟିଏ ସମ୍ପଦ ପରି ଛାତିପାଖକୁ ଜାକି ଆଣିଥିଲି,–ଏବେ ଅଙ୍ଗେ ନିଭାଉଛି । ଏବଂ, ସଂସାରର ସମସ୍ତେ ଯେ ମୋ’ରି ସହିତ ଅନୁକ୍ଷଣ ରହିଛନ୍ତି ଏବଂ ଅନୁକ୍ଷଣ ବାଟ ଚାଲୁଛନ୍ତି, ସେଇଥିରୁହିଁ ମୁଁ ଏକ ପରମ ସାଧର୍ମ୍ୟର ଆଶୀର୍ବାଦ ମଧ୍ୟ ପାଇଯାଉଛି ।

 

୧୮ । ୬ । ୨୦୦୬

 

ନିୟମ ନୁହେଁ, ନିଷ୍ଠା । ନିୟମରେ ନିଷ୍ଠା,–ସେଇଟିହିଁ ଆମକୁ ନାନାପ୍ରକାରେ ଅନ୍ୟମନସ୍କ କରି ରଖିବାର ଏକ ଚକ୍ରାନ୍ତ । ତେଣୁ, ନିୟମରେ ନିଷ୍ଠା ନୁହେଁ,–ନିଷ୍ଠା ଅନୁସାରେହିଁ ନିୟମ ।

 

ନିଷ୍ଠାଟି କୌଣସି କାରଣରୁ ସଚଳ ରହି ନପାରିଲେ ନିୟମଟା ସତେଅବା ସର୍ବପ୍ରଥମେହିଁ ଆକର୍ଷଣ କରିବାକୁ ଆରମ୍ଭ କରିଦିଏ । ପୃଥିବୀରେ ରହିଥିବା ବେତା ବେତା ଗୁରୁ ଯେ ନିୟମରେ ନିଷ୍ଠା ରଖିବା ବିଷୟରେ ଏତେ ଗୁରୁତ୍ଵ ଦେବାରେ ଲାଗିଛନ୍ତି, ସେମାନେ ସତକୁସତ କୋଉ ନିଷ୍ଠାର ନିର୍ଦ୍ଦେଶ ମାନି ତାହା କରି ଆସିଛନ୍ତି କେଜାଣି ? ମନୁଷ୍ୟମାନେ ଯଦି ନିଷ୍ଠାରେହିଁ ସଚଳ ହୋଇ ରହିବାର ଆହ୍ଵାନଟିକୁ ଯଥାର୍ଥ ଭାବରେ ଅନୁଭବ କରି ପାରୁଥାନ୍ତେ, ତେବେ ସେମାନଙ୍କର ନିଷ୍ଠାରେ ଉତ୍ତୋଳନମାନ ଘଟିବା ସହିତ ସେମାନଙ୍କର ନିୟମର କ୍ଷେତ୍ରରେ ମଧ୍ୟ ଏକ ତଦନୁରୂପ ଉତ୍ତୋଳନ ଅବଶ୍ୟ ସମ୍ଭବ ହେଉଥାଆନ୍ତା । ହୁଏତ, କେତେକ ଗୁରୁ ତଥାପି ଥାଆନ୍ତି, ଯେଉଁମାନେ କି ଅନୁଗାମୀପକ୍ଷଟିର ଆନୁଗତ୍ୟଟାକୁହିଁ ଦାବି କରନ୍ତି । ଅନୁଗାମୀମାନଙ୍କର ଉତ୍ତୋଳନ ଇଚ୍ଛା କରନ୍ତିନାହିଁ । ଗୁରୁ ତାଙ୍କର ଶିଷ୍ୟମାନଙ୍କୁ କୌଣସି ଖାସ୍ କାରଣରୁ ଭୟ କରିବାକୁ ଆରମ୍ଭ କରନ୍ତି ଏବଂ ସତେଅବା ସେହି ସନ୍ତାପଟି ମଧ୍ୟରେ ପଡ଼ି ଶିଷ୍ୟମାନଙ୍କୁ ଅଧିକରୁ ଅଧିକ ନିୟମ ଭିତରେହିଁ ବାନ୍ଧି ରଖିବାଲାଗି ଅଧିକ ଉତ୍ସାହ ପୋଷଣ କରି ଥାଆନ୍ତି କି ? ଯଥାର୍ଥ ଭାବରେ ଚେତନାଯୁକ୍ତ ହେବା, ଅର୍ଥାତ୍ ଆପଣା ଭିତରେ ଏକ ଉତ୍ତୋଳନ, ସଦା–ଉତ୍ତୋଳନ ଲାଗି ରହିଥିବା ପରି ଅନୁଭବ କରିବା । ଏବଂ, ଉପଯୁକ୍ତ ସେହି ଅସଲ ଗୁରୁ ବାହାରର ଏହି ଯାବତୀୟ ଗୁରୁଙ୍କୁ ଆଦୌ କୌଣସି ପ୍ରକାରେ ଈର୍ଷା କରନ୍ତି ନାହିଁ ସିନା, କିନ୍ତୁ, ଆମ ପୃଥିବୀରରେ କେହିହେଲେହିଁ ଏଠାରେ ହାଟମାନଙ୍କରୁ, ଶାସ୍ତ୍ରରୁ ତଥା ଗୁଳାଗୁଡ଼ାକରୁ କିଛି ନା କିଛି ଚୟନ କରି ଆଣି କେବଳ ସେତିକିକୁହିଁ ସବୁ ବୋଲି ମଣି ନିଜ ଜୀବନଟିକୁ ସାରିଦେଉ, ସିଏ ସେହି କଥାଟିକୁ ମୋଟେ ଇଚ୍ଛା କରନ୍ତିନାହିଁ ।

 

୨୪ । ୬ । ୨୦୦୬

 

ବୈରାଗ୍ୟ କହୁଛି ସେଠି, ସାହିତ୍ୟ କହୁଛି ଏଠି । ସାହିତ୍ୟ ଡେଣା ଯୋଗାଇ ଦେଉଛି । ଭିତର ଏବଂ ବାହାର ଦୁଇ ଆଡ଼କୁହିଁ ଡେଣା ଯୋଗାଇ ଦେଉଛି । ଡେଣାର ସେହି ଅନୁଗ୍ରହ ଯେତିକି ଅନୁଭବ କରୁଛି, ଅର୍ଥାତ୍ ଅଙ୍ଗେ ନିଭାଉଛି, ଅର୍ଥାତ୍ ସବୁଯାକ ମିଳିଗଲା ବୋଲି ଆପଣାକୁ ବୁଝାଇ ଦେଇ ପାରୁଛି । ଏହି ଦୁଇଟି ମଧ୍ୟରୁ କେଉଁଟି କାହାକୁ ପ୍ରେରଣା ଦିଏ, ସେହି କଥାଟିକୁ ଆଦୌ ଥିର କହି ହେବନାହିଁ । ସାର ବୋଲି ସବୁକିଛି କେବଳ ଭିତରେ ରହିଛି ବୋଲି ତୁହାକୁ ତୁହା ଶୁଣାଇ ଆସିଥିବା ଶାସ୍ତ୍ରର କଥାଟି ଉପରୁ ମୋ’ର ବିଶ୍ଵାସ ଆଦୌ ତୁଟି ଯାଉନାହିଁ ସିନା, ତଥାପି ତାହାହିଁ ଯେ ଏକମାତ୍ର ସତ୍ୟ, ସେକଥା ମଧ୍ୟ ସ୍ଵୀକାର କରି ହେଉନାହିଁ । ଯୋଉଠି ହେଲେ ନିଦ ଭାଙ୍ଗୁ ପଛକେ, ଏଠି ଭାଙ୍ଗିଲେ ସେଠାଟା କେଡ଼େ ସ୍ଵାଭାବିକ ଭାବରେ ପ୍ରସାରିତ ହୋଇ ଯାଉଛି । ସେଠି ନିଦ ଭାଙ୍ଗିଲେ ଏଇଟା ପ୍ରସାରିତ ହୋଇଯାଉଛି ଏବଂ ଏଠି ନିଦ ଭାଙ୍ଗିଲେ ସେଇଟି ମଧ୍ୟ ପ୍ରସାରିତ ହୋଇଯାଉଛି ।

 

ହଁ, ସାହିତ୍ୟ ଡେଣା ଯୋଗାଇ ଦେଉଛି । ସାହିତ୍ୟ ଅଭିବ୍ୟକ୍ତ କରି ଆଣୁଛି । ଅବ୍ୟକ୍ତକୁ ବ୍ୟକ୍ତ କରି ଦେଖାଇ ଦେଉଛି ଏବଂ ବ୍ୟକ୍ତକୁ ଅବ୍ୟକ୍ତର ଏକ ଅଧିକ ସମ୍ପୂର୍ଣ୍ଣ ବେଢ଼ ଦେଇ ମୋ’ର ଯାବତୀୟ ଦେଖିବା ତଥା ବଞ୍ଚିବାକୁ ଧନ୍ୟ କରୁଛି । ତେଣୁ, ଯେଉଁ ଖାସ୍ କିସମର ସାହିତ୍ୟିକମାନେ ସାହିତ୍ୟରୁ ରସ ଆହରଣ କରିବା ସମୟରେ ଏଠି ଆଦୌ ନଥାନ୍ତି, ବୋଲି ନାନା ଶବ୍ଦଭାଣ କରନ୍ତି, ସେମାନଙ୍କୁ ମୁଁ ମୋଟେ ବୁଝି ପାରେନାହିଁ । ସେମାନେ ବସ୍ତୁତଃ ଆପଣାର ସତ ଘରଟିକୁ ଛାଡ଼ି ଚାହାଳିଚୋର ହୋଇ ଆଉ କେଉଁଠାକୁ ପଳାୟନ କରି ଥାଆନ୍ତି କି ? ଘଡ଼ିଏ ଶାନ୍ତି ପାଆନ୍ତି ବୋଲି କେଡ଼େ ପ୍ରସନ୍ନ ହୋଇ ନକହନ୍ତି !

 

୨ । ୭ । ୨୦୦୬

 

ଭୁଲମାନଙ୍କୁ ମାପିବାରେ ମନ କରୁଥିଲେ ତୁମର ପାଟିଟା ହୁଏତ ଘୋଳାଇ ହୋଇଯିବ ସିନା, କିନ୍ତୁ ଭୁଲର ସୁମାରି କରିବାଟା ତଥାପି ଶେଷ ହେବନାହିଁ । ଏବଂ, ଅନ୍ୟ ପକ୍ଷରେ, ଠିକ୍‌ମାନଙ୍କୁ ବାଛି ସତେଅବା ଅଲଗା ଏପାଖରେ ଗଦା କରି ରଖି ବାକି ଯାହାକିଛି ରହିଲା, ତୁମେ ସେହିଗୁଡ଼ିକୁ ଯେତେ ଭୁଲ ବୋଲି କହିବାରେ ଲାଗିଥିଲେ ମଧ୍ୟ ତୁମେ ମୋଟେ ଭୁଲ ଏବଂ ଠିକ୍‌କୁ ନେଇ ଯୁଗଯୁଗ ଧରି ଲାଗି ଆସିଥିବା ଅଡ଼ୁଆଟାରେ କୌଣସି ସମାଧାନ କରି ପାରିବନାହିଁ । ସମ୍ଭବତଃ ସେହି କାରଣରୁହିଁ ଆଗ ଭୁଲମାନଙ୍କର ସୁମାରି କରିବାରେ ଅଭ୍ୟସ୍ତ ହୋଇ ରହିଥିବା ମନୁଷ୍ୟମାନେ ଗୋଟିଏ ସତ୍ୱର ସଦୁତ୍ତର ପାଇଗଲା ଭଳି କେଡ଼େ ଉତ୍ସାହରେ ଭୁଲମାନଙ୍କୁ ସାଧାରଣତଃ ଓ ସଚରାଚର ଅନ୍ୟମାନଙ୍କର ଜୀବନରେ ଏହି ବାବତରେ ମୋଟେ କିଛିହେଲେ ସମସ୍ୟା ନାହିଁ ବୋଲି ବେଶ୍ ଆତ୍ମପ୍ରସାଦ ପାଇଯାଆନ୍ତି ।

 

ତେଣୁ ବନ୍ଧୁ, ଆସ ବାଟ ଚାଲିବା । ଏକାଠି ଚାଲିବା । ତଥାକଥିତ ଲକ୍ଷ୍ୟମାନେ ଭିନ୍ନ ଭିନ୍ନ ପ୍ରତୀତ ହେଉଥିଲେ ମଧ୍ୟ ଚାଲିବା । ହଁ, ଚାଲିଥିବା । ଅର୍ଥାତ୍, ସେହି ବାଟ ଚାଲିବାଟାହିଁ ସବାଆଗ ଦିଶୁଥିବ । ଏବଂ, ମୋ’ ସାଙ୍ଗରେ ଚାଲିବାରେ ଲାଗିଥିବା ଅନ୍ୟମାନେବି ବାଟ ଅବଶ୍ୟ ଚାଲୁଛନ୍ତି ବୋଲି ହେଉଥିବା ଅନୁଭବରୁ ଆମ ନିଜକୁ ମଧ୍ୟ ଖୁବ୍ ବଳ ମିଳୁଥିବ । କେବଳ ଉଖାରି ଉଖାରି ଭୁଲମାନଙ୍କୁ ଦେଖିବା ଓ ସୁମାରି କରିବାକୁ ଆଉ ତେଣିକି ଆଉ ଯେ ଭଲ ଲାଗିବନାହିଁ ତା’ ନୁହେଁ, ମୋଟେ ବେଳ ମଧ୍ୟ ମିଳିବନାହିଁ । ଏବଂ, କେବଳ ମୁଁ ନୁହେଁ, ଆମେ ସମସ୍ତେ ବାଟ ଚାଲୁଛୁ ବୋଲି ଏହି ପୃଥିବୀଟା ମଧ୍ୟ ଚାଲୁଛି, ତଥାକଥିତ ଆମର ଏହି ବ୍ୟକ୍ତିଗତ ଜୀବନରେ ମଧ୍ୟ ଆମେ ସେହି ସତ୍ୟଟିର ସଙ୍କେତଟିଏ ପାଇଥିବା । ପୃଥିବୀକୁ ଶନିଦଶା ପଡ଼ିଲେ ଏଠାରେ ବାଟ ଚାଲୁଥିବା ମନୁଷ୍ୟମାନେ ସତେଅବା ସର୍ବାଧିକ ଉତ୍ସାହରେ ପରସ୍ପରର ଭୁଲଗୁଡ଼ିକୁ ତଲାସ କରି ବାହାରିବାର ଏକ ମନ୍ଦକର୍ମରେ ଯାଇ ଲିପ୍ତ ହୋଇ ପଡ଼ିଥାନ୍ତି କି ?

 

୫ । ୭ । ୨୦୦୬

 

ଥୋକେ ମଣିଷ ଅଛନ୍ତି, ଯେଉଁମାନେ କେତେ ହୋହୋ ହୋଇ ମନ୍ଦିରଟିଏ ତିଆରି କରିବାରେ ମାତି ରହିଥାନ୍ତି । ମନ୍ଦିରର ଭାଜନ ହେବା ଓ ମନ୍ଦିରଟିଏ ତିଆରି କରିବା, ଏହି ଦୁଇ କଥା ଆଦୌ ସେହି ଗୋଟିଏ ଭଳି ଆସ୍ପୃହାର ବ୍ୟାପାର ନୁହେଁ । ମନ୍ଦିରର ଭାଜନ ହୋଇ ପାରନ୍ତିନାହିଁ ଅର୍ଥାତ୍ ତେଣେ ସାହସ କରି ପାରନ୍ତିନାହିଁ ବୋଲି ଏତେ ଏତେ ମଣିଷ ମନ୍ଦିରମାନଙ୍କୁ ତିଆରି କରିବାର ଧୁମ୍ ଭିତରେ ମାତି ରହିଥାନ୍ତି କି ? ରାଜା ମାତିଥାଆନ୍ତି, ପ୍ରଜାବି ମାତିଥାଆନ୍ତି । ପଣ୍ଡିତ ଅପଣ୍ଡିତ ସର୍ବେହିଁ ମାତି ରହିଥାନ୍ତି ।

 

ସଂସାରର ଭାଜନ ହୋଇ ପାରନ୍ତିନାହିଁ ବୋଲି ଅନ୍ୟମନା ମନୁଷ୍ୟମାନେ ସଂସାରର ଦ୍ଵାହି ଦେଇ ନିଜନିଜର ନିତ୍ତୃତ ଏକାନ୍ଵେଷୀ ଗାତଟି ଭିତରେହିଁ ଆଠପହର ଯାକ ଧାବମାନ ହୋଇ ରହିଥାନ୍ତି । ବନ୍ଧୁ, ତୁମେ କେବେହେଲେ ଏହି ବେଗର ଭାଜନ ହେବାଲାଗି ଆପଣାକୁ ରାଜୀ କରାଇ ପାରିନାହଁ ବୋଲିହିଁ ଯାଉଣୁ ଆସୁଣୁ ଦେଶ ଦେଶ ବୋଲି ହୁରି ପକାଉଛ କି ? ଜଗନ୍ନାଥଙ୍କର ଭାଜନ ହେଉନାହିଁ ବୋଲି ଜଗନ୍ନାଥ ଆମର ବୋଲି କହି ଗଗନତମାମ ବାଟୁଳି ମାରିବାରେ ଲାଗିଛ କି ? ଜଗନ୍ନାଥଙ୍କର ଭାଜନ ହେବାକୁ ସତକୁସତ ସରାଗଟିଏ ରହିଥିଲେ ତ ତୁମେ ଆଗ ଜଗତର ଭାଜନ ହେବାର ପ୍ରୟାସମାନ କରି ବାହାରି ଥାଆନ୍ତ । ଯିଏ ସତକୁସତ ଜଗତର ଭାଜନ ହେବ, ସିଏ କେବେହେଲେ ନିଜକୁ ଗଜପତି ବୋଲି ଦେଖନ୍ତାନାହିଁ କିମ୍ବା ଛାତି ଫୁଲାଇ ଜଗନ୍ନାଥ ଏଇଠି ଆମରି ଡିହଟାରେ ବିରାଜିତ ରହି ଆମର ଲାଳସାମାନଙ୍କର ପୂରଣ କରୁଛନ୍ତି ବୋଲି ଆଦୌ ରଡ଼ି କରନ୍ତାନାହିଁ । ହଁ, ସବାଆଗ ସାଙ୍ଗଟିଏ ହେବାକୁ ହୁଏ,–ଏବଂ ତା’ପରେ ଏହି ପୃଥିବୀରେ ସମସ୍ତେ ମୋ’ର ସାଙ୍ଗ ଓ ସହଯାତ୍ରୀ ବୋଲି ସତ ଅନୁଭବଟି ଅବଶ୍ୟ ମିଳିଯାଏ । ଜଗତର ଭାଜନ ହେଲେ ତ ଗଜପତି ନିଶ୍ଚୟ ବଦଳି ଯାଆନ୍ତେ, ସ୍ଵାଭିମାନୀମାନେବି ମଣିଷ ହୁଅନ୍ତେ । ଏହି ସମୁଦାୟ ସଂସାର ତାଙ୍କରି ମନ୍ଦିର ପରି ଦୃଶ୍ୟ ହୋଇବି ଆସନ୍ତା ।

 

୮ । ୭ । ୨୦୦୬

 

ଅହଂ ହେଉଛି ବସ୍ତୁତଃ ଏକ ଅନିଚ୍ଛା । ସଂପ୍ରସାରଣ ଲାଗି ଅନିଚ୍ଛା । ସ୍ପର୍ଶ କରିବା ନିମନ୍ତେ ଅନିଚ୍ଛା । ଏକ ଗ୍ରହଣଶୀଳ ଶ୍ରଦ୍ଧାଭାଜନତା ଲାଗି ଅନିଚ୍ଛା । ଅହଂ ତ ସତକୁସତ ଆମ ପ୍ରତ୍ୟେକଙ୍କ ଭିତରେ ଏକ ଜନନୀ ପରି ହୋଇ ରହିଥାନ୍ତା, ଯିଏକି ଆମକୁ ନିରନ୍ତର ଏକ ସଙ୍ଗ ଲୋଡ଼ିବାର ଆକୁଳତାରେ ଆଗକୁ ଆଗକୁ ପରିଚାଳିତ କରି ନେଇ ଯାଉଥାନ୍ତା । ସେଥିଲାଗି ଆମକୁ ଆବଶ୍ୟକ ଲାଳନ ମଧ୍ୟ ଯୋଗାଇ ଦିଅନ୍ତା । ଆମ ଅନେକଙ୍କର ଜୀବନରେ ଯେ ସେହି ଘଟଣାଟି ଘଟି ପାରେନାହିଁ, ସେଥିପାଇଁ ପ୍ରକୃତରେ ସେହି ଅହଂଟିହିଁ ଦାୟୀ ? ପୃଥିବୀରେ କାଳେ କାଳେ ମୁଖ୍ୟତଃ ଅହଂକାରୀ ମନୁଷ୍ୟମାନେ ଅହଂକୁ ଏତେ ଏତେ ଗାଳି ଦେଇ ଆସିଛନ୍ତି କାହିଁକି କେଜାଣି ?

 

କେହି କେହି କହନ୍ତି, ମଣିଷ ଏଠିକି ଏକାଏକା ଆସିଛି ଓ ସେହିପରି ଏକାଏକାହିଁ ଏଠାରୁ ଚାଲିଯିବ । ଏହି ପୃଥିବୀରେ କୁଆଡ଼େ କେହି ଆଦୌ କାହାରି ନୁହନ୍ତି । ତେଣୁ, ସେମାନେ ଆଖର ଏକାକୀ ବାଟ ଚାଲିବାକୁହିଁ ସତେଅବା ନିଜ ଜୀବନର ଏକ ଅଧ୍ୟାତ୍ମସ୍ତରୀୟ ସଂଯମ ପରି ଗ୍ରହଣ କରି ନେଇଛନ୍ତି । ଆପଣା ସମେତ ସମଗ୍ର ପୃଥିବୀଟିକୁ ମଧ୍ୟ ଅତିମାତ୍ରାରେ ନରଖର ଓ ନାନାକାତର କରି ରଖିଛନ୍ତି । ପୃଥିବୀର ଅଧିକାଂଶ ତଥାକଥିତ ଧର୍ମସ୍ତରୀୟ ପ୍ରାର୍ଥନାମାନ ହେଉଛନ୍ତି ସେହି କାତର ଏକାକୀ ଓ ଦମ୍ଭୀମାନଙ୍କର ପ୍ରାର୍ଥନା । ଅଶେଷ ସଙ୍ଗ ଏବଂ ସୂତ୍ରର ସୁରାଖ ଏଠି ପ୍ରାୟ ପ୍ରତ୍ୟେକ ମୁହୂର୍ତ୍ତରେ ପାଇ ଯାଉଥିଲେ ମଧ୍ୟ ତଥାପି ଅନ୍ୟମନା ହୋଇ ରହିବାର ଗୋଟାଏ ଆଣ୍ଟ । ତେଣୁ, ଯାବତୀୟ ଲାଗି ଲାଗି ଆସିବା, ସଙ୍ଗ ହେବା ଏବଂ ସାଙ୍ଗ ହେବାର କ୍ଷେତ୍ରରେ ପରିପୂର୍ଣ୍ଣ ଏକ ଜୁଗୁପ୍‍ସାହିଁ ଜୁଗୁପ୍‍ସା । ବନ୍ଧୁ, ଭଗବାନ ଏକାକୀ ନୁହନ୍ତି । ଭଗବାନ ହେଉଛନ୍ତି ସର୍ବଦା ସଙ୍ଗଲୋଭୀ । ଲାଳସାମୁକ୍ତ ହୋଇ ରହିବାର ମିଛ ଅପବୃତ୍ତିମାନଙ୍କରେ ମାତି ଆମେ ତେବେ ଏଠାରେ ପୁଣି କାହିଁକି ସଙ୍ଗକାତର ହୋଇ ରହିବା ? ଅନିଚ୍ଛା ଛାଡ଼ିଲେ ସିନା ସର୍ବବିଧ ସଙ୍କୋଚରୁ ମୁକ୍ତି ଲାଭ ଏହି ସଂସାରରୂପକ ସବୁକିଛିକୁ ଆମେ ସତକୁସତ ଗୋଟିଏ ମହିମାମୟ ସମ୍ପୂର୍ଣ୍ଣତାର ଆୟାମ ଦେଇ ଦେଖିବି ପାରିବା !

 

୧୪ । ୭ । ୨୦୦୬

 

ବହୁସଂଖ୍ୟକ ଶିଷ୍ୟ କ’ଣସବୁ ଗୌରବଲାଭର ଆକର୍ଷଣରେ ପଡ଼ି ନିଜ ଗୁରୁଙ୍କୁ ସ୍ଵତନ୍ତ୍ର ଭାବରେ ମୋ’ର ବା ଆମର କରି ରଖିବାର ଏକ ବ୍ୟାକୁଳତାରେ ଗୁରୁଙ୍କର ମୁଖନିଃସୃତ ସତ୍ୟଗୁଡ଼ିକୁ ହତ୍ୟା କରନ୍ତି କାହିଁକି କେଜାଣି ? ଗୁରୁ ମଧ୍ୟ ଯେ ଜଣେ ନିମିତ୍ତ ଏବଂ ବାହକ, ସେହି ଅସଲ କଥାଟିକୁ ପାସୋରି ଦିଅନ୍ତି । ଅଧିକାଂଶ ସ୍ଥଳରେ ସେତେବେଳକୁ ଗୁରୁ ମଧ୍ୟ ଗଭୀରରେ ନଥାନ୍ତି । ତେଣୁ ସେମାନଙ୍କୁ କେହି ରୋକି ପାରନ୍ତିନାହିଁ । ଏଭଳି ଏକ ଅଘଟଣ ଯେ ଘଟିବ, ସେହି କଥାଟିର ନିଜର ଜୀବଦ୍ଦଶାରେ ଗୁରୁ କ’ଣ କୌଣସି ସଙ୍କେତ ପାଇ ନଥାନ୍ତି ? ତେବେ ସିଏ ନିଜ ଶିଷ୍ୟମାନଙ୍କୁ ଆଉ ପ୍ରକୃତରେ କ’ଣ ବା ବୁଝିଥାନ୍ତି ! ଏବଂ, ଯଦି ଶିଷ୍ୟମାନଙ୍କୁ ବୁଝି ନଥାନ୍ତି, ତେବେ ସେମାନଙ୍କ ନିମନ୍ତେ ସେମାନେ ଆଉ ସତକୁସତ କହିଥାଆନ୍ତି ? ହଁ, ଶିଷ୍ୟମାନଙ୍କର ଚିତ୍ତ ଗ୍ରହଣ କରି ପାରିବାଭଳି ତେବେ ଆଉ ସେମାନଙ୍କୁ କ’ଣ ପ୍ରଦାନ କରିଥାନ୍ତି ?

 

ତେବେ, ଏହି ଗୁରୁଶିଷ୍ୟ–ସମ୍ବନ୍ଧିତ ସମ୍ପୂର୍ଣ୍ଣ କାହାଣୀଟିରେ ଗୁରୁ ବସ୍ତୁତଃ କାହାର ନିମିତ୍ତ ବୋଲି କୁହାଯାଇ ପାରିବ ? ଗୁରୁ ହେଉଛନ୍ତି ସର୍ବଥା ସତ୍ୟର ନିମିତ୍ତ, ଯେଉଁ ସତ୍ୟକୁ ସିଏ ତାଙ୍କ ଶିଷ୍ୟମାନେ ଗ୍ରହଣ କରି ପାରିବାଭଳି ଏକ ନିଜସ୍ଵ ଧାରାରେ ପ୍ରକୃତରେ ବିତରଣ କରିବାଲାଗି ପ୍ରୟାସହିଁ କରିଥାନ୍ତି । ଗୁରୁ ହେଉଛନ୍ତି ଗୋଟିଏ ସେତୁ, ଜଣେ ବିଶ୍ଵସ୍ତ ବନ୍ଧୁ, ଯିଏକି ତାଙ୍କର ସମଗ୍ର ସମ୍ପର୍କମଣ୍ଡଳଟିକୁ ଧୂମଦ୍ଵାରା ଆଚ୍ଛନ୍ନ କରି ରଖିବାରେ ଆଦୌ କୌଣସି ପ୍ରଚେଷ୍ଟା କରନ୍ତିନାହିଁ । ସିଏ ଆପଣାକୁ ନିଜ ଶିଷ୍ୟମାନଙ୍କର ବୋଧବୁଦ୍ଧିରେ ଆପଣାର ଜଣେ ସମଗ୍ରୋତୀୟ ସଙ୍ଗୀ ଭଳି ସତତ ମହଜୁଦ୍‍ ହୋଇ ରହି ପାରିବାର କଳାଟିକୁ ଅବଶ୍ୟ ଆୟତ୍ତ କରିଥାନ୍ତି । ଅର୍ଥାତ୍, ଅସଲ ଗୁରୁମାନେ କେବେହେଲେ despot ହୁଅନ୍ତିନାହିଁ,–servltor ହୋଇହିଁ ରହିଥାଆନ୍ତି ।

 

୨୩ । ୭ । ୨୦୦୬

 

ମାୟାକୁ ମାୟା ବୋଲି ଚିହ୍ନିଲେ ମାୟା ପଳାଏ,–ସେଦିନ ଶ୍ରୀ ରାମକୃଷ୍ଣ ପରମହଂସଙ୍କର ଏହି ଉକ୍ତିଟିକୁ କୌଣସି ସନ୍ଦର୍ଭରେ ପଡ଼ିବାକୁ ମୋତେ ମିଳି ଯାଇଥିଲା । ମାୟାକୁ ସତ୍ୟ ବୋଲି ଭ୍ରମ କରୁଥିବା ମନୁଷ୍ୟମାନେ ଭାରି ସ୍ଵଭାବସିଦ୍ଧ ଭାବରେ ମାୟାବାଦୀ ହୁଅନ୍ତି କି ? ସେମାନଙ୍କୁ ସେହି କାରଣରୁ ମାୟାଟା ଭଲ ଲାଗୁଥାଏ ଏବଂ ଏପରିକି ସମ୍ଭବତଃ କିଛି ଫାଇଦାବି ଦେଉଥାଏ ବୋଲି ସେମାନେ ମାୟାବାଦୀ ହେଉଥିବେ । ସତ୍ୟ ପାଖରେ ଚାହାଳିଚୋର ହୋଇ ରହିଥାଆନ୍ତି ଅର୍ଥାତ୍ ସତ୍ୟଟାକୁ ଠଉରାଇ ପାରୁଥାନ୍ତି ସିନା, ମାତ୍ର ମାୟାବାଦୀ ହୋଇ ରହିବାକୁ ଅଧିକ ପ୍ରେୟ ବୋଲି ଅନୁଭବ କରୁଥାନ୍ତି ।

 

ସତ୍ୟକୁ ସତ୍ୟ ବୋଲି ଚିହ୍ନିଲେ ଅପରପକ୍ଷରେ ପ୍ରକୃତରେ କ'ଣ ଘଟିଥାଏ ? ମୁଁ ଯେତିକିକୁ ସତ୍ୟ ବୋଲି ଚିହ୍ନିଛି, ତାହାର ସେପାଖକୁ ଓ ଆହୁରି ସେପାଖକୁ ଆହୁରି କେତେ କେତେ ସତ୍ୟ ଅବଶ୍ୟ ରହିଛି ବୋଲି ସର୍ବଦାହିଁ ଉପଲବ୍ଧି ହୋଇଥାଏ । ଅର୍ଥାତ୍ ଯେଉଁମାନେ ଆମେ ବା ମୁଁ ଚିହ୍ନିଛି ବୋଲି ଭାବୁଥିବା ସତ୍ୟହିଁ ଏକମାତ୍ର ସତ୍ୟ ବୋଲି କହି ମେଦିନୀ କମ୍ପାନ୍ତି ସେମାନେ କ'ଣ ପ୍ରକୃତରେ କୌଣସି ସତ୍ୟରେ ଆସି ପହଞ୍ଚି ଥାଆନ୍ତି ନା ତଥାପି ସେହି ମାୟାଟା ଭିତରେ ପଡ଼ି ରହିଥାନ୍ତି ? ଆମର ଇତିହାସଟା ତ କହିବ ଯେ ଏହିପରି ସତ୍ୟ–ସାକ୍ଷାତକାରମାନ ଲାଭ କରିଥିବାର ତଥାକଥିତ ବୀରମାନେ ସତକୁସତ ଆମର ଏହି ପୃଥିବୀକୁ ଆମ ପୃଥିବୀଟିକୁ ମଧ୍ୟ ନାନାବିଧ ମାୟା ଭିତରେ ପକାଇ ରଖିଛନ୍ତି,–ସେମାନେ ସତେଅବା ଏଠାରେ ଖଣ୍ଡା ଧରି କାହାସହିତ ଯୁଦ୍ଧ କରିହିଁ ବାହାରିଛନ୍ତି । ଏହି ସତ୍ୟଟା ସେହି ସତ୍ୟଟା ସହିତ ଯୁଝିବ ବୋଲି ସାଞ୍ଜୁ ପିନ୍ଧି ପ୍ରସ୍ତୁତ ହୋଇ ରହିଛି । ଏସବୁ ଦେଖି ମାୟାଟା ନିଶ୍ଚୟ ଭାରି କିରିକିରି ହୋଇ ହସିବାରେ ଲାଗିଥିବ । ତେଣେ ଭଗବାନ ମଧ୍ୟ ଆମର ଏହିସବୁ ଲୀଳାକୁ ଦେଖି ମୁଖ ଶୁଖାଇ ବସିଥିବେ ।

 

୭ । ୮ । ୨୦୦୬

 

ସାବଲୀଳତା,–ସେହି ସାବଲୀଳତା ବିଷୟରେ ମୁଁ ସାହିତ୍ୟରେ ପଢ଼ିଥିଲି । ସମ୍ପର୍କଦ୍ଵାରା ବୁଝିଲି, ପ୍ରାର୍ଥନା ଓ ଉପାସନାଦ୍ଵାରା ସ୍ପର୍ଶ କରିପାରୁଥିବା ପରି ଅନୁଭବ କଲି । ଅଧ୍ୟାତ୍ମଦ୍ଵାରା ଅଙ୍ଗେ ନିଭାଇଲି ।

 

ସାବଲୀଳତା । ଅର୍ଥାତ୍ ସ୍ଵଭାବସହଜତା । ସହଜ ହେଲେ ସିନା ସହଜତାକୁ ବୁଝିହୁଏ, ଭଲ ପାଇଲେ ସିନା ଭଲ ପାଇବାକୁ ବୁଝି ହୁଏ । ଗୋଟିଏ ସହଜ ଭକ୍ତିର ସ୍ତର ଅଛି, ସହଜ ଜ୍ଞାନରବି ସ୍ତର ଅଛି, ତେବେ ସହଜ କର୍ମର ମଧ୍ୟ ଗୋଟିଏ ଅବସ୍ଥା ରହିଛି ବୋଲି କାହିଁକି କୁହାଯାଇ ନପାରିବ ? କର୍ମ କରୁ କରୁ ଯେ କର୍ମ କରିବାର ରୀତିଟି ସହଜ ହୋଇଯାଏ, ସମ୍ଭବତଃ ସେହି କଥାଟିକୁ ଆଦୌ ଦାବି କରାଯାଇପାରିବନାହିଁ । ବନ୍ଧୁ, ସାବଲୀଳତା ସହିତ ଭୁଲି ଯାଇହୁଏ, ସାବଲୀଳତା ସହିତ ମନେବି ରହିଯାଏ, ଜଣେ ମଣିଷର କଥାକୁ ଶୁଣୁଥିବା ସମୟରେ କେଡ଼େ ସାବଲୀଳ ଭାବରେ ସେହି ମଣିଷଟି ମଧ୍ୟ ମନେ ରହିଯାଏ । ବେଳେବେଳେ ତ ଏପରି ହୁଏ ଯେ, କଥାଟି ଭୁଲି ହୋଇଯାଏ ଓ ମଣିଷଟି ମନେ ରହେ । ଜୀବନ ବଞ୍ଚିବାର ଯାବତୀୟ ବାଗ ଏବଂ ଅବାଗ ସେପାଖରେ ଏପରି ଗୋଟିଏ ସାବଲୀଳତା ଥାଏ, ଯାହାକୁ କି ବାଗ ଏବଂ ଅବାଗରୁହିଁ ଠିକ୍ ଓ ଭୁଲକୁ ନିର୍ଣ୍ଣୟ କରୁଥିବା ଟାଣ ମଣିଷମାନେ ଆଦୌ କଳ୍ପନାବି କରି ପାରନ୍ତିନାହିଁ । ବନ୍ଧୁ, ତୁମେ ଏପରି କଦାପି ଭାବିବନାହିଁ ଯେକୌଣସି ଗୋଟିଏ ଭଲକୁ ତୁମଠାରେ ଦେଖି ମୁଁ ତୁମକୁ ମୋ' ନକ୍ସାଟି ଭିତରେ ଗାର ମାରି ମନେ ରଖିବି । କାରଣ, ସେପରି କଲେ ଆଖର ଏପରି ଏକ ଦୁର୍ଯୋଗ ପହଞ୍ଚିବ ଯେ, ତୁମେ ଗୋଟାକ ପରେ ଗୋଟାଏ ତଥାକଥିତ ଭଲ କାମ କରି ମୋତେ ଆପ୍ୟାୟିତ କରି ରଖିବାର ନିଷ୍ଠାପର ଚେଷ୍ଟାମାନ କରୁଥିବ ଏବଂ ସେହି ନିଷ୍ଠାପର ପଛରେ ନିଜକୁ ଲୁଚାଇ ରଖିଥିବ ।

 

୧୩ । ୮ । ୨୦୦୬

 

Objectively ଦେଖିବା ଏବଂ object ପରି ଦେଖିବା,–ଦୁଇଟା ସମ୍ପୂର୍ଣ୍ଣ ଭାବରେ ଭିନେ ଭିନେ କଥା । Object ପରି ଦେଖିବା ଅର୍ଥାତ୍ ଗୋଡ଼ିମାଟି ପରି ଦେଖିବା । ଜଣେ ଜଣେ ମନୁଷ୍ୟ ପ୍ରକୃତରେ ନିଜକୁ ସଚରାଚର କିଭଳି ଦେଖୁଥାଆନ୍ତି ଯେ ସେମାନଙ୍କୁ ଆଉ ସମସ୍ତେ ଗୋଡ଼ିମାଟି ପରି ଦିଶନ୍ତି ? ଗୋଟିଏ ଗୋଟିଏ ସମାଜ ମଧ୍ୟ ପ୍ରାୟ ଏମିତି କ'ଣ ପାଇଁ ଦୁଇଭାଗ ହୋଇ ରହିଥାଏ ଯେ, ଗୋଟିଏ ଭାଗ ଅନ୍ୟଏକ ଭାଗକୁ ଗୋଡ଼ିମାଟି ପରି ଦିଶୁଥାଏ ?

 

ନିଜକୁ objectively ଦେଖିବାକୁ ସମର୍ଥ ହେଲେ ଅନ୍ୟମାନେ କଦାପି object ପରି,–ଗୋଡ଼ିମାଟି ପରି ଦିଶିବେନାହିଁ । ଅର୍ଥାତ୍, ଯଦି ମୁଁ ନିଜର ଭୋକକୁ ପ୍ରକୃତରେ ବୁଝି ପାରୁଥିବି, ତେବେ ଅନ୍ୟମାନଙ୍କର ଭୋକକୁ ମଧ୍ୟ କେଡ଼େ ସ୍ଵାଭାବିକ ଭାବରେ ବୁଝିପାରିବି । ମୋ’ ଦିହକୁ ଖରା କାଟୁଛି, ଶୀତ ବାଧୁଛି ବୋଲି ପ୍ରକୃତରେ ଅନୁଭବ କରୁଥିବା ମଣିଷଟିଏ ଅନ୍ୟର ଖରାକଷ୍ଟ ଏବଂ ଶୀତକଷ୍ଟକୁ ଅବଶ୍ୟ ବୁଝି ପାରିବ । ଜଣେ ମଣିଷ ହିସାବରେ ଯାବତୀୟ ମେଳରେ ମୋତେ ମୋ'ର ଉଚିତ ସମ୍ମାନ ଅବଶ୍ୟ ମିଳୁ ବୋଲି ପ୍ରକୃତରେ ଅନୁଭବ କରୁଥିବା ମୁଁ ଅନ୍ୟମାନଙ୍କୁ କଦାପି ଅସମ୍ମାନ ଭାବରେ ଦେଖିବିନାହିଁ । ପୂର୍ବକାଳର କାବ୍ୟକାରମାନେ ଯେତେବେଳେ ଅଶେଷ ପୁଲକରେ ମଣିଷର ହୃଦୟ ମଧ୍ୟରେ ଦେବତା ରହିଛନ୍ତି ବୋଲି ଘୋଷଣା କରୁଥିଲେ, ସେତେବେଳେ ମନୁଷ୍ୟମାତ୍ରେ ସମସ୍ତେ ମଧ୍ୟ ଏକ ଦେବତ୍ଵର ମହିମାକୁ ଧାରଣ କରିଛନ୍ତି ବୋଲି କହିବାକୁ ଆରମ୍ଭ କଲେ ସେମାନଙ୍କୁ ପାରିତୋଷିକ ବଦଳରେ ପ୍ରହାରହିଁ ପ୍ରାପ୍ତ ହେବ ବୋଲି କୌଣସି ଶଙ୍କା ଭିତରେ ପଡ଼ି ବହୁବିଧ ଚତୁରତାର ସୁରକ୍ଷା ମଧ୍ୟରେ ସେମାନେ ଆତ୍ମଗୋପନ କରି ରହିଯିବାକୁ ବରଂ ମନ କରୁଥିଲେ କି ? ଏବଂ ମୂଳତଃ ନିଜକୁ କୌଣସି କାରଣରୁ ସେମାନେ ଏକ object ବୋଲି ଦେଖୁଥିବାରୁ ଅନ୍ୟମାନଙ୍କୁ ମଧ୍ୟ ସେହିପରି ଏକ ସ୍ଵଧର୍ମରହିଁ ଆଚରଣ କରୁଥିଲେ ବୋଲି କୁହାଯାଇ ପାରିବ କି ?

 

୧୬ । ୮ । ୨୦୦୬

 

ଆମର assumptions,–ବସ୍ତୁତଃ ସେହିଗୁଡ଼ିକ ହେଉଛନ୍ତି ଆମର ପ୍ରାରବ୍ଧ । ନିଜ ବିଷୟରେ ମୂଳରେ ଥିବା ବା ପୂର୍ବରୁ ରହିଥିବା କିଛି ଅନୁମାନ,–ପୃଥିବୀ ବିଷୟରେ, ଏହି ପୃଥିବୀରେ ବାସ କରୁଥିବା ଅନ୍ୟମାନଙ୍କର ବିଷୟରେ ମୋ'ର ସେହି କାଟର ଯାବତୀୟ ମୂଳ–ଅନୁମାନ, ତାହା ହେଉଛି ପ୍ରାରବ୍ଧ । ତେଣୁ, ଯେଉଁମାନେ ସେହି ପ୍ରାରବ୍ଧର ଦ୍ଵାହି ଦେଇ ଆପଣାର ଅନିଚ୍ଛାଗୁଡ଼ିକୁ ପ୍ରାୟ ଏକ ସମର୍ଥନ ଦେଉଥିବା ପରି କଥାମାନ କହିବାରେ ଲାଗିଥାନ୍ତି, ସେମାନଙ୍କୁ ମୁଁ ବହୁତ ସମୟରେ ମୋଟେ ବୁଝି ପାରେନାହିଁ । ମୋ'ର ପ୍ରାରବ୍ଧ ହେଉଛି ମୋର ପୁଞ୍ଜିସକଳ, ମୁଁ ଯାହାକୁ ନେଇ ଏଠାରେ ସଉଦା କରିବି ଅର୍ଥାତ୍ ଏହି ପୃଥିବୀଟି ନିମନ୍ତେ ଆପଣାର ଅବଦାନଗୁଡ଼ିକୁ ପ୍ରକୃତରେ ଦେଇ ପାରିବି । ପୁଞ୍ଜିଟିକୁ ଆହୁରି ବଢ଼ାଇବା ନିମନ୍ତେ ସିନା ମୋ'ର ଏହି ପୁଞ୍ଜିଟି ।

 

ଗୀତାଗ୍ରନ୍ଥରେ ପ୍ରାରବ୍ଧର କଥା କହି ଶ୍ରୀକୃଷ୍ଣ ଅର୍ଜୁନକୁ ଆଦୌ ଯେଉଁଠି ସେଇଠି ଅଟକି ରହିବାକୁ ପ୍ରରୋଚନା ଦେଇ ନାହାନ୍ତି । କେବଳ ତା'ରମୂଳ ପୁଞ୍ଜିଟି ବିଷୟରେ ସମ୍ଭବତଃ ତାକୁ ସଚେତନ କରିଦେବା ପାଇଁ ପ୍ରୟାସ କରିଛନ୍ତି । ଆମର ମୂଳ ପୁଞ୍ଜିଟି ବିଷୟରେ କେତେକ ବ୍ୟକ୍ତି ଏଭଳି କୃପଣତା ବା ଆଳସ୍ୟ ପ୍ରଦର୍ଶନ କରିବା ଲାଗି ଏତେଗୁଡ଼ାଏ ଉତ୍ସାହ କାହିଁକି ଦେଖାନ୍ତି କେଜାଣି ? ସେମାନେ ଏଠାରେ ସମସ୍ତଙ୍କର ମେଳରେ ରହିଥିଲେ ସୁଦ୍ଧା ତଥାପି ଆପଣାର ସେହି ବାବତର ଋଣଗୁଡ଼ିକର ପରିଶୋଧ କରିବା ବିଷୟରେ କୌଣସି କାରଣରୁ ଅମଙ୍ଗ କରି ରଖି ଥାଆନ୍ତି କି ? ଏବଂ, ଏକ ଯଥେଷ୍ଟ ପ୍ରତ୍ୟୟ ଦେଇ ବୁଝାଇ ଦେବାକୁ ସମର୍ଥ ହେବ ଯେ, ଆମ ପ୍ରତ୍ୟେକଙ୍କର ପ୍ରାରବ୍ଧ ହେଉଛି ବସ୍ତୁତଃ ଆମର ଯାବତୀୟ ସମ୍ଭାବନାର ସଦନଟି,–ତାହା ଆମକୁ ବିଶ୍ଵାସ ଦେଉଥିବ ଏବଂ ସଚଳ କରି ରଖିଥିବ । ପ୍ରାରବ୍ଧର ଆଳ ଦେଖାଇ ଅନ୍ୟ ପକ୍ଷରେ ଯିଏ ବା ଯେଉଁମାନେ ଏହି ପୃଥିବୀକୁ କିଛି ଦେବାକୁ ଅର୍ଥାତ୍ ପୃଥିବୀଲାଗି କିଛି ହୋଇ ପାରିବାକୁ ଅରାଜି ହୋଇ ରହିଥାନ୍ତି, ସେମାନେ ହୁଏତ ବେଶ୍ ଭାବିଚିନ୍ତି ଏଠି କେବଳ ନିଜପାଇଁ ସାଉଁଟି ପକାଇବାରେ ଲାଗିଥିବେ, ନିଜର ଅଣ୍ଟିଟାକୁ ସୁଖଦ୍ଵାରା ଭର୍ତ୍ତି କରିବାରେ ବ୍ୟସ୍ତ ରହିଥିବେ ଏବଂ ମୋଟେ କିଛିହେଲେ ଦେବେନାହିଁ । ବନ୍ଧୁ, ଆଉଗୋଟିଏ ପାଠ ମଧ୍ୟ ରହିଛି, ଯାହା ତଥାପି ଅଲବତ୍ କହିବ ଯେ ପୂରା ଖୁସୀ ହୋଇ ଅଧିକରୁ ଅଧିକ ଦେଇ ପାରୁଥିଲେ ମଧ୍ୟ ଆମର ଅଣ୍ଟି ପ୍ରକୃତରେ ଭରିଯିବାରେ ଲାଗିଥାଏ, ଆମକୁ ସତକୁସତ କତି କରିହିଁ ନେଉଥାଏ ।

 

୧୮ । ୮ । ୨୦୦୬

 

ବଡ଼ ବିକଳ ହୋଇ ପଥରମୁଣ୍ଡାଟି କହିଲା, ଆରେ ବାବୁ, ତୁ ଏମିତି ପିଟି ପିଟି ମତେ କାହିଁକି ଏପରି ଖଣ୍ଡିଆଦଣ୍ଡିଆ କରି ପକାଉଛୁ କହିଲୁ ! ସେଇ ହାତୁଡ଼ାଟାକୁ ଧରି ପୁଣି ସେହି କ’ଣଟିକୁ ପିଟିବାରେ ଲାଗିଛୁ ଯେ, ମୋ’ର ପ୍ରକୃତରେ କ’ଣ ହୋଇଯାଉଛି । ମୁଁ ଆଉ ମୋଟେ ପାରୁନାହିଁରେ ।

 

ପଥରଟାକୁ ଉତ୍ତର ଦେଇ ମୁଁ କହିଲି, ପଥର, ମୁଁ ତୋ’ ଭିତରୁ ଗୋଟିଏ ମୂର୍ତ୍ତି ତିଆରି କରିବା ସକାଶେ ଏହିସବୁ କରୁଛି । ସେହି ମୂରତିଟି ମୋ’ର କଳ୍ପନା ଭିତରେ ରହିଛି ଏବଂ ତୋତେ ଦେଇ ମୁଁ ନିଜର ସେହି ମୂର୍ତ୍ତିଟିକୁ ଗଢ଼ି ଆଣିବାପାଇଁହିଁ ଇଚ୍ଛା କରିଛି । ସେହି ମୂର୍ତ୍ତିଟି ରୂପଟିଏ ଲାଭ କରି ଉକୁଟି ଆସିବା ପୂର୍ବରୁ ମୁଁ ନିଜେ ମଧ୍ୟ ତୁଚ୍ଛା ଗୋଟାଏ ପଥରମୁଣ୍ଡାରେ ମୋ’ ପଥରଭାଇ । ତୁ ଯଦି ଥିର ହୋଇ ଅନାଇ ପାରିବୁ, ତେବେ ନିଶ୍ଚୟ ଦେଖିବୁ ଯେ ମୁଁ ମଧ୍ୟ ସତକୁସତ ମୁଣ୍ଡାଏ ପଥର, ମୁଣ୍ଡାଏ ସମ୍ଭାବନା ଏବଂ ମୁଣ୍ଡାଏ ପ୍ରତିଶ୍ରୁତି । ନିଜପାଇଁ ନିଜେ ଚାକ୍ଷୁଷ ହୋଇ ଆସିବି ବୋଲି ସର୍ବଦାହିଁ ଗୋଟିଏ ହାତୁଡ଼ି ହେବାକୁ ପଡ଼ିଥାଏରେ ! ଆପଣା ଆଡ଼ୁ ରାଜୀ ହୋଇ ଗୋଟିଏ ମୂର୍ତ୍ତିକୁ ସମ୍ଭବ କରି ଆଣିବାକୁ ହେଲେ ଏହିପରି ମୁଣ୍ଡାଏ ପଥର ହେବାକୁହିଁ ପଡ଼ିଥାଏ । ମୋ’ ଭିତରର ମୂର୍ତ୍ତିଟା ମଧ୍ୟ କେଡ଼େ ନିଜର ପରି ମୋତେ କହିଦେବାରେ ଲାଗିଛି ଯେ, ମୁଁ ସମ୍ମତ ପଥରମୁଣ୍ଡାଟିଏ ନହେଲେ ଏହି ପୃଥିବୀରେ କୌଣସି ବିଧାତା ମୋ’ ଭିତରୁ ଆଦୌ କୌଣସି ମୂର୍ତ୍ତି ସମ୍ଭବ କରି ପାରନ୍ତାନାହିଁ ।

 

୨୪ । ୮ । ୨୦୦୬

 

ମୁଁ ଯେତେବେଳେ ଆପଣାର ଲେଖାରେ ମଜ୍ଜି କରି ରହିଥାଏ, ଯେତେବେଳେ ମୋ’ ପରେ ମଧ୍ୟ ଏହି ଏଡ଼େ ସୁନ୍ଦର ପୃଥିବୀ ଏବଂ ତାହାର ମଣିଷମାନେ ତଥାପି ରହିଥିବେ ବୋଲି ମୁଁ ନିଜ ଭିତରୁ ପୂର୍ଣ୍ଣ ସ୍ଵାଭାବିକ ଭାବରେ ଅନୁଭବ କରୁଥାଏ ଏବଂ ଯେତେବେଳେ ନାନା ତୀର୍ଥରେ ଯାଇ ପହଞ୍ଚିବାର ଦୁର୍ବାର ବାସନାଟିଏ ବହନ କରି ଆଗକୁ ଆଗକୁ ଯିବାପାଇଁ ଭାବଦ୍ଵାରା ଭର୍ତ୍ତି ସେହି ତତ୍ପରତାଟି ସହିତ ଯାଉଥିଲେ ମଧ୍ୟ ସେହି ସମସ୍ତଙ୍କୁ ମଧ୍ୟ ମୁଁ ଆପଣାର ସତୀର୍ଥ ବୋଲି ଚିହ୍ନିନେଇ ପାରୁଥାଏ, ସେତେବେଳେ ମୁଁ ସକଳ ଅର୍ଥରେ ନିଜ ଘରେହିଁ ରହିଥାଏ । ଏହି ଘରଟି କେଉଁଠାରୁ ଆରମ୍ଭ ହୋଇଛି ଓ କେଉଁଠି ଯାଇ ସରିଛି, ସେହି କଥାଟିକୁ ହିସାବ କରି ଦେଖିବାକୁ ମୋ’ର ମନେହିଁ ପଡ଼େନାହିଁ । ସତରେ କହିଲ ମୋ’ର ବନ୍ଧୁମାନେ, ଏହି ସଂସାରଟା ଏତେ ବଡ଼ ବିଚିତ୍ର ନା ପ୍ରକୃତରେ ମୁଁ ହିଁ ବିଚିତ୍ର ?

 

ଏହିପରି ଆପଣାଛାଏଁ ସଂକ୍ରାମିତ ହୋଇ ରହିଥିବା, ଏହାହିଁ ଜୀବନ ଏବଂ ଏହାହିଁ ସତକୁସତ ନିଜର ଘରଭିତରେ ରହିଥିବାର ସେହି ଅସଲ ଅନୁଭୂତିଟି । ଅର୍ଥାତ୍ ସଙ୍ଗ ନଥିଲେ ଯେ ଆମେ ଏଠାରେ ନିଃସଙ୍ଗ ହୋଇ ରହିଥାଉ, ସେକଥା ଆଦୌ ନୁହେଁ । ସାଙ୍ଗଟିଏ ହେବାପାଇଁ ଭିତରେ କୌଣସି କୁଣ୍ଠା ରହିଥିଲେହିଁ ଆମେ ସମ୍ଭବତଃ ଏଠି କେହି କାହାରି ନୁହନ୍ତି ବୋଲି ମଞ୍ଚରୋଦନମାନ କରିବାରେ ଲାଗିଥାଉ । ନିଜର ଖୁସୀଗୁଡ଼ିକୁ ଏବଂ ଅନ୍ଵେଷଣଗୁଡ଼ିକୁ ମୋଟେ ଅନ୍ୟମାନଙ୍କର ଖୁସୀ ସହିତ ମିଶାଇ ଦେଖି ପାରୁନାହିଁ । ଏବଂ, ଏପରି ବିମୁଖତାସର୍ବସ୍ଵ ଜୀବମାନେ ଏହି ପୃଥିବୀରେ ସବୁ ଯୁଗରେ ଥିଲେ, ଏବଂ ତେଣୁ ଆମର ଏଯୁଗରେ ମଧ୍ୟ କାହିଁକି ବା ନରହିବେ ! ଆପଣାର ପ୍ରାଣବାସନାଗୁଡ଼ିକ ନିତାନ୍ତ ଏକଶିଙ୍ଗିଆ ହୋଇ ରହି ନଥିଲେ ସେହି ଦଶାଟିକୁ କଦାପି ଭୋଗ କରିବାକୁ ହେଉ ନଥାନ୍ତା । ତେଣୁ, ଏଠାରେ ପୃଥିବୀରେ ପୂରା ରହିଥିଲେ ମଧ୍ୟ ତଥାପି କୋଉ ମାନୀମାନଙ୍କ ପରି ଏହି ବାର ଅମଡ଼ାଗୁଡ଼ାକରେ ନିଶଗୁଡ଼ାକୁ ଫୁଲାଇ ବୁଲିବାକୁ ଆଦୌ ପଡ଼ନ୍ତାନାହିଁ ।

 

୨୫ । ୮ । ୨୦୦୬

 

The spiritual is a way of life,–ଜୀବନର ଏକ ଅବଲମ୍ବନରେ ପରିଣତ ହୋଇଥିବା ଗୋଟିଏ ଶୈଳୀ । ଏକ ସମଗ୍ର ଜଳବାୟୁ ସଦୃଶ । ତେଣୁ, ଜୀବନରୁ କୌଣସି ପ୍ରକାର ପଳାୟନ କରିବାକୁ ଆମେ ମୋଟେ ଆଧ୍ୟାତ୍ମିକତା ବୋଲି ମୋଟେ କହିବାକୁ ମନ କରିବାନାହିଁଟି !

 

ଅର୍ଥାତ୍, ଆଧ୍ୟାତ୍ମିକତା ଜୀବନକୁ ନେଇ, ଆମର ଏଠି ସମ୍ପର୍କଗୁଡ଼ିକୁ ନେଇ । ତଥାକଥିତ କେତେକ ଶବ୍ଦକୁ ନେଇ ନିଜର ରଚନାରେ ବିଶେଷ ଭାବରେ କିଛି କହିଦେଲେ ତାହାକୁ ଆଧ୍ୟାତ୍ମିକ ବୋଲି କହି ପାରିବାନାହିଁ । ଆମ ଜୀବନର ସକଳ ସମ୍ପର୍କ, ନିଜ ଭିତର ଓ ବାହାରର ଆମର ସର୍ବବିଧ ଅନୁଭବ ଓ କ୍ରିୟାଶୀଳତା, ଏହି ସବୁଯାକ କ୍ଷେତ୍ରରେ ଆମର ଆଖିଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ପ୍ରସ୍ଥକୁ ଆସିପାରିଲେ ଆମେ ତାହାକୁ ଅବଶ୍ୟ ଆଧ୍ୟାତ୍ମିକ ବୋଲି କହିପାରିବା । ତେଣୁ, ଏହି ଆଧ୍ୟାତ୍ମିକତାର କୌଣସି ସ୍ଥାନୀୟ ଖାସ୍ ପରିଚୟ ରହିବା ଆଦୌ ଉଚିତ ହେବନାହିଁ । ତଥାକଥିତ ଜାତୀୟତାବାଦକୁ ନିଠ କରି ଧରି ଓ ତାହାକୁ ପରମ ଆହ୍ଲାଦ ସହିତ ପୃଥିବୀର ସର୍ବବୃହତ୍ ଧର୍ମ ବୋଲି ପ୍ରତିପାଦନ କରି କେହି ତଦ୍ଦ୍ୱାରା ଅଧ୍ୟାତ୍ମରେ ଯାଇ ପହଞ୍ଚିଗଲା ବୋଲି ଦାବିହିଁ କରାଯାଇପାରିବ ନାହିଁ । ଅଧ୍ୟାତ୍ମ ମୋଟେ ବୈରାଗ୍ୟକୁ ମାନି ସେହିଠାରେ ଅଟକି ରହି ଯିବନାହିଁ । ଆଦୌ କୌଣସି ଅର୍ଥାର୍ଥୀଧର୍ମୀ ସର୍ତ୍ତକୁ ସ୍ଵୀକାର ମଧ୍ୟ କରିବନାହିଁ । ଏବଂ, ଯିଏ ସତକୁସତ ଆପଣାର ଜୀବନକୁ ସେହି ଅଧ୍ୟାତ୍ମର ସ୍ପର୍ଶ ପାଇବାଯାଏ ପରିଚାଳିତ କରି ନେଉଥିବ, ସିଏ କୌଣସି ଏକ ଖାସ୍ ପଥକୁ ମଧ୍ୟ ଜାବୁଡ଼ି ଧରିବାର ହୃଷ୍ଟତା ମଧ୍ୟରେ ଯାଇ ପଡ଼ି ଯିବନାହିଁ । ତେବେ, ସିଏ ଏଭଳି ଏକ ପୂର୍ଣ୍ଣ affirmation ଯାଏଁ କ୍ରମଶଃ ପହଞ୍ଚି ପାରିବ ଯେ, ନାସ୍ତିକମାନଙ୍କୁ ମଧ୍ୟ ନାସ୍ତିକ ବୋଲି କହିବାକୁ ସିଏ ଏକ ଅଶିଷ୍ଟତା ବୋଲି ଅନୁଭବ କରିବ । ଆଧ୍ୟାତ୍ମିକତାହିଁ ସାହସର ସହିତ ସବୁରି ପାଖରେ ଯାଇ ବସିବାକୁ ସମର୍ଥ ହୁଏ ଓ ଆଦୌ କେଉଁଠିହେଲେ ମଧ୍ୟ ତା’ର ଜାତିଟା ଚାଲିଗଲା ବୋଲି ଆତଙ୍କିତ ହୋଇ ଉଠେନାହିଁ । ଆଦୌ ରୋଦନ କରେନାହିଁ ।

 

୩୧ । ୮ । ୨୦୦୬

 

ଆମ ପସନ୍ଦର ବିଶ୍ଵଟି ଅନୁସାରେହିଁ ଆମର ବିଦ୍ୟାଳୟ । ଆମ ସମ୍ପର୍କର ବିଶ୍ଵ, ଆମ ପାରସ୍ପରିକତାର ବିଶ୍ଵ ଓ ଆମ ଯାବତୀୟ ଇହକାରବାରର ଏହି ବିଶ୍ଵଟି । ଯଦି ଆମ ସମାଜରେ ନାନା ବିଭେଦ ଯେକୌଣସି ଧର୍ମବତ୍ ଯଦି ଆମର ସଂସାରଗୁଡ଼ିକୁ ମାଡ଼ି ବସିଥିବ, ଯଦି ଅଳପ ମଣିଷ ଅଧିକଙ୍କ ଉପରେ ଘୋଡ଼ା ଚଢ଼ି ରହିଥିବେ, ଯଦି ମାତ୍ର ଥୋକେ ମନୁଷ୍ୟ ସଭ୍ୟତା, ସଂସ୍କୃତି ତଥା ଅୟସ ଓ ଆରାମମାତ୍ରକେ ସବୁକିଛିକୁ ମାଡ଼ି ବସିଥିବେ, ତେବେ ଆମର ବିଦ୍ୟାଳୟଟି ମଧ୍ୟ ତାହାରି ପଟେ ରହି ଯାବତୀୟ ନୀତିର ନିର୍ଦ୍ଧାରଣବି କରୁଥିବ, ଆମଠାରୁ ଭୋଗ ଖାଉଥିବା ଦେବତାମାନେ କେବଳ କେତେଜଣଙ୍କ ଉପରେହିଁ ସବୁଯାକ ଆଶୀର୍ବାଦକୁ ନେଇ ଢାଳି ଦେଉଥିବେ-। ଆମକୁ ଯେତେ ବିଚିତ୍ର ମନେ ହେଉଥିଲେ ମଧ୍ୟ ବାସ୍ତବ ସ୍ଥିତିଟି ସେହିପରି ହେବହିଁ ହେବ । ତେଲୀମାନଙ୍କର ମୁଣ୍ଡରେହିଁ ପ୍ରାୟ ସବୁଯାକ ତେଲ ଢଳା ହେବାର ଅଧମତାଗୁଡ଼ାକୁ ସୁଶାସନ ବୋଲି କୁହାଯାଉଥିବ ।

 

ତଥାପି, ଏକ ଅନ୍ୟଭଳି ଶିକ୍ଷାର ବ୍ୟବସ୍ଥାଦ୍ଵାରା ଆମର ଅତ୍ୟନ୍ତ ଅଭ୍ୟସ୍ତ ସେହି ଅବର୍ଜିଆ ପରିବର୍ତ୍ତନ ନିମନ୍ତେ ଅନୁକୂଳ ଏକ ଭିତ୍ତିଭୂମିକୁ ମଧ୍ୟ ତିଆରି କରି ଅଣାଯାଇପାରିବ । ପରିବର୍ତ୍ତନକ୍ଷମ ବିଦ୍ୟାସ୍ଥାନଗୁଡ଼ିକୁ ସେଥିଲାଗି ସମ୍ପୂର୍ଣ୍ଣ ଭାବରେ ଅନ୍ୟପ୍ରକାରେହିଁ ହେବାକୁ ପଡ଼ିବ । ସେଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଦିକ୍‌ନିର୍ଣ୍ଣୟ ଦେଇ ଚଲାଉଥିବା ଶିକ୍ଷକମାନେ ମଧ୍ୟ ଅନ୍ୟପ୍ରକାରର ହେବେ-। ସେମାନେ ଯୁଗପତ୍ ଭାବରେ ଶିକ୍ଷାକୁ ନିଜର ଧର୍ମରୂପେ ଗ୍ରହଣ କରିଥିବେ ଏବଂ ତା’ସହିତ ଯଥେଷ୍ଟ ସାହସୀ ମଧ୍ୟ ହୋଇଥିବେ । ତେବେ ଯାଇ ସେମାନେ ଶିକ୍ଷାପଟେ ରହି ମେରୁଦଣ୍ଡ ସିଧା କରି ଠିଆ ହୋଇ ପାରିବେ ।

 

୩ । ୯ । ୨୦୦୬

 

ହଁ, ଠିକ୍ ଏହିପରିହିଁ ଦେବାରେ ଲାଗିଥିବି ଏବଂ ପାଇବାରେବି ଲାଗିଥିବି । ହୋଇ ହୋଇ ଚାଲିଥିବି, ଅଧିକରୁ ଅଧିକ ଧନାଢ଼୍ୟ ହେବାରେ ଲାଗିଥିବି । ପୂର୍ଣ୍ଣାତ୍ ପୂର୍ଣ୍ଣତରାକୃତି ବୋଲି ସେକାଳେ ଭଗବାନଙ୍କର ଏକ ଧାରଣା କରିବାକୁ କିଏ ଜଣେ ଚେଷ୍ଟା କରିଥିଲେ ନା ! କୃପଣମାନେ କାଙ୍ଗାଳ ହୋଇ ରହିଥିବେ ସିନା,–ସେମାନଙ୍କର ଜାତକରେ ଆପଣାକୁ ଧନାଢ଼୍ୟ ବୋଲି ଅନୁଭବ କରିବାକୁ ଏକ ସୌଭାଗ୍ୟ କେବେହେଲେବି ଆସିବନାହିଁ । କୃପଣଟା, କେବଳ ଗଦା କରି ରଖିବାର ଧନ୍ଦାଟି ମଧ୍ୟରେ ରହିଥିବା ଲୋକଟା ତ ସବୁବେଳେ ନିଜକୁ ଆଉ କେଉଁ ଅଧିକ ମଣିଷଟିଏ ସହିତ ତୁଳନା କରିବାରେ ଲାଗିଥିବ ଓ ତଉଲି ଦେଖିବାର ସେହି ଦୁଃଖଦ ହୀନମାନଟା ଭିତରେ ଭାରି ଦରିଦ୍ର ହୋଇ ରହିଥିବ ।

 

ଶ୍ରୀଯୁକ୍ତ ଏରିକ୍ ଫ୍ରମ୍‌ଙ୍କର ଗୋଟିଏ ପୁସ୍ତକକୁ ସିଏ To have and to be ବୋଲି ଶୀର୍ଷକଟିଏ ଦେଇଥିବାର ଦେଖି ଏକଦା କେମିତି କେମିତି ଲାଗିଥିବାର ଖୁବ୍ ମନେପଡ଼ୁଛି । ଯେଉଁ ବିଚାରବିଚରଣର ବ୍ୟାସଟି ମଧ୍ୟରେ ସିଏ କଥାଟିର ଉପସ୍ଥାପନା କରିଛନ୍ତି, ସେଥିରେ ମୁଁ ଆଜି ମଧ୍ୟ କିଛି ଅସଙ୍ଗତି ରହିଛି ବୋଲି ମୋଟେ କହିବିନାହିଁ । ତଥାପି, ଆପଣାକୁ ଭେଦିବାର, ଆପଣାକୁ ନିର୍ମାଣ କରି ନେବାର ଏବଂ ଆପଣାକୁ ଏକ ସଂହତିଯୁକ୍ତ ପରିଚିତି ଆଣି ଦେବାର ସ୍ଵପ୍ରୟାସର ପ୍ରକ୍ରିୟାଟିରେ ଏପରି ଏକ ଅନ୍ୟ ପ୍ରସ୍ଥ ମଧ୍ୟ ରହିଛି, ଯେଉଁଠାରେ କି to be ର to have ସହିତ ଆଦୌ କୌଣସି ବିରୋଧ ଥିବାର ଲକ୍ଷ୍ୟ କରି ହୁଏନାହିଁ । ସେଠାରେ ହେବାଟି ଯେତିକି ଯେତିକି ସମ୍ଭବ ହୁଏ, ଅଧିକରୁ ଅଧିକ ଧନାଢ଼୍ୟ ହେଉଥିବାର ଏକ ବିମୋଚନକାରୀ ସମ୍ମାନବୋଧ ମଧ୍ୟ ଉପଲବ୍ଧ ହେବାରେ ଲାଗିଥାଏ । ଉପନିଷଦର ସେହି ‘ତେନ ତ୍ୟକ୍ତେନ ଭୁଞ୍ଜୀଥାଃ’ର ଏଇଟି ସହିତ କିଛି ସମଧର୍ମୀ ଆବେଦନ ମଧ୍ୟ ରହିଛି କି ?

 

୬ । ୯ । ୨୦୦୬

 

ହୃଦୟ କହୁଛି ଓ ମନ ଟିପି ରହୁଛି । ହୃଦୟ ବଞ୍ଚୁଛି ଏବଂ ମନ ହିସାବ ରହୁଛି । ଇଏ ହେଉଛି ଏକ ଅନ୍ୟପ୍ରକାରର ବୁଝାମଣା, ଏବଂ ତେଣୁ ଏକାବେଳେକେ ଏକ ଅନ୍ୟ ପ୍ରକାରର auditing;–ସାଧାରଣତଃ ଯିଏ ଖର୍ଚ୍ଚ କରୁଥିବାର କରୁଥାଏ ଏବଂ ବାହାରୁ ଆଉଜଣେ ଆସି ତାହାର ଅଡ଼ିଟିଂ କରେ । ଏବଂ, ଏକ ସାଧାରଣ ନିୟମ ଅନୁସାରେ, କିପରି କ’ଣ ଓ କେତେ କେତେ ଖରଚ କରିବାକୁ ହେବ, ସେହି କଥାଟିକୁ ମଧ୍ୟ କିଏ ଆଗରୁ ଥିର କରି ଦେଇଥାଏ । ଏବଂ, ମନ ଓ ହୃଦୟର, ହୃଦୟ ଏବଂ ମନର ଏହି ସତକୁସତ ସମ୍ବନ୍ଧ ଅର୍ଥାତ୍ ପାରସ୍ପରିକତାର କ୍ଷେତ୍ରରେ କିପରି କ’ଣ ହେବ, ସେହି କଥାଟି କ’ଣ ଆଗରୁ ଆଉକେହି ସ୍ଥିର କରି ଦେଇଛି ? ଯଦି ସେହିପରି କିଛି ପ୍ରକୃତରେ ହୋଇ ଥାଆନ୍ତା, ତେବେ ମନ କିମ୍ବା ହୃଦୟ ଆଦୌ ପରସ୍ପରକୁ ବୁଝିଥିବା ପରି ଅର୍ଥାତ୍ ଦୁହେଁ ପ୍ରାୟ ସେହି ଗୋଟିଏ ନିତ୍ୟଧର୍ମର ଅନୁସରଣ କରି ଏହି ଘରଟିକୁ ଚଳାଇବା ନିମନ୍ତେ ଆଦୌ ରାଜୀହିଁ ହେଉ ନଥାନ୍ତେ । ତେବେ ଯାହା ହୁଅନ୍ତା, ତାହାକୁ କେବଳ ଏକ ଅରାଜକତା ବୋଲି କହି କଦାପି କାମ ସାରିଦେଇ ହୁଅନ୍ତାନାହିଁ ।

 

କିଏ କହିଲା, ହୃଦୟ ଖାଲି କହୁଛି ଏବଂ ମନ ଖାଲି ଟିପି ରହୁଛି ? ଏବଂ, ସେହିପରି, ହୃଦୟ ବଞ୍ଚୁଛି ଏବଂ ମନ କେବଳ ହିସାବ ରହୁଛି ? ମନବି କହୁଛି ଏବଂ ହୃଦୟ ମଧ୍ୟ ଟିପି ରହୁଛି । ମନବି ବଞ୍ଚୁଛି ଓ ହୃଦୟ ହିସାବ ନେଉଛି । ପରସ୍ପରକୁ ସତେଅବା କୌଣସି ପୋଲିସ୍ ପାଖରେ ନେଇ ଧରାଇ ଦେବାର ଆଦୌ କୌଣସି ଦୁଷ୍ଟାମି ଲାଗି ନୁହେଁ, ସମ୍ଭବତଃ ଉଭୟେ ଯେଉଁ ଅସଲ କାହାଟିର ପରିଚର୍ଯ୍ୟା ନିମନ୍ତେ ଏଠି ପରସ୍ପରକୁ ଭେଟିଛନ୍ତି, ଦୁହେଁ ସତକୁସତ ତାହାକୁହିଁ ସ୍ଵୀକାର କରି ନେଇଛନ୍ତି ବୋଲି ।

 

୧୨ । ୯ । ୨୦୦୬

 

ସଂଗ୍ରାମ, ଏବଂ ସଂଗ୍ରାମରୁ ସାକ୍ଷାତକାର । ସଂଗ୍ରାମମାନେ ହେଉଛନ୍ତି ପହଞ୍ଚି ପାରିବା ନିମନ୍ତେ ଗୋଟିଏ ଗୋଟିଏ ପଥ । ଅଥବା ଗୋଟିଏ ଗୋଟିଏ ନଈ, ଯେଉଁମାନଙ୍କ ସକାଶେ ସାକ୍ଷାତକାରରୂପୀ ସାଗରାଶ୍ରୟଟି ଅପେକ୍ଷା କରି ରହିଥାଏ । ସେଠାରେ ଏକ ଆଶ୍ରୟ ରହିଛି ବୋଲି ଏହି ନଦୀମାନେ ସିନା ଜାଣି ନଥାନ୍ତି, ମାତ୍ର ସାଗର ଅବଶ୍ୟ ଜାଣେ । ସାଗର ନଈଗୁଡ଼ିକ ନିମନ୍ତେ ଅପେକ୍ଷା କରି ରହିଥାଏ । ହଁ, କୃତଜ୍ଞ ହୋଇ ଅପେକ୍ଷା କରିଥାଏ । ସାଗରକୁ ଭେଟି, ଆପଣାକୁ ତାହାରି କୋଳକୁ ପ୍ରସାରିତ କରିନେଇ ନଦୀ ହୁଏତ ଆପଣାର ଏଯାଏଁ ଆସି ପହଞ୍ଚି ଥିବାର ସଂଗ୍ରାମକାହାଣୀଟିକୁ ଭୁଲି ଯାଉଥିବ,–ମାତ୍ର ସାକ୍ଷାତକାରର ଆଶ୍ରୟଟିକୁ ଆଦୌ ଆଡ଼େଇ ଦେବାର କିମ୍ବା ଭୁଲିଯିବାର କଦାପି କୌଣସି ଦଶା ଭୋଗିବାକୁ ହେଉ ନଥିବ ।

 

ସଂଗ୍ରାମ ହେଉଛି ସାକ୍ଷାତକାର ଲାଗି ମାଧ୍ୟମ । ଯଦି ଗୋଟାଏ ଢିପ ପରି କୌଣସି ସ୍ଥାନକୁ ଆସି ସଂଗ୍ରାମଟା ଶେଷ ହୋଇଗଲା ବୋଲି କେହି ତଥାକଥିତ ଆଶ୍ଵସ୍ତିଟିଏ ଅନୁଭବ କରୁଥାଏ, ସେଇଟି ଅବଶ୍ୟ ଗୋଟିଏ ଭାରି ନିଆରା କଥା । କିନ୍ତୁ ଅସଲ ସାକ୍ଷାତକାରଟି ଆହୁରି ଆହୁରି ସଂଗ୍ରାମ ନିମନ୍ତେ ପ୍ରେରଣା ଦେଇ ତଥାପି ପ୍ରସ୍ତୁତ କରିବାରେ ଲାଗିଥାଏ । ଯେଉଁ ଗୁରୁଙ୍କ ସହିତ ସାକ୍ଷାତକାର ହୋଇ ପାରିଲେ ଆହୁରି କେତେ କେତେ ସଂଗ୍ରାମର ସୁସ୍ଥ ଅନ୍ଦାଜମାନ କରିହୁଏ, ଆମେ ତାହାକୁହିଁ ଅସଲ ଅଧ୍ୟାତ୍ମର ସାକ୍ଷାତକାର–ଯାତ୍ରାରେ ଯଥାର୍ଥ ଗୁରୁ ଏବଂ ଯଥାର୍ଥ ବନ୍ଧୁ ବୋଲି କହି ପାରିବା ।

 

୧୫ । ୯ । ୨୦୦୬

 

ଏକଦା ସାକ୍ଷାତକାର ନିମନ୍ତେ ସତକୁସତ ସଂଗ୍ରାମ କରିବାକୁ ପଡ଼ିଥିଲା । ସେତେବେଳେ ମୁଁ ସେହି ପ୍ରକ୍ରିୟାଟିକୁ କେଡ଼େ ସବ୍‍ଜାନ୍‍ତା ପରି ଆରୋହଣ ବୋଲି କହୁଥିଲି ଏବଂ ତେଣୁ ଆପଣାକୁ ମଧ୍ୟ ଜଣେ ଆରୋହୀ ପରି ଅନୁଭବ କରି ସାବାସ୍ ସାବାସ୍ ବୋଲିବି କହି ହେଉଥିଲି । ମାତ୍ର, ପ୍ରକୃତରେ କାହାସହିତ ସାକ୍ଷାତ କରିବା ନିମନ୍ତେ ଯେ ମୁଁ ବାଟଟିଏ ଉଠି ଉଠି ଯାଉଛି, ଆପଣାକୁ ସେହିଭଳି ପ୍ରଶ୍ନଟିଏ ପଚାରିବାକୁ ମୋଟେ ମନେ ପଡ଼ୁ ନଥିଲା । ଯାତ୍ରା ଦେଖି ଯାଉଥିବା ସମୟରେ ମୁଁ ସେଠାରେ ଠିକ୍ କ’ଣସବୁ ଦେଖିବି, ସେହି ବିଷୟରେ ଜଣେ ଯାତ୍ରୀ ଆଗରୁ ଜାଣି ରଖିବାପାଇଁ କୌଣସି ଫୁରୁସତ୍ ବା ଦିଏ ! ବାସ୍, ମୁଁ ଯାତ୍ରା ଦେଖିବା ଲାଗି ଯାଉଛି, ସେହି ଆନନ୍ଦଟିହିଁ ବାଟ କଢ଼ାଇ ନେଇ ଯାଉଥାଏ ।

 

ଏବଂ, ଏବେ, ସାକ୍ଷାତକାରମାନେ କ୍ରମେ ଅନୁଭୂତ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ବେଶ୍ ସଂଗ୍ରାମବି କରିବାକୁ ପଡ଼ୁଛି । ସାକ୍ଷାତକାର ହୋଇଗଲେହିଁ ସଂଗ୍ରାମଟି ବଳେ ବନ୍ଦ ହୋଇଯିବ ବୋଲି ଯେଉଁମାନେ ପ୍ରାୟ କୌଣସି ଖାସ୍ କୃଚ୍ଛ୍ରର ମିହନ୍ତରେ ସଂଗ୍ରାମ କରୁଥାନ୍ତି, ସେମାନେ କ’ଣ କିପରି କ’ଣ ସବୁ ଅଙ୍ଗେ ନିଭାଇ ଥାଆନ୍ତି କେଜାଣି ? ଏବେ ତ ସମ୍ପୂର୍ଣ୍ଣ ଭାବରେ ସଂଶୟରହିତ ହୋଇ ମୁଁ ସମ୍ଭବତଃ କହି ପାରିବି ଯେ, ସାକ୍ଷାତକାର ପରେ ସାକ୍ଷାତକାର ହେଉଥିବ, ଏବଂ ସଂଗ୍ରାମ ମଧ୍ୟ ଲାଗି ରହିଥିବ । ସାକ୍ଷାତକାର ଓ ସଂଗ୍ରାମ,–ଦୁଇଟିଯାକର କ୍ଷେତ୍ରହିଁ ପ୍ରସାରିତ ହେବାରେ ଲାଗିଥିବ । ପ୍ରଥମ ଅବସ୍ଥାଟିରେ ସିନା ମୋ’ର ସଂଗ୍ରାମ ଏବଂ ମୋ’ର ସାକ୍ଷାତକାର–ଏପରି ଦୁଇଟା ଅଲଗାଅଲଗା କଥା କହୁଥିଲି,–ଏବେ ତ ସତକୁସତ ମୋତେହିଁ ମାଧ୍ୟମ କରି ଆମ ସମସ୍ତଙ୍କର ସଂଗ୍ରାମ ଏବଂ ତାହାରି ହେତୁ ପୃଥିବୀ ସହିତ ସାକ୍ଷାତକାର ବୋଲି ମୁଁ ଅଧିକ ସାଧୁତା ସହିତ କହି ପାରିବି । ସଦାସଂପ୍ରସାରଣରୂପୀ ଏକ ସାକ୍ଷାତକାର ଏବଂ ସେଥିଲାଗି ଏପରି ଗୋଟିଏ ସଂଗ୍ରାମ, ଯାହା ଆଦୌ କୌଣସି କ୍ଳେଶ ଦିଏନାହିଁ, ଆଉ କାହାରିକୁ ଟିପିଯିବାର ଆଦୌ କୌଣସି ଦୁର୍ବୁଦ୍ଧି ଭିତରେ ପକାଇ ଦେବାର ଫିକରବି କରେନାହିଁ ।

 

୨୪ । ୯ । ୨୦୦୬

 

ଜ୍ଞାନ, ଅର୍ଥାତ୍ ଜାଣିବା, ଆହୁରି ଆହୁରି ଜାଣିବାରେ ଲାଗିଥିବା ଓ ସେହିଭଳି ଜାଣୁ ଜାଣୁ ହୁଏତ ସେଇଥିରୁ ଉତ୍ସାହିତ ହୋଇ ସତକୁସତ କିଛି ନା କିଛିକୁ ସାଙ୍ଗରେ ସାଥୀ କରି ଜୀବନ ବଞ୍ଚିବା,–ଅର୍ଥାତ୍ ପ୍ରକୃତରେ କିଛି ହେବା । ବିଜ୍ଞାପନ ହେଉଛି ଦେଖାଇହେବା,–ମୁଁ ଯାହା ନୁହେଁ, ସେହିପରି କ’ଣ ଗୋଟାକୁ ଦେଖାଇହେବା । ସତେଅବା ଆପଣା ଭିତରେ କ’ଣ ଗୋଟିକୁ ଲୁଚାଇ ରଖିବାର ଏକ ହରକତ୍ ଭିତରେ ପଡ଼ି ଆଉକିଛି ବୋଲି ଦେଖାଇହେବା । ଭାରି ଉପଦ୍ରବପୂର୍ଣ୍ଣ ସେହିଭଳି ଜୀବନଟିଏ,–ନିଜ ସହିତ ଗୋଟାଏ ଭଗାରିପଣ କରି ରହିଥିବାର ସେହି ନିତାନ୍ତ ଅପସଂସ୍କାରଟା । ମୁଁ ଭାବୁଛି, ଆପଣାଠାରୁ ସେତିକିଯାଏ ଦୂରଛଡ଼ା ହୋଇ ରହିପାରୁଥିଲେ ସିନା ଆପଣାକୁ ଏପରି ଲୁଚାଇ ରଖିବା ମଧ୍ୟ ସମ୍ଭବ ହୋଇଥାଏ !

 

ସାହିତ୍ୟ ହେଉଛି ଜାଣିବା, ଭେଦିବା, ହେବା, ଆପଣାର ଅଧିକରୁ ଅଧିକ ନିକଟବର୍ତ୍ତୀ ହେଉଥିବା ଏବଂ ସେଇଟିକୁ ସେତୁ ଭଳି କରି ଏହି ପୂର୍ଣ୍ଣ ବିଶ୍ଵଟିରବି ନିକଟବର୍ତ୍ତୀ ହୋଇ ଆସୁଥିବା-। କିନ୍ତୁ, ସାହିତ୍ୟର ଆଦୌ କୌଣସି ଚର୍ଚ୍ଚା ପଡ଼ିବାମାତ୍ରକେ ଯେଉଁମାନେ ଆଗ ଖପ୍ କରି ଓଡ଼ିଆ ସାହିତ୍ୟକୁ ଡେଇଁ ପଡ଼ନ୍ତି, ସେମାନେ ଏକାଧିକ ଅବସରରେ ଗୋଟିଏ କିସମର ବିଜ୍ଞାପନର ପଟେ ଯାଇ ରହିଥାଆନ୍ତି କି ? ସାହିତ୍ୟ ଭିତରକୁ ସିଧା ଅନାଇ ପାରିବେନାହିଁ ବୋଲି ସେମାନେ ସର୍ବଦା ଓଡ଼ିଆ ସାହିତ୍ୟର ଗୋହରି ଭିତରେ ଯାଇ ପଶିଯାଆନ୍ତି । ସାହିତ୍ୟରେ ତ ଆପଣାର ମଧ୍ୟ ସାମନା କରିବାକୁ ହୋଇଥାଏ । ଓଡ଼ିଆ ସାହିତ୍ୟ କହିଲେ ହୁଏତ ଖୁବ୍ ସହଜରେ ସତେଅବା କେଉଁ ଜଗୁଆଳିର ଆଖିକୁ ଏଡ଼ାଇ ଗୋଟିଏ ପଲ ଭିତରେ ପଶି ଯାଇ ହୋଇଥାଏ-। ଏବଂ, ଏକାବେଳେକେ ଛାତିଟାକୁ ଫୁଲାଇ !

 

୩୦ । ୯ । ୨୦୦୬

 

ବନ୍ଧ ଉପରେ ପଲା ମାରି ଦିନପରେ ଦିନ ଆଶ୍ରୟ ନେଇ ରହିଥିବା ଯେଉଁମାନଙ୍କୁ ଆମେ ରିଲିଫ୍ ଦେବାପାଇଁ ବାହାରି ଯାଉଛୁ ତୁମେ ସେମାନଙ୍କୁ ସବାଆଗ ଜଣେ ଜଣେ ନାଗରିକ ବୋଲି ଦେଖ । ତେବେ ତୁମେ ନିଜେ ମଧ୍ୟ ଡରିଯିବ । ଏହି ମାଟିକୁ ନିଜର ବୋଲି ଅନୁଭବ ମଧ୍ୟ କରିପାରିବ ।

 

ତୁମେ ରିଲିଫ୍ ବାଣ୍ଟିବାକୁ ଗୋଟିଏ ଧର୍ମକାର୍ଯ୍ୟ ବୋଲି ଭାବି ସେଥିରୁ କିଛି ଆତ୍ମଶ୍ଳାଘା ଅନୁଭବ କରୁଛ କି ? ହଁ, ଅସହାୟ ମନୁଷ୍ୟମାନଙ୍କୁ କିଛି ନା କିଛି ସହାୟ ଯୋଗାଇ ଦେଇ ପାରିବାକୁ ସବୁଯୁଗରେହିଁ ଗୋଟିଏ ସଜ୍ଜନୋଚିତ କର୍ତ୍ତବ୍ୟ ବୋଲି ଅବଶ୍ୟ କୁହାଯାଇଛି । ମାତ୍ର, ଯୁଗେଯୁଗେ ସହସ୍ର ସହସ୍ର ମନୁଷ୍ୟ ବର୍ଷା, ବନ୍ୟା ଓ ବାତ୍ୟାରେ ଅସହାୟ ହୋଇ ଯାଉଥିବେ, ଏବଂ ତୁମେ ସେମାନଙ୍କୁ ତକ୍ଷଣେ କିଛି ତ୍ରାଣ ଯୋଗାଇ ଦେବାଲାଗି ଆଉକିଛି ମନୁଷ୍ୟ ସେମାନଙ୍କ ନିକଟକୁ ଧାଇଁ ଯାଉଥିବେ, ଆମେ ତାହାକୁ ସଂପୃକ୍ତ ସେହି ଦୁଇପକ୍ଷଙ୍କ ଲାଗି ମଧ୍ୟ କାହିଁକି ଏକ ଘୋର ଲଜ୍ଜାର କଥା ବୋଲି ନକହିବା ! ଆମର ଏହି ନିଜ ଭୂମିଟିରେ ଯେ ଏକଥା ହେଉଛି, ଚେତା ରହିଥିବା ମଣିଷଟିଏ ସେଥିରେ ଆପଣାକୁ ମଧ୍ୟ ସଂପୃକ୍ତ ବୋଲି ଅବଶ୍ୟ ଅନୁଭବ କରିବ । ଆଦୌ କୌଣସି ପ୍ରକାରର ସଭ୍ୟ ନ୍ୟାୟନୀତି ଅନୁସାରେ କିଛି ଲୋକ ପ୍ରାୟ ନିତ୍ୟ ଅସହାୟ ହୋଇ ରହିଥିବା ଏବଂ ଆଉ କେତେବି ପ୍ରାୟ ଏକ ବିଗଳିତ ଧର୍ମଭାବ ସହିତ ସେମାନଙ୍କ ପାଇଁ ଏଇଟା କିମ୍ବା ଧରି ଦଉଡ଼ି ଯିବାରେ ଲାଗିଥିବା,–ସ୍ଵାଧୀନ ନାଗରିକମାନଙ୍କର ଦେଶରେ ସତକୁସତ ଏକ ସର୍ବନିମ୍ନ ରାଜନୀତି ରହିଥିଲେ ସେପରି ମୋଟେ ଘଟୁ ନଥାନ୍ତା । ଜଣେ ଜଣେ ନାଗରିକ ହିସାବରେ ଆମର ଜ୍ଞାନୀ ତଥା ବିଜ୍ଞାନୀମାନେ ହୋସ୍‌ରେ ରହିଥିଲେ ସେମାନେ କେବେହେଲେ ଏଭଳି ଉଦାସୀନତା ଅବଲମ୍ବନ କରି ମିଛ ମାଲିକଗଣଙ୍କର ଆଦେଶ ପାଳନ କରି ଏହି ଭୂମିର ମୂଳ ଦୁସ୍ଥତାଗୁଡ଼ିକ ଆଡ଼କୁ କଦାପି ଆଖି ବୁଜି ରହି ନଥାନ୍ତେ । ଗୋଟିଏ ପକ୍ଷ ଆଉଗୋଟିଏ ପକ୍ଷକୁ ବାଧ୍ୟ କରି ହୋସ ଭିତରକୁ ଆଣିବାଯାଏ କ’ଣ ଏଠାରେ ସବୁ ମଣିଷଙ୍କ ପାଇଁ ଦାୟୀ ସ୍ଵୟଂ ଭଗବାନ ମଧ୍ୟ ସତରେ ଥୟ ଧରି ସଞ୍ଜମ ରଖି ରହିପାରିବେ ?

 

୨ । ୧୦ । ୨୦୦୬

 

ଏହି ସ୍ଥାନୀୟରୁ ସର୍ବଜାଗତିକ ପର୍ଯ୍ୟନ୍ତ,–ସ୍ଥାନୀୟକୁ ଅଳପ ବୋଲି ଭାବି ତଥାକଥିତ ସର୍ବଜାଗତିକ ନାମକ ଯେଉଁ ଅନ୍ୟ ଏକ ଗୁମ୍ଫା ମଧ୍ୟରେ ଆତ୍ମଗୋପନ ନୁହେଁ ଅଥବା କେଉଁ ବୃହତ୍ତର ମଧ୍ୟକୁ ପଳାୟନବି ନୁହେଁ,–ତାହାହିଁ ଗାନ୍ଧୀ–ପରିଚିତିର ମୂଳ କଥା । ସବୁ ଏହିଠାରୁ ଆରମ୍ଭ, ଏହି ମଣିଷମାନଙ୍କୁ ଚକ୍ଷୁସାନ୍ନିଧ୍ୟ ମଧ୍ୟରେ ସାମିଲ କରି ଓ ସେହିମାନଙ୍କ ସହିତ ଏକ ଅତ୍ୟନ୍ତ ଅନ୍ତରଙ୍ଗ ଆତ୍ମୀୟତା ତଥା ଦୈନନ୍ଦିନତାର ସ୍ଥାପନଦ୍ଵାରା,–ଏହି ବାସ୍ତବତାକୁ ଭିତ୍ତି କରି ସତକୁସତ ଏକ ଆଗାମୀ ଅନ୍ୟ ବାସ୍ତବ ବାସ୍ତବତା ସହିତ ସଂପୃକ୍ତ ହେବା,–ଗାନ୍ଧୀ କହିଲେ ସବାଆଗ ସେହି ସଂପୃକ୍ତହିଁ ବୁଝାଏ । ତେଣୁ, ଆମେ ଯିଏ ଯେଉଁଠାରେ ଥିଲେ ମଧ୍ୟ ଗାନ୍ଧୀହିଁ ଦେଖାଯିବେ । ଏକାବେଳେକେ ଏଇଠି ଏବଂ ଏକାବେଳେକେ ସେହି ଦୂର ଆଗଟିରେ,–ଗୋଟିଏ ସେତୁ ସଦୃଶ ।

 

ସବୁ ଅସଲ ମଣିଷ ହେଉଛନ୍ତି ଧର୍ମତଃ ଗୋଟିଏ ଗୋଟିଏ ସେତୁ । "Joining the top to the bottom,–ଏବଂ ତେଣୁ, ସେହି ସେତୁଟିକୁ ମାଧ୍ୟମ କରି ଦେଖିଲେ ଏବଂ ଆପଣା ଭିତରେ ସେଇ ସେତୁଟିକୁ ପ୍ରତ୍ୟକ୍ଷ କରି ପାରିଲେ, ଏହି ବର୍ତ୍ତମାନଟି ମଧ୍ୟ ଏକ ଆଗାମୀର ସନ୍ଦର୍ଭ ଉପରେ କେଡ଼େ ମହନୀୟ ହୋଇ ଦେଖାଯାଏ ଏବଂ ଏହି ବର୍ତ୍ତମାନ ତଥା ବାସ୍ତବଟିର ସନ୍ଦର୍ଭ ଉପରେ ସେହି ଆଗାମୀଟି ମଧ୍ୟ ସତେଅବା କେଡ଼େ ହାତପାଆନ୍ତାରେ ରହିଥିବା ପରି ଲାଗୁଥାଏ । ଅର୍ଥାତ୍ ଏହି ଅବିଚ୍ଛନ୍ନ କରି ବଞ୍ଚିବା,–ତାହାହିଁ ହେଉଛି ସତକୁସତ ପ୍ରକୃତ ସାଧର୍ମ୍ୟ ମଧ୍ୟରେ ବଞ୍ଚିବା, ନିଜର ଏହି ଭାରତବର୍ଷର ସନ୍ଦର୍ଭରେ ପୃଥିବୀକୁ ବଞ୍ଚିବା ଓ ପୃଥିବୀର ସନ୍ଦର୍ଭରେ ଭାରତବର୍ଷ ବଞ୍ଚିବା,–ଅଙ୍ଗେ ନିଭାଇବା ।

 

୫ । ୧୦ । ୨୦୦୬

 

ଫୁଲର ଗୋଟିଏ ଗୋଟିଏ ପ୍ରତୀକ ଦିଆଯାଇଛି । ବିଧାତା ଦେଇନାହାନ୍ତି, ମଣିଷମାନେହିଁ ଦେଇଛନ୍ତି । ଆମେ ମଣିଷମାନେ ଫୁଲକୁ ପ୍ରତୀକଟିଏ ସାହାଯ୍ୟରେ ଚିହ୍ନିବା ନା ପ୍ରତୀକଟିକୁ ଫୁଲ ସାହାଯ୍ୟରେ ଚିହ୍ନିବା, ସେହି କଥାଟି ସମ୍ଭବତଃ ଆମ ନିଜ ଉପରେ ନିର୍ଭର କରିବ-। ସଂସ୍କୃତି ଅନୁସାରେ ସେହି ପ୍ରତୀକଗୁଡ଼ିକ ମଧ୍ୟ ଅବଶ୍ୟ ଭିନ୍ନ ହେବେ । ବାବୁ, ତୁମେ ଫୁଲଟିଏ ହାତରେ ଧରିଛ ବୋଲି ସେହିଟିର ପ୍ରତୀକରୂପେ ନିର୍ଦ୍ଧାରିତ ହୋଇ ରହିଥିବା ଗୁଣଟିର ଯେ ଭାଜନ ହୋଇଯାଉଛି, ତୁମେ ସେହି କଥାଟି ମୋଟେ ଭାବିବନାହିଁଟି ! ସାହସ, ଧୈର୍ଯ୍ୟଶୀଳତା, ଆସ୍ପୃହା, ଯଦି ଏଗୁଡ଼ିକ ଭଳିଭଳି ଫୁଲର ଗୋଟିଏ ଗୋଟିଏ ନାମ ହୋଇଥାଏ, ତେବେ ତୁମେ ସେଥିଭିତରୁ ସେହି ନାମର ଫୁଲଟିଏ ଘରେ ବା ପୂଜାର୍ଚ୍ଚନାର ଡାଲାରେ ଆଣି ରଖିଦେଲ ବୋଲି ସେହି ଗୁଣଟିର ମୋଟେ ଅଧିକାରୀ ହୋଇ ଯିବନାହିଁ । ପୁନଶ୍ଚ, ପ୍ରତୀକରୁହିଁ କୌଣସି ଫୁଲକୁ ଜାଣିବା,–ଯଦି ସେହି ରୀତିଟି ମୋ'ର ଭାବିବିବେଚନାରେ ସର୍ବପ୍ରଧାନ ପ୍ରଣାଳୀ ହୁଏ, ତେବେ ମୋ' ଲାଗି ହୁଏତ ଭାରି ଅନିଷ୍ଟକାରୀ ମଧ୍ୟ ହୋଇପାରିବ ।

 

ହଁ, ମୁଁ ବି କୌଣସି ଫୁଲପାଇଁ ଏକ ପ୍ରତୀକ ଅବଶ୍ୟ ହୋଇପାରନ୍ତି । ନିଜେ ଫୁଲଟିଏ ହୋଇଗଲେ କ'ଣ ମୁଁ ଗୋଟିଏ ନିର୍ଦ୍ଦିଷ୍ଟ ଫୁଲ ଏବଂ ଅନ୍ୟଗୁଡ଼ିକ ଆଦୌ ସେହି ନିର୍ଦ୍ଦିଷ୍ଟ ଫୁଲ ନୁହନ୍ତି, ଏପରି ବିଲଗ କରି ଭାବିବା ନିମନ୍ତେ ସେତେବେଳେ ଆଦୌ କୌଣସି ଆବଶ୍ୟକତାହିଁ ନଥିବ । ସେତେବେଳେ ଅନ୍ୟମାନେ ମଧ୍ୟ ଗୋଟିଏ ଗୋଟିଏ ଫୁଲ ପରି ଦିଶିବେ । ତେଣୁ, ପ୍ରତୀକଗୁଡ଼ିକୁ ଜାଣି ତା'ପରେ ଯାଇ ଫୁଲଗୁଡ଼ିକୁ ଚିହ୍ନିବା, ସେତେବେଳେ ଏପରି କଦାପି ହେବନାହିଁ ।

 

୧୧ । ୧୦ । ୨୦୦୬

 

ପରିବାର,–ସେଇଟି ମଧ୍ୟ ସକଳ ଦୃଷ୍ଟିରୁ ହେଉଛି ପ୍ରକୃତରେ ଗୋଟିଏ ଜଗତ । ସେହି ଆଦିମ ସେକାଳର ମଣିଷମାନେ ଯେତେବେଳେ ଅଙ୍ଗେ ନିଭାଇଥିବା କେତେକ ଆବଶ୍ୟକତାର ସମାଧାନ ଖୋଜି ପରିବାର ନାମକ ସେହି ଏକକଟିକୁ କୌଣସି ନା କୌଣସି ଅନୁମାନକୁ ପୁଞ୍ଜି କରି ନିର୍ଦ୍ଦିଷ୍ଟ ଆକାରମାନ ଦେବାକୁ ଲାଗିଲେ, ତା’ପରେ କେତେ ନା କେତେ କାରଣ ହେତୁ ପରିବାର ନାମକ ଅନୁଷ୍ଠାନଟି ଏହି ଆଧୁନିକ କାଳର ଏତେ ଏତେ ଗଢ଼ଣ ଏବଂ ଅନୁଭବଯାଏ ବିବର୍ତ୍ତିତବି ହୋଇ ଆସିଛି । ସେହି ନାନା ଉଦ୍ଭବର କାହାଣୀଟିକୁ ସମୁଚିତ ଅନୁରାଗଟିଏ ଦେଇ ବୁଝିବା ନିମନ୍ତେ ଇଚ୍ଛା ଓ ଉଦ୍ୟମ କଲେ ସବାଆଗ ଆମେ ସମସ୍ତେ ବୁଝିପାରିଲା ଭଳି କୁହାଯିବ ଯେ, ପ୍ରଥମେ ପରିବାର ନାମକ ସେହି ମୂଳ innovationଟି ସତେଅବା ଏକ ବିକଳ୍ପ ଜଗତରୂପେ କେତେକ ଖାସ୍ ସନ୍ତୋଷ ଯୋଗାଇ ଦେଇଥିଲା ଏବଂ ଖାସ୍ ଅଭାବର ପୂରଣ କରିଥିଲା ଏବଂ ତା’ପରେ ମନୁଷ୍ୟମାନଙ୍କର ସମୂହଗତ ଜୀବନ ଏବେ କ୍ରମେ ସମଗ୍ର ଜଗତକୁ ମଧ୍ୟ ଏକ ପରିବାରର ପରିମିତି ଦେଇ ଜୀବନର ଅନ୍ଦାଜଗୁଡ଼ିକୁ କରିପାରିବା ନିମନ୍ତେବି ଉଦ୍ୟତ ହେଲାଣି ।

 

ତେଣୁ, ପରିବାରଟା ଯେ ସେଇଟି ମଧ୍ୟରେ ବାସ କରୁଥିବା ଆମ ସମସ୍ତଙ୍କର ଏକ ସ୍ଵତନ୍ତ୍ର ଭାବ–ଅନୁସିକ୍ତ ଜଗତ ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ,–ତଥାପି ଏହି ତମାମ୍ ପୃଥିବୀର ସଚଳ ଜଗତଟା ସହିତ ତାହାର ଏକ ଖିଅ ଅନୁକ୍ଷଣ ଅବଶ୍ୟ ଲାଗି ରହିଥିବା ଆବଶ୍ୟକ-। ଗୋଟିଏ ସ୍ଵାଭାବିକ ଝରକା ସେହି ବୃହତ୍ତର ସମଗ୍ରଟି ଆଡ଼କୁ ଅବଶ୍ୟ ଖୋଲା ହୋଇ ରହିଥିବା ଉଚିତ, ଯାହାକି ଆମର ନିଜର ବୋଲି କୁହାଯାଉଥିବା ଏହି ଅତି ଅଭ୍ୟସ୍ତ ପରିବାରଟିକୁ ଏକ ଜାଗତିକ ତାତ୍ପର୍ଯ୍ୟ ମଧ୍ୟ ଯୋଗାଇ ଦେଉଥିବ । ସେହି ଦୃଷ୍ଟିରୁ ଆମେ ଖାଲି ତଥାକଥିତ ଗୋଟିଏ ପରିବାରର ଅଧିକାରଭୁକ୍ତ ଏକ ସମ୍ପତ୍ତି ଆଦୌ ନୋହୁ, ଆମେ ଏହି ସମଗ୍ର ଜଗତର ମଧ୍ୟ ସେହିପରି ଗୋଟିଏ ଗୋଟିଏ ସମ୍ପତ୍ତି । ସେହି ଜଗତ ଲାଗି ଗୋଟିଏ ଗୋଟିଏ ସମ୍ଭାବନା,–ତାହାରି ନିମନ୍ତେ ସମର୍ପିତ ହୋଇ ରହିଥିବା ଜଣେ ଜଣେ ସଚେତନ ନିମିତ୍ତ ଆମେ ପ୍ରତ୍ୟେକେ ।

 

୨୦ । ୧୦ । ୨୦୦୬

 

ଜଣେ ସାହିତ୍ୟିକର ଅସଲ ଯଶସ୍ଵତା ହେଉଛି ଯେ, ସିଏ ଯାହାସବୁ ଲେଖିବ, ତାହା ତା’ ଜୀବନଧର୍ମରେ ମଧ୍ୟ ନିତାନ୍ତ ସ୍ଵାଭାବିକ ଭାବରେ ଦୃଷ୍ଟିଗୋଚର ହେଉଥିବ । ପୁନଶ୍ଚ, ତା’ର ଜୀବନଧର୍ମଟି ତା’ ଯାବତୀୟ ଲେଖିବାରେ ପ୍ରତିଫଳିତ ହୋଇପାରୁଥିବ । ଏହି କଥାଟିକୁ ପଳାତକମାନେ ମୋଟେ ବୁଝିବେନାହିଁ । ସେମାନେ ତ ନିଜପାଖରୁ ପଳାଇଯିବେ ବୋଲିହିଁ ସାହିତ୍ୟ କରୁଥିବେ,–ସତେଅବା କୌଣସି ଏକ କ’ଣଟାରୁ ନିସ୍ତାର ପାଇ ଯିବାପରି ଅନୁଭବ କରିବାରେ ଲାଗିଥିବେ ।

 

ବେଳେବେଳେ ଖାସ୍ ସାହିତ୍ୟଟାର ସେହି ଆୟତନ ଭିତରେ ଜଣଜଣଙ୍କର ଜୀବନଟା ସତେଅବା ଦୁଇଭାଗରେ ବିଭକ୍ତ ହୋଇ ରହିଥାଏ । ଅର୍ଥାତ୍, ଏଡ଼େବଡ଼ ଗୋଟାଏ ହାଣ୍ଡିରେ ତା’ର ଜୀବନ ଏବଂ, ସେଇଟି ଭିତରେ ଏଡ଼େ ଟିକିଏ ହାଣ୍ଡି ମଧ୍ୟ ଯାକିଯୁକି ହୋଇ ଯେକୌଣସି ପ୍ରକାରେ ଆଉ କ’ଣଟିଏ ରହିଥାଏ, ଯେଉଁଟା ହେଉଛି ତା’ର ସାହିତ୍ୟ । ଅନେକ ସମୟରେ ଆମେ ଗୋଟିଏ ପ୍ରକାରର ଖାସ୍ ଠାଣି ଦେଇ ସାହିତ୍ୟକୁ ପବିତ୍ର ବୋଲି କହିଥାଉ । ଏକ ସାରସ୍ଵତ ସାଧନା ବୋଲିବି କହୁ । ସତେଅବା ଜୀବନର ଅନ୍ୟାନ୍ୟ ଅଂଶଗୁଡ଼ିକୁ ଅପବିତ୍ର ବୋଲି ବିଚାର କରୁ କି ? ଖୁବ୍ ସମ୍ଭବ ଆପେହିଁ ସେହି ଅଂଶଗୁଡ଼ିକୁ ଅପବିତ୍ର କରି ରଖିଥାଉ । ଏବଂ, ସେହି କାରଣରୁ, ତଥାପି କିଞ୍ଚିତ୍ ଅନ୍ୟମନସ୍କ ହୋଇ ଯେତେବେଳେ କିଛି ନା କିଛି ଲେଖୁ, କିଛି ଆଙ୍କୁ ଅଥବା ସେହିପରି କିଛି କରୁ, ସେତେବେଳେ ଅତ୍ୟନ୍ତ ପବିତ୍ର ବୋଲି ଭାବି ସେଗୁଡ଼ିକୁ ବିଶେଷ ଭାବରେ ଏଇଟା, ଅଥବା ସେଇଟା ବୋଲି କହିବାରେ ଖୁବ୍ ଖୁସୀ ପାଉ । ଏହିଭଳି କାଟର କିଛି ଖୁସୀ ମଣିଷ ଯଦି କୌଣସି ଅବସରରେ ଏକତ୍ର ହୁଅନ୍ତି, ସେତେବେଳେ ଆମ ଉଦରଟା ମଧ୍ୟ ପ୍ରାୟ ଏକ ପୃଥିବୀଛଡ଼ା ପୁଲକରେ ଭରପୂର ହୋଇଉଠେ । ଏହିପରି ଏକାଠି ବସିବା ଓ ଆମର ଫରମାସଗୁଡ଼ିକ ଅନୁସାରେ ଏକାଧିକ ବୈଚିତ୍ର୍ୟରେ ଗୋଟିଏ ଗୋଟିଏ ତାମସା ପରି କେତେ ନା କେତେ ଶୋଭାମାନ ଧାରଣା କଲାଣି । ଏବଂ, ସେହି ପ୍ରକ୍ରିୟାଟି ମଧ୍ୟରେ ଆମ ସାହିତ୍ୟଟି ମଧ୍ୟ ବେଶ୍ ମନୋରମ ଭାବରେ ପାଗ ହୋଇ ରହିବାରେ ଆଉ ମୋଟେ ସଙ୍କୁଚିତ ହୋଇ ଗଲାପରି ଅନୁଭବ କରୁନାହିଁ । ସବୁକିଛି ମିଶି ସତେଅବା ଗୋଟିଏ ଗୋଟିଏ ଦରବାରର ଭ୍ରମ ସୃଷ୍ଟି କଲାଣି । କିନ୍ତୁ, ସେହିମତି କେତେ ଲେଖକ ସିନା ତଦ୍ଦ୍ୱାରା ଆହୁରି ଏବଂ ଆହୁରି ଲେଖିବାପାଇଁ ଉତ୍ସାହ ପାଉଛନ୍ତି, ପୃଥିବୀଟା ଛଟପଟ ହେବାରେ ଲାଗିଛି । ତା’ର ଅସଲ ଆଖିମାନେ ହଜି ଯାଉନାହାନ୍ତି ତ-

 

୨୩ । ୧୦ । ୨୦୦୬

 

ମୋ’ ଭିତରର ଲୋଭୀଟିକୁ ଦେଖ, ବାବାଜିଟିକୁବି ଦେଖ । ହଁ, ଗୋଟାଏ ବାବାଜିପଣ ରହିଛି, ଯାହାକୁ କି ଲୋଭ ବଢ଼ିଲେ ଯାଇ ମନ ହୁଏ । ବାବାଜିମାନେ ସଂସାରକୁ ଛାଡ଼ିଦେଇ ଚାଲିଯାଆନ୍ତି ବୋଲି ଲୋଭୀମାନେ ଯାହା କହନ୍ତି, ସେଇଟି ପଛରେ ଯେ ଏକ ଲୋଭ ରହିଥାଏ, ସେମାନେ ସେହି କଥାଟିକୁ ଆଦୌ ଅନ୍ଦାଜ କରି ପାରନ୍ତିନାହିଁ । ସେମାନଙ୍କର ତଥାକଥିତ ଲୋଭଗୁଡ଼ିକ ହେଉଛି ତୁଚ୍ଛା ସଦାଶଙ୍କିତ କେତୋଟି ଖାସ୍ ଲୋଭ । ସେମାନେ କେବଳ ସେତିକିକୁ ଦେଖି ପାରୁଥାନ୍ତି ବୋଲି ସେତିକିକୁବି ସବୁକିଛି ବୋଲି ଭାରି ଭ୍ରମ କରି ମାନିନେଇ ଥାଆନ୍ତି । ସଂସାର ବିଷୟରେ ବାବାଜି ହୋଇ ରହିଥାନ୍ତି । ନିଜ ବ୍ୟତୀତ ଆଉ କାହାରି କୌଣସି ଲୋଭ ରହିଛି ବୋଲି କଳ୍ପନା କରି ପାରନ୍ତିନାହିଁ ।

 

ଜଣେ ବାବାଜିର ଯେଉଁ ଲୋଭ, ସେଇଟା ସଂସାରଯାକକୁ ମନ କରୁଥାଏ ବୋଲି ନିଜ ଲୋଭର ଚଉକାନ୍ଥଗୁଡ଼ାକୁ ଡେଇଁ ଯାଇପାରେ । ଏହି ବ୍ୟକ୍ତିଗତ ଜୀବନର ଘରଝରକାଗୁଡ଼ିକୁ ଏତେ ଏତେ ତଥାକଥିତ ବ୍ୟକ୍ତିଗତ ଲୋଭରେ ଚକଚକ କରି ରଖିବାର ଯେଉଁ ସଂସାରକିଳା ସାନ ଲୋଭଗୁଡ଼ିକ, ସେଥିରେ ମଧ୍ୟ ଝରକାମାନେ ସିନା ଥାଆନ୍ତି, କିନ୍ତୁ ସେପାଖରୁ ଅସଲ ସଂସାରର ଆଲୋକ ଓ ପବନମାନେ ଅବାଧରେ ଆସି ମୋ’ ଘରଟି ଭିତରେ ପ୍ରବେଶ କରିବେ ଏବଂ ମୋ’ ଲୋଭଗୁଡ଼ିକୁ ଆଉ ଆଉ ଆଖିମାନଙ୍କୁ ଯେ ଯୋଗାଇଦେବେ, ସେହି ବିଷୟରେ ହୁଏତ ସେମାନେ କିଛି ଜାଣି ନଥାନ୍ତି । ସେମାନେ ଆଲୁଅ ଏବଂ ପବନରୁ ଆପଣାକୁ ବଞ୍ଚିତ କରି ରଖିଥାନ୍ତି । ବାବାଜି ହେଲେ ଯାଇ ସେଇଟିର ଏବଂ ସେତିକିର ଚକ୍ରାନ୍ତ ମଧ୍ୟରୁ ମୁକ୍ତି ମିଳେ । ତା’ପରେ ଯେତେ ଯେତେ ଲୋଭ, ସେମାନେ ମୋତେ ଧନାଢ଼୍ୟ କରନ୍ତି ଏବଂ କେତେ କେତେ ମନ୍ତେ ଯୁକ୍ତ କରି ରଖିଥାନ୍ତି । ତା’ପରେ ଲୋଭଟା ଗୋଟାଏ ରିପୁ ବୋଲି କହିବାକୁ ମୋ’ର ଆଦୌ ସତ ବଳେନାହିଁ । ମୋ’ ଭିତରର ବାବାଜି ମୋ’ ଲୋଭର ସଦା ପରିପୂରକ ହୋଇ ରହିଥାଏ । ତେଣୁ, ଲୋଭକୁ ଆଉ ମୋଟେ ଡର ମାଡ଼େନାହିଁ ।

 

୨୪ । ୧୦ । ୨୦୦୬

 

ତେଣୁ, ହେ ବନ୍ଧୁ ! ତୁମେ ସବାଆଗ ମୋ’ର ଲୋଭଟାକୁ ଚିହ୍ନ । ଏବଂ, ତେବେଯାଇ ମୋ’ ବାବାଜିପଣକୁ ମଧ୍ୟ ଚିହ୍ନି ପାରିବ । ଜଣେ ମଣିଷର ଲୋଭଟି ଅନୁସାରେହିଁ ତା’ର ଯାବତୀୟ ବାବାଜିପଣ । ପୃଥିବୀରେ ଯେତେ କାଟର ଏବଂ ଯେତେ କଦରର ବାବାଜି ରହିଛନ୍ତି, ସେମାନେ ଲୋଭମୁକ୍ତ ବୋଲି ଯେତେ କୁହାଗଲେ ମଧ୍ୟ ତାହା ତଥାପି ସତ୍ୟ ନୁହେଁ । ଲୋଭ ନଥିଲେ ଜଣେ ମଣିଷ ପୁଣି ବାବାଜି ହେବାକୁ କାହିଁକି ବା ମନ କରନ୍ତା !

 

Unknown

ହଁ, ସେ ଲୋଭକୁ ମନ କଲେ ଏ ଲୋଭଟା ବିଷୟରେ ବାବାଜିପଣ । ସମ୍ଭବତଃ ଏହି କଥାଟିହିଁ ସବୁଠାରୁ ଅଧିକ ଠିକ୍ । ଏହିପରି ଭାବରେ ଲୋଭର ତୁଳନାସ୍ତରରେ ବହୁବିଧ ଫରକ ରହିଥାଏ ବୋଲି ବାବାଜିମାନେ କାଳେ କାଳେ ଏତେ ଝଗଡ଼ା ଲଗାଇ ଆସିଛନ୍ତି କି ? ସଂସାର ଭିତରେ ରହିଥିବା ବାବାଜିମାନେ ଏବଂ ସଂସାରରୁ ବାହାରିଯାଇ ବାବାଜି ହୋଇଥିବା ସେହି ଅନ୍ୟ ଖାସ୍‌ମାନେ । ଅର୍ଥାତ୍, ଲୋଭ ଆଗ ତା’ ପଛକୁ ଯାଇ ବାବାଜିପଣ । ଆଗ ଆସ୍ପୃହା,–ଆଧ୍ୟାତ୍ମିକ ସମ୍ପୂର୍ଣ୍ଣ ଅର୍ଥରେ ଆସ୍ପୃହାକୁ ଲୋଭ ବୋଲିହିଁ କୁହାଯିବ । ସେହି ଲୋଭ ହେଉଛି ଆମ ଭିତରେ ରହିଥିବା ଆସ୍ପୃହାଟିର ଆତ୍ମପ୍ରକାଶ । ତେଣୁ, ଲୋଭ ଅନୁସାରେହିଁ ଜୀବନ । ଗୋଟାଏ ନିର୍ଦ୍ଦିଷ୍ଟ ଲୋଭରେ ଅବଶ୍ୟ ବାବାଜି ହୋଇଛନ୍ତି ବୋଲି କହିବାକୁ ଆମ ବାବାଜିମାନେ ଏତେ କୁଣ୍ଠିତ ହୁଅନ୍ତି କେଜାଣି କାହିଁକି ? ସଂସାରରେ ବାବାଜିଟିଏ ଭେଟିଲେ ମୁଁ ସବାଆଗ ତା’ ଲୋଭଟିରହିଁ ତଲାସ କରିବାକୁ ଚେଷ୍ଟା କରିଥାଏ । ମୁଁ ତା’ର ସେହି ଲୋଭଟିକୁହିଁ ପ୍ରମାଣ କରେ ।

 

୨୯ । ୧୦ । ୨୦୦୬

 

ଭକ୍ତିର ଏକ ନିୟମ ଅଛି, ସର୍ବଦାହିଁ ରହିଛି । ଅର୍ଥାତ୍, ଗୋଟିଏ ନିଜସ୍ଵ ଛନ୍ଦ ରହିଛି । ଭକ୍ତମାନଙ୍କର କୌଣସି ନିୟମ ନାହିଁ । ନିୟମ ଥିଲେ ସେମାନେ ମୋଟେ ଏପରି ବୋହି ଯାଆନ୍ତେନାହିଁ । ରାମ, କୃଷ୍ଣ, ଦୁର୍ଗା ବା କାଳୀ, ଯିଏ ଯେଉଁଟିକୁ ଆଶ୍ରା କରି ଭକ୍ତିର ବେଢ଼ାଟି ଭିତରକୁ ଆସିଥାଏ ପଛକେ, ସିଏ ସତେଅବା ସେହି ଆସିଯାଇ ଥିବାର ସନ୍ତକରୂପେ ଏକ ନିୟମକୁ ସ୍ଵୀକାର କରି ନେଇଥାଏ । ଏକ ପ୍ରତ୍ୟକ୍ଷ ନୈକଟ୍ୟର ସ୍ଵୀକୃତି ପାଇ ଯାଇଥିବା ପରି ଭାରି ହାଲୁକାବି ହୋଇଯାଏ । ମାତ୍ର, ଅପରପକ୍ଷରେ ଛୁଇଁକରି ରହିଥିବା ଜଣେ ମଣିଷପାଇଁ ମତ୍ତ ହୋଇ ପଡ଼ିବାର କୌଣସି କାରଣହିଁ ନଥାଏ ।

 

ହଁ, ନିଜର ଆରାଧ୍ୟଟି ସହିତ ଖିଅ ଲାଗିଗଲେ ସମ୍ଭବତଃ ସେହି ଖିଅଟିହିଁ ଜଣେ ଭକ୍ତକୁ ଶାନ୍ତ କରିଆଣେ, ଏବଂ ତା’ପରେ ଯେତେ ଯେତେ ଖିଅ ଆମର ଏହି ଜଗତକୁ ନିର୍ଭରଟିଏ ଦେଇ ରଖିଛି ବୋଲି ଅନୁଭବ ହୁଏ । ଏବଂ, ତଦ୍ଦ୍ୱାରା ନିଜ ଭିତରେ ଏକ ଖୁସୀହିଁ ବୁଦ୍ଧି ପାଏ । ଏବଂ, ଖୁସୀ ବଢ଼ିଲେ ମତ୍ତତା ଆଡ଼େ ଆଦୌ ମନ ହୁଏନାହିଁ । ଅଥବା, ଓଲଟାଇ କହିଲେ, ମତ୍ତତାର ଆକର୍ଷଣ କମ୍ ହୋଇ ଆସିଲେ ଏପରି ଗୋଟିଏ ଖୁସୀ ଭିତରକୁ ପ୍ରବେଶର ଅଧିକାର ମିଳିଯାଏ, ଯାହାଦ୍ଵାରା କି ଆଦୌ କୌଣସି ପ୍ରକାରର ଅସହିଷ୍ଣୁତା ଆଉ କାମୁଡ଼ି ଧରି ରଖି ପାରେନାହିଁ । ତେଣୁ, ରାମଙ୍କୁ କିମ୍ବା କୃଷ୍ଣଙ୍କୁ ନେଇ ଯେଉଁମାନେ ବେଳେବେଳେ କେତେକଅଣସବୁ ନିର୍ବୋଧପଣ ଦେଖାଇ ରଡ଼ି କରନ୍ତି ଓ ଝାଞ୍ଜଗୁଡ଼ାକୁ ଆହୁରି ଅଧିକ ଜୋରରେ ପିଟିବା ସକାଶେ ଉତ୍ସାହିତ ଅନୁଭବ କରନ୍ତି, ସେମାନେ ନିଜ ପରିଚୟର ଅଳିନ୍ଦମାନଙ୍କରେ ରାମ ଅଥବା କୃଷ୍ଣଙ୍କର ମଧ୍ୟ ହୁଏତ କୌଣସି ସ୍ପର୍ଶ ପାଇ ନଥାନ୍ତି କି ? ସେମାନେ ରାମଙ୍କୁ ତଥା କୃଷ୍ଣଙ୍କୁ ମଧ୍ୟ ଖୁବ୍ ଦୁଃଖୀ କରି ରଖୁଥିବେ । ତେଣୁ, ହେ ବନ୍ଧୁ ! ଯଦି ସତକୁସତ ଆଶ୍ରା କରିବ, ତେବେ ତୁମେ ଏହି ଧରାତଳେ ଭଗବାନଙ୍କ ପାଇଁ ଯେପରି ଆଦୌ କୌଣସି ଦୁଃଖର କାରଣ ନହୁଅ, ସେଥିପାଇଁ ଠିକ୍ ଚେତାରେ ଓ ଠିକ୍ ନିଘାରେ ରହିଥିବଟି !

 

୧ । ୧୧ । ୨୦୦୬

 

ଆମେ ପ୍ରତ୍ୟେକେ କୌଣସି ଏକ ପ୍ରତୀକକୁ ଯେତିକି ଅର୍ଥର ଆୟତନ ଭିତରେ ଦେଖିବାକୁ ଇଚ୍ଛା କରିବା ଏବଂ ଆସ୍ପୃହା ରହିଥିବା, ତାହାର ନ୍ୟାୟତଃ କେବଳ ସେତିକି ଅର୍ଥହିଁ ରହିବ । ଅର୍ଥାତ୍, ଆହୁରି ଅଧିକ ଲକ୍ଷଣୀୟ କଥାଟି ହେଉଛି ଯେ, ଆମର ଆସ୍ପୃହାଟି ଅଥବା ଆସ୍ପୃହାଚୟ ବୃଦ୍ଧି ପାଉଥିବା ସଙ୍ଗେ ସଙ୍ଗେ ଆମ ପ୍ରତୀକମାନଙ୍କର ତାତ୍ପର୍ଯ୍ୟମାନେ ମଧ୍ୟ ବୃଦ୍ଧି ପାଉଥିବେ । ଏବଂ, ଏହି ଅନ୍ୟ କଥାଟି ମଧ୍ୟ ସମାନ ଭାବରେ ସତ୍ୟ ଯେ, ଆମ ଆସ୍ପୃହାଗୁଡ଼ିକର କ୍ଷେତ୍ରରେ ଏକ ହ୍ରାସ ଘଟିବା ସଙ୍ଗେ ସଙ୍ଗେ ପ୍ରତୀକଟିର ଅର୍ଥଟା ମଧ୍ୟ ସେତିକି ହ୍ରାସ ପାଇବାରେ ଲାଗିଥିବ ।

 

ସର୍ବଦାହିଁ ସ୍ମରଣ ରହିଥିବା ଉଚିତ ଯେ, ପ୍ରତୀକମାତ୍ରେ ସର୍ବତ୍ର ବସ୍ତୁତଃ ଏକ ବ୍ୟାପକ ଅର୍ଥସମ୍ଭାବନାହିଁ ରହିଥାଏ ଏବଂ ସେହି ସମ୍ଭାବନାର ବିସ୍ତାରଗତ ବ୍ୟାସଟି ମଧ୍ୟ ସକଳ ଅର୍ଥରେ ଆମ ନିଜ ଉପରେହିଁ ନିର୍ଭର କରୁଥାଏ । ଏପରିକି, ଏଇଟି ସକଳ କ୍ଷେତ୍ରରେ କେବଳ ଜଣେ ବ୍ୟକ୍ତିର ଜୀବନଚେତନାକୁ ଭିତ୍ତି କରିହିଁ ଅବଶ୍ୟ ଘଟିବ । ଏବଂ, ସାମୂହିକ ଭାବରେ କୌଣସି ଗୋଷ୍ଠୀ ମଧ୍ୟରେ,–ତାହା ଧର୍ମ, ଦେଶ ଅଥବା ଆଦର୍ଶବାଦ ଯାହା ହୋଇଥାଉ ପଛକେ, ସଂପୃକ୍ତ ବ୍ୟକ୍ତିମାନେ ସ୍ୱୀକୃତ ଗୋଟିଏ ପ୍ରତୀକକୁ କିଭଳି ତଥା କେଉଁ ପରିଣାମରେ ଅର୍ଥ ଦେବେ, ତାହା ପ୍ରତ୍ୟେକ ବ୍ୟକ୍ତିର କ୍ଷେତ୍ରରେ ପୃଥକ୍ ହେବାକୁ ବାଧ୍ୟହିଁ ହେବ । ଗୁରୁମାନେ ଯେତେ ଅସମ୍ମତ ହେଲେ ମଧ୍ୟ ତାହା ଅବଶ୍ୟ ହେବ । ଏକ ସୁସ୍ଥ ଅଧ୍ୟାତ୍ମ ମୁଖ୍ୟତଃ ଏହି ଦୃଷ୍ଟିରୁହିଁ ପ୍ରତୀକଗୁଡ଼ିକର ବିଚାର ଏବଂ ମୂଲ୍ୟାୟନ କରିବ । ଗୋଟିଏ ଧର୍ମର ସେହି ନିର୍ଦ୍ଦିଷ୍ଟ ବେଢ଼ାଟି ମଧ୍ୟରେ ତାହା ଯେ ସଚରାଚର ସମ୍ଭବ ହୁଏନାହିଁ; ସେଥିପାଇଁ ଆମେ ସେହି ଧର୍ମ ମଧ୍ୟରେ ରହିଥିବା ନ୍ୟସ୍ତସ୍ଵାର୍ଥର ସୀମାଗୁଡ଼ିକୁହିଁ ଦାୟୀ କରିବା । ଆମ ବ୍ୟଞ୍ଜନଗୁଡ଼ିକ ଅନୁସାରେହିଁ ଆମ ପ୍ରତୀକଗୁଡ଼ିକର ସୁସ୍ଥତା ଅଥବା ଅସୁସ୍ଥତା । କେବଳ ଆମପାଇଁ ନୁହେଁ, ଆମ କାଳଟିପାଇଁ, ଆମର ସାମୂହିକ ଜୀବନକୁ ସୂଚିତ କରି ଦେଉଥିବା ନୀତିଗୁଡ଼ିକ ପାଇଁ । ଅର୍ଥାତ୍, ଆମର ପ୍ରତୀକମାନେ ଯେ ପ୍ରକୃତରେ କେତେ ପ୍ରମାଣେ ସତକୁସତ ଆମ ଜୀବନରେ କାମ ଦେଉଛନ୍ତି, ସେଇଟି ଆମେ ଯେଉଁଯାଏ ଯିବାପାଇଁ ସାହସ ବାନ୍ଧିଛୁ, ପ୍ରଧାନତଃ ତାହାରି ଉପରେହିଁ ନିର୍ଭର କରିବ ।

 

୧୦ । ୧୧ । ୨୦୦୬

 

ତାଙ୍କର ନିମିତ୍ତ ହେବା,–ନିଜେ ଯାହାକିଛି କରୁଥିଲେ ମଧ୍ୟ ମୁଁ କେବଳ ତାଙ୍କରି ନିମିତ୍ତ ହୋଇ ତାହା କରୁଛି ବୋଲି ଭାବିବା କିମ୍ବା ତାଙ୍କର ନିମିତ୍ତ ହେଲେ ଯାହା କରିବା କଥା ତାହାହିଁ କରି ପାରିବା ସକାଶେ ଯୋଗ୍ୟ ହେବାର ଆସ୍ପୃହାଟିଏ ରଖିଥିବା ?

 

ଅନେକ ସମୟରେ ସ୍ପୃହାମାନେ କାର୍ଯ୍ୟତଃ ସର୍ବବିଧ ନ୍ୟାୟରେ ଆମରି ହୋଇ ରହିଥାଆନ୍ତି ଏବଂ ଆମେ କେବଳ ତାଙ୍କରି ନିମିତ୍ତଭାବେ ସବୁକିଛି କରୁଛୁ ବୋଲି ନିଜ ତରଫରୁ ଏକ ଆଶ୍ଵାସନା ଦେଇ ସଚରାଚର ଖୁବ୍ ନିର୍ମଳ ବିବେକ ସହିତ ସେଇଟିକୁ କରିବାଲାଗି ଆଗଭର ହୋଇ ଯାଇଥାଉ । ତଦ୍ଦ୍ୱାରା ପୃଥିବୀ ବିଡ଼ମ୍ବିତ ହେବାରେ ଲାଗିଥାଏ । ତାଙ୍କରି ନାଆଁରେ କିପରି ସବୁକିଛି ହୋଇପାରୁଛି ବୋଲି ଅଙ୍ଗେ ନିଭାଇ ଭକ୍ତି ମଣିଷମାନଙ୍କର ସେହି ତଥାକଥିତ ସାହସଟାକୁ ଦେଖି ଖୁବ୍ ବିଚଳିତ ମଧ୍ୟ ହୋଇଯାଏ । ଧର୍ମକୁ ନେଇ, ଆଦର୍ଶକୁ ନେଇ ଓ ଯେକୌଣସି ମାର୍ଗରେ ହାତକୁ କ୍ଷମତା ନେଇ ଏହି ସଭିଏଁ ଯୁଗେଯୁଗେ ଯାହାକିଛି କରିଛନ୍ତି, ସେହି ଯାବତୀୟ ଅନାଚରଣକୁ ସର୍ବଦା ତାଙ୍କରି ନିମିତ୍ତ ହୋଇ କରିଛନ୍ତି ବୋଲି ଇତିହାସରେ ଏବେ ମଧ୍ୟ ନାଗରା ପିଟା ହେବାରେ ଲାଗିଛି । ଭଗବାନ୍ ତଥାପି ଅପେକ୍ଷା କରି ରହିଛନ୍ତି । ଯିଏ ସତକୁସତ ଏକ ନିମିତ୍ତ ହୋଇ ପାରୁଛି, ସମ୍ଭବତଃ ତାହାରି ଉପରେ ଭରସା କରି ସିଏ ଅପେକ୍ଷା କରି ରହିଛନ୍ତି-। କାରଣ, ସେହି ଭରସାଟିକୁ କରି ଅପେକ୍ଷା କରି ରହିବା ବ୍ୟତୀତ ସିଏ ବସ୍ତୁତଃ ଆଉ କିଛିହେଲେ କରି ପାରିବେନାହିଁ । ନିମିତ୍ତ ତ ମନୁଷ୍ୟମାତ୍ରକେ ପ୍ରତ୍ୟେକ ହୋଇ ପାରିବେ, ଏବଂ ତାହା ମୂଳତଃ ସେହି ପ୍ରତ୍ୟେକଙ୍କ ଉପରେହିଁ ନିର୍ଭର କରୁଛି । କାରଣ, ଯଦି ଭଗବାନ୍ ଏହି ପୃଥିବୀରେ ମିଥ୍ୟାମାନଙ୍କର ଅନ୍ତ ହେଉ ବୋଲି ଚାହୁଁଥିବେ, ତେବେ ସେଥିପାଇଁ ମନୁଷ୍ୟମାନଙ୍କ ଉପରେ ଭରସା ରଖିବା ବ୍ୟତୀତ ସିଏ ଆଉ କ’ଣ ବା କରି ପାରିବେ ?

 

୧୯ । ୧୧ । ୨୦୦୬

 

ବିଶ୍ଵ–ସମ୍ପଦ ଏବଂ ସ୍ଥାନୀୟ ସମ୍ପଦ,–ଏହି ଦୁଇଟିଯାକ କ’ଣ ସତକୁସତ ଆଦୌ କୌଣସି ବିବେକ ଅନୁସାରେ ଦୁଇଟି ଅଲଗାଅଲଗା ବସ୍ତୁ ? ତେବେ ସ୍ଥାନୀୟଗୁଡ଼ିକୁ ନେଇ ଏପରି ଏକବାଗିଆ ହୋଇ ରହିଥିବା ଗୃହବିହ୍ଵଳମାନେ ସେହି ଦ୍ଵନ୍ଦ୍ଵଟିକୁ ଶହେଗୁଣ ଅଧିକ ବୃହତ୍ କରି ଦେଖାଇ ଏଡ଼େ ପୁଲକିତ କିପରି ହୁଅନ୍ତି କେଜାଣି ? ଏପରି କିଛି ସ୍ଥାନୀୟ ବୋଲି କ’ଣ ଅଛି, ଯାହାକି ସମଗ୍ର ପୃଥିବୀରେ ନାହିଁ ଏବଂ ପୃଥିବୀ–ଜୀବନରେ ଏପରି କିଛି ଅଛି, ଯାହାକି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମଧ୍ୟ ମନୁଷ୍ୟମାନଙ୍କୁ ଜଡ଼ିତ କରି ରଖିନାହିଁ ?

 

ଏହି ଦୁଇଟିକୁ ପରସ୍ପରଠାରୁ ଅଲଗା କରି ଦେଖିବାର ଖୋଇଟିକୁ ହୁଏତ ଏକ ସର୍ବବୃହତ୍ ଅପସଂସ୍କୃତି ବୋଲି କୁହାଯାଇପାରିବ । ମୁଁ ଏହି ସ୍ଥାନୀୟଟିକୁ ଅବଶ୍ୟ ଜାଣିଛି ଏବଂ ସେଇଟିକୁ ମୋ’ର ବୋଲି କହି ଖୁବ୍ ଖୁସୀବି ହେଉଛି,–ହଁ, ଏଇଟିକୁ ଖୁବ୍ ଭଲ ଭାବରେ ଜାଣିଛି ଏବଂ ଚିହ୍ନିଛି, ଏଥିରେ ପ୍ରକୃତରେ ଆଦୌ କୌଣସି ମଳି ଧୂଳି ରହିବାର କୌଣସି କାରଣ ନାହିଁ । ବିକୃତିମାନେ ତ ସେହିଠାରୁ ଭକୁ ହୋଇ ଆସିବେ, ମୁଁ ଯେତେବେଳେ ସେଇଟିକୁ ଏହି ପୃଥିବୀଯାକରେ ଏକମାତ୍ର ବୋଲି କହିବାକୁ ମନ ବଳାଇବି । ଆପଣାର ଧର୍ମକୁ ନିଷ୍ଠାର ସହିତ ସ୍ଵୀକାର କରୁଥାଆନ୍ତି ବୋଲି ଯେଉଁମାନେ ତାହାକୁ ଏକମାତ୍ର ବୋଲି କହି ଡିଣ୍ଡିମ ରଟାନ୍ତି, ଏଇଟା ମଧ୍ୟ ହୁଏତ ସେହିପରି କଥାଟିଏ । ଆକାଶଟା ବିସ୍ତାରି ରହିଛି ବୋଲି ସିନା ମୁଁ ପାଦତଳର ଏହି ଭୂମିଟିକୁ ଭୂମିଟିଏ ବୋଲି ଅନୁଭବ କରି ପାରୁଛି ! ତଳେ ଗୋଟାଏ ଚେର ରହିଛି ବୋଲି ଓ ତାହାକୁ ଏକ ବିଶ୍ଵପରିଧି ମଧ୍ୟରେ ଚିହ୍ନାଇ ଦେବାପାଇଁ ଚତୁର୍ଦ୍ଦିଗକୁ ସ୍ପର୍ଶ କରି ଆୟତନଟିଏ ରହିଛି । ସେହି ଆୟତନ ଅର୍ଥାତ୍ ବିସ୍ତାରଟି ଚେର ଉପରେ ନିର୍ଭର କରୁଛି ଏବଂ ଚେରଟି ମଧ୍ୟ ବିସ୍ତାର ମାଧ୍ୟମରେହିଁ ଆପଣାକୁ ପରିପୂର୍ଣ୍ଣ କରି ସମ୍ଭାରି ରହିଛି । ଏଇ ଯେଉଁମାନେ ସ୍ଥାନୀୟଟିକୁ କାମୁଡ଼ି ରହିବା ନିମନ୍ତେ ବିଶ୍ଵଟାକୁ ନାକ ଟେକୁଛନ୍ତି, ସେମାନେ ହୁଏତ କେବଳ ନିଜକୁହିଁ ଦେଖୁଛନ୍ତି । ଏବଂ, ସେଥିପାଇଁ ଚେରଟିକୁ ଦେଖିବାଲାଗି ସମର୍ଥ ହେଉନାହାନ୍ତି । ସେହି ଚେରକୁ ବଞ୍ଚିବା ତ ଆହୁରି ଦୂରର କଥା !

 

୨୮ । ୧୧ । ୨୦୦୬

 

ଅସଲ ସଂସ୍କୃତି ହେଉଛି ଏକ ସମୀକ୍ଷାଶକ୍ତି । ସତତ ସମୀକ୍ଷାର ଏକ ସତତ ସାଂସ୍କୃତିକତା । ଯଦି କେହି ଅଧିକ ଗାମ୍ଭୀର୍ଯ୍ୟ ଦେଇ ଏହାକୁ ଆତ୍ମସମୀକ୍ଷା ବୋଲି କହିବାକୁ ଇଚ୍ଛା କରିବେ, ତେବେ ମଧ୍ୟ ସେଥିରେ ଆଦୌ କାହାରି କୌଣସି ଆପତ୍ତି ରହିବା ଉଚିତ ହେବନାହିଁ । ଆତ୍ମସମୀକ୍ଷା କହିଲେ ସବୁବେଳେ ଏକ ତଥାକଥିତ ବ୍ୟକ୍ତିଗତ ଜୀବନର ସମୀକ୍ଷାକୁ କ’ଣ ପାଇଁ ବୁଝାଇବ ? ଆପଣାର ସମୀକ୍ଷା କରି ପ୍ରତ୍ୟେକ ବ୍ୟକ୍ତି ଯାହାକିଛି କହିବ କିମ୍ବା ଯେଉଁପରି ଭାବରେ ନିଜର ବଞ୍ଚିବା ସକାଶେ ଖାସ୍ ଧରାଟିଏ ନିର୍ଦ୍ଧାରିତ କରି ଆଣିବ, ସେଇଟି ଭିତରେ ମଧ୍ୟ ସକଳ କ୍ଷେତ୍ରରେ ଗୋଟିଏ ପୃଥିବୀ ନିଶ୍ଚୟ ରହିଥିବ ।

 

ତଥାକଥିତ ପଛଟାକୁ ଜାବୁଡ଼ି ରହିବାର ଫେସନଟାକୁ ଯେଉଁମାନେ ସଂସ୍କୃତି ବୋଲି କହି ପୁଲକିତ ହେବାରେ ଲାଗିଥାନ୍ତି, ସେମାନେ ନିଜର ବର୍ତ୍ତମାନଟାକୁ ଆଦୌ କୌଣସି ପ୍ରକାରର ସମୀକ୍ଷାତ୍ମକ ସ୍ଥିରତା ଦେଇ ଦେଖିବା ନିମନ୍ତେ ସମ୍ଭବତଃ ସାହସ କରି ପାରନ୍ତିନାହିଁ । ତେଣୁ, ଗୋଟିଏ ନିତାନ୍ତ ଆବୁରୁଜାବୁରୁ ଖାସ୍ ଗୋଛାଟାକୁ ଚକଚକ କରି ଦେଖାଇବାର ପ୍ରୟାସ କରି ସେମାନେ ତାହାକୁ ଅତୀତ ବୋଲି କହନ୍ତି ଏବଂ ସଂସ୍କୃତି କହିଲେ ସତେଅବା ସବୁକିଛି ତାହାରି ଭିତରେ ରହିଛି ବୋଲି ଭାରି ଉଷତପଣ ଦେଖାନ୍ତି । ଏହି ବର୍ତ୍ତମାନଟି ଉପରେ ଅବଲୋକନ କରିପାରୁଥିବା ମୋ’ର ସମୀକ୍ଷାଟି ଯେତିକି ଆୟତନ ମଧ୍ୟରେ ରହିଥାଏ, ଅତୀତ ସମ୍ପର୍କରେ ମୋ’ର ଯାବତୀୟ ନକ୍ସା ନିରୂପଣ ମଧ୍ୟ ତାହାରିଦ୍ଵାରାହିଁ ନିର୍ଦ୍ଧାରିତ ହେବାକୁ ବାଧ୍ୟ ହୁଏ । ହଁ, ଆମ ଭିତରୁ ଅପେକ୍ଷାକୃତ ଅଧିକ ଭୀରୁମାନଙ୍କଦ୍ଵାରା କଳ୍ପିତ ଅତୀତଟା ପ୍ରାୟ ଇଚ୍ଛାକୃତ ଭାବରେ ସାଧାରଣତଃ ଅଧିକ ଚକଚକ ହୋଇ ଫନ୍ଦା ହୋଇଥାଏ କି ?

 

୩ । ୧୨ । ୨୦୦୬

 

ଜଣେ କ୍ରାନ୍ତଦର୍ଶୀହିଁ କବି । କବିମାତ୍ରକେ ସମସ୍ତେ ଯେ କ୍ରାନ୍ତଦର୍ଶୀ ହୋଇଥିବେ, ସେକଥା ଆଦୌ ସତ ନୁହେଁ । ସେହି ଯେଉଁ ଉପନିଷଦୀୟ ‘କବି’ ଶବ୍ଦର ବ୍ୟବହାରଟି, ତାହା କବିତା ରଚନା କରୁଥିବା ଓ ଏପରିକି ସାହିତ୍ୟ ରଚନା କରୁଥିବା ଜଣେ ବ୍ୟକ୍ତି ନିମନ୍ତେ ମୋଟେ ବ୍ୟବହାର କରାଯାଇପାରିବନାହିଁ । ଆଦୌ କିଛି ଦେଖୁ ନଥିଲେ ମଧ୍ୟ ଜଣେ ବ୍ୟକ୍ତି ଖୁବ୍ କବିତା ଲେଖିପାରିବ ଏବଂ ସାହିତ୍ୟବି କରିପାରିବ । ଏହି ସନ୍ଦର୍ଭରେ କିଛି ଲେଖି ପାରିବାକୁହିଁ ସର୍ବଦା ଏକ କଳାତ୍ମକତା ବୋଲି କୁହାଯାଇପାରିବ କି ନାହିଁ, ସେହି କଥାଟି ମଧ୍ୟ ନିଜର ନଜର ଏବଂ ଅନ୍ଦାଜ ଅନୁସାରେ ମୀମାଂସା କରି କୁହାଯାଇପାରିବ ।

 

କେବଳ ଯେତିକି ଦେଖି ହେଉଛି, ତାହାର ତଥାପି ସେପାଖକୁ ଅଧିକ ଆହୁରି କିଛିକୁ ଅନୁମାନ କରି ପାରିବା ଏକ ବିଦ୍ୟା ବା ସମର୍ଥତା, ତାହାକୁ ଆଦୌ କ୍ରାନ୍ତଦର୍ଶନ ବୋଲି କାହିଁକି ବା କୁହାଯିବ ? ସମ୍ଭବତଃ କିଞ୍ଚିତ୍ ଶବ୍ଦବ୍ୟଞ୍ଜନା ଦେଇ ଆମେ କହିପାରିବା ଯେ ଏକ ଭାବମୟ ବାସ୍ତବକୁ ସତକୁସତ ଦେଖିବା ଅଥଚ ତାହାର ପରିପୂର୍ଣ୍ଣତର ବ୍ୟାପ୍ତିଟିଏ ମଧ୍ୟ ମୋତେ ଏଠାରେ ମଧ୍ୟ ସ୍ପର୍ଶ କରି ରହିଛି ଏବଂ ମୋ’ର ଦୃଷ୍ଟିଟିକୁ ମଧ୍ୟ ତାହାରି ଆଡ଼କୁ ପ୍ରସାରିତ କରି ନେଇଯାଉଛି ଏବଂ ସର୍ବୋପରି, ଏକ ସାଧାରଣ ବୁଝି ହେଉଥିବା ଅର୍ଥରେ ମୋତେ ଯେତିକି ଦିଶୁଛି, ତାହାଠାରୁ ଗୋଟିଏ ବୃହତ୍ତର ପରିଧିରେ ମୁଁ ଆପଣାର ଉପସ୍ଥିତ ମୁହୂର୍ତ୍ତଗୁଡ଼ିକୁ ମଧ୍ୟ ବଞ୍ଚିପାରୁଛି ଏବଂ ସେଥିରୁ ବଳ ପାଇପାରୁଛି,–ତାହାହିଁ କ୍ରାନ୍ତଦର୍ଶନ । ଆମ ଜୀବନର ଏହି ସମର୍ପଣ–କ୍ଷେତ୍ରଟି ଅଧିକ ନିବିଡ଼ ହୋଇ ଆସୁଥାଏ, ନିଜର ଜୀବନଟିକୁ ଅନ୍ତର୍ଗତ ଭାବରେ ଅନୁଭବ କରିପାରୁଥିବା ମୋ’ର ସବୁଯାକ ଆଖି ହୁଏତ ସେହି କ୍ରାନ୍ତଦର୍ଶନ ନିମନ୍ତେ ସେତିକି ସେତିକି ପ୍ରସ୍ତୁତ ତଥା ସମର୍ଥବି ହେବାରେ ଲାଗିଥାନ୍ତି । ମୁଁ ସ୍ଥୂଳତଃ କେଉଁ କ୍ଷେତ୍ରଟିରେ ରହିଛି, ତାହାକୁ ସ୍ଵତନ୍ତ୍ର ଓ ଅଲଗା କରି ବିଚାର କରିବାକୁ ଆଉ କୌଣସି ଅବସରହିଁ ନଥାଏ । ହଁ, ସମ୍ମତ ହୋଇ ଯାଉଥିବା ସଙ୍ଗେ ସଙ୍ଗେ ସେଇଟି ମଧ୍ୟ କତି କତି ହୋଇ ଆସୁଥାଏ ।

 

୨୭ । ୧୨ । ୨୦୦୬

 

ସଂହତିଗୁଡ଼ିକର ସଂକ୍ରମଣ, ପୂର୍ଣ୍ଣ ପ୍ରୀତି ତଥା ପୂର୍ଣ୍ଣ ସମ୍ମାନବୋଧ ସହିତ ସଂକ୍ରମଣ, ସୁସ୍ଥତମ ଅର୍ଥରେ ତାହାକୁହିଁ ଆମେ ପ୍ରକୃତ ଜଗତୀକରଣ ବୋଲି କହିବା । ଜଗତଟା ପ୍ରକୃତରେ ବନ୍ଧା ହୋଇ ରହିଛି ଏବଂ ଆମେ ସେଇଥିଲାଗି ସର୍ବବିଧ ପ୍ରାତ୍ୟତ୍ତିକ ଅର୍ଥରେ କେଡ଼େ ସ୍ଥାନୀୟ ହୋଇ ରହିଥିଲେ ମଧ୍ୟ ତଥାପି ଜଗତ ବୋଲି କହିବା ସଙ୍ଗେ ସଙ୍ଗେ ଆମକୁ କେଡ଼େ ଖୁସୀହିଁ ଲାଗୁଛି । ଆମେ କେବଳ ନିଜେ ନିଜର ବୋଲି ବଞ୍ଚିଥିବା ଜୀବନଟିକୁ ମଧ୍ୟ ଜଗତଟିଏ ବୋଲି କହୁଛୁ ଏବଂ, ଯେଡ଼େ ସ୍ଥାନୀୟ ହୋଇଥିଲେ ମଧ୍ୟ ଆମେ ଭଗବାନଙ୍କୁ ଜଗଦୀଶ୍ଵର ବୋଲି କହି ମଧ୍ୟ କେଡ଼େ ଉଶ୍ଵାସ ଅନୁଭବ କରୁଛୁ ।

 

ସଂହତି ସହିତ,–ସେହି ସବାବଡ଼ ପ୍ରୀତିଟି ସହିତ ସମ୍ମାନବୋଧ ନାମକ ଅତ୍ୟାବଶ୍ୟକ ବୋଲି ଅନୁଭୂତ ହୋଇ ସେହି ଆର କଥାଟି ରହି ନଥିବାରୁ କ’ଣ ଆମେ ଆମର ପ୍ରୀତିନାମକ ଏକ ଅନ୍ୟ ଭାନୁମତୀ ଭିତରେ ଯାଇ ପଡ଼ିଯାଉ କି ଏବଂ ନାନା ଅନ୍ୟ ଆଳରେ ନିଜକୁ ଆମକୁ ଏକାଠି ବେଢ଼ା ବୁଲାଇ ରଖିଥିବା ଜଗତଟିଠାରୁ ବିଚ୍ଛିନ୍ନ କରି ରଖୁଛୁ କି ? ଯାବତୀୟ ସମ୍ମାନବୋଧ ହେଉଛି ଏକ ପାରସ୍ପରିକତା, ସର୍ବବିଧ ପ୍ରୀତିରହିଁ ଏକ ସ୍ଵାଭାବିକ ସଂପ୍ରସାରଣ । ଯିଏ ତୁଚ୍ଛା ନିଜକୁ ଭଲ ପାଉଥାଏ ଓ ସେହି ବାହାନାରେ ତୁଚ୍ଛା ନିଜର ଦେଶ, ନିଜ ଜାତି, ଓ ନିଜର ଧର୍ମରେ ରହିଥାଏ ବୋଲି ଭ୍ରମ କରୁଥାଏ, ସିଏ ପ୍ରକୃତରେ ଆପଣାର ସେହି ଅଶୁଭଟିଦ୍ଵାରା ଆମ ଜଗତଟାକୁ ମଧ୍ୟ ଏକାଧିକ ଅଶୁଭଦ୍ଵାରାହିଁ ପ୍ରପୀଡ଼ିତ ହୋଇ ରହିବାରେ ସହାୟତା କରେ । କେବଳ ନିଜକୁ ବା ନିଜଟାକୁ ଭଲ ପାଇବା ଏବଂ ତାହାରି ଅପପ୍ରେରଣା ହେତୁ ଅନ୍ୟମାନଙ୍କଠାରୁ ଦୂରଛଡ଼ା ଓ ନାକଟେକା ହୋଇ ରହିଥିବା,–ସେହି କଥାଟା ସତକୁସତ କିପରି ସମ୍ଭବ ହୁଏ କେଜାଣି ? ଅଥବା, ସେହି ତଥାକଥିତ କେବଳ ନିଜକୁ କିମ୍ବା ନିଜଟିକୁହିଁ ଭଲ ପାଇବାର ପଶ୍ଚାତ୍‍ରେ ଅନେକ ସମୟରେ କିଞ୍ଚିତ୍ ଏକ ଜୁଗୁପ୍‍ସା ମଧ୍ୟ ରହିଥାଏ କି ? ବସ୍ତୁତଃ ଆପଣାକୁ ଦୂରଛଡ଼ା କରି ନାକ ଟେକି ରହିଥିବାରୁ ମନୁଷ୍ୟମାନେ ପ୍ରାୟ ଏକ compulsionର କବଳ ଭିତରେ ପଡ଼ି ଜଗତଯାକର ସବୁକିଛିକୁ ମଧ୍ୟ ନାକ ଟେକିବାର ସେହି ଦୁଷ୍ଟ ଉତ୍ସାହଟାଏ ମଧ୍ୟରେ ଯାଇ ପଡ଼ି ରହିଥାନ୍ତି କି ?

 

୩୦ । ୧୨ । ୨୦୦୬

 

ଭକ୍ତିନାମକ ମାର୍ଗଟିକୁ ନେଇ ଯେଉଁ ସିଦ୍ଧାନ୍ତୀମାନେ ସଂପ୍ରଦାୟଗୁଡ଼ିକୁ ଏତେ ଉତ୍ସାହ ଓ ଉଦ୍ଦଣ୍ଡତା ଯୋଗାଇ ଦେଇଛନ୍ତି, ସେମାନେ ଆପଣାର ସେହି ଅଭିପ୍ରାୟଗୁଡ଼ିକର କନ୍ଦିମାନଙ୍କରେ ଯାହାକିଛି ଲୁଚାଇ ଅଥବା ନଲୁଚାଇ ସେପରି କରି ଥାଆନ୍ତୁ ପଛକେ, ଆଉଗୋଟିଏ ପ୍ରକାର ଦୃଷ୍ଟିରେ ଭକ୍ତିକୁ ସମ୍ଭବତଃ ମୂଳ ଦୁଇପ୍ରକାରେ ଅନୁଭବ କରାଇପାରିବ ଓ ତେଣୁ ହୁଏତ ତଉଲାଯାଇ ମଧ୍ୟ ପାରିବ ।

 

ଗୋଟିଏ ଶାଖାର ଭକ୍ତମାନେ ଅଛନ୍ତି, ଯେଉଁମାନେ କି ସୁରକ୍ଷା କାମନା କରିଥାନ୍ତି । ତେଣୁ, ଯାବତୀୟ ଭକ୍ତିନିବେଦନ ଓ ଭକ୍ତବତ୍ ଆଚରଣଦ୍ଵାରା ସେମାନେ ସୁରକ୍ଷିତ ହୋଇ ରହିବା ନିମନ୍ତେ ସର୍ବଦା ଏକ ବ୍ୟାକୁଳତାହିଁ ପ୍ରକାଶ କରନ୍ତି । ଏହି କିସମର ବ୍ୟାକୁଳମାନଙ୍କୁ ସମ୍ଭବତଃ ଆକୃଷ୍ଟ କରିଆଣିବା ପାଇଁ ସାଧନାର ଗଡ଼ିଆମାନଙ୍କରେ ଭକ୍ତିନାମକ ଥୋପଟିଏ ପକାଇ ବାହାରିଥିବା ଉତ୍ତମମାନେ ଭକ୍ତିକୁହିଁ ସହଜତମ ଏକ ସୁନିଶ୍ଚିତତମ ମାର୍ଗ ବୋଲି କହିବାରେ ଲାଗିଥାଆନ୍ତି କି ? ଦ୍ଵିତୀୟ ପ୍ରକାରର ଭକ୍ତି ବିଚରଣାରେ ଭକ୍ତମାନେ ଅଧିକରୁ ଅଧିକ ସମ୍ପୂର୍ଣ୍ଣ ଭାବରେ ଆପଣାକୁ ଗୋଟିଏ ଗୋଟିଏ ନିମିତ୍ତବତ୍ ତିଆରି ହୋଇ ପାରିବା ନିମନ୍ତେ ପ୍ରାର୍ଥନା କରିଥାନ୍ତି । ସେହି ପରମାରାଧ୍ୟଙ୍କର ଗୋଟିଏ ଗୋଟିଏ ନିମିତ୍ତବତ୍ । ସେମାନଙ୍କର ସକଳ ପ୍ରସ୍ତୁତି ଏବଂ ସକଳ ଆଚରଣ ସବାଆଗ ଗୋଟିଏ ଗୋଟିଏ ନିମିତ୍ତରୂପେ ତିଆରି ହୋଇ ପାରିବା ଲାଗି । ଅର୍ଥାତ୍ ‘ହାସଲ କରିବା’ ପାଇଁ ନୁହେଁ, ଆପଣାକୁ ଦେବାଲାଗି ଏବଂ ସେଥିସକାଶେ ନିଜକୁ ସତତ ଯୋଗ୍ୟତର ଭାବରେ ତିଆରି କରିନେବା ସକାଶେ । ସେମାନଙ୍କର ସ୍ଵଅନୁଭବରେ ସତେଅବା ପହଞ୍ଚିବାକୁ ରହିଥିବା ସେହି ଶିଖରଟିଏ ସକଳ ଅର୍ଥରେ ଦୃଷ୍ଟିଗୋଚର ହେବାରେ ଲାଗିଥାଏ ଏବଂ ବର୍ତ୍ତମାନ କେବଳ ସେଥିପାଇଁ ଯୋଗ୍ୟ ହୋଇ ସେଠାରେ ପହଞ୍ଚିବାଟିହିଁ ଯାହା ବାକି ରହିଥାଏ । ସେହି ଗୋଟିଏ ମାତ୍ର ଆହ୍ଵାନ,–ସେହି ବାଟ ଚାଲିବା, କ୍ରମେ ନିକଟବର୍ତ୍ତୀ ହେଉଥିବା ଏବଂ ନିମିତ୍ତ ହେବା ଯେ ସର୍ବୋତ୍ତମ ସୁରକ୍ଷା, ସେମାନେ ସେହି କଥାଟିକୁ ଅତ୍ୟନ୍ତ ସ୍ପଷ୍ଟ–ଭାବରେ ବୁଝିଥାଆନ୍ତି ଏବଂ ତେଣୁ ଭିନ୍ନ କୌଣସି ପ୍ରକାରର ସୁରକ୍ଷା ମାଗିବା ସକାଶେ ସେମାନଙ୍କ ଜୀବନରେ କୌଣସି ସ୍ଵତନ୍ତ୍ର ଆବଶ୍ୟକତା ମଧ୍ୟ ନଥାଏ ।

 

୨୦୦୭

୧ । ୧ । ୨୦୦୭

 

ନୂଆ ବର୍ଷର ଆରମ୍ଭ–ଏକାବେଳେକେ ସର୍ବପ୍ରଥମ ଦିନଟି । ଏବଂ, ଲୋକେ ସେହି ଦିନଟିକୁ କେତେ କେତେ ପ୍ରସ୍ତୁତିର ମାଧ୍ୟମରେ ପାଳନବି କରନ୍ତି । ବହୁତ ଆନନ୍ଦ ଲାଭ କରନ୍ତି । ପରସ୍ପରକୁ ଭେଟନ୍ତି, ଶୁଭ ମନାସନ୍ତି, ଏହି ପୃଥିବୀରେ ଏତେ ଏତେ ଆପଣାର ମନୁଷ୍ୟ ରହିଛନ୍ତି ବୋଲି ବହୁ ଭରସା ପାଇଯାଆନ୍ତି । ସମ୍ପୂର୍ଣ୍ଣ ଭାବରେ ଗୋଟିଏ ପର୍ବଦିନ ପରି ଅନୁଭବ ହୁଏ । କିଏ ଏହି ପୃଥିବୀକୁ ଏପରି ପ୍ରୀତିମୟ କରି ରଖିଥାଏ କେଜାଣି, ଏହି ପର୍ବଦିନ ଅର୍ଥାତ୍ ବିଶେଷ ଦିନମାନଙ୍କରେ ସତେ ଯେପରି ସେହିପରି ଗୋଟିଏ କିଛିକୁ ବା ସେହିପରି ଗୋଟିଏ କାହାକୁ ଖୁବ୍ ଅନୁଭବ କରିହୁଏ । ନିଜ ଭିତରେ ଅନୁଭବ ହୁଏ, ପରସ୍ପର ମଧ୍ୟରେ ଅନୁଭବ ହୁଏ ।

 

ସଂକଳ୍ପମାନେ ସବୁଦିନେ ଥାଆନ୍ତି । ଆଖିଟି ମଧ୍ୟରେ କୌଣସି ସଂକଳ୍ପ ନଥିଲେ ଆମେ ଆଦୌ କୌଣସି ବାଟ ଚାଲୁଥାନ୍ତୁ ବା କିପରି ? ସେହି ସଂକଳ୍ପମାନେ ଥାଆନ୍ତି ବୋଲି ଦୁଃଖକୁ ସାମନା କରି ହୁଏ, ମୁଖମାନଙ୍କୁ ବାଣ୍ଟି ହୁଏ, ପ୍ରତ୍ୟେକ ମୁହୂର୍ତ୍ତରେ କେଉଁଠାରେ ନା କେଉଁଠାରେ ପହଞ୍ଚି ଯାଉଥିବା ପରି ବୋଧ ହେଉଥାଏ । ସଂକଳ୍ପଟାଏ ରହିଥାଏ ବୋଲି ବାଟମାନେ ଏତେ ଭରସା ଦିଅନ୍ତି : ମନେହୁଏ, ସତେଅବା ବାଟଟି ଅଥବା ବାଟଗୁଡ଼ିକ ଖାସ୍ ମୋ’ରି ଲାଗି ଅପେକ୍ଷା କରି ରହିଥିଲେ ଏବଂ ମୋତେ ଦେଖି ଖୁବ୍ ଖୁସୀ ହୋଇଗଲେ । ହଁ, ସଂକଳ୍ପ ଥାଏ ଓ ବିଶେଷ ବିଶେଷ ଦିବସମାନଙ୍କରେ ସେଇଟି ସତେଅବା ଅଧିକ ପ୍ରଭାସ୍ଵର ହୋଇ ଉଠେ । ଏହିପରି ଗୋଟିଏ ବିଶେଷକ୍ଷଣ ଅଥବା ଦିବସର ସ୍ପର୍ଶ ଲାଭ କରି ଆଖିମାନେ ମଧ୍ୟ ପ୍ରଭାସ୍ଵର ହୋଇ ଆସନ୍ତି-। ଆଗକୁ ଆଗକୁ ଯେତେ ଯେତେ ସମ୍ଭାବନା ରହି ଥାଆନ୍ତି । ଏପରିକି ଯେଉଁ ପ୍ରତିବନ୍ଧକମୟ ମଧ୍ୟ ନିର୍ଦ୍ଦେଶିତ ହୋଇ ରହିଥାନ୍ତି । ସେହି ସବୁଗୁଡ଼ିକୁ କେଡ଼େ ନିଜର ପରି ସମ୍ମୁଖୀନ ହେବା ସକାଶେ ଭିତରୁହିଁ କେଉଁ ବନ୍ଧୁ ବାଟ ବତାଇ ଦେବାରେ ଲାଗିଥାଏ ।

 

୨୮ । ୧ । ୨୦୦୭

 

ସକଳ ପ୍ରକାରର ଶିକ୍ଷାଦାନରେ ସମ୍ଭବତଃ ଦୁଇଗୋଟି ଶଙ୍କୁ । ଗୋଟିଏ ଶିକ୍ଷାଦାନ ଏପରି ଯେ, ଛାତ୍ରଟିଏ ଗୋଟାସୁଦ୍ଧା ଗଦ୍‌ଗଦ୍ ହୋଇଯିବ, ସବୁ ପାଇଗଲା ବୋଲି ଚଟ୍ କରି ଅନୁଭବ କରିବ । ଗୋଟିଏ ବିଷୟରେ ତା’ର ସତେଅବା ଆଉ କିଛିବି ଅଧିକ ଜାଣିବାର ଏବଂ ହାସଲ କରିବାର ନାହିଁ ବୋଲି ପୂରା ଅନୁଭବ କରୁଥିବ । ଭାଗବତର ଉଦ୍ଧବ ଓ ଗୀତାର ଅର୍ଜୁନ କ’ଣ ସେହି କାଟର ଜଣେ ଜଣେ ଚାଟ ଥିଲେ କି ? ଏବଂ, ଏଥିପାଇଁ ଆମେ ପ୍ରକୃତରେ କାହାକୁ ବାହାଦୁରି ଦେବା,–ଅର୍ଜୁନ ଓ ଉଦ୍ଧବକୁ ନା ଜଗଦୀଶ୍ଵର କୃଷ୍ଣଙ୍କୁ ?

 

ଅନ୍ୟ ପକ୍ଷରେ ଆରଟି ମୋଟେ, ପେଟଟା ସତକୁସତ ପୂରିଗଲା ବୋଲି ଧାରଣା କେବେ ଧାରଣା ଦିଏନାହିଁ । ଆଦୌ ଶୋଷ ମେଣ୍ଟାଏନାହିଁ । ଭୋକ ବଢ଼ାଏ । ଅଧିକ ଦେଖିବାକୁ, ଖୋଜିବାକୁ ଏବଂ ଆହୁରି ଅଧିକ ହାତ ବଢ଼ାଇ ପାରିବାକୁ ସତେଅବା ଏକ ଈଶ୍ଵରୀୟ ଲୋଭକୁ ଜାଗୃତ କରି ଆଣୁଥାଏ । ବ୍ରହ୍ମର ଜିଜ୍ଞାସା କରିବାର ପ୍ରତିଶ୍ରୁତି ଦେଇ କୌଣସି readymade ବ୍ରହ୍ମନକ୍ସା ଭିତରେ ମୋଟେ ବାନ୍ଧି ପକାଇବାର ଅଭିପ୍ରାୟ ପୋଷଣ କରେନାହିଁ । ଏହି ପୃଥିବୀରେ କ’ଣ ଦୁଇ ପ୍ରକାରର ଶିକ୍ଷକ ବା ଦୁଇ ପ୍ରକାରର ଶିକ୍ଷାର୍ଥୀ ରହିଥାନ୍ତି ବୋଲି ଏଭଳି ହୁଏ କି ? କିମ୍ବା, ଜଣେ ଶିକ୍ଷକ ହୁଏତ କୌଣସି ମଜା ଦେଖିବ ବୋଲି କେତେବେଳେ ଏପରି ହୁଏ ଏବଂ ପୁଣି କେତେବେଳେ ସେପରି ମଧ୍ୟ ହୁଏ ? ଅଥବା ସେହି ସବୁକିଛି ନିଜର ଜୀବନଟିକୁ ନେଇ ବାଟ ଚାଲୁଥିବାର ଆମର କୌଣସି ମୂଳ ଅନୁରାଗ ଉପରେବି ସେହି କଥାଟି ନିର୍ଭର କରୁଥାଏ ? ପୃଥିବୀରେ ପଲପଲ ଶିକ୍ଷାଦାତା କ’ଣ ପାଇଁ ସେହି ପ୍ରଥମ କିସମଟିକୁ ଅଧିକ ପସନ୍ଦ କରନ୍ତି ? ସମ୍ଭବତଃ ଅଧିକ ନିରାପଦ ମନେ କରନ୍ତି । ସେମାନଙ୍କର ଈପ୍ସିତ ଠାକୁରମାନେ ମଧ୍ୟ ସତେଅବା କୌଣସି ଏକ ଖାସ୍ ଆନୁଗତ୍ୟ ଫଳରେ ସେହିପରି ଗୋଟାଏ କିଛି ଅନୁରୂପ ଧାତୁରେ ମଧ୍ୟ ତିଆରି ହୋଇଥାନ୍ତି କି ? ଏବଂ, ସକଳବିଧ ଶିକ୍ଷାର ଅବସରରେ ଯିଏ ଅସଲ ଅଧିଷ୍ଠାତା, ତାଙ୍କୁ ମଧ୍ୟ ସତକୁସତ ଏହି ଅଧିକ ପସନ୍ଦର ପଟଟିର ଆଚରଣଟା ଆଦୌ ଭଲ ଲାଗୁଥିବ କି ?

 

୨୧ । ୨ । ୨୦୦୭

 

ଖାଲି ସ୍ଵପ୍ନ,–ସ୍ଵପ୍ନହିଁ ସ୍ଵପ୍ନ । ମୋତେ ନେଇ ମୋ’ର ସ୍ଵପ୍ନ । ଏହି ପୃଥିବୀକୁ ନେଇ ସ୍ଵପ୍ନ, ଏହି ପୃଥିବୀର କାମରେ ନିତି ଲାଗୁଥିବାର ସ୍ଵପ୍ନ । ନିତି ଲାଗି ପାରିବାର ସ୍ଵପ୍ନ ଅର୍ଥାତ୍ ଆପଣାକୁ ସେଥିନିମନ୍ତେ ନିତି ଯୋଗ୍ୟ କରି ନେଉଥିବାର ସ୍ଵପ୍ନ । ଖାଲି ମାନଚିତ୍ର ପରେ ମାନଚିତ୍ର । କୋଉଠି ମୋ’ ଭିତରେ ପୃଥିବୀ ଓ ଆଉ କେଉଁଠି ଏହି ପୃଥିବୀ ଭିତରେ ମୁଁ । ଏହି ଦୁଇଟାଯାକ କ’ଣ ସତକୁସତ ଦୁଇଟା ଅଲଗା କଥା ଏବଂ ଅଲଗା ଧନ୍ଦା ?

 

ଭିତରେ ତଥା ବାହାରେ ସତେ ଯେପରି ସତକୁସତ ପ୍ରୀତିପୂର୍ଣ୍ଣ ପୂର୍ଣ୍ଣ ବିଶ୍ଵାସରେ ପରମମିସ୍ତ୍ରିଟିଏ ବସିଛି ଯିଏକି ଗୋଟିଏ ପଥର ଏବଂ ଖଣ୍ଡେ ଇଟାକୁ ମଧ୍ୟ ପ୍ରତ୍ୟାଖ୍ୟାତ ହୋଇ ରହିଯିବାକୁ ମୋଟେ ଛାଡ଼ି ଦେଉନାହିଁ । କ’ଣ ସବୁ ଅନାଗତ ଉପରେ ଦୃଷ୍ଟିନିବେଶ କରି ସିଏ ଏପରି ଏକ ନିଖୁଣ ଯତ୍ନଶୀଳତା ସହିତ ମୂଳଦୁଆଟିକୁ ତିଆରି କରିବାରେ ଲାଗିଛି କେଜାଣି ! ସେହି ମିସ୍ତ୍ରିଟି ହେଉଛି ସେହି ଦିବ୍ୟ ଜନନୀ,–ମୋ’ର ସତକୁସତ ସେଇ ଜନନୀ ! ତେଣୁ ଆଦୌ କେଉଁଠାରେ କିଛି ସରିଗଲା ପରି ମନେ ହେଉନାହିଁ, ମୋଟେ କିଛିହେଲେ ବରବାଦ ହୋଇ ଯାଉନାହିଁ । ଆଜିର ସଉଦା କାଲି ସକାଶେ ପୁଞ୍ଜି ହୋଇ ରହୁଛି । ତେଣୁ ଡାକରା ସର୍ବଦାହିଁ ଲାଗି ରହିଛି । ସେହି ଡାକରା ଆସୁଥିବାର ଅନୁଭୂତି,–ତାହାହିଁ ହେଉଛି ଏହି ସତତ ସ୍ଵପ୍ନ ଦେଖୁଥିବାର ନିତ୍ୟ ଲୀଳାଟି । ସେକାଳର ଭକ୍ତମାନେ ଯାହାକୁ ନିତ୍ୟ ରାସର ଆଖ୍ୟାଟିଏ ଦେଇଛନ୍ତି, ସେଇଟି କ’ଣ ବସ୍ତୁତଃ ଏହି ସର୍ବଦା ସ୍ଵପ୍ନ ଦେଖୁଥିବାର ଏକାନ୍ତ ସହଜ ଏହି ଅଭୀପ୍ସାଟି କି ? ତେବେ, ମୋ’ର ଜୀବନ ମଧ୍ୟଦେଇ ସେହି ଅଭୀପ୍ସାରହିଁ ଜୟ ହେଉ ଏବଂ ଏହି ଜନ୍ମଦିନଟି ଲାଗି ରହିଥାଉ ।

 

୧୮ । ୨ । ୨୦୦୭

 

ଆଗ ସତକୁସତ ପ୍ରେମରେ ପଡ଼ିବ ଓ ତା’ପରେ ସିନା କିପରି ପ୍ରେମରେ ପଡ଼ନ୍ତି, ସେହି କଥାଟିକୁ ଅନୁଭବ କରି ପାରିବ ! ହଁ, ସମ୍ଭବତଃ କିଛି ଅନୁଭବହିଁ କରିପାରିବ । ଏବଂ, କାହିଁକି ପ୍ରେମରେ ପଡ଼ନ୍ତି ସେହି କଥାଟିକୁ ଠଉରାଇ ପାରିବା ନିମନ୍ତେ ତୁମର ହୁଏତ ସାରା ଜୀବନହିଁ ବିତିଯିବ ।

 

ଏବେ ତ ସୌନ୍ଦର୍ଯ୍ୟତତ୍ତ୍ଵ ବିଷୟରେ ଗାଡ଼ି ଗାଡ଼ି ବହିବି ଲେଖା ହେଲାଣି । ମୁଖ୍ୟତଃ ପଣ୍ଡିତମାନେ ଘୋର ଗବେଷଣା କରି ସେହି ବହିମାନଙ୍କୁ ଲେଖିଛନ୍ତି । ଅର୍ଥାତ୍ ତତ୍ତ୍ଵଗୁଡ଼ିକୁ ବାହାର କରିଛନ୍ତି । ପଣ୍ଡିତମାନେ ସ୍ଵୟଂ ପ୍ରେମରେ ପଡ଼ିଥାଆନ୍ତି କି ନାହିଁ, ସେମାନଙ୍କୁ ସେହି ପ୍ରଶ୍ନଟି ପଚରା ଗଲେ ସେମାନେ ହୁଏତ ଭାରି ଘାବରେଇ ଯାଆନ୍ତେ । ସେମାନେ ସମ୍ଭବତଃ ଓଲଟି କହି ବାହାରନ୍ତେ ଯେ, ଯଥାସମ୍ଭବ ସମ୍ପୂର୍ଣ୍ଣ ଭାବରେ ନିରାସକ୍ତ ହୋଇ ନପାରିଲେ ଏବଂ ନିରାସକ୍ତ ହୋଇ ନଖୋଜିଲେ ତୁମେ ଆଦୌ କୌଣସି ସିଦ୍ଧାନ୍ତରେବି ମୋଟେ ପହଞ୍ଚିହିଁ ପାରିବନାହିଁ । ମୋହରୁ ମୁକ୍ତ ନହେଲେ ତୁମେ ମୋଟେ ସତ୍ୟମାନଙ୍କୁ ଘ୍ରାଣ କରି ପାରିବନାହିଁ । ମୋହଯୁକ୍ତ ହୋଇ ଦେଖିଲେ ପୃଥିବୀରେ ସବୁକିଛି ଯେ ସୁନ୍ଦର ଦେଖାଯାଏ, ତୁମେ ସେହି କଥାଟିକୁ ପଣ୍ଡିତମାନଙ୍କୁ କଦାପି ବୁଝାଇ କହିଦେଇ ପାରିବନାହିଁ । ମୋହରୁ ମୁକ୍ତ ହୋଇ ନୁହେଁ, ମୋହର ସଂପ୍ରସାରଣଦ୍ଵାରା ଯେ ପୃଥିବୀରେ ସବୁ ସୁନ୍ଦର ଦିଶେ, ସେହି ସତ୍ୟଟିକୁ ତୁମେ ପ୍ରକୃତରେ କେଉଁ ବ୍ୟାକରଣର ସୂତ୍ର ଦେଇ ପଣ୍ଡିତମାନଙ୍କର ହୃଦ୍‌ବୋଧ କରାଇପାରିବ କହିଲ ! ମୋହର ସମୁଚିତ ସଂପ୍ରସାରଣ ନହୋଇ ପାରିବାର ଯେ ସୌନ୍ଦର୍ଯ୍ୟର ଏତେ ଚର୍ଚ୍ଚା ସତ୍ତ୍ୱେ ପୃଥିବୀରେ ତଥାପି ଅସୁନ୍ଦରମାନେହିଁ କାୟା ବିସ୍ତାର କରିବାରେ ଲାଗିଛନ୍ତି ଏବଂ ମନୁଷ୍ୟମାନେ ମନୁଷ୍ୟମାନଙ୍କ ଆଖିରେ ଏଡ଼େ ହୀନ ହୋଇ ଦେଖା ଯାଉଛନ୍ତି, ପ୍ରେମରେ ପଡ଼ିଲେ ସିନା ଜଣେ ସେହି କଥାଟିକୁ ଓ ସେହି ସତ୍ୟଟିକୁ ଅଙ୍ଗେ ନିଭାଇ ପାରନ୍ତା !

 

୨୭ । ୨ । ୨୦୦୭

 

ଏହି ସଂସାର ଭିତରେ ଥାଇ ଅନେକ ମନୁଷ୍ୟ ନାନାପ୍ରକାରେ ଅନ୍ୟମନା ହୋଇ ହୁଡ଼ିଯାଆନ୍ତି ଏବଂ ମୃତ୍ୟୁପରେ ମନୁଷ୍ୟମାନଙ୍କର କେଉଁସବୁ ଦଶା ହୁଏ ବା ନହୁଏ, ସେହି ବିଷୟରେ ନାନା କଳ୍ପନା କରିବାରେ ଲାଗିଥାଆନ୍ତି ? ଏହି ମଞ୍ଚଭୁବନରେ ତୁମେ ଓ ଆମେ ଅନେକ ସମୟରେ ସେହି ଯାବତୀୟ ଅନୁମାନଲବ୍ଧ କଥାସମ୍ପଦଗୁଡ଼ିକୁ ବହୁ ଆକର୍ଷଣଯୁକ୍ତ ଖାସ୍ କଥାଟିଏ ବୋଲି କ’ଣ ପାଇଁ ଅନୁଭବ କରୁ ବୋଲି କ’ଣ ସେହି ବିଜ୍ଞ ବୈଦ୍ୟଜନମାନେ ଏଗୁଡ଼ିକର କଳ୍ପନାସମ୍ବଳିତ ନାନା ଅନ୍ଦାଜ କରିବାରେ ଉତ୍ସାହିତ ହୋଇ ପଡ଼ନ୍ତି କି ?

 

ମୃତ୍ୟୁ ପରେ ମନୁଷ୍ୟନାମକ ଏହି ଜୀବଟିର କଳ୍ପନା ମୁଖ୍ୟତଃ ସ୍ଵର୍ଗ ଏବଂ ନରକକୁ ନେଇ କଳ୍ପନା ତଥା ତଦନୁରୂପ ଭଳିଭଳି ବର୍ଣ୍ଣନା । ପ୍ରତ୍ୟେକ ବର୍ଣ୍ଣନାକାର ସ୍ଵୟଂ ତା’ ନିଜର ମର୍ତ୍ତ୍ୟସ୍ଥ ଜୀବନଟିକୁ ଯେପରି ଭାବରେ ଅଙ୍ଗେ ନିଭାଇଥିବ, ପ୍ରାୟ ସେହି ଅନୁସାରେ ତା’ର ସେହି ଯାବତୀୟ ବର୍ଣ୍ଣନାର ପରିମଳଟିକୁ ବେଶ୍ ବହୁ ପରିମାଣରେ ହୁଏତ ଘ୍ରାଣବି ହୋଇ ଯାଇଥାଏ । ଏପରିକି, କଳ୍ପନାକାରୀର ନିଜ ଧର୍ମସଂସ୍କୃତି ଏବଂ ଭୌଗୋଳିକ ଜଳବାୟୁର ମଧ୍ୟ ସେହି ନିର୍ମାଣଟିର କ୍ଷେତ୍ରରେ ଅବଶ୍ୟ ବହୁତ ଭୂମିକା ରହିଥାଏ । ଏହି ମନ୍ତବ୍ୟଟି ସହିତ ମୁଁ ସମ୍ଭବତଃ ମାତ୍ର ଏତିକି କହିବି ଯେ, ଯଦି ଆତ୍ମାକୁ ଚଢ଼େଇଟିଏ ବୋଲି କହି ତା’ର ଇହଜୀବନସ୍ଥ ଏହି ଦେହଟିକୁ ଏକ ନୀଡ଼ ବୋଲି କୁହାଯାଏ, ତେବେ ନୀଡ଼ଟି ଅପାରୁଆ ହୋଇ ପଡ଼ିଲେ ସିଏ ତାକୁ ତୁଚ୍ଛା ଗୋଟାଏ ମିଛ ମାୟା ବୋଲି ଫତୁଆ ଦେଇ ଛି’ କରି ପଳାଇଯିବବି କିପରି ? ବାବୁ, ଅନ୍ତତଃ ମୋ’ ନିଜ ଜୀବନର ଏକ ସବାଆଗର ସତକଥା ହେଉଛି ଯେ, ଆଗ ଏହି ନୀଡ଼ଟିର, ଗୋଟିଏ ନୀଡ଼ର ନିଦା ନିର୍ଭର ପାଇଲି ବୋଲି ସିନା ମୁଁ ସେହି ଭୂମିଟିକୁ ଭରସା କରି ସେଇଠୁ ଥାଇ ଏକ ବିଶ୍ଵନୀଡ଼ର ମଧ୍ୟ କଳ୍ପନା କରିପାରିଲି ।

 

୨ । ୩ । ୨୦୦୭

 

ଗୋଟିଏ ଖାସ୍ ଅପବାଦ ଅନୁସାରେ ସବୁ ମଣିଷଙ୍କ ଭିତରେ କୁଆଡ଼େ ଏକାବେଳେକେ ଦୁଇଟା ସଇସ ବସି ସେମାନଙ୍କୁ ଘୋଡ଼ା ପରି ବ୍ୟବହାର କରୁଥାନ୍ତି । ଯଦି ସିଏ ଗୋଟାକୁ ଅସଲ ବୋଲି ଗ୍ରହଣ କରି ନେଇଥାଏ ତେବେ ଆରଟି ତା’ର ଦୋସର ଭଳି କାର୍ଯ୍ୟ କରେ । ଇଏ ଘୋଡ଼ା ହୋଇଥିଲେ ସିଏ ସଇସ ଏବଂ ସିଏ ଘୋଡ଼ା ହୋଇଥିବାବେଳେ ଇଏ ସଇସ । ଯେଉଁଟିକୁ ସିଏ ତଥାପି ଆପଣାକୁ ସତେଅବା କୌଣସି ମର୍ଯ୍ୟାଦାବନ୍ତ ପରିଚୟ ଦେବାର ଅଭିପ୍ରାୟରେ ଅସଲଟି ବୋଲି କହେ,–ମୁଖ୍ୟତଃ ସେ ତାହାରଦ୍ୱାରା ପରିଚାଳିତ ହେଉଛି ବୋଲି ସୂଚିତ କରାଇପାରିବାର ଉଦ୍ଦେଶ୍ୟରେ ପ୍ରକୃତରେ କେତେ ଶ୍ରମ ମଧ୍ୟ ନକରେ ! ଏବଂ, ଆଉଗୋଟିଏ ଅଧିକ ମଜାର ବିଷୟ ହେଉଛି ଯେ, ସିଏ ତାକୁ ନିଜର ଅନ୍ଦାଜ ଏବଂ ଏକ ଚଳନ୍ତି ବାସ୍ତବତାର ମାପଗାରଟି ଭିତରେ ଦେଖା ଯାଉଥିବା ସମାଜ, ସଂସ୍କୃତି ତଥା ଅଭ୍ୟସ୍ତ ଚଳଣିମାନେ ମଧ୍ୟ ତା’ର ସେହି ଅସଲଟିକୁ ଏକ ଚମତ୍କାର ବ୍ୟାକରଣ ଦେଇ ବେଶ୍ ଏକ ମଣ୍ଡନ ମଧ୍ୟରେ ଖୁବ୍ ଗଚ୍ଛାଇବି ରଖିଥାଆନ୍ତି ।

 

ସେହି ଦୋସରଟି ସହିତ ଲଢ଼ାଇ କରି ବୀରପଣ ଦେଖାଇବା ନିମନ୍ତେ ମୁଁ ମୋଟେ କେବେହେଲେ ଆଗ୍ରହ ପ୍ରକାଶ କରିନାହିଁ । ସେହି ଦୋସରକୁ ସୋଦରବତ୍ ଗ୍ରହଣ କରିନେଇହିଁ ମୁଁ ସର୍ବଦା ଉଚିତ ସକଳ ସମାଧାନଗୁଡ଼ିକୁ ପାଇଯାଇଛି । ଏବଂ ତଦ୍ଦ୍ୱାରା ନିଜ ଭିତରେ ବହୁ ବହୁ ଯୁଦ୍ଧ ଲଢ଼ିବାର ପ୍ରମାଦ ଇତ୍ୟାଦିରୁ ରକ୍ଷା ପାଇ ପାରିଛି । ବାହାରେ ଏହି ବୃହତ୍ତର ସଂଲଗ୍ନକାରୀ ସକଳ ସମ୍ବନ୍ଧିତତାର କ୍ଷେତ୍ରରେ ମଧ୍ୟ କ’ଣ ସେଇଥିସକାଶେ ମୋତେ କମ୍ ଅଭୟ ମିଳି ପାରିଛି ! ମୋ’ ଭିତରେ ରହି ସେହି ଦୋସରଟା ଯେ ମୋ’ ସହିତ ମୁଁ ଇଚ୍ଛା କରୁକରୁ ସହମତି ହୋଇଯିବ, ମୁଁ କେବେହେଲେ ସେପରି କୌଣସି ଆଣ୍ଟ କରିନାହିଁ ଏବଂ, ବାହାରେ ମଧ୍ୟ ସମସ୍ତେ ମୋ’ ସହିତ ଠିକ୍ କରି ରାଜୀଟାଏ ହୋଇଯିବେ, ଏଭଳି କୌଣସି ଅନମନୀୟତାକୁ ଅତିକ୍ରମ କରିବାରେ ମୋତେ ଖୁବ୍ ସମ୍ଭବ ସେଇଥିରୁହିଁ ପ୍ରଭୂତ ବଳ ମିଳି ପାରିଛି । ଏବେ ମଧ୍ୟ ମିଳୁଛି ।

 

୮ । ୩ । ୨୦୦୭

 

ଆମେ ସେମାନଙ୍କଠାରୁ ସଫା । ଅର୍ଥାତ୍ ସେମାନେ ହେଉଛନ୍ତି ମଇଳା । ସେମାନେ ମଇଳା, ତେଣୁ ଆମେ ସଫା । ଏହିପରି ସଫା ବୋଲାଇ ବୁଲୁଥିବା ସାହେବମାନଙ୍କର କେତେ ନା କେତେ ଛଇଛଇକା ଶୈଳୀରୁ ଏହି ଦେଶନାମକ ସହଜୀବନର ଅସ୍ଥିଟି ବିଷୟରେ ହୁଏତ ପ୍ରାୟ ଦୁନିଆଗୋଟାକରବି ସୂଚନା ମିଳି ଯାଇଥାଏ । ସବୁଗୁଡ଼ାକ ଏଠି ପୂରାପଣେ ବାହାରଗୁଡ଼ାକୁ ସଜାଇ ଭିତରଟାକୁ ଲୁଚାଇ ରଖିବାର ଚେଷ୍ଟା କରୁଛନ୍ତି କି ?

 

ପ୍ରତ୍ୟେକ ମୁହୂର୍ତ୍ତରେହିଁ ଆମ ସମସ୍ତଙ୍କର ଜୀବନରେ ବହୁ ପ୍ରୟୋଜନ ଅବଶ୍ୟ ରହିଛି । ମାତ୍ର, କେତେ ମନୁଷ୍ୟ ଆପଣା ଭିତରେ ସତକୁସତ କ’ଣ ସବୁ ଲୁଚାଇ ରଖିବାର ଏକ ଅହେତୁକ ଆକୁଳତାରେ ଘରେ ଓ ବାହାରେ ସର୍ବବିଧ ସଂସ୍ରବ ଏବଂ ସମ୍ବନ୍ଧରେ ତୁଚ୍ଛା ବସ୍ତୁଗୁଡ଼ିକରହିଁ ପ୍ରଦର୍ଶନ କରିବାରେହିଁ ସଦାଧାବମାନ ଏବଂ ସଦାସାଧନାରତ ହୋଇ ରହିଥାନ୍ତି, ନ୍ୟାୟତଃ ସେହିମାନଙ୍କୁ ବସ୍ତୁବାଦୀ ବୋଲି କୁହାଯିବା ଉଚିତ । ଅର୍ଥାତ୍, ବସ୍ତୁବାଦ ବସ୍ତୁର କାରଣରୁ ନୁହେଁ, ମାତ୍ର ଅତ୍ୟନ୍ତ ହୀନମାନ ଭାବରେ ଯଥାସମ୍ଭବ ଏହି ବସ୍ତୁମାନଙ୍କୁ ଦେଇ ନିଜକୁ ଢାଙ୍କି ରଖିବାର ଏକ ଅତ୍ୟନ୍ତ ଦୟନୀୟ କାରଣରୁ । ଏହି ବିଶେଷମାନେ ନିଜ ଭିତରେ ତେଣେ କ’ଣ ଗୋଟିଏ ଦୋସରକୁ ଭାରି ଭୟ କରୁଥାଆନ୍ତି କି ? ଅର୍ଥାତ୍, ଯାବତୀୟ ବସ୍ତୁବାଦିତା ପଛରେ ସତେ ଯେପରି ବ୍ୟାଧିବତ୍ ଏକ କାତରତା ରହିଥାଏ, ଯାହାକି ଏକ ବସ୍ତୁବାଦର ମୋଟା ଖୋଳଟା ଉପରୁ ଖସିପଡ଼ିଲେ ସତେଅବା କ’ଣ କେଉଁଠାରେ ଆମର ଅସଲ ଫନ୍ଦାଗୁଡ଼ାକ ଧରା ପଡ଼ିଯିବ ବୋଲି ଗୋଟିଏ ସଦାହାସ୍ୟାସ୍ପଦ ପ୍ରୟାସ । ଆମର ଏହି ପୃଥିବୀ ଲାଗି ଏକ ସୌଭାଗ୍ୟର କଥା ଯେ ସେହି ଆତ୍ମଦରିଦ୍ରମାନଙ୍କର ସଂଖ୍ୟା ପ୍ରାୟ ସବୁଯୁଗରେ ଅଳପ ହୋଇ ରହିଥାଏ । ତେଣୁ, ବେଳ ଆସିଲେ ପୃଥିବୀର ଅସଲ ଆତ୍ମାଟି କଡ଼ ବଦଳାଇବାରେ ଆଦୌ କଷ୍ଟ ବୋଲି ମନ କରେନାହିଁ ।

 

୧୭ । ୩ । ୨୦୦୭

 

ମୁଁ ସତରେ କେଡ଼େ ଭାଗ୍ୟବାନ ଯେ, ଏପାଖରୁ ଆଖିଟାଏ ପାଇଛି ଏବଂ ସେପାଖରୁ ଶକ୍ତି । ଶକ୍ତି ପାଇବାଦ୍ୱାରା ଆଖି ପାଇଛି ନା ଆଖି ପାଇବାଦ୍ୱାରା ଶକ୍ତି ପାଇଛି, ସେହି କଥାଟିକୁ ମୁଁ କିପରି ବା ହିସାବ କରି କହି ପାରିବି ? ହିସାବ କରି ବସିଲେ ହୁଏତ ଦୁଇଟିଯାକ ପାଖରେ ବେକୁବ୍‍ହିଁ ହେବି । ନିଜ ପାଖରେବି କ’ଣ କମ୍ ବେକୁବ୍ ହେବି ? ଏବଂ, ସେହି ଅତିବୁଦ୍ଧିଟାରେ ପଡ଼ି ବସ୍ତୁତଃ ଆଖି ଏବଂ ଶକ୍ତି ଉଭୟଙ୍କୁ ହରାଇ ବସିବି । କୌଣସି ଗୋଟିକର ଭାଜନ ହୋଇ ପାରିବିନାହିଁ ।

 

କାହାର ଆଶୀର୍ବାଦ ହେତୁ ଏହି ଆଖି ସତକୁସତ ମୋତେ ବାହାରଟାକୁ ଅଧିକରୁ ଅଧିକ ଦେଖିବାରେ ସମର୍ଥ କରି ନେବାର ପ୍ରକ୍ରିୟାରେ ଭିତରେ ମଧ୍ୟ ଅଧିକରୁ ଅଧିକ ଛୁଇଁ ପାରିବାର ଭାଜନ କରି ଆଣିଛି ଏବଂ ଭିତରେ ଛୁଇଁ ପାରିବାର ଭାଜନ ହେବା ସହିତ ମୁଁ ବାହାରେ ମଧ୍ୟ ଅଧିକ ଦେଖି ପାରିଛି । ହଁ, ବାହାରଟାକୁ ମଧ୍ୟ ଅଧିକ ଛୁଇଁ ପାରିବାକୁ ସମର୍ଥ ହୋଇଛି । ଯିଏ ଆଖି ଦିଏ, ସେଇ ମଧ୍ୟ ଏହି ଯାବତୀୟ ଶକ୍ତିର ଭାଜନ କରାଇ ନେଉଥାଏ କି ? ପୁନଶ୍ଚ, ଯିଏ ଶକ୍ତି ଦିଏ, ସେହି ମୋ’ର ଏହି ଏତିକି ଆଖିକୁ କେତେ ନା କେତେ ବିଶ୍ୱାସ ଓ ସାହସ ସହିତ ଆହୁରି କେତେକଅଣର ଆବିଷ୍କାର ଏବଂ ପରିଚୟ ନିମନ୍ତେ ପ୍ରସ୍ତୁତବି କରାଇ ନେଉଥାଏ କି ? ନିଜର ଜୀବନକୁ ଏହିପରି ସକଳାଙ୍ଗ ଓ ସ୍ୱାଭାବିକ ଭାବରେ ବଞ୍ଚିବା,–ଅର୍ଥାତ୍‌ ଏହି ଆଖି ଏବଂ ଏହି ଶକ୍ତିକୁ ଗୋଟିଏ ସୌହାର୍ଦ୍ଦ୍ୟର ମଣ୍ଡଳ ମଧ୍ୟରେ ବଞ୍ଚିବା । ତେଣୁ, ଏହି ଶକ୍ତିମାନେ ମୋତେ ମିଳିଛନ୍ତି ବୋଲି କହିବାକୁ କହିବାପାଇଁ ଆଦୌ କୌଣସି ଫୁରୁସତ୍ ନଥାଏ । ମୋ’ର ଏହି ଆଖିମାନେ ମଧ୍ୟ ସତେଅବା ତାଙ୍କରି ଆଖିରେ ପରିଣତ ହୋଇ ଯାଇଛନ୍ତି । ତାହାର ଗୋଟିଏ ଅନ୍ୟ ନାମ ହେଉଛି ଆପଣାକୁ ଏକ ସହଜ ନିମିତ୍ତରୂପେ ପରିଣତ କରି ନେଉଥିବା । ମୁଁ ଏକାଧିକ ଅର୍ଥରେ ଏକ ଭୂମିରେ ପରିଣତ ହୋଇଯାଏ ଏବଂ ସିଏ ସତେଅବା ଜଣେ ମାଳିର ଆଖି ଏବଂ ଶକ୍ତି ଦେଇ ଅଥବା ମାଳିର ଶକ୍ତି ଓ ଆଖି ଦେଇ କ’ଣ ସବୁ ମନାସପୂରଣ କରିନେବାରେ ଲାଗିଥାନ୍ତି । ଅର୍ଥାତ୍, ମୁଁ ଗୋଟିଏ ଆୟୁଧରୂପେ କେଡ଼େ ଖୁସୀ ହୋଇ ତାଙ୍କର ହାତରେହିଁ ଶୋଭା ପାଉଥାଏ ।

 

୨୨ । ୩ । ୨୦୦୭

 

ମୋ’ର ସାଙ୍ଗ ଜଣେ ତାଙ୍କର ଭାବମୟତା ମଧ୍ୟରୁ ସଜାଡ଼ି ଏବଂ ସାଉଁଟି ଆଣିଥିବା କବିତା କେତୋଟିକୁ ଏକତ୍ର ଗୁନ୍ଥି ଏବେ ବହିଟିଏ ବାହାର କରିଛନ୍ତି । ଡଗଡ଼ଗ କରି ବେଶ୍ ପଢ଼ି ହେଉଛି । ପଢ଼ୁ ପଢ଼ୁ ଶେଷ ଆଡ଼କୁ ମୁଁ ଏପରି ଧାଡ଼ିଟିଏ ପାଇଲି, ଯାହାକି ମୋତେ ସତେଅବା ତାଙ୍କ ପାଖରେ ବେଶ୍ କେତେକ୍ଷଣ ନେଇ ଅଟକାଇ ଦେବାପରି ମନେ ହୋଇଥିଲା । ମୁଁ ପରବର୍ତ୍ତୀ କବିତାଗୁଡ଼ିକୁ ନିଶ୍ଚୟ ପଢ଼ିଲି । ତଥାପି, ଏବେ ମଧ୍ୟ ସେଇଠି ରହି ଯାଇଥିବା ପରିହିଁ ଲାଗୁଛି । ଅସଲ ଜଣେ କବି ପାଖରେ ଅଟକି ଯିବାର ଏହି ଯେଉଁ ସଚରାଚର ଅନୁଭବ କରିବାର ରୀତିଟି ମୁତାବକ ନିଜପାଖରେ ମଧ୍ୟ ସୌଭାଗ୍ୟ ହେତୁ ଅଟକି ଯିବାର ଏକ ଅଙ୍ଗେନିଭା ମୁହୂର୍ତ୍ତକୁ ପ୍ରକୃତରେ ଆହୁରି ଅଧିକ କତିରୁ ଘ୍ରାଣ କରିବା ମଧ୍ୟ ସମ୍ଭବ ହୋଇଯାଏ କି ?

 

ହଁ,–‘ପୁଣି ପାଣି ଚବଚବ କଲି’,–କବିତାର ସେହି ଧାଡ଼ିଟି । ଏବଂ, କେବଳ ଜଣେ ମନୁଷ୍ୟହିଁ ତାହା କରିପାରେ । ଥିର ପାଣିକୁ ହଜାରେ ଆକଟ ସତ୍ତ୍ୱେ ଚବଚବ କରେ । ହଟି ଆସୁଥାଏ, ହାରି ଯାଉଥାଏ, ତଥାପି ଧାଇଁ ଆସେ ଓ ପୁଣି ଚବଚବ କରେ । ସତେଅବା ଆପଣାର ଏକ ଅସଲ ଧର୍ମର ପାଳନ କରୁଥାଏ । ଏକ ଅନୁକ୍ଷଣ aspire କରୁଥିବା god,–ହୁଏତ ତାହାହିଁ ଜଣେ ମନୁଷ୍ୟର ସର୍ବଶ୍ରେଷ୍ଠ ଅର୍ଥାତ୍ ସତ୍ୟତମ ସଂଜ୍ଞା କି ? ଯେତେବେଳେ କ’ଣ ସବୁ କାରଣରୁ ଜଣେ ମନୁଷ୍ୟ ସେପରି କରିପାରେନାହିଁ, ହୁଏତ ସେତିକିବେଳେ ଗୁଳାଟିଏ ଆଦରିନିଏ, ପିତୁଳାମାନଙ୍କୁ ଲୋଡ଼େ । ଗୁରୁଟିଏ ପାଇଛି ବୋଲି ଭାଗ କରି କେଡ଼େ ନିଉଛୁଣା ଭାବରେ ଅଟକି ଯାଇଥାଏ । ମୋଟେ ଥିର ପାଣିକୁ ହଲାଇବା ନିମନ୍ତେ ମନ କରେନାହିଁ । କଳ୍ପନାର ଧର୍ମଗୁଡ଼ିକୁ ଛାଞ୍ଚ ଭିତରେ ବାଧ୍ୟ କରି ରଖି ହୁଏତ କେତେକଅଣ ସିନା କରୁଥାଏ, ମାତ୍ର ମୋଟେ ପାଣି ଚବଚବ କରେନାହିଁ । ଭଲ ଭଲ ମଣିଷଙ୍କର ଆକଟ ଦେଇ କେତେକଅଣ ସମ୍ଭାବନାକୁ ଅଟକାଇ ରଖିଥାଏ-। ଏବଂ, ତୁଚ୍ଛା ମାଦଳଟାଏ ହୋଇଯାଏ । ତେଣିକି ତୁଚ୍ଛା ଗୋଟାଏ ଭୀରୁହିଁ ତା’ ଜୀବନ ଭିତରକୁ ପଶି ଆସି ମାଲିକ ହୋଇ ବସେ । ବାହାରର ଏହି ଭଳିଭଳି gods କେତେ କେତେ ସନ୍ତର୍ପଣ ସହିତ ଅବଶ୍ୟ ପୂଜା ପାଉଥାନ୍ତି, କିନ୍ତୁ ଭିତରର godଟି ଉପବାସୀ ହୋଇ ରହିଥାଏ-

 

୨୯ । ୩ । ୨୦୦୭

 

ଭକ୍ତି ରାମଙ୍କ ପ୍ରତି, ରାମଙ୍କ ନାମରେ ନିର୍ମାଣ କରାଯାଇଥିବା ମନ୍ଦିର ପ୍ରତି ଆଦୌ ନୁହେଁ । ତେଣୁ, ସେହି ଖାସ୍ ମନ୍ଦିରଟିକୁ ଗଲେ ଯାଇ ଏକ ନିର୍ଦ୍ଦିଷ୍ଟ ଅନୁକୂଳତା ଅବଶ୍ୟ ସୃଷ୍ଟି ହେବ ଓ ତେବେଯାଇ ମୋ’ ଭିତରେ ରାମଭକ୍ତିର ଉଦ୍ରେକ ହେବ, ଏପରି କଥାଟିଏ ଉପରେ ଆମେ ଏତେ ଗୁରୁତ୍ୱ କ’ଣ ପାଇଁ ଦେବା ? ପୁନଶ୍ଚ ଯଦି ମୁଁ ସତକୁସତ ରାମଭକ୍ତିର ଉଦ୍ରେକ ଲାଗି ରାମମନ୍ଦିର ଯିବାକୁ ଅପରିହାର୍ଯ୍ୟ ବୋଲି ବିଚାର କରୁଥାଏ, ତେବେ ରାମଙ୍କ ଅପେକ୍ଷା ସେହି ମନ୍ଦିରଟିକୁହିଁ ମୁଁ ଅଧିକ ମହତ୍ତ୍ୱ ପ୍ରଦାନ କରୁଛି ବୋଲି ମଧ୍ୟ କାହିଁକି ଏକ ଅନୁମାନ ମଧ୍ୟ କରାଯିବନାହିଁ ?

 

ବେଳେବେଳେ ମୁଁ କ’ଣ ପାଇଁ ଏପରି ମଧ୍ୟ ଭାବେ ଯେ, ରାମଭକ୍ତି, କୃଷ୍ଣଭକ୍ତି, ଦେବୀଙ୍କ ଲାଗି ଭକ୍ତି,–ଏହି ସବୁକିଛି ପରସ୍ପରଠାରୁ କ’ଣ ପ୍ରକୃତରେ ଏତେ ଫରକ ? ବରଂ, ସମ୍ଭବତଃ ତାହାର ଓଲଟାଟାହିଁ ଅଧିକ ଠିକ୍ ଯେ, ରାମଭକ୍ତି, କୃଷ୍ଣଭକ୍ତି ଇତ୍ୟାଦି ମୋତେ ମୂଳତଃ ସତେଅବା ମୋ’ ହାତଟିକୁ ଧରି ଭକ୍ତିର ଏପରି ଏକ ଥଳକୁ ପରିଚାଳିତ କରି ନେଇଯିବେ, ଯେଉଁଠାରେ କି ସେଗୁଡ଼ିକ ମଧ୍ୟରେ ରହିଥିବା ଲୌକିକ ଭେଦଗୁଡ଼ିକ ମୋ’ର ସମ୍ପୂର୍ଣ୍ଣ ପାସୋରହିଁ ହୋଇଯିବ । ସେହିଭଳି ଗୋଟିଏ ପାବଚ୍ଛର ଯୋଗ୍ୟ ହେଲେ ରାମ, କୃଷ୍ଣ ଅଥବା ଆଉ କାହାରି ମଧ୍ୟ ମୋଟେ କୌଣସି ଖେଦହିଁ ହେବନାହିଁ । ଏବଂ, ତଦ୍ଦ୍ୱାରା ମୁଁ ମଧ୍ୟ ତରିଯିବି ଓ ଏକ ଗୁହାମୁକ୍ତିର ସହଜତା ଅନୁଭବ କରିବା ଲାଗି ସମର୍ଥ ହୋଇ ଆସିବି । ପୃଥିବୀର ଯେଉଁଠାରେ ରହିଥିଲେ ମଧ୍ୟ ନିଜକୁ ବହୁ ସମ୍ପଦର ଅଧିକାରୀ ହୋଇଥିବା ଜଣେ ଭକ୍ତ ଭଳି ଅନୁଭବ କରି ପାରିବି । ତେଣୁ, ମନ୍ଦିର ରହୁ, ଗିର୍ଜା ଏବଂ ମସଜିଦ ସମସ୍ତେ ଅବଶ୍ୟ ରହିଥାନ୍ତୁ ପଛକେ, ମାତ୍ର ସବାଆଗ ଭକ୍ତମାନେହିଁ ରହିଥାଆନ୍ତୁ । ଯେଉଁଟିକୁ ଅନାଇଦେବାମାତ୍ରକେ ପୃଥିବୀଯାକର ଏମାନେ ସମସ୍ତେ ତଥା ସେମାନଙ୍କର ଭକ୍ତମାନେ ମୋ’ର କେଡ଼େ ନିକଟବର୍ତ୍ତୀ ହୋଇ ରହିଥିବା ପରି ମୋତେ ଲାଗୁ । ପୃଥିବୀ ପୂରି ରହିଥାଉ ।

 

୧୦ । ୪ । ୨୦୦୭

 

କୁମ୍ଭାର ଆଉ ମାଟି । ମାଟିଟା ଜଡ଼, ତୁଚ୍ଛା ଜଡ଼ । ସେହି ମାଟିରୁ ଜଣେ କୁମ୍ଭାର ଭଳିକୁ ଭଳି କେତେ ଦ୍ରବ୍ୟକୁ ସମ୍ଭବ କରି ନଆଣେ ! ଅନେକ ସମୟରେ ଶିକ୍ଷାଦାନର କ୍ଷେତ୍ରମାନଙ୍କରେ ମଧ୍ୟ ସେହି ଉପମାଟିର ପ୍ରୟୋଗ କରି କେତେ ନା କେତେ ଉତ୍ସାହ ପ୍ରକଟ କରୁଥାନ୍ତି । ଛାତ୍ରଟି ମାଟି, ଶିକ୍ଷକ ହେଉଛି କୁମ୍ଭାର । ଜଣେ ବିଚକ୍ଷଣ ଓ ସମର୍ଥ ଶିକ୍ଷକ ମାଟିରୂପକ ତା’ର ଛାତ୍ରଟିକୁ କ’ଣ ସବୁ ଆକାର ଦେଇ ତିଆରି କରିପାରେ । ଜଡ଼କୁ ପ୍ରାଣବନ୍ତ କରେ । ସେହି ସେକାଳରୁ ଗୁରୁବାଦୀ ଶିକ୍ଷାଦର୍ଶନମାନଙ୍କରେ ଏହି ଭାବନାର ଚେରମାନେ ମାଡ଼ି ରହିଥିବାର ବେଶ୍ ଅନୁମାନ କରାଯାଇପାରେ ।

 

ପିଲାଟି କ’ଣ ସତକୁସତ ତୁଚ୍ଛା ପିଣ୍ଡୁଳାଏ ମାଟି ଏବଂ ଜଣେ ଶିକ୍ଷକ ଜଣେ ସେହି କାଟର କୁମ୍ଭାର, ଯିଏକି ସେହି ମାଟିକୁ ମନ ମୁତାବକ ଗୋଟିଏ ଛାଞ୍ଚରେ ପକାଇ ତଦନୁରୂପ କିଛି ପ୍ରକୃତରେ ଗଢ଼ିବି ଦେଇପାରେ ? ଜଣେ ପିଲାର ବିଶ୍ୱାସଭାଜନ ନହେଲେ କୋଉ ଶିକ୍ଷକ ବସ୍ତୁତଃ କ’ଣ ବା କରି ପାରିବ ? ତେଣୁ, ମାଟି ଭିତରେ କୋଉଠି କୁମ୍ଭାରଟି ମଧ୍ୟ ରହିଥାଏ, ଯାହାକୁ ଜଣେ ଶିକ୍ଷକ ଉଦ୍‌ବୋଧିତ କରି ଆଣିପାରିଲେ ସିନା ଯାହାକିଛି ସମ୍ଭବ ହୁଏ । ଏକ ପୂର୍ଣ୍ଣ ଆତ୍ମୀୟତା ସହିତ ମାଟିଟି ସହିତ ମିତ୍ରତା ସ୍ଥାପନ କରି ପାରିଲେ ଯାଇ ସେହି ମାଟିଟି ସଚଳ ହୋଇଆସେ । ତା’ପରେ ପ୍ରକୃତରେ ବହୁତ କିଛି ସମ୍ଭବ ହୁଏ । ମାଟି ଭିତରେ ରହିଥିବା ବହୁ ସମ୍ଭାବନାର ସ୍ୱପ୍ନୋଚ୍ଛଳ ସତ୍ୟଟିକୁହିଁ ଜଣେ କୁମ୍ଭାର ରଜସ୍ୱଳା କରି ଆଣିଥାଏ । ମାଟିଟାର ନିଦ ଭାଙ୍ଗିଗଲେ ସିଏ ମଧ୍ୟ ନିଜକୁ ଆଉ ତୁଚ୍ଛା ମାଟି ବୋଲି ବିଚାର କରିବାର ଦାରିଦ୍ର୍ୟ ଭିତରେ ପଡ଼ି ରହିବାକୁ କାହିଁକି ବା ମନ କରିବ ? ଏବଂ, ଯେଉଁ କୁମ୍ଭାର ମାଟିକୁ ତୁଚ୍ଛା ମାଟି ବୋଲି ବିଚାର କରୁଥିବ, ସିଏ ମଧ୍ୟ ସେହି ମାଟି ଭିତରେ ମୋଟେ କୌଣସି ସ୍ୱପ୍ନର ଉପସ୍ଥିତିକୁ ଆଦୌ ଅନୁଭବ କରି ପାରିବ କି-?

 

୧୬ । ୪ । ୨୦୦୭

 

ସାହିତ୍ୟ ନୀଡ଼ ଦେଖେ, ନିଦାନ କହେ । ଜଣେ ପାଠକକୁ ତା’ର ପ୍ରାୟ ଅଜାଣତରେହିଁ ବିଶ୍ୱମୁଖୀ କରାଇ ନେଉଥାଏ । ଏବଂ, ବିଶ୍ୱମୁଖୀ ନହେଲେ ଆମେ ମନୁଷ୍ୟମାନେ ପୁଣି କିପରି ଆଦୌ ଆତ୍ମମୁଖୀବି ହୋଇ ପାରୁଥାଆନ୍ତୁ ! ଅର୍ଥାତ୍, ଯେକୌଣସି ଅର୍ଥରେ ମଧ୍ୟ, ଆତ୍ମମୁଖୀ ହେବାର ସେହି ସାମର୍ଥ୍ୟଟି ତ ଆମକୁ ନିଜନିଜର ନାଡ଼ିଗୁଡ଼ିକୁ ଦେଖିବାରେ ସମର୍ଥ ମଧ୍ୟ କରିନିଏ । ନିଦାନଗୁଡ଼ିକୁବି କହିପାରେ । ସାହିତ୍ୟର ସତ ପାଠକମାନେ ସେହି କଥାଟିକୁ ନିଶ୍ଚୟ ସ୍ୱୀକାର କରିବେ ।

 

ମୁଁ ସେଇଥିପାଇଁ ଭାବେ, ସାହିତ୍ୟ ଲେଖକମାନେ ଏପରି ପ୍ରାୟ କ’ଣସବୁ ଭାବି ଅନେକ ସମୟରେ ଆପଣାର ଲେଖାଗୁଡ଼ିକରେ ନିଜକୁ ଲୁଚାଇ ରଖିବା ନିମନ୍ତେ କାହିଁକି ଏତେ ଚେଷ୍ଟା କରନ୍ତି । ତଦ୍ଦ୍ୱାରା ବିଚରା ସେଇମାନେହିଁ ବରଂ ଭାରି ଭେସରା ଭାବରେ ଧରା ପଡ଼ିଯାଆନ୍ତି-। ସତ ଶ୍ରଦ୍ଧା ରହିଥିବା ଜଣେ ପାଠକ କେଡ଼େ ଚଞ୍ଚଳ ଧରିବି ନେଇପାରେ ଯେ, ନିଜର ଲେଖାଟିକୁ ମାଧ୍ୟମ କରି ଲେଖକ ଆପଣାକୁ ଲୁଚାଇ ରଖିବା ନିମନ୍ତେହିଁ ଗୁଡ଼ାଏ ଇଚ୍ଛା କରୁଛନ୍ତି । ହଁ, ନିଜର ଲେଖାକୁ ଆଶ୍ରୟ କରି ଯେଉଁ ଲେଖକ ଆପଣାକୁ ଲୁଚାଇ ରଖିବାଲାଗି ଚେଷ୍ଟା କରେ ଏବଂ ସେହି କାର୍ଯ୍ୟଟିକୁ ବେଶ୍ କରୁଥିବାରୁ ଖୁବ୍ ଲାଭବି ଉଠାଉଥିବା ପରି ଅନୁଭବ କରେ, ସିଏ ଜଣେ ପାଠକକୁ ତା’ ନିଜର ନାଡ଼ିଗୁଡ଼ିକୁ ଦେଖି ନିଜର ନିଦାନଗୁଡ଼ିକୁ ଠଉରାଇ ପାରିବାରେ ଆଦୌ କୌଣସି ସାହାଯ୍ୟ କରେନାହିଁ । ଏବେ ସାହିତ୍ୟ ଖୁବ୍ ବଢ଼ୁଛି ସତ, ମାତ୍ର ସେହିଭଳି ଏକ ଅଘଟଣ ଘଟୁଥିବାରୁ ସେହି ପାଠକୀୟ ଆତ୍ମ–ଆବିଷ୍କାରଟି ସମ୍ଭବ ହୋଇ ପାରୁନାହିଁ । ଏବଂ, ସମ୍ଭବତଃ ସେହିଭଳି କୌଣସି ଦୁଃଖରେ ପଡ଼ି ଆମ ସାହିତ୍ୟ ମଧ୍ୟ ଆମର ମନୋରଞ୍ଜନ ସକାଶେ କାମରେ ଲାଗିବା ଉଚିତ ବୋଲି ସମ୍ପ୍ରତି ସମ୍ପୃକ୍ତ ବଜାରମାନଙ୍କରେ ଗୋଟାଏ ଭାରି ହୋ’ ଉଠିବାକୁ ମଧ୍ୟ ଆରମ୍ଭ କଲାଣି ।

 

୨୫ । ୪ । ୨୦୦୭

 

ଅନାସକ୍ତ ନୁହେଁ, ଆସକ୍ତିମୁକ୍ତ । ଏକ ଆହୁରି ଅଧିକ ଅଙ୍ଗେନିଭା ଭାଷାରେ କହିଲେ, ଆସକ୍ତିର ଉତ୍ତୋଳନ । ଏବଂ, ଅସଲ ଆଧ୍ୟାତ୍ମିକ ଆବେଦନଟି ଅନୁସାରେ ଉତ୍ତୋଳନ ହେଉଛି ସତକୁସତ ଏକ ସଂପ୍ରସାରଣ । ଏକ ଉତ୍ତୋଳନ ଘଟି ପାରିବାକୁ ହେଲେ କେଉଁଠି ଯେ ତଳଟିକୁ, ଭୂଇଁଟିକୁ ଛାଡ଼ି ଚାଲିଯିବାକୁ ହୋଇଥାଏ, ଆଦୌ କୌଣସି ଯଥାର୍ଥ ଉତ୍ତୋଳନ ଅଥବା ସଂପ୍ରସାରଣ ଘଟାଇ ପାରିଥିବା ମନୁଷ୍ୟମାନେ ସେକଥା ଆଦୌ କହି ପାରିବେନାହିଁ । ସେହି ମନ୍ତବ୍ୟଟିକୁ ହୁଏତ ବଡ଼ ବିଚିତ୍ର, ବୋଲି ମଣିବେ ।

 

ଏକ ଆସକ୍ତି ଉତ୍ତୋଳିତ ଓ ପ୍ରସାରିତ ହେଲେ ଆସ୍ପୃହାରେ ପରିଣତ ହୋଇଯାଏ । ଏହି ତଥାକଥିତ କାମନାଦ୍ୱାରା ପ୍ରେରିତ ଜୀବନରେ ସତେଅବା ଏକ ରୂପାନ୍ତରୀକରଣର ସହଜ ଖୁସୀଟିଏ ଅନୁଭୂତ ହୋଇଥାଏ । ଏହି ସଂସାରରେ ରହିଥିବା ସନ୍ତାପକାରୀ ନାନା ଆସକ୍ତିରୁ ମୁକ୍ତ ହୋଇ ଯେଉଁମାନେ ସଂସାର ଛାଡ଼ି ବାହାରି ଯିବାର ସେହି ଅନ୍ୟ ବିଶେଷ ଆସକ୍ତିଟି ଆଡ଼କୁ ପ୍ରାୟ ceremoniously ଆକର୍ଷିତ ହୋଇ ଯାଇଥାନ୍ତି ସେମାନେ ଆପଣାର ଆସକ୍ତିଗୁଡ଼ିକୁ ଆସ୍ପୃହାରେ ରୂପାନ୍ତରିତ କରିନେବାରେ ପ୍ରକୃତରେ ଅସମର୍ଥ ହୋଇଥାନ୍ତି କି ? ତେଣୁ, ଏଠା ଆସକ୍ତିରୁ ଯାଇ ସେମାନେ ସେଠା ଆସକ୍ତିଟିର କବଳରେ ଯାଇ ପଡ଼ିଯାଆନ୍ତି । ଏଠା ଆସକ୍ତିଟାହିଁ ହୁଏତ ଗୋଟିଏ ଛଦ୍ମବେଶ ଧାରଣ କରିଥିବାରୁ ସେମାନଙ୍କୁ ସେହି ସେଠା ଆସକ୍ତିଟା ଏକପ୍ରକାରର ଆପତ୍‌ମୁକ୍ତି ପରି ବୋଧ ହେଉଥାଏ କି ? ସମ୍ଭବତଃ ଅସମର୍ଥ ଗୁରୁମାନେହିଁ ନିଜର ଅନୁଗାମୀମାନଙ୍କୁ କେବଳ ସେହି ପର୍ଯ୍ୟନ୍ତ ନେଇଯାଇ ପାରନ୍ତି । ଆମର ଏହି ପୃଥିବୀଟା ସହିତ ସେମାନଙ୍କର ଏକ ଯଥାର୍ଥ ସାକ୍ଷାତକାର ଘଟାଇବାରେ ସେମାନେ ଆଦୌ ସାହାଯ୍ୟ କରି ପାରନ୍ତିନାହିଁ । ହଁ, ଖୁବ୍ ସମ୍ଭବ, ସେମାନେ ଆପଣାର ଭାବସମ୍ଭାବନାଗୁଡ଼ିକର ସୋପାନ କ୍ରମରେ ଆସ୍ପୃହାଗୁଡ଼ିକର ସ୍ତରଟିରେ ଯାଇ ଆଦୌ ପହଞ୍ଚି ପାରି ନଥାନ୍ତି ।

 

୨୮ । ୪ । ୨୦୦୭

 

ଦେହର ଏକ ତଥାକଥିତ ବିଶେଷ ଅଧ୍ୟୟନ କରି ତାକୁ ଖୁବ୍ ନିରୋଳା ଭାବରେ ଜାଣିଥିବା ବିଜ୍ଞାନୀମାନେ ଦେହକୁ ଗୋଟିଏ ଯନ୍ତ୍ର ବୋଲି କହୁଛନ୍ତି । ସେମାନଙ୍କର ଏହି କହିବାରେ ଆଦୌ କୌଣସି ମିଥ୍ୟା ମଧ୍ୟ ନାହିଁ । ଦେହ ଭିତରର ଶ୍ୱାସକ୍ରିୟା ପରିପାଚନ–କ୍ରିୟା, ରକ୍ତ ସଞ୍ଚାଳନର କ୍ରିୟା,–ଏଗୁଡ଼ିକ ତ ଗୋଟିଏ ଗୋଟିଏ ଯନ୍ତ୍ରଦ୍ୱାରାହିଁ ସମ୍ଭବ ହେଉଛି । ଯନ୍ତ୍ର ବିଗିଡ଼ିଗଲେ ଦେହଟାବି ବିଗିଡ଼ି ଯାଉଛି ଏବଂ ଯନ୍ତ୍ରଟାକୁ ସଜାଡ଼ିଦେଇ ପାରିଲେ ପୂରା ଦେହଟା ମଧ୍ୟ ପୁନର୍ବାର ଥଳ ପାଇଯିବା ପରି ଅନୁଭବ ହେଉଛି ।

 

ଦେହ ଗୋଟିଏ ଯନ୍ତ୍ର ଏବଂ ଦେହ ଗୋଟିଏ ନିମିତ୍ତ । ଇଂରାଜୀ ଭାଷାରେ କହିଲେ ଗୋଟିଏ machine ତଥା ଗୋଟିଏ instrument,–ସମ୍ପୂର୍ଣ୍ଣ ଭାବରେ ଏକାବେଳେକେ ଓ ଏକାଧାରରେ । ଦେହ,–ମୋ’ର, ତୁମର ଓ ଆମ ସମସ୍ତଙ୍କର ଦେହ ସତକୁସତ ତେଣୁ କାହାର ନିମିତ୍ତ ? ତେଣୁ, ସବୁ ଦେହ, ଆମ ସମସ୍ତଙ୍କର ଦେହ ଗୋଟିଏ ଗୋଟିଏ ମେସିନ୍ ହୋଇଥିଲେ ମଧ୍ୟ ସବୁ ଦେହ ଜଣେ କାହାରି ନିମିତ୍ତ ଆଦୌ ନୁହେଁ । କ’ଣ ଗୋଟିଏ ମାର୍ଗଟିଏ, ସମ୍ପର୍କଟିଏ ଅଥବା ସଂଲଗ୍ନତାଟିଏ ସହିତ ନିଜ ଜୀବନର ପରିଚୟ–ପ୍ରକ୍ରିୟାରେ ଆଉ କ’ଣଟିଏ ଘଟିପାରିଲେ ଆପଣାର ଏହି ଦେହଟି ଭିତରେ ମଧ୍ୟ ସତେଅବା କିଏ ବନ୍ଧୁଟିଏ ଭଳି ଉପସ୍ଥିତ ଥାଇ ମୋ’ ଦେହର ମେସିନ୍‌ଟାକୁ ଚଳାଉଥିବା ପରି ଖୁବ୍ ଅନୁଭବ ମଧ୍ୟ ହୋଇଥାଏ । ଏବଂ ସେତେବେଳେ ସେହି ମେସିନ୍‌କୁ ଛାର ଗୋଟାଏ ମେସିନ୍ ବୋଲି ବିଚାର କରି ମୋଟେ ଛି’ ବୋଲି କହି ହୁଏନାହିଁ-। ସତେଅବା କୋଉ ବାବୁଘରର ବାଧ୍ୟ ଗୋଲାମଟାଏ ବୋଲି ଲାଗେନାହିଁ । ସେତେବେଳେ ସିଏ ସତେଅବା ଏକ ଅନ୍ୟ ସମଗ୍ରସଂସ୍ଥାନର ମହିମା ମଧ୍ୟକୁ ଉତ୍ତୀର୍ଣ୍ଣ ହୋଇ ଯାଇଥିବା ପରି ବୋଧ ହୁଏ । ସଦାମହଜୁଦ୍‍ ହୋଇ ରହିଥାଏ । ଡାକିଲେ ଅର୍ଥାତ୍ ଦରକାର ପଡ଼ିଲେ ଯାଇ ଯେ ପହଞ୍ଚିଯାଏ, ସେକଥା ନୁହେଁ । ଅନୁକ୍ଷଣ ଥାଏ, ବହୁ ବହୁ ଆସ୍ପୃହାକୁ ନେଇ ଗଠିତ ଏବଂ ସଚଳ ଜୀବନନାମକ ଆମର ଏହି ଘରଟିରେ ସିଏ ସମ୍ପୃକ୍ତ ଆଉମାନଙ୍କ ସହିତ ସାମିଲ ହୋଇ ରହିଥାଏ । ଏକ ପୂର୍ଣ୍ଣ ସଚେତନତାରେ ସହଗାମୀ ଏବଂ ସହଭାଗୀ ହୋଇ ରହିଥାଏ ।

 

୬ । ୫ । ୨୦୦୭

 

ଉପଲବ୍ଧି ଅର୍ଥାତ୍ ଏକ ସମଗ୍ର ପରିଚୟ ଓ ପ୍ରାପ୍ତିର ଅନୁଭବ । ଗୋଟିଏ ପ୍ରକାର ପରିଭାଷାର ସାହାଯ୍ୟ ନେଇ କହିଲେ, ତାହା ଏକ gestalt; ସେଠାରେ ସବାଆଗ ସମ୍ପୂର୍ଣ୍ଣଟିହିଁ ଦିଶେ । ଉପଲବ୍ଧିକୁ କୌଣସି ପ୍ରକାରର ମିଶ୍ରଣ ବୋଲି ମୋଟେ କୁହାଯାଇ ପାରିବନାହିଁ, ଏବଂ ତାହାରି ଭିତରେ ମୁଁ ମଧ୍ୟ ପୂରା ଚିହ୍ନା କ’ଣଟିଏ ପରି ଛିଡ଼ା ହୋଇଥାଏ । ଯାହାକୁ ଚିହ୍ନିଥିଲେ ଅର୍ଥାତ୍, ଯେଉଁଭଳି ଅନୁମାନର କାଠିଗୁଡ଼ିକ ରହିଥିଲେ ଏହି ସମଗ୍ର ଚରାଚରଟାହିଁ ଏକ ସହଜ ସ୍ୱଭାବଚେତନାରେ ଆପଣାର ଘର ପରି ଲାଗୁଥାଏ, ସେହି କ୍ଷେତ୍ରରେ ଆଉ ହାରିଗଲି, ରହିଗଲି ବୋଲି କହିବାର ଆଉ କାହିଁକି କୌଣସି ଦୁର୍ଭାଗ୍ୟ ଭୋଗ କରିବାଲାଗି କିଏ ବାଧ୍ୟ ହେବ ?

 

ଏହି ସନ୍ତକସର୍ବସ୍ୱ ତଥାକଥିତ ଧର୍ମମାନେ କ’ଣ ପାଇଁ ତେଣେ ମନ କରି ପାରିଲେ ନାହିଁ କେଜାଣି ? ସେଯାଏ ନଯାଇ କେତେଟା ସନ୍ତକ ପାଖରେ କ’ଣ ପାଇଁ ଅଟକି ଗଲେ ? କାହିଁକି ଏତେ ଏତେ ଲୋଭନୀୟ ଅନ୍ୟ ପ୍ରତିଶ୍ରୁତିଗୁଡ଼ାଏ ଦ୍ୱାରା ଅଳପମାନଙ୍କ ଭିତରେ ଆମକୁ ଭୂତାଇ ରଖିବାରେ ପୃଥିବୀର ଯେଉଁ ଗୁରୁମାନେ ଆନନ୍ଦ ଲାଭ କରନ୍ତି, ସେମାନେ ପ୍ରକୃତରେ ନିଜଭିତରେ ମଧ୍ୟ କେଉଁଠାରେ ଖଣ୍ଡିଆ ହୋଇ ରହି ଯାଇଥାନ୍ତି କି ? ଭେକମାନେ ଢାଙ୍କି ପକାନ୍ତି ଏବଂ, ଭେକମାନଙ୍କର ମାୟାକୁ କାଟିଲେ ଯାଇ ତ ଆଦୌ କୌଣସି gestaltର ଅନ୍ଦାଜ ସମ୍ଭବ ହୁଏ ! ବନ୍ଧୁ, ଆପଣାର ଏହି ଦେହକୁ ମଧ୍ୟ ତୁମେ କେବେ ଏକ gestaltର ସମ୍ପୂର୍ଣ୍ଣ ପ୍ରସ୍ଥ ଦେଇ ଦେଖିଛ କି ? ଯଦି ଦେଖି ପାରି ନଥିବ, ତେବେ ପ୍ରକୃତରେ ଭାରି କଷ୍ଟ ପାଉଥିବ ।

 

୧୫ । ୫ । ୨୦୦୭

 

ଭିତରଟିକୁ ସ୍ଥିର ରଖିବାକୁ ହେଲେ ଏହି ବାହାରଟି ଲାଗି ରହିଥିବା ଦ୍ୱାରଗୁଡ଼ିକୁ ବନ୍ଦ କରିଦେବାର ଯେଉଁ ଗୁରୁପରାମର୍ଶଟି, ମୁଁ ସେଇଟିକୁ ମୋଟେ ଖୁବ୍‌ବେଶୀ ବୁଝି ପାରିନାହିଁ । ତେଣୁ, ନିଜର ଭିତରଟାକୁ ଯଥାସମ୍ଭବ ଶୂନ୍ୟ କରି ପୁଣି ରଖିହେବ ବା କିପରି ? ଶୂନ୍ୟ ହୋଇ ରହିଥିଲେ ବିଚାରଟିଏ ମଧ୍ୟ କିପରି ସମ୍ଭବ ହେବ ? ପୁନଶ୍ଚ, ଆଉ ସତକୁସତ କ’ଣ ଥିବ ଯେ, ତୁମେ ସେଇଟି ସହିତ ଯାଇ ଯୁକ୍ତ ହେବ ?

 

ତେଣୁ, ନିଜ ଭିତରେ ପୂରା ନିବୁଜ ହୋଇ ରହିବା, ସେଇଟି ବସ୍ତୁତଃ ପ୍ରାୟ ଗୋଟାଏ ଅଣନିଃଶ୍ୱାସୀ ହୋଇଯିବା ଭଳି ସ୍ଥିତିଟିଏ ହୋଇଥିବ । ଯାବତୀୟ ବିଚାର ଆମ ଭିତରୁହିଁ ଜନ୍ମଲାଭ କରିବ ଏବଂ ଏହି ବାହାରଟି ତାହାକୁ ହାତଗୋଡ଼ ଯୋଗାଇଦେବ । ବାହାରଟି ସହିତ ଏକ ଅନ୍ତରଙ୍ଗ ସଦନ ସମ୍ବନ୍ଧରେ ଛନ୍ଦି ହୋଇ ରହି ନଥିଲେ ତେଣେ ମୋ’ ଭିତରେ କିଏ ଏହି ସବୁଯାକ ଦଉଡ଼ିକୁ ଏକତ୍ର କରି ଜଣେ ଜନନୀ ସଦୃଶ ଅବସ୍ଥିତ ରହିଛି ବୋଲି ମୁଁ କିପରି ବା ଅନୁଭବ କରି ପାରିବି ? ନାଇଁ, ନାଇଁ,–ଭିତରଟି ହେଉଛି କେନ୍ଦ୍ର ଏବଂ ବାହାରଟି ତାହାକୁ ଏକ ସଚେତନ ଔଚିତ୍ୟର ବୋଧ ଆଣି ଦେଉଥିବା ପରିଧିଟି । ଅଥବା, ଅସଲ ପରିଧିଟି ମୋଟେ ଗୋଟାଏ ଯାହା ତାହା ଆୟତନର ଯାହା ତାହା ଗୋଟିଏ ସୀମା ମଧ୍ୟ ନୁହେଁ । ଅସଲ ପରିଧି ତ ତାହାକୁ ଏକ ପ୍ରକୃତ ପରିଚିତିର ପ୍ରତିଷ୍ଠା ଆଣି ଦେଉଥିବା ଏକ ବ୍ୟାସାର୍ଦ୍ଧ,–ଏବଂ ବ୍ୟାସାର୍ଦ୍ଧଟି ମଧ୍ୟ ସର୍ବବିଧ ପ୍ରତ୍ୟୟ ସହିତ ସେଇଠି କୋଉଠି କେନ୍ଦ୍ରଟିଏ ରହିଛି ବୋଲି ନିଦା ଭରସାଟିଏ ମଧ୍ୟ ଅବଶ୍ୟ ପ୍ରଦାନ କରୁଥାଏ । କେହି କେନ୍ଦ୍ର ପାଖରେ ତ ଆଉ କେହି ପରିଧି ପାଖରେ ପଡ଼ି ରହିଥାଆନ୍ତି ଏବଂ କୁଆଡ଼େ ହୁଡ଼ି ରକ୍ଷା ପାଇଗଲେ ବୋଲି ଯେଉଁ ପ୍ରମାଦରେ ଅନେକେ ଯାଇ ପଡ଼ିଥାନ୍ତି, ବିଚରା ସେମାନଙ୍କୁ ସାବଧାନ କରିଦେବାର ଅଭିପ୍ରାୟରେ ସତେଅବା ଦୁଇଟି ଅଲଗାଅଲଗା ତତ୍ତ୍ୱରୂପେ ବାହାର ବନାମ ଭିତର ଶୈଳୀରେ ଏଣେ ସେଗୁଡ଼ିକର ଏତେ ଚର୍ଚ୍ଚ ମଧ୍ୟ ହେଉଥାଏ କି ?

 

୨୪ । ୫ । ୨୦୦୭

 

ଆର୍ତ୍ତ ଭକ୍ତି,–ଭଗବାନଙ୍କ ପାଖରେ ଆପଣାକୁ ସର୍ବବିଧ ଆର୍ତ୍ତିରୁ ମୁକ୍ତ କରି ନେଇଥିବା ନିମନ୍ତେ ଯେଉଁ ଭକ୍ତି ନିବେଦନ, ଭକ୍ତମାନେ ତାହାକୁ ଆମ ସମସ୍ତଙ୍କର ବୁଝିବାଲାଗି ଆର୍ତ୍ତ ଭକ୍ତି ବୋଲି କହିଥିବେ । ଦେବୀଙ୍କର ପ୍ରାର୍ଥନାରେ ମଧ୍ୟ ସିଏ ସମସ୍ତଙ୍କର ଆର୍ତ୍ତିକୁ ହରଣ କରି ନିଅନ୍ତି ବୋଲି ଏକ ସତ୍ୟବଚନର ବ୍ୟବହାର କରାଯାଇଛି । ପୃଥିବୀଯାକ ସମସ୍ତଙ୍କର ଆର୍ତ୍ତିକୁ ହରଣ କରିନେବା,–ବସ୍ତୁତଃ ସେଇଟି ସକଳ ଅର୍ଥରେ କେଡ଼େ, ବଡ଼କଥାଟିଏ । ମାତ୍ର, ଯେତେବେଳେ ଆମେ ସେଇଟି ପାଖରୁ ହୁଡ଼ିଯାଇଥିବା ପରି ତଥାକଥିତ କେବଳ ନିଜର ଆର୍ତ୍ତିଟିକୁ ଦୂର କରିବା ସକାଶେ କେଉଁ ଠାକୁର କିମ୍ବା ଭଗବାନଙ୍କୁ ଡାକୁ ଏବଂ କେଡ଼େ ଭାବପ୍ରବଣ ହୋଇଉଠୁ, ସେତେବେଳେ ଆମର ସେହି ଆର୍ତ୍ତ ଭକ୍ତିଟି ସମ୍ପୂର୍ଣ୍ଣ ଭାବରେ ଗୋଟିଏ ମୂଢ଼ ଭକ୍ତିରେହିଁ ପରିଣତ ହୋଇ ଯାଉଥିବ ।

 

ଏବଂ, ସେହି ମୂଢ଼ ଭକ୍ତିଠାରୁ ବରଂ ଯଥାର୍ଥୀ ଭକ୍ତିଟା ଏକାଧିକ ଅର୍ଥରେ ଅଧିକ କାମ୍ୟ ବୋଲି କୁହାଯାଇପାରେ । ଅନ୍ତତଃ ଅଧିକ ସଳଖ ବୋଲି ଅବଶ୍ୟ କୁହାଯିବ । ଏହି ସଂସାର ଭିତରେ ପଡ଼ିଥିବା ଆମର ଜୀବନରୂପୀ ଗୁଳାମାନେ ତ ସଚରାଚର ସେହିପରି ଗୋଟିଏ ଅର୍ଥାର୍ଥୀ ଧାରାରେହିଁ ଚଳୁଥାଆନ୍ତି । ସଂସାରରେ ବହୁ ଅନ୍ୟମାନେ ମଧ୍ୟ ପ୍ରଧାନତଃ ଏକ ଅର୍ଥାର୍ଥୀ ଦୃଷ୍ଟିରେ ଏଠି ବଜାରମାନଙ୍କରେ ସଉଦା କରନ୍ତି । ଅର୍ଥାର୍ଥୀ ନହେଲେ ଏଠାରେ ହାରିଯିବାହିଁ ସାର ହେବ ବୋଲି ଆପଣାକୁ କେଡ଼େ ସାଧୁ ଭାବରେ ବୁଝାଇ ଦେଇ ପାରିଥାନ୍ତି । ଏବଂ, ସେହି ଏକାଭଳି ପ୍ରସ୍ଥର କିଞ୍ଚିତ୍‌ ପ୍ରସାରଣ ଘଟାଇ ସେହି ଅର୍ଥାର୍ଥୀ ଧର୍ମର ଆଖିଗୁଡ଼ିକ ସହିତ ସେମାନେ ଭଗବାନଙ୍କ ସହିତ ମଧ୍ୟ କାରବାର କରୁଥାନ୍ତି । ସେମାନଙ୍କୁ ଆପଣ ଆଉ ଯାହା କହନ୍ତୁ ପଛକେ, ମୂଢ଼ ବୋଲି ମୋଟେ କହି ପାରିବେନାହିଁ ।

 

୨୭ । ୫ । ୨୦୦୭

 

ମାଗିବାର ମୋଟେ କୌଣସି ତାତ୍ପର୍ଯ୍ୟ ନଥାଏ । କାରଣ, ଆମେ ନମାଗିଲେ ମଧ୍ୟ ଆମକୁ ଯାହା ମିଳିବାର କଥା, ତାହା ମିଳିଯିବାରେ ଲାଗିଥାଏ । ତେଣୁ, କେବଳ କୃତଜ୍ଞତା । କୃତଜ୍ଞତାହିଁ କୃତଜ୍ଞତା । ଅର୍ଥାତ୍, ଏକ ଅତୁଟ ବିଶ୍ୱାସ । ଏକ ଅତୁଟ ବିଶ୍ୱାସ ଯେ, ମୋତେ ଯେତେବେଳେ ଯାହା ମିଳିବା କଥା ତାହା ଅବଶ୍ୟ ମିଳିବ । ଯେଉଁସବୁ ପ୍ରାପ୍ତି ମୋ’ ଲାଗି ସତକୁସତ ଆବଶ୍ୟକ ଥାଏ, ସେଗୁଡ଼ିକର ଆଦୌ କୌଣସି ଧାରଣାହିଁ ନକରି ମୁଁ ସର୍ବଦା ଏଇଟା ବା ସେଇଟା ମାଗିବାରେ ଲାଗିଥାଏ । ତେଣୁ, ସେ ମୋତେ କିଛି ଦେଲେନାହିଁ ବୋଲି ମୁଁ ଧିକ୍କାରି ହେବାରେ ଲାଗିଥାଏ । ଏବଂ, ହୁଏତ ସେହିଭଳି କିଛି କାରଣରୁହିଁ ଆମ ଜୀବନକାରବାର ଏହି ବଜାର ବେଢ଼ାଟା ଭିତରେ ନାନା ହାସ୍ୟାସ୍ପଦ ମିଛ ରୋଳ ଲାଗି ରହିଥାଏ ଏବଂ ଆମ ସମସ୍ତଙ୍କୁ ଆପଣା ବିଷୟରେ ବଧିର କରି ରଖିଥାଏ । ମୁଁ ଆହୁରି ଓ ଆହୁରି କାହିଁକି ନପାରିବି ଏବଂ ମୋଟେ ପାଇଲିନାହିଁ ବୋଲି ଅଭିଯୋଗର ଗୋଳମାଳ ଲଗାଇ ଦେଇଥାଏ । ଏବଂ, ଏହିଭଳି ଆମ ସମସ୍ତଙ୍କର ସହଯୋଗରେ ଏହି ସଂସାର ନାମକ ଗୋଳଟା ମଧ୍ୟ ଲାଗିଥାଏ । ଆମର ଠାକୁରମାନେ ଏସବୁକୁ ଦେଖି ପ୍ରକୃତରେ ଖୁବ୍ ଅସ୍ଥିର ହୋଇ ପଡ଼ୁଥିବେ ।

 

ତେଣୁ; କୃତଜ୍ଞତା । କୃତଜ୍ଞତାହିଁ କୃତଜ୍ଞତା । ଅସଲ ପ୍ରାର୍ଥନା ହେଉଛି କୃତଜ୍ଞ ମନୁଷ୍ୟମାନଙ୍କର ପ୍ରାର୍ଥନା । ମୁଁ କିଛି ନଚାହିଁଲେ ମଧ୍ୟ ‘ମୋତେ ଏଠି କେତେକଅଣ ମିଳୁଛି’ର ଯେଉଁ ଅନୁଭବଟି, ତାହାର ଅର୍ଥ ହେଉଛି ଯେ, ମୋ’ ଜୀବନର ଆହ୍ୱାନମାନଙ୍କୁ ମୁଁ ନିରନ୍ତର ପ୍ରକୃତରେ ଶୁଣି ପାରୁଛି । ଯିଏ ସେହି ଆହ୍ୱାନଗୁଡ଼ିକୁ ଶୁଣୁ ନଥାଏ କିମ୍ବା ଶୁଣୁଥିଲେ ମଧ୍ୟ ନଶୁଣିବା ପରି ସୁକୁଟ ଦେଖାଏ, ସମ୍ଭବତଃ ସେଇ ଆଦୌ କିଛି ନପାଇବାର ଏକ ନିତ୍ୟ ଭେଳିକି ମଧ୍ୟରେ ରହି କେବଳ ମାଗିବାରେହିଁ ଲାଗିଥାଏ । ଭକ୍ତିର ପଥରେ ତା’ ନିଜର ପ୍ରୀତ୍ୟର୍ଥେ ସେ ଗହଳ ଲଗାଇ ରଖିଥାଏ ।

 

୫ । ୬ । ୨୦୦୭

 

ଦେହନାମକ ଏହି ମାଟିଟି ତା’ ଭିତରେ ସମ୍ଭାବନା ନାମକ ଏକ ଆକାଶ ରହିଛି ବୋଲି ମୋଟେ ସିଧା ସେଇଆଡ଼ୁ ଜାଣି ଏଠାକୁ ଆସି ନଥିବ । ଏବଂ, ଏହି ସତ୍ୟଟିକୁ ସତକୁସତ ଅନୁଭବ କରିଛନ୍ତି ବୋଲି ମନୁଷ୍ୟମାନେ ତେଣୁ ଆପଣାକୁ କଦାପି ଶୂନ୍ୟ ବୋଲି କହିବାକୁ ରାଜୀ ହେବେନାହିଁ । ଆକାଶଟା କ’ଣ କେବଳ ଆପଣାର ଆକାଶତ୍ୱଟାର କଳ୍ପନାରେ ଏପରି ଜବର ଭାବରେ ମଜ୍ଜି ରହିଥିବ ଯେ, ପ୍ରକୃତରେ ମାଟିରୂପୀ ଦେହରୂପୀ ଗୋଟିଏ ଜନନୀ ତାହାକୁ ଏକ ସମ୍ଭାବନାରୂପେ ଲାଳନ କରି ଆଣିପାରିଛି ବୋଲି ସ୍ୱୀକାର କରିବାପାଇଁ କୁଣ୍ଠା ମଧ୍ୟ ବୋଧ କରିବ-?

 

ତେଣୁ, ଦେହର ସାଧନା ଧର୍ମତଃ ନିଜ ଭିତରେ ସେହି ସମ୍ଭାବନାରୂପୀ ଆକାଶଟିର ନିତ୍ୟସ୍ପର୍ଶ ଲାଭ କରି ପାରିବାର ସାଧନା । ସେହି ସ୍ପର୍ଶଟିକୁ ପାଇ କିଏ ଜଣେ ଅବଗ୍ରାହୀ ଏକଦା ଦେହକୁ ଦେବାଳୟ ବୋଲି କହିବା ଲାଗି ସାହସ ମଧ୍ୟ କରିଥିଲେ କି ? ଅବଶ୍ୟ ସେହି ଦେବାଳୟ ମଧ୍ୟରେ ଦେବତା ଆସୀନ ରହିଛନ୍ତି ବୋଲି ସିଏ ତଥାପି ଯଥେଷ୍ଟ ସ୍ପଷ୍ଟ ଭାବରେ କହିଥିବା ପରେ ସେତେ ମନେ ହେଉନାହିଁ । ସବୁ ଦେବାଳୟ ଅବଶ୍ୟ କୌଣସି ନା କୌଣସି ଦେବତାଙ୍କର ଆଳୟ ହୋଇ ପାରିବାର ଏକ ଯୋଗ୍ୟତାକୁ ଯେ ବହନ କରୁଛନ୍ତି, ସିଏ ସମ୍ଭବତଃ କେବଳ ମୋଟାମୋଟି ଏତିକିଯାଏ ଅନୁଭବ କରିଥିବେ । କିନ୍ତୁ, ଦେହନାମକ ଏହି ମାଟିଟି ଭିତରେ ଆକାଶ ନାମକ ସମ୍ଭାବନାଟି ଅବଶ୍ୟ ରହିଛି ବୋଲି ଘୋଷଣା କରିବାକୁ ସିଏ ନିଶ୍ଚୟ ତଥାପି ରାଜୀ ହୋଇ ନଥାନ୍ତେ । ତେଣୁ, ବନ୍ଧୁ, ତୁମେ ଦେହକୁ ଛି’ ବୋଲି କହିଲାବେଳେ ଏବଂ ଦେହଟାହିଁ ସବୁ କଷଣର ଅସଲ କାରଣ ବୋଲି ଅପବାଦ ଦେବା ସମୟରେ ତୁମେ ତାହାକୁ ଭକ୍ତ ସମ୍ଭାବନାଟିକୁ ଦେଇ ଦେଖିବାକୁ ଇଚ୍ଛା ମଧ୍ୟ କରିବ । ଏବଂ, ସେହି ଦେଖିବାର ଯୋଗ୍ୟ ହେବ । ତାହାହେଲେ ସିନା ଭିତରେ ଓ ବାହାରେ ତୁମକୁ ମୋଟେ କିଛିହେଲେବି ଦ୍ୱିଖଣ୍ଡିତ ବା ଦ୍ୱିବିଭାଜିତ ହୋଇ ରହିଥିବାର କଦାପି ଦୃଷ୍ଟିଗୋଚର ହେବନାହିଁ ।

 

୧୪ । ୬ । ୨୦୦୭

 

Voluntary optimism କଥାଟିକୁ ଯେଉଁଦିନ ଜାଣିବାକୁ ପାଇଲି ସେଦିନ କାହିଁକି କେତେ ସାବଲୀଳ ଭାବରେ ନିଜ ଭିତରକୁ ଏପରି ଏକ ସହଜ ରାସ୍ତା ଖୋଲିଯିବା ପରି ଅନୁଭବ ହେଲା, ଯାହାକି ମୋତେ ସତକୁସତ ଆପଣାର ବହୁତ ନିକଟ କରି ଆଣିଥିଲା । ହଁ, ସମ୍ଭବତଃ ସେହି କାରଣରୁହିଁ ବାହାରକୁ ମଧ୍ୟ କେତେ କେତେ ଦୂରଯାଏ ବହୁତ କିଛି ଦେଖାଯିବାକୁ ଆରମ୍ଭ କଲା । ଏବଂ, ଏକ ଆଶାବାଦୀ ଆଖିରେ ଚତୁର୍ଦ୍ଦିଗର ଏହି ପୃଥିବୀଟି ଆଡ଼କୁ ସତକୁସତ ଅନାଇ ପାରିଲେ ଏଠି ମନୁଷ୍ୟମାନେ ମଧ୍ୟ କେଡ଼େ ଭଲ ବୋଲି ଅନୁଭବ ମଧ୍ୟ ହୁଅନ୍ତି ! ଅର୍ଥାତ୍ ଆଦୌ କୌଣସି ହିସାବ ନକରି, ଆଗ ଅଙ୍କଗୁଡ଼ାକ ଛିଣ୍ଡିଯାଇ ପାରିଲେ ଯାଇ ସିନା ମୁଁ ଜଣେ ମନୁଷ୍ୟକୁ ଏବଂ ସବୁ ମନୁଷ୍ୟଙ୍କୁ ମୋ’ ନିକଟର ବୋଲି ମୁଁ ଗ୍ରହଣ କରିନେଇ ପାରିବି, ସେପରି କୌଣସି ଦୁର୍ବୁଦ୍ଧିର ଅବକାଶହିଁ ରହିଲାନାହିଁ ।

 

ଏବଂ, ଏବେ ଭାବୁଛି, optimism ମାତ୍ରକେହିଁ ତ voluntary ଅବଶ୍ୟ ହେବ,–involuntary optimismର ସେହି ଅନ୍ୟ ଅବସ୍ଥାଟି ଯେ ବସ୍ତୁତଃ କିପରି ହୋଇଥିବ, ପଣ୍ଡିତମାନେ ଯେତେ ଯାହା ପ୍ରୟାସ କଲେ ମଧ୍ୟ ସେକଥା ମୋଟେ କହି ପାରିବେନାହିଁ । ଆଶାମାନେ ସତକୁସତ ଅବଶ୍ୟ ଫଳିବେ ବୋଲି ଜାତକଗୁଡ଼ିକୁ ସୁଝାଇ ଭଲ କରି ସବୁ ଜାଣିଲେ ଯାଇ ଯେ ଜଣେ ଆଶାବାଦୀ ହେବା ଉଚିତ ବୋଲି ନିଶ୍ଚିତ ହେବ ଓ ଆଗକୁ ପହଣ୍ଡ ପକାଇବ, ସେକଥା ଆଦୌ ନୁହେଁ । ବରଂ, ଠିକ୍ ଓଲଟାଟାକୁହିଁ ମୁଁ ଠିକ୍ ବୋଲି କହିବି । ଗୋଟିଏ ଆଶାବାଦୀ ସକାରାତ୍ମକତା ସହିତ ଆମେ ଯେଉଁଥିରେ ହାତ ଦେବା, ଯେତେ ଯାହା ଆପାତ–ପ୍ରତିକୂଳତା ରହିଥିଲେ ମଧ୍ୟ ତାହା ତଥାପି ସାଧ୍ୟ ବୋଲି ଲାଗିବ ଏବଂ ସେହିପରି ଲାଗୁଥିବାରୁହିଁ ସେଇଟି ଆଖର ସାଧ୍ୟବି ହୋଇଯିବ । ଏହି ପୃଥିବୀରେ ନିରାଶା ହୋଇ ବସିଯିବା ପାଇଁ ତ କେତେ ନା କେତେ ପ୍ରଲୋଭନ ସବୁବେଳେହିଁ ମହଜୁଦ୍‍ ହୋଇ ରହିଛି, ମାତ୍ର ଆଶାବାଦୀମାନେ ତଥାପି ଆଗାମୀ କାଲିର ପ୍ରଭାତଟି ଉପରେ ଲୟ ରଖି ରାତ୍ରିର ଏହି ରାସ୍ତାଗୁଡ଼ିକୁ ପାର ହୋଇ ଯିବାରେ ଲାଗିଛନ୍ତି ।

 

୨୩ । ୬ । ୨୦୦୭

 

ସାହିତ୍ୟକୁ ଗୋଟିଏ ଦୀକ୍ଷା ପରି ଗ୍ରହଣ କରିବାକୁ ହୋଇଥାଏ । ଗୁରୁ ପରି ମାନି ନୁହେଁ, ମାର୍ଗ ପରି ମାନି । ଅସଲ ଗୁରୁମାନେ ତ ସକଳ ଅର୍ଥରେ ଗୋଟିଏ ଗୋଟିଏ ମାର୍ଗରହିଁ ପରିଚୟ ପ୍ରଦାନ କରନ୍ତି ଏବଂ ନିଜର ଭୂମିକାଟିକୁ ସାର୍ଥକ କରିଥାଆନ୍ତି । ସର୍ବୋତ୍ତମ ଗୁରୁମାନେ ହୁଏତ ଠିକ୍ ସେହି କାରଣରୁ ଆପଣାକୁ ମାର୍ଗଟିଏ ପରି କରି ରଖିବା ସକାଶେ ନିୟତ ନିଷ୍ଠାଯୁକ୍ତ ହୋଇ ରହିଥାନ୍ତି । ସେଭଳି କରି ନପାରିଲେ ସେମାନେ ପୃଥିବୀ ଉପରକୁ ସର୍ବଦା ବହୁ ପ୍ରମାଦକୁ ଡାକି ଆଣନ୍ତି । ହଁ, ସାହିତ୍ୟରେ ଏହି ଯାବତୀୟ ଦୀକ୍ଷା ସତକୁସତ ଏକ ମାର୍ଗର ଦୀକ୍ଷା,–ମାର୍ଗ ଖୋଜିବାର ଦୀକ୍ଷା ଏବଂ ସେଥିଲାଗି ସତେ ଏକ ମାର୍ଗରେ ଚାଲିବାରବି ଦୀକ୍ଷା । ତେଣୁ, ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟଞ୍ଜନା ଦେଇ କହିବାକୁ ଗଲେ, ଏକ ମନ୍ତ୍ରର ଦୀକ୍ଷା । ଆପଣାର ଜଗତଟିକୁ ଅଧିକରୁ ଅଧିକ ସମର୍ପିତ ଏକ ପ୍ରୀତିରେ ନିଜ ଭିତରକୁ ଆମନ୍ତ୍ରିତ କରି ଆଣିବାର ଦୀକ୍ଷା । ଅର୍ଥାତ୍, ଆପଣାକୁ ସେହି ଜଗତ ସହିତ ଧର୍ମତଃ ସମ୍ପୃକ୍ତ କରି ରଖିବାରହିଁ ଦୀକ୍ଷା । ଭିତର ତଥା ବାହାରକୁ ପରସ୍ପରର କତି କରି ଆଣିବାର ଏକ ଆନନ୍ଦଯୁକ୍ତ ଏବଂ ପୂର୍ଣ୍ଣସମ୍ମତିଯୁକ୍ତ ଦୀକ୍ଷା ।

 

ବେଳେବେଳେ ଅନେକେ କେଉଁସବୁ ଅନ୍ୟ ଗରଜରେ ପଡ଼ି ସେହି ସାହିତ୍ୟକୁ ନିଜର ଏକ ଖାସ୍ ଦୀକ୍ଷା ଦେବାକୁ ଚେଷ୍ଟା କରୁଥାନ୍ତି କାହିଁକି କେଜାଣି ? ଅଧ୍ୟାତ୍ମକୁ ମଧ୍ୟ ନିଜର ଗୋଟିଏ ଖାସ୍ ବ୍ୟାକରଣ ଦେଇ ବହୁପ୍ରକାରେ ବିକୃତ ଏବଂ ଅବନତ କରି ରଖିବା ନିମନ୍ତେ ଯେଉଁମାନେ ତାକୁ କୌଣସି ଧର୍ମୀୟତାର ଏକ ଚିହ୍ନା ହାତପାଆନ୍ତାକୁ ନେଇ ଆସିବା ଲାଗି ପ୍ରୟାସ କରୁଥାନ୍ତି, ଇଏ ମଧ୍ୟ ହୁଏତ ସେହିଭଳି କଥାଟିଏ ହୋଇଥିବ । ସେହି ଅତି ଆଗ୍ରହଟିକୁ ଆମେ ସମ୍ଭବତଃ Hubris ବୋଲି କହିପାରିବା । ଆମ ସାହିତ୍ୟରେ ପ୍ରସ୍ତୁତ କରି ଦିଆଯାଉଥିବା ବହୁତ ସମୀକ୍ଷା ଅନେକତଃ ସେହି Hubrisର ସ୍ତରରେହିଁ ରହି ଯାଇଥାଏ । ସତେଅବା ଜଣେ ଜଣେ ଗୁରୁର ଭୂମିକା ଗ୍ରହଣ କରି ଆମେ ସାହିତ୍ୟକୁ କୌଣସି ଦୀକ୍ଷା ଦେବାକୁ ଇଚ୍ଛା ହୁଏତ କରିଥାଉ ଓ ସେହି ଅକର୍ମଟିକୁ କରି ଖୁବ୍ ଖୁସୀ ହୋଇଯାଉ । ସାହିତ୍ୟ ନାମରେ କୋଠା ପରେ କୋଠା ଠିଆ କରି ରଖୁ । ମାତ୍ର ପାଦେବି ପାହାଚ ଉଠି ପାରୁନାହିଁ । ସାହିରେ ସମସ୍ତେ ଶୋଇଥାନ୍ତି ଓ ଦାଣ୍ଡରେ ନାଟ ହେବାରେ ଲାଗିଥାଏ ।

 

୭ । ୭ । ୨୦୦୭

 

ମଣିଷର କତି, ତେଣୁ ଭଗବାନଙ୍କର କତି । ଯଦି ଭଗବାନଙ୍କୁ ପରମାତ୍ମୀୟ ବୋଲି କୁହାଯିବ, ତେବେ ମନୁଷ୍ୟମାନଙ୍କୁ ଆତ୍ମୀୟରୂପେ ନଦେଖି ଅର୍ଥାତ୍ ନବଞ୍ଚି ସେହି କଥା ଆଉ କିଭଳି ଯେ ଅଙ୍ଗେ ନିଭାଇ ହେବ, ସେକଥାଟିକୁ ମୁଁ ମୋଟେ ବୁଝି ପାରେନାହିଁ ।

 

ପ୍ରଥମଟିକୁ ଛାଡ଼ି ସେହି ଦ୍ୱିତୀୟଟି ବିଷୟରେ ଆମର ଯେଉଁ ଉତ୍ସାହ ସେଥିରୁ ମଣିଷମାନଙ୍କ ପ୍ରତି ଆମ ଅନେକଙ୍କର ଘୃଣାର ଭାବଟାଏହିଁ ପ୍ରସରି ଉଠିବା ସକାଶେ ଯାହାକିଛି ପ୍ରଶ୍ରୟ ପାଇଗଲା କି ? ମନୁଷ୍ୟର କତି ହୋଇ ରହି ସେହି ଆହୁରି ଓ ଆହୁରି ଅନ୍ତରଙ୍ଗତା ସହିତ ବାଟ ଚାଲୁ ଚାଲୁ ଭଗବାନଙ୍କର କତି ହେବା, ସେହି ଜୀବନଧର୍ମଟିହିଁ ମଣିଷମାନଙ୍କୁ ଭଲ ପାଉ ପାଉ ଭଗବାନଙ୍କୁ ମଧ୍ୟ ଭଲ ପାଇବା ସକାଶେ ଅସଲ ହିମ୍ମତଟିଏ ଆଣି ଦେଇଥାଏ । ଏବଂ ତା’ପରେ, ଜୀବନରେ ଭଲ ପାଇବାଟିହିଁ ରହିଥାଏ, କେଉଁଟି ମଣିଷକୁ ଭଲ ପାଇବା ଏବଂ କେଉଁଟି ଭଗବାନଙ୍କୁ ଭଲ ପାଇବା, ସେଇଟିକୁ ଆଉ ଆଦୌ ବାରିହୁଏ ନାହିଁ । ଘୃଣା କରିବାକୁ ତ କେତେ ନା କେତେ ବାହାନା ରହିଥାଏ । ଅନ୍ୟ ଏକ ସଂପ୍ରଦାୟକୁ ଘୃଣା, ଅନ୍ୟ ଏକ ଧର୍ମକୁ ଘୃଣା, ଅନ୍ୟ ଜାତି, ଦେଶ ଅଥବା ଗୋଷ୍ଠୀ ଏବଂ ଦେଶାଚାରକୁ ଘୃଣା,–ଏହି ସବୁଗୁଡ଼ିକର ଅନ୍ତରାଳରେ ସମ୍ଭବତଃ ସେଇ ଗୋଟିଏ ପ୍ରକାରର ଖୁଣ ଆମ ଭିତରେ ରହିଥାଏ । ଅର୍ଥାତ୍, ଯାହା ମୋ’ ଭିତରେ ରହିଛି, ସେଇଟି ତା’ ଭିତରେ ଅଥବା ସେଇ ଅନ୍ୟମାନଙ୍କ ଭିତରେ ନାହିଁ ବୋଲି ଆମେ କେଡ଼େ ଫୁଲେଇ ନହେଉ ! ଅର୍ଥାତ୍, ସମ୍ଭବତଃ ସେହି ଖୁଣଗୁଡ଼ିକୁ ନେଇହିଁ ବଡ଼ ହାସ୍ୟାସ୍ପଦ ଭାବରେ ନିଜକୁ ଅତ୍ୟନ୍ତ ହାସ୍ୟାସ୍ପଦ ଭାବରେ ନିଜକୁ ଅଲଗା ତଥା ଅଧିକ ବୋଲି ଧରିନେଇ ଆମେ କେତେ ଭଳି ଫୁଲି କରି ରହିଥାଉ ! ଭଗବାନ୍ ତ ଆମକୁ କେବଳ ଭଲହିଁ ପାଉଥିବେ, ତେଣୁ ଆମକୁ ମାଫ୍ କରିଦେବାରେ ସେ ମୋଟେ କ୍ଳାନ୍ତ ହୋଇ ପଡ଼ୁ ନଥିବେ ।

 

୧୩ । ୭ । ୨୦୦୭

 

ଭାବନା ଏବଂ ସମ୍ଭାବନା । ଯାବତୀୟ ଭାବନା ଏହି ମାଟି ଉପରର । ଏବଂ, ଭାବନାର ଯାହାକିଛି ଆସ୍ପୃହା, ତାହାହିଁ ତ ସମ୍ଭାବନା । ଏବଂ, ଏହି ପୃଥିବୀ ଉପରର ଜୀବନଟି ହେଉଛି ଦୁଇଟିଯାକକୁ ସଦାସଂଲଗ୍ନ କରି ରଖିଥିବା ଭଳି ଗୋଟିଏ ସେତୁ । ଗୋଟିଏ ପ୍ରୟୋଗଶାଳା ବୋଲି କାହିଁକି କୁହା ନଯିବ !

 

ଭାବନା ହେଉଛି ଯାବତୀୟ ସମ୍ଭାବନାର ଗୋଡ଼ ଏବଂ ହାତ । ସମ୍ଭାବନା ହେଉଛି ସକଳ ଭାବନାକୁ ଉଜ୍ଜୀବିତ କରି ରଖିଥିବା ତା’ ଭିତରର ସାହସଟି । ତେଣୁ, ଭାବନା ଏବଂ ସମ୍ଭାବନା,–କିଏ କାହାର ବୋଲି ମାନିବ ? ମାତ୍ର, ବେଳେବେଳେ ଏପରି ମଧ୍ୟ ଖୁବ୍ କହିଦେବ ଯେ, ଆମ ଭାବନାମାନେ ପ୍ରକୃତରେ ଯେତିକି ସାହସୀ ହୋଇ ପାରୁଥିବେ, ସେହି ଅନୁସାରେ ସେଗୁଡ଼ିକ ଏକାଧିକ ଅର୍ଥରେ ଆପେ ଅନ୍ଦାଜ କରିପାରୁଥିବା ସମ୍ଭାବନାଗୁଡ଼ିକର ଦୈର୍ଘ୍ୟପ୍ରସ୍ଥଗୁଡ଼ିକର ନିର୍ଦ୍ଧାରଣବି କରିପାରିବ । ତେଣୁ, ସତକୁସତ ଭାବନାରୁହିଁ ନ୍ୟାୟତଃ ସବୁକିଛିର ଆରମ୍ଭ । ନାନାପ୍ରକାରର ଅବଶକାରୀ mythର ହାବୁଡ଼ ଭିତରେ ପଡ଼ି ଆମେ ନିଜର ଭାବନାମାନଙ୍କୁ ଯଦି ଅତି ଅଳ୍ପ ଅର୍ଥାତ୍ ସଙ୍କୁଚିତ କରି ରଖିବା, ତେବେ ଆମର ସମ୍ଭାବନାଧର୍ମୀ ଡେଣାମାନେ ମଧ୍ୟ ସେହି ଅନୁସାରେ ବହୁକୁଣ୍ଠିତ ହୋଇ ରହିଥିବେ । ଆମକୁ ତୁଚ୍ଛା ଶଙ୍କାଗୁଡ଼ାଏହିଁ କାମୁଡ଼ି ଧରିଥିବେ । ଏବଂ, ସେହି କ୍ଷେତ୍ରରେ ସଂସ୍କୃତି ନାମକ ଆମ ଗୁରୁଜନଟା ମଧ୍ୟ ଆମକୁ ନାନାବିଧ ପରମ୍ପରାର ଜାକଜମକ ଭିତରେ ସଦାକାତର ହୋଇ ରହିବାଲାଗି ଅମାପମାପ ଦୁର୍ବୁଦ୍ଧି ଆଣି ଯୋଗାଇ ଦେଉଥିବେ ।

 

୧୬ । ୭ । ୨୦୦୭

 

ବାହାରଟା ପ୍ରମାଣ ଦେବାରେ ଲାଗିଥାଏ । ଅନ୍ୟମାନଙ୍କ ପାଖରେ ଯେତେ ନୁହେଁ, ନିଜପାଖରେ ତା’ଠାରୁ ଅନେକ ଅଧିକ ଅଧିକ ପରିମାଣରେ । ମୁଁ ଏହି ଯାବତୀୟ ନିୟମଗୁଡ଼ିକର ପାଳନ କରୁଛି, ମୋ’ ଗୁରୁଙ୍କର ଅଥବା ଗୁରୁମାନଙ୍କର ନିର୍ଦ୍ଦେଶ ଭିତରେ ରହିଛି,–ଅର୍ଥାତ୍, ନିଷ୍ଠାରେ ଅଛି । ସେଇଥିଲାଗି ତ ଏହି କେତେ କେତେ ଶାସ୍ତ୍ରୀୟ ଦୃଢ଼ତା ସହିତ ଏହି ଚିତା ଏବଂ ପଇତାମାନ-। ପର୍ବମାନେ, ଦେଉଳ ଭିତରର ଯାନିଯାତ୍ରା,–ଅସୁମାରି ସବୁକିଛି । ଏଗୁଡ଼ିକୁ ପବିତ୍ର ମଣିହିଁ ମୁଁ ଏଗୁଡ଼ିକର ପାଳନ କରୁଛି ଓ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମର ବେଢ଼ା ଭିତରେ ରହିଛି ବୋଲି ପ୍ରମାଣ କରିଦେଇ ପାରୁଛି । ମାତ୍ର, ମୋ’ ବିଷୟରେ କେବଳ ଏତିକିଦ୍ୱାରାହିଁ ସତକୁସତ ନିର୍ଭୁଲ ଭାବରେ ବେଶୀ କିଛି ଆଦୌ କହି ହେବନାହିଁ । ଧୋବ କପଡ଼ାଗୁଡ଼ିକୁ ପିନ୍ଧି ଧୋବ ମନଟାକୁ ନେଇ ଯେଉଁମାନେ ସେହି ପାରମ୍ପରିକ ଦାଣ୍ଡମାନଙ୍କରେ ଆହୁରି କେତେ ଲକ୍ଷ ସମଭେକୀଙ୍କ ସହିତ ଯାଇ ସାମିଲ ହୋଇଥିବେ, ସେମାନେ କ’ଣ ସମସ୍ତେ ହିନ୍ଦୁ ଏବଂ ଆମ ବଡ଼ଠାକୁର ଜଗନ୍ନାଥଙ୍କର ଜଣେ ଜଣେ ଭକ୍ତ ? ସେହି ଜଗନ୍ନାଥ ସିନା ଅସଲ କଥାଟିକୁ ନିଶ୍ଚୟ ଜାଣିଥିବେ, କିନ୍ତୁ ତାଙ୍କ ଦାଣ୍ଡରେ ଗୋଳ ଲଗାଇ ରୁଣ୍ଡ ହୋଇଥିବା ମନୁଷ୍ୟମାନଙ୍କର କାନକୁ ଶୁଭିଲାଭଳି ମୋଟେ କୌଣସି ଉତ୍ତର ଦେବେନାହିଁ ।

 

ବାହାରଟା ମାନେ, ଭିତରଟା ହୋଇ ହୋଇ ଯାଉଥାଏ । ଭିତରଟା ଆଦୌ କିଛି ହୋଇନାହିଁ ବୋଲି ବାହାରର ମାନିବାଟାରୁ ମୋଟେ କିଛିହେଲେ ଜାଣି ହୁଏନାହିଁ । ସତକୁସତ ହେଉଥିବା ମନୁଷ୍ୟମାନେହିଁ ପରସ୍ପରକୁ ଚିହ୍ନି ପାରନ୍ତି । ନିଜ ପାଖରେ ମହକଟିଏ ରହିଥିଲେ ଅନ୍ୟର ଆଉ କାହାରି ମହକଟିଏ ମଧ୍ୟ ରହିଛି ବୋଲି ଖୁବ୍ ଠଉରାଇ ହୁଏ । ମଣିଷ ମଣିଷ ଭିତରେ ସେଇଟି ହେଉଛି ଏକାବେଳେକେ ଗୋଟିଏ ଅଲଗା ପ୍ରକାରର ପରିଚାୟକ ପରି କାର୍ଯ୍ୟ କରୁଥିବା ସେତୁଟିଏ, ବାହାରକୁ ପଇତାମାନେ ଭିନ୍ନ ହୋଇଥିଲେ ମଧ୍ୟ ତଥାପି ମହକଟାଏ ରହିଛି ବୋଲି ବେଶ୍ ପ୍ରତ୍ୟୟ ମିଳିଯାଏ । ଏହି ପୃଥିବୀରେ ଅସଲ ବନ୍ଧୁମାନେ ଏହିପରି ଭାବରେହିଁ ପରସ୍ପରକୁ ଭେଟନ୍ତି ଏବଂ ଭେଟି ଉଶ୍ୱାସ ହୁଅନ୍ତି ।

 

୩୧ । ୭ । ୨୦୦୭

 

ଗୋଟିଏ ହେଉଛି ଅଭ୍ୟାସ,–Habit–ଆରଟି ହେଉଛି ଗ୍ରସ୍ତତା, ଏକ ମନୋଗ୍ରସ୍ତତା,–Obsession,–ଅଭିଧାନ ବହିରେ ଯାହାକୁ ସମ୍ମୋହନ ବୋଲି ମଧ୍ୟ କୁହାଯାଇଛି । ମୋ’ ଅଭ୍ୟାସ ମୋ’ର,–ଅର୍ଥାତ୍, ସେଗୁଡ଼ିକୁ ମୁଁ ଆପଣାର ଜୀବନ ମଧ୍ୟକୁ ସ୍ୱୀକାର କରି ନେଇଛି । ଟିକିଏ ଅଧିକ ଫରଚା ଭାବରେ କହିଲେ, ମୁଁ କେତେକ ଅଭ୍ୟାସକୁ ଗ୍ରହଣ କରିଛି ଏବଂ ଆଉ କେତୋଟିକୁ ପରିତ୍ୟାଗ କରିଛି । ଅନ୍ୟ ପକ୍ଷରେ, ଏକ Obsession ମୋତେ ଗୋଟାସୁଦ୍ଧା କାବୁ କରି ରଖିଛି, ସମ୍ପୂର୍ଣ୍ଣ ଭାବରେ ସତେଅବା ଗୋଟିଏ ଜାଲରେ ନେଇ ପକାଇ ଦେଇଛି । ଏବଂ, ସମ୍ଭବତଃ ସେହି କାରଣରୁ ବିଚରା ମୁଁ କେଡ଼େ ତୋଡ଼ ଦେଖାଇ ସେଇଟି ସହିତ ବାନ୍ଧିହୋଇବି ରହିଛି । ବଡ଼ ଦୟନୀୟ ଜୀବନଟିଏ ପ୍ରକୃତରେ ।

 

ଗୋଟିଏ ଅସଲ ଅଭ୍ୟାସ କେବେହେଲେ ବାଧ୍ୟ କରେନାହିଁ । ଏ ପାହାଚରୁ ଆଉଗୋଟିଏ ପାହାଚକୁ ଉଠିଯିବା ସମୟରେ ଛାଡ଼ି ଯାଉଥିବା ଏହି ପାହାଚଟି ମୋତେ କ’ଣ ପାଇଁ ବାଧ୍ୟ କରିବ ? ଗୋଟିଏ ଅଭ୍ୟାସ ବଦଳରେ ଆଉଗୋଟିଏ ଅଭ୍ୟାସ ମୋତେ ଆଦରି ନେଉଥିବ । ଆମ ସଂସାରର ଧର୍ମମାନେ, ଆଦର୍ଶବାଦମାନେ ଆମ ବହୁସଂଖ୍ୟକ ମନୁଷ୍ୟମାନଙ୍କ ପାଇଁ କାହିଁକି କାଳେ କାଳେ ଗୋଟିଏ Obsession ପରି କାର୍ଯ୍ୟ କରିଥାଆନ୍ତି କେଜାଣି ? ଆମେ ଅନେକେ ଆଉ ଅଧିକ ଅଥବା ଅଲଗା କିଛି ହେବାଲାଗି ମନ କରିନାହୁଁ କିମ୍ବା ଭୟ କରିଛୁ ବୋଲି ଏହିପରି ଗୋଟିଏ ଦଶାକୁ ବରଣ କରି ନେଇଛୁ କି ? ଏହିସବୁ ଝୁଣ୍ଟିଆ ଇତ୍ୟାଦି ପିନ୍ଧି ଯେଉଁମାନେ କେତେ ନା କେତେ ଉଗ୍ରତା ସହିତ ଭିତରର କ’ଣସବୁ ଶୋଚନୀୟ କାରଣରୁ ପୋଷ ମାନି ଯାଇଥାଆନ୍ତି, ଏହି ପୃଥିବୀଯାକର Obsession ସଚରାଚର ସେଇମାନଙ୍କୁହିଁ ଗୋଡ଼ରେ ଫାଶ ପକାଇ ଛନ୍ଦି ରଖିଥାଆନ୍ତି । ଏତେ ଏତେ ଚତୁରତାଦ୍ୱାରା ପୂର୍ଣ୍ଣ ଆମ ବର୍ତ୍ତମାନର ଏହି ପୃଥିବୀଟିରେ ସମ୍ଭବତଃ ସେହି Obsession ମାନଙ୍କର ସର୍ବସ୍ୱଟା ଅଧିକ ପରିମାଣରେ ଲାଗି ରହିଛି । ଗୋଟିଏ ଅବସରରେ ଶ୍ରୀ ଅରବିନ୍ଦ ସେହି ମାର୍କାର ଏହି ତୋଡ଼ରୋଗଟାକୁ obligations of habit ବୋଲି କହିଛନ୍ତି କି ? ଅସଲ ସାଧନା ଅର୍ଥାତ୍ ଅସଲ ଆକର୍ଷଣଟି ହେଉଛି ଆମକୁ ସେହି obligation ମାନଙ୍କର କବଳରୁହିଁ ମୁକ୍ତ ହୋଇଯିବାର ସାଧନା । ଏବଂ, ଆମମାନଙ୍କୁ ନେଇ ସେହି ସାଧନାଟିରହିଁ ଜୟ ହେଉ !

 

୬ । ୮ । ୨୦୦୭

 

ଆଜି ଦିନଭରି ଝରିବରଷା ଲାଗି ରହିଥିଲା । ପବନ ଭାରି ଜୋର୍ ପିଟୁଥିଲା । ସନ୍ଧ୍ୟା ସମୟରେ ଆମ କ୍ଲାସ୍‌କୁ ମାତ୍ର ଅଳ୍ପ କେତେଜଣ ଆସିଥିଲେ । ଅବଶିଷ୍ଟ ଯେଉଁମାନେ ଆସି ନଥିଲେ, ସେମାନେ ଆସିବେନାହିଁ ବୋଲି ଯେ ଆସିଲେନାହିଁ, ସେପରି ମୋଟେ ନୁହେଁ । ଆସି ପାରିଲେନାହିଁ ବୋଲି ଆସିଲେନାହିଁ । କ୍ଲାସ୍‌ରେ ଥିବା ସମୟରେ ମୁଁ ସେହିକଥାହିଁ ଭାବୁଥିଲି ଏବଂ ମୋ’ର ସକଳ ଅବବୋଧରେ ସେମାନେ ସମସ୍ତେ ଆମର ଏହି ଏଠାରେ ମେଳଟିରେ ବଞ୍ଚିଛନ୍ତି ବୋଲି ଖୁବ୍ ଅନୁଭବ କରୁଥିଲି । ଏବଂ, ବର୍ତ୍ତମାନ ମୁଁ ଏପରି ମଧ୍ୟ ଭାବୁଛି ଯେ, ଯେଉଁମାନେ ନଆସିଥିଲେ, ସେମାନେ ନଆସି ପାରି ଘରେ କିମ୍ବା ଯେଉଁଠାରେ ହେଲେ ଥାଆନ୍ତୁ ପଛକେ, ଅବଶ୍ୟ ଏଠାରେ ଉପସ୍ଥିତମାନେ ମଧ୍ୟ ସେମାନଙ୍କର ମେଳରେ ସେଠାରେ ଥିବାର ସେମାନେ ନିଶ୍ଚୟ ଅନୁଭବ କରିଥିବେ ।

 

ଏହି ମେଳଟିହିଁ ରାସ୍ତା । ରାସ୍ତାଟି ଥାଏ ଏବଂ ଆମେ ସମସ୍ତେ ସେହି ରାସ୍ତାକୁ ଧରି ଚାଲିଲେ ଆମର କ’ଣସବୁ ଲାଭ ହେବ ବୋଲି ଯେ ଆମେ ସେଠାରେ ଆସି ପହଞ୍ଚିଯାଉ, ସେପରି ମୋଟେ ନୁହେଁ । ମେଳଟି ଯେତିକି ସ୍ୱାଭାବିକ ଅର୍ଥାତ୍ ଅଭିନୟଶୂନ୍ୟ, ରାସ୍ତାଟି ମଧ୍ୟ ସେତିକି ପ୍ରାଞ୍ଜଳ ଏବଂ ବାସ୍ତବ । ଏବଂ, ଆମର ଏହି କ୍ଲାସ୍‌ଟି ସକଳ ଅର୍ଥ ତଥା ଆବେଦନରେ ଏକ affirmation,–ଏବଂ ଏକ affirmation ହିଁ ଏତେ ଏତେ ଖୁସୀର କାରଣ । ମେଳଟି ଥିଲେ ପ୍ରକୃତରେ ରାସ୍ତାଟିଏ ପଡ଼ିଛି ଏବଂ ଆମେ ସମସ୍ତେ ତାହାରି ଉପରେ ଯେ ଚାଲୁଛୁ, ସେହି ଅନୁଭବଟି ହେଉଛି ଅସଲ ରହସ୍ୟ । ଏହି ରାସ୍ତା ଆମ ଜାଣିବାର ପରିମାଣକୁ ବଢ଼ାଏ ଆମର ଅଭିବୃଦ୍ଧିରେ ମଧ୍ୟ ସହାୟତା କରେ, କିନ୍ତୁ ତାହାକୁ ସବାଆଗ ଗୋଟିଏ ମେଳ ବୋଲି ସ୍ୱୀକାର କରି ନେଇଥିଲେ ତାହା ଆଉ ଆମ ଜୀବନର ସମଗ୍ର ନକ୍ସାଟି ନକ୍ସାରେ କେବଳ ଗୋଟିଏ ତଥାକଥିତ କର୍ତ୍ତବ୍ୟ ନୁହେଁ, ଏକ ଉତ୍ତରୋତ୍ତର affirmationର ସନ୍ତକ ମଧ୍ୟ ହୋଇ ରହିଥାଏ । ବହୁ ଭୟମୋଚନର କାରଣ ହୁଏ ।

 

୧୨ । ୮ । ୨୦୦୭

 

ମୋ’ ଗୁରୁ ହେଉଛନ୍ତି infallible,–ଅର୍ଥାତ୍ ତାଙ୍କ ବାକ୍ୟମାନଙ୍କର ମୋଟେ କୌଣସି ଖଣ୍ଡନ କରାଯାଇପାରିବନାହିଁ । ତାଙ୍କର ବାକ୍ୟମାନଙ୍କରେ ରହିଥିବା ସତ୍ୟଟିର ସେପାଖକୁ ଆଉ କିଛିହେଲେ ନାହିଁ, ଏବଂ ତେଣୁ କେବଳ ତାଙ୍କରି ଆଶ୍ରା କଲେ ଜିଜ୍ଞାସାନାମକ ସେହି ଅନ୍ୟ ଅଧ୍ୟାତ୍ମଟିର ଆଉ କୌଣସି ଆବଶ୍ୟକତା ଆଉ କ’ଣ ପାଇଁବି ରହିବ ? ଯେଉଁମାନେ ଏପରି ଭାବରେ ସାହସିକତାର ଆଶ୍ରୟ ନେଇ ଭକ୍ତିମାନ କରନ୍ତି, ସେମାନେ ସେହି ତଥାକଥିତ ସାହସଟିକୁ ଖୁବ୍‌ସମ୍ଭବ ନିଜର ଗୁରୁଙ୍କଠାରୁ ନୁହେଁ, ଗୁରୁଙ୍କର ଦ୍ୱାହି ଦେଇ ଆପଣାଠାରୁହିଁ ପାଇଥାଆନ୍ତି । ଏମାନେ ପୃଥିବୀରେ ବହୁ ପ୍ରମାଦର କାରଣ ହୁଅନ୍ତି, ସର୍ବଦାହିଁ ହୁଅନ୍ତି ।

 

ମୁଁ ହେଉଛି infallible,–ନିଜ ଗୁରୁଙ୍କର ଦ୍ୱାହି ଦେଇ ସେମାନେ ସମ୍ଭବତଃ ଏହିପରି କୌଣସି ଜାଲରେ ଯାଇ ପଡ଼ି ଯାଇଥାନ୍ତି ଏବଂ ନିଜକୁ ସତେଅବା ଗୋଟିଏ ପିତୁଳାରେ ପରିଣତ କରିଦେଇ ଏକ ଗର୍ଭମନ୍ଦିରରେ ନେଇ ଥାପି ଦେଇଥାନ୍ତି । ସେହିଠାରେହିଁ ଆପଣାର କୌଣସି ନିତାନ୍ତ ଅମଙ୍ଗ ସ୍ଥାବରତାକୁ ପୂରା ଲଗାମ ଛାଡ଼ିଦେଇ ତାହାରି ପରିଚର୍ଯ୍ୟା କରୁଥାଆନ୍ତି । ଏବଂ, ତାହାକୁ ନିଷ୍ଠା ବୋଲି ଜାଣନ୍ତି ଓ ଗୁରୁଙ୍କୁ, ଏପରିକି ଭଗବାନଙ୍କୁ ମଧ୍ୟ ସେହି ରଚନାଟିରେ କାନ୍ଥଗୁଡ଼ାଏ ପରି ବ୍ୟବହାର କରନ୍ତି । ଗୋଟାଏ ଗୋଟାଏ ସତ୍ୟ ନାମରେ ଏବର ଯେଉଁ ଭ୍ରମମାନେ ନାନାଭଳି ରାଜକୀୟ କର୍ତ୍ତାପଣମାନ ଦେଖାଇ ଆମ ଭିତରେ କାର୍ଯ୍ୟ କରିବ ବୋଲି ବୋଲି ଅପେକ୍ଷା କରି ରହିଥିବା ପୃଥ୍ୱୀଚେତନାର ଆହ୍ୱାନଗୁଡ଼ିକୁ ଅତ୍ୟନ୍ତ ବ୍ୟାହତ କରି ରଖିଛନ୍ତି, ସେମାନେ ହୁଏତ ସେହିପରି କୌଣସି ଗୁରୁବାଦଦ୍ୱାରାହିଁ ଆପଣାକୁ ନିଶ୍ଚୟ ଆବଶ୍ୟକ ଉତ୍ତେଜନା ଦେଇ ରଖିଥିବେ । କେଡ଼େ ଭୟଙ୍କର ସତକୁସତ ସେହି ଉତ୍ସାହଟା !

 

୨୧ । ୮ । ୨୦୦୭

 

ଏକ, ଏକରୁ ଅନେକ, ପୁଣି ଅନେକରୁ ଏକ । ସବାଆଗ ମୁଁ, ମୁଁ ରୁ ଆମେ ଏବଂ ଆମେରୁ ପୃଥିବୀ । ଏକକୁ ଛାଡ଼ି ମୋଟେ କୌଣସି ଅନେକ ହୋଇ ପାରେନାହିଁ କିମ୍ବା ଅନେକକୁ ଛାଡ଼ି ମଧ୍ୟ କୌଣସି ଏକ ସମ୍ଭବ ହୁଏନାହିଁ । ତେଣୁ, ଅନେକ ଭିତରେ ଠାବଟିଏ କରିଥିବା ଯେଉଁଏକ,–ଅନେକରୁ ଏକର ଉପଲବ୍ଧି କରିଥିବା ସେହି ସ୍ତରଟି ଅର୍ଥାତ୍ ସେହି ଅନୁଭବଟି ପରି ମୋଟେ ସେହି ଗୋଟିଏ କଥା ନୁହେଁ । ଠିକ୍ ସେହିପରି ମୁଁ ରୁ ଆମେକୁ ମଧ୍ୟ ନିଶ୍ଚିତ ଭାବରେ ଏକ ପ୍ରସାରଣ ବୋଲି କୁହାଯାଇପାରିବ । ମାତ୍ର, ଯେତେବେଳେ ପୃଥିବୀକୁ ଭୂମି ବା ଆକାଶଟିଏ କରି ମୁଁ ଆପଣାକୁ ବଞ୍ଚି ଶିଖିବି, ସେତେବେଳେ ସିଏ ସେହି ‘ମୁଁ’ଟାର ସ୍ତର ଅର୍ଥାତ୍ ଅନୁଭବାତ୍ମକ ବେଢ଼ାଟି ଭିତରେହିଁ ରହିଛି ବୋଲି କେବେହେଲେ କହି ହେବନାହିଁ ।

 

ବହୁ ବହୁ ‘ମୁଁ’ ତ କେଡ଼େ ଆଗଭର ଏବଂ ଉତ୍ସାହ ସରସର ହୋଇ ‘ଆମେ’ଟାର ବେଢ଼ା ଭିତରେ ଯାଇ ପଶିଯାଆନ୍ତି । ମୋ’ ଜାତି, ମୋ’ର ଦେଶ, ମୋ’ ଠାକୁର, ମୋ’ ଧର୍ମ,–ଇତ୍ୟାଦି ଭଳିଭଳି କେତେକଅଣ । ସେମାନେ ତଥାପି ସେହି ନିପଟ ‘ମୁଁ’ଟାର ଗଧସ୍ତରରେ ଯାଇ ରହିଥାନ୍ତି । ସେଠାକୁ ଆସି ଆହୁରି ଅଧିକ ଫୁଲେଇ ହେବା ଏବଂ ଫୁଲିକରି ରହିବା ନିମନ୍ତେ ନାନା ପ୍ରଶ୍ରୟ ପାଇଥାନ୍ତି । ଜୀବନର ସ୍ୱଭାବଧର୍ମଟିକୁ ମାରା କରିପକାଇବାରେ ନିମିତ୍ତ ହୁଅନ୍ତି । ପୃଥିବୀଟାକୁ ସତେଅବା ଆପଣାର ଗୋଟିଏ କରଦରାଜ୍ୟ ସଦୃଶ ଦେଖୁଥାନ୍ତି । ଏହିପରି ଗୁଡ଼ାଏ ମୁଁ ଏବେ ଆମର ଏହି କାଳଟାରେ ଭିନ୍ନ ଭିନ୍ନ ପଇତା ଏବଂ ପତାକା ଧରି ସତେଅବା ନିଜର ରଣପାଗୁଡ଼ିକୁ ଦଉଡ଼ାଇବାରେ ଖୁବ୍ ଲାଗି ଯାଇଛନ୍ତି । ଅସଲ ‘ମୁଁ’ମାନଙ୍କର ଅପେକ୍ଷା ରହିଛି । ନିବେଦିତ ‘ମୁଁ’ମାନଙ୍କର ଓ ସମର୍ପିତ ‘ମୁଁ’ମାନଙ୍କର ।

 

୩୦ । ୮ । ୨୦୦୭

 

ମୋ’ ଭିତରର ହଁ ହଁ,–ନିତ୍ୟ ପ୍ରୟାସର ହଁ ହଁ ଏବଂ ନିତ୍ୟ ପ୍ରତ୍ୟୟର ହଁ ହଁ,–ପ୍ରାୟ ସବୁଯାକ ଅର୍ଥରେ ତାହାହିଁ ମୋ’ ଭିତରର ଭଗବାନ୍ । ଏବଂ, ପୃଥିବୀ ଭିତରେ ସେହି ହଁ ହଁର ନିତ୍ୟ ଅଦମନୀୟ ସ୍ୱାଭାବିକ ପ୍ରତ୍ୟକ୍ଷବୋଧଟି,–ତାହାହିଁ ମୋ’ପାଇଁ ସେହି ବିଶ୍ୱମୟ ଭଗବତ୍‌–ପ୍ରତ୍ୟକ୍ଷ । ତେଣୁ, ଯାବତୀୟ ନେତି ନେତି ହେଉଛି ଗୋଟିଏ ନାସ୍ତିକତା,–ଆମ ହଁ ହଁଗୁଡ଼ିକୁ ଭଣ୍ଡୁର କରି ରଖିବା ସକାଶେ ଆମକୁ ବିଦ୍ୟାଧରୀ ରୂପରେ ଘାରି ରଖିଥିବା ସମ୍ଭବତଃ ଏକମାତ୍ର ନାସ୍ତିକତା ।

 

ତେଣୁ, କହିଲ ବନ୍ଧୁ, ଏହି ପୃଥିବୀରେ ନାସ୍ତିକ କିଏ ଏବଂ ଆସ୍ତିକ ମଧ୍ୟ କିଏ ? ତୁମେବି କେଉଁଠାକୁ ଦଳବଳ ଧରି ବାହାରିଛ ଭଗବାନଙ୍କୁ ପୁନର୍ବାର ଏହି ପୃଥ୍ଵୀଉପରକୁ ଫେରାଇ ଆଣିବାକୁ ? ନାହିଁ ନାହିଁଗୁଡ଼ାକରେ ତ ସନ୍ତାପିତ ହୋଇ ନିଜକୁ ସଦାକଳହରତ କରି ରଖିଥିବା ମତିହୀନମାନେହିଁ ଆପଣାକୁ ଘୋଡ଼ାଇ ରଖିବାର ଅଭିପ୍ରାୟରେ ପୃଥିବୀଯାକର ଧର୍ମଚ୍ୟୁତ ମଣିଷଙ୍କୁ ଭଗବାନଙ୍କ ପାଖକୁ ଫେରାଇ ଆଣିବେ ବୋଲି ଖାସ୍ ବେଢ଼ା ଓ ଖାସ୍ ମଞ୍ଚାମାନଙ୍କରୁ କେଡ଼େ କେଡ଼େ ପାଟିରେ ରବ କରିବାରେ ଲାଗିଛନ୍ତି । ସେମାନେ ଯୁଗେଯୁଗେ ବହୁ ନାସ୍ତିକତାକୁହିଁ ବାଟ ଛାଡ଼ି ଦେଇଛନ୍ତି । ତେଣୁ ଚାଲ, ଆମେ ଏକତ୍ର ପରସ୍ପରକୁ ଛୁଇଁ କରି ବସିବା,–ଯାହାଦ୍ୱାରା କି ସବାଆଗ ସେହି ହଁ ହଁଟାରହିଁ ପରିଚୟ ପାଇବାକୁ ଲାଗିଥିବା । ନିଜ ଭିତରେ ହଁ ହଁମାନଙ୍କୁ ଅନୁଭବ କରିପାରୁଥିବା ମନୁଷ୍ୟମାନେ କାହିଁକି କେଉଁ ଦୁଃଖରେ ପଡ଼ି ଆଉ କେତେକଙ୍କୁ ଆଦୌ ନାସ୍ତିକ ବୋଲି କହିବେ ? ଏହି ପୃଥିବୀର ସମ୍ଭବତଃ ଅସଲ ଦୁଃଖଟିଏ ହେଉଛି ଯେ, ଏଠି କେତେ ମଣିଷ ସତେଅବା ଆପଣା ପାଖରେ ହାରିଯାଇ ପୃଥିବୀଟାହିଁ ନାସ୍ତିକ ହୋଇଗଲା ବୋଲି କହିବାରେ ଏତେ ବେଶୀ ତତ୍ପରତା ଦେଖାଇବାରେ ଲାଗିଛନ୍ତି । ତେଣୁ ବନ୍ଧୁ, ଚାଲ, ଆମେ ଆପଣାର ହଁ ହଁଗୁଡ଼ିକ ପାଖରେ ପୂରା ନିଦକ ହୋଇ ବସିବା । ଏବଂ, ତେବେ ଯାଇ ତ ପରସ୍ପରକୁ ବନ୍ଧୁ ବୋଲି ଆବିଷ୍କାର କରି ପାରିବା !

 

୫ । ୯ । ୨୦୦୭

 

ଜୟଦେବ କୃଷ୍ଣଭକ୍ତିର କବି । ଜୟଦେବ ସବାଆଗ କୃଷ୍ଣଭକ୍ତି ଏବଂ ତା’ପରେ ଯାଇ କବି । ଆଗ ଭକ୍ତି ଏବଂ ତା’ପରେ ଯାଇ କୃଷ୍ଣଭକ୍ତି । କୃଷ୍ଣ ଅର୍ଥାତ୍ ଯିଏ ଆକର୍ଷଣ କରନ୍ତି । ପ୍ରତ୍ୟେକ ମନୁଷ୍ୟ ଭିତରେ ଭକ୍ତଟିଏ ଅବଶ୍ୟ ରହିଥାଏ । ସେଇ ଆକର୍ଷିତ ହୁଏ । ନିଜର ଲହୁଣୀହାଣ୍ଡି ପାଖରୁ ବାହାରି କେତେବେଳେ ଯେ ସିଏ ଯମୁନାକୂଳ ଯାଏଁ ଆସି ପହଞ୍ଚିଯାଏ, ସେକଥାଟିକୁ ସିଏ ଆପେ ମଧ୍ୟ ଜାଣି ପାରେନାହିଁ । କୃଷ୍ଣହିଁ ମାଧ୍ୟମଟିଏ ହୋଇ କେତେ କୁଆଡ଼େ ଆକର୍ଷିତ କରି ନିଅନ୍ତି । ବାଉଳିମାନେ ସେହି ମାଧ୍ୟମଟିକୁହିଁ ସକଳ ଭକ୍ତିର କାରଣ ବୋଲି ହୁଏତ ଭାବୁଥିବାରୁ ସେହି ଗୋଟିଏ ପ୍ରତୀକ ପାଖରେ ପଡ଼ି ରହିଥାନ୍ତି । ପ୍ରତୀକ ଭିନ୍ନ ହେଉଥିବା ସହିତ ଭକ୍ତିର ମଧ୍ୟ ଭିନ୍ନ ଭିନ୍ନ ମାର୍ଗଧାରାର ଭଣିତା ହୁଏ ଏବଂ ସେହି–ମୁତାବକ ମନ୍ଦିରମାନେ ମଧ୍ୟ ନିଖୁଣ ଗୋଜ ଓ ମୁନ ଅନୁସାରେ ତିଆରି ହୁଅନ୍ତି । ଭକ୍ତି ଆଖର ପଛକୁ ରହିଯାଏ ଏବଂ ଭକ୍ତିମାନେ ନାମାବଳି ପକାଇ ଆପଣାର ସନ୍ତକଗୁଡ଼ିକୁ ସର୍ବସାର କରି ରହିଯାଆନ୍ତି ।

 

ଏବଂ, ସେହି ଆହୁରି ଅନ୍ୟମାନେ ମଧ୍ୟ କେତେ ଅଧିକ ପରିମାଣରେ ଅରସିକ ହୋଇ ନଥିବେ, ଯେଉଁମାନେ କି ଆମର ଚଉଦିଗରେ କବି ଜୟଦେବଙ୍କୁ ଏ ରାଜ୍ୟର ବା ସେ ରାଜ୍ୟର ବୋଲି ରଡ଼ି ରଡ଼ି ବହପ ସାରନ୍ତି । ଶାସ୍ତ୍ର ପ୍ରମାଣମାନ ବାଢ଼ିଦେବାରେ ଲାଗିଥାନ୍ତି । ସତେଅବା ଗୋଟାଏ କ’ଣ ମକଦ୍ଦମାରେ ଜିତିବେ ବୋଲି ଧାଇଁଥାନ୍ତି । ଏହି ଅନନ୍ୟ କବିଜଣକ ଆମର ବୋଲି ରାବ ଦେଇ ଏମାନେ ଯେତେବେଳେ ମଞ୍ଚ ଉପରେ ପାଲା ଲଗାନ୍ତି, ସେତେବେଳେ ସେମାନେ ପ୍ରକୃତରେ କାହାର ଆକର୍ଷଣରେ ସେସବୁ କରୁଥାନ୍ତି କେଜାଣି ? ସେମାନେ ହୁଏତ ଆପେ ମଧ୍ୟ ସେହି କଥାଟିକୁ ଜାଣିବା ନିମନ୍ତେ ମୋଟେ ମନ କରିବେନାହିଁ । ବରଂ, ଆମେ ଆମ ତରଫରୁ ସେମାନଙ୍କର ନାଡ଼ିଗୁଡ଼ିକୁ ଦେଖି ସେଇଟି ବିଷୟରେ କିଞ୍ଚିତ୍ ଅନୁମାନ କରି ପାରିବା ।

 

୧୯ । ୯ । ୨୦୦୭

 

କୌଣସି ଆଦର୍ଶ ହେଉଛି ଯଥାର୍ଥରେ ଏକ dialogue,–ଏବଂ, ଯେତେବେଳେ କୌଣସି କାରଣରୁ ଡାଇଲଗ୍‌ର ସେହି ପ୍ରକ୍ରିୟାଟି ବନ୍ଦ ହୋଇଯାଏ, ସେତେବେଳେ ଆଦର୍ଶ ଗୋଟିଏ ଆଦର୍ଶବାଦରେ ପରିଣତ ହୋଇଯାଏ । ଆଦର୍ଶ ଏକ ଆକର୍ଷଣ, ଏବଂ dialogue ସେହି ଆକର୍ଷଣର ଗୋଟିଏ ନିତ୍ୟ–ପ୍ରକ୍ରିୟାର ମାଧ୍ୟମରେ ଏକ ଉପଲବ୍ଧି । ଉପଲବ୍ଧି ପରେ ଉପଲବ୍ଧି । ଖିଏ ଖିଏ କରି ସଜାଡ଼ି ଆଣି କହିଲେ, ସମଗ୍ର ଅସଲ ଧର୍ମଟି ହେଉଛି ଏକ ଉନ୍ମୀଳନ, ଉତ୍‌କ୍ରମଣ ଏବଂ ଆରୋହଣ । ଭିତରେ ପୁଣି ଏତେ ଏତେ ଶିଖର ରହିଥାଏ ବୋଲି ଅଙ୍ଗେ ନିଭାଇବାକୁ ହେଲେ ଅନୁରୂପ ଆଦର୍ଶଟିଏ ମଧ୍ୟ ସାଙ୍ଗରେ ରହିଥିବା ଉଚିତ,–ସାଙ୍ଗ ହୋଇ ଅବିରାମ ଭାବରେ କତିରୁ ଆହୁରି କତିକୁ ଯିଏ ବାଟ କଢ଼ାଇ ନେଉଥିବ ।

 

ପୁନଶ୍ଚ, ବାହାରେ ମଧ୍ୟ ଏତିକି ଏତିକି ଆରୋହଣର ଏହି ସଦା–ଚୁନୌତିଟି ? କେତେ ବାଟ,–କେତେ ଅନୁରାଗପୂର୍ଣ୍ଣ ଏହି ନାନାବିଧ ସହଜତା,–ସେଇଥିରୁ କ’ଣ ଏହି ଜଙ୍ଗଲ ଭିତରେ ନିଜପାଇଁ ଯେ ବାଟଟିଏ ଦିଶିଯାଏ, ସେକଥା ଆଦୌ ଜାଣି ହୁଏନାହିଁ । ନିଜର ବାଟଟି ଦିଶି ଯାଉଥିବା ସହିତ ଏହି ସକଳ ମାର୍ଗଚାରୀମାନଙ୍କର ମଧ୍ୟ ଗୋଟିଏ ମାର୍ଗ ରହିଛି କେଡ଼େ ଅନାବିଳ ଅଚାନକତାରେ ମଧ୍ୟ ଦୃଢ଼ ପ୍ରତ୍ୟୟଟିଏ ହେବାକୁ ଆରମ୍ଭ ନକରେ ! ନାଇଁ, କେବଳ ମୋ’ରି ଗୋଟିଏ ମାର୍ଗ ରହିଛି ଏବଂ ତେଣୁ, ଆଦର୍ଶଟିଏ ମଧ୍ୟ ରହିଛି, ଅନ୍ୟମାନେ ସେଗୁଡ଼ିକଠାରୁ ବହୁଦୂରରେ ଅଥବା ବହୁ ପଛରେ ଯାଇ ପଡ଼ିଛନ୍ତି କିମ୍ବା ସେଗୁଡ଼ିକୁ ଆଦର୍ଶ ଏବଂ ମାର୍ଗ ବୋଲି କୁହାଯାଉଥିଲେ ମଧ୍ୟ ମୋ’ର ଏହି ନିର୍ଭୁଲ ଘରତରାଜୁଟି ଅନୁସାରେ ସେଗୁଡ଼ିକୁ ମାର୍ଗ ବା ଆଦର୍ଶ ବୋଲି କଦାପି କହିବା ଉଚିତ ନୁହେଁ,–ପୃଥିବୀଯାକ ଖାସ୍ ସେଇଥିରୁହିଁ ସମ୍ଭବତଃ ସବୁ ଆଦର୍ଶବାଦର ଆରମ୍ଭ ହୋଇଥାଏ କି ? ପୃଥିବୀରେ ଆଦର୍ଶବାଦୀମାନଙ୍କୁ କେତେ ଚଟ୍ କରି ଆପଣାର ଉପପାଦ୍ୟଗୁଡ଼ିକୁ ପ୍ରମାଣ କରି ନେଇ ଲଦିଦେବାର ତଡ଼ାବାଡ଼ି ଏବଂ ଗୁଳିବାରୁଦମାନବି ମିଳିଯାଏ । ଆଦର୍ଶର ଦ୍ଵାହି ଦେଇ ଏହି ଆଦର୍ଶବାଦମାନେହିଁ ଘୋର କୁହେଳିକାଦ୍ଵାରା ମାନବୀୟ ବିବେକଗୁଡ଼ିକୁ ଆଚ୍ଛନ୍ନ କରି ରଖନ୍ତି ।

 

୨୦ । ୯ । ୨୦୦୭

 

ମୁଁ ସହମନୁଷ୍ୟମାନଙ୍କୁ ଖୋଜି ବୁଲୁଛି । ସହଚାରୀ ମନୁଷ୍ୟ, ବାଟ ଚାଲୁଥିବା ମନୁଷ୍ୟ, ଆପେ ଚାଲୁଥିବାରୁ ମୋତେ ମୋ’ ଚାଲିବାରେ ବଳ ଦେଇପାରୁଥିବାର ମନୁଷ୍ୟ ଭେଟଗୁଡ଼ିକ ବଢ଼ିବାରେହିଁ ଲାଗିଛନ୍ତି । ସେମାନେ କେଡ଼େ ସହଜଚିତ୍ତ ହୋଇ ସତକୁସତ ବାଟଟିଏ ଚାଲିବାପାଇଁ ବାହାରିଛନ୍ତି ବୋଲି ମୋତେ ନାନାବିଧ ପ୍ରତ୍ୟୟ ଦେଉଛନ୍ତି । କିନ୍ତୁ, କ’ଣ ସବୁ ଅଡ଼ୁଆ ଆସି ପହଞ୍ଚି ଯାଇଛନ୍ତି କେଜାଣି, ସେମାନେ ମୋ’ର ଅନୁଗତ ହୋଇ ପଡ଼ୁଛନ୍ତି । ମୋତେ ନିଜର କରି ନେଉଛନ୍ତି, ମୋ’ଲାଗି କେତେ ଚିନ୍ତା ମଧ୍ୟ କରୁଛନ୍ତି । ମାତ୍ର, ଏସବୁରେ ମଜ୍ଜି ରହି କେଉଁଠି କେଉଁ ଅପପ୍ରେରଣାମାନ ପାଇ ଯାଉଛନ୍ତି କି କ’ଣ କେଜାଣି, ଆପଣାର ବାଟଟି ବିଷୟରେ ପ୍ରାୟ ଚାହୁଁଚାହୁଁ ବିସ୍ମୃତ ହୋଇ ଯାଉଛନ୍ତି ।

 

ମୁଁ ଯେ ସାଙ୍ଗ ଚାହୁଁଥିଲି,–ଏପରି ଏକ ଏକପାଖିଆ ଆନୁଗତ୍ୟ ଲୋଡ଼ି ସେମାନଙ୍କ ମୁଁ ମୋଟେ ସେମାନଙ୍କ ପାଖକୁ ଯାଇ ନଥିଲି, ଏହି କଥାଟି ସେମାନଙ୍କୁ ମୁଁ କିପରି ବା ବୁଝାଇଦେଇ ପାରିବି ! ଏଇଟି କ’ଣ ସଂସ୍କୃତିର ଦୋଷ, ଏକ ତତ୍ତୁଲ୍ୟ ପ୍ରାରବ୍ଧର ଦୋଷ,–ଅଥବା, ନିଜ ଭିତରେ ଏକ ଯେତିକି–ସେତିକିରୁ ବାହାରି ବାଟଟିଏ ଚାଲିବା ନିମନ୍ତେ ସେପରି କୌଣସି ଅନିଚ୍ଛାରହିଁ କରାମତି ? ସମସ୍ତେ ସବାଆଗ ଜଣେ ଜଣେ ବନ୍ଧୁ, ଏବଂ ତେଣୁ, ଯାବତୀୟ ଆନୁଗତ୍ୟ ଜଣେ ବନ୍ଧୁର ବନ୍ଧୁ ପ୍ରତି ରହିଥିବା ସେହି ଖାସ୍ ଆକର୍ଷଣଟିରୁହିଁ ଜନ୍ମ ନେଇଥାଏ । ସହଚାରିତାକୁ ବାଦ୍ ଦେଇ ଏହା ଯେତେ ଯେତେ ଆନୁଗତ୍ୟ, ତଦ୍ଦ୍ଵାରା ଖୁଆଡ଼ମାନେହିଁ ପ୍ରଧାନତଃ ବହଳ ହେବାରେ ବହୁବିଧ ପ୍ରଶ୍ରୟ ଲାଭ କରୁଥାନ୍ତି । ମୂଳତଃ, ଏକ ସହଚାରିତାହିଁ ଜଣେ ବ୍ୟକ୍ତି ତଥା ଏକ ସମୂହକୁ ପ୍ରକୃତ ଅର୍ଥରେ ସୁସ୍ଥ ଏବଂ ସୁନମନୀୟ କରି ରଖିଥାଏ ।

 

୨୪ । ୯ । ୨୦୦୭

 

ସ୍ଵପ୍ନ ଦେଖୁଥିବା ସମୟରେ ସ୍ଵପ୍ନ ଦେଖୁଥିବା ମନୁଷ୍ୟମାନେ ଶୋଇଥାଆନ୍ତି । ସତେଅବା ଆଉଏକ ଚେତାର ଏକ ଅନ୍ୟ ଭୁବନରେ ସେମାନେ ସେତେବେଳେ ରହି ଥାଆନ୍ତି । ନିଦରୁ ଉଠିବା ପରେ ସାଧାରଣତଃ ସେହି ସ୍ଵପ୍ନବିହାର ସମୟର କଥାଗୁଡ଼ିକ ମନେବି ନଥାଏ । ତଥାପି କେତେ ମଣିଷ ଦେଖିଥିବା ସ୍ଵପ୍ନଗୁଡ଼ିକୁ ବେଶ୍ ମନେ ରଖିଥାଆନ୍ତି । ଏବଂ କେତେ ଆକୁଳ ବ୍ୟାକୁଳ ହୋଇ ସେଗୁଡ଼ିକୁ ନେଇ ଘାରିହୋଇବି ରହିଥାନ୍ତି । ସେହି ଅନୁସାରେ କେତେ ଖୁସୀ ହୁଅନ୍ତି ଏବଂ କେଡ଼େ ବିରସ ଓ ବିଷଣ୍ଣ ହୋଇ ରହିଥାନ୍ତି । ସ୍ଵପ୍ନବିଜ୍ଞାନୀମାନେ ସ୍ଵପ୍ନତତ୍ତ୍ଵମାନଙ୍କର ସାହାଯ୍ୟରେ ବେଶ୍ ପ୍ରଗଳ୍‍ଭ ହୋଇ ବହୁତ କଥା କହନ୍ତି ସିନା, ତଥାପି, ଆମେ ଦେଖୁଥିବା ସ୍ଵପ୍ନଗୁଡ଼ିକଦ୍ଵାରା ଆମର ବାହାର ତଥା ଭିତର ମଧ୍ୟରେ ଯେଉଁ ଖିଅଟି ଅବଶ୍ୟ ଲାଗି ରହିଥିବ, ସେଇଟି ବିଷୟରେ ସେମାନେ କାର୍ଯ୍ୟତଃ କେତେଗୁଡ଼ିଏ ଅନୁମାନର ସ୍ତରରେହିଁ ରହିଥିବା ପରି ମନେ ହୋଇଥାଏ ।

 

ମୁଁ ବି ରାତିଯାକ ସ୍ଵପ୍ନ ଦେଖୁଥାଏ ଏବଂ ବିଛଣାରୁ ଉଠିବାମାତ୍ରକେ ସେଗୁଡ଼ିକ ବେଶ୍ ସାବଲୀଳ ଭାବରେ ଭୁଲି ହୋଇ ଯାଆନ୍ତି । ଆଦୌ କିଛି ଛାଡ଼ି ଆସିଲି ବୋଲି ମୋଟେ ଲାଗେନାହିଁ । ଏବଂ, ଏହି ତଥାକଥିତ ଜାଗ୍ରତ ଜୀବନରେ କ’ଣ କମ୍ ସ୍ଵପ୍ନ ? ସେଇ ଭିତରର ସ୍ଵପ୍ନସାନ୍ନିଧ୍ୟରୁ ଚରୁ ଆଣି ବାହାରର ଏହି ଯାବତୀୟ ସ୍ଵପ୍ନ ସଚଳତା । ଏଠି ଏହି ନାନାବିଧ ମେଳ ସହିତ ମୋଟେ ସତେଅବା ଜଣେ ଚିହ୍ନା ଦୋସର ପରି ସଂଲଗ୍ନ କରି ରଖିଥାଏ ଏବଂ ପଛରେ କ’ଣସବୁ ଛାଡ଼ିଆସିଲି ବୋଲି ମୋଟେ ଲାଗେନାହିଁ । ମୋ’ ଭିତରେ ରହି ବାହାରେ ଏହି ତଥାକଥିତ ବାସ୍ତବଟି ମଧ୍ୟରେ ମୋତେ ଏହି ଅସୁମାରି ସ୍ଵପ୍ନ ଦେଖାଉଥିବା ହେ ମୋ’ର ସ୍ଵପ୍ନରୂପୀ ସେହି ସମ୍ପତ୍ତିଟିର ପରମ ଅଧୀଶ୍ଵର, ସେହି ଖିଅଟିକୁ ଲଗାଇ ରଖିବାରେ ତୁମେହିଁ ସର୍ବଦା ମୋ’ର ଅସଲ ନିର୍ଭରଶୀଳା ହୋଇ ରହିଥିବ । ହେ ପ୍ରଭୁ ! ତୁମେ ମୋ’ପାଇଁ ସ୍ଵୟଂହିଁ ସେହି ଖିଅଟି ହୋଇ ରହିଥିବ ।

 

୨୯ । ୯ । ୨୦୦୭

 

ଯାବତୀୟ ଔଷଧ,–ସେଗୁଡ଼ିକ ହେଉଛନ୍ତି ଗୋଟିଏ ଗୋଟିଏ acid,–ସହାୟକମାତ୍ରା ଅସଲ ଭେଷଜଟି ହେଉଛି ଏକ ମେରୁଦଣ୍ଡ, ଏକ affirmation,–ମାତ୍ର ସେହି ମେରୁଦଣ୍ଡଟି କ’ଣ କେବଳ ବାହାରେ ?

 

ବିଶେଷଜ୍ଞମାନଙ୍କର ଯନ୍ତ୍ରମାନେ ଅସଲ ମେରୁଦଣ୍ଡଟିକୁ ମୋଟେ ମାପି ପାରିବେନାହିଁ । ଏବଂ ସମ୍ଭବତଃ, ମାପି ପାରିବେନାହିଁ ବୋଲି ଖୁବ୍ ଜାଣିଥିବାରୁହିଁ ସେମାନେ ଆମର ଚିକିତ୍ସା କରୁଥିବା ସମୟରେ ଆମର କୌଣସି ରୋଗଟା ବିଷୟରେ ଆପଣାର ମାପଯନ୍ତ୍ରଗୁଡ଼ିକଦ୍ଵାରା ସବୁ ଜାଣିଗଲେ ବୋଲି କେତେ ଦେଖାଇ ନହୁଅନ୍ତି ! ସେମାନେ ଆମ ଦେହଟାକୁ ଆମ ଜୀବନରେ ସମ୍ଭବ ହୋଇ ପାରିଥିବା affirmationଟିର ସମ୍ପୂର୍ଣ୍ଣ ବୃତ୍ତଟି ମଧ୍ୟରୁ ବାହାର କରି ନେଇଯିବା ପାଇଁ ସତେଅବା କୌଣସି ଚକ୍ରାନ୍ତ କରୁଥାଆନ୍ତି କି ? ଜଣେ ଡାକ୍ତର ମଧ୍ୟ କ’ଣ କେବଳ ଡାକ୍ତରଟିଏ ? ଜଣେ ବିଶେଷଜ୍ଞ କ’ଣ କେବଳ ବିଶେଷଜ୍ଞଟିଏ ? ଆପଣାର ଜୀବିକାବୃତ୍ତିଟିକୁ ଶୁଖିଲା ପାଚିଲା କରି ରଖିବା ନିମନ୍ତେ ଆମର ଡାକ୍ତର ଏବଂ ବିଶେଷଜ୍ଞମାନେ କ’ଣ ନିଜପାଖରେ କମ୍ ହରକତ୍ ହେଉଥିବେ ? ସେମାନଙ୍କୁ ସମୂର୍ଣ୍ଣ ଗୋଟାଏ କରି ଧରି ରଖିଥିବା ମୂଳ ଭିତରଟି ଯେତେ ମଙ୍ଗୁ ନଥିଲେ ମଧ୍ୟ ସେମାନେ ତୁଚ୍ଛା ମୁଖାଟାକୁହିଁ ପରିଚୟ–ଫଳକରୂପେ ବ୍ୟବହାର କରି ସିନା ବଜାରକୁ ବାହାରିଥିବେ ! ମୋ’ର ଏହି ମୁଖାଟିରୁହିଁ ହେ ସଂସାରବାସୀ ତୁମେମାନେ ମୋତେ ଚିହ୍ନ ବୋଲି ଯେତେ ଫାନ୍ଦ ପାତି କହୁଥିଲେ ମଧ୍ୟ ଆପଣାର ଘରଟି ଭିତରେ ନିଜ ପାଖରେ ସତେ ଯେପରି ଚାହାଳିଚୋର ହୋଇ ରହିଥିବେ । ଆମ ସାଧାରଣ ଏହି ଅପରମାନଙ୍କର ସମ୍ଭବତଃ ମହାଭାଗ୍ୟ ଯେ, ଆମକୁ ବିଶେଷଜ୍ଞମାନେ ଯେତେବି ଗୋଟାଏ ଖାସ୍ ରୋଗର ଦୈର୍ଘ୍ୟପ୍ରସ୍ଥ ଭିତରେ ଖୁନ୍ଦିଖାନ୍ଦି ଦେଖିବା ସକାଶେ ତତ୍ପର ହୋଇ ରହିଥିଲେ ମଧ୍ୟ ତଥାପି ଆମ ଭିତରର ସମ୍ପୂର୍ଣ୍ଣ ଅନୁଭବଟି ଅନୁସାରେହିଁ ଆମେ ପରିଚାଳିତ ହେଉଥାଉ,–ସେହି ବିଶେଷଜ୍ଞମାନେ ଆମର ଯେତିକି ଦେଖିବାପାଇଁ ଇଚ୍ଛା କରନ୍ତି, ଆମେ ସେମାନଙ୍କୁ ସେତିକି ମାତ୍ର ଦେଖାଉ, ସେମାନଙ୍କୁ ଖୁବ୍ ଠକିବାରେ ଲାଗିଥାଉ । ଏବଂ ଆନନ୍ଦ ପାଉ ।

 

୪ । ୧୦ । ୨୦୦୭

 

ଆତ୍ମ–ନିଷ୍ଠା ଏବଂ ଗାନ୍ଧୀ–ନିଷ୍ଠା । ଆତ୍ମ–ନିଷ୍ଠାରୁହିଁ ଗାନ୍ଧୀ–ନିଷ୍ଠା ବୋଲି କହିଦେବାବେଳକୁ ହୁଏତ କେଉଁଠାରେ କ’ଣ ଗୋଟାଏ ଅଡ଼ୁଆ ରହି ଯାଉଥିବା ପରି ଖୁବ୍ ଲାଗୁଥିଲେ ମଧ୍ୟ ତଥାପି ସେହି କଥାଟିକୁ କଦାପି ଗୋଟାସୁଦ୍ଧା ଉଡ଼ାଇ ଦେଇ ହେବନାହିଁ । ହଁ, ଆତ୍ମ–ନିଷ୍ଠା ଏବଂ ଗାନ୍ଧୀ–ନିଷ୍ଠା ଏବଂ ମଝିରେ ସେତୁଟିଏ ପରି ରହିଥିବା ଜଗତ୍‌ନିଷ୍ଠା ଏଣୁ ସେଠାକୁ ଯିବାକୁ ବସିଲେ ସେହି କଥାଟି ବସ୍ତୁତଃ ଗୋଟିଏ ସେତୁ ଭଳି କାର୍ଯ୍ୟ କରିଥାଏ । ଗାନ୍ଧୀ ଭାରି ସହଜ ହୋଇ ଆସନ୍ତି, ଆପଣାର ଏହି ଜୀବନନାମକ ପୁଞ୍ଜିଟିର ଯଥାର୍ଥ ବଣିଜଟି ନିମନ୍ତେ ପ୍ରକୃତରେ କେଡ଼େ ସହଜ ବାଟସବୁ ଦିଶିଯାଏ । ନିଜକୁ ଭାରି ସହଜ ଲାଗେ ଏବଂ, ତେଣୁ ଗାନ୍ଧୀ ମଧ୍ୟ ସହଜ ଲାଗନ୍ତି,–ପୂରାପୂରି ପାଖ ହୋଇ ରହିଥିବା ପରି ଆମକୁ ମଧ୍ୟ ହାତ ଧରି ସାଥିରେ ନେଇଯିବା ଲାଗି ଡାକୁଥିବା ପରି ମନେ ହୋଇଥାନ୍ତି ।

 

ଅସଲ ନିଷ୍ଠା ହେଉଛି ଧର୍ମତଃ ଏକ ଦେବାର ନିଷ୍ଠା । ମାତ୍ର, ଯଦି ତଥାକଥିତ ନେବାର ଏବଂ ନିଜର ଏହି ତାତ୍କାଳିକ ଲୋଭମାନଙ୍କର ଗାତଗୁଡ଼ିକୁ ପୂର୍ଣ୍ଣ କରିବାର ସେହି ଅନ୍ୟ ନିଷ୍ଠାଟି ଆମର ଯାବତୀୟ ବଞ୍ଚିବାର ଦାଣ୍ଡଗୁଡ଼ିକୁ ମାଡ଼ି ବସିଥାଏ, ତେବେ ଗାନ୍ଧୀ ତ ଦୂରର କଥା, ମଣିଷମାନେ ଆପେ ମଧ୍ୟ ଆମର ଆଖିରେ ଆଦୌ ସ୍ଵଚ୍ଛ ହୋଇ ଦେଖା ଯାଆନ୍ତିନାହିଁ । ମୋ’ ନିଜର ସର୍ବବିଧ ପ୍ରୀତି ଅର୍ଥାତ୍ ସମ୍ପୃକ୍ତି ମୋ’ଠାରୁ ଅନେକ ବଡ଼ ଏହି ପୂରା ପୃଥିବୀଟାପାଇଁହିଁ ହୁଏତ ଏକାବେଳେକେ ସିଆଡ଼ୁ ଅର୍ଥାତ୍ ମୋ’ର ଆଉ କୌଣସି ଅସଲ ଘରୁହିଁ ନିର୍ଦ୍ଧାରିତ ହୋଇ ଆସିଥିବା ପରି ଅନୁଭବ ହୁଏ । ଏବଂ ତା’ପରେ ହାତ ବୁଲାଇଦେବାକ୍ଷଣି ଗାନ୍ଧୀଙ୍କୁ ସ୍ପର୍ଶବି କରିହୁଏ । ଅର୍ଥାତ୍ କେତେକଅଣକୁ ଅତ୍ୟନ୍ତ ସହଜରେହିଁ ସ୍ପର୍ଶ କରି ହୁଏ ।

 

୧୦ । ୧୦ । ୨୦୦୭

 

ସୁଯୋଗମାନେ ଆସନ୍ତି । ଅସଲ ସୁଯୋଗମାନେ ସତେଅବା କୌଣସି ବିନୋଦିଆ ବନ୍ଧୁଟିର ବୋଲି ମାନି ପ୍ରାୟ କୌଣସି ବିଶ୍ଵବିଧାନର ପାଳନ କରୁଥିବା ପରି ବିଶେଷ ଭାବରେ ଚକିତ କରିଦେଇ ଆସନ୍ତି । ମୁଁ ତ କେବେହେଲେ ‘ନାହିଁ ନାହିଁ’ ‘ମୁଁ ପାରିବି ନାହିଁ’ର ଆୟତ୍ତଟା ଭିତରେ ନିଜକୁ ନିଜେ ବାନ୍ଧି ରଖିଥାଏ,–ଖୁବ୍ ଅଳପ ସହିତ କୌଣସି ସଲା କରିଥିବା ପରି । ତେଣୁ, କୌଣସି ସୁଯୋଗ ଆସି ପହଞ୍ଚିଲେ ହଠାତ୍ ଆଖି ଭିତରଟା ଓଦା ହୋଇ ଆସିବା ପରି ଲାଗୁଥାଏ । ମୁଁ ତ ନିଜେ ନିଜକୁ ନିଜର ନିତ୍ୟତାତ୍କାଳିକ ଜରିବଗୁଡ଼ାଏ ଭିତରେ ଜବତ କରି ରଖିଥିଲି, ଏବଂ ତଥାପି କିଏ ଆସି ମୋତେ ଗୋଟାଏ ଗୋଟାଏ ଏଡ଼େ ବିରାଟ ପାଖରେ ଆଣି ହାବୁଡ଼େଇ ଦିଏ ? ମୋତେ ମୋ’ ନିଜ ଘରକୁ ଫେରାଇହିଁ ନେଇଆସେ । ଏବଂ କୃତଜ୍ଞତାରେ ଭିତର ଏବଂ ବାହାର ସେତେବେଳେ କେଡ଼େ ଉଜ୍ଜ୍ୱଳ ମଧ୍ୟ ଦେଖା ନଯାଉଥାଏ !

 

ହଁ, God proposes ଏବଂ man disposes,–ଭଗବାନ ଅପେକ୍ଷା କରୁଥାଆନ୍ତି ଏବଂ ମଣିଷ ଅଳପ ଭିତରେହିଁ ନିରାପଦ ହୋଇ ରହିବ ବୋଲି ଗୋଟାଏ ଫୁଲେଇ ଭର୍ତ୍ତି ଫୁସୁଲା ଭିତରେ ସତେଅବା କାହାର ମିଛପ୍ରରୋଚନା ଭିତରେ ରହିଯିବାକୁ ଏକ ପ୍ରତ୍ୟୁତ୍ପନ୍ନମତିତାର ପରିଚୟ ବୋଲି ମଣି ସେହି କ୍ଷୟକାରୀ ନିଜ ଚିହ୍ନା ଅଳପଟିକୁ ଆବୋରି ପଡ଼ି ରହିଥାଏ । ଚାହାଳିଚୋର ହୋଇ ରହିବାରୁ ସତେଅବା ଗୋଟିଏ ଅପାର ଆନନ୍ଦ ଲାଭ କରୁଥାଏ । ହଁ, ଆଶା କରି ବସିଥାନ୍ତି ଏବଂ ଗେହ୍ଲା ମଣିଷଟି ଫାଙ୍କି ଦେବାରେ ଲାଗିଥାଏ । ଏବଂ, ନିଜକୁ ଅଯୋଗ୍ୟ ବୋଲି କହି ବାଆଁରେଇ ହେବାକୁ ନମ୍ରତା ବୋଲି କହି ଶିଖିଥାଏ ବୋଲି ସଂସାରଟାକୁ ମଧ୍ୟ ତୁଚ୍ଛ ବୋଲି କହେ । ଏହିପରି କୌଣସି ମୂଳଭୂତ negation ହେତୁ ଆମରି ପ୍ରୀତ୍ୟର୍ଥେହିଁ ଆମ ଭିତରର ମିଛ ପଣ୍ଡିତଟା ମାୟାବାଦ ନାମକ ସେହି ଦାର୍ଶନିକ ଚାତୁର୍ଯ୍ୟଟାକୁ ସତେଅବା କେଡ଼େ ଉଚ୍ଚ ଗୋଟିଏ ରକ୍ଷାପାଚେରୀ ଭଳି ଆପଣାର ଚାରିପାଖରେ ଠିଆ କରି ରଖିଥାଏ କି ?

 

୧୩ । ୧୦ । ୨୦୦୭

 

Growing up is not absurd,–ଜୀବନର ଏହି ନିତ୍ୟ ଘରଟିଏ ନାନାବିଧ କାରଣରୁ growing upର ମୂଳଭୂତ ସୁସ୍ଥ ଧର୍ମଟି ବ୍ୟାହତ ହୋଇ ରହିବାକୁ ଆରମ୍ଭ କଲେ ସମ୍ଭବତଃ କୌଣସି ନା କୌଣସି absurdity ଆସି ପହଞ୍ଚିଯାଏ ଏବଂ ସତେଅବା ଜଣେ ପ୍ରତ୍ୟାଶିତ ବନ୍ଧୁପରି ଭାରି ଭୁଲାଇ ନେବାକୁ ଇଚ୍ଛା କରୁଥାଏ । ପ୍ରକୃତରେ କୌଣସି ଏକ ଉଦ୍ଭଟତା ଆମକୁ ଖୋଜି ବାହାରିଥାଏ ନା ଆମେ ଆପଣାଆଡ଼ୁ ହଁ ଗୋଟିଏ ଉଦ୍ଭଟ ଜୀବନ ନିମନ୍ତେ ଅପେକ୍ଷା କରି ରହିଥାଉ, ପୂରା କୌଣସି ଅଙ୍କଟାଏ କଷି ଛିଣ୍ଡାଇ କହିଦେବା ପରି ସେହି କଥାଟିକୁ କେହି କହିଦେଇ ପାରିବନାହିଁ । ସତରେ କ’ଣ କୌଣସି ଆବଶ୍ୟକ ଗରଜରେ ପଡ଼ି ମନୁଷ୍ୟମାନେ absurd ହେବାକୁ ମନ କରନ୍ତି ?

 

ଆମର ସାହିତ୍ୟକୁ ମଧ୍ୟ ଦଳେ ଆମୋଦଧର୍ମୀ ମଣିଷ ଏକ ଉଦ୍ଭଟ ବ୍ୟାପାର ବୋଲି କହୁଛନ୍ତି । ଏହିପରି ସାହିତ୍ୟଟିଏ ସେମାନଙ୍କର ଧାତୁଟିକୁ ବେଶ୍ ସୁହାଉଛି ବୋଲି ସେହିପରି କରୁଛନ୍ତି କି ? ଏହି ଆକାଶ ରହିଛି, ଗୋଡ଼ତଳେ ମାଟି ରହିଛି, ଛାତିତଳେ ଏମିତି ଗୋଟିଏ ନିଲଠା ଉଷୁମ ରହିଛି ଯାହାକି ଦୁନିଆଯାକର ମଣିଷଙ୍କୁ ତା’ର ଏହି ସ୍ଥାନୀୟ ବେଢ଼ାଟି ମଧ୍ୟରେ ଥାନ ଦେଇ ପାରିବ ବୋଲି ଅଥୟ ହୋଇ ଉଠୁଛି । ପେଟ ପୂରିବା ଆଗରୁ ହୁଏତ ପେଟଟା ପୂରିଗଲା ବୋଲି ଅନୁଭବ କରି ପାରୁଛି,–ଏହି ବର୍ତ୍ତମାନଟା ସହିତ ମିତ ବସି ଏବଂ ତଦ୍ଦ୍ଵାରା ନିଜ ଭିତରର ନିବିଡ଼ ଆହୁରି କେତେକଅଣ ସହିତ ମିତ ବସି ସିଏ ଏହି ଅନ୍ଧାରମାନେ ତଥାପି ରହିଥିଲେ ମଧ୍ୟ ରାତିଟା ପାହି ଆସିଲାଣି ବୋଲି ଏକ ପ୍ରତ୍ୟକ୍ଷ ଅନୁଭବଦ୍ଵାରା ନିଜର ବହୁ ବହୁ inertiaକୁ ପାର ହୋଇଯାଉଛି । ଏବଂ, ଏହି ସବୁକିଛିକୁ ଏକ ବାସ୍ତବ ସହିତ ଏକାଠି ଫେଣ୍ଟି ସିଏ ନିଜର ଯେଉଁ ହୃଦୟଟିକୁ ପ୍ରସାରିତ କରିଦେଇ ଆଗକୁ ଆହୁରି ଆଗକୁ ଏବଂ ସତତ ଆଗକୁ ଦେଖାଇଦେଇ ପାରୁଛି,–ତାହାହିଁ ହେଉଛି growing up,–ତାହାହିଁ ଜୀବନ ଓ ତାହାହିଁ ସର୍ବବିଧ growing up ନିମନ୍ତେ ଅକଳନ୍ତି ସେହି ଶ୍ରଦ୍ଧାଟି ।

 

୧୯ । ୧୦ । ୨୦୦୭

 

ମୋ’ ପରି ଗୋଟାଏ ନିତାନ୍ତ ନାସ୍ତିକ ନିମନ୍ତେ ମୋ’ ଆସ୍ପୃହାମାନଙ୍କର ଏତେ ଏତେ ଅନୁକମ୍ପା କାହିଁକି କେଜାଣି ? ସମ୍ଭବତଃ ଅସଲ ଆସ୍ତିକ ସେଇ, ଯିଏ ଗୋଟାଏ ଆଡ଼କୁ ଆସି ସେହିଠାରେ ଆଦୌ ଅଟକି ଯାଏନାହିଁ । ସିଏ ପହଞ୍ଚି ଥିବାର ସେହି ସ୍ଥାନଟିକୁ ସର୍ବୋଚ୍ଚ ଏହି ଏକମାତ୍ର ବୋଲି ଆପଣାକୁ ଫୁସୁଲାଇ ପକାଇ ସେହି ଫାନ୍ଦଟା ଭିତରେ ମୋଟେ ପଡ଼ି ଯାଏନାହିଁ ।

 

କେବଳ ବର୍ତ୍ତମାନର ଏହି କାଳଟାରେ ନୁହେଁ, ସବୁକାଳେହିଁ, ଯେଉଁମାନେ କ’ଣ ସବୁ ପ୍ରକୋପରେ ପଡ଼ି ଆପଣାର ପଥଟିକୁ ଏକମାତ୍ର ଫଳପ୍ରଦାୟକ ପଥ ବୋଲି ଘୋଷଣା କରି ଆମ ସମସ୍ତଙ୍କର ପ୍ରୀତିନାମକ ଏହି ବିବେକଟିକୁ ଭାରି ଚହଲାଇ ପକାନ୍ତି, ପୃଥିବୀରେ ସେହିମାନେହିଁ ଗୁରୁ ହୁଅନ୍ତି ଏବଂ ସମ୍ପ୍ରଦାୟ ନାମକ ଗୋଟିଏ ସାମ୍ରାଜ୍ୟର ପ୍ରତିଷ୍ଠା କରନ୍ତି । ସେମାନେ କେତେ ବାହାଦୁରି ଦେଖାଇ ହୋଇଥାନ୍ତି । ସତେଅବା ମନୁଷ୍ୟମାନଙ୍କ ଉପରେ ଦାଉ ସାଧୁଥିବା ପରି ସେମାନଙ୍କୁ ଖାସ୍ ଘୁଙ୍ଗୁରମାନ ପିନ୍ଧାଇ ଆମର ଏହି ପୃଥିବୀକୁ ଯୁଗେଯୁଗେ ବଡ଼ ଉତ୍ତେଜନାପୂର୍ଣ୍ଣ କରି ରଖନ୍ତି । ପିତୁଳାମାନଙ୍କୁ ଆଦରି ଅଧ୍ୟାତ୍ମନାମକ ସେହି ଅନ୍ୟ ଅନ୍ଵେଷଣଟିରୁ ମନୁଷ୍ୟଗଣଙ୍କୁ ଭଣ୍ଡାଇ ନିଅନ୍ତି । କେବଳ କ’ଣ ତଥାକଥିତ ଏହି ଧର୍ମମାନଙ୍କରେ ? ରାଜନୀତିରେ, ଶାସନରେ, ବିଜ୍ଞାନନାମକ ବେଉସାଟିର ସେହି ବଡ଼ ଚକଚକ ଅଥଚ ବହୁତ ମାରାତ୍ମକ ନିର୍ବୋଧତାରେ ଭରପୂର ହୋଇ ରହିଥିବା ନାନାବିଧ ପ୍ରବୀଣତା ଓ ପ୍ରବଞ୍ଚନାରେ । ସେହି ଯାବତୀୟ କ୍ଷେତ୍ରରେ ମଣିଷସମୂହକୁ ଅମୁହାଁ ପ୍ରାୟ କରି ରଖିବାରେ ଏଗୁଡ଼ିକ କେତେ ସହାୟତା କରି ଆସିଛନ୍ତି ଓ ଏବେ ମଧ୍ୟ କରିବାରେ ଲାଗିଛନ୍ତି । ଏବର ଏହି ପ୍ରତାରକମାନେ ଆଗକୁ ଅନାଇ ଦେଖିବାର ସକଳ ସ୍ଵାଭାବିକତାକୁ ହରାଇହିଁ ବସିଛନ୍ତି । ଆସ୍ତିକତାର ପାଟଫୁଲି ପିନ୍ଧି ନାସ୍ତିକତାମାନେ କି ଶୋଭାମୟ ନାନା ପ୍ରତାପରେ ନାଚିବାରେ ଲାଗିଛନ୍ତି ।

 

୨୨ । ୧୦ । ୨୦୦୭

 

ଧର୍ମରୁ ଅଧ୍ୟାତ୍ମଟିକୁ ବାଦ୍ ଦେଲେ ଯାହା ଏକ ଅବଶେଷରୂପେ ଧଡ଼ଟା ଭିତରେ ରହିଥାଏ, ତାହାକୁ ଖୁବ୍‌ବେଶୀ ହେଲେ ଏକ–ପରମ୍ପରା ବୋଲି କୁହାଯାଇପାରିବ । ଏହି ପରମ୍ପରାଟିହିଁ ଆମର ଏହି ଖାସ୍ କାଳରେ ସବୁଠାରୁ ଅଧିକ ଚକଚକ । ସେହି ପରମ୍ପରା ହୁଏତ ଭଗବାନଙ୍କ ପାଇଁ ନୁହେଁ, ଆମ ନିଜପାଇଁ । ଆମର ପରମ୍ପରା, ତେଣୁ ପୂରା ପୃଥିବୀଯାକରେ ଅଧ୍ୟାତ୍ମଠାରୁ ଅନୁମୋଦନପ୍ରାପ୍ତ ଏକମାତ୍ର ପରମ୍ପରା । ଆମର ଶାସ୍ତ୍ରମାନେ, ଦେଉଳ, ଭଳିଭଳି କିମ୍ବଦନ୍ତୀ ତଥା କଥା–ଉପନ୍ୟାସଗୁଡ଼ିକ, ଆମ ସାମ୍ପ୍ରତିକ ମନଟା କେତେ ଭବ୍ୟ ଫୁଲେଇପଣିଆରେ ଏବେ ମୂଳରୁ ଅଗଯାଏ ଏବଂ ଅଗରୁ ମୂଳଯାଏ ପୂରା ନିଦା କେତେକେତେ ଅଠାରେ ଯେ ମଜବୁତ ହୋଇ ରହିଛନ୍ତି, ମନୁଷ୍ୟମାନଙ୍କର ଭିତରଟାକୁ ଏବଂ ଆମ ବାହାରର ଏହି ପୃଥିବୀଟାକୁ ପୂର୍ଣ୍ଣ ପ୍ରତ୍ୟୟଟିଏ ସହିତ ସମ୍ଭାଳି ଧରିବାପାଇଁ ଇଚ୍ଛା କରୁଥିବା ସ୍ଵୟଂ ଭଗବାନଙ୍କୁ ମଧ୍ୟ ବହୁ ବହୁ ସଙ୍କଟ ଭିତରେ ଆଣି ନିଶ୍ଚୟ ପକାଇ ଦେଉଥିବ ।

 

ପରମ୍ପରାମାନଙ୍କୁ ନେଇ ଆମର ଏହି ଗାଦିଗୁଡ଼ିକ ଏବଂ ଗାଦି ଉପରେ ସମାସୀନ ଏହି ବିଶେଷ ମହିଷମାନେ । ଯୁଗେଯୁଗେ ମନୁଷ୍ୟ ଭିତରର ଅସଲ ପ୍ରୀତିଗୁଡ଼ିକୁ ଅନ୍ୟମନସ୍କ କରି ପକାଇବାର ବହୁତ ଫିକର କରୁଥିବା ଏହି ସ୍ଥଳ ଓ ଉଚ୍ଚାରୂଢ଼ ବର୍ଗଟି, ସେମାନେ ପ୍ରକୃତରେ କେଡ଼େ ଚତୁର ନହୋଇଥିବେ । ମନ୍ଦିର ଏବଂ ମନ୍ଦିର ଭିତରେ ଯେଉଁ ତଡ଼ାବାଡ଼ିର ସମ୍ପର୍କଟା ଏହି ବଜାରଚଳନ୍ତି ବିବେକର ପରିବେଶଟା ମଧ୍ୟରେ ତଥାପି ସବାବଡ଼ ମୀମାଂସକ ହୋଇ ଆମର ଦିନଗୁଡ଼ିକୁ ସର୍ବଦା ତ୍ରସ୍ତ କରି ରଖିଛି,–ଏବଂ ଏହି ଦୂରତାଗୁଡ଼ିକୁ ଅସଲ ସ୍ଵାଭିମାନ ବୋଲି କହି କାନଅତଡ଼ା ପକାଇବାରେ ଲାଗିଛି, ସେଠାରେ କିପରି ବା ଅଧ୍ୟାତ୍ମର ପକ୍ଷ ହୋଇ କିଏ ସାହସ କରି ଛିଡ଼ା ହୋଇ ପାରନ୍ତା ? ହୁଏତ ସେହି କାରଣରୁ କ୍ରମେ ଅଧ୍ୟାତ୍ମ ନିଜର ସକଳ ବ୍ୟାପାରକୁ ନିଜେ ବୁଝିବାକୁହିଁ ଇଚ୍ଛା କରୁଛି । ଦେଉଳ ବେଢ଼ା ଭିତରର ଜର୍ସିପିନ୍ଧାମାନଙ୍କୁ ଛାଡ଼ି, ବରଂ ଯେଉଁ ଅନ୍ୟମାନେ ଅର୍ଥାତ୍ ପଂକ୍ତିବାହାରମାନେ ସବୁ କିସମର ଖାସ୍ ଭେକଗୁଡ଼ିକଠାରୁ ଦୂରରେ ଯାଇ ରହିଥିଲେ, ଅଧ୍ୟାତ୍ମ ସେହିମାନଙ୍କର ନିଦ ଭଙ୍ଗାଉଛି, ଚେତା କରାଇ ଆଣୁଛି । ଅଧ୍ୟାତ୍ମର ସଦା ଗତିଶୀଳ ସେହି ସଦା–ଅସନ୍ତୋଷଟିହିଁ ମନୁଷ୍ୟମାନଙ୍କୁ ନୂଆ ନୂଆ ଆଡ଼େ ଯୋଗ୍ୟ କରି ଦେଉଛି । ନୂଆ ଘଟଣାମାନ ଘଟାଇବା ଲାଗି ସଜ ହେଉଛି କି ?

 

୨୮ । ୧୦ । ୨୦୦୭

 

ବିଜ୍ଞାନ ଗୋଟାଏ ପାଖରେ ଓ କଳା ଆଉଗୋଟାଏ ପାଖରେ,–ଏହିଭଳି ଏକ ଅବିବେକିପଣର ଅସନା ଯେଉଁଦିନୁଁ ଆମର ଏହି ଶିକ୍ଷିତମାନଙ୍କୁ ଗ୍ରାସ କଲା, ସେହି ଦିନୁଁହିଁ ଖୁବ୍‌ସମ୍ଭବ ଆମର ଜୀବନନାମକ ଏହି ନିତିଦିନର ସାମୂହିକ କ୍ଷେତ୍ରଟି ମଧ୍ୟରୁ କଳା ଓ ବିଜ୍ଞାନ ଉଭୟେ ବିଦା ହୋଇ ଚାଲିଯିବାଟା ଆରମ୍ଭ ହୋଇଗଲା । ଏମିତି କୋଉ କଳା ରହିଛି, ଯେଉଁଥିରେ କି ବିଜ୍ଞାନ ନାହିଁ ଏବଂ ଏମିତି କୋଉ ବିଜ୍ଞାନ ରହିଛି ଯୋଉଥିରେ କଳା ନାହିଁ ? ହୁଏତ, ସେହି ଭ୍ରାନ୍ତିଟାର କାରଣରୁ ଆମର ବୈଜ୍ଞାନିକମାନେ ବିଜ୍ଞାନକୁ ବଣା କରିନେଇ ବୋମାଯାଏ ଘୋଷାରି ଘୋଷାରି ନେଇଗଲେଣି ଏବଂ ଆମର ତଥାକଥିତ କଳାନିପୁଣମାନେ ଆମକୁ ନାନାବିଧ ଅକର୍ମଣ୍ୟତା ମଧ୍ୟରେ ଆଣି ପକାଇ ଦେବାରେ ଲାଗିଛନ୍ତି ।

 

ସେଇ ଗୋଟିଏ ଆଖି, ସମଗ୍ର ଆଖି, ଯିଏ କଳା ଓ ବିଜ୍ଞାନ ଉଭୟଟିର ସୂତାଗୁଡ଼ିକୁ ଏକତ୍ରହିଁ ଦେଖି ପାରୁଥାଏ, ସେହି ଗୋଟିଏ ମାତ୍ର ସୁସ୍ଥ ହୃଦୟ, ଯାହା ଭିତରେ ଏବଂ ବାହାରେ ଚାକ୍ଷୁଷ ଭାବରେ ନଦେଖିଥିବା ପର୍ଯ୍ୟନ୍ତ ମୋଟେ ଥୟ ହୋଇ ରହି ପାରେନାହିଁ । ଏବଂ, ଆମ ଜୀବନରେ, ବ୍ୟକ୍ତିଗତ ତଥା ସାମୂହିକ ଉଭୟ ଜୀବନରେ ଆମେ କେତେଦୂର ଏହି ପୃଥିବୀରେ ଆପଣାର ସମ୍ପର୍କଗୁଡ଼ିକୁ ସୁସ୍ଥ ଅର୍ଥାତ୍ ସହଜ କରିଆଣି ପାରିଛୁ, ତାହା ବହୁତ ପରିମାଣରେ ତାହାରି ଉପରେ ନିର୍ଭର କରୁଥାଏ । ପୃଥିବୀଯାକରେ ଏପରି କେଉଁଠାରେ କେଉଁ ଗୋଟିଏ ହେଲେ ଧନ୍ଦା ରହିଛି, ଯେଉଁଟି କି ବିଜ୍ଞାନ ଏବଂ କଳା ଦୁଇଜଣଯାକ ଗୁରୁଙ୍କ ପାଖରେ ଜୁଆ ହୋଇ ଆମର ଜୀବନରେ ସତକୁସତ କିଛି ପାଇଲା ଅଥବା ହେଲା ବୋଲି ଅନୁଭବ ନକରୁଛି ! ଯାବତୀୟ ସୁସ୍ଥ କଳା ଆମକୁ ବିଜ୍ଞାନର ନିକଟବର୍ତ୍ତୀ କରାଉଛି ଏବଂ ସୁସ୍ଥ ବିଜ୍ଞାନ ଆମକୁ ଏକ କଳାତ୍ମକ ସମଗ୍ରତା ଆଡ଼କୁ ପରିଚାଳିତବି କରିନେଉଛି ।

 

୩୦ । ୧୦ । ୨୦୦୭

 

ସତ୍ୟମାନେ ଅଛନ୍ତି, ଏବଂ ତେଣୁ ମାର୍ଗମାନେ ମଧ୍ୟ ଅଛନ୍ତି । ସତ୍ୟମାନେ ଅବଶ୍ୟ ରହିଛନ୍ତି, ତେଣୁ ମାର୍ଗମାନେ ମଧ୍ୟ ଅବଶ୍ୟ ରହିଛନ୍ତି । ସତ୍ୟରେ ପାବଚ୍ଛ ପରେ ପାବଚ୍ଛ ଉଠିଯିବାର ଏକ ନର୍ବ ନିୟତହିଁ ଲାଗି ରହିଛି । ତେଣୁ, ମାର୍ଗ ଉଠିବାରହିଁ ସତ୍ୟର ପର୍ବଟିଏ । ପାହାଚ ଉଠିବାର ଅର୍ଥାତ୍ ମାର୍ଗଗୁଡ଼ିକୁ ଆବିଷ୍କାର କରିବାର ।

 

ସେହି ଆବିଷ୍କାରଟି ମୋ’ର ସମ୍ବନ୍ଧଗୁଡ଼ିକରେ, ମୋ’ର ଚତୁର୍ଦ୍ଦିଗରେ । ସେହି ଆବିଷ୍କାରମାନଙ୍କର କାହାଣୀଟିରେ ଅଗ୍ରାଧିକାର ଅର୍ଥାତ୍ ତୁଳନାତ୍ମକ ମୂଲ୍ୟ–ଆରୋପଣର କାହାଣୀଟି ମଧ୍ୟ ବଦଳି ବଦଳି ଯାଇଛି ଓ ସେହି ବଦଳିବାଟି ଅନୁସାରେ ମୋ’ ଜୀବନରେ ମୋ’ର ସାକ୍ଷାତ୍‌କାରଗୁଡ଼ିକ ମଧ୍ୟ କେତେପ୍ରକାରେ ମୋତେ ଚମକ ଆଣି ଦେଇଛନ୍ତି । ମୋତେ ସତେଅବା କୌଣସି ଈଶ୍ଵରସ୍ପର୍ଶର ସ୍ପନ୍ଦନ ଆଣି ଦେଇଛନ୍ତି । ମୋ’ ଭିତରେ ଓ ମୋ’ର ବାହାରେ । ହଁ, ତଥାକଥିତ ଭିତରେ ଏବଂ ତଥାକଥିତ ବାହାରେ । ଏହି ବାହାରଟା ଭିତରେ ସମ୍ପୂର୍ଣ୍ଣ ସ୍ଵାଭାବିକ ଭାବରେ ମୁଁ ସ୍ଵୀକୃତିଟିଏ ପାଇଯାଇଛି ଏବଂ ବାହାରଟା ମଧ୍ୟ ମୋ’ ଭିତରେ ଏକ ବାସଗୃହ ମଧ୍ୟ ପାଇଛି । ହୁଏତ ସେହି ସବାମୂଳ କାରଣଟି ହେତୁ ଈଶ୍ଵର ମୋ’ ଭିତରେ ଏବଂ ଈଶ୍ଵର ମୋ’ ବାହାରେ ବୋଲି ଏକ ରୋମାଞ୍ଚକର ପ୍ରହେଳିକା ମଧ୍ୟରେ ପଡ଼ି ଆମେ ମଣିଷମାନେ ସଚରାଚର ଏତେ ଆନନ୍ଦବି ଲାଭ କରିଥାଉ କି ? ଏବଂ, ସେହି ମଜାଟିର ସୁଆଦଟିକୁ ନପାଇଥିଲେ ପୂରା ନିଷ୍ଠାପର ଭାବରେ କେତେ କେତେ ମଣିଷ ମୋ’ଟା ଠିକ୍ ଓ ତେଣୁ ତୋ’ଟା ଭୁଲ ବୋଲି କେତେ କୋଳାହଳ ଲଗାଇ ଦେଇଥାଆନ୍ତି କି ? ଏମାନେ ଈଶ୍ଵରଙ୍କ ଲାଗି ନିଶ୍ଚୟ ବହୁତ ବହୁତ ମଜାର କାରଣ ହେଉଥିବେ ।

 

୨ । ୧୨ । ୨୦୦୭

 

Dependence, Independence ଏବଂ Interdependence–ନିର୍ଭରଶୀଳତା, ନିର୍ଭରମୁକ୍ତି ଓ ପରସ୍ପରନିର୍ଭରତା,–ଆମ ଜୀବନନାମକ ଏହି ନିତ୍ୟ–ଅନ୍ଵେଷଣର ଉତ୍ସବଟି ମଧ୍ୟରେ ତାହାକୁ ଅଳ୍ପବହୁତ ଗୋଟିଏ ପରିଚିତ ଛାଞ୍ଚରେ ପକାଇ ହୁଏତ dialectics ବୋଲି କହି ପାରିବା କି ? ଶାସ୍ତ୍ରରେ ସେହି independence ଅର୍ଥାତ୍ ନିର୍ଭରମୁକ୍ତିକୁ କେତେ ବ୍ୟକ୍ତି weaning ଅର୍ଥାତ୍ autonomy ବୋଲି କହିଛନ୍ତି ।

 

ନିର୍ଭରଶୀଳତାରୁ ନିର୍ଭରମୁକ୍ତି,–ଆମ ଜୀବନର ଯାବତୀୟ ପର୍ଯ୍ୟାୟରେ ଏବଂ ଯାବତୀୟ ଗତିଶୀଳତାର କ୍ଷେତ୍ରରେ ଏଇଟି ସକଳ ଅର୍ଥରେ ଏକ ଆରୋହଣ ସଦୃଶ ଲାଗିଥାଏ ଏବଂ ଏକ ଆରୋହଣର କାର୍ଯ୍ୟ ମଧ୍ୟ ଦେଇଥାଏ । ଆରୋହଣ ଏକ ସ୍ଥିତି ନୁହେଁ, ତାହା ହେଉଛି ଗୋଟିଏ ପ୍ରକ୍ରିୟା,–ସୁସ୍ଥ ଅନୁଭବ କରିବାର ଅର୍ଥାତ୍ ସୁସ୍ଥ ଦେଖିବାର ପ୍ରକ୍ରିୟା । ନିର୍ଭରଶୀଳତାର ସେହି ସର୍ବପ୍ରଥମ ସ୍କୁଲ୍‍ଟି ଆମ ପାଦକୁ ବଳ ଦିଏ, ନିଜପାଇଁ ଏକ ନିର୍ଭରଯୋଗ୍ୟ ଅସ୍ତିତ୍ଵବୋଧ ଆଣିଦିଏ ଏବଂ ତା’ପରେ, ନିଜ ଭିତରୁ ସତେଅବା ଜଣେ ଜନନୀ ବା ଜଣେ ସୁହୃତ୍ ଆସି ଆମକୁ ସେତିକି ଉପରେ ନିର୍ଭରଶୀଳ ହୋଇ ରହିବାର ଆକର୍ଷଣଟିରୁ ଆସି ମୁକ୍ତ ମଧ୍ୟ କରିଦିଏ । ଭାରି ଉଶ୍ଵାସ ଲାଗେ,–ଅଣ୍ଟାଟା କ୍ରମେ ସିଧା ହୋଇ ଆସିଥିବା ପରି ଅନୁଭବ ହୁଏ । ବହୁ ବହୁ ସାମର୍ଥ୍ୟର ପ୍ରତ୍ୟୟମାନ ଉପଲବ୍ଧ ହୋଇଥାଏ । ଏହି ପୃଥିବୀ ସତେଅବା ଏକ ବାଟ ଭଳି ଆମକୁ ଡାକିବାକୁ ଆରମ୍ଭ କରେ । ଏବଂ ତାହାରି ଭିତରୁ ପରସ୍ପର ନିର୍ଭରତାର ସେହି ତୃତୀୟ ଚାଲେଞ୍ଜଟିର ପାଳି ଆସି ପହଞ୍ଚି ଯାଇଥାଏ । ଏହି ଯେଉଁ ପରସ୍ପର ନିର୍ଭରତାର ଉପଲବ୍ଧିରେ ଆସି ପ୍ରବେଶ କରିବା,–ଏଇଟି ଗୋଟିଏ ଆରୋହଣ ନା ଅବତରଣ, ନା ଏକାବେଳେକେ ଗୋଟିଏ ଅନ୍ୟ ପ୍ରାପ୍ତି ଏବଂ ଅନ୍ୟ ପ୍ରସ୍ତୁତି ? ଆମେ ଯେଉଁଭଳି ଦେଖିବାପାଇଁ ମନ କରୁଥିବା ପଛକେ, ସେଇଟି ହେଉଛି ଏକାବେଳେକେ ଏକ ପ୍ରାପ୍ତି ଓ ଏକ ପ୍ରସ୍ତୁତି ।

 

୮ । ୧୨ । ୨୦୦୭

 

ଯେଉଁମାନେ ମଇଳା ଦେଖିବାମାତ୍ରକେ ନାକ ଟେକିବାକୁ ଲାଗନ୍ତି, ସେମାନେ କ’ଣ ସତକୁସତ ମଇଳାକୁ କିଞ୍ଚିତ୍ ଭଲବି ପାଉଥାଆନ୍ତି କି ? ହୁଏତ ଇଚ୍ଛା କରୁଥାନ୍ତି, ପୃଥିବୀଯାକ ସର୍ବତ୍ର ଏହି ମଇଳାମାନେ ଭର୍ତ୍ତି ହୋଇ ରହିଥାନ୍ତେ ଓ ସେହି କାରଣରୁ ସେମାନଙ୍କୁ ମଇଳା ସଫା କରିବାର ଗୋଟିଏ ନିରନ୍ତର ସୁଯୋଗ ମିଳି ଯାଉଥାନ୍ତା । ଏବଂ, ହେ ଭଗବାନ୍ ! ସେମାନଙ୍କ ଭିତରେବି କ’ଣ କେଉଁଠାରେ କ’ଣସବୁ ମଇଳା ଜମି ରହିଥାଏ ଓ ସେମାନେ ସମ୍ଭବତଃ କିଞ୍ଚିତ୍ ଶ୍ରଦ୍ଧା ସହକାରେ ସେଇଟିକୁ ଏକ ପରମ ସମ୍ପଦବତ୍ ସାଇତି ରଖିବାକୁହିଁ ଇଚ୍ଛା କରୁଥାନ୍ତି ? ଏବଂ, ସେହି କାରଣରୁ ବାହାରେ ମଇଳା ଦେଖି ପକାଇବାମାତ୍ରେ ନାକ ଟେକନ୍ତି ଓ ସେଗୁଡ଼ିକୁ ସଫା କରିବା ନିମନ୍ତେ ଅସ୍ଥିର ହୋଇ ପଡ଼ନ୍ତି ?

 

ଏହି ଦୟାବନ୍ତ ଲକ୍ଷ୍ମୀମନ୍ତମାନେ ଏଠି ଆମ ଚାରିପାଖରେ ଏତେ ଏତେ ମନୁଷ୍ୟ ଦରିଦ୍ର ତଥା ବଞ୍ଚିତ ହୋଇ ରହିଥାନ୍ତୁ, ଯେପରିକି ସେମାନେ ସତେଅବା କୌଣସି ଶାଶ୍ଵତକାଳ ପାଇଁ ସହାୟତାହିଁ ଲୋଡ଼ିବେ ଏବଂ ସେହି କାରଣୁ ଦୟାବନ୍ତମାନେ ସେମାନଙ୍କର ବଦାନ୍ୟତାଗୁଡ଼ିକୁ ପ୍ରଦର୍ଶନ କରିବା ଲାଗି ଅବାରିତ ଭାବରେ ଅସରନ୍ତି ନାନା ସୁଯୋଗ ଅବଶ୍ୟ ପାଇବେ ବୋଲି ସର୍ବଦା ଆଶା କରୁଥାନ୍ତି କି ? କିନ୍ତୁ, ଅନ୍ୟ ପକ୍ଷରେ ସେମାନେ ଯେ ଆପେ ଏହିସବୁ ଅସହାୟତା ତଥା ଅଗତ୍ୟା ଅକିଞ୍ଚନତା ସକାଶେ ହୁଏତ ସବାଆଗ ଦାୟୀ, ସେମାନେ କ’ଣ ଉକ୍ତ ସତକଥାଟିକୁ ମୋଟେ ଜାଣି ନଥାନ୍ତି ? ଏବଂ, ଆମ ମନୁଷ୍ୟମାନଙ୍କର ଭିତରଟାକୁ ଦେଇ ବାହାରକୁ ଦେଖୁଥିବା ବିଧାତା ମଧ୍ୟ ଏହି ମନୋରମ ସତ୍ୟଟିକୁ ଦେଖି ଖୁବ୍ କ୍ଳାନ୍ତିବି ହୋଇ ପଡ଼ୁଥିବେ ।

 

୧୭ । ୧୨ । ୨୦୦୭

 

ସାହିତ୍ୟ କ’ଣ ଖାଲି ଗୋଟିଏ କଳ୍ପନା, ଖାଲି ଗୋଟିଏ ପ୍ରେରଣା ? ଏବଂ, କଳ୍ପନାରୁ ପ୍ରେରଣା ଅଥବା ପ୍ରେରଣାରୁ କଳ୍ପନା ? ନା ମୁଖ୍ୟତଃ, ଶବ୍ଦଗୁଡ଼ିକୁ ଖୋଜିବା ଏବଂ ସେହି ଖୋଜିବାଦ୍ୱାରା ପାଇଥିବାର ଯଥାଦ୍ରବ୍ୟଗୁଡ଼ିକୁ ବ୍ୟବହାର କରି ମୁଖ୍ୟତଃ ଛୋପରା ହେବା ଏବଂ ଛୋପରା ହୋଇ ଆଉଜାତିଏ ଛୋପରାମାନଙ୍କ ମନକୁ ମୋହିବା ଏବଂ ନିତାନ୍ତ କାଳାଧୀନ ଗୋଟିଏ ପୃଥିବୀରେ ନିଜକୁ ସତେଅବା ଗୋଟାଏ ଗୋଟାଏ ଅଲଗା ଜାତିର ଜୀବ ବୋଲି ଅନୁଭବ କରିବା, ଦେଖାଇହେବା ?

 

ପୁନଶ୍ଚ, ଆହୁରି କେହି ମଧ୍ୟ କହନ୍ତି ଯେ, ଭିତରେ କ’ଣସବୁ ଗୁଡ଼ାଏ ଛଟପଟ ଲାଗୁଥାଏ ଏବଂ ସେତେବେଳେ ସାହିତ୍ୟ ବୋଲି କ’ଣ ଏକ ଦୋସରର ଶରତ୍ ପଶିପାରିଲେ ଯାଇ ସେହି ଛଟପଟଟା ଦୂର ହୁଏ । ହୁଏତ, ଆହୁରି ଅଧିକ ଏକ ସତକଥା ମଧ୍ୟ ହେଉଛି ଯେ, ପ୍ରକାରେ ପ୍ରକାରେ ଛଟପଟ ସତେଅବା ଭାରି ବିଚଳିତ କରି ଦେଉଥିବା ପରି ମନେ ହେଉଥାଏ, ସତେଅବା ଗୋଡ଼ ଖସାଇନେବାକୁ ଆସି ପହଞ୍ଚିଯାଏ ଏବଂ ସେହି ଛଟପଟରେ କିଞ୍ଚିତ୍ ପ୍ରସାରଣ ଘଟାଇ ସେଇଟି ଦୂର ହୋଇଗଲା ବୋଲି ଅନୁଭବ ହୋଇଥାଏ କି ? ପୁନଶ୍ଚ, ହୁଏତ ବାହାରର କୌଣସି ବୃହତ୍ତର ଛଟପଟଟିଏ ଆସି ଭିତରର ଉପଦ୍ରବକାରୀ କୌଣସି ତାତ୍କାଳିକ ଛଟପଟଟିକୁ ଏକ elevation ଯୋଗାଇବି ଦେଇଥାଏ । ଆପେ ଆଦରି ନେଇଥିବା ଛଟପଟଟିଦ୍ଵାରା ବାହାରୁ ମୋତେ ଉପଯୁକ୍ତ ଶିକାରଟିଏ ବୋଲି ଆବିଷ୍କାର କରି ମୋତେ ଅକ୍ତିଆର କରିନିଏ ଏବଂ ଅନ୍ତତଃ ସେହି ସମୟଟା ପାଇଁ ମୋ’ ବୁଝିବାକୁ ତଦ୍ଦ୍ଵାରା କିଛିମାତ୍ରାରେ ଶୀତଳ କରିଦିଏ ? ମୋ’ ଜୀବନରେ ସର୍ବବିଧ ଛଟପଟକୁ ଏକ ଅନ୍ୟ ଉଦାରତା ପ୍ରଦାନ କରି ମୋ’ର ଏହି ଜୀବନବିଚରଣ ଘରଟିରେ ଏକ ସତତ ନିର୍ଭର ଆଣି ଯୋଗାଇଦେବା, ଅସଲ ମନ୍ତ୍ରଟିଏ କହିଲେ ସର୍ବଦା ତ ତାହାକୁହିଁ ବୁଝାଇବା ଉଚିତ । କିନ୍ତୁ, ଯଦି କେଉଁମାନେ ନିଜ ଜୀବନଲୟର ଏହି ଘରଟି ମଧ୍ୟରେ ସତେଅବା କୌଣସି ସ୍ଵକଳ୍ପିତ ଦେବତାଙ୍କୁ ହକାରି ଆଣି ତାଙ୍କପାଇଁ ମଧୁରିଆ ମନ୍ତ୍ରଟାଏ ବୋଲି ଦେଇ କ’ଣସବୁ ଅଲବତ୍ ଆଦାୟ କରିନେବେ ବୋଲି ବ୍ୟସ୍ତ ହୋଇ ରହିଥିବା ପରି ଧାଇଁ ଶାନ୍ତି ପାଆନ୍ତି ଏବଂ ତେଣୁ ସାହିତ୍ୟର ଦ୍ଵାହି ଦେଇ ଖୁବ୍ କାଷ୍ଠାମାନ କରୁଥାଆନ୍ତି, ସେମାନେ ଅବଶ୍ୟ କୌଣସି ଭିନେ ଧାତୁରେ ଗଢ଼ା ହୋଇଥିବେ ।

 

୨୦ । ୧୨ । ୨୦୦୭

 

ଗୁଣୀପୁରୁଷମାନେ ଯେଉଁପରି କହି ଯାଇଛନ୍ତି, ଗୋଟିଏ ହେଉଛି ଆମର ପ୍ରବୃତ୍ତି ଏବଂ ଆଉ ଗୋଟିଏ ଆମର ନିବୃତ୍ତି । ପ୍ରବୃତ୍ତିର ମାର୍ଗ ଏଇଟି ଓ ନିବୃତ୍ତିର ମାର୍ଗ ସେଇଟି । ଅର୍ଥାତ୍, ପ୍ରବୃତ୍ତିର ମାର୍ଗଟିକୁ ଛାଡ଼ି ଦେବାଦ୍ୱାରାହିଁ ନିବୃତ୍ତିର ମାର୍ଗଟିକୁ ଆସିବାକୁ ହୋଇଥାଏ । ତେବେଯାଇ ଜ୍ଞାନୋଦୟ ହୁଏ, ତେବେଯାଇ ମୁକ୍ତି ମିଳେ । କୋଉ ଖାସ୍ କଚେରିରୁ ଅବଗତ ହୋଇ ଆସିଥିବା ପରି କେତେ ତ ନିବୃତ୍ତିଦ୍ଵାରାହିଁ ଜଗତ୍‌ପ୍ରାପ୍ତି ହୋଇଥାଏ ବୋଲି ମଧ୍ୟ କେଡ଼େ ସ୍ପୁର୍ତ୍ତିର ସହିତ ଆମକୁ କହିବି ଥାଆନ୍ତି ।

 

ସବାଆଗ ମୋ’ ପ୍ରବୃତ୍ତି, ମୋ’ର ଅଙ୍ଗେ ନିଭାଉଥିବା ଏହି ଜୀବନରେ ଅଧିକରୁ ଅଧିକ ନିମନ୍ତେ ଏକ ଧର୍ମପାଳନବତ୍ ଉତ୍ସାହ । କତିରୁ ଆହୁରି କତି ଅନ୍ତର୍ଗତ ସଦା–ଆକର୍ଷଣ,–ଏବଂ, ତାହାହିଁ ହେଉଛି ମୁଁ ଏତେ ଏତେ ସମ୍ଭାବନାକୁ ବହନ କରି ଏହି ପୃଥିବୀରେ ଜନ୍ମ ଲଭିଛି ବୋଲି ପ୍ରାୟ ଏକ ନିତ୍ୟ ମୁହୂର୍ତ୍ତର ଉପଲବ୍ଧି । ତେଣୁ, କେବଳ ଅସ୍ତି ଏବଂ ଅସ୍ତି,–ଅସ୍ତିରୁ ନିବିଡ଼ତର ଆହୁରି ଆହୁରି ଅସ୍ତି ମଧ୍ୟକୁ ଏକ ଆକର୍ଷଣ,–ଏକ ଆରୋହଣ । ତେଣୁ, ମୋ’ର ପ୍ରବୃତ୍ତିଗୁଡ଼ିକୁ ଜାଣିବା,–ତାହାହିଁ ଧର୍ମ । ସେହି ଧର୍ମଟି ଲାଗି ମୋ’ ଭିତରେ ଏକ ଅଦମନୀୟ ପ୍ରବୃତ୍ତି । ଏହି ପ୍ରବୃତ୍ତିଗୁଡ଼ିକୁ ମୁଁ ସମ୍ପ୍ରସାରିତ କରୁଥିବି, ସେଗୁଡ଼ିକୁ ଅଖଣ୍ଡ ଓ ଅବିଚ୍ଛିନ୍ନଭାବେ ଆବିଷ୍କାର କରିବି । ସମ୍ବନ୍ଧପରେ ସମ୍ବନ୍ଧ ବଢ଼ାଉଥିବି ଖିଅକୁ ଖିଅ ଯୋଡ଼ୁଥିବି ଓ ସମ୍ପଦବାନ୍ ହେଉଥିବି । ସେହି ଆହୁରି ଆହୁରି ବଢ଼ାଇବାର ଆଗ୍ରହ,–ତେଣୁ ଏତିକିରେ, ମୋ’ର ଏତିକି ଚିହ୍ନାଟି ମଧ୍ୟରେ ବାନ୍ଧିହୋଇ ରହିବାର ଦୁର୍ଗତିରୁ ବିମୋଚିତ ହୋଇ ଆସିବାର ସେହି ସକାରାତ୍ମକ ସକଳ ଶ୍ରଦ୍ଧା ଏବଂ ସେଥିରୁ ଉପଲବ୍ଧ ମୋ’ର ଏହି ସବୁଯାକ ଶୈଳୀ, ବସ୍ତୁତଃ ମୁଁ ତାହାକୁହିଁ ଯାହାକିଛି ନିବୃତ୍ତି ବୋଲି ଜାଣିବି ?

 

୨୯ । ୧୨ ।୨୦୦୭

 

ଆଗ ମନ୍ତ୍ର,–ମନ୍ତ୍ରରୁ ମୁକ୍ତି । ଏପରି ମଧ୍ୟ କାହାକୁ କୌଣସି ଆପାତ ନଦେଇ କ’ଣ କହିହେବ ଯେ, ବସ୍ତୁତଃ ମନ୍ତ୍ର ଅନୁସାରେହିଁ ମୁକ୍ତି । ଆମ ଭୀମଭୋଇ ଏକଦା କହିଥିଲେ ଯେ, ଯାହାର ମନ ଯେଡ଼େ ତାହାର ପ୍ରଭୁ ମଧ୍ୟ ସେଡ଼େ । ପୁଣି, ଆମର ମନ ଅନୁସାରେହିଁ ଆମର ମନ୍ତ୍ର । ମନ ସତକୁସତ ଯେମିତି ସେହି ଅନୁସାରେହିଁ ଆମକୁ ମନ୍ତ୍ରଗୁଡ଼ିକ ମିଳି ଯାଉଥିବ । ଅବଶ୍ୟ ମିଳି ଯାଉଥିବ ।

 

ତେଣୁ, ମନ୍ତ୍ରଟି ଭିତରେ ପ୍ରକୃତରେ ଅନେକ ଅର୍ଥ–ସମ୍ଭାବନା । ଅନେକ ଅନେକ ଅର୍ଥ–ସମ୍ଭାବନା,–ଅନେକ ଅନେକ ମୂର୍ତ୍ତି–ସମ୍ଭାବନା । ଆମର ଶ୍ରଦ୍ଧା ଅନୁସାରେ, ଆମ ସ୍ଵଭାବ ଅନୁସାରେ । ଆପଣାକୁ ବ୍ୟକ୍ତ କରିବାର ଭଳିଭଳି ଶୈଳୀ ଅନୁସାରେ । ଖାସ୍ କୌଣସି ଗୋଟିଏ ମନ୍ତ୍ରର ପାରାୟଣ କଲେ ମୋତେ ସବୁକିଛି ପ୍ରାପ୍ତ ହୋଇଯିବ ବୋଲି ଯେଉଁ ଗୁରୁ ଏକ ନିର୍ଦ୍ଦିଷ୍ଟ ନାମାବଳି ଦେଇ ମୋତେ ଭୁଲାଇ ନେଉଥାନ୍ତି, ତେବେ ସିଏ କ’ଣ ମୋତେ ଗୋଟିଏ ମିଛ ନିର୍ଭର ଆଣି ଦେଉଥାନ୍ତି କି ? ହୁଏତ, ସତକଥାଟି ହେଉଛି ଯେ, ସିଏ ଆପେ ଯେଉଁଯାଏ ଯାଇଥାନ୍ତି, ତାହାକୁହିଁ ସ୍ଵସାମର୍ଥ୍ୟର ସର୍ବଶେଷ ଶିଖର ବୋଲି ମାନି ନେଇଥାନ୍ତି ? ହଁ, ଯେତିକିଯାଏ ଯାଇଥାନ୍ତି, ପୃଥିବୀଯାକ କେବଳ ସେତିକିର କଥାହିଁ କହି ପାରନ୍ତି । ସିଏ ମନ୍ତ୍ରମାନଙ୍କୁ କେତେ ନା କେତେ ଆକର୍ଷଣକାରୀ ନାମ ମଧ୍ୟ ପ୍ରଦାନ କରିଥାନ୍ତି । ତେଣୁ, ସର୍ବବିଧ ମନ୍ତ୍ରର ପ୍ରେରଣା ଦେଉଥିବା ବିଧାତା ପ୍ରକୃତରେ ବହୁତ ଅଡ଼ୁଆରେ ହୁଏତ ପଡ଼ି ଯାଉଥିବେ । ସିଏ ତ ସଚରାଚର କେଡ଼େ ଅନ୍ତରଙ୍ଗ ପରି ଆମକୁ ପାହାଚକୁ ପାହାଚ ପହୁଞ୍ଚାଇ ଦେବାକୁ ଇଚ୍ଛାହିଁ କରୁଥିବେ । ଏହି ପୃଥିବୀରେ ଆମ ସମସ୍ତଙ୍କୁ ଅନବରତ କେତେ ନା କେତେ ଆରୋହଣ ଏବଂ କେତେ ନା କେତେ ଅବତରଣର ଭାଜନ କରାଇ ନେବା ସକାଶେ ଆମ ପାଖେପାଖେ ରହିଥିବେ । ତେଣୁ, କେଡ଼େ ବଡ଼କଥା ହୁଅନ୍ତା, ଯଦି ଆମେ ମଧ୍ୟ ତାଙ୍କର ସେହି ଅସଲ କଥାଟିକୁ ଶୁଣିପାରନ୍ତେ । ନିଜ ଭିତରୁ ଶୁଣି ପାରନ୍ତେ, ନିଜର ଭିତରୁ ମଧ୍ୟ ଶୁଣି ପାରନ୍ତେ । ତଦ୍ଦ୍ଵାରା ନିଜର ଭିତରେ ଓ ନିଜ ବାହାରେ ଅଭୂତପୂର୍ବ କେତେକଅଣ ସମ୍ଭବ କରି ଆଣନ୍ତେ !

Image